ଦେବ ରଞ୍ଜନ
ନିର୍ବାଚନ ସରିଯାଇଛି। ନୂତନ ସରକାର ତିଆରି ହୋଇଛି। ଏବେ ଦେଶବାସୀ ଅପେକ୍ଷାରେ ଯେ ନୂତନ ସରକାର ସେମାନଙ୍କର କେଉଁଭଳି ‘ସେବା’ କରୁଛି।
ନିର୍ବାଚନର ସମୀକ୍ଷା କରିବାକୁ ଗଲାବେଳେ, ଏକ ସମ୍ଭାବ୍ୟ ବିପଦ ଟଳି ଯାଇଥିବା ହେତୁ ମୁଁ ମୋର ଅଧିକ ଖୁସି ଜାହିର କରୁଛି।
ନିର୍ବାଚନ ଆରମ୍ଭର ସମୟକୁ ଆମେ ମନେପକାଇବା। ଭାରତୀୟ ଜନତା ପାର୍ଟି ଦକ୍ଷିଣ ଭାରତରେ ସଂପୂର୍ଣ୍ଣ ମୂଳପୋଛ ହୋଇଯିବାର ପୂର୍ବାନୁମାନ କରାଯାଉଥିଲା। ଏହା କେବଳ ଉତ୍ତର ଭାରତ ଓ ମଧ୍ୟ ଭାରତରେ ହିଁ ଅଧିକ ସିଟ ନେଇ କ୍ଷମତାକୁ ଆସିବ ବୋଲି ପ୍ରସ୍ତୁତି ମଧ୍ୟ କରୁଥିଲା।
ତେବେ କଣ ଦକ୍ଷିଣ ଭାରତ ବିରୋଧୀ ଚିନ୍ତାଧାରା ଏ ଦେଶରେ ପ୍ରଚାର କରାଯିବ? କ’ଣ ଦ୍ରାବିଡ଼ ବନାମ ଆର୍ଯ୍ୟ ବିବାଦ ଏ ଦେଶରେ ଜନ୍ମ ନେବ? ଏହି ଆଶଙ୍କା ମୋତେ ନିର୍ବାଚନ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ବ୍ୟସ୍ତ କରିଥିଲା।
କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ବିଜେପି ବେଶ କିଛି ଆସନ ପାଇବାରୁ ଜଣାପଡୁଛି ଯେ ବିଜେପି ପ୍ରତି ଜନ ସମର୍ଥନ ରହିଛି। ଏହି ହେତୁ ବିଭାଜନ ରାଜନୀତି ଆଗାମୀ ଦିନରେ ଆଉ ଦେଖିବାକୁ ମିଳିବ ନାହିଁ। ଏହା ସବୁଠାରୁ ବଡ଼ ଆଶ୍ଵସ୍ତି।
ଏହା ସହିତ ଅନ୍ୟ ଏକ ଖୁସିର କଥା ହେଲା ଯେ କୃଷକମାନେ ଯେ ନିର୍ବାଚନକୁ ପ୍ରଭାବିତ କରିପାରିବେ ଏହା ଅଶି ଦଶକ ପରଠାରୁ କେବେ ଦେଖାଯାଇନଥିଲା। ଏହା ବହୁତ ବଡ଼ କଥା। ହୁଏତ ଅଶି ଦଶକରେ ମହେନ୍ଦ୍ର ସିଂହ ଟିକାୟତ (ଉତ୍ତର ପ୍ରଦେଶ), ଶରଦ ଯୋଶୀ (ମହାରାଷ୍ଟ୍ର) ଓ ନଞ୍ଜୁଦାସ୍ୱାମୀ (କର୍ଣ୍ଣାଟକ)ଙ୍କ ନେତୃତ୍ଵରେ ଚାଲିଥିବା କୃଷକ ଆନ୍ଦୋଳନ ଦିନେ ଜାତୀୟ ନିର୍ବାଚନକୁ ପ୍ରଭାବିତ କରିପାରିଥିଲା। ଏହାର ପରିଣାମରେ ଜନତା ଦଳରୁ ବିଶ୍ଵନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଏହି କାରଣରୁ କୃଷକଙ୍କୁ ନିଜ ଉତ୍ପାଦନର ସର୍ବନିମ୍ନ ମୂଲ୍ୟ ଦେବା ଲାଗି ସରକାର ବାଧ୍ୟ ହୋଇଥିଲେ ଓ ଦେଶରେ ଆର୍ଥିକ ସଂସ୍କାର ଲାଗୁ ହେବାରେ ବିଲମ୍ଭ ହୋଇପାରିଥିଲା।
