ସବୁଠାରୁ ଖରାପ ସମୟ ଆସୁଛି!

ଜାନକୀଶ ବଡ଼ପଣ୍ଡା

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଚେତାବନୀ ଦେଇ କହି ସାରିଲାଣି ଯେ ଏପର୍ଯ୍ୟନ୍ତ ଆମେ ଦେଖିଥିବା ବିଶ୍ୱ ଅର୍ଥନୀତି ପାଇଁ ଖରାପ ସମୟ ଅପେକ୍ଷା ‘ସବୁଠାରୁ ଖରାପ ସମୟ’ ଆସିବ। ଇତିମଧ୍ୟରେ ଆଇଏମଏଫ ୨୦୨୩ ପାଇଁ ଏହାର ଅଭିବୃଦ୍ଧି ଆକଳନକୁ କମାଇ ସାରିଛନ୍ତି ଏବଂ ସତର୍କ କରି ଦେଇଛନ୍ତି ଯେ ସୁଧ ହାର ବୃଦ୍ଧି ଏକ ବିଶ୍ୱସ୍ତରୀୟ ଆର୍ଥିକ ମାନ୍ଦାବସ୍ଥାକୁ ପ୍ରୋତ୍ସାହନ ଦେବାକୁ ଯାଉଛି। ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ପି. ଅଲିଭିଆର ଗୋରିଞ୍ଚାସ କହିଛନ୍ତି, “ବିପଦ ଉପରେ ବିପଦ ଗଦେଇ ହୋଇ ଚାଲିଛି। ବିଶ୍ୱ ଅର୍ଥନୀତି ‘ଗଭୀର ସମୁଦ୍ରରେ ଝଡ଼ତୋଫାନ’ ଭଳି ଆଗକୁ ବଢୁଛି।”

ଆସନ୍ତା ବର୍ଷ ପାଇଁ ଆଇଏମଏଫ ପକ୍ଷରୁ ବିଶ୍ୱ-ଅଭିବୃଦ୍ଧି ଆକଳନକୁ ହ୍ରାସ କରାଯାଇ ସାରିଛି ଏବଂ ଯଦି ଅର୍ଥନୀତି ନିର୍ଣ୍ଣୟକାରୀମାନେ ମୁଦ୍ରାସ୍ଫୀତି ବିରୋଧରେ ଲଢ଼େଇ ଜାରି ରଖିଚାଲିବେ ତେବେ ହୁଏତ କିଛି ଉନ୍ନତି ଆସିପାରେ; ନତୁବା ବିଶ୍ୱବ୍ୟାପୀ ‘ଘୋର ମାନ୍ଦାବସ୍ଥା’ ଆସିବା ପ୍ରାୟ ନିଶ୍ଚିତ। ଆଇଏମଏଫ ପକ୍ଷରୁ ଅର୍ଥନୈତିକ ପରିସ୍ଥିତି ଉପରେ ପ୍ରକାଶ ପାଉଥିବା ବିବରଣୀରେ’ଘୋର ମାନ୍ଦାବସ୍ଥା’ କେତେ ଗମ୍ଭୀର ହେବ, ତାହାର ମୂଲ୍ୟାଙ୍କନ କରାଯାଇଛି। ବିଶ୍ଵବ୍ୟାଙ୍କ ଓ ଆଇଏମଏଫର ବାର୍ଷିକ ବୈଠକରେ ଯୋଗଦେବା ପାଇଁ ବିଶ୍ଵର ସର୍ବୋଚ୍ଚ ଆର୍ଥିକ ପ୍ରଶାସକମାନେ ୱାଶିଂଟନ୍ ଗସ୍ତ କରିଥିବା ସମୟରେ ଏହା ପ୍ରକାଶିତ ହୋଇଥିଲା। ଏଥିରେ ଆଇଏମଏଫ ପକ୍ଷରୁ କ୍ରମାଗତ ଯୋଗାଣ ଶୃଙ୍ଖଳା ବ୍ୟାଘାତ ଏବଂ ୟୁକ୍ରେନ-ରୁଷ ଯୁଦ୍ଧ ଫଳରେ ବର୍ଷକ ମଧ୍ୟରେ ଖାଦ୍ୟଶସ୍ୟ ଏବଂ ତୈଳମୂଲ୍ୟ ବୃଦ୍ଧି ଘଟିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଭଳି ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କମାନଙ୍କୁ ସେମାନଙ୍କ ଅର୍ଥନୀତିକୁ ସୁଧାରିବା ପାଇଁ ସୁଧହାର ବୃଦ୍ଧି କରିବାକୁ ବାଧ୍ୟ କରିଛି ବୋଲି ଉଲ୍ଲେଖ ରହିଛି। ସଂକ୍ଷେପରେ କହିଲେ, ସବୁଠାରୁ ଖରାପ ଅବସ୍ଥା ଏପର୍ଯ୍ୟନ୍ତ ଆସି ନାହିଁ ଏବଂ ଅନେକଙ୍କ ପାଇଁ ୨୦୨୩ ମସିହାର ସ୍ଥିତି ଗମ୍ଭୀର ମାନ୍ଦାବସ୍ଥା ଭଳି ଅନୁଭୂତ ହେବବୋଲି ରିପୋର୍ଟରେ କୁହାଯାଇଛି।

ଆଇଏମଏଫ ପକ୍ଷରୁ ଏହାର ସଦ୍ୟତମ ପୂର୍ବାନୁମାନରେ ମଧ୍ୟ କୁହାଯାଇଛି ଯେ ବିଶ୍ୱ ଅର୍ଥନୀତି ଚଳିତ ବର୍ଷ ଅର୍ଥାତ ୨୦୨୨ରେ ୩.୨ ପ୍ରତିଶତ ବୃଦ୍ଧି ପାଇଲେ ମଧ୍ୟ ଆସନ୍ତା ୨୦୨୩ ବର୍ଷରେ ୨.୭ ପ୍ରତିଶତକୁ ହ୍ରାସ ପାଇବ। ଏହା ପୂର୍ବ ଆକଳନଠାରୁ ସାମାନ୍ୟ କମ୍ ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ, ୨୦୨୨ ମସିହାରେ ୪.୪ ପ୍ରତିଶତ ଏବଂ ୨୦୨୩ରେ ୩.୮ ପ୍ରତିଶତ ବିଶ୍ୱସ୍ତରୀୟ ଅଭିବୃଦ୍ଧିର ପୂର୍ବାନୁମାନ କରିଥିବା ଆଇଏମଏଫ ଗତ କିଛି ମାସ ମଧ୍ୟରେ ନିଜର ଆକଳନ କିପରି ବଦଳାଇବାକୁ ବାଧ୍ୟ ହୋଇଛି ତାହା ଅନୁଧ୍ୟାନ କଲେ ସମଗ୍ର ବିଶ୍ୱର ଅନ୍ଧକାରମୟ ଆର୍ଥିକ ସ୍ଥିତିର ଝଲକ ମିଳିଯିବ ଯାହାର ଗମ୍ଭୀରତା ଅତି ବିକଟ। ଆଇଏମଏଫର ଏକ ସଦ୍ୟ ଆକଳନ ଅନୁସାରେ, ୨୦୨୩ରେ ଭାରତର ଅଭିବୃଦ୍ଧି ହାର ବିଶ୍ୱର ସମସ୍ତ ବୃହତ ଓ ବିକଶିତ ଦେଶକୁ ପଛରେ ପକାଇଦେବ। ଆସନ୍ତା ବର୍ଷ ଆମେରିକାର ଅଭିବୃଦ୍ଧି ହାର ୧ ପ୍ରତିଶତ ଓ ରୁଷର ବିଯୁକ୍ତ ୨.୩ ପ୍ରତିଶତ ରହିଲା ବେଳେ ଭାରତର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ ଯାହା ସବୁଠୁ ଅଧିକ। ଭାରତ ତଳକୁ ଚୀନର ଅଭିବୃଦ୍ଧି ରହିବ ୪.୪ ପ୍ରତିଶତ। ଆଇଏମଏଫର ଏହି  ଆକଳନ ଅନୁସାରେ ୨୦୨୩ରେ ବିଶ୍ୱ ଅର୍ଥନୀତି ସଂକଟଜନକ ରହିବ ଓ ମୁଦ୍ରାସ୍ଫୀତି ହାର ୯.୫ ପ୍ରତିଶତ ରହିବ। ଅର୍ଥନୀତିର ନିୟମ ଅନୁଯାୟୀ, ସର୍ବାଧିକ ମୁଦ୍ରାସ୍ଫୀତି ହାର ୨ଠାରୁ  ୬ ପ୍ରତିଶତ ମଧ୍ୟରେ ରହିବା ଉଚିତ।

ଚଳିତ ବର୍ଷ ଶେଷଆଡ଼କୁ ମୁଦ୍ରାସ୍ଫୀତି ହାର ସର୍ବାଧିକ ବୃଦ୍ଧି ପାଇବ ଏବଂ  ୮.୮୦ ପ୍ରତିଶତରେ ପହଞ୍ଚିଯିବ। ଏହା ପରେ ୨୦୨୩ରେ କ୍ରମଶଃ ୬.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୋରିଞ୍ଚାସ କହିଛନ୍ତି ଯେ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇ ସାରିଛି। ଏହିଭଳି ଉତଥାନ ଓ ପତନ ମଧ୍ୟରେ ବିଶ୍ୱର ଏକ ତୃତୀୟାଂଶ ରାଷ୍ଟ୍ରଙ୍କ ଅର୍ଥନୀତି ଭୁଷୁଡ଼ି ଯାଇପାରେ ଓ ସେଠାରେ ବୈଷୟିକ ମାନ୍ଦାବସ୍ଥା ଆସିବାର ଆଶଙ୍କା କରାଯାଇପାରେ। କ୍ରମାଗତ ଭାବେ ଦୁଇଟି ତ୍ରୈମାସିକରେ ଅର୍ଥନୀତି ନିମ୍ନଗାମୀ ରହୁଥିଲେ ଏହାକୁ ବୈଷୟିକ ମାନ୍ଦାବସ୍ଥା କୁହାଯାଏ।

ଯୁକ୍ତରାଷ୍ଟ୍ର ଆମେରିକାର ଅନେକ କର୍ପୋରେଟ୍ ସଂସ୍ଥା କ୍ରମଶଃ ଅବନତି ଆଡ଼କୁ ଆଗେଇ ଚାଲିଥିବାର ଦେଖାଯାଉଛି। ଅର୍ଥନୀତିଜ୍ଞମାନେ ତଥା ଅର୍ଥନୀତି ବିଶ୍ଲେଷକମାନେ ଭବିଷ୍ୟବାଣୀ କଲେଣି ଯେ ଆଗାମୀ ୬ରୁ ୯ ମାସ ମଧ୍ୟରେ ଆମେରିକା ଏକ ଭୟଙ୍କର ମାନ୍ଦାବସ୍ଥାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଆଇଏମଏଫ ପକ୍ଷରୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ରାଷ୍ଟ୍ର  ଏବଂ ଚୀନ ଭଳି ବିକଶିତ ରାଷ୍ଟ୍ରରେ ଅର୍ଥନୀତିର ବେଗ ମନ୍ଥର ହୋଇଯିବା ଫଳରେ କିପରି ସାରା ବିଶ୍ୱରେ ଏହାର ପ୍ରଭାବ ପଡ଼ିଛି, ତାହାର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ଯୁକ୍ତରାଷ୍ଟ୍ରରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ଏହା ଉପରେ ଲଗାମ କଷିବାକୁ ବଢ଼ାଯାଉଥିବା ସୁଧ ହାର କାରଣରୁ ଗ୍ରାହକଙ୍କ ହାତରେ ବଳକା ଅର୍ଥ ନରହିବାରୁ ଖର୍ଚ୍ଚଶକ୍ତି ହ୍ରାସ ଘଟିଛି। ଋଣ ଉପରେ ସୁଧହାର ବଢୁଥିବାରୁ ଗୃହ ନିର୍ମାଣ କ୍ଷେତ୍ରରେ ମନ୍ଥରତା ଦେଖା ଯାଇଛି। ଉର୍ଜା ପାଇଁ ୟୁରୋପୀୟ ରାଷ୍ଟ୍ରମାନେ ରୁଷ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇ ଆସିଥିବାରୁ ପେଟ୍ରୋଲିୟମ ତୈଳ ଓ ଗ୍ୟାସ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟୁଛି। ଚୀନରେ କରୋନା ଭୁତାଣୁ  ସଂକ୍ରମଣ ରୋକିବା ପାଇଁ ଜାରି ରହିଥିବା ତାଲାବନ୍ଦ କାରଣରୁ ଏହାର ଅର୍ଥନୀତି ଉପରେ ମାଡ଼ ପଡ଼ିଛି। ଏହି ଯୁଦ୍ଧରେ ମାନବିକ ଦୁଃଖ କ୍ଳେଶ ବଢିଛି। ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା ଦେଶମାନଙ୍କୁ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ବିକଶିତ ଓ ଭାରତ ପରି  କିଛି ବିକାଶଶୀଳ ଦେଶ ଚାପରେ ରହୁଛନ୍ତି। କ୍ଷତିଗ୍ରସ୍ତ ଦେଶମାନଙ୍କ ପାଇଁ ଋଣ ପରିଶୋଧ ଉପରେ ଏମାନେ ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି।

ଯେଉଁ କିଛି ଦେଶ କୋଭିଡ ମହାମାରୀରୁ ମୁକ୍ତି ପାଇଲା ବେଳକୁ ଦୁର୍ବଳ ହୋଇଯାଇଥିଲେ ଏବଂ ଉଚ୍ଚ ଋଣ ଭାରରେ ଭାରାକ୍ରାନ୍ତ ଥିଲେ, ସେମାନଙ୍କ ଅର୍ଥବ୍ୟବସ୍ଥାରେ ଉନ୍ନତି ବଦଳରେ ମନ୍ଥରତା ସୃଷ୍ଟି ହୋଇଛି। ସେମାନଙ୍କ ବଜାର ବ୍ୟବସ୍ଥା ଚାପଗ୍ରସ୍ତ। ବର୍ଦ୍ଧିତ ବ୍ୟାଙ୍କ ସୁଧ ହାର, ଖାଦ୍ୟ ମୂଲ୍ୟ ବୃଦ୍ଧି ଏବଂ ରପ୍ତାନି ଚାହିଦା ହ୍ରାସ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଛି। ଆଫ୍ରିକା ଭଳି ସ୍ଥାନରେ ଟୀକାକରଣ ହାର ନଗଣ୍ୟ ରହିଥିବାରୁ କୋଭିଡ ମହାମାରୀର ପ୍ରଭାବ ସେଠାରେ ସ୍ଥାୟୀଭାବେ ରହି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହୁଛି। ଏଥିରେ ଗରିବ ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ମନେହେଉଛି, ଆମେ ସତେ ଯେମିତି ସଙ୍କଟକୁ କାନ୍ଧରେ ବୋହି ବିକାଶ ରାସ୍ତାରେ ଯାଉଛୁ । ଉଭୟ  ଧନୀ ଏବଂ ଗରିବ ଦେଶମାନଙ୍କରେ ଏହି ଯନ୍ତ୍ରଣା ବଢୁଛି ତାହା ସହିତ ସରକାରମାନେ ଏହାକୁ ହ୍ରାସ କରିବାକୁ ଚାପରେ ରହିଛନ୍ତି। ଅନେକ ରାଷ୍ଟ୍ରରେ ସରକାର ବଦଳି ଗଲେଣି। ରିଜର୍ଭ ବ୍ୟାଙ୍କମାନେ ସୁଧ ହାର। ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି। ତଥାପି, ମୁଦ୍ରାସ୍ଫୀତି ମୁକାବିଲା ପାଇଁ ଏତେସବୁ ଉଦ୍ୟମ ପରେ ବି ଯୁଦ୍ଧର ବିଭୀଷିକା ବୋଝ ଉପରେ ନଳିତା ବିଡା ଭଳି ଉଭା ହୋଇଛି।  