ଏବେ ଏବେ, ଜାତୀୟ ପରୀକ୍ଷଣ ସଂସ୍ଥାନ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷାଫଳ (ଜେଇଇ)ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲା ଜି-ଆଡ଼ଭାନ୍ସ ପରୀକ୍ଷା ଦେଇ ଭଲ କଲେ, ଆଇଆଇଟି ଓ ଏନଆଇଟି ଭଳି ପ୍ରତିଷ୍ଠିତ ସର୍ବଭାରତୀୟ ବୈଷୟିକ ଅନୁଷ୍ଠାନରେ ନାଁ ଲେଖାଇ ପାରିବେ। କିଛି ସ୍କୁଲ ପକ୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ ପଢ଼ିବାକୁ ଆଗ୍ରହୀ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରିଚାଳିତ କୋଚିଂ ସେଣ୍ଟର ରହିଛି। ଏଥିରେ, ସ୍କୁଲର ଶିକ୍ଷକମାନେ ନିୟମିତ ପାଠ ପଢ଼େଇବା ସହ ପିଲାଙ୍କୁ ଅତିରିକ୍ତ ଅଭ୍ୟାସ କରାଇଥାଆନ୍ତି। ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନମାନଙ୍କରେ ପଢ଼ୁଥିବା ପିଲାଙ୍କ ଭିତରୁ କିଛି କମ ଯୋଗ୍ୟତା ସମ୍ପନ୍ନ ପିଲା ନାମ ଲେଖାଇବାର ସୁବିଧା ପାଇଥାଆନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଗ୍ରାମ୍ୟ ସ୍କୁଲ କଲେଜରେ ମାତୃଭାଷାରେ ପାଠ ପଢ଼ି ନୂଆ ସହରୀ ପରିବେଶ ଓ ଇଂରାଜୀ ମାଧ୍ୟମରେ ବୈଷୟିକ ଶିକ୍ଷାଗ୍ରହଣ କରିବାରେ ଅସୁବିଧା ଭୋଗନ୍ତି। ସ୍ନାତକ ପାଠ୍ୟକ୍ରମ ସାରିବା ପୂର୍ବରୁ କେବଳ ଆଇଆଇଟିମାନଙ୍କରୁ ପ୍ରତିବର୍ଷ ୨୪୦୦ରୁ ଅଧିକ ପିଲା ପାଠ ଛାଡ଼ିଦେଉଥିବାର ଦେଖିବାକୁ ମିଳୁଛି। ପାଠ୍ୟପୁସ୍ତକରୁ ବିଜ୍ଞାନର ମୌଳିକ କଥା ନବୁଝି, କୋଚିଂ ସେଣ୍ଟର ପକ୍ଷରୁ ବାରମ୍ବାର ପ୍ରଶ୍ନୋତ୍ତର ଅଭ୍ୟାସ କାରଣରୁ ବୈଷୟିକ ଅନୁଷ୍ଠାନ ମାନଙ୍କରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଅନେକ ପିଲା ପରବର୍ତ୍ତୀ କାଳରେ ପାଠର ବୋଝ ସମ୍ଭାଳି ନପାରିବା, ପାରିବାରିକ ଆର୍ଥିକ ଅସୁବିଧା, ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ନପାରିବା ଇତ୍ୟାଦି କାରଣରୁ ଆଇଆଇଟି ଭଳି ଅନୁଷ୍ଠାନ ଛାଡ଼ି ଦେଉଛନ୍ତି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସମାନ ସ୍ଥିତି।
