ଦେବ ରଞ୍ଜନ
ଗଲା ମେ’ ମାସ ସାତ ତାରିଖରୁ ବାର ତାରିଖ ମଧ୍ୟରେ କୌଣସି ଗୋଟିଏ ଦିନର କଥା। ବଙ୍ଗୋପସାଗରର ଗଭୀର ଜଳରାଶି ମଧ୍ୟରେ ଚାଳିଶ ଜଣ ରୋହିଙ୍ଗିଆଙ୍କୁ ଜବରଦସ୍ତି ଭାରତୀୟ ନୌସେନାର ବୋଟରୁ ଓହ୍ଲାଇ ଦିଆଗଲା। ପରିସ୍ଥିତି ଏପରି ସୃଷ୍ଟି କରାଗଲା ଯଦି ‘ଭାଗ୍ୟ’ ସେମାନଙ୍କର ଜୋର ଥିବ ତେବେ ସେମାନେ ମିଆଁମାର କୂଳରେ ପହଞ୍ଚିବେ ନଚେତ ସେହି ସମୁଦ୍ର ମଧ୍ୟରେ ହଜିଯିବେ। ସେହି ୪୦ ରୋହିଙ୍ଗିଆଙ୍କ ମଧ୍ୟରେ ଥିଲେ ବେଶ କିଛି ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଜଣେ କ୍ୟାନସର ରୋଗୀ। ସେମାନଙ୍କ ଦେହରେ କେବଳ ଥିଲା ଗୋଟିଏ ଗୋଟିଏ ଲାଇଫ ଜାକେଟ। ଏହି ଖବର ବେଶ ବିଳମ୍ବରେ ଲୋକ ଲୋଚନକୁ ଆସିଥିଲା, ତାହା ପୁଣି ‘ମକତୁବ ମିଡିଆ’ ଓ ଇଂରାଜୀ ୱେବ ପତ୍ରିକା ‘ସ୍କ୍ରଲ’ ହେତୁ। ସେବେଠାରୁ ମୁଁ ମୋ ନିଜକୁ ପଚାରୁଛି, ‘ସରକାର ନାମକ ଅନୁଷ୍ଠାନଟି କ’ଣ? ଏହା ଗୋଡ଼ି ପଥର? ନା ଏକ ଗ୍ୟାସ ଚ୍ୟାମ୍ବର? ଏକ ଗିଲୋଟିନ?’
‘ହାତରେ ବେଡ଼ି ଓ ମୁହଁରେ କଳା କପଡ଼ା’
ଏହି ଘଟଣା ଘଟିଥିଲା ପହଲଗାମ ଆତଙ୍କବଦୀ ଆକ୍ରମଣର କିଛି ଦିନ ପରେ। ଦେଶବ୍ୟାପୀ ଗଣମାଧ୍ୟମର ଚିତ୍କାର ଯେ ଏବେ ‘ଅନୁପ୍ରବେଶକାରୀ’, ‘ଘୁଶପୈଠିଆଁ’ ଓ ‘ବାଙ୍ଗଲାଦେଶୀ’ଙ୍କ ନିସ୍ତାର ନାହିଁ। ମେ ୬ ଓ ୭ ତାରିଖରେ ଦିଲ୍ଲୀର ପାଞ୍ଚଟି ବସ୍ତିରେ ରହିଥିବା ଓ ଦିନମଜୁରୀ କାମ କରିଚଳୁଥିବା ୪୩ ଜଣ ରୋହିଙ୍ଗିଆଙ୍କୁ ସେମାନଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ ନଥିବା କାରଣରୁ ଦିଲ୍ଲୀ ପୋଲିସ ଦ୍ଵାରା ଅଟକ ରଖାଯାଇଥିଲା। ସେମାନଙ୍କର ‘ବାୟୋମେଟ୍ରିକ ପରୀକ୍ଷା