ହତ୍ୟାର ମୂଲ୍ୟ ଶୋକ ଓ ସାନ୍ତ୍ୱନା!

ଦେବେନ୍ଦ୍ର ପୃଷ୍ଟି

ଏହା ଉଦ୍ଦେଶ୍ୟମୂଳକ ହତ୍ୟା ନହୋଇପାରେ। କିନ୍ତୁ ଉଦ୍ଦେଶ୍ୟ ରହିତ ହତ୍ୟା ତ’? ସେଥିପାଇଁ ହତ୍ୟା ମାମଲା ରୁଜୁ ହେବା କଥା। କାହା ବିରୋଧରେ? ଓଡ଼ିଶା ସରକାର ବା ତାଙ୍କର ଶକ୍ତି ବିଭାଗ ବିରୋଧରେ। କାରଣ ମଣିଷ ଜୀବନ ଏତେ ଶସ୍ତା ନୁହେଁ, ଯାହାକୁ ମୁଖ୍ୟମନ୍ତ୍ରୀ ମାତ୍ର ୨ ଲକ୍ଷ ଟଙ୍କାରେ କିଣିପାରିବେ! ଏତେ ବଡ଼ ହତ୍ୟାକାଣ୍ଡ, ଅଥଚ ଶୋକ ଓ ସାନ୍ତ୍ୱନାରେ ମାମଲାର ଦଫାରଫା? ଏହା କେବଳ ଓଡ଼ିଶାରେ ସମ୍ଭବ। ହେଲା ଏବେ, ଏହା ୟୁନିଅନ୍‌ କାର୍ବାଇଡ଼୍‌ ପରି ବଡ଼ ଧରଣର ଦୁର୍ଘଟଣା ନୁହେଁ। କିନ୍ତୁ, ଏହା କ’ଣ ମାନବକୃତ ନୁହେଁ? ଓଡ଼ିଶା ସରକାର ଓ ତାଙ୍କ ଶକ୍ତି ବିଭାଗର ଅବହେଳାରୁ କ’ଣ ଘଟିନାହିଁ ଏହି ଦୁର୍ଘଟଣା? ଏଭଳି ଅବହେଳାକୁ କ’ଣ ହତ୍ୟାର ଷଡ଼ଯନ୍ତ୍ର ଭାବେ ଗ୍ରହଣ କରିହେବ ନାହିଁ? ଏଭଳି ଅବହେଳା ଯୋଗୁଁ କାହାର ମୃତ୍ୟୁ ହୋଇପାରେ ବୋଲି କ’ଣ ଅବହେଳା କରିଥିବା ବ୍ୟକ୍ତି କେବେ ବୁଝି ନଥିଲେ? ତାଙ୍କର କ’ଣ ସେ ବୁଝିବା ଶକ୍ତି ନଥିଲା? ଯଦି ନଥିଲା, ସେ ସରକାରରେ କିପରି ନିଯୁକ୍ତ ହେଲେ?