କିଛି ଅଧ୍ୟାପକ କଲେଜରେ ଅଧ୍ୟାପନା କରିବା ଅପେକ୍ଷା, ଟିଉସନ କରି ଅର୍ଥ ରୋଜଗାର କରିବାକୁ ଅଧିକ ଆଗ୍ରହୀ। ଏଥିରୁ ଭଲ ରୋଜଗାର ହେଉଛି। ତେବେ, ଯେଉଁସବୁ କୋଚିଂ ସେଣ୍ଟର ଅଧ୍ୟାପକଙ୍କଠାରୁ ଟିଉସନ ନେଇଥିବା ପିଲାଏ ଅଧିକ ସଂଖ୍ୟାରେ ଆଇଆଇଟି, ଏନଆଇଟି, ମେଡିକାଲ ସିଟ ପାଉଛନ୍ତି, ସେ ଅଧ୍ୟାପକ ଓ ଟିଉଟୋରିଆଲ କଲେଜ ଓ କୋଚିଂ ସେଣ୍ଟରର ଅଧିକ ନାଁ। କୋଚିଂ ସେଣ୍ଟର ଯାଇନପାରି ପାଠ୍ୟପୁସ୍ତକ ପଢ଼ି ପ୍ରସ୍ତୁତ ହେଉଥିବା ମେଧାବୀ ପିଲାମାନେ, ପାଠ୍ୟପୁସ୍ତକ ଖୋଲିନଥିବା ପିଲାଙ୍କ ଅପେକ୍ଷା ପ୍ରବେଶିକା ପରୀକ୍ଷାରେ କମ ମାର୍କ ରଖୁଛନ୍ତି। ଏଣୁ ସମସ୍ତେ ବାଧ୍ୟହୋଇ ଟିଉସନ ବା କୋଚିଂ ସେଣ୍ଟର ଯାଉଛନ୍ତି। ଅଟୋ ଚାଳକ ହୁଅନ୍ତୁ ବା ଚାଷୀ, ନିଜର ପୁଅ ଝିଅଙ୍କୁ ଧାର କରଜ କରି କୋଚିଂ ସେଣ୍ଟରରେ ଭର୍ତ୍ତି କରି ନପାରିଲେ, ନିଜର ଜୀବନକୁ ବ୍ୟର୍ଥ ମନେ କରୁଛନ୍ତି। କୋଚିଂ ସେଣ୍ଟର ତାଲିମପ୍ରାପ୍ତ ପିଲାଏ ପ୍ରଚଳିତ ପ୍ରଣାଳୀରେ କରାଯାଉଥିବା ପରୀକ୍ଷାରେ ଭଲ କରୁଥିଲେ ହେଁ ମୂଳ ଖଇଚା କାରଣରୁ ନୂଆ ପ୍ରକାର ପ୍ରଶ୍ନ ଆସିଲେ ହଡ଼ବଡ଼େଇ ଯାଉଥିବାର ଦେଖାଦେଉଛି। ବଡ଼ ସମସ୍ୟା ହେଲା ଯେ ୯୯% ପିଲା ଗୁଡ଼ାଏ ପଇସା ଦେଇ କୋଚିଂ ସେଣ୍ଟରରେ ନାମ ଲେଖିଲେ ବି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଉନାହାନ୍ତି। ତଥାପି ପ୍ରତିବର୍ଷ ପ୍ରାୟ ୧୮ ଲକ୍ଷ ପିଲା କୋଚିଂ ପାଇଁ ନାମ ଲେଖାଉଛନ୍ତି, ସେଥିରୁ ୧୨ ଲକ୍ଷ ପରୀକ୍ଷା ଦେଉଛନ୍ତି ଓ ମାତ୍ର ୧୫ ହଜାର ପିଲା ମିଳିତ ପ୍ରବେଶିକା ପରୀକ୍ଷାରେ (ଜେଇଇ) କୃତକାର୍ଯ୍ୟ ହୋଇ ଘରୋଇ ଇଞ୍ଜିନିଅରିଂ କଲେଜରେ ନାଁ ଲେଖାଉଛନ୍ତି। ଏଥିରୁ ୮୦ ପ୍ରତିଶତ ପିଲା ପାଠ, ଗୁଣାତ୍ମକ ଶିକ୍ଷାଗ୍ରହଣ ଓ କର୍ମକ୍ଷେତ୍ରରେ ଅଯୋଗ୍ୟ।
