Advertisment

‘ଏ ସମୁଦ୍ର ତ ଆମର’

ସମୁଦ୍ର ମନ୍ଥନରୁ ହୁଏତ କେବେ ଅମୃତ ବାହାରିଥିବ କି ନାହିଁ କିନ୍ତୁ ରଘୁ ପ୍ରଧାନ ନିଶ୍ଚିତ ଯେ ଆଜି ସମୁଦ୍ର ମନ୍ଥନ ହେଲେ ବାହାରିବ ତାଙ୍କର ଘର, ଘରର କାନ୍ଥ, ଚୁଲି, ଢିଙ୍କି, ଶସ୍ୟ ଖମାର ଓ ଅନେକ କିଛି। ସେଥିପାଇଁ ସେ କୁହନ୍ତି, ‘ଏ ସମୁଦ୍ର ତ ଆମର’।

author-image
Debaranjan Sarangi
New Chhenua Village

New Chhenua Village Photograph: (Author)

ଦେବ ରଞ୍ଜନ 

ସମୁଦ୍ର ଦିନେ ବହୁତ ଦୂରରେ ଥିଲା। ଲୋକେ ସମୁଦ୍ରର ଦୂରତା ଦେଖି ନିଜ ଜମି ଉପରେ ଘର ବସାଇଥିଲେ। ଘର ଚାରିପାଖରେ ବାଡ଼ି ବଗିଚା କରିଥିଲେ। ବିଲରେ ଚାଷ କରି ପରିବାର ଚଳାଉଥିଲେ। ସମୁଦ୍ରର ଘୁ ଘୁ ଶବ୍ଦ ଶୁଣାଯାଉଥିଲା। ଦିନେ ସମୁଦ୍ର ଆସି ଗାଁରେ ହାଜର ହୋଇଗଲା। ଘର ବୁଡ଼ାଇଦେଲା। ପିଢ଼ି ଫିଢ଼ିର ଜମିକୁ ସମୁଦ୍ର ଅକ୍ତିଆର କରିନେଲା।  

Advertisment

ପୁରୀ ଜିଲ୍ଲା କୋଣାର୍କ ନିକଟରେ ଅବସ୍ଥିତ ଛେନୁଗାଁ। କୋଣାର୍କରୁ ଅସ୍ତରଙ୍ଗ ଯିବା ରାସ୍ତାରେ ଆସେ ବାଲି ଦୋକାନ ଛକ। ଏହି ଠାରୁ ପୁଣି ଡାହାଣ ପଟକୁ ଗଲେ ପଡ଼େ ଛେନୁଆ, ଉଦୟକଣି, କଅଂରପୁର ଓ ତଣ୍ଡାବର ଗାଁ। ଏହା ପରେ ରାସ୍ତା ସରିଯାଇଛି। ଛେନୁଗାଁର ରଘୁ ପ୍ରଧାନଙ୍କୁ ମୁଁ ଦୀର୍ଘ ତିନି ବର୍ଷ ତଳେ ଭେଟିଥିଲି ଓ ପୁଣି ଭେଟିଲି ଗଲା ସପ୍ତାହରେ। ତାଙ୍କର ବୟସ ଥିଲା ୮୦ କି ୮୨ ବର୍ଷ, ଗାଁର ସବୁଠାରୁ ବୟସ୍କ ବ୍ୟକ୍ତି। ପ୍ରତ୍ୟେକ ଥର ଭେଟିବା ସମୟରେ ତାଙ୍କ ଆଖିରେ ଥିଲା ଅନେକ ପ୍ରଶ୍ନ ଓ ଘୋର ପ୍ରତିବାଦ। ସେ ବୁଝିପାରୁ ନଥିଲେ ଯେ ସମୁଦ୍ର ଏମିତି କାହିଁକି ତାଙ୍କ ପଛରେ ଲାଗିଛି, ଅଞ୍ଚଳବାସୀଙ୍କୁ ଦୁଇ ଦୁଇ ଥର ବିସ୍ଥାପିତ କରିସାରିଲାଣି। ପ୍ରତି ଥର ସେ ଓ ତାଙ୍କ ଅଞ୍ଚଳବାସୀ ହରାଉଛନ୍ତି ଘର, ଚାଷଜମି, ଅନେକ ବୃକ୍ଷ, ଶୈଶବର ସ୍ମୃତି, ପଡ଼ୋଶୀ ଗାଁ ସହିତ ସମ୍ବନ୍ଧ ଓ ଅନେକ କିଛି। ପୁଣି ଶୂନରୁ ଆରମ୍ଭ କରିବାକୁ ହେଉଛି ଜୀବନ।  