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟରେ ୨୦୨୦ ଫେବୃଆରୀ ୯ ତାରିଖରେ ଘଟିଥିବା ବସ୍‌ ଦୁର୍ଘଟଣାକୁ ଓଡ଼ିଶାବାସୀ ଓ ଓଡ଼ିଶା ସରକାର ସହଜରେ ଗ୍ରହଣ କରିବା ଉଚିତ ନୁହେଁ। ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ। ବାରମ୍ବାର ଏପରି ମାନବକୃତ (ଏକ୍ଷେତ୍ରରେ ସରକାରୀକୃତ) ଅବହେଳା ଯୋଗୁଁ ମଣିଷ ଓ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ଓଡ଼ିଶା ସରକାର ଏଯାଏଁ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗଣମୃତ୍ୟୁ (ଗଣହତ୍ୟା!) କ୍ଷେତ୍ରରେ ଜୀବନ ଗୋଟାକୁ ୨ ଲକ୍ଷ ଟଙ୍କା ଦେଇ କିଣି ନେବାରେ ଲାଗିଛନ୍ତି। ମୃତ୍ୟୁ ପରେ ମୃତ୍ୟୁ ଘଟି ଚାଲିଛି। ହତ୍ୟା ପରେ ହତ୍ୟା କରି ଅପରାଧୀମାନେ ଖସି ଯିବାରେ ଲାଗିଛନ୍ତି।

ଯେଉଁ ଦିନ ଗୋଳନ୍ଥରା ଥାନା ଅଞ୍ଚଳରେ ନିର୍ବନ୍ଧ ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଛି ଠିକ ସେହିଦିନ ବିଦ୍ୟୁତ ବିଭାଗର ଅବହେଳାରୁ ଗଲା ୧୦ ବର୍ଷରେ ୧୨୦ ହାତୀ ଓ ୧୧୮୫ ମଣିଷଙ୍କ ମୃତ୍ୟୁ ଖବର ମଧ୍ୟ ପ୍ରକାଶ ପାଇଛି। ଏ ଖବରର ଆଧାରରେ ମନେ ପକାଇଲେ ଅନେକ କଥା ମନେ ପଡ଼େ। କେଉଁଠି ଧାନ ବିଲରେ ବିଦ୍ୟୁତ ତାର ଛିଡ଼ିଥିବାରୁ ଚାଷୀର ମୃତ୍ୟୁ। କେଉଁଠି ବାଟରେ ବିଦ୍ୟୁତ ତାର ଛିଡ଼ିଥିବାରୁ ବାଟଚଲାର ମୃତ୍ୟୁ। ଆଉ କେଉଁଠି ପୋଖରୀରେ ବିଦ୍ୟୁତ ତାର ଛିଡ଼ିଥିବାରୁ ଗୋଧୋଇବାକୁ ଯାଇଥିବା ଲୋକର ମୃତ୍ୟୁ। କେଉଁଠି ଘର ଉପରେ ବିଦ୍ୟୁତ ତାର ଛିଡ଼ିଛି ତ କେଉଁଠି ଗଛ ଉପରେ। କେଉଁଠି ବିଦ୍ୟୁତ ଖୁଣ୍ଟ ଚାର୍ଜ ହୋଇଯାଇଥିବାରୁ ତା’ ସଂସ୍ପର୍ଶରେ ଆସି କାହାର ମୃତ୍ୟୁ ହୋଇଛି ତ ପୁଣି କେଉଁଠି ଘରପାଖ ଖୁଣ୍ଟରେ ସର୍ଟ ସର୍କିଟ୍‌ ଯୋଗୁଁ ଘର ସହ ଜୀବନ ଜଳି ଯାଇଛି। ବିଦ୍ୟୁତ ବିଭାଗର ଏଭଳି ଅପରାଧିକ ଅବହେଳାରୁ ଏହିପରି ଭାବରେ ଓଡ଼ିଶାର ଅନେକ ମୂଲ୍ୟବାନ ଜୀବନ ଝଡ଼ିପଡ଼ିବାରେ ଲାଗିଛି। ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜକୁ ଦୟା ଓ କରୁଣାର ଅବତାର ଭାବେ ପ୍ରଦର୍ଶୀତ କରିବା ପାଇଁ ଏଭଳି କେତେକ ବଛାବଛା ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦର ଧାର୍ଯ୍ୟ କରି ତା’ ପରେ ସବୁ ଭୁଲି ଯାଉଛନ୍ତି। ଏଭଳି ହତ୍ୟାକାଣ୍ଡ କିପରି ରୋକାଯିବ, ଯେଉଁମାନେ ଏପରି ହତ୍ୟାକାଣ୍ଡ ପାଇଁ ସେମାନଙ୍କୁ କିପରି ହତ୍ୟା ଅପରାଧର ଦଣ୍ଡ ମିଳିବ, ସେ ଦିଗରେ ସରକାରୀ କାର୍ଯ୍ୟାନୁଷ୍ଠାନ ଶୂନ। ଅଧିକନ୍ତୁ ଲୋକଙ୍କ ଉପରେ ବୋଝ ବଢ଼ାଇବା ପାଇଁ ନିୟମିତ ବ୍ୟବଧାନରେ ସରକାର ବିଦ୍ୟୁତ ଦର ବୃଦ୍ଧି କରିବାରେ ଲାଗିଛନ୍ତି। ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବାରେ ବା ସୁଦୃଢ଼ କରିବାରେ ଧ୍ୟାନ ନଦେଇ, ପରବର୍ତ୍ତୀ ଦୁର୍ଘଟଣା ଜନିତ ମୃତ୍ୟୁ ବା ଅବହେଳା ଜନିତ ହତ୍ୟାକାଣ୍ଡ ପାଇଁ ପ୍ରଚୁର ସୁଯୋଗ ଓ ସମ୍ଭାବନା ନିମନ୍ତେ ବାଟ ଛାଡ଼ିଦେଇ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ଭାରତବର୍ଷରେ ସର୍ବ ପ୍ରଥମେ ଓଡ଼ିଶାରେ ଆରମ୍ଭ ହୋଇଥିଲା ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ। ବିଦ୍ୟୁତ ସଂସ୍କାର ଅର୍ଥ ବିଦ୍ୟୁତ କ୍ଷେତ୍ରର ଘରୋଇକରଣ। ତାଙ୍କ ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଗଲା ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକଙ୍କ ସରକାର ଏହି ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେଇ ଚାଲିଛନ୍ତି। କିନ୍ତୁ ବାସ୍ତବରେ ଦେଖାଯାଉଛି ଏହା ବିଦ୍ୟୁତ ସଂସ୍କାର ନଥିଲା, ଥିଲା କୁସଂସ୍କାର। ବିଦ୍ୟୁତ କ୍ଷେତ୍ରର ଏହି କୁସଂସ୍କାର ଯୋଗୁଁ ହିଁ ଓଡ଼ିଶାର ସଂପତ୍ତି ଓ ଓଡ଼ିଆଙ୍କ ଜୀବନ ଯନ୍ତ୍ରଣାକୁ ଆଧାର କରି ଅନେକ ଶସ୍ତାରେ ଉତ୍ପାଦିତ ହେଉଥିବା ବିଦ୍ୟୁତକୁ ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଓଇଆରସି ସ୍ଥିରୀକୃତ ଚଢ଼ା ଦରରେ ଓଡ଼ିଆମାନଙ୍କୁ ବିକ୍ରି କରାଯାଉଛି। ଓଡ଼ିଶା ଏକ ବିଦ୍ୟୁତ-ବଳକା ରାଜ୍ୟ ହୋଇଥିଲେ ମଧ୍ୟ ଗଲା ୨୦ ବର୍ଷରେ ରାଜ୍ୟ ସରକାର ଓଡ଼ିଶାର କୌଣସି ଗାଁ ବା ସହରକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ସ୍ଥିରନିଶ୍ଚିତ କରିପାରିଲେ ନାହିଁ। ଦିଲ୍ଲୀରେ ବିଦ୍ୟୁତ ଉତ୍ପାଦନ ହେଉ ନଥିଲେ ମଧ୍ୟ ସେଠା ସରକାର ବାହାରୁ ବିଦ୍ୟୁତ କିଣି ଦିଲ୍ଲୀବାସୀଙ୍କୁ ଭାରତବର୍ଷର ସବୁଠୁଁ ଶସ୍ତାରେ ଯୋଗେଇ ଦେଉଛନ୍ତି। ଓଡ଼ିଶା ସରକାର