ଦୁଇ ବର୍ଷ ତଳେ କୃଷକ ଆନ୍ଦୋଳନ ମୁଖ୍ୟତଃ ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନର କେତେକ ଅଞ୍ଚଳରେ ଅଧିକ ସଂଗଠିତ ହୋଇଥିଲା। ଗ୍ରାମାଞ୍ଚଳରେ କୃଷକମାନଙ୍କ ବିରୋଧ କାରଣରୁ ବିଜେପି ଗଲା ୨୦୧୯ ମସିହାର ନିର୍ବାଚନରେ ଯେଉଁଠି ୧୯୫ଟି ଆସନ ପାଇଥିଲା ଏଥର ଗ୍ରାମାଞ୍ଚଳରୁ ୧୪୭ ଆସନ ପାଇଛି। ସେହିଭଳି ଗ୍ରାମାଞ୍ଚଳରେ ବିଜେପିର ଭୋଟହାର ଅନେକ କମିଛି ଯଦିଓ ସହରାଞ୍ଚଳରେ ବିଜେପିର ଭୋଟ ହାର ଅନେକ ବଢିଛି।
ଏହା ଦ୍ଵାରା ଅନ୍ତତଃ ଆଗାମୀ ଦିନରେ କୃଷିର କର୍ପୋରେଟକରଣର ଗତିରେ ହୁଏତ ରୋକ ଆସିବ। କେନ୍ଦ୍ର ସରକାର କୃଷିର ଆଧୂନିକୀକରଣ (ଡିଜିଟାଲ କୃଷି) ନାମରେ ଯେଉଁ ଗତିରେ ବିଭିନ୍ନ କମ୍ପାନୀମାନଙ୍କୁ ହସ୍ତଗତ କରୁଥିଲେ ତାହାକୁ କରିବା ଲାଗି ନୂତନ ସରକାର ସମୟରେ ଆଉ ଆଗ୍ରହୀ ହୋଇନପାରନ୍ତି। କାରଣ ଏହାପରେ ପୁଣି ମହାରାଷ୍ଟ୍ର, ହରିୟାନା, ବିହାର ଓ ଏହା ପରେ ପରେ ଉତ୍ତର ପ୍ରଦେଶର ରାଜ୍ୟ ନିର୍ବାଚନ ମଧ୍ୟ ହେବାର ଅଛି।
କିନ୍ତୁ ଉଦବେଗର ବିଷୟ ଯେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ଖଣିଜ ସମ୍ପଦ ଭରା ଅଞ୍ଚଳରେ ବିଜେପି ପୂର୍ଣ୍ଣ ବହୁମତ ପାଇଛି। ଏହି ସମସ୍ତ ହେଉଛି ଆଦିବାସୀ ବହୁଳ ଅଞ୍ଚଳ। କେନ୍ଦ୍ରର ବିଜେପି ହେଉ ଅଥବା କଂଗ୍ରେସ ସମସ୍ତେ ଖଣିର ଆଧୂନିକୀକରଣ ଓ ଖଣିଭିତ୍ତିକ ଅର୍ଥନୀତି ଉପରେ ଭରସା କରିଛନ୍ତି।
ଏହି କାରଣରୁ ଉକ୍ତ ଅଞ୍ଚଳରେ ସର୍ବଦା ଆଦିବାସୀ ସଂଗଠନ ଉପରେ ସରକାରୀ ଦମନ ବଢ଼ିଛି। ଅନେକ ଲୋକ ଜେଲ ଯାଇଛନ୍ତି ଓ ପୁଲିସ ଗୁଳିରେ କେତେକ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ଲୋକଙ୍କ ସହିତ ଆଲୋଚନା କରି ପ୍ରକଳ୍ପ କରିବାର ସପକ୍ଷରେ କେବେ କୌଣସି ସରକାର କଦାପି ଆଗ୍ରହୀ ହୋଇନାହାନ୍ତି। ସେମାନେ ଆଇନକୁ ମଧ୍ୟ ସମ୍ମାନ ଦେବା, ଗ୍ରାମସଭାର ଅନୁମତି ନେବା, ଜନଶୁଣାଣୀ ସ୍ୱଚ୍ଛ ଉପାୟରେ କରିବା ଭଳି କାର୍ଯ୍ୟ ମଧ୍ୟ କରିନାହାନ୍ତି।
ଏହି ସମସ୍ତ ରାଜ୍ୟରେ ସରକାରୀ ବିରୋଧୀ ମନୋଭାବ କାରଣରୁ ଆଦିବାସୀମାନେ ବର୍ତ୍ତମାନର ରାଜ୍ୟ ସରକାରଙ୍କୁ ବିରୋଧ କରିବାକୁ ଯାଇ ବିଜେପିକୁ ବିକଳ୍ପ ଭାବରେ ବାଛିଛନ୍ତି। ଓଡ଼ିଶାରେ ବିଜେଡି ଓ ଝାଡ଼ଖଣ୍ଡରେ ମୁକ୍ତିମୋର୍ଚ୍ଚା ବିରୋଧୀ ମାନସିକତାର ସୁବିଧା ବିଜେପି ପାଇଛି। ଦକ୍ଷିଣ ଓଡ଼ିଶାରେ ଏହା କେବଳ କଂଗ୍ରେସ ସପକ୍ଷରେ ଯାଇଛି। କିନ୍ତୁ ଛତିଶଗଡ଼ରେ ୨୦୨୩ ମସିହାର ନିର୍ବାଚନର ପ୍ରଭାବ ଲୋକସଭା ନିର୍ବାଚନରେ ପଡ଼ିଛି। ସେଠାରେ କଂଗ୍ରେସ ପାର୍ଟିକୁ ହରାଇ ବିଜେପି ୨୦୨୩ରେ କ୍ଷମତାକୁ ଆସିଥିଲା।
ବିଜେପି ନେତୃତ୍ଵାଧୀନ ସରକାର ଦ୍ଵାରା ଗଲା ଦଶ ବର୍ଷ ମଧ୍ୟରେ ନୂତନ ଜମି ଅଧିଗ୍ରହଣ ଆଇନ (୨୦୧୩)କୁ ସ୍ବୀକୃତି ନଦେବା, ଆଦିବାସୀ ବହୁଳ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ (୨୦୦୬) ବଳରେ ଗୋଷ୍ଠୀଗତ ଅଧିକାର ଅନେକ ସ୍ଥାନରେ ନଦେବା, ନୂତନ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନକୁ ସ୍ୱୀକୃତି ଦେବା (ଯାହା ଦ୍ଵାରା ସୁପ୍ରିମ କୋର୍ଟଙ୍କ ୧୯୯୬ ମସିହାର ଜଙ୍ଗଲକୁ ନେଇ ରହିଥିବା ସଜ୍ଞା ଅକାମି ହୋଇଗଲା), ଲ୍ୟାଣ୍ଡ ବ୍ୟାଙ୍କ ବ୍ୟବସ୍ଥାକୁ ଅନେକ ରାଜ୍ୟରେ ଲାଗୁ କରିବା, ନୂତନ ପରିବେଶ ଆଇନ ପ୍ରଣୟନ ଲାଗି ଉଦ୍ୟମ କରିବା ଯେଉଁଥିରେ ଜନଶୁଣାଣୀ ଅନାବଶ୍ୟକ ହୋଇଯିବ (ବିରୋଧ କାରଣରୁ ଏହା ସ୍ଥଗିତ ରହିଥିଲା) ଇତ୍ୟାଦି କେନ୍ଦ୍ର ସରକାରଙ୍କ ଉଦ୍ୟମ ସମଗ୍ର ଆଦିବାସୀ ଅଞ୍ଚଳ ଲାଗି ଧ୍ୱଂସକାରୀ ସାଜିଥିଲା।
ବିଜେପି ନିଜର ଗଲା ଦଶବର୍ଷର ଶାସନ ସମୟରେ ଆଦିବାସୀ ଅଞ୍ଚଳକୁ ଦିଲ୍ଲୀର ସଂପୂର୍ଣ୍ଣ ଉପନିବେଶ କରିଦେଇଛି। କିନ୍ତୁ ଆଦିବାସୀ ଅଞ୍ଚଳରେ ବିଭାଜନ ରାଜନୀତି ଯେ ସକ୍ରିୟ ରହିଛି ଓ ଆଦିବାସୀ ଗୋଷ୍ଠୀଙ୍କ ଧାର୍ମିକ ପରମ୍ପରାର ଯଥେଷ୍ଟ ହିନ୍ଦୁକରଣ ହୋଇଗଲାଣି ଏହି ନିର୍ବାଚନ ତାହାର ସୂଚନା ଦେଉଛି। ଦକ୍ଷିଣପନ୍ଥୀ ଗୋଷ୍ଠୀ ଆଦିବାସୀ ଅଞ୍ଚଳରେ ଯେ ସକ୍ରିୟ ହୋଇଯାଇଛନ୍ତି ଏହା ତାହାର ନମୁନା।
ଆଦିବାସୀଙ୍କ ଭଳି ଦଳିତ ବର୍ଗର ହିନ୍ଦୁକରଣ ହେବା କାରଣରୁ ନିର୍ବାଚନରେ ବିଜେପିକୁ ସୁବିଧା ମିଳିଛି। ଦଳିତ ନେତୃବର୍ଗ ଓ ସେମାନଙ୍କ ରାଜନୈତିକ ଦଳ ଜାତି ବିରୋଧୀ ଆନ୍ଦୋଳନରୁ କଣ ଓହରି ଆସିଲେ କି?
ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ନିଜର ପ୍ରତିଦ୍ଵନ୍ଦୀ କଂଗ୍ରେସ ଅଥବା ସମାଜବାଦୀ ପାର୍ଟିଠାରୁ ଯେତିକି ଅଧିକ ଭୋଟ ପାଇଛି ତାହା ସେହି ନିର୍ବାଚନ ମଣ୍ଡଳୀର ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ପାଇଥିବା ଭୋଟଠାରୁ ଯଥେଷ୍ଟ କମ। ଅର୍ଥାତ ଯଦି ବିଏସପି ‘ଇଣ୍ଡିଆ’ ମେଣ୍ଟ ସହିତ ବୁଝାମଣା କରିଥାନ୍ତା ତେବେ ଉତ୍ତର ପ୍ରଦେଶର ଅଧିକ ୧୬ଟି ଆସନ ବିଜେପିକୁ ନଯାଇ କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟକୁ ଯାଇଥାନ୍ତା। ବିଏସପି ଭଳି ମହାରାଷ୍ଟ୍ରରେ ପ୍ରକାଶ ଆମ୍ବେଦକର ନେତୃତ୍ଵାଧୀନ ‘ବହୁଜନ ବଞ୍ଚିତ ଅଘାଡି’ ଚାରୋଟି ଆସନରେ ବିଜେପିକୁ ସହଯୋଗ କରିଛି। ଉଭୟ ବିଏସପି ଓ ବହୁଜନ ବଞ୍ଚିତ ଅଘାଡି କୌଣସି ମେଣ୍ଟକୁ ନଯାଇ ସ୍ଵାଧୀନ ଭାବରେ ଭୋଟ ଲଢିବା ଦ୍ଵାରା ଦଳିତ ଭୋଟର ବିଭାଜନ ଘଟିଲା ଯାହାର ସୁବିଧା ବିଜେପିକୁ ଯାଇଛି।
ବିଜେପି ଏଥର ମଧ୍ୟ ଉଚ୍ଚ ଜାତିର ସାଂସଦଙ୍କୁ ଅଧିକ ସଂଖ୍ୟାରେ ଜିତାଇଛି। ଏପରିକି ସମଗ୍ର ଏନଡ଼ିଏ ମେଣ୍ଟ ମଧ୍ୟରେ ରହିଥିବା ସମୁଦାୟ ୨୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ୩୩.୨ % ଉଚ୍ଚ ଜାତିର ଅଛନ୍ତି। ଦଳିତ ମାତ୍ର ୧୩ %, ଆଦିବାସୀ ୧୦.୮ ପ୍ରତିଶତ ଅଛନ୍ତି। ଜଣେ ହେଲେ ଖ୍ରୀଷ୍ଟିୟାନ, ମୁସଲମାନ, ବୌଦ୍ଧ ଓ ଶିଖ ଧର୍ମାଲମ୍ବୀ ସଦସ୍ୟ ବିଜେପିରେ ନିର୍ବାଚିତ ହୋଇନାହାନ୍ତି।
