ଦାୟିତ୍ଵ ଖସାଇବାର ବେଳ

ୟୁଜିସିର ରିପୋର୍ଟ ଅନୁସାରେ ଗଲା ବର୍ଷ ୪୬,୦୦୦ ଛାତ୍ରଛାତ୍ରୀ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଛନ୍ତି। ପ୍ରତିବର୍ଷ ଭଳି ଗଲା ବର୍ଷ ମଧ୍ୟ ନେପାଳ, ଆଫଗାନିସ୍ତାନ ଓ ଆଫ୍ରିକୀୟ ଦେଶର ସରକାର ଅଧିକ ଛାତ୍ରଛାତ୍ରୀ ଭାରତକୁ ପଠାଇଛନ୍ତି। ସେହି ଭିତରୁ ଜଣେ ଥିଲେ କିଟର ଛାତ୍ରୀ ଯିଏ ଯୌନ ନିର୍ଯାତନା ଓ ମାନସିକ ଚାପ କାରଣରୁ ଆତ୍ମହତ୍ୟା କରିଥିଲେ। ନିର୍ଯାତନା ଦେଇଥିବା ଛାତ୍ର ହେଲେ ଭାରତୀୟ।

KIIT University

KIIT University

Ordigital Desk
  • Published: Monday, 24 February 2025
  • , Updated: 24 February 2025, 03:23 PM IST

ଦେବ ରଞ୍ଜନ

ୟୁଜିସିର ରିପୋର୍ଟ ଅନୁସାରେ ଗଲା ବର୍ଷ ୪୬,୦୦୦ ଛାତ୍ରଛାତ୍ରୀ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଛନ୍ତି। ପ୍ରତିବର୍ଷ ଭଳି ଗଲା ବର୍ଷ ମଧ୍ୟ ନେପାଳ, ଆଫଗାନିସ୍ତାନ ଓ ଆଫ୍ରିକୀୟ ଦେଶର ସରକାର ଅଧିକ ଛାତ୍ରଛାତ୍ରୀ ଭାରତକୁ ପଠାଇଛନ୍ତି। ସେହି ଭିତରୁ ଜଣେ ଥିଲେ କିଟର ଛାତ୍ରୀ ଯିଏ ଯୌନ ନିର୍ଯାତନା ଓ ମାନସିକ ଚାପ କାରଣରୁ ଆତ୍ମହତ୍ୟା କରିଥିଲେ। ନିର୍ଯାତନା ଦେଇଥିବା ଛାତ୍ର ହେଲେ ଭାରତୀୟ।

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠାରେ ସମସ୍ତ ନାଗରିକଙ୍କର ସମାନ ଅଧିକାର ରହିଛି। ବଡ଼ ସାନ, ଧନୀ ଗରିବ, ଉଚ୍ଚ ଜାତି ଛୋଟ ଜାତି, ନାରୀ ପୁରୁଷ, ଧାର୍ମିକ ଅଳ୍ପ ସଂଖ୍ୟକ ଓ ବହୁ ସଂଖ୍ୟକ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ। ଅଥଚ ଛାତ୍ରୀଙ୍କ ଗଲା ତିନି ମାସର ଅଭିଯୋଗ ସତ୍ତ୍ୱେ କିଟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ କିପରି ନେଲେ ନାହିଁ?

ନେପାଳ ଛାତ୍ରୀଙ୍କ ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ମାନବିକ ଅଧିକାର କମିଶନ ନିଜ ତରଫରୁ କୌଣସି ମାମଲା ରୁଜୁ କରି ତୁରନ୍ତ ତଦନ୍ତ କଲେନାହିଁ। ଏହା ସେ ଚାହିଁଥିଲେ କରିପାରିଥାନ୍ତେ। ମହିଳା କମିଶନ ନୀରବ ରହିଛନ୍ତି। ଭୁବନେଶ୍ୱର ସାଂସଦ ଏବେ ବି ନୀରବ ଅଛନ୍ତି ଯଦିଓ କିଟ ତାଙ୍କର ସୀମା ମଧ୍ୟରେ ଆସୁଛି। ସ୍ଥାନୀୟ ବିଧାନସଭା ସଦସ୍ୟ ସେହି ଅଞ୍ଚଳକୁ ଏବେ ବି ବୋଧେ ଯାଇନାହାନ୍ତି। କାହିଁକି?

ଜାତୀୟ ଶିକ୍ଷାନୀତି, ୨୦୨୦ ଅନୁସାରେ ଯୁଜିସିର ତତ୍ତ୍ୱାବଧାନରେ ‘ଭାରତୀୟ ଉଚ୍ଚ ଶିକ୍ଷା ଅନୁଷ୍ଠାନ’ (HEIs) ତିଆରି ହୋଇଛି। ଏହି ଅନୁଷ୍ଠାନ ଭାରତୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ସମୟରେ ନେପାଳ ଓ ଆଫଗାନିସ୍ତାନ ଇତ୍ୟାଦି ସରକାରଙ୍କୁ ପ୍ରତିଶୃତି ଦେଉଛି ଯେ ଭାରତ ସରକାରଙ୍କ ତରଫରୁ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇଦିଆଯିବ ଓ ସେମାନଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ। ଅଥଚ ନେପାଳୀ ଛାତ୍ରୀଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନନେବା କାରଣରୁ ‘ଭାରତୀୟ ଛାତ୍ର’ଙ୍କ ନିର୍ଯାତନା ସହ୍ୟ କରିନପାରି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ। କର୍ତ୍ତୃପକ୍ଷ ଆଜି ବି ନିଜର ଦୋଷ ସ୍ଵୀକାର କରୁନାହାନ୍ତି।

ନୂତନ ଜାତୀୟ ଶିକ୍ଷାନୀତିର ନିର୍ଦ୍ଦେଶାବଳୀ ଅନୁସାରେ, ୟୁଜିସି ଅନୁମୋଦିତ ପ୍ରାଇଭେଟ ବିଶ୍ଵବ୍ୟାଳୟମାନେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ନିଜ ବିଶ୍ୱବିଦ୍ୟାଳୟରେ ଆଡମିଶନ କରାଉଥିଲେ ସେମାନଙ୍କ ଲାଗି ସ୍ଵତନ୍ତ୍ର ଅଫିସ ଖୋଲିବେ ଓ ଆଡମିଶନ ନେଇଥିବା ଛାତ୍ରଛାତ୍ରୀଙ୍କ ସଂପୂର୍ଣ୍ଣ ତଥ୍ୟ ପ୍ରତିବର୍ଷ ଇଣ୍ଟରନେଟରେ ଉପଲବ୍ଧ କରାଇବେ। ଏଥିଲାଗି ସେମାନେ ଆନ୍ତର୍ଜାତିକ ସମ୍ପର୍କ ଅଫିସର ବା ଆଇଆରଓଙ୍କୁ କ୍ୟାମ୍ପରେ ନିଯୁକ୍ତି ଦେବେ। ପ୍ରାଇଭେଟ ୟୁନିଭରସିଟିମାନେ ବିଦେଶରୁ ଛାତ୍ରଛାତ୍ରୀ ଆଣିବାରେ ଅଧିକ ଉତ୍ସାହ ଦେଖାଇଥାନ୍ତି କାରଣ ଛାତ୍ରଛାତ୍ରୀଙ୍କ ପିଛା ହେଉଥିବା ଖର୍ଚ୍ଚ ସେଠାର ସରକାରଙ୍କ ଠାରୁ ସିଧାସଳଖ ଅନୁଷ୍ଠାନକୁ ଆସିଯାଇଥାଏ। ୟୁଜିସିର ଏଭଳି ନିଷ୍ପତ୍ତିରେ ପ୍ରାଇଭେଟ ୟୁନିଭରସିଟିମାନେ ଅଧିକ ଲାଭବାନ ହେଉଛନ୍ତି।