ଶସ୍ତାରେ ଦେବା ପରିବର୍ତ୍ତେ ନିୟମିତ ବ୍ୟବଧାନରେ ଦର ବଢ଼େଇ ଚାଲିଛନ୍ତି। ଅଥଚ ଲୋକଙ୍କ ଧନଜୀବନ ନିରାପଦ କରିବା ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବିଜୁଳି ଭିତ୍ତିଭୂମି ସୁଦୃଢ଼ କରିବା ଥିଲା ବିଦ୍ୟୁତ ସଂସ୍କାରର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ। ଅଥଚ ଖବରକାଗଜ ରିପୋର୍ଟ ଅନୁସାରେ ଗଲା ୪୦ ବର୍ଷ ଭିତରେ ତାର ଓ ଖୁଣ୍ଟ ଆଦି ବଦଳାଇବାରେ ସେଭଳି ଉଦ୍ୟମ ହୋଇନାହିଁ। କେବଳ ଫନୀ, ଫାଇଲିନ୍‌, ହୁଡ଼୍‌ହୁଡ଼୍‌ ବା ତିତିଲି ପରି କେତେକ ବାତ୍ୟା ସମୟରେ ଉପୁଡ଼ି ଯାଇଥିବା ଖୁଣ୍ଟ ଓ ତାର ବାନ୍ଧି ସରକାର ବାହାବା ନେବାକୁ ଚେଷ୍ଟା କରିଛନ୍ତି। ତାହା ପୁଣି ବଢ଼େଇ ଚଢ଼େଇ।

ଫନୀ ବାତ୍ୟାକୁ ବର୍ଷେ ପୂରିନି। ବିଦ୍ୟୁତ ବିଭାଗ ତଥ୍ୟ ଦେଇଥିଲା ଫନୀରେ ପ୍ରାୟ ୧.୫୬ ଲକ୍ଷ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଛି। ସରକାରୀ ଘୋଷଣା ମୁତାବକ ୨ଟି ୪୦୦ କେଭି ଖୁଣ୍ଟ, ୧୯ଟି ୧୩୨ କେଭି ଖୁଣ୍ଟ, ୨୦୦ ୩୩/୧୧ କେଭି ଖୁଣ୍ଟ ଓ ୧୦ ହଜାର ୧୧/୦.୪ ଟ୍ରାନ୍ସଫର୍ମର ନଷ୍ଟ ହୋଇଥିଲା। ଶକ୍ତି ବିଭାଗର ଆକଳନ ଅନୁସାରେ କ୍ଷୟକ୍ଷତି ପରିମାଣ ଥିଲା ପ୍ରାୟ ୧୨୦୦ କୋଟି ଟଙ୍କା। ମାସେ ଯାଏଁ ଚାଲିଥିଲା ମରାମତି କାର୍ଯ୍ୟ। ୨୦୧୯ ମେ ମାସରେ ଆସିଥିଲା ଫନୀ। ବିଦ୍ୟୁତ ବିଭାଗର ଖୁଣ୍ଟ ଓ ତାର ମରାମତି ଓ ପୁନଃସ୍ଥାପନ କାର୍ଯ୍ୟ ସରିଲା ଜୁନ୍‌ରେ। ଛଅ ମାସ ହୋଇନି ତାର ଓହଳି ପଡ଼ିଲା। ଓହଳି ଥିବା ୧୧ କେଭି ତାରରେ ଲାଗି ଜଳିଗଲା ବୈବାହିକ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ ଓ ତା’ ଭିତରେ ଜଳିଗଲେ ୧୦ ଜଣ ଲୋକ। ଏହା ଅପରାଧିକ ଅବହେଳାର ପରିଣତି ନୁହେଁ ତ ଆଉ କ’ଣ?

ବିଜୁଳି ସଂସ୍କାର ସମୟର ସର୍ତ୍ତ ଥିଲା ପୁରୁଣା ଭିତ୍ତିଭୂମି ସଜଡ଼ା ଯିବ। ବଣ୍ଟନ ଦାୟିତ୍ୱ ନେଇଥିବା କମ୍ପାନୀ ତାଙ୍କ ଖର୍ଚ୍ଚରେ ତାହା କରିବେ। କିନ୍ତୁ ତାହା ହେଲା ନାହିଁ। ତିନି ଦଶନ୍ଧି ବିତିଗଲା। ପୁରୁଣା ଭିତ୍ତିଭୂମି (ଯାହା ପାଇଁ ବଣ୍ଟନକାରୀ କମ୍ପାନୀ ଆଦୌ ଟଙ୍କା ଖର୍ଚ୍ଚ କରିନାହାନ୍ତି) ବ୍ୟବହାର କରି ଅର୍ଥ ଆଦାୟ କରୁଛନ୍ତି ଘରୋଇ କମ୍ପାନୀ। ପୁରୁଣା ଭିତ୍ତିଭୂମି