Advertisment

ଏହା ବନ୍ଧୁ ରାଷ୍ଟ୍ରର ବ୍ୟବହାର ନୁହେଁ

ଭାରତର ଯେଉଁ ଅନୁପ୍ରବେଶକାରୀମାନଙ୍କୁ ଆମେରିକା ଭାରତକୁ ପଠାଇଲା ସେମାନଙ୍କ ସଂଖ୍ୟା ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୦୪ ଜଣ। କିନ୍ତୁ ପ୍ରଥମ ଥର ପାଇଁ ଏହି ଅନୁପ୍ରବେଶକାରୀମାନଙ୍କୁ ଆମେରିକାର ସାମରିକ ବିମାନରେ ସେମାନଙ୍କ ହାତରେ ଓ ଗୋଡ଼ରେ ଜଞ୍ଜିର ଦେଇ ଭାରତକୁ ଯେପରି ପଠାଇ ଦିଆଗଲା ତାହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Illegal Indian Immigrants Being Deported

Illegal Indian Immigrants Being Deported

Advertisment

ରବି ଦାସ

ଆମେରିକାକୁ ଅନୁପ୍ରବେଶ କରିଥିବା ଲୋକମାନଙ୍କୁ ଦେଶରୁ ବାହାର କରିବା ପାଇଁ ଗତ ନିର୍ବାଚନ ସମୟରେ ଡୋନାଲ୍ଟ ଟ୍ରମ୍ପ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି କ୍ରମରେ କୌଣସି ଦସ୍ତାବିଜ୍ ନଥାଇ ବେଆଇନ୍ ଭାବରେ ଆମେରିକାରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ବାହାର କରିବା କାର୍ଯ୍ୟ ଏପରି କରିବାକୁ ଚାହାନ୍ତି ଯେଉଁଥିରେ ସାରା ବିଶ୍ୱ ତାଙ୍କ ଶାସନର ବା ନେତୃତ୍ୱର ପ୍ରଭାବକୁ ସ୍ୱୀକାର କରିବ। ଆମେରିକାରେ ଅନୁପ୍ରବେଶ କରି ବେଆଇନ ଭାବରେ ରହୁଥିବା ଲୋକମାନଙ୍କ ଭିତରେ ଭାରତୀୟମାନେ ତୃତୀୟ ସ୍ଥାନରେ ଅଛନ୍ତି। କୌଣସି ଦେଶରେ ବେଆଇନ ଭାବରେ ଅନ୍ୟ ଏକ ଦେଶର ଲୋକ ପ୍ରବେଶ କରିବାକୁ କୌଣସି ଦେଶ ସହ୍ୟ କରିବ ନାହିଁ। ବାସ୍ତବିକ ଟ୍ରମ୍ପ ଶାସନ ଆସିବା ପୂର୍ବରୁ ଆମେରିକାର ଡେମୋକ୍ରାଟିକ ପାର୍ଟି ଶାସନ ସମୟରେ ମଧ୍ୟ ଏପରି ବେଆଇନରେ ପ୍ରବେଶ କରୁଥିବା ଲୋକମାନଙ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ଟ୍ରମ୍ପ ଯେତେବେଳେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ ସେ ସମୟରେ ମଧ୍ୟ ଏପରି ବେଆଇନ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଛି। ସେଥିରେ ଭାରତରେ କ୍ରମାଗତ ଭାବରେ ବିଭିନ୍ନ ସମୟରେ ଅନୁପ୍ରବେଶକାରୀ ଭାରତୀୟମାନେ ମଧ୍ୟ ଭାରତକୁ ଫେରିଛନ୍ତି।