ଭାରତର ଗଣତାନ୍ତ୍ରିକ ସ୍ଥିତି, ମାନବିକ ଅଧିକାରର ସୁରକ୍ଷା, ସରକାରଙ୍କ ପ୍ରତିଶୃତି ହେତୁ ବିଦେଶରୁ ଛାତ୍ରଛାତ୍ରୀମାନେ ଯୁଜିସି ଅନୁମୋଦିତ ପ୍ରାଇଭେଟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥାନ୍ତି। ୟୁଜିସି ସ୍ଥିରୀକୃତ ନିୟମ ଅନୁସାରେ ବିଦେଶୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଭାରତକୁ ଆସୁଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ଵ ହେଉଛି ବିଦେଶୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଦେଇ ନିଜ ଦେଶକୁ ସମ୍ମାନର ସହିତ ପଠାଇବା। ଉକ୍ତ ଛାତ୍ରୀଙ୍କ ପ୍ରତି ହୋଇଥିବା ଦାୟିତ୍ଵହୀନ ଆଚରଣ ଲାଗି ନା ଯୁଜିସି ନା କେନ୍ଦ୍ର ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଏଥିଲାଗି ନିଜକୁ ଦାୟୀ କରି ଯାଞ୍ଚ ପ୍ରକ୍ରିୟାରେ ରହିଥିବା ଦୁର୍ବଳତାକୁ ସଜାଡ଼ିବାର କୌଣସି ପ୍ରତିଶୃତି ବର୍ତ୍ତମାନ ପର୍ଯ୍ୟନ୍ତ ଦେଲେ ନାହିଁ।

ନେପାଳରୁ ଛାତ୍ରୀଛାତ୍ର ଆସି ଭୁବନେଶ୍ୱରରେ ପଢ଼ିବା ଓ ଭାରତର କୌଣସି କୋଣରୁ ଯାଇ ନିୟୁ ୟର୍କ ବା ହାଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିବାରେ କୌଣସି ପାର୍ଥକ୍ୟ ରହିଛି? ୨୦୨୩ ମସିହାର ତଥ୍ୟ ଅନୁସାରେ, ୧୩ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ମୁଖ୍ୟତଃ କାନାଡ଼ା, ଆମେରିକା ଯୁକ୍ତରାଷ୍ଟ୍ର ଓ ୟୁକ୍ରେନରେ ପଢୁଛନ୍ତି। ଭାରତର ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନର ମାନ ଉନ୍ନତ ନଥିବା ଅଥଚ ଅଧିକ ଅର୍ଥ ଦାବି କରୁଥିବା କାରଣରୁ ବୃହତ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦେଶରେ ପଢୁଛନ୍ତି।

ବିଦେଶରୁ ଛାତ୍ରଛାତ୍ରୀ ଭାରତରେ ଆସି ପଢ଼ିବାର ହାର ଏସିଆର ଅନ୍ୟ ଦେଶ ତୁଳନାରେ ବହୁତ କମ। ଏସୀୟ ମହାଦେଶ ମଧ୍ୟରେ ଚୀନ, ଦକ୍ଷିଣ କୋରିଆ, ଜାପାନ, ହଂକଂ, ଥାଇଲାଣ୍ଡ ଓ ଇଣ୍ଡୋନେସିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅନ୍ୟ ଦେଶର ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି। କେବେ ହୁଏତ ନାଳନ୍ଦାକୁ ନେଇ ଭାରତ ଗର୍ବ ଅନୁଭବ କରୁଥିଲା। ମାତ୍ର ଶିକ୍ଷାର ସଂପୂର୍ଣ୍ଣ ବ୍ୟବସାୟୀକରଣ ଓ କର୍ପୋରେଟ ଅଧୀନକୁ ଚାଲିଯିବା କାରଣରୁ ଭାରତର କୌଣସି ବି ବିଶ୍ୱବିଦ୍ୟାଳୟ ବିଶ୍ଵର ଉନ୍ନତ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆସୁନାହାନ୍ତି। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ସର୍ବୋତ୍ତମ ଭାବରେ ସରକାରୀ ଅନୁଷ୍ଠାନ ବମ୍ବେ ଆଇଆଇଟି ବିଶ୍ଵର ୧୧୮ତମ ସ୍ଥାନରେ ରହିଛି।