ଯୋଗୁଁ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ବିଦ୍ୟୁତ ବିତରଣ କ୍ଷୟକ୍ଷତି କି ଦୁର୍ଘଟଣା କମି ନଥିଲା। ମାଗଣାରେ ବିଦ୍ୟୁତ ଦେୟରୁ ଲାଭ ଉଠାଉଥିବା କମ୍ପାନୀଙ୍କୁ ଭିତ୍ତିଭୂମି ସୁଧାରିବାକୁ ବାଧ୍ୟ କରିବା ପରିବର୍ତ୍ତେ ଓଡ଼ିଶା ସରକାର ସେଥିପାଇଁ ୨୪୦୦ କୋଟି ଟଙ୍କାର ଏକ କ୍ୟାପେକ୍ସ ପାଣ୍ଠ ଗଠନ କରିଥିଲେ। ସେହି ପାଣ୍ଠିର ୯୦୦ କୋଟି ଟଙ୍କା ଖର୍ଚ୍ଚ ହେଲା। ତା’ ପରେ ବିଭିନ୍ନ ବାତ୍ୟା ପରେ ପୁଣି ସହସ୍ରାଧିକ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ସର୍ତ୍ତେ ୧୧ କେଭି ତାର ୧୦ ଫୁଟ ତଳକୁ ଝୁଲୁଛି। ଏହା କେବଳ ଅବହେଳା କି ଅପାରଗତା ନୁହେଁ, ଏହା ଏକ ଭୟଙ୍କର ଦୁର୍ନୀତି ମଧ୍ୟ। ଏହା ହତ୍ୟାର ପୂର୍ବ ପ୍ରସ୍ତୁତି।

ଏଭଳି ଭୟଙ୍କର ଅବହେଳା ଓ ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟଙ୍କର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଥିଲେ ମଧ୍ୟ ମାନବିକ ଅନୁକମ୍ପା ନାମରେ ସେ ଆରମ୍ଭ କରିଥିବା ଏକ ଧାରା ତାଙ୍କ ସରକାରର ଏଭଳି ଅବହେଳା, ଅପାରଗତା ଓ ଦୁର୍ନୀତିକୁ ଲୁଚାଇ ପକାଇବାରେ ସମର୍ଥ ହୋଇଛି। ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ସଡ଼କ ଦୁର୍ଘଟଣା ଘଟୁଛି। ସବୁଦିନ ସ୍ଥଳ ବିଶେଷରେ ଜଣେ ଦି’ ଜଣ ଲୋକଙ୍କଠାରୁ ଆରମ୍ଭ କରି ଅଧିକ ଲୋକଙ୍କର ପ୍ରାଣହାନୀ ଘଟୁଛି। ସବୁ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପାର ଝର ବହେ ନାହିଁ। କେବଳ ଯେଉଁଠି ୩/୪ ଜଣରୁ ଅଧିକ ମୃତ୍ୟୁ ହୁଏ ସେଇଠି ଅନୁକମ୍ପା ସହାୟତା ଘୋଷଣା କରାଯାଏ। ଅନୁକମ୍ପା ସହାୟତା ପାଉଥିବା ଲୋକମାନେ ତୁନି ପଡ଼ନ୍ତି, ତାଙ୍କ ପାଖପଡ଼ିଶା ବି ମେଳି ବାନ୍ଧନ୍ତି ନାହିଁ। ଶାସନ ଠିକ ଚାଲେ, ଦୁର୍ଘଟଣା ଜନିତ ଜୀବନହାନୀ ବି। ସଡ଼କ ଦୁର୍ଘଟଣା କ୍ଷେତ୍ରରେ ସରକାରଙ୍କର ଯେଉଁ ଆଭିମୁଖ୍ୟ ବିଦ୍ୟୁତ ଦୁର୍ଘଟଣା କ୍ଷେତ୍ରରେ ମଧ୍ୟ ସେହି ଆଭିମୁଖ୍ୟ। କିଛି ଅଲଗା ନୁହେଁ। ଲୋକେ ମରନ୍ତୁ, ଚୁପ୍‌ ରହନ୍ତୁ, ସରକାରଙ୍କର ପ୍ରଶଂସା କରନ୍ତୁ- ଏଇ ହେଉଛି ଗତାନୁଗତିକ ପ୍ରାଶାସନିକ ଆଭିମୁଖ୍ୟ ଓ ଅଭିସନ୍ଧି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।