କରାଯିବ ଓ ପରେ ଛାଡ଼ି ଦିଆଯିବ’ର ପ୍ରତିଶୃତି ଦେଇ କିନ୍ତୁ ସେମାନଙ୍କୁ ପ୍ରଥମେ ଅଣାଯାଇଥିଲା ଆଣ୍ଡାମନ ନିକୋବରର ପୋର୍ଟବ୍ଲେୟାର। ସେଠାରେ ସେମାନଙ୍କ ହାତରେ ବେଡ଼ି ଓ ମୁହଁରେ କଳା କପଡ଼ା ଗୁଡ଼ାଇ ନୌସେନାର ବୋଟରେ ବସାଇ ଦିଆଯାଇଥିଲା।
ରୋହିଙ୍ଗିଆମାନଙ୍କୁ କୁହାଯାଇଥିଲା ଯେ ସେମାନଙ୍କୁ ଇଣ୍ଡୋନେସିଆରେ ଛାଡ଼ି ଦିଆଯିବ। ପ୍ରକୃତରେ କିନ୍ତୁ ସେମାନଙ୍କୁ ଛାଡ଼ି ଦିଆଗଲା ଦକ୍ଷିଣ ମିଆଁମାର ନିକଟବର୍ତ୍ତୀ ବଙ୍ଗୋପସାଗରରେ। ମିଆଁମାରର ମିଲିଟାରୀ ଶାସକ ଦ୍ଵାରା ଚାଲିଥିବା ରୋହିଙ୍ଗିଆ ବିରୋଧୀ ଗଣହତ୍ୟା ଓ ରୋହିଙ୍ଗିଆଙ୍କୁ ସଂପୂର୍ଣ୍ଣ ନିର୍ମୂଳ କରିବାର ଯୋଜନାରେ ଅତିଷ୍ଠ ହୋଇ ଦିନେ ଦେଶ ଛାଡ଼ିଥିବା ରୋହିଙ୍ଗିଆଙ୍କୁ ପୁଣି ସେହି ସ୍ଥାନ ନିକଟରେ ଭାରତ ସରକାରଙ୍କ ନୌବାହୀନୀ ଓ ଦିଲ୍ଲୀ ପୋଲିସ ଦ୍ଵାରା ଛାଡ଼ି ଦିଆଗଲା।
ରୋହିଙ୍ଗିଆମାନେ ନିଜ ଦେଶ ମିଆଁମାରରେ କୌଣସି ଅପରାଧ କରିଛାଡ଼ିନଥିଲେ, ଯେମିତି ଆଜି ଦେଶର ଅନେକ ବିଲିଓନେୟାର ପଳାତକ ବିଦେଶରେ ଅଛନ୍ତି। ଏପରକି ସେମାନେ କାମର ଅନ୍ଵେଷଣରେ ମଧ୍ୟ ନିଜ ଦେଶ ଛାଡ଼ିନଥିଲେ। ମିଆଁମାରର ମିଲିଟାରୀ ଶାସକ ରୋହିଙ୍ଗିଆଙ୍କୁ ନିଜ ଦେଶର ବାସିନ୍ଦା ବୋଲି ଗ୍ରହଣ କରିବା ଲାଗି ରାଜିନୁହେଁ। ଆଜି ମିଆଁମାରରେ ଚାଲିଥିବା ରୋହିଙ୍ଗିଆ ଗଣହତ୍ୟା କାରଣରୁ ଅନେକ ରୋହିଙ୍ଗିଆ ବିଦେଶର ଅଛନ୍ତି। ଏହା ମାନବିକତାର ପ୍ରଶ୍ନ ଥିଲା ଯାହାକୁ ଅତି ଅମାନବିକ ଭାବରେ ଦେଶାନ୍ତର କରିଦିଆଗଲା।