ଶିକ୍ଷାର ବ୍ୟବସାୟୀକରଣ ଦେଶରେ ଶିକ୍ଷାରେ କୌଣସି ଉନ୍ନତି ଆଣିଲା କି? ଓଡ଼ିଶାରେ ଉଚ୍ଚଶିକ୍ଷାର ବ୍ୟବସାୟୀକରଣ କିଟ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ। ଦୀର୍ଘ ୩୦ ବର୍ଷ ପରେ ଏହି ଅନୁଷ୍ଠାନ ଆଜି ବିଶ୍ଵର ୬୦୧ରୁ ୮୦୦ ତାଲିକାରେ ପହଞ୍ଚିଛି, ଏପରିକି ଏହା ସରକାରୀ ଅନୁଷ୍ଠାନ ଆଇଆଇଟି ଓ ଆଇଆଇଏମ ଠାରୁ ଅନେକ ପଛରେ। ଏସିଆ ରାଙ୍କିଙ୍ଗରେ କିଟ ଏବେ ୨୫୭ରେ ଆସୁଛି। ଏହି ହେତୁ କିଟର ଜାତୀୟକରଣ ଦାବି ବିଭିନ୍ନ ଦଳ ଦ୍ଵାରା ଅଧିକ ଜୋରରେ ଉଠିବା ଆବଶ୍ୟକ। କିନ୍ତୁ ଆଜିର ସ୍ଥିତିରେ ଏହା ଅସମ୍ଭବ। ଭାରତରେ ଉଚ୍ଚ ଶିକ୍ଷାର ମାନରେ ଅବନତିର ବଡ଼ କାରଣ ହେଲା ଦୁର୍ନୀତି। ଏଥିରେ କଂଗ୍ରେସ, ବିଜେପି ବା ଅନ୍ୟ କୌଣସି ଦଳ ଉଚ୍ଚ ଶିକ୍ଷାରେ କୌଣସି ଉନ୍ନତି ଆଣିପାରୁନାହାନ୍ତି।

ବ୍ୟକ୍ତିଗତ ମାଲିକାନାରେ ଚାଲିଥିବା ସ୍କୁଲ, ହସ୍ପିଟାଲ, ବିଶ୍ୱବିଦ୍ୟାଳୟ, ହଷ୍ଟେଲ, ସୁଧାର କେନ୍ଦ୍ର ଇତ୍ୟାଦି ପଛରେ ରହିଛି ସରକାରୀ ଅନୁମୋଦନ। ଅଥନୀତିର ନିଜସ୍ୱୀକରଣ ପରଠାରୁ ଏହି ପ୍ରକ୍ରିୟା ଅଧିକ କ୍ରିୟାଶୀଳ ହୋଇଛି। ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଲାଇସେନ୍ସ ଦେବା ପୂର୍ବରୁ ଯେଉଁଭଳି ଅନୁସନ୍ଧାନ କରିବା କଥା ତାହା କରିନଥାନ୍ତି କିମ୍ବା ସମୟ ବ୍ୟବଧାନରେ ଆଇନତଃ ଯେଉଁଭଳି ଯାଞ୍ଚ କରିବା କଥା ତାହା କରାଯାଇନଥାଏ।

ଯେତେବେଳେ କୌଣସି ଦୁର୍ଘଟଣା ଘଟେ ଓ କାହାର ଜୀବନ ଚାଲିଯାଏ ସମ୍ପୃକ୍ତ ଅନୁଷ୍ଠାନ ଦ୍ଵାରା ଅନୁସନ୍ଧାନ ଅବଶ୍ୟ ହୁଏ। ନା ସେହି ଅନୁସନ୍ଧାନର ରିପୋର୍ଟ ଲୋକେ ଦେଖନ୍ତି ନା ଦୋଷୀ ଦଣ୍ଡିତ ହୁଏ। କିଛି ସମୟ ଲାଗି ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଏ। ପୁଣି ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଯାଏ।