ତଥାପି, ଭୟ ଓ ଭ୍ରମ ମଧ୍ୟରେ ଘାଣ୍ଟି ହେଉଥିବା ପିତାମାତା ବହୁଳ ବିଜ୍ଞାପିତ କୋଚିଂ ସେଣ୍ଟରମାନଙ୍କର ସହଜ-ଶିକାର ହେଉଥିବାର ଦେଖାଯାଉଛି। ମିଳିତ ପ୍ରବେଶିକା ପରୀକ୍ଷାରେ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଶହଶହ ପିଲାଙ୍କର ଫଟୋ ସମ୍ବଳିତ ବଡ଼ ବଡ଼ ହୋର୍ଡ଼ିଂ, ପୂରାପୃଷ୍ଠା ଖବରକାଗଜ ବିଜ୍ଞାପନ ଜାଲରେ ପଡୁଛନ୍ତି ମହତ୍ୱାକାଂକ୍ଷୀ ପରିବାର। ଆଜିକାଲି, ବିନା କୋଚିଂରେ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ଅସମ୍ଭବ ବୋଲି ମନେକରୁଛନ୍ତି ସମସ୍ତ ଆଶାୟୀ।
ପିଲାଏ ଏବେ ଦଶମ ଶ୍ରେଣୀ ପଢ଼ିଲା ବେଳୁ କୋଚିଂ ସେଣ୍ଟର ସହ ସମ୍ପର୍କରେ ରହୁଛନ୍ତି। ସେଠାରେ କୁଆଡ଼େ, ଏମିତି ପ୍ରଣାଳୀରେ ପାଠ ପଢ଼ା ଯାଉଛି, ଯେମିତି କି ଯୁକ୍ତ ଦୁଇ ପରୀକ୍ଷା ପରେ ମିଳିତ ପ୍ରବେଶିକା ପରୀକ୍ଷାରେ ସିଟ ମିଳିବା ନିଶ୍ଚିତ! ଫଳରେ ଦଶମ ପଢ଼ୁଆ ମାତ୍ର ଚଉଦ ବର୍ଷୀୟ କିଶୋର କିଶୋରୀଙ୍କ ହାତ ପାଆନ୍ତାରୁ ହଜି ଯାଉଛି ଖେଳକୁଦ, ନାଚଗୀତ କରିବାର ମନ। କିଛି ନୂଆ ସୃଷ୍ଟି କରିବାର ପୁଲକ ଓ ରୋମାଞ୍ଚ ବଳି ପଡୁଛି ସେମାନଙ୍କ ରଙ୍ଗୀନ ଭବିଷ୍ୟତ ଆଶା ଓ ନିଶାରେ। ଯେଉଁ ପିଲାଟି ହୁଏତ ଚିତ୍ରକର କିମ୍ବା ରସାୟନ ବିଜ୍ଞାନୀ ଭାବେ ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଥାଆନ୍ତା, ସେ କୈଶୋରରେ ଇଞ୍ଜିନିୟର କି ଡାକ୍ତରଟିଏ ହେବାପାଇଁ କୃଚ୍ଛ୍ର ସାଧନା କରୁଥିବାର ବିକଳଦୃଶ୍ୟ ବ୍ୟଥିତ କରେ ସମସ୍ତଙ୍କୁ। ଏମିତି ବି ହୁଏ ଯେ, ଆଇଆଇଟିରେ ନାଁ ଲେଖେଇଲେ ବି ମନମୁତାବକ ବିଷୟ ପଢ଼ିବାକୁ ସୁଯୋଗ ମିଳେନା। ମୋଟା ଦରମାର ଚାକିରୀ ସେମାନଙ୍କୁ ଆତ୍ମସନ୍ତୋଷ ଦେଇପାରେନା। ଏବେ, ଚିନ୍ତା କରନ୍ତୁ ତ! ଆମେ ଆମ ପିଲାଙ୍କ ପାଇଁ ଖୁସି ଦେଲେ ନା ଦୁଃଖ? ଅଭିଭାବକମାନେ ମନେରଖିବା ଦରକାର ଯେ କୋଚିଂ କ୍ଲାସ କେବେ ବି ସମାଧାନ ନଥିଲା କିମ୍ବା ହେବାର ବି ନାହିଁ। ସବୁ ପିଲାଙ୍କୁ ଇଞ୍ଜିନିୟର ଓ ଡାକ୍ତର କରିବାର ପାଗଳାମୀ ଅପେକ୍ଷା, ପିଲାଙ୍କ ରୁଚି ଓ ଆଗାମୀ ଭବିଷ୍ୟତର ପରିକଳ୍ପନା ଅନୁସାରେ ସେମାନେ ଶିକ୍ଷା ପାଇବାର ବ୍ୟବସ୍ଥା କରନ୍ତୁ। ନହେଲେ, ଇଞ୍ଜିନିୟର ଓ ଡାକ୍ତର ପୁଅଝିଅ ପାଠପଢ଼ା ସାରିବା ପରେ ସହକାରୀ ସେକ୍ସନ ଅଧିକାରୀ ଚାକିରୀ କରିବା ପାଇଁ ସଂଘର୍ଷ କରିବେ।
ପ୍ରବେଶିକା ପରୀକ୍ଷାର କୁହେଳି ମଧ୍ୟରେ କୋଚିଂ ସେଣ୍ଟରମାନେ ହଜାର ହଜାର କୋଟି ଟଙ୍କାର ବେପାର କରୁଛନ୍ତି। କୌତୁହଳର କଥା ଯେ କିଛି ବହୁଳ ବିଜ୍ଞାପିତ ତଥା କରିତକର୍ମା କୋଚିଂ ସେଣ୍ଟରମାନେ ନିଜସ୍ୱ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଆଗ୍ରହୀ ପିଲାଙ୍କୁ ଗ୍ରହଣ କରୁଛନ୍ତି! ଏଠାରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଉଥିବା ବାରବର୍ଷର ପିଲା ନାମ ମଧ୍ୟ ଲେଖାଉଛନ୍ତି। ଏହାକୁ ପାଗଳାମି କହିବାନି ତ ଆଉ କ'ଣ? ପିତାମାତା, ବିଶେଷ କରି ମଧ୍ୟମ ବର୍ଗର ପିତାମାତାଙ୍କୁ ଆମେ ସ୍କୁଲ ଶିକ୍ଷାର ମୂଳ ସଂସ୍କୃତିର ଧ୍ୱଂସସାଧନ ପାଇଁ ଦାୟୀ କରି ପାରିବା।
ପାଠକମାନଙ୍କୁ ମନେ ପକାଇ ଦିଏ ଯେ, ଏକଦା କୋଟା-ପଥର ଖଣି ପାଇଁ ପ୍ରସିଦ୍ଧି ଲାଭ କରିଥିବା ରାଜସ୍ଥାନର କୋଟା ସହର ଏବେ ପ୍ରଖ୍ୟାତ କୋଚିଂ ସେଣ୍ଟରର ପୂଣ୍ୟଭୂମି! ଏଠି ଛତୁ ଫୁଟିଲା ଭଳି କୋଚିଂ ଶିଳ୍ପ କାରଖାନା! ଶିଳ୍ପ କାରଖାନା ଯେଭଳି ପରିବେଶକୁ ପ୍ରଦୂଷିତ କରେ, ସେଭଳି କୋଚିଂ ସେଣ୍ଟର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଅନେକ ମାତ୍ରାରେ ପ୍ରଦୂଷିତ କରି ସାରିଲାଣି। ପ୍ରଦୂଷଣ ଜନିତ କ୍ଷତି ଆରମ୍ଭ ହୁଏ କିଶୋରାବସ୍ଥାରେ ଥିବା ଛାତ୍ରଙ୍କ ଉପରେ ପଡୁଥିବା ମାନସିକ ଚାପରୁ। ଏଥିରେ କୋଚିଂ ସେଣ୍ଟର ଅପେକ୍ଷା ଅଧିକ ଅବଦାନ ଥାଏ ପରିବାର ସଦସ୍ୟଙ୍କ ମହତ୍ଵକାଂକ୍ଷାର। ଆମେ ଏଠାରେ ମିଳୁଥିବା ପାଠ୍ୟ-ତାଲିମକୁ ଶିକ୍ଷା କହିପାରିବା କି? ପ୍ରବେଶିକା ପରୀକ୍ଷା ଯେଉଁଭଳି ପ୍ରକ୍ରିୟାରେ ହେବ ସେହି ଅନୁସାରେ ପିଲାଙ୍କୁ ପ୍ରସ୍ତୁତ କରି ପରୀକ୍ଷାରେ ଭଲ ଫଳ ପାଇବାକୁ ସେମାନେ ତାଲିମ ଦିଅନ୍ତି। ପିଲାଙ୍କ ମୌଳିକ କଳ୍ପନା ଶକ୍ତି କିମ୍ବା ଅପାର ସୃଜନଶୀଳତାର ବିକାଶ ହେଲେ ବା ନହେଲେ ସେମାନଙ୍କର ଯାଏଆସେ କେତେ? ପିଲାଏ ଯନ୍ତ୍ର ମାନବ ବା ରୋବଟ ଭଳି କେବଳ ପୂର୍ବ-ନିର୍ଦ୍ଦିଷ୍ଟ ପ୍ରଶ୍ନର ସଠିକ ଉତ୍ତର ଜାଣିଗଲେ ଯଥେଷ୍ଟ।
ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ) କରାଯାଇ ସର୍ବଭାରତୀୟ ସ୍ତରର ମେଡିକାଲ କଲେଜରେ ପଢ଼ିବାର ସୁଯୋଗ ଦିଆଯାଏ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୋଚିଂ ନନେଲେ ଜଣେ ମେଧାବୀ ଛାତ୍ର ଯେ ନିଟରେ ସଫଳତା ପାଇ ସରକାରୀ ମେଡିକାଲ କଲେଜରେ ସିଟ ପାଇଯିବ ତାହା କହିହେବନି। ବରଂ ସେହି ଅର୍ଥ ଖର୍ଚ୍ଚ କଲେ, ପିଲାଏ ଘରୋଇ ମେଡିକାଲ କଲେଜରୁ ଡାକ୍ତରୀ ପାସ କରିଯିବେ କିମ୍ବା କମ ଖର୍ଚ୍ଚରେ ୟୁକ୍ରେନ ଭଳି ଦେଶରେ ପଢ଼ି ପାରିବେ! ଆମ ଦେଶରେ ଥିବା ସ୍ୱଳ୍ପସଂଖ୍ୟକ ଡାକ୍ତରୀ ଶିକ୍ଷାନୁଷ୍ଠାନ, ପ୍ରବେଶିକା ପରୀକ୍ଷାରେ ଥିବା ଦୋଷ ତ୍ରୁଟି, ବ୍ୟୟବହୁଳ ଶିକ୍ଷା ଇତ୍ୟାଦି କାରଣରୁ ଉଚ୍ଚଶିକ୍ଷା ପାଇଁ ହଜାର ହଜାର ପିଲା ବିଦେଶକୁ ଯାଉଛନ୍ତି, ଏହା ସମସ୍ତେ ଜାଣୁଥିଲେ ବି ତ୍ରୁଟି ସୁଧାରିବାର ପ୍ରଚେଷ୍ଟା କରାଯାଉନି।