ଫଳରେ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ କ୍ରୟ ଅଧିକ ବ୍ୟୟବହୁଳ ହେଉଛି। ଏଭଳି ପରିସ୍ଥିତିରେ କୌଣସି ଦେଶର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଏପରି କିଛି ଆର୍ଥିକ ନୀତି ପ୍ରଣୟନ ନକରିବାକୁ ଆଇଏମଏଫ ଚେତାବନୀ ଦେଇଛନ୍ତି। ଯାହାଫଳରେ, ମୁଦ୍ରାସ୍ଫୀତି ଆହୁରି ଅଧିକ ଖରାପ ହେବ ନାହିଁ।

ସୁଧ ହାର ବୃଦ୍ଧି କାରଣରୁ ବ୍ୟାଙ୍କ୍ରୁ ଆସୁଥିବା କାର୍ଯ୍ୟକାରୀ ଋଣ ମାହାଙ୍ଗା ହୋଇଛି। ଯାହାଫଳରେ ଉଦ୍ୟୋଗଗୁଡ଼ିକ କଞ୍ଚାମାଲ କିଣିପାରୁ ନାହାନ୍ତି ଓ ଉତ୍ପାଦନ କମିଯାଉଛି। ଖାଦ୍ୟ ମୂଲ୍ୟରେ ବୃଦ୍ଧି ଏବଂ ରପ୍ତାନି ଚାହିଦା ହ୍ରାସ ଫଳରେ ପ୍ରାୟ ପ୍ରତ୍ୟେକ ଦେଶରେ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର କମି ଚାଲିଛି। ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଛନ୍ତି। ଆମେରିକୀୟ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟ କିଛିଦିନ ତଳେ ପ୍ରାୟ ଏକ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିଛି। ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏଭଳି ନିଷ୍ପତ୍ତି ନେଇଛି ମାଇକ୍ରୋସଫ୍ଟ। ବୈଶ୍ଵିକ ମାନ୍ଦାବସ୍ଥା କାରଣରୁ ‘ମେଟା’ ମଧ୍ୟ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ୨୦୨୩ ନଆସୁଣୁ ଆର୍ଥିକ ମାନ୍ଦାବସ୍ଥାର ତାଣ୍ଡବ ନୃତ୍ୟ ସମସ୍ତ ଅର୍ଥଶାସ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଆସନ୍ତା ବର୍ଷ ଭାରତରେ ମୁଦ୍ରାସ୍ଫୀତି ୬%ରୁ କମ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଚେଷ୍ଟା ଚଳାଇଛି। ତେବେ, ଆକଳନ ଓ ସମ୍ଭାବନାକୁ ପରାହତ  କରି ଆଗାମୀ ବର୍ଷ ଯେ ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ବୈଶ୍ଵିକ ମାନ୍ଦାବସ୍ଥାର ଗଣ୍ଡ ଭିତରକୁ ଟାଣି ହୋଇ ନଯିବ, ଏହା ଆଜିଠୁ କହିବା କଷ୍ଟକର।