Advertisment

ଏଥର ଭାରତର ଯେଉଁ ଅନୁପ୍ରବେଶକାରୀମାନଙ୍କୁ ଆମେରିକା ଭାରତକୁ ପଠାଇଲା ସେମାନଙ୍କ ସଂଖ୍ୟା ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୦୪ ଜଣ। କିନ୍ତୁ ପ୍ରଥମ ଥର ପାଇଁ ଏହି ଅନୁପ୍ରବେଶକାରୀମାନଙ୍କୁ ଆମେରିକାର ସାମରିକ ବିମାନରେ ସେମାନଙ୍କ ହାତରେ ଓ ଗୋଡ଼ରେ ଜଞ୍ଜିର ଦେଇ ଭାରତକୁ ଯେପରି ପଠାଇ ଦିଆଗଲା ତାହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆମେରିକା ବିଭିନ୍ନ ଦୃଷ୍ଟିରୁ ଭାରତର ଏକ ବନ୍ଧୁ ଦେଶ। ଏପରିକି ସାମରିକ ଦୃଷ୍ଟିରୁ ମଧ୍ୟ ଭାରତ ସହିତ ଆମେରିକାର ଏବେ ଭଲ ବୁଝାମଣା ରହିଛି। ଆମେରିକା ନେତୃତ୍ୱ ସହିତ ଭାରତୀୟ ନେତୃତ୍ୱର ସମ୍ପର୍କ ମଧ୍ୟ ଖୁବ୍ ଭଲ। ଅନୁପ୍ରବେଶକାରୀମାନଙ୍କୁ କୌଣସି ଦେଶ ସହ୍ୟ ନକରିବା ନୀତି ସହିତ ଭାରତ ସମ୍ପୂର୍ଣ୍ଣ ଏକମତ। କାରଣ ଭାରତରେ ଅନେକ ବର୍ଷ ହେଲା ବଙ୍ଗଳା ଦେଶୀ ଅନୁପ୍ରବେଶକାରୀ ନେଇ ରାଜନୀତି ଚାଲିଛି। ସେହି ଦୃଷ୍ଟିରୁ ଭାରତର ଯେଉଁ ଅନୁପ୍ରବେଶକାରୀମାନେ ବେଆଇନ ଭାବରେ ଆମେରିକାକୁ ଯାଇଛନ୍ତି ସେମାନେ ଧରା ପଡ଼ିଗଲା ପରେ ଭାରତକୁ ଫେରିବାକୁ ବାଧ୍ୟ।

ଟ୍ରମ୍ପ ଶାସନ ଦାୟିତ୍ୱ ନେବା ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକାର ନୂଆ ବୈଦେଶିକ ସଚିବଙ୍କ ସହିତ ଆଲୋଚନା ସମୟରେ ଅନୁପ୍ରବେଶକାରୀମାନଙ୍କୁ ଭାରତ ପଠାଇ ଦିଆଯିବ ବୋଲି ଭଲ ଭାବରେ ଜାଣିଥିଲେ। କିନ୍ତୁ ପୂର୍ବରୁ ଭାରତକୁ ଯେଉଁ ବେଆଇନ ଅନୁପ୍ରବେଶକାରୀମାନେ ଦେଶକୁ ଫେରିଥିଲେ ସେମାନେ ସ୍ୱତନ୍ତ୍ର ବିମାନରେ ବା ରେଗୁଲାର୍ ବିମାନରେ ଆସିଥିଲେ। ସେମାନଙ୍କୁ ସାମରିକ ବିମାନରେ ଯେଉଁଥିରେ ବସିବା ପାଇଁ ଭଲ ସ୍ଥାନ ବି ନାହିଁ ଓ ଗୋଟିଏ ଟଏଲେଟରେ ସମସ୍ତ ବିମାନ ଯାତ୍ରୀ କାମ କରିବେ ସେଥିରେ କେବେ ବି ପଠାଯାଇ ନଥିଲା। ଟ୍ରମ୍ପ ନିଜ ନେତୃତ୍ୱର ପରାକାଷ୍ଠା ଜଣାଇବା ପାଇଁ ବା ବିଶ୍ୱବାସୀଙ୍କ ଆଗରେ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବରେ ଉପସ୍ଥାପିତ କରିବା ପାଇଁ ଏଥର ଭାରତୀୟ ଅନୁପ୍ରବେଶକାରୀମାନଙ୍କୁ ସାମରିକ ବିମାନରେ ଯେପରି ପଠାଯାଇଛି ତାହା ଭାରତୀୟ ରାଷ୍ଟ୍ର ପ୍ରତି ଏକ ଅପମାନ ବୋଲି ବିଚାର କରାଯାଉଛି।