ପ୍ରତିବର୍ଷ ୧୬ ଲକ୍ଷ ପିଲା ନିଟ ପରୀକ୍ଷା ଦିଅନ୍ତି ଓ ସେଥିରୁ ୮ ଲକ୍ଷ ପିଲା ପାସ୍ କରନ୍ତି। ସମୁଦାୟ ୭୨୦ ମାର୍କରୁ ୬୦୦ରୁ ଅଧିକ ମାର୍କ ରଖିଥିବା ପିଲା ସରକାରୀ ମେଡିକାଲ କଲେଜରେ ନାମ ଲେଖାଇ ପାରନ୍ତି। ୪୫୦ରୁ ଅଧିକ ମାର୍କ ରଖିଥିଲେ ଓ ଚାନ୍ଦା ବା ଡୋନେସନ ଦେଲେ ଘରୋଇ କଲେଜରେ ସିଟ ମିଳିଯାଏ। ନିଟ ପରୀକ୍ଷାରେ ସମସ୍ତ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପଢ଼ିବା ପାଇଁ ସରକାରୀ କଲେଜରେ ସିଟ ନାହିଁ। ଗତ କିଛି ବର୍ଷ ମଧ୍ୟରେ ସିଟ ସଂଖ୍ୟା ୬୦ ହଜାରରୁ ବଢ଼ି ୮୦ ହଜାରରେ ପହଞ୍ଚିଛି ଓ ଚଳିତ ବର୍ଷ ଆଉ କୋଡ଼ିଏ ହଜାର ସିଟ ବଢ଼ିବାକୁ ଯାଉଛି ସତ, ମାତ୍ର ସରକାରୀ କଲେଜରେ ସିଟ ସଂଖ୍ୟା ମାତ୍ର ୪୨ ହଜାର ରହିଲେ, ଡାକ୍ତରୀ ଶିକ୍ଷା ମହାଙ୍ଗା ହେବାକୁ ବାଧ୍ୟ। କାରଣ, ସରକାରୀ କଲେଜରେ ଟିଉସନ ଫି ମାତ୍ର ୫ ଲକ୍ଷ ହୋଇଥିଲା ବେଳେ ଘରୋଇ କଲେଜରେ ୭୦ ଲକ୍ଷ! ସେଇଥିପାଇଁ, ୟୁକ୍ରେନ, ଉଜବେକିସ୍ତାନ, କାଜାଖସ୍ତାନ, ଚୀନ ଓ ରୁଷିଆ ଆଦି ଦେଶକୁ ଡାକ୍ତରୀ ଡିଗ୍ରୀ ପାଇବା ଲୋଭରେ ଆମ ପିଲାଏ ପଳାଉଛନ୍ତି। ଏମାନେ, ମଧ୍ୟ କୋଚିଂ ସେଣ୍ଟର ଯାଆନ୍ତି ଓ ଜେଇଇ, ନିଟ ପରୀକ୍ଷା ଦିଅନ୍ତି। ପିତାମାତାଙ୍କ ଜିଦ ଯେ, ଯାହା ବି ହେଉ, ପିଲାଙ୍କୁ ଇଞ୍ଜିନିୟର ଓ ଡାକ୍ତର କରିବେ। ଏଥିରେ ପିଲାଙ୍କ ଇଚ୍ଛା କିମ୍ବା ଅନିଚ୍ଛା ଗୌଣ। ପ୍ରଚୁର ଅର୍ଥ ଖର୍ଚ୍ଚକରି ଜଣକୁ ଡାକ୍ତର କରାଯାଇପାରେ, କିନ୍ତୁ ସେ ଯେ ରୋଗ ଚିହ୍ନି ଠିକ ଚିକିତ୍ସା କରିପାରିବେ, ସେ ଭଳି ଗ୍ୟାରେଣ୍ଟି ଅବା ଦେବେ କିଏ? ଏହି ଧନୀ, ସ୍ୱଚ୍ଛଳ ବର୍ଗର ପିଲାଙ୍କ କୋଚିଂ ସେଣ୍ଟର ପ୍ରୀତି କାରଣରୁ, ଏବେ ଗରିବଠାରୁ ମଧ୍ୟବିତ୍ତ ଯାଏଁ ସମସ୍ତେ କରୋନାଠାରୁ ଅଧିକ ଭୟାବହ ‘କୋଚିଂ ସେଣ୍ଟର’ ଭୂତାଣୁ ସଂକ୍ରମିତ!