ଆନ୍ତର୍ଜାତିକ ଆଇନ କୁହେ ଯେ ‘ଅନୁପ୍ରବେଶକାରୀଙ୍କୁ’ ସେମାନଙ୍କ ଦେଶକୁ ପଠାଇବା ପୂର୍ବରୁ ସେଠାର ସରକାରଙ୍କ ସହିତ ଆଲୋଚନା କରି ଏଭଳି ନିଷ୍ପତ୍ତି ନିଆଯିବା ଉଚିତ। ମିଆଁମାର ସରକାରଙ୍କ ସହିତ କୌଣସି ଆଲୋଚନା ନକରି ଓ ବିନା ନ୍ୟାୟିକ ପ୍ରକ୍ରିୟାରେ ଏଭଳି ମଝି ସମୁଦ୍ର ମଧ୍ୟରେ ଛାଡ଼ିଦେବା ଭଳି ଅମାନବିକତା ସ୍ଵାଧୀନତା ପରବର୍ତ୍ତୀ ଭାରତରେ ବିରଳ। କୌଣସି ମଣିଷକୁ ଘୃଣା କରିବା ଦ୍ଵାରା ଯେ ମାନବିକତା କେତେ ତଳକୁ ଖସିଯାଇପାରେ ଏହା ତାହାର ଉଦାହରଣ।
ଏଭଳି ଛାଡ଼ିଦେବା ବିରୁଦ୍ଧରେ ଅଭିଯୋଗ ହେବା ପରେ ଜାତିସଂଘର ମାନବିକ ଅଧିକାର ପ୍ରତିନିଧି ଘଟଣାର ଅନୁସନ୍ଧାନ କରି ମନ୍ତବ୍ୟ ଦିଅନ୍ତି, ‘ଆନ୍ତର୍ଜାତିକ ସ୍ତରର ସୁରକ୍ଷା ଆବଶ୍ୟକ କରୁଥିବା ମଣିଷଙ୍କ ପ୍ରତି ଭାରତ ସରକାରଙ୍କ ଏଭଳି ଉଦ୍ୟମ ‘ଅତି ନିଷ୍ଠୁର ପଦକ୍ଷେପ’। ବିଶେଷକରି ଯେଉଁ ଦେଶରେ ସେମାନଙ୍କ ଜୀବନ ବିପଦପୂର୍ଣ୍ଣ ପୁଣି ସେହି ଦେଶକୁ ସେମାନଙ୍କୁ ପଠାଇବା ‘ଆନ୍ତର୍ଜାତିକ ନିୟମ ବିରୋଧୀ କାର୍ଯ୍ୟ’।
‘ମକତୁବ ମେଡିଆ’ ନାମକ କ୍ଷୁଦ୍ର ୱେବ ନ୍ୟୁଜ ମେ ୧୨ ତାରିଖରେ ପ୍ରଥମେ ଏହି ଦେଶାନ୍ତର ଘଟଣାକୁ ଲୋକଲୋଚନକୁ ଆଣିଥିଲା। ଏହାପରେ ୱେବ ପତ୍ରିକା ‘ସ୍କ୍ରଲ’ ଦିଲ୍ଲୀରୁ ‘ଧରାହୋଇଥିବା’ ରୋହିଙ୍ଗିଆଙ୍କ ସହିତ ନିଜ ମିଆଁମାର ପ୍ରତିନିଧିଙ୍କ ଠାରୁ ମିଳିଥିବା ତାଲିକାକୁ ମିଶାଇ ପ୍ରକାଶ କରିଥିଲା ଯେ ମଝି ସମୁଦ୍ରରେ ଓହ୍ଲାଇ ଦିଆଯାଇଥିବା ସମସ୍ତ ରୋହିଙ୍ଗିଆ ସୁରକ୍ଷିତ ଅବସ୍ଥାରେ ନିଜ ଦେଶର କୂଳରେ ପହଞ୍ଚିଥିଲେ। ଏହାପରର ସ୍ଥିତି ବିଷୟରେ କୌଣସି ତଥ୍ୟ କାହାରି ପାଖରେ ନାହିଁ।
‘ସମଗ୍ର ପୃଥିବୀ ଗୋଟିଏ ପରିବାର’