Advertisment

ଏହି ଭାରତୀୟମାନେ ୪୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଏଜେଣ୍ଟମାନଙ୍କୁ ଟଙ୍କା ଦେଇ ବିନା ଦସ୍ତାବିଜ୍ ବା ଭିସାରେ ଆମେରିକା ପ୍ରଶାସନ ଯେଉଁ ରାସ୍ତାରେ ଆମେରିକା ଯିବାକୁ ମନା କରିଛି, ସେହି ରାସ୍ତା ଦେଇ ପ୍ରବେଶ କରିଛନ୍ତି। ସେଥିରେ ସେମାନେ ଅକଥନୀୟ କଷ୍ଟ ଓ ଦୁର୍ଦ୍ଦଶା ଭୋଗ କରିଛନ୍ତି। ସେମାନେ ଯେଉଁ ରାସ୍ତାରେ ଯାଇଛନ୍ତି ସେଗୁଡ଼ିକ ବିଭିନ୍ନ ଦେଶ ଦେଇ ମେକ୍ସିକୋ ବା ସେହିପରି ଆମେରିକୀୟ ପଡ଼ୋଶୀ ଦେଶରେ ପହଞ୍ଚି ସମ୍ପୂର୍ଣ୍ଣ ଅବାଟରେ ଆମେରିକାକୁ ଯାଇଛନ୍ତି। ନିଜ ପାଇଁ ଓ ନିଜ ପରିବାର ପାଇଁ ଏକ ଭଲ ସ୍ୱପ୍ନ ନେଇ ଜମିବାଡ଼ି ବିକ୍ରି କରି ଏଜେଣ୍ଟକୁ ଅର୍ଥ ଦେଇ ଏହି ଦୁର୍ଦ୍ଦଶା ଭୋଗ କରି ଆମେରିକାକୁ ଆସିବା ସମୟରେ ଧରା ପଡ଼ିଛନ୍ତି। କିନ୍ତୁ ଯେତେହେଲେ ମଧ୍ୟ ସେମାନେ ଭାରତୀୟ, ସେହି ଦୃଷ୍ଟିରୁ ସେମାନଙ୍କ ପ୍ରତି ଆମେରିକା ପ୍ରଶାସନ ଯେଉଁ ବ୍ୟବହାର ପ୍ରଦର୍ଶନ କରି ଦେଶକୁ ଫେରାଇଛନ୍ତି ତାହାକୁ କୌଣସି ଭାରତୀୟ ଗ୍ରହଣ କରିବା କଷ୍ଟକର।

ଆମେରିକାରେ ଏହିପରି ଭାବରେ ଧରାପଡ଼ିଥିବା ପ୍ରାୟ ୨୦ ହଜାର ଅନୁପ୍ରବେଶକାରୀଙ୍କୁ ଶୀଘ୍ର ଭାରତକୁ ପଠାଇଦେବାର ବ୍ୟବସ୍ଥା ଆମେରିକା ପ୍ରଶାସନ କରିବେ। ଭାରତ ସରକାରଙ୍କୁ ଏହି ତାଲିକା ବିଷୟରେ ଜଣାଇ ଦିଆଯାଇଛି। ସେମାନେ ଭାରତୀୟ ବୋଲି ପରିଷ୍କାର ହେଲା ପରେ ଆମେରିକା ସରକାର ଯଦି ବନ୍ଧୁତ୍ୱପୂର୍ଣ୍ଣ ଭାବରେ ସେମାନଙ୍କୁ ଭାରତକୁ ପଠାଇ ପାରିବେ ନାହିଁ ବୋଲି ପ୍ରକାଶ କରନ୍ତି ତେବେ ଭାରତ ସରକାର ନିଜ ତରଫରୁ ସେହି ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ଉଚିତ୍ ହେବ। ଏହା ମଧ୍ୟ ପରିଷ୍କାର ଯେ, ଭାରତର ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ୍ୱ ଏପରି ଭାରତୀୟ ଆମେରିକାରେ ଅଛନ୍ତି, ଯେଉଁମାନଙ୍କ ପାଖରେ ଆଇନଗତ ଦସ୍ତାବିଜ୍ ନାହିଁ। ସେହିପରି ଦେଖିଲେ ଆମେରିକାରେ ଏହିପରି ଥିବା ସବୁ ଦେଶର ଅନୁପ୍ରବେଶକାରୀଙ୍କ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ୱ ହେବ। ସେମାନଙ୍କୁ ଯଦି ଆମେରିକା ସରକାର ବା ଟ୍ରମ୍ପ ପ୍ରଶାସନ ଦେଶରୁ ବାହାର କରିଦିଏ, ତେବେ ଆମେରିକାର ଅର୍ଥନୀତି ଉପରେ ଏହା ସିଧାସଳଖ ପ୍ରଭାବ ପକାଇବ।

ଆମେରିକାର କୃଷିକାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ହାଉସ୍ କିପିଙ୍ଗ୍, ହସ୍ପିଟାଲିଟି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଅନୁପ୍ରବେଶକାରୀମାନେ କମ୍ ମୂଲ୍ୟରେ କାମ କରୁଛନ୍ତି। ସେମାନେ ଯଦି ସବୁ ଆମେରିକାରୁ ଚାଲି ଆସିବେ ତେବେ ଆମେରିକାର ଆର୍ଥିକ ଅଭିବୃଦ୍ଧି ହାର ଅତି କମରେ ଶତକଡ଼ା ଏକ ଭାଗରୁ ଦେଢ଼ ଭାଗ ପର୍ଯ୍ୟନ୍ତ କମିଯିବ ବୋଲି ଆକଳନ କରାଯାଉଛି। ଆମେରିକାରେ ଏହି ଶ୍ରମିକମାନଙ୍କ ଅନୁପସ୍ଥିତିରେ ଦରବୃଦ୍ଧି ନିଶ୍ଚୟ ଦେଖାଦେବ। କାରଣ ଆମେରିକାରେ ସେହି ଧରଣର କାର୍ଯ୍ୟ ପାଇଁ ଜଣେ ଆମେରିକୀୟ ଏହି ଶ୍ରମିକମାନଙ୍କ ଠାରୁ ପ୍ରାୟ ଦେଢ଼ ଗୁଣ ମଜୁରୀ ଦାବି କରିବେ। ତେଣୁ ଟ୍ରମ୍ପ ନିଜର ପ୍ରାଧାନ୍ୟ ବା ବାହାଦୂରୀ ଦେଖାଇବା ପାଇଁ ଅନୁପ୍ରବେଶକାରୀଙ୍କୁ ତଡ଼ିବା କାର୍ଯ୍ୟରେ କିଛି ପଦକ୍ଷେପ ନେଇପାରନ୍ତି। କିନ୍ତୁ ପ୍ରାୟ ୧ କୋଟି ଅନୁପ୍ରବେଶକାରୀଙ୍କୁ ଆମେରିକାରୁ ବିଦା କରିଦେବା କୌଣସି ପ୍ରଶାସନ ପକ୍ଷେ ସମ୍ଭବ ନୁହେଁ। ଯେଉଁମାନେ ରାସ୍ତାରେ ଗଲାବେଳେ ସୀମାନ୍ତରେ ବା ନିରାପତ୍ତା ରକ୍ଷୀଙ୍କ ଦ୍ୱାରା ଧରା ପଡୁଛନ୍ତି ସେମାନଙ୍କ ଛଡ଼ା ଅନ୍ୟମାନଙ୍କୁ ଆମେରିକାରେ ଠାବ କରିବା ଏତେ ସହଜ ନୁହେଁ। ତା’ ଛଡ଼ା ଆମେରିକାର ବିଭିନ୍ନ ରାଜ୍ୟରେ ଏନେଇ ଭିନ୍ନ ଭିନ୍ନ ପ୍ରକାର ନିୟମ ଓ ଆଇନ ବ୍ୟବସ୍ଥା ମଧ୍ୟ ରହିଛି।