ଏଥିପାଇଁ ଆମର ପ୍ରତିଷ୍ଠିତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ଆସନ ସଂଖ୍ୟାକୁ ଦୁଇରୁ ତିନିଗୁଣ ବଢାଇବାକୁ ପଡ଼ିବ। ନୂଆ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ସହ କୌଣସି କାରଣରୁ ବନ୍ଦ ହୋଇ ଯାଇଥିବା ଘରୋଇ କଲେଜକୁ ସରକାର ନିଜେ କିମ୍ବା ମୂଳ ପ୍ରତିଷ୍ଠାତାଙ୍କ ସହ ମିଶି ଭିତ୍ତିଭୂମିକୁ ବ୍ୟବହାର କରି ପୁଣିଥରେ ଚଳେଇବାକୁ ପଡ଼ିବ। ଏଥିସହ ଗୁଣାତ୍ମକ ଶିକ୍ଷାପ୍ରଦାନକୁ ପ୍ରାଧାନ୍ୟ ଦେବାକୁ ହେବ। ଯେଉଁ ବିଷୟରେ ଶିକ୍ଷା ଦିଆଗଲେ ଦେଶ ବିଦେଶରେ ଆମର ଯୁବବର୍ଗ ଭବିଷ୍ୟତରେ ଅଧିକ ନିଯୁକ୍ତି ପାଇବେ, ସେହିସବୁ ବିଷୟରେ ସିଟ ସଂଖ୍ୟା ବଢ଼ାଇବାକୁ ପଡ଼ିବ। ଛାତ୍ରଙ୍କୁ ନିକଟସ୍ଥ ଶିଳ୍ପସଂସ୍ଥା ଓ ଡାକ୍ତରଖାନା ପରିଦର୍ଶନ କରି ପ୍ରୟୋଗାତ୍ମକ ଅଭ୍ୟାସ କରିବାର ସୁଯୋଗ ମିଳିଲେ ଛାତ୍ରମାନେ ଆତ୍ମବିଶ୍ୱାସ ପାଇବେ, ପାଠ ପ୍ରତି ଆଗ୍ରହୀ ହେବେ ଏବଂ ନୂଆ କିଛି କରିବାର ପରିକଳ୍ପନା ମଧ୍ୟ କରିପାରିବେ। ସରକାରଙ୍କଠାରୁ ଜମି ନେଇ ପ୍ରତିଷ୍ଠା ହୋଇଥିବା ବଡ଼ବଡ଼ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲରେ ମେଡିକାଲ କଲେଜ ଓ ବୃହତ ଶିଳ୍ପୋଦ୍ୟୋଗମାନଙ୍କରେ ଇଞ୍ଜିନିୟରିଂ କଲେଜ ପିଲାମାନେ ଅଭ୍ୟାସ କରିବା ବ୍ୟବସ୍ଥା କଲେ କମ ଖର୍ଚ୍ଚରେ ଗୁଣାତ୍ମକ ଶିକ୍ଷା ଦିଆଯାଇ ପାରିବ, ଯାହା ଆଜିର ଆବଶ୍ୟକତା। ସବୁଠୁ ବଡ଼କଥା ହେବ ଯେ, ଆମୂଳଚୂଳ ପାଠ୍ୟପୁସ୍ତକ ପଢ଼ୁଥିବା ମେଧାବୀମାନେ କିପରି କୋଚିଂ ସେଣ୍ଟର ନଯାଇ ଜେଇଇ ଓ ନିଟ ସମେତ ଅନ୍ୟାନ୍ୟ ପରୀକ୍ଷାରେ ଭଲକରିବେ, ସେଥିପାଇଁ ପରୀକ୍ଷା ନିୟମ ଓ ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ହେବ। ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଓ ପ୍ରବେଶିକା ପରୀକ୍ଷା ଫଳକୁ ନାମ ଲେଖେଇବାର ମାପକାଠି କରିବାକୁ ହେବ। ସ୍କୁଲ ପକ୍ଷରୁ ପିଲା ଓ ସେମାନଙ୍କ ମାତାପିତାଙ୍କୁ ଡକାଇ ପିଲା କ'ଣ ପଢ଼ିଲେ ଭଲ, ସେହି ପରାମର୍ଶ ଆବଶ୍ୟକ। ପିଲାର ବୌଦ୍ଧିକ ବିକାଶରେ କେହି ବି ଅନ୍ତରାୟ ନହୁଅନ୍ତୁ।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