ଆଇଏମଏଫର ଆକଳନ ଅନୁସାରେ ୨୦୨୩ରେ ଭାରତର ଅଭିବୃଦ୍ଧି ହାର ଯଦି ବିଶ୍ୱର ସମସ୍ତ ବୃହତ ଓ ବିକଶିତ ଦେଶକୁ ପଛରେ ପକାଇଦେବ ତଥାପି ସବୁଠୁ ଉଦବେଗର ବିଷୟ ହେବ ଆଗାମୀ ଦିନରେ ଆମ ଦେଶରେ ଖାଦ୍ୟ ସଙ୍କଟ। ଏବେ ବିଶ୍ୱର ଜନସଂଖ୍ୟା ପ୍ରାୟ ୮୦୦ କୋଟି ଛୁଇଁଲାଣି। ଆଗାମୀ ୪୦ ବର୍ଷରେ ଆମ ଦେଶର ଜନସଂଖ୍ୟା ୧୪୦ କୋଟିରୁ ବଢ଼ି ୧୭୦ କୋଟିରେ ପହଞ୍ଚିଥିବା ନିଶ୍ଚିତ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ପ୍ରାୟ ୮୦ ପ୍ରତିଶତ ଲୋକଙ୍କୁ ଖାଦ୍ୟଶସ୍ୟ ମାଗଣା ପ୍ରାୟ ଯୋଗାଇ ଦେବା ସତ୍ତ୍ୱେ ଅପପୁଷ୍ଟ ଲୋକଙ୍କ ସଂଖ୍ୟା ଏତେ ଅଧିକ ଯେ ଭାରତର ସ୍ଥାନ ୧୦୯ତମ ସ୍ଥାନରେ। ଏତେ ବିଶାଳ ସଂଖ୍ୟକ ଲୋକଙ୍କୁ ଦୈନିକ ପୁଷ୍ଟିକର ଆହାର ଯୋଗାଇଦେବା ଏକ ଆହ୍ୱାନ। ଜନସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଖାଦ୍ୟ ଶସ୍ୟ ଉତ୍ପାଦନ ନବଢ଼ିଲେ, ଦେଶରେ ଅନାହାର ଓ ଅପପୁଷ୍ଟି ସମସ୍ୟା  ଉତ୍କଟ ହେବ।  ଏହାର ବିଶ୍ଵବ୍ୟାପୀ ପ୍ରତିକ୍ରିୟା ସୃଷ୍ଟିହେବା ମଧ୍ୟ ନିଶ୍ଚିତ। ଏବେ କୃଷି କ୍ଷେତ୍ରର ପରିମାଣ କମି ଚାଲିଛି, ରାସାୟନିକ ସାର, କୀଟନାଶକ ଇତ୍ୟାଦିର ମୂଲ୍ୟ  ଓ ମଜୁରୀ ଦର ମଧ୍ୟ ବଢ଼ି ଚାଲିଛି। ଏଭଳି ସମୟରେ, ଆମକୁ ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ାଇବାକୁ ପଡ଼ିବ, ଉତ୍ପନ୍ନ ଶସ୍ୟକୁ ସାଇତିବାକୁ ପଡ଼ିବ ଓ ଥାଳିରୁ ଗୋଟିଏ ବି ଦାନା ଯେପରି ନଷ୍ଟ ନହୁଏ, ତାହା ଦେଖିବାକୁ ପଡ଼ିବ। କ୍ଷେତରୁ ଅମଳ ହୋଇଥିବା ଶସ୍ୟ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ନଷ୍ଟ ହୋଇଯାଇ ଅବଶିଷ୍ଟ ଆମ ଖାଇବା ଥାଳିକୁ ଆସିଥାଏ। ଧନୀକ ଶ୍ରେଣୀର ଦେଶ ଓ ଲୋକମାନେ, ଏପରିକି ଗରିବ ଲୋକମାନେ ମଧ୍ୟ ନିଜର ସଚେତନତା ଅଭାବରୁ ଖାଦ୍ୟ ନଷ୍ଟ କରି ଥାଆନ୍ତି। ଭାରତବାସୀ ଏହି ଦିଗରେ ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ବଢ଼ିଛି।

ଫୋ- ୯୪୩୮୨୯୯୦୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।