ଭୁବନେଶ୍ୱରରେ ଏକ ପ୍ରାଇଭେଟ ହସ୍ପିଟାଲରେ ଅଗ୍ନି ନିରୂପଣ ଯନ୍ତ୍ର ଲାଗିନଥିବା କାରଣରୁ ନିଆଁ ଲାଗି ଅନେକ ରୋଗୀ ମୃତ୍ୟୁବରଣ କଲେ। ସରକାରୀ ତଦନ୍ତ ରିପୋର୍ଟ ପ୍ରକାଶ ପାଇଲା? ଦୋଷୀ ଦଣ୍ଡିତ ହେଲେ? ପ୍ରାଇଭେଟ ସ୍କୁଲରେ ଛାତ୍ରୀ ପାଠର ବୋଝ ଓ ମାନସିକ ନିର୍ଯାତନା କାରଣରୁ ଆତ୍ମହତ୍ୟା କରିଥିଲେ। କିଛି କାର୍ଯ୍ୟନୁଷ୍ଠାନ ହେଲା କି? ଏଭଳି ମାମଲା କୋର୍ଟକୁ ଆସିଲେ ଏହାର ଫଇସଲା ଲାଗି ଦୀର୍ଘକାଳ ଲାଗିଯାଏ। ମାମଲାକୁ ବିଳମ୍ବ କରାଇବା ଲାଗି କିଛି ହାତ ଲୁକ୍କାୟିତ ଭାବରେ କାମ କରିଥାଏ। ପୁଣି ସେହିଭଳି ଏକ ଘଟଣା ଘଟିଲେ ମିଡିଆ ପୁରୁଣା ଘଟଣାକୁ ମନେପକାଏ। ପୁଲିସ ଯେମିତି ଏଫଆଇଆର ହେଲା ପରେ ଅନୁସନ୍ଧାନ କରେ ସେହିଭଳି ମିଡିଆ ଘଟଣା ଘଟିଲେ ତାହାକୁ ନ୍ୟୁଜ କରିଥାଏ। ଆଇନର ନିୟମିତ ଉଲ୍ଲଙ୍ଘନ ନ୍ୟୁଜ ହୋଇନଥାଏ।

ସମୟ ସମୟରେ ସେଭଳି ଘଟଣାର ଲୋକେ ପ୍ରତିବାଦ କରିଥାନ୍ତି। ସେଭଳି କୌଣସି ବି ପ୍ରତିବାଦର ଉଦ୍ଦେଶ୍ୟ କ୍ଷମତାର ଉତଖାତ ହୋଇନଥାଏ। ଏହା କର୍ତ୍ତୃପକ୍ଷଙ୍କ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକେ ପ୍ରତିବାଦ କରିବେ। ସେମାନେ ରାଜାଙ୍କ ସାମ୍ନାରେ ଗୁହାରୀ କରିବା ଭଳି ଦରଖାସ୍ତ ଧରି ଘୂରି ବୁଲିବେ ନାହିଁ।

ଆତ୍ମହତ୍ୟା ଖବର ପାଇବା ପରେ ପରେ କିଟ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କ ଅବହେଳା ବିରୁଦ୍ଧରେ ପ୍ରତିବାଦ କରିଥିଲେ। ସେମାନଙ୍କ ଦାବି ସମୂହ ଥିଲା : ଘଟଣାର ତଦନ୍ତ, ଅଭିଯୁକ୍ତକୁ ଗିରଫ, ଛାତ୍ରୀଙ୍କ ମୋବାଇଲ ଓ ଲାପଟପକୁ କର୍ତ୍ତୃପକ୍ଷଙ୍କ ଠାରୁ ଉଦ୍ଧାର, ଏହାର ଉପଯୁକ୍ତ ଯାଞ୍ଚ ଇତ୍ୟାଦି। କିନ୍ତୁ ଅତି ଅମାନୁଷିକ ଭାବରେ କିଟ କର୍ତ୍ତୃପକ୍ଷଙ୍କ ପ୍ରାଇଭେଟ ସୁରକ୍ଷା କର୍ମୀଙ୍କ ଦ୍ଵାରା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବ୍ୟବହାର। ଏଭଳି ଅନେକ ଅବହେଳା ପାଇଁ କିଟ କତ୍ତୃର୍ପକ୍ଷଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ‘ହତ୍ୟା ପାଇଁ ଉଦ୍ୟମ’ ଅଭିଯୋଗରେ ମାମଲା ଦାଏର ହେବା ଆବଶ୍ୟକ।