ଆଜି ପର୍ଯ୍ୟନ୍ତ କେନ୍ଦ୍ରର ବିଜେପି ସରକାର ଭାରତୀୟ ସଂସ୍କୃତିର ମହନୀୟତାକୁ ନେଇ ଡିଣ୍ଡିମ ପିଟୁଥିଲେ। ‘ବସୁଧୈଇବ କୁଟୁମ୍ବକମ’ ଅର୍ଥାତ ସମଗ୍ର ପୃଥିବୀ ଗୋଟିଏ ପରିବାର ଓ ‘ସର୍ବେ ଭବନ୍ତୁ ସୁଖିନ’ ଅର୍ଥାତ ପୃଥିବୀର ସମସ୍ତ ଜୀବ ସୁଖ ଶାନ୍ତିରେ ରୁହନ୍ତୁ ହିଁ ଭାରତୀୟ ସଂସ୍କୃତିର ମୂଳଦୁଆ ବୋଲି ବିଶେଷକରି ଦକ୍ଷିଣପନ୍ଥୀ ବିଚାରର ଲୋକେ ଅଧିକ ଯୁକ୍ତି କରିଆସିଛନ୍ତି। ବିଜେପି ପ୍ରଧାନମନ୍ତ୍ରୀଙ୍କୁ ‘ବିଶ୍ଵଗୁରୁ’ର ଉପାଧି ଦେଇଛି। ଏହି ସମସ୍ତ ସ୍ଲୋଗାନ ଓ ଯୁକ୍ତି ରୋହିଙ୍ଗିଆଙ୍କ କ୍ଷେତ୍ରରେ କାମ ଦେଲାନାହିଁ।
ସମ୍ବିଧାନର ଧାରା ୨୧ ଭାରତୀୟ ଭୂଖଣ୍ଡରେ ରହୁଥିବା ବା ରହିଥିବା ପ୍ରତ୍ୟେକ ମଣିଷର ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରୁଛି। ସୁପ୍ରିମ କୋର୍ଟ ୧୯୯୬ ମସିହାରେ ଏନଏଚଆରସି ବନାମ ଅରୁଣାଚଳ ପ୍ରଦେଶ ସରକାର ମାମଲାରେ ରାୟ ଦେଇଥିଲେ, ‘ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ସରକାର ସମସ୍ତ ବ୍ୟକ୍ତିଙ୍କ, ଉଭୟ ନାଗରିକ ଓ ଅଣନାଗରିକ, ଧନ ଓ ଜୀବନ ସୁରକ୍ଷା ଲାଗି କର୍ତ୍ତବ୍ୟବଦ୍ଧ’।
ଏପରିକି ଧାରା ୨୨ ମଧ୍ୟ ଏହା ସୁନିଶ୍ଚିତ କରୁଛି ଯେ ପ୍ରତ୍ୟେକ ମଣିଷକୁ ଯଦି ପୋଲିସ ଗିରଫ ବା ଅଟକ ରଖୁଛି ତେବେ ତାହାଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥାପିତ କରାଯିବ। ‘ପ୍ରତ୍ୟେକ ମଣିଷ’ ଓ ‘ପ୍ରତ୍ୟେକ ନାଗରିକ’ ମଧ୍ୟରେ ପାର୍ଥକ୍ୟ ରହିଛି। ଉଭୟ ଧାରା କେବଳ ଭାରତୀୟ ବା କେବଳ ନାଗରିକଙ୍କ କଥା କହୁନାହିଁ। ଏହା ସମସ୍ତ ମଣିଷଙ୍କ ଅଧିକାରର ସୁରକ୍ଷାର କଥା କହୁଛି। ସମ୍ବିଧାନର ଉଭୟ ଧାରା ୨୧ ଓ ୨୨ ରୋହିଙ୍ଗିଆଙ୍କ କ୍ଷେତ୍ରରେ ଆଡ଼େଇ ଦିଆଯିବା ସମ୍ବିଧାନ ବିରୋଧୀ କାର୍ଯ୍ୟ ନୁହେଁ କି?
