Two Naked Women Given Dress By Local MLA
ଡ଼ଃ ରୀନା ରାଉତରାୟ
କିଛି ଦିନ ତଳର କଥା। ସକାଳୁ ସକାଳୁ ଫୋନ ଟିଏ ଆସିଲା। ‘ଶୁଭ ସକାଳ ମ୍ୟାଡ଼ମ। ଅମକ କେସ୍ ଶୁଣିଲେଣି?’
‘ନା, କ’ଣ ହେଇଛି କି?’
କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ମୁଖରୁ ଫେରିବା ପରଠାରୁ କାହିଁକି କେଜାଣି କୌଣସି ନକରାତ୍ମକ ଖବର, ଘଟଣା କିମ୍ବା କଥାବାର୍ତ୍ତାକୁ ଦେହମନ ଗ୍ରହଣ କରି ପାରୁନି। ଏଣୁ ଦୀର୍ଘଦିନ ଧରି କୌଣସି ନିଉଜ ଚ୍ୟାନେଲ ଦେଖୁ ନଥିଲି। ତେଣୁ ବାସ୍ତବରେ ସେହି ଘଟଣା ବିଷୟରେ ମଧ୍ୟ ଖବର ନ ଥିଲା ମୋ ପାଖରେ।
ତେଣୁ ସେ ବନ୍ଧୁ ଜଣଙ୍କ ପାଖରୁ ସବୁ ପଚାରି ବୁଝିଲା ବେଳକୁ ଅଭିଯୁକ୍ତ ଗିରଫ ହୋଇ ସାରିଲାଣି। ଘଟଣାଟି ବହୁତ ବ୍ୟଥିତ କଲା। ଏତେ ନୃଶଂସ ନିର୍ଦ୍ଦୟ କେମିତି ହୋଇ ପାରନ୍ତି! ତା୩ର ନିଜର ତ ପୁଅ ଝିଅ ଥିବେ?
ଏମିତି ଭାବୁ ଭାବୁ ପୁଣି ଥରେ ସେପଟୁ କହିଲେ, ‘ଆପଣ କିଛି ଏ ବିଷୟରେ ମତାମତ ରଖନ୍ତୁ।’
କହିଲି, ‘ଏ ଅମାନୁଷିକ ଘଟଣାରେ କ’ଣ କହିବି? ଶବ୍ଦ ତ ନିଅଣ୍ଟ। ଇଚ୍ଛା ହେଉଛି ସାଙ୍ଗେ ସାଙ୍ଗେ ଫାଶୀ ଦେଇ ଦିଅନ୍ତେ ନାହିଁ ଅଭିଯୁକ୍ତକୁ! ତା’ ପରେ ପୋଲିସ ତ ତା’ର କାର୍ଯ୍ୟ କରୁଛି!’
ପୁଣି ଥରେ ଅନୁରୋଧ, ‘ଆପଣ ଜଣେ ନାରୀ ଭାବରେ କିଛି ସ୍ୱର ଉତ୍ତୋଳନ କରନ୍ତୁ।’ ହଠାତ କହି ଉଠିଲି, ‘ଆପଣଙ୍କର ଏ କି ପ୍ରକାର ମାନସିକତା? ନାରୀଟିଏ ବିପଦରେ ପଡ଼ିଲେ ବା କିଛି ଦୁର୍ଘଟଣାର ଶିକାର ହେଲେ ଆଉ ଜଣେ ନାରୀ କାହିଁକି ସ୍ୱର ଉଠାଇବ? ପୁରୁଷମାନେ କାହିଁକି ସ୍ୱର ଉଠାଇବେନି?’
‘ଆପଣଙ୍କ ଘରେ ଏ କଥା ଘଟିଥିଲେ ଆପଣ କ’ଣ ଅପେକ୍ଷା କରିଥାନ୍ତେ କି ଆପଣଙ୍କ ପତ୍ନୀ ଏ ବିଷୟରେ ତାଙ୍କର ପ୍ରତିକ୍ରିୟା ରଖନ୍ତୁ ବୋଲି? କି ଆଶ୍ଚର୍ଯ୍ୟ ଓ ଅଦ୍ଭୁତ ମାନସିକତା?’
କୌଣସି ଏକ ନିନ୍ଦନୀୟ ଦୁର୍ଘଟଣାକୁ ନାରୀ ପୁରୁଷ ନିର୍ବିଶେଷରେ ମାନବିକତା ଦୃଷ୍ଟି କୋଣରୁ ସମସ୍ତେ ବିରୋଧ କରିବାରେ ଭୁଲ୍ କେଉଁଠି?
ଆଜିକାଲି ଦେଖାଯାଉଛି ଯଦି ଜଣେ ମହିଳା କୌଣସି ଅଭାବନୀୟ ଘଟଣାର ଶିକାର ହେଉଛନ୍ତି କିଛି ବ୍ୟକ୍ତି ସୋସିଆଲ ମିଡିଆର ଦୁରୁପଯୋଗ କରି ସେହି ଆଳ ନେଇ ଆଉ କିଛି ମହିଳା ବ୍ୟକ୍ତିତ୍ଵଙ୍କୁ ଶବ୍ଦ-ବଳାତ୍କାର କରି ନିଜର ଅପାରଗତା ଲୁଚେଇବାରେ ଲାଗିଛନ୍ତି।
ସୁନ୍ଦରଗଡ଼ରେ ଦୁଇ ଜଣ ଅସହାୟ ମହିଳା ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚାଲି ଚାଲି ଯାଇଥିବା ଘଟଣା ଏବେ ଖୁବ ଚର୍ଚ୍ଚିତ।
ଶହ ଶହ ଦେଖଣାହାରୀ ଫଟୋ ଉଠାଉଥିଲେ। ଅଥଚ କେହି ଜଣେ ବି ତାଙ୍କୁ ଲଜ୍ଜା ନିବାରଣ କରିବା ପାଇଁ ଗାମୁଛା ଖଣ୍ଡେ ଦେଲେ ନାହିଁ। ସେଠି ଜଣେ ମହିଳା ଆସି ତାଙ୍କ ଲଜ୍ଜା ନିବାରଣ ପାଇଁ ବସ୍ତ୍ରଟିଏ ଦେଲେ ବୋଲି ସେ ଆଜି ଟ୍ରୋଲ୍ର ଶିକାର ହେଲେ ଯେ ‘ଆପଣ ମଣିପୁର କେଶ୍ରେ କେଉଁଠି ଥିଲେ’ ବୋଲି?
କି ଅବାନ୍ତର ଚିନ୍ତାଧାରା?
ସର୍ବ ପ୍ରଥମେ ନିଜକୁ ଲଜ୍ଜାବୋଧ ହେବା କଥା ଯେ ଆମ ଝିଅ ମାଆ ଭଉଣୀମାନଙ୍କୁ ଆମେ ସୁରକ୍ଷା ଦେଇ ପାରୁନୁ। ସେ କଥା ନ ଭାବି ସେହି ଆଳରେ ଆଉ କାହାର ଝିଅ ମାଆ ଓ ଭଉଣୀଙ୍କୁ ଅପମାନିତ କରିବାକୁ ଦ୍ୱିଧା ବୋଧ କରୁ ନାହାନ୍ତି।
ମଣିଷ ଏକ ଶାନ୍ତି ଓ ସହାବସ୍ଥାନ ସମାଜର ସ୍ଵପ୍ନ ଦେଖୁଥିବା ବେଳେ କିଛି କୁତ୍ସିତ ମାନସିକତାର ବ୍ୟକ୍ତି ଏକ ସୁସ୍ଥ ବାତାବରଣକୁ ନଷ୍ଟ କରିବାରେ ବିଶେଷ ଭୂମିକା ଗ୍ରହଣ କରି ସମାଜକୁ ଦୂଷିତ କରିବାରେ ଲାଗିଛନ୍ତି।
ଏହି ଛଦ୍ମବେଶୀ ବଳାତ୍କାରୀଙ୍କ ପାଇଁ ଆଇନଗତ ଅଙ୍କୁଶ ଲଗାଇବା ନିତ୍ୟାନ୍ତ ଜରୁରୀ। ଶବ୍ଦ ପ୍ରଦୂଷଣ ପରି ଏମାନଙ୍କ ଅସଭ୍ୟ ଅଶାଳୀନ ମନ୍ତବ୍ୟ କ’ଣ ସମସ୍ତଙ୍କ ପାଇଁ ଏକ ସୁସ୍ଥ ସୁରକ୍ଷିତ ପରିବେଶ ସୃଷ୍ଟି କରି ପାରୁଛି କି? ଶୁଣିବାକୁ ମିଳୁଛି ଏମିତି ସୋସିଆଲ ମିଡିଆରେ ଟ୍ରୋଲ୍ କରିବାକୁ କୁଆଡେ ପେଡ୍ ଗ୍ରୁପ୍ ରଖାଯାଉଛି। ଯଦି ଏହା ସତ୍ୟ ତା’ ହେଲେ ସାଂଘାତିକ।
କେଉଁ ପରି ସମାଜରେ ଆମେ ବାସ କରୁଛେ?
ଏ ପଟେ ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ସଂରକ୍ଷଣ, ମହିଳା ସଶକ୍ତିକରଣ, ମାଆକୁ ସମ୍ମାନ କାର୍ଯ୍ୟକ୍ରମ ହେବ ସେ ପଟେ ଆଉ କେହି ମହିଳାଙ୍କୁ ଅସମ୍ମାନ କରିବାକୁ ଟ୍ରୋଲ ବାହିନୀଙ୍କୁ ନିଯୁକ୍ତି କରିବେ। ଯେ ପର୍ଯ୍ୟନ୍ତ ଏହି ପୁରୁଷତାନ୍ତ୍ରିକ ସମାଜ ମହିଳାଙ୍କୁ ହୃଦୟରୁ ସମ୍ମାନ ନ ଦେଇଛି ସେ ପର୍ଯ୍ୟନ୍ତ ମହିଳା ସଶକ୍ତିକରଣର ଅର୍ଥ କିଛି ନାହିଁ।
ଯେଉଁଠି ଆମ ଦେଶର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ଜଣେ ମହିଳା ରାଷ୍ଟ୍ରପତି ମଧ୍ୟ ଏହି ଟ୍ରୋଲର ଶିକାର ହେଉଛନ୍ତି ସେଠି କେତେ ସୁରକ୍ଷିତ ଆଜି ଜଣେ ସାଧାରଣ ମହିଳା?
ଏକ ସର୍ଭେରୁ ଜଣା ପଡ଼ିଛି ଯେ ସୋସିଆଲ ମିଡିଆରେ ମହିଳାଙ୍କୁ ମାନସିକ ନିର୍ଯ୍ୟାତନାର ହାର ବହୁ ପରିମାଣରେ ବଢ଼ିଛି। ଅଶ୍ଳୀଳ ଫଟୋ, ଭିଡିଓ ଓ ଅଶାଳୀନ ମନ୍ତବ୍ୟ ଦେଇ ମାନସିକ ସ୍ତରରେ ଦୁର୍ବଳ କରି ଚୁପ୍ କରାଇବାର ପ୍ରୟାସରେ କୁଚକ୍ରୀ ଗୋଷ୍ଠୀ ଖୁବ୍ ସକ୍ରିୟ ହୋଇ ଉଠୁଛନ୍ତି।
ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଏମାନଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି। ଏହି ପ୍ରକ୍ରିୟାକରଣରେ କେତେବେଳେ ସେହିମାନଙ୍କ ଝିଅବୋହୂ ମାଆ ମଧ୍ୟ ବଳି ପଡ଼ିଯିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ।
ପୂର୍ବରୁ ଝିଅଟିଏ ଦୃଢ଼ତାର ସହିତ ପ୍ରତିବାଦ କରୁଥଲେ ବା ମୁଣ୍ଡ ଟେକି ସ୍ୱର ଉତ୍ତୋଳନ କରୁଥିଲେ ଅପରାଧୀମାନେ ତା ଉପରେ ଏସିଡ୍ ପକାଇ ତାକୁ ଶାରୀରିକ ଓ ମାନସିକ ଭାବରେ ବିକଳାଙ୍ଗ କରିଦେବା ଥିଲା ଏହି ଶ୍ରେଣୀୟ ଅପରାଧୀଙ୍କ ଏକ ବଡ଼ ଅସ୍ତ୍ର। ସରକାରଙ୍କ ବିଭିନ୍ନ କଡ଼ା ନିୟମ ଲାଗୁ କରିବା ଦ୍ୱାରା ଏବେ ବଜାରରେ ଏସିଡ୍ ସହଜରେ ଉପଲବ୍ଧ ହେଉନାହିଁ। କିନ୍ତୁ ତାଠାରୁ ଆହୁରି ଅଧିକ ମାରାତ୍ମକ ଅସ୍ତ୍ର ଆସିଯାଇଛି ଯେଉଁଥିରେ ଅପରାଧୀ ସହଜରେ ଚିହ୍ନଟ ହୋଇ ପାରୁନାହିଁ, ବରଂ ପରଦା ଅନ୍ତରାଳରେ ରହି ଅକଳ୍ପନୀୟ ଘୃଣ୍ୟ ସାମାଜିକ ଓ ବ୍ୟକ୍ତିଗତ ଅପରାଧ କରି ଚାଲୁଛି।
ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ଶାରୀରିକ ବଳାତ୍କାର ଅପେକ୍ଷା ମାନସିକ, ସାମାଜିକ ଓ ବ୍ୟକ୍ତିଗତ ବଳାତ୍କାରର ସଂଖ୍ୟା ଅସୀମିତ ଭାବରେ ବୃଦ୍ଧି ପାଇ ଚାଲିଛି। ପରଦା ପଛପଟେ ଛଦ୍ମବେଶରେ ରହି ଯୁବତୀ/ମହିଳାଙ୍କୁ ଷ୍ଟକିଂ(ପିଛା କରି), ଟ୍ରୋଲିଙ୍ଗ ଓ ମର୍ଫିଂ(କମ୍ପ୍ୟୁଟରରେ ଚେହେରା ରୂପାନ୍ତରିତ)କରି ତା’ର ବ୍ୟକ୍ତିଗତ ଜୀବନକୁ ଦୁର୍ବିସହ କରିଦେବା, ସାମାଜିକ ପ୍ରତିଷ୍ଠାକୁ କ୍ଷତବିକ୍ଷତ କରି ତାର ପାରିବାରିକ ଜୀବନକୁ ନଷ୍ଟ କରିଦେବା ପରି ଅପରାଧ ଏବେ ନିତିଦିନିଆ ଘଟଣା ହେଇଯାଇଛି।
ଯଦିଓ ଭାରତୀୟ ପିଙ୍ଗଳ କୋଡ଼୍ର ଧାରା ୨୯୨, ୩୫୪ (କ), ଆଇଟି ଆକ୍ଟ ଧାରା ୬୭(କ) ଜରିଆରେ ଏହି ଅଶ୍ଳୀଳ ଫଟୋ/ ଭିଡିଓ ବା ଇଣ୍ଟରନେଟ୍ ସୋସିଆଲ ମିଡିଆରେ ଯୌନ ଉତ୍ପୀଡ଼ନ ବା ଅସଭ୍ୟ ଅଶାଳୀନ ମନ୍ତବ୍ୟ ପାଇଁ ତିନି ବର୍ଷରୁ ଅଧିକା ଜେଲ୍ ଓ ଆର୍ଥିକ ଜୋରିମାନାର ବ୍ୟବସ୍ଥା ରହିଛି, ଜନ ସାଧାରଣଙ୍କ ମଧ୍ୟରେ ଏ ସମ୍ବନ୍ଧରେ ଉପଯୁକ୍ତ ସଚେତନତା ଓ ସାଇବର କ୍ରାଇମର ଉପଯୁକ୍ତ ତଦନ୍ତ ହୋଇ ଦୋଷୀକୁ ଚିହ୍ନଟ କରିବା ଅଭାବରୁ ଏହାର କାର୍ଯ୍ୟକାରିତା ଆଶାନୁରୂପେ ହୋଇ ପାରୁନି।
ସେହିପରି ଏପରି ନିର୍ଯ୍ୟାତନାର ଶିକାର ମୁଖ୍ୟତଃ କିଶୋରୀ ବା ଯୁବତୀ ହେଉଥିଲେ ସୁଦ୍ଧା POCSO Act ଓ IT Act 2000 ଅଧୀନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଜରୁରୀ ଆବଶ୍ୟକତା ରହିଛି। ଏ ପ୍ରକାର ଟ୍ରୋଲିଂ ବା ଷ୍ଟକିଂ କେଶମାନଙ୍କରେ ଅନ୍ ଲାଇନରେ ଏଫ୍.ଆଇ.ଆର୍ ଫାଇଲ୍ କରିବା ବ୍ୟବସ୍ଥା ସହ ଅଭିଯୋଗକାରୀଙ୍କ ପରିଚୟ ଗୁପ୍ତ ରଖିବା ଆବଶ୍ୟକ।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1697449832.jpg)