ବହୁ ସମୟରେ ଭାରତୀୟ ରାଷ୍ଟ୍ର ବ୍ୟବସ୍ଥାରେ ଗଢ଼ି ଉଠିଥିବା ସରକାରୀ ଅନୁଷ୍ଠାନ ଓ ଏହାର ସମର୍ଥନରେ ଗଢ଼ି ଉଠିଥିବା ପ୍ରାଇଭେଟ ଅନୁଷ୍ଠାନମାନେ ସ୍ଵେଚ୍ଛାଚାରୀ ଶାସକ ଭଳି ବ୍ୟବହାର କରିଥାନ୍ତି। ସେମାନେ ପ୍ରତିବାଦ କରୁଥିବା ନାଗରିକ ଓ ଅଂଶଧାରୀଙ୍କୁ (ଏ କ୍ଷେତ୍ରରେ ୟୁନିଭରସିଟିର ଛାତ୍ରଛାତ୍ରୀ) ବିଭିନ୍ନ କାରଣ ଦେଖାଇ ଆକ୍ରମଣ କରିଥାନ୍ତି। ପ୍ରତିବାଦର ସ୍ଵରକୁ ବନ୍ଦ କରିବା ସେମାନଙ୍କ ଉଦ୍ଦେଶ୍ୟ। ଏହା କ’ଣ ଗଣତାନ୍ତ୍ରିକ ବ୍ୟବହାର? ଲୋକଙ୍କ ପ୍ରତିବାଦ ଯେଉଁଠି ନ୍ୟାୟ ପାଇବା ଲାଗି ଉଦ୍ଦିଷ୍ଟ ଓ ଅହିଂସାର ରାସ୍ତାରେ ସେଠାରେ ଲାଠିଚାର୍ଜ କରିବା ଯଥାର୍ଥ କି?

ନବେ ଦଶକର ଆର୍ଥିକ ସଂସ୍କାର ପରଠାରୁ ନିର୍ବାଚିତ ସରକାରମାନେ କେବଳ ଲିଜ, ଲାଇସେନ୍ସ ଓ ପରମିଟ ଦେଉଥିବା ସରକାରରେ ପରିଣତ ହୋଇଯାଇଛନ୍ତି। କୌଣସି ବି ଦୁର୍ଘଟଣା ଓ ଦାୟିତ୍ଵହୀନ ଘଟଣା ଲାଗି ସରକାର ନିଜକୁ ଦାୟୀ କରି ସେଭଳି ଘଟଣା ଯେପରି ନହେବ ସେ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ନିଜ ଅନୁମତିର ସର୍ବନିମ୍ନ ଆବଶ୍ୟକ ନିୟମିତ ଯାଞ୍ଚ ମଧ୍ୟ କୌଣସି ସରକାର କରୁନାହାନ୍ତି। ପରିଣାମତଃ ଲୋକଙ୍କ ଆସ୍ଥା ସରକାରଙ୍କ ଉପରୁ ଚାଲିଯାଉଛି। ଲୋକେ ନିର୍ବାଚନରେ ପରିବର୍ତ୍ତନ ଆଣୁଛନ୍ତି। ସେଥିଲାଗି କିନ୍ତୁ ପାଞ୍ଚ ବର୍ଷ ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି। କିଟର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଏହାର ମୁଖ୍ୟ, ଏହାର ଆଇଆରଓ, ଏହାର ୱାର୍ଡେନଙ୍କ ସହିତ ବିଦେଶ ମନ୍ତ୍ରଣାଳୟ ଓ ଯୁଜିସିର ଅଧିକାରୀମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଦାୟୀ। ସେମାନଙ୍କୁ ଦଣ୍ଡିତ କରିବା କୋର୍ଟର ଦାୟିତ୍ଵ। ଏହା ମୁଁ ଲେଖିଦେଲେ ହେବ ନାହିଁ। ଏଥିଲାଗି ରାଜ୍ୟବାସୀଙ୍କ ପ୍ରତିବାଦ ଜରୁରୀ।

ମୋବାଇଲ- ୯୪୩୭୭୬୨୨୭୨

Related story