ଆମେରିକାର ରାସ୍ତାରେ ଭାରତ
ଠିକ ଏହି ଭଳି ବ୍ୟବହାର ଫେବୃଆରୀ ୨୦୨୫ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫଙ୍କ ଦ୍ଵାରା ଭାରତୀୟଙ୍କ ପ୍ରତି କରାଯାଇଥିଲା। ଅନୁମତି ପତ୍ର-ବିହୀନ ଆମେରିକା ‘ଅନୁପ୍ରବେଶକାରୀ’ ୧୦୪ ଜଣ ଭାରତୀୟଙ୍କ ହାତ ଓ ଗୋଡ଼ରେ ଲୁହା ଚେନ ଲଗାଇ ସେମାନଙ୍କୁ ଆମେରିକା ବିମାନବାହିନୀର ଏକ ମାଲବାହୀ ବିମାନରେ ପଞ୍ଜାବକୁ ଟ୍ରମ୍ଫ ପ୍ରଶାସନ ଦ୍ଵାରା ପଠାଇ ଦିଆଯାଇଥିଲା। ଭାରତରେ ବିରୋଧୀ ଦଳର ସତ୍ତା ରହିଥିବା କାରଣରୁ ଏହାର ପ୍ରତିବାଦ ହେଲା ଓ କଥା ଲୋକଲୋଚନକୁ ଆସିପାରିଥିଲା ଯାହା ମିଆଁମାରରେ ସମ୍ଭବ ହେଲା ନାହିଁ କାରଣ ସେଠାରେ ମିଲିଟାରୀ ଶାସନ ରହିଛି।
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ଫଙ୍କ ନିଷ୍ପତ୍ତିକୁ ସେଭଳି ବିରୋଧ କରିନଥିଲେ ଯାହା ସେ କରିବାର ଥିଲା। ସମ୍ଭବତଃ ଏହା କାରଣ ହୋଇପାରେ ଯେ କେନ୍ଦ୍ର ସରକାର ନିଜେ ମନସ୍ଥ କରିନେଇଥିଲେ ଯେ ସେ ମଧ୍ୟ ଏହିଭଳି ଅନୁମତିପତ୍ର-ବିହୀନ-ବିଦେଶୀ ନାଗରିକଙ୍କୁ କରିବେ ଯାହା ଟ୍ରମ୍ଫ ଭାରତୀୟଙ୍କ ପ୍ରତି କରିଛନ୍ତି। ରୋହିଙ୍ଗୀୟାଙ୍କ କ୍ଷେତ୍ରରେ ଠିକ ତାହା ପ୍ରମାଣିତ ହେଲା।
ଧନୀ ଦେଶ ଆମେରିକା ଗରିବ ଭାରତୀୟଙ୍କୁ ଅତି ଅସମ୍ମାନ ଢଙ୍ଗରେ ଦେଶକୁ ଫେରାଇବା ଓ ଅପେକ୍ଷାକୃତ ଧନୀ ଭାରତ ସରକାର ନିଜର ପଡ଼ୋଶୀ ଗରିବ ଦେଶ ମିଆଁମାରର ନାଗରିକଙ୍କୁ ଅତି ବିପଦଜ୍ଜନକ ରାସ୍ତାରେ ନିଜ ଦେଶକୁ ପଠାଇବା ପଛରେ ଦୁଇ ଦେଶ ମଧ୍ୟରେ ରହିଥିବା ଆର୍ଥିକ ଅସମାନତା, ଧର୍ମବିଦ୍ଵେଷ, ଇସଲାମ ଭୟ ଓ ବର୍ଣ୍ଣ ବୈଷମ୍ୟ କାର୍ଯ୍ୟ କରୁଛି। ଆମେରିକାରେ କଳା ଭାରତୀୟ ବିରୋଧୀ ଘୃଣା ଭାବନା ସେହିଭଳି ବଢିବାରେ ଲାଗିଛି ଯେମିତି ଆଜି ଭାରତରେ ରୋହିଙ୍ଗିଆ ମୁସଲମାନ ବିରୋଧୀ ଭାବନା ବଢିଛି।
କିଏ ‘ଆଶ୍ରୟପ୍ରାର୍ଥୀ’ ଓ କିଏ ‘ଶରଣାର୍ଥୀ’
ସରକାରଙ୍କ ଯୁକ୍ତି ରହିଛି ଯେ ଭାରତ ଏବେ ସୁଦ୍ଧା ୧୯୫୧ ମସିହାର ଶରଣାର୍ଥୀ ସମ୍ମିଳନୀ ବା ରିଫ୍ୟୁଜି କନଭେନସନ ଚୁକ୍ତିରେ ସ୍ଵାକ୍ଷର କରିନାହିଁ। ତେଣୁ ଭାରତ ସରକାର ଶରଣାର୍ଥୀଙ୍କୁ ସ୍ଥାନ ଦେବା ଲାଗି ବାଧ୍ୟ ନୁହନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଭାରତ ମଧ୍ୟରେ ଚୀନରୁ ତିବ୍ବତୀୟ, ବଙ୍ଗଳାଦେଶ ଓ ପାକିସ୍ତାନରୁ ହିନ୍ଦୁ, ଶ୍ରୀଲଙ୍କାରୁ ତାମିଲ ଓ ମିଆଁମାରରୁ ବୌଦ୍ଧ ଧର୍ମାବଲମ୍ବୀମାନେ ‘ଆଶ୍ରୟ’ ନେଇଛନ୍ତି। କିଏ ‘ଆଶ୍ରୟପ୍ରାର୍ଥୀ’ ଓ କିଏ ‘ଶରଣାର୍ଥୀ’ ଓ ଉଭୟ ମଧ୍ୟରେ ଯେ କଣ ଫରକ ରହିଛି ତାହାକୁ ସରକାର ସ୍ପଷ୍ଟ କରୁନାହାନ୍ତି।
ଏପରିକି କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନ ବା ଏନସିଆର ପ୍ରଣୟନ କରି (୨୦୧୯) କେବଳ ବାଂଲାଦେଶୀ ହିନ୍ଦୁ ଓ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତ ଆସିବାକୁ ଅନୁମତି ଦେଇଛନ୍ତି। ଅନ୍ୟପଟରେ, ରୋହିଙ୍ଗିଆଙ୍କୁ ମଝି ସମୁଦ୍ର ମଧ୍ୟରେ ଫୋପାଡ଼ିଦେବା ଆଇନର ଶବ୍ଦ ମଧ୍ୟରେ ମାନବିକତାକୁ ବାଣ୍ଟିବା ଭଳି କଥା। ମାନବିକତାକୁ ସେଭଳି କେହି ଭାଗ କରି ଦେଖିପାରିଛି ନା ଦେଖିପାରିବ!
ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି ଓ ମିଆଁମାରରେ ରୋହିଙ୍ଗିଆଙ୍କ ସ୍ଥିତି ମଧ୍ୟରେ କୌଣସି ବି ଫରକ ନାହିଁ। ବରଂ ରୋହିଙ୍ଗିଆଙ୍କ ସ୍ଥିତି ଅଧିକ ଦୟନୀୟ। ଅଥଚ ଭାରତ ସରକାରଙ୍କ ଆଚରଣ ବାଂଲାଦେଶର ହିନ୍ଦୁଙ୍କ ପ୍ରତି ଗୋଟିଏ ପ୍ରକାରର ହେଲେ ମିଆଁମାରର ରୋହିଙ୍ଗିଆଙ୍କ ପ୍ରତି ଭିନ୍ନ। କାରଣ ରୋହିଙ୍ଗିଆମାନେ ମୁସଲମାନ, ଏହା ହିଁ ଏକମାତ୍ର କାରଣ।
ରୋହିଙ୍ଗିଆଙ୍କ ଦୟନିୟ ସ୍ଥିତି ସମ୍ପର୍କରେ ଜଣାଇବା ଲାଗି ଏକ ଉଦାହରଣ ଦେଉଛି।
୨୮ ମଇ ୨୦୧୨ ତାରିଖ। ବର୍ମାର ରଖାଇନ ରାଜ୍ୟ (Rakhine)ରେ ଗୁଜବ ହୋଇଥିଲା ଯେ ଜଣେ ବୌଦ୍ଧଧର୍ମୀ ମହିଳାଙ୍କୁ ତିନି ଜଣ ରୋହିଙ୍ଗିଆ ଯୁବକ ଦୁଷ୍କର୍ମ ଓ ହତ୍ୟା କରିଛନ୍ତି। ଏହାର ସତ୍ୟତାକୁ ନବୁଝି ବୌଦ୍ଧଧର୍ମୀ ସନ୍ନ୍ୟାସୀ, ବୌଦ୍ଧଧର୍ମୀ ଗ୍ରାମବାସୀ ତଥା ସେନାବାହିନୀର ଯବାନ ରୋହିଙ୍ଗିଆଙ୍କୁ ହତ୍ୟା କରିବା ସହିତ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଅଗଷ୍ଟ ୨୦୧୨ ସୁଦ୍ଧା ଏହିପରି ୨୫୦୦ ଘରେ ନିଆଁ ଲଗାଇଦିଆଯାଇଥିଲା ଓ ଅନ୍ୟୁନ୍ୟ ୧୫୦୦ ରୋହିଙ୍ଗିୟାଙ୍କୁ ହତ୍ୟା କରାଯାଇଥିଲା। ପରେ ଜଣା ପଡ଼ିଥିଲା ଯେ ମହିଳାଙ୍କ ଦୁଷ୍କର୍ମ ଗୁଜବ ଥିଲା। (ଉତ୍ସ: Radical violence against Rohingya people, documentary film) ଏହାପରେ ଅନେକ ରୋହିଙ୍ଗିଆ ନିଜ ଦେଶ ଛାଡ଼ିଦେଇ ପଡ଼ୋଶୀ ଦେଶମାନଙ୍କରେ ଆଶ୍ରୟ ନେଇଛନ୍ତି।
ବିଶ୍ଵରେ ସମୁଦାୟ ରୋହିଙ୍ଗିଆଙ୍କ ସଂଖ୍ୟା ପ୍ରାୟ ୯ ଲକ୍ଷ। ନିଜ ଦେଶରୁ ବଳପୂର୍ବକ ବିତାଡ଼ିତ ହେବା କାରଣରୁ ବିଶ୍ଵର ଅନେକ ଦେଶରେ ବିକ୍ଷିପ୍ତ ଭାବରେ ସେମାନେ ରହିଛନ୍ତି। ଭାରତରେ ପରିଚୟପତ୍ର ବିହୀନ ରୋହିଙ୍ଗିଆଙ୍କ ସଂଖ୍ୟା ୨୨,୦୦୦ ବୋଲି ୱିକିପିଡିୟାର ତଥ୍ୟ କହୁଛି। ସେମାନେ ବିଭିନ୍ନ ସହରର ବସ୍ତିରେ ଦିନ ମଜୁରୀ କରି ଜୀବନ ନିର୍ବାହ କରୁଛନ୍ତି।
ବିଲିୟୋନେୟାରଙ୍କୁ ସୁରକ୍ଷା