ମାତ୍ର ୧୩ ପ୍ରତିଶତ ମହିଳା ସାଂସଦ ଶାସକ ବିଜେପି ଦଳରେ ରହିଛନ୍ତି। ଏହା ଅବଶ୍ୟ ଜାଣିବାର କଥା ଯେ ଏହି ନିର୍ବାଚନରେ ମହିଳାଙ୍କ ତୁଷ୍ଟି କରଣ ଲାଗି କେନ୍ଦ୍ର ସରକାର ସେଭଳି କୌଣସି ଉଦ୍ୟମ କରିନାହାନ୍ତି। ଗଲା ନିର୍ବାଚନ ସମୟରେ ଉଜ୍ଵଳା ଯୋଜନା ଓ ମୁସଲମାନ ମହିଳାଙ୍କ ଲାଗି ତଲାକ ପ୍ରଥାର ଉଚ୍ଛେଦ ନିଷ୍ପତ୍ତି ମହିଳାଙ୍କୁ ଅଧିକ ସଂଖ୍ୟାରେ ବିଜେପିକୁ ଭୋଟ ଦେବା ପ୍ରବର୍ତ୍ତାଇଥିଲା। ବୋଧହୁଏ ବିଜେପି ‘୪୦୦ ପାର’ର ସ୍ଵପ୍ନରେ ମସଗୁଲ ରହି ଏଥର ମହିଳା ଭୋଟକୁ ଆକର୍ଷିତ କରିବା ପ୍ରାୟ ଛାଡ଼ିଦେଇଥିଲା।
ବିଜେପିର ବିଭିନ୍ନ ସଦସ୍ୟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିବା ଅଥଚ ନା ଦଳ ନା ସରକାର ଅପରାଧୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନନେବା ଦେଶର ମହିଳା ବର୍ଗଙ୍କୁ କ୍ଷୁବ୍ଧ କରିଛି। ମଣିପୁର ଓ ଉତ୍ତର ପ୍ରଦେଶ ଏହାର ଉଦାହରଣ ହେବ।
ଧର୍ମ ଯେ ରାଜନୀତିଠାରୁ ଭିନ୍ନ ଓ ରାମ ମନ୍ଦିର ଯେ ଆଦୌ ପ୍ରସଙ୍ଗ ନୁହେଁ ଏହା ଉତ୍ତର ପ୍ରଦେଶର ଫଳାଫଳରୁ ସ୍ପଷ୍ଟ। ସେଠାରେ ୨୦୧୯ ତୁଳନାରେ ୨୦୨୪ ନିର୍ବାଚନରେ କମ ସାଂସଦ ବିଜେପିରୁ ଜିତିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ତୋଳିବା ଲାଗି ସହରର ଯେଉଁଭଳି ଅନେକ ଗୃହକୁ ଭାଙ୍ଗି ଦିଆଗଲା ତାହାର ପ୍ରତିକ୍ରିୟାରେ ଏଠାରୁ (ଫଇଜାବାଦ ଆସନ) ବିଜେପି ହାରିବା ସହିତ ସମାଜବାଦୀ ପାର୍ଟିର ଦଳିତ ସଦସ୍ୟ ଅବଦେଶ ପ୍ରସାଦ ୫୪ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ଯଦି ଭଗବାନ ରାମ ନିର୍ବାଚନ ପ୍ରସଙ୍ଗ ହୋଇଥାନ୍ତେ ତେବେ ଅଯୋଧ୍ୟା (ଫଇଜାବାଦ ଆସନ), ଚିତ୍ରକୁଟ (ବାନ୍ଦା), ପ୍ରୟାଗରାଜ (ଆଲ୍ଲାହାବାଦ ଆସନ) ଇତ୍ୟାଦି ଆସନରୁ ବିଜେପିର ପରାଜୟ ହୋଇନଥାନ୍ତା। ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ସମାପ୍ତି କରିବାରୁ ଯାହା ଶାସକ ଦଳ ଆଶା କରୁଥିଲା ତାହା ଫଳିଲା ନାହିଁ।
ନିର୍ବାଚନ କମିଶନଙ୍କ ଭୂମିକା ଗଲା ୪୦-୫୦ ବର୍ଷ ମଧ୍ୟରେ ଏଭଳି କଦର୍ଯ୍ୟ ହୋଇନଥିଲା ଯାହା ବର୍ତ୍ତମାନ ହୋଇଛି। ନିର୍ବାଚନ ଘୋଷଣାର ଯଥେଷ୍ଟ ପୂର୍ବରୁ ବିଜେପି ନିର୍ବାଚନ କମିଶନଙ୍କୁ ନିଜ ସପକ୍ଷରେ ବ୍ୟବହାର କରିବା ଲାଗି କମିଶନର ଚୟନ ପ୍ରକ୍ରିୟାରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କଙ୍କୁ ବାଦ ଦେଇଥିଲା। ଏହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଥିଲା। ତେଣୁ ସରକାରୀ ଦଳ ସପକ୍ଷରେ ତିନି ନିର୍ବାଚନ କମିଶନର ଅନେକ କାର୍ଯ୍ୟ କଲେ ଯାହା କରିବାର ନଥିଲା ଓ ଅନେକ କାର୍ଯ୍ୟ କଲେ ନାହିଁ ଯାହା ତାଙ୍କୁ କରିବାର ଥିଲା।
ନିର୍ବାଚନ ଲାଗି ଯେଉଁଠି ମାତ୍ର କୋଡ଼ିଏ ଦିନ ଲାଗୁଥିଲା ସେଠାରେ ସମସ୍ତ ଯୋଗାଯୋଗର ସୁବିଧା ଓ ଆଧୁନିକ ଯନ୍ତ୍ରର ସୁବିଧା ଥାଇ ଦୁଇ ମାସ ସମୟ ନେବା, ପ୍ରତ୍ୟେକ ଫେଜର ନିର୍ବାଚନ ଶେଷ ହେବା ମାତ୍ରେ ସମୁଦାୟ ଭୋଟ ସଂଖ୍ୟାକୁ ଦୀର୍ଘ ଦିନ ଲୁଚାଇରଖିବା, ଅନେକ ବ୍ୟକ୍ତିଙ୍କ ସାମ୍ପ୍ରଦାୟିକ ବକ୍ତବ୍ୟ ସତ୍ତ୍ୱେ କୌଣସି କାର୍ଯ୍ୟନୁଷ୍ଠାନ ନନେବା ଇତ୍ୟାଦିରୁ ଜଣାପଡ଼େ ଯେ କମିଶନ ଶାସକ ଦଳର ସପକ୍ଷରେ କାମ କରୁଥିଲା। ଏବେ ଲୋକେ ଦାବି କରୁଛନ୍ତି ଯେ ଏଭଳି କମିଶନ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ମାମଲା ରୁଜ୍ଜୁ ହେବା ଜରୁରୀ। ଏହା କମ ଲଜ୍ଜାର ବିଷୟ ନୁହେଁ।
ନିର୍ବାଚନ ଗଣତନ୍ତ୍ରର ଅଂଶ। ଆଜି ଗଣତନ୍ତ୍ର କହିଲେ ତାହା କେବଳ ନିର୍ବାଚନ ମଧ୍ୟରେ ସୀମିତ ହୋଇରହିଛି। ସେଥିରେ ଯଦି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ଵ ବୋଧ ନଆସେ ତେବେ ତାହା ଏକ ଡିକ୍ଟେଟରକୁ ଜନ୍ମ ଦେବ। ଆମ ଗଣତନ୍ତ୍ରରେ ଅନେକ ସଂସ୍କାର ଆସିବା ଦରକାର ଯାହା ଦ୍ଵାରା ଗଣତନ୍ତ୍ର ସମଗ୍ର ସମାଜର ପ୍ରତିନିଧିତ୍ଵ କରିପାରୁଥିବ।
ଫୋନ- ୯୪୩୭୭୬୨୨୭୨