Advertisment

ନିର୍ବାଚନ କମିଶନ ଓ ରାହୁଲ ଗାନ୍ଧୀଙ୍କ ଧମକପୂର୍ଣ୍ଣ ଭାଷା

ନରମ ଭାଷାରେ ମଧ୍ୟ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଥିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାନ୍ତା। ଯାହା ଦେଖାଯାଉଛି ଭାରତୀୟ ବ୍ୟବସ୍ଥା ଏତେ ଧ୍ରୁବୀକରଣରେ ପରିଣତ ହେଲାଣି ଯେ, ଭାଷାଗତ ସାଧୁତା ଓ ସଂଯମତା ରକ୍ଷା କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି।

Rahul Gandhi And CEC

Rahul Gandhi And CEC

Advertisment

ରବି ଦାସ

୨୦୨୪ ଲୋକସଭା ଓ ପରବର୍ତ୍ତୀ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନଗୁଡ଼ିକରେ ଭୋଟର୍ ତାଲିକା, ଭୋଟ୍ ପ୍ରଦାନ ବ୍ୟବସ୍ଥାରେ ବହୁପ୍ରକାର ଅନିୟମିତତା ବା ଫର୍ଜି କରାଯାଇଥିବାର ଅଭିଯୋଗ କରି ରାହୁଲ ଗାନ୍ଧୀ ସିଧାସଳଖ ନିର୍ବାଚନ କମିଶନଙ୍କ ପତିଆରା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କିପରି ସବୁ ଅନିୟମିତତା କରାଯାଇଥିଲା ସେ ସଂକ୍ରାନ୍ତରେ ଏକ ଲେଖା ଭାରତର ଅଧିକାଂଶ ଗଣମାଧ୍ୟମରେ ପ୍ରକାଶ କରିଥିଲେ।

Advertisment

ଏହି ବିବାଦ ଚାଲିଥିବା ଭିତରେ ଚଳିତ ମାସରେ କର୍ଣ୍ଣାଟକର ଏକ ଲୋକସଭା ଆସନ ବେଙ୍ଗାଲୁରୁ ସାଉଥ୍‌ ଅନ୍ତର୍ଗତ ଏକ ବିଧାନସଭା ଆସନ ମହାଦେବପୁରରେ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭୋଟର୍ ତାଲିକାରେ ଜାଲିଆତି କରାଯାଇ ୧ ଲକ୍ଷ ଭୋଟ୍ ଚୋରୀ ହୋଇଥିବାର ଏକ ଅଭିଯୋଗ ସମସ୍ତ ଦସ୍ତାବିଜ୍ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଜରିଆରେ ପଦାକୁ ଆଣିଥିଲେ। ଏହାକୁ ରାହୁଲ ଗାନ୍ଧୀ ଏକ ଆଟମ୍ ବମ୍ ବୋଲି ଉଲ୍ଲେଖ କଲେ। ଏହି ବିଧାନସଭା ଆସନର ଭୋଟର୍ ତାଲିକା ନିର୍ବାଚନ କମିଶନଙ୍କଠାରୁ ଆଣି ତା’ ଉପରେ ୬ ମାସ ଧରି ଭୋଟର୍ ୱାରି ତଥ୍ୟଗୁଡ଼ିକ ଉପସ୍ଥାପିତ କରି ଗୋଟିଏ ବିଧାନସଭା ଆସନରେ ୧ ଲକ୍ଷ ଭୋଟ୍ ଚୋରୀ ହୋଇଥିବାର ଅଭିଯୋଗ କରି ଦର୍ଶାଇଥିଲେ ଯେ, ସେହି ଲୋକସଭା ଆସନଟିରେ କଂଗ୍ରେସ ପ୍ରାର୍ଥୀ ଜିତିବା ବଦଳରେ ବିଜେପି ୩୦ ହଜାରରୁ ଅଧିକ ଭୋଟ୍‌ରେ ନିର୍ବାଚିତ ହେଲା। କୌଣସି ନିର୍ବାଚନ ନେଇ କିଛି ଅବ୍ୟବସ୍ଥା ଥିଲେ ଭୋଟ୍ ଫଳାଫଳ ପ୍ରକାଶର ୪୫ ଦିନ ଭିତରେ ମାମଲା ଦାୟର କରିବାର ଥିବା ବ୍ୟବସ୍ଥା ଅନୁପାଳନ କରାନଯାଇ ଏବେ ରାହୁଲ ଗାନ୍ଧୀ ଯାହା କହୁଛନ୍ତି ତାହାକୁ ଏକ ଅଭିଯୋଗ ଭାବରେ ନେବା ପାଇଁ ନିର୍ବାଚନ କମିଶନ ଏହି ତଥ୍ୟଗୁଡ଼ିକ ଉପରେ ରାହୁଲ ଗାନ୍ଧୀ ପ୍ରଥମେ ହଲପନାମା କରନ୍ତୁ ବୋଲି କହିଲେ।