ରୋହିଙ୍ଗିଆଙ୍କ ସ୍ଥିତି ଆମେରିକା ଯାଉଥିବା ଭାରତୀୟଙ୍କର ନୁହେଁ। ପଞ୍ଜାବ, ହରିୟାନା ଓ ଗୁଜୁରାଟରୁ ଅନେକ ଲୋକ ୟୁରୋପ ଓ ଆମେରିକା ବିନା ପ୍ରମାଣପତ୍ରରେ ଯାଉଛନ୍ତି। ସମୁଦ୍ର ଅତିକ୍ରମ କରି ବରଫ ଆବୃତ ଉପତ୍ୟକା ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଦିନ ଦିନ ଚାଲି ସେମାନେ ଆମେରିକାରେ ପହଞ୍ଚିବାର ଏକମାତ୍ର କାରଣ ହେଲା କାମ ଖୋଜିବା। ଦେଶରେ ଆଜି ବେକାରୀ ଏତେ ଉତ୍କଟ ସ୍ଥିତିରେ ଯେ କେହି କେହି ଅତି ବିପଦଜନକ ରାସ୍ତାରେ ଆମେରିକା ପର୍ଯ୍ୟନ୍ତ ଚାଲିଯାଉଛନ୍ତି।
ଭାରତୀୟମାନେ ଲୁଚିଛପି ବିଦେଶ କାମ ଅନ୍ଵେଷଣରେ ଯିବା ଦେଶର ଅର୍ଥନୀତିର ଦୁର୍ବଳ ଦିଗକୁ ଦର୍ଶାଉଛି। ଆଜିର ଅର୍ଥନୀତିରେ ଗୋଟିଏ ପଟରେ ଦେଶ ମଧ୍ୟରେ ଅନେକ ସଂଖ୍ୟକ ବିଲିଓନେୟାର ତିଆରି ହେଉଛନ୍ତି ଯାହାଙ୍କ ପାଖରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି ରହିଛି। ଅଥଚ ଦେଶର ୭୦ କୋଟି ଲୋକଙ୍କ ପାଖରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି ରହିଛି। ଦେଶର ୮୧ କୋଟି ୩୫ ଲକ୍ଷ ଲୋକ ମାସିକ ୫ କିଲୋଗ୍ରାମ ଚାଉଳ ଉପରେ ନିର୍ଭରଶୀଳ। ସେହି ଗରିବ ଭାରତୀୟମାନେ ଅତି ବିପଦଜନକ ରାସ୍ତାରେ ଟିକିଏ ରୋଜଗାର ଲାଗି ଆମେରିକା ପର୍ଯ୍ୟନ୍ତ ଚାଲିଯାଉଛନ୍ତି। ସେହିମାନଙ୍କୁ ପୁଣି ଟ୍ରମ୍ଫ ଅତି ଅସମ୍ମାନର ସହିତ ଭାରତ ପଠାଇଦେଉଛନ୍ତି।
ଗୋଟିଏ ପଟରେ ନୀରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କ ଭଳି ‘ପଳାତକ ବିଲିଓନେୟାର’ଙ୍କୁ ଦେଶ ଛାଡ଼ି ଯିବା ଲାଗି ସୁଯୋଗ ଦିଆଯାଉଛି। ସେହି ପଳାତକଙ୍କ ଦେଶ ମଧ୍ୟରେ ବିଚାର ପାଇଁ ଦେଶକୁ ଆଣିବା ପ୍ରକ୍ରିୟାକୁ ଜାଣି ଜାଣି ଅତି ମନ୍ଥର କରାଯାଉଛି। ଅନ୍ୟପଟରେ ‘ଦେଶର ସୁରକ୍ଷା’ ନାମରେ ୪୦ ଜଣ ରୋହିଙ୍ଗିଆଙ୍କୁ ମଝି ଦରିଆରେ ଓହ୍ଲାଇ ଦିଆଯାଉଛି। କୁହାଯାଉଛି ଦେଶର ସୁରକ୍ଷା ଲାଗି ସେମାନେ ବିପଦ। ଅଥଚ ଦେଶର ସୁରକ୍ଷା କେବଳ ଏକ ବାହାନା। ଯାହା କରାଯାଉଛି ତାହା କେବଳ ଦେଶବାସୀଙ୍କ ଧ୍ୟାନ ଅନ୍ୟତ୍ର ନେବା ଲାଗି କରାଯାଉଛି।
ମୋବାଇଲ - ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।