ସମୁଦ୍ର ମନ୍ଥନରୁ ହୁଏତ କେବେ ଅମୃତ ବାହାରିଥିବ କି ନାହିଁ କିନ୍ତୁ ରଘୁ ପ୍ରଧାନ ନିଶ୍ଚିତ ଯେ ଆଜି ସମୁଦ୍ର ମନ୍ଥନ ହେଲେ ବାହାରିବ ତାଙ୍କର ଘର, ଘରର କାନ୍ଥ, ଚୁଲି, ଢିଙ୍କି, ଶସ୍ୟ ଖମାର ଓ ଅନେକ କିଛି। ସେଥିପାଇଁ ସେ କୁହନ୍ତି, ‘ଏ ସମୁଦ୍ର ତ ଆମର’। ‘ଆମର’ ମାନେ କେବଳ ଛେନୁଗାଁର ନୁହେଁ, ଉଦୟକଣି, କଅଂରପୁର ଇତ୍ୟାଦି ଗ୍ରାମବାସୀଙ୍କର। ସମୁଦ୍ର ଥରେ ନୁହେଁ ଦୁଇ ଥର ନେଇସାରିଛି ସେମାନଙ୍କ ପୁରୁଣା ଗାଁ, ପୁରୁଣା ଜମି, ପୁରୁଣା ବାସସ୍ଥାନ। 

Advertisment

ରଘୁ ପ୍ରଧାନ ତିନି ବର୍ଷ ତଳେ ମୋତେ ତାଙ୍କର ବର୍ତ୍ତମାନ ରହୁଥିବା ଗାଁ ଠାରୁ ୪ କିଲୋମିଟର ଦୂରରେ ଥିବା ସମୁଦ୍ର କୁଳକୁ ନେଇଯାଇଥିଲେ। ତାଙ୍କର ପୁରୁଣା ଛେନୁଆ ଗାଁ ସମୁଦ୍ର ଭିତରେ ମିଶିଯାଇଛି। ସମୁଦ୍ରକୁ ଦେଖାଇ ସେ କହିଥିଲେ, ‘ସେହି ଭିତରେ ଥିଲା ଆମର ଗାଁ। ପିଲା ବେଳେ ସମୁଦ୍ର ଦେଖିବାକୁ ଗଲେ ଲାଗୁଥିଲା କାହିଁ ଦୁଇ ଘଣ୍ଟା କି କେତେ। ଆଜି ଦେଖ ସମୁଦ୍ର ଆସି କେଉଁଠି ପହଞ୍ଚିଛି। ଯଦି ସରକାର କିଛି ନକରନ୍ତି ତେବେ ଆମ ଗାଁ ନୁହେଁ ଏ ପୂରା ଅଞ୍ଚଳ ଆଉ ରହିବ ନାହିଁ।’ ତାଙ୍କ ଗାଁରେ ଥିଲା ସେହି ଅଞ୍ଚଳର ପ୍ରଥମ ସ୍କୁଲ। ଦେଶ ସ୍ଵାଧୀନ ହେବା କଥା ଓ ଗାନ୍ଧୀ ମରିଯିବା କଥା ସେ ସ୍କୁଲରେ ଶୁଣିଥିଲେ। ସେ ସ୍କୁଲ ଆଜି ସମୁଦ୍ର ଭିତରେ ଲୁଚି ଯାଇଛି। ଲହଡ଼ି ଭିତରେ ଲୁଚି ଯାଇଥିବା ସେହି ଅତୀତର କଥା କହୁଥିବା ବେଳେ ସେ ବାଷ୍ପରୁଦ୍ଧ ହୋଇଯାଉଥିଲେ।  

Raghu Pradhan
Raghu Pradhan Photograph: (Author)

ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ, ସମୁଦ୍ର ଇଞ୍ଚେ ପରେ ଇଞ୍ଚେ, ଆଗକୁ ଧୀରେ ଧୀରେ ବଢ଼ି ଦିନେ ଛେନୁଗାଁ ପାଖରେ ହାଜର ହୋଇଯାଇଥିଲା। ୧୯୮୨ ମସିହାର ଜୁଆର ଗାଁ ମଧ୍ୟରେ ପ୍ରବେଶ କରିଥିଲା। ସେମାନେ ଜୀବନ ବଞ୍ଚାଇ ପାରିଥିଲେ ବି ସମୁଦ୍ର କିନ୍ତୁ ଅନେକ କିଛି ନେଇଯାଇଥିଲା। ଏହାପରେ ଗ୍ରାମବାସୀ ଦୂରରେ ଏକ ଉଚ୍ଚ ଜାଗା, ନଡ଼ିଆ ବାଡ଼ିରେ, ଘର କରି ରହିଥିଲେ। ମାତ୍ର ଅଳ୍ପ କିଛି ବର୍ଷର ସେହି ରହଣି। ଏହାପରେ ଭୟଙ୍କର ବାତ୍ୟା ସମଗ୍ର ଉପକୂଳକୁ ଧ୍ଵସ୍ତ ବିଧ୍ଵସ୍ତ କରିଦେଇଥିଲା। ତାହା ଥିଲା ୧୯୯୯ ମସିହାର ମହାବାତ୍ୟା। ପବନର ବେଗ ଥିଲା ପ୍ରତି ଘଣ୍ଟାରେ ୨୫୦ରୁ ୨୬୦ କିଲୋମିଟର। କୁଜଙ୍ଗ - ଏରସମା ଅଞ୍ଚଳରେ ଏହା ୧୦ ହଜାର ଲୋକଙ୍କ ଜୀବନ ନେଇଥିଲା। ସେହି ବାତ୍ୟା ସମୟରେ ସମୁଦ୍ର ପୁଣି ଥରେ ‘ନଡ଼ିଆ ବାଡ଼ିରେ’ ଆସି ପହଞ୍ଚି ଯାଇଥିଲା। 

ଗ୍ରାମବାସୀ ପୁଣି ଥରେ ଗାଁ ଛାଡ଼ିଲେ ଓ ପୁଣି ଜାଗା ଖୋଜି ଆଶ୍ରୟ ନେଲେ ଆହୁରି ୩ କିଲୋମିଟର ଦୂର ସମତଳ ସରକାରୀ ଜମି ଉପରେ, ଗୋଲରା ଜଙ୍ଗଲ ନିକଟକୁ। କଅଁରପୁର ଓ ଉଦୟକଣି ଲୋକେ ଉଠିଗଲେ ରାସ୍ତା ଉପରକୁ। ଏଠାରେ ପିଇବା ପାଣିର ଘୋର ଅଭାବ ରହିଛି। ଜମିରେ ଲୁଣା ପାଣି ମାଡ଼ିଯାଉଛି। ସମୁଦ୍ରକୁ ରୋକିବା ଭଳି ନା ଅଛି ଜଙ୍ଗଲ ନା ବାଲିର ସ୍ତୂପ। ତେଣୁ ପ୍ରତି ଘରୁ ଲୋକେ ଏବେ ଦେଶର ବିଭିନ୍ନ ସହରରେ ଦାଦନ ଶ୍ରମିକ ଭାବରେ କାମ କରୁଛନ୍ତି। ସେହି ସବୁ ସହରରେ ରୋଜଗାର ଏତେ ନୁହେଁ ଯେ ସ୍ତ୍ରୀ ପିଲା ଓ ବାପା ମା’ଙ୍କୁ ନେଇ ରହିପାରିବେ। ତେଣୁ ବର୍ଷକୁ ଥାରେ ଗାଁକୁ ଆସୁଥିବା କଥା ଛେନୁଗାଁର ବିଷ୍ଣୁ କୁହନ୍ତି। ବିଷ୍ଣୁ ତାମିଲ ଭାଷା କହିପାରୁଛନ୍ତି। ତାମିଲନାଡୁରେ କାମ କରିବା ଭିତରେ ସେ ତାମିଲ ଭାଷା କହିବା ଶିଖିଯାଇଛନ୍ତି, ପଢ଼ିବା ଓ ଲେଖିବା ଅବଶ୍ୟ ଶିଖି ନାହାନ୍ତି। 

କାହିଁ ଶହ କି ହଜାର ବର୍ଷ ହେଲା ଲୋକେ ଚାଷ କଲେଣି। କାହିଁ ଚାଷ ହେତୁ ତ କେଉଁ ଗାଁ ଭାସି ଯାଉନଥିଲା! ପାରମ୍ପରିକ ଚାଷ ଲୋକଙ୍କୁ ଖାଦ୍ୟ ଦେଉଥିଲା କାହା ଘର ଉଜାଡ଼ି ଦେଉନଥିଲା। ସମୟରେ ପରିବର୍ତ୍ତନ ହୋଇଛି। ଦେଶର ଅର୍ଥନୀତିର ମୂଳ ସ୍ଲୋଗାନ ହୋଇଛି ଯେତେ ପାରେ ସେତେ ଲାଭ କରିବା ହିଁ ଉତ୍ତମ ବ୍ୟବସାୟର ଲକ୍ଷଣ। ‘ଛୋଟ ଲାଭ’କୁ ‘ବଡ଼ ଲାଭ’ ଖାଉଛି। ବଡ଼ ଲାଭକୁ ‘ଦରିଆପାରୀ ଲାଭ’ ଖାଉଛି। ଅସ୍ମିତା, ଜାତୀୟତା ଓ ମାନବିକତାର ବ୍ୟବସାୟ ହେଉଛି। ପ୍ରତ୍ୟେକ ଗାଁ ଓ ସହର ଉପରେ ରହିଛି ଖଣିରୁ ଉଡୁଥିବା ଧୁଳି, କାରଖାନାର ଆବର୍ଜନା, ଅଜଣା ରୋଗର ବିଭୀଷିକା, ମାନସିକ ବେମାରୀ, ଆତ୍ମହତ୍ୟା ଓ ହତ୍ୟାର ପ୍ରବଣତା ସାଙ୍ଗକୁ ଧନୀ ଗରିବର ପାର୍ଥକ୍ୟ, ସମ୍ବେଦନହୀନ ଆଚରଣ, ଯୌନ ଅତ୍ୟାଚାର ସାଙ୍ଗକୁ ଆତ୍ମଗର୍ବ, ଘୃଣା ଓ ଶୋଷଣର ମାନସିକତା।

ପ୍ରତିବର୍ଷ ସମୁଦ୍ର ଜଳରାଶିର ସ୍ତରରେ ବୃଦ୍ଧି ଘଟୁଛି। ସମୁଦ୍ରରେ ପ୍ରତି ଏକ ମିଲିମିଟର ଜଳରାଶି ବଢ଼ିବାର ଅର୍ଥ ଏହା ଏହା ମଧ୍ୟକୁ ଯେତିକି ଜଳରାଶି ପ୍ରବେଶ କରିଥାଏ ତାହା ୩୬୦ ବର୍ଗ କିଲୋମିଟର ଅଧିକ ଜାଗା ଅକ୍ତିଆର କରିଥାଏ। ଯଦି ସମୁଦ୍ର ଜଳରାଶି ୧ ଇଞ୍ଚ (୧ ଇଞ୍ଚ = ୨୫.୪ ମିଲିମିଟର) ବୃଦ୍ଧି ହେଉଛି ତେବେ ଏହା ୯,୨୦୦ ବର୍ଗ କିଲୋମିଟର ଅଧିକ ଜାଗା ଅକ୍ତିଆର କରୁଛି। ଅର୍ଥାତ ସମୁଦ୍ର ଜଳରାଶିରେ ଏକ ଇଞ୍ଚର ବୃଦ୍ଧିର ଅର୍ଥ ଭୁବନେଶ୍ଵର ଭଳି ୫୦ଟି ସହର ସଂପୂର୍ଣ୍ଣ ବୁଡ଼ିଯିବା ଭଳି ଅଞ୍ଚଳ। ସମୁଦ୍ର ସେହି ଅଞ୍ଚଳକୁ ଅଧିକ ମାଡ଼ି ଯାଉଛି ଯେଉଁଠି ଏହାର ମୃତ୍ତିକା ଅପେକ୍ଷାକୃତ ଦୁର୍ବଳ ରହିଛି।  

ସମୁଦ୍ରରେ ଗାଁ ବିଲୀନ ହେବା କେବଳ ଏକମାତ୍ର ପରିବେଶ ଅବକ୍ଷୟର ଉଦାହରଣ ନୁହେଁ। ଗଲା କୋଡ଼ିଏ ବର୍ଷ ମଧ୍ୟରେ ଦେଶରେ ସମୁଦାୟ ୮୦ଟି ବାତ୍ୟା (ସେ ମଧ୍ୟରୁ ୨୦ଟି ଭୟଙ୍କର) ହୋଇସାରିଲାଣି। ୮୦,୦୦୦ ଛୋଟ ବଡ଼ ଭୁସ୍ଖଳନ (୧୯୯୮ରୁ ୨୦୨୨ ମଧ୍ୟରେ) ହୋଇସାରିଲାଣି।  ଏହି ସମସ୍ତ ଘଟଣା ପରିବେଶ ଅବକ୍ଷୟର ପ୍ରମୁଖ କାରଣ। ସେହି ଲାଭଖୋର ଅର୍ଥନୀତି କାରଣରୁ ଓଡ଼ିଶାରେ ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ୨୬. ୭୫ ଲକ୍ଷ ଗଛ କଟାଯାଇଛି। ଏହି ସମୟ ମଧ୍ୟରେ ୧୪୦ ହଜାର ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଯାଇଛି, ସମଗ୍ର ଦେଶରେ ଏହା ୨.୩୩ ନିୟୁତ ହେକ୍ଟର। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ, ବାଙ୍ଗଲାଦେଶ, ବର୍ମା ଓ ପାକିସ୍ତାନର କୋଟି କୋଟି ଲୋକ ଏଥିଲାଗି ପ୍ରଭାବିତ ଓ ବିସ୍ଥାପିତ ହେବେ। 

ଏହି ବର୍ଷ କୋଣାର୍କର ବାଲୁକା ଫେଷ୍ଟିବାଲ ଦେଖି ଫେରିଲା ବେଳେ ମୁଁ ଯାଇଥିଲି ଛେନୁଆ। ରଘୁ ପ୍ରଧାନଙ୍କୁ ପୁଣି ଭେଟିବା ସମୟରେ ତାଙ୍କ ଆଖିରେ ସେହି ପ୍ରତିବାଦ ରହିଥିଲା ଯାହା ମୁଁ ଆଗରୁ ଦେଖିଥିଲି। ମୋର ତ ଆଶା ନଥିଲା। କିନ୍ତୁ ସେମାନଙ୍କ ବଞ୍ଚି ରହିବା ହିଁ ଆଜିର ଧ୍ଵଂସମୁଖ୍ୟ ଅର୍ଥ ଓ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିବାଦ। ସେହିମାନେ ହିଁ କେବଳ କହିପାରିବେ ‘ଏ ସମୁଦ୍ର ତ ଆମର’। ସେହି କଥାରେ କୌଣସି ମାଲିକର କଳ୍ପନା ନାହିଁ। ସେହି କଥାରେ ନିଜ ସମ୍ପତ୍ତି ଭାବି ଆଉ କାହାକୁ ବିକ୍ରି କରିଦେବାର ଚକ୍ରାନ୍ତ ନାହିଁ। ସେହି କଥାରେ ଅଛି କହିଲେ କେବଳ ନିଜ ଅନୁଭୂତିର ଅଧିକାର, ଦୁଃଖର ଛାୟା ଓ ମଣିଷ ସମାଜ ପ୍ରତି ପ୍ରେମ ଯାହା କେବେ ଭୁଲିହେବ ନାହିଁ। ମୁଁ  ପ୍ରଧାନଙ୍କ ନିକଟରେ ଠିଆ ହୋଇ ଦେଖୁଥିଲି ଗଣତନ୍ତ୍ରରୁ ସର୍ବାଧିକ ସୁବିଧା ନେଉଥିବା ସେହି କ୍ଷୁଦ୍ର ଲାଭଖୋର ମଣିଷଙ୍କ ଅପରାଧ ବିରୁଦ୍ଧରେ ଅଗଣିତ ପୀଡ଼ିତଙ୍କର ନୀରବ ପ୍ରତିବାଦ।  

ମୋବାଇଲ- ୯୪୩୭୭୬୨୨୭୨ 

Odisha Konark Bay Of Bengal Super Cyclone Odisha Super Cyclone 1999 Super Cyclone