ହେଲେ ଭାରତୀୟମାନଙ୍କୁ ପ୍ରଥମ ଦଫାରେ ଟ୍ରମ୍ପ ପ୍ରଶାସନ ଯେପରି ଭାବରେ ସାମରିକ ବିମାନରେ ପଠାଇ ଦେଇ ଭାରତକୁ ଲଜ୍ଜିତ କରିଛନ୍ତି ସେଭଳି ସୁଯୋଗ ଆଉ ସୃଷ୍ଟି କରିବା ପାଇଁ ଦିଆଯିବା ଉଚିତ୍ ନୁହେଁ। ବିଦେଶରେ ରହୁଥିବା ଭାରତୀୟମାନେ କାମକରି ନିଜର ଜୀବିକା ଓ ଉପାର୍ଜନ କରୁଛନ୍ତି। ବିଦେଶରେ ଥିବା ଏହି ଭାରତୀୟମାନେ ଦେଶକୁ ସେମାନଙ୍କର ରୋଜଗାର ଅର୍ଥର ଏକ ଅଂଶ ନିଜ ପରିବାର ପାଇଁ ପଠାଉଛନ୍ତି। ବାସ୍ତବିକ ଏତେ ସଂଖ୍ୟାରେ ଭାରତୀୟ ଏବେ ବିଦେଶରେ ଅଛନ୍ତି, ଯେଉଁମାନଙ୍କର ଦେଶକୁ ପଠାଉଥିବା ବୈଦେଶିକ ମୁଦ୍ରାର ପରିମାଣ ଭାରତର ରପ୍ତାନୀ କ୍ଷେତ୍ରରୁ ହେଉଥିବା ଆୟଠାରୁ ଯଥେଷ୍ଟ ଅଧିକ। ତେଣୁ ସେମାନେ ଯାହା କଲେ ବି ଭାରତୀୟ ଅର୍ଥନୀତିକୁ ସମୃଦ୍ଧି କରିବାରେ ସହାୟକ ହୋଇଛନ୍ତି। ଭାରତ ସରକାର ବରାବର କହି ଆସୁଛନ୍ତି ଯେ, ଏହି ବିଦେଶରେ ଥିବା ଭାରତୀୟମାନେ ରାଷ୍ଟ୍ରଭକ୍ତ। ତେଣୁ ସେମାନଙ୍କ ଉପରେ ଯଦି କୌଣସି ଆକ୍ରମଣ ବା ଅସୁବିଧା ହେଉଛି ସେଥିରେ ଭାରତ ସରକାର ସେମାନଙ୍କ ସହାୟତାକୁ ଆସିବା ଉଚିତ୍।

ଏପରି ଭାବରେ ଭାରତରୁ ଯେପରି କେହି ବିଦେଶକୁ ବେଆଇନ ଭାବରେ ନଯାଏ ସେଥିପାଇଁ ଭାରତ ସରକାର ସବୁ ଏଜେଣ୍ଟ ଓ ରାଜ୍ୟ ସରକାରମାନଙ୍କୁ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇପାରିବେ। କିନ୍ତୁ ଯେଉଁ ଭାବରେ ହେଲେ ମଧ୍ୟ ଜଣେ ଭାରତୀୟ ଅନ୍ୟ ଏକ ଦେଶରେ ଅନୁପ୍ରବେଶକାରୀ ବୋଲି ଚିହ୍ନଟ ହୋଇ ଯଦି ଅତ୍ୟାଚାରିତ ହୁଏ ତେବେ ଭାରତ ସରକାର ସେଥିରେ ହସ୍ତକ୍ଷେପ କରି ସେମାନଙ୍କୁ ସହାୟତା କରିବା ଜରୁରୀ। କାରଣ ଏହା ଭାରତୀୟଙ୍କ ସମ୍ମାନର ପ୍ରଶ୍ନ। ଏହି ଅନୁପ୍ରବେଶକାରୀମାନେ ଭୁଲ୍ ପନ୍ଥାରେ ନିଜର ସ୍ୱପ୍ନ ସାର୍ଥକ କରିବା ପାଇଁ ସେହି ଦେଶକୁ ଯାଇଥିଲେ ମଧ୍ୟ କୌଣସି ଅପରାଧରେ ଜଡ଼ିତ ନାହାନ୍ତି। ବାସ୍ତବିକ ଅଧିକାଂଶ ଭାରତୀୟ ଆମେରିକା ବା ଅନ୍ୟ ଯେକୌଣସି ଦେଶରେ ସଭ୍ୟ ଶ୍ରେଣୀ ଭାବରେ କାମ କରନ୍ତି। ତେଣୁ ଯେଉଁମାନଙ୍କ ନାରେ ସେ ଦେଶରେ ଅନ୍ୟ କୌଣସି ଅପରାଧ ରେକର୍ଡ ନାହିଁ ସେହି ଭାରତୀୟମାନଙ୍କୁ ଯଥାସମ୍ଭବ ସମ୍ମାନର ସହିତ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଆଗେଇ ଆସିବା ଉଚିତ୍ ହେବ।

ଆମେରିକାର ଶକ୍ତିକୁ ଭୟ କରି ଭାରତୀୟମାନଙ୍କ ସମ୍ମାନ ବିଷୟରେ ନୀରବ ରହିବା କଦାପି ଗ୍ରହଣୀୟ ନୁହେଁ। ମନେ ରଖିବାକୁ ହେବ ଯେ, ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଓ ଲୋକସଂଖ୍ୟାରେ ସମ୍ଭବତଃ ବିଶ୍ୱର ପ୍ରଥମ ଦେଶ। ଏପରି ଅବସ୍ଥାରେ ବିଶ୍ୱ ଅର୍ଥନୀତିରେ ଓ ରାଜନୀତିରେ ଭାରତକୁ ନ୍ୟୁନ ଭାବରେ ପ୍ରଦର୍ଶନ କରିବା ପାଇଁ କୌଣସି ଉଦ୍ୟମ ହେଲେ ତାହାର ଦୃଢ଼ ପ୍ରତିବାଦ ହେବା ଦରକାର। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଶାସନକୁ ଭାରତର ଏହି ଦୃଢ଼ ଆଭିମୁଖ୍ୟ ବିଷୟରେ ଜଣାଇଦେବା ଉଚିତ୍। ଭାରତୀୟମାନଙ୍କ ସମ୍ମାନକୁ ଆଞ୍ଚ ଆଣିବା ଭଳି ବା ଅବଜ୍ଞା ପ୍ରଦର୍ଶନ କରିବା ଭଳି କୌଣସି କାର୍ଯ୍ୟ ଆମେରିକା ପ୍ରଶାସନ ଗ୍ରହଣ କଲେ ଭାରତ ନୀରବ ହୋଇ ବସିବ ନାହିଁ ବୋଲି ଆମେରିକା ପ୍ରଶାସନ ଜାଣିବା ଉଚିତ୍।

ମୋ- ୮୦୧୮୦୯୪୪୫୫

USA India Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe