Mobile Addiction Photograph: (Internet)
ଡ. ରୀନା ରାଉତରାୟ
‘ତମେ ମୋ ପାଇଁ କ’ଣ କରିଛ? ମୋତେ ତୁମେ ଏକ ସୁଖଦାୟକ ମୃତ୍ୟୁ ବି ଦେଇ ପାରିବନି। ମୁଁ ମୋର ବ୍ୟର୍ଥ ଜୀବନ ପାଇଁ ବୁର୍ଜ ଖଲିଫା ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଛି, ତୁମେ ସେଥିପାଇଁ ମୋତେ ଆଫର୍ଡ କରି ପାରିବ?’
ଆଜିର ଏକ ଉଦଭ୍ରାନ୍ତ ପୁଅର ଏହି ପ୍ରଶ୍ନ ଥିଲା ତାର ବାପାଙ୍କୁ।
ହଁ ଆଜ୍ଞା, ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ଏକ ଦୁଃଖଦାୟକ ଏବଂ ଚିନ୍ତା ଉଦ୍ରେକକାରୀ ସତ୍ୟ ଘଟଣା।
ଅନେକ ଦିନ ପରେ ଜଣେ ବନ୍ଧୁଙ୍କ ସହ ଦେଖା ହେଲା। ନିଜ ବୟସ ଠାରୁ ଅଧିକ ବୟସ୍କ, ମୁହଁରେ ଉଦାସ ଓ ଚିନ୍ତାର ରେଖା। ସବୁବେଳ ହସଖୁସିଆ ସ୍ୱଭାବର ଏହି ବନ୍ଧୁଙ୍କ ଏହି ଶୁଖିଲା ମୁହଁ ଦେଖି ଆପେ ଆପେ ପଚାରି ଦେଲି, ସବୁ ଭଲ ତ?
ବନ୍ଧୁ ମୁହଁ ଶୁଖାଇ କହିଲେ, ହଁ ସବୁ ଠିକ୍ ଚାଲିଛି ଯେ ପୁଅଟା ପାଇଁ ଟିକେ ଚିନ୍ତାରେ ରହୁଛି।
-ପୁଅ ଏବେ କ’ଣ କରୁଛି? ଭଲ ପଢ଼ୁଥିଲା ତ!
-ପାଠ ସରିଲା ପରେ ଯାହା କିଛି ଚାକିରୀ ମିଳିଲା, ତାକୁ ପସନ୍ଦ ହେଲାନି, ଏବେ ଘରେ ବସି ଅଦ୍ଭୁତ କଥାବାର୍ତ୍ତା କରି ଆମ ଦୁହିଁଙ୍କ ମୁଣ୍ଡ ଖରାପ କରି ସାରିଲାଣି।
ପୁତ୍ରର ବିଭିନ୍ନ ଅବାନ୍ତର ଯୁକ୍ତି ମଧ୍ୟରୁ ଉପରୋକ୍ତ କଥାଟି ବନ୍ଧୁ ଜଣକ କହିଲେ।
ଶୁଣି ବିରକ୍ତ ଲାଗିଲା। କହିଲି ଦୁଇଟା ଥାପଡ଼ ଦେଲେନି ତାକୁ।
ସେ କହିଲେ, ଥାପଡ଼ ତ ବହୁତ ଦୂର, ତାକୁ କଥା କହିବାକୁ ମଧ୍ୟ ଡର ଲାଗୁଛି। ସବୁ ବେଳେ ଧମକାଉଛି ଆତ୍ମହତ୍ୟା କରି ଦେବି।
ତେଣୁ ବାଧ୍ୟ ହୋଇ ଆମେ ଦୁହେଁ ଚୁପ୍ ରହୁଛୁ। ଏହି ପରିଣତ ବୟସରେ ଏ ସବୁ ଆଉ ସହି ହେଉନି କି ଆମେ କିଛି କରି ବି ପାରୁନୁ। ଭାରି ବ୍ୟସ୍ତ ଲାଗିଲା, ବାପାମାଆ ଭାବରେ ଗୋଟାଏ ମାତ୍ର ପୁଅ ପାଇଁ ତାଙ୍କର ଅସହାୟ ଅବସ୍ଥାକୁ ଦେଖି।
ଏହା କେବଳ ଜଣେ ବାପାମାଆଙ୍କ ସମସ୍ୟା ନୁହେଁ, ପ୍ରାୟତଃ ଏହି ସବୁ ଅବାନ୍ତର ଓ ଉଦ୍ଭଟ ପ୍ରଶ୍ନରେ ଜର୍ଜରିତ ଅଧିକାଂଶ।
ଏହା ମଧ୍ୟ ସତ୍ୟ ଯେ ଆଜିର ଯୁବ ସମାଜ କେବଳ ବୟସରେ ଯୁବ ନୁହେଁ, ଚିନ୍ତାଧାରାରେ ମଧ୍ୟ ଏକ ନୂତନ ବିପ୍ଳବର ପ୍ରତିନିଧି।
ପୂର୍ବରୁ ଯୁବକମାନେ ସାଧାରଣତଃ ପରମ୍ପରା, ପରିବାର ଓ ସମାଜର ନିୟମକୁ ଗ୍ରହଣ କରି ନେଉଥିଲେ। କିନ୍ତୁ ଆଜିର ଯୁବ ପିଢ଼ି ପ୍ରଶ୍ନ କରେ, ତର୍କ କରେ, ତଥ୍ୟ ଖୋଜେ ଓ ନିଜ ପଥ ନିଜେ ତିଆରି କରେ। ଏହି ପରିବର୍ତ୍ତନ କେବଳ ଶିକ୍ଷା ଦ୍ୱାରା ନୁହେଁ, ବରଂ ପ୍ରଯୁକ୍ତି, ଡିଜିଟାଲ ଦୁନିଆ ଓ ଗ୍ଲୋବାଲ ଚିନ୍ତାଧାରା ଦ୍ୱାରା ସୃଷ୍ଟି। ଆଜିର ଯୁବକ ମୋବାଇଲ୍ ଫୋନରେ ପୃଥିବୀକୁ ଧରିରଖିଛି। ସେ ଦେଶ, ଧର୍ମ, ଭାଷା, ଜାତିର ସୀମାକୁ ଭାଙ୍ଗି ଏକ ବିଶ୍ୱନାଗରିକର ଭଳି ଚିନ୍ତା କରୁଛି।
ଯୁବ ବର୍ଗ ଆଜି ସଫଳତାକୁ କେବଳ ଚାକିରି, ଟଙ୍କା ବା ପଦବୀରେ ମାପେ ନାହିଁ। ସେ ଆତ୍ମସନ୍ତୋଷ, ସୃଜନଶୀଳତା, ସ୍ୱାଧୀନତା ଓ ଜୀବନର ଅର୍ଥକୁ ଅଧିକ ମୂଲ୍ୟ ଦେଉଛି। ଏହା ହିଁ ତାଙ୍କ ଚିନ୍ତାକୁ ଅଲଗା ଓ ଆଧୁନିକ କରିଛି।
କିନ୍ତୁ ଯେତେ ସେମାନେ ବୁଦ୍ଧିମାନ, ସେହି ଅନୁସାରେ ସେମାନଙ୍କର ଚିନ୍ତାଧାରା ବେଳେ ବେଳେ ସେତେ ଅଦ୍ଭୁତ ଓ ସ୍ୱାଧୀନ ହୋଇଯାଉଛି।
ଏହି ଅଦ୍ଭୁତ ଚିନ୍ତାଧାରା ସହିତ କିଛି ଚିନ୍ତାଜନକ ଦିଗ ମଧ୍ୟ ରହିଛି। କାରଣ ସେ ଚିନ୍ତାରେ, ସେ ତର୍କରେ ନା ଅଛି ସହାନୁଭୂତି ନା ଭାବ ନା ସମବେଦନା। ଅତ୍ୟଧିକ ସ୍ୱାଧୀନତା କେବେ କେବେ ଅନୁଶାସନହୀନତା, ସମ୍ପର୍କର ଦୂରତା ଓ ଭାବନାତ୍ମକ ଅସ୍ଥିରତାକୁ ଜନ୍ମ ଦେଉଛି। ସ୍ୱାଧୀନ ଚିନ୍ତାଧାରା ସର୍ବଦା ସ୍ୱାଗତଯୋଗ୍ୟ କିନ୍ତୁ ସ୍ଵାଧୀନତା ଯେତେବେଳେ ମାନବିକତା ଠାରୁ ଦୂରେଇ ଯାଏ, ତାହା ଧ୍ୱଂସାଭିମୁଖୀ ହୋଇ ଯାଏ।
ଯୁବ ବର୍ଗଙ୍କୁ ଠିକ୍ ଦିଗରେ ପଥପ୍ରଦର୍ଶନ ଦେବା ଆଜିର ସମାଜର ସବୁଠୁ ବଡ଼ ଦାୟିତ୍ୱ।
ଆଜିର ଯୁବ ସମାଜ ହେଉଛି ଆଗାମୀ ଭାରତର ସମ୍ପଦ।
ବୁଦ୍ଧିମତା ସହିତ ନୀତି, ମୂଲ୍ୟବୋଧ ଓ ମାନବିକତା ଯୋଡ଼ାଯାଏ, ତେବେ ଏହି ‘ଅଦ୍ଭୁତ’ ଚିନ୍ତାଧାରା ହିଁ ଦେଶକୁ ଏକ ନୂତନ ଦିଗ ଦେଖାଇବ।
କାରଣ ଯୁବବର୍ଗ ଯେତେ ବୁଦ୍ଧିମାନ, ସେତେ ସେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ। ଇତିହାସର ପ୍ରତ୍ୟେକ ଯୁଗରେ ଯୁବ ସମାଜ ଥିଲା ପରିବର୍ତ୍ତନର ଚାଳକ। କିନ୍ତୁ ଏକବିଂଶ ଶତାବ୍ଦୀର ଯୁବ ପିଢ଼ି ସେଇ ଚାଳକ ନୁହେଁ, ସେ ନିଜେ ଏକ ବିପ୍ଳବ।
ଆଜିର ଯୁବ ବର୍ଗ କେବଳ ବୟସରେ ଯୁବ ନୁହେଁ; ସେ ବିଶ୍ୱର ସବୁଠୁ ସୂଚନାଧନୀ, ପ୍ରଯୁକ୍ତିସମୃଦ୍ଧ ଓ ଚିନ୍ତାଶୀଳ ପିଢ଼ି।
UNESCO (୨୦୨୪) ଅନୁଯାୟୀ, ଭାରତର ୬୫% ଜନସଂଖ୍ୟା ୩୫ ବର୍ଷରୁ କମ୍। ଏହା ଆମ ଦେଶକୁ ଏକ ବିଶାଳ ‘ୟୁଥ୍ କ୍ୟାପିଟାଲ’ (Youth Capital) କରିଛି।
କିନ୍ତୁ ଏହି ବୁଦ୍ଧିର ବିସ୍ଫୋଟ ସହିତ ଏକ ଗଭୀର ପ୍ରଶ୍ନ ଉଠୁଛି, ଆଜିର ଯୁବ ଯେତେ ବୁଦ୍ଧିମାନ, ସେତେ ସେମାନଙ୍କ ଚିନ୍ତାଧାରା କାହିଁକି ଏତେ ଅଦ୍ଭୁତ, ଦ୍ୱନ୍ଦ୍ୱପୂର୍ଣ୍ଣ ଓ ଅସ୍ଥିର?
ନୀତି ଆୟୋଗ (୨୦୨୩)ତଥ୍ୟ ଅନୁଯାୟୀ ଭାରତର ଉଚ୍ଚ ଶିକ୍ଷାରେ ୨୦୧୦ ମସିହାରେ ହୋଇଥିବା ପଞ୍ଜିକରଣ ୨୮% ହୋଇଥିଲା ବେଳେ ୨୦୨୩ ମସିହାରେ ଏହା ୫୧%କୁ ବୃଦ୍ଧି ହୋଇଛି।
ଏଆଇ, ରୋବୋଟିକ, ଜଳବାୟୁ ବିଜ୍ଞାନ, ବାୟୋଟେକ୍ନୋଲୋଜି, ଉଦ୍ୟୋଗ ଇତ୍ୟାଦି ସବୁଥିରେ ସଫଳତାର ସହିତ ଅଗ୍ରସର।
ଡିଜିଟାଲ ସାକ୍ଷରତା ରିପୋର୍ଟ,୨୦୨୪ (Digital Literacy Report) ଅନୁସାରେ ଭାରତର ୭୬% ଯୁବ ନିୟମିତ ଅନଲାଇନ୍ କୋର୍ସ କରୁଛନ୍ତି। ଷ୍ଟାର୍ଟ ଅପ୍ ଇଣ୍ଡିଆ ରିପୋର୍ଟ କହେ, ୭୨% ଷ୍ଟାର୍ଟଅପ୍ ସଂସ୍ଥାପକ ୩୫ ବର୍ଷରୁ କମ୍। ଯୁବମାନେ ଆଜି ‘Job Seeker’ ନୁହେଁ, ‘Job Creator’ ହୋଇ ପାରୁଛନ୍ତି।
ଏହା ଏକ ସକାରାତ୍ମକ ପରିବର୍ତ୍ତନ। ବୁଦ୍ଧି, ଦକ୍ଷତା ଓ ସ୍ୱାଧୀନ ଚିନ୍ତା, ଆଜିର ଯୁବର ପ୍ରଧାନ ଅସ୍ତ୍ର।
ଅପର ପକ୍ଷରେ ବିଶ୍ୱ ସ୍ଷାସ୍ଥ୍ୟ ସଂଗଠନର ୨୦୨୩ ଅନୁଯାୟୀ ୩୦% ଭାରତୀୟ ଯୁବବର୍ଗ ମାନସିକ ବିଷାଦରେ ପୀଡ଼ିତ।
ଆଇଆଇଟି, ଦିଲ୍ଲୀ ୨୦୨୪ର ଏକ ଗବେଷଣାରୁ ଜଣା ଯାଉଛି ୪୦% ଯୁବବର୍ଗଙ୍କ ସ୍କ୍ରିନ ଟାଇମ୍ ଦିନକୁ ୭ ଘଣ୍ଟାରୁ ଉର୍ଦ୍ଧ୍ୱ।
ଏହା ଧୀରେ ଧୀରେ ସମ୍ପର୍କ, ଧୈର୍ଯ୍ୟ, ସଂବେଦନଶୀଳତାକୁ କମାଇ ଦେଉଛି। ଏହି ପରିବର୍ତ୍ତନର ଫଳାଫଳ ହେଉଛି ପାରିବାରିକ ଶିଷ୍ଟାଚାର, ଧୈର୍ଯ୍ୟ, ଆତ୍ମସଂଯମ ଧୀରେ ଧୀରେ କମୁଛି।
ପରିବାର, ସମ୍ପର୍କ ଓ ଏକାକୀପଣ:
ନ୍ୟାସନାଲ ଫ୍ୟାମିଲି ସ୍ୱାସ୍ଥ୍ୟ ସର୍ଭେ National (Family Health Survey) ସହରର ଯୁବ ବର୍ଗ ମଧ୍ୟରେ ୨୦୧୫ରୁ ୨୦୨୩ ମଧ୍ୟରେ ଏକାକୀପଣ ୩୮% ବୃଦ୍ଧି ପାଇଛି।
ଏକାକିତ୍ଵ ଏବେ ଆଜିର ଯୁବର ସବୁଠୁ ବଡ଼ ରୋଗ। ସୋସିଆଲ ମିଡିଆରେ ହଜାର ହଜାର ସାଙ୍ଗ, କିନ୍ତୁ ଆନ୍ତରିକ ସମ୍ପର୍କ ନାହିଁ।
ଭର୍ଚୁଆଲ ଉପସ୍ଥିତି ଅଧିକ ବଢ଼ୁଛି, ଦେଖା ସାକ୍ଷାତ କମୁଛି। ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି।
କ୍ୟାରିୟର ବାଛିବାରେ ଯେତେ ବେଶି ପଥ, ସେତେ ବେଶି ଦ୍ୱନ୍ଦ୍ୱ।
ପିତାମାତାଙ୍କ ଚାପ, ସହଯୋଗୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ସୋସିଆଲ ମିଡିଆରେ ଅନ୍ୟମାନଙ୍କ ସହିତ ତୁଳନା ଏ ସବୁ ତରୁଣ ମନକୁ ଭାଙ୍ଗିଦେଉଛି।
AICTE, ୨୦୨୩ ଅନୁସାରେ ମାତ୍ର ୪୨% ଗ୍ରାଜୁଏଟ୍ ଚାକିରୀ ପାଆନ୍ତି। ଶିକ୍ଷା ଡିଗ୍ରୀ ଦେଉଛି, କିନ୍ତୁ ଦିଶା ଦେଖାଉ ନାହିଁ।
ଯାହା ଫଳରେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଅନିଶ୍ଚିତ ଓ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡୁଛି। ମାନସିକ ଭାରସାମ୍ୟ ହରାଇ ଅସନ୍ତୁଳିତ ଓ ଅବସାଦ ଗ୍ରସ୍ତ ହୋଇ ଜୀବନ ଯାପନ କରୁଛନ୍ତି।
ଯୁବ ସମାଜର ଚିନ୍ତାଧାରାକୁ ସବୁଠୁ ଅଧିକ ପରିବର୍ତ୍ତନ କରିଛି ପ୍ରଯୁକ୍ତି ବିଦ୍ୟା। ଭାରତର ୮୫% ଯୁବଶକ୍ତି ସ୍ମାର୍ଟ ଫୋନ୍ ବ୍ୟବହାର କରନ୍ତି। ମାଇକ୍ରୋସଫ୍ଟ ଷ୍ଟଡି ୨୦୨୩ରୁ ଜଣାଯାଇଛି ଯେ ହାରାହାରି ଏକାଗ୍ର ନିରୀକ୍ଷଣ ସମୟ (attention Span) ୮ରୁ ୧୨ ସେକେଣ୍ଡ ମଧ୍ୟରେ ରହୁଛି। ଯାହା ଅତ୍ୟନ୍ତ ଉଦବେଗର ବିଷୟ ଅଟେ।
ଶିକ୍ଷା ନୀତିରେ ପରିବର୍ତ୍ତନ, ବାଧ୍ୟତା ମୂଳକ ନୈତିକ ଶିକ୍ଷା, ମାନସିକ ସ୍ୱାସ୍ଥ୍ୟର ଯତ୍ନ, ସୋସିଆଲ ମିଡ଼ିଆର ଉପଯୁକ୍ତ ବ୍ୟବହାର, ପିତାମାତା ଓ ଅଭିଭାବକମାନଙ୍କୁ ପରାମର୍ଶ ଓ ଯୁବ କେନ୍ଦ୍ରିକ ଶାସନ ମାଧ୍ୟମରେ ଏହି ଭୟଙ୍କର ସମସ୍ୟାକୁ ସମାଧନ କରାଯାଇ ପାରିବ।
ଆଜିର ଯୁବବର୍ଗ ବୁଦ୍ଧିମାନ ଓ ସୃଜନଶୀଳ କିନ୍ତୁ ଅସ୍ଥିର, ଦ୍ୱନ୍ଦ୍ୱପୂର୍ଣ୍ଣ, ଭାବନାତ୍ମକ ଭାବେ ଆହତ। ଯଦି ଆମେ ତାଙ୍କୁ ସଠିକ୍ ପଥ ଦେଖାଇପାରିବା, ତେବେ ଏହି ପିଢ଼ି ଇତିହାସ ଲେଖିବ।
ନହେଲେ, ଇତିହାସ ତାଙ୍କ ସହିତ ଆମକୁ ମଧ୍ୟ ପ୍ରଶ୍ନ କରିବ।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/20/mobile-addiction-2026-01-20-15-22-35.jpg)