ରାହୁଲ ଗାନ୍ଧୀ ଯେପରି ଭାବରେ ଏହି ସମସ୍ତ ବିଷୟକୁ ଉପସ୍ଥାପିତ କଲେ ତାହା ଅଧିକାଂଶ ବିରୋଧୀମାନଙ୍କୁ ପ୍ରଭାବିତ କଲା। କାରଣ ରାହୁଲ ଗାନ୍ଧୀ ପ୍ରକାଶ କଲେ ଯେ, ଏହିପରି ଭାବରେ କେତେକ ଆସନରେ ଭୋଟର୍ ତାଲିକାରେ ଫର୍ଜି ବ୍ୟବସ୍ଥା ଯୋଗୁ ଓ ଜଣେ ବ୍ୟକ୍ତି ଏକାଧିକ ଆସନରେ ଭୋଟ୍ ଦେବା ଯୋଗୁ ବିଜେପି ଲାଭବାନ୍ ହୋଇ ପ୍ରାୟ ୨୦-୨୫ଟି ଆସନ ଅଧିକ ପାଇଛି। ଏହା ନ ହୋଇଥିଲେ ଦିଲ୍ଲୀରେ ମୋଦୀଙ୍କର ତୃତୀୟଥର ସରକାର ସମ୍ଭବ ହୋଇନଥାନ୍ତା। ଏହା ସତ୍ୟ ଯେ, ନିର୍ବାଚନରେ ବିଜେପି ଏଥର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନପାଇ ୨୪୦ଟି ଆସନ ପାଇଥିଲା ଓ ଏନ୍‌ଡିଏର ଅଂଶୀଦାର ଜନତା ଦଳ(ୟୁ) ଓ ଚନ୍ଦ୍ରଭାନୁ ନାଇଡୁଙ୍କ ତେଲୁଗୁ ଦେଶମ୍ ସମର୍ଥନ ଯୋଗୁ ସରକାର ଗଠନ ସମ୍ଭବ ହେଲା।

Advertisment

ତେବେ, ଏହି ଯୁକ୍ତିରେ ପୂରା ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇପାରିବ ନାହିଁ। ରାହୁଲ ଗାନ୍ଧୀ ଏହା ଜାଣିଥିଲେ ମଧ୍ୟ ମହାଦେବପୁର ବିଧାନସଭା ଆସନର ଭୋଟର୍ ବିଶ୍ଳେଷଣରେ ସେ ଯେଉଁ ୧ ଲକ୍ଷ ଭୋଟର୍ ଫର୍ଜି ଭାବରେ ଯୋଡ଼ା ହୋଇଥିବା ଅଭିଯୋଗ ଆଣି ଯୁକ୍ତିକୁ ସଂପ୍ରସାରିତ କଲେ ତା’ର ଉତ୍ତର ହୁଏତ ନିର୍ବାଚନ କମିଶନ ସେହି ବିଧାନସଭା ଆସନର ବାସ୍ତବ ଚିତ୍ର ପ୍ରଦାନ କରି ଅଭିଯୋଗ ଅସତ୍ୟ ବୋଲି କହିପାରିଥାନ୍ତେ। ସେହିପରି ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଭିତରେ ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ଯୋଡ଼ି ହୋଇଯିବା ଓ ଭୋଟ୍ ସମୟରେ ଅପରାହ୍ନ ୫ଟା ପରେ ହଠାତ୍ ବହୁ ପରିମାଣରେ ଲୋକ ଭୋଟ୍ ଦେବା ତଥ୍ୟକୁ ଆଣିବାକୁ ଚେଷ୍ଟା କରିଥିଲେ। ନିର୍ବାଚନ ବିରୋଧରେ ଥିବା ସିସିଟିଭି କ୍ୟାମେରାରେ ୫ଟା ପରେ କେତେ ଲୋକ ଥିଲେ ତାହାର ତଥ୍ୟ ଦେବାପାଇଁ କଂଗ୍ରେସ ଜିଦ୍ କଲେ ମଧ୍ୟ ନିର୍ବାଚନ ଆଇନର ନିୟମରେ ସଂଶୋଧନ କରାଯାଇ ସିସିଟିଭି କ୍ୟାମେରାର ତଥ୍ୟ ଉପଲବ୍ଧ ହେବନାହିଁ ବୋଲି ବ୍ୟବସ୍ଥା କଲେ।

ସେ ଯାହା ହେଉ ଏହି ପ୍ରସଙ୍ଗଟି ସଙ୍ଗୀନ ଅବସ୍ଥାରେ ଥିବା ସମୟରେ ବିହାରରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର୍ ତାଲିକା ସଂଶୋଧନ ପ୍ରକ୍ରିୟାରେ ପ୍ରଥମେ ପ୍ରକାଶିତ ହୋଇଥିବା ଭୋଟର୍ ଚିଠା ତାଲିକାରେ ୬୫ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ଘଟଣା ବିରୋଧୀମାନଙ୍କୁ ଅଧିକ ସଂଗଠିତ କରିଥିଲା। ଗୋଟିଏ ପକ୍ଷରେ ମହାଦେବପୁର ବିଧାନସଭା ଆସନର ବିଶ୍ଳେଷଣକୁ ନେଇ ରାହୁଲ ଗାନ୍ଧୀଙ୍କର ଭୋଟ୍ ଚୋରୀ ଅଭିଯୋଗ ସହିତ ବିହାର ସ୍ୱତନ୍ତ୍ର ସଘନ ଭୋଟର୍ ତାଲିକା ସଂଶୋଧନ ଘଟଣା ଯୋଗୁ ପ୍ରଥମ ଥର ପାଇଁ ପାର୍ଲାମେଂଟର ବିରୋଧୀ ପକ୍ଷର ପ୍ରାୟ ୩୦୦ ସାଂସଦ ଏକାଠୀ ହୋଇ ନିର୍ବାଚନ କମିଶନକୁ ସାକ୍ଷାତ କରିବା ପାଇଁ ରାସ୍ତାରେ ମାର୍ଚ କଲେ। ସେମାନଙ୍କୁ ଅଟକାଇ ଦିଆଗଲେ ମଧ୍ୟ ଏହିସବୁ ଘଟଣାକୁ ନେଇ ସାଧାରଣରେ ଏକ ଆଲୋଡ଼ନ ସୃଷ୍ଟି ହେଲା। ସେଥିମଧ୍ୟରେ ବିହାର ଘଟଣାରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରି ଯେଉଁ ୬୫ ଲକ୍ଷ ଭୋଟର୍‌ଙ୍କର ନାମ କଟିଛି ତାହାକୁ ସାର୍ବଜନୀନ କରିବା ପାଇଁ ନିର୍ବାଚନ କମିଶନକୁ ନିଦ୍ଦେଶ ଦେଲେ। କେବଳ ସେତିକି ନୁହେଁ ଯେଉଁମାନଙ୍କର ଭୋଟର୍ ତାଲିକାରୁ ନାମ କମିଛି ସେମାନେ ନିଜ ବିଷୟରେ ପ୍ରମାଣ ଦେବା ପାଇଁ ଆଧାର କାର୍ଡ ବ୍ୟବହାର କରିପାରିବେ ବୋଲି କୁହାଗଲା। ଯାହା ପୂର୍ବରୁ ନିର୍ବାଚନ କମିଶନର ଗ୍ରହଣ ନକରି ୧୧ଟି ଦସ୍ତାବିଜ୍ ଉପରେ ସେମାନଙ୍କର ଭୋଟର୍ ତାଲିକା ସଂଶୋଧନ କାର୍ଯ୍ୟକୁ ସୀମିତ ରଖିଥିଲେ।

ଏହି ଘଟଣାଗୁଡ଼ିକ ପରେ ନିର୍ବାଚନ କମିଶନର ବେଶ୍ ସାହସ ପ୍ରଦର୍ଶନ କରି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କ ବିରୋଧରେ ହେଉଥିବା ଅଭିଯୋଗକୁ ଅସତ୍ୟ କହିବା ସହିତ ଏସ୍‌ଆଇଆର୍ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। କିନ୍ତୁ ସେହି ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ଅଭିଯୋଗ ଉପରେ ନିର୍ଦ୍ଦିଷ୍ଟ ଉତ୍ତର ନଦେଇ ହଲପନାମା ଜରିଆରେ ରାହୁଲ ଗାନ୍ଧୀ ତାଙ୍କ ଅଭିଯୋଗ ୭ ଦିନ ଭିତରେ ଦାଖଲ ନକଲେ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ଓ ତାଙ୍କର ଅଭିଯୋଗ ନିରାଧାର ବୋଲି ପ୍ରମାଣିତ ହେବ ବୋଲି ସ୍ପଷ୍ଟ ଭାବେ କହିଥିଲେ। ନିର୍ବାଚନ କମିଶନଙ୍କ ବକ୍ତବ୍ୟରେ ସିଧାସଳଖ ରାହୁଲ ଗାନ୍ଧୀଙ୍କ ପ୍ରତି ଏକ ଧମକପୂର୍ଣ୍ଣ ବାର୍ତ୍ତା ରହିଥିଲା। ଯଦିଓ ନିର୍ବାଚନ କମିଶନର ଏହି ଉତ୍ତର ଏପରି ନଦେଇ ଅଭିଯୋଗଗୁଡ଼ିକର ତଦନ୍ତ କରାଯାଉଛି ଓ ତଥ୍ୟ ପ୍ରମାଣ ନଥିଲେ କେହି ଏପରି ଅଭିଯୋଗ କରି ନିର୍ବାଚନ କମିଶନ ପରି ଏକ ସାମ୍ବିଧାନିକ ସଂସ୍ଥାର ପତିଆରା ନଷ୍ଟ କରିବା ଉଚିତ୍ ନୁହେଁ ବୋଲି କହିପାରିଥାନ୍ତେ।

ସେହି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ କେତେକ ସାମ୍ବାଦିକ ଭୋଟର୍ ତାଲିକାରେ ଫର୍ଜି ହୋଇଥିବା ନେଇ ବିଜେପି ନେତା ଅନୁରାଗ ଠାକୁର ଦେଇଥିବା ମନ୍ତବ୍ୟ ଉଲ୍ଲେଖ କରିଥିଲେ। କାରଣ ଅନୁରାଗ ଠାକୁର ତାଙ୍କ ବକ୍ତବ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଖିଲେଶ ଯାଦବ, ଡିମ୍ପଲ୍ ଯାଦବ ଓ ପଶ୍ଚିମ ବଙ୍ଗର ତୃଣମୂଳ ସଂସଦ ଅଭିଷେକ ବାନାର୍ଜୀଙ୍କ ନିର୍ବାଚନ ମଣ୍ଡଳୀ ସହିତ ଷ୍ଟାଲିନ୍ ପ୍ରତିଦ୍ୱନ୍ଦିତା କରୁଥିବା ବିଧାନସଭା ଆସନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭୋଟର୍ ଫର୍ଜି ହୋଇଥିବା ଅଭିଯୋଗ କରିଥିଲେ। ଯଦିଓ ଅନୁରାଗ ଠାକୁର ନିର୍ବାଚନ କମିଶନକୁ ଏଥିପାଇଁ ଦାୟୀ କରିନଥିଲେ କିନ୍ତୁ ତାଙ୍କର ମନ୍ତବ୍ୟ ଓ ରାହୁଲଙ୍କ ଅଭିଯୋଗ ଭିତରେ ଗୋଟିଏ କଥା ରହିଥିଲା ଯେ, ଭୋଟର୍ ତାଲିକାରେ ଫର୍ଜି ହୋଇଛି। କିନ୍ତୁ ନିର୍ବାଚନ କମିଶନରକୁ ଯେତେ ପଚରାଗଲେ ମଧ୍ୟ ରାହୁଲଙ୍କୁ ସେ ଯେପରି ଶପଥ ପାଠ ନକଲେ କ୍ଷମାମାଗନ୍ତୁ ଓ ତାଙ୍କ ଅଭିଯୋଗ ନିରାଧାର ବୋଲି କହିଲେ ତାହା ଅନୁରାଗ ଠାକୁରଙ୍କ କ୍ଷେତ୍ରରେ ନକରି ନୀରବ ରହିଥିଲେ।

କିନ୍ତୁ ରାହୁଲ ଗାନ୍ଧୀ ସମ୍ଭବତଃ ନିର୍ବାଚନ କମିଶନଙ୍କ ଧମକରେ କ୍ରୋଧାନ୍ୱିତ ହୋଇ ବିହାରରେ ଚାଲିଥିବା ତାଙ୍କର ଭୋଟ୍ ଅଧିକାର ଯାତ୍ରାରେ ସିଧାସଳଖ ଭାବରେ ଏକ ସଭାରେ କହିଥିଲେ ଯେ, କେବଳ ମୁଖ୍ୟ ନିର୍ବାଚନ ଆୟୋଗ ନୁହଁନ୍ତି ଅନ୍ୟ ଦୁଇଜଣ ନିର୍ବାଚନ ଆୟୋଗଙ୍କୁ ସେ ସତର୍କ କରିଦେବାକୁ ଚାହାନ୍ତି ଯେ, ଏବେ କେନ୍ଦ୍ରରେ ମୋଦୀ ସରକାର ଥିବା ହେତୁ ସେ ଭୋଟ୍ ଚୋରୀ ନେଇ ହୋଇଥିବା ଅଭିଯୋଗଗୁଡ଼ିକ ଏଡ଼ାଇଗଲେ ମଧ୍ୟ ବିହାର ଓ ଦିଲ୍ଲୀରେ ଯେତେବେଳେ ଇଣ୍ଡିଆ ମେଣ୍ଟର ସରକାର ହେବ ସେତେବେଳେ ସେମାନଙ୍କ ସମସ୍ତ ଅପରାଧର ଯାଞ୍ଚ କରାଯିବ। ସେମାନେ ସେତେବେଳକୁ ସେବାନିବୃତ୍ତ ହୋଇଥିଲେ ବି ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ପାଇଁ କାର୍ଯ୍ୟାନୁଷ୍ଠାନ ହେବ।

ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ୧୮ ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କର ଭୋଟ୍‌ଦାନ କରିବାର ଅଧିକାର ରହିଛି। ଜଣେ ବ୍ୟକ୍ତି ଯେତେ ଧନୀ ହୋଇଥାଉ ନା କାହିଁକି ବା ଯେଉଁ ଜାତିର ହେଉ ନା କାହିଁକି ବା ଯେଉଁ ଧର୍ମର ହେଉ ନା କାହିଁକି ସମସ୍ତଙ୍କର ଗୋଟିଏ ଭୋଟ୍‌ଦାନ ଅଧିକାର ସମ୍ବିଧାନରେ ସୁରକ୍ଷିତ କରାଯାଇଛି। ଏହି ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ନିର୍ବାଚନ କମିଶନକୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି। ଲୋକପ୍ରତିନିଧି ଆଇନ ସହିତ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ନିର୍ବାଚନ କମିଶନର ଏକ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂସ୍ଥା। ଏହି ସଂସ୍ଥାର ପତିଆରା ଓ ନିରପେକ୍ଷତା ଦେଶରେ ଲୋକପ୍ରତିନିଧି ଶାସନ ସହିତ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଅତିମାତ୍ରାରେ ପ୍ରୟୋଜନ।

ଭାରତରେ ଅନ୍ୟ ଯେକୌଣସି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବହୁ ଦୁର୍ବଳତା ଆଲୋଚିତ ହେଉଥିଲେ ମଧ୍ୟ ଭାରତର ନିର୍ବାଚନ ବ୍ୟବସ୍ଥା ବିଶ୍ୱରେ ଏକ ଯୁଗାନ୍ତକାରୀ ବୋଲି ପ୍ରାୟ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ସ୍ୱୀକାର କରୁଥିଲେ। ସେଥିପାଇଁ ବିଶ୍ୱର ଅଧିକାଂଶ ଗଣତାନ୍ତ୍ରିକ ରାଷ୍ଟ୍ର ଅନ୍ୟ କ୍ଷେତ୍ରରେ ଭାରତର ଦୁର୍ବଳତା ନେଇ ଆଲୋଚନା କରୁଥିଲେ ମଧ୍ୟ ଭାରତୀୟ ବ୍ୟବସ୍ଥାକୁ ଏକ ନିର୍ବାଚନ ଭିତ୍ତିକ ଗଣତନ୍ତ୍ର କହି ଆସୁଛନ୍ତି। ଅର୍ଥାତ୍ ଭାରତରେ ଗଣତନ୍ତ୍ର ଅନ୍ୟାନ୍ୟ କ୍ଷେତ୍ରରେ ଦୁର୍ବଳତା ସତ୍ତ୍ୱେ ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ସାଧୁତା ଥିବା ସମସ୍ତେ ସ୍ୱୀକାର କରନ୍ତି। ଏ କ୍ଷେତ୍ରରେ ଜରୁରୀ ପରିସ୍ଥିତି ପରେ ଭାରତବର୍ଷର ଜନସାଧାରଣ ଯେପରି ଭାବରେ ଇନ୍ଦିରା ଗାନ୍ଧୀଙ୍କ ଦଳକୁ କ୍ଷମତାଚ୍ୟୁତ କରିଥିଲେ ତାହାକୁ ଏକ ଉଦାହରଣ ଭାବରେ ଦେଖାଯାଏ। ଯଦିଓ ନିର୍ବାଚନ କମିଶନର ସାଧୁତା ଉପରେ ଓ ନିରପେକ୍ଷତା ଉପରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। କିନ୍ତୁ ଭାରତୀୟ ଜନସାଧାରଣ ସବୁବେଳେ ନିର୍ବାଚନ କମିଶନଙ୍କ ଆଚରଣକୁ ପ୍ରଶଂସା କରିଆସିଛନ୍ତି।

କିନ୍ତୁ ଗତ କିଛିବର୍ଷ ଭିତରେ ନିର୍ବାଚନ କମିଶନର ଗଠନ ନେଇ କରାଯାଇଥିବା ବ୍ୟବସ୍ଥା ଯୋଗୁ ନିର୍ବାଚନ କମିଶନର ବିଶ୍ୱସନୀୟତା ଉପରେ ଧୀରେ ଧୀରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ତଥାପି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ୪୦୦ ଆସନର ଲକ୍ଷ୍ୟ କଥା କୁହାଯାଉଥିଲେ ମଧ୍ୟ ବିଜେପିକୁ ମାତ୍ର ୨୪୪ଟି ଆସନ ମିଳିଲା। ଏହା ପୁଣିଥରେ ପ୍ରମାଣିତ କଲା ଯେ, ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ଯେତେ ଯାହା ହେଲେ ମଧ୍ୟ ଲୋକମତକୁ ପୂରାପୂରି ବଦଳାଇ ଦେବାପରି ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇନାହିଁ। ଯଦିଓ ସେହି ନିର୍ବାଚନରେ କେତେକ ଅସାଧୁତାର ପ୍ରସଙ୍ଗ ଏବେ ଜୋର୍‌ଦାର ଆସୁଛି ତଥାପି ନିର୍ବାଚନ କମିଶନ ପରି ଏକ ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ କରି ଏହାକୁ ଦୁର୍ବଳ କରିଦେବା ଠିକ୍ ହେବନାହିଁ। ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହୋଇଥିବାରୁ ଏକ ସାମ୍ବିଧାନିକ ପଦବୀରେ ଅଛନ୍ତି। ସେ ନିର୍ବାଚନ କମିଶନର ଉପରେ ତଥ୍ୟ ନେଇ ଆକ୍ରମଣ କରିବା ସମୟରେ ଏପରି ଭାଷା ବ୍ୟବହାର କରିବା ଉଚିତ୍ ନୁହେଁ ଯାହା ଦେଶର ଗଣତନ୍ତ୍ରକୁ ଅଧିକ ଦୁର୍ବଳ କରିଦେବ। ରାହୁଲ ଗାନ୍ଧୀ ସେହି ପରିପ୍ରେକ୍ଷୀରେ ବିହାରରେ ଭୋଟ୍ ଅଧିକାର ଯାତ୍ରା ସମୟରେ ନିର୍ବାଚନ କମିଶନକୁ ଧମକ ଦେବା ଫଳରେ ସେମାନେ ଅବସରପ୍ରାପ୍ତ ହୋଇଥିଲେ ମଧ୍ୟ ଇଣ୍ଡିଆ ମେଣ୍ଟର ସରକାର କ୍ଷମତାସୀନ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିବା ଯଥାର୍ଥ ନୁହେଁ।

ନିର୍ବାଚନ କମିଶନର ତାଙ୍କ ପ୍ରତି ଏହିପରି ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ସତ୍ତ୍ୱେ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାର ମର୍ଯ୍ୟାଦା ରକ୍ଷାକରି ସେହି କଥାକୁ ଭିନ୍ନ ଭାଷାରେ କହିପାରିଥାନ୍ତେ। ଯେଉଁମାନେ କ୍ଷମତାର ଇଙ୍ଗିତରେ ଅସାଧୁ କାର୍ଯ୍ୟ କରୁଛନ୍ତି ବା ଭୋଟ୍ ଚୋରୀରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ କରାଯାଇପାରିବ। ଗଣତନ୍ତ୍ରରେ କୌଣସି ସରକାର ସ୍ଥିର ନୁହେଁ। ତେଣୁ ଗୋଟିଏ ସରକାର ଉପରେ ନିର୍ଭର କରି କୌଣସି ସଂସ୍ଥା ଯଦି ଅସାଧୁ କାର୍ଯ୍ୟ କରେ ତେବେ ସେ ନିଶ୍ଚିତ ପରବର୍ତ୍ତୀ ଅବସ୍ଥାରେ ଦଣ୍ଡିତ ହେବ। ଏହିଭଳି ନରମ ଭାଷାରେ ମଧ୍ୟ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଥିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାନ୍ତା। ଯାହା ଦେଖାଯାଉଛି ଭାରତୀୟ ବ୍ୟବସ୍ଥା ଏତେ ଧ୍ରୁବୀକରଣରେ ପରିଣତ ହେଲାଣି ଯେ, ଭାଷାଗତ ସାଧୁତା ଓ ସଂଯମତା ରକ୍ଷା କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି।

ମୋ- ୮୦୧୮୦୯୪୪୫୫

Rahul Gandhi Election Indian Democracy Eci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe