TOP Vegetable
ଜାନକୀଶ ବଡ଼ପଣ୍ଡା
ଟମାଟୋ ଏକ ଋତୁକାଳୀନ ଫସଲ ଓ ଲୋକେ ଆଗରୁ କେବଳ ଶୀତ ଦିନେ ଏହା ଖାଉଥିଲେ। ଲୋକଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହିତ ଖାଦ୍ୟଋଚି ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ ଯୋଗୁ ଟମାଟୋ ଚାହିଦା ବର୍ଷସାରା ଲାଗି ରହିଛି। ଆଜିକାଲି ବଜାରରେ ବର୍ଷସାରା ଟମାଟୋ ମିଳୁଥିବାରୁ ଲୋକେ ବର୍ଷସାରା ଟମାଟୋ କିଣି ଖାଉଛନ୍ତି। ଆମ ରାଜ୍ୟରେ ସାଧାରଣତଃ ଡିସେମ୍ବର ମାସ ଠାରୁ ମାର୍ଚ୍ଚ ଯାଏଁ ଟମାଟୋ ଅମଳ ହୋଇ ବଜାରକୁ ଆସିଥାଏ, କିନ୍ତୁ ବର୍ଷର ଅନ୍ୟ ମାସମାନଙ୍କରେ ବାହାର ରାଜ୍ୟରୁ ଓ ଆମ ରାଜ୍ୟର କିଛି ଥଣ୍ଡା ଅଞ୍ଚଳରୁ ଆମଦାନୀ ବା ଚାଲାଣ ହୋଇ ଆସିଥାଏ। ଭାରତୀୟ ଉପମହାଦେଶର ଭୌଗୋଳିକ ଓ କୃଷି-ଜଳବାୟୁର ବିଭିନ୍ନତା କାରଣରୁ ଆଞ୍ଚଳିକ ଭିତ୍ତିରେ କେଉଁଠି ନା କେଉଁଠି ପ୍ରାକୃତିକ ଭାବେ ଟମାଟୋ ଚାଷ କରାଯାଇ ପାରୁଥିବାରୁ ଖାଉଟିଙ୍କୁ ବର୍ଷସାରା ଟମାଟୋ କିଣିବାକୁ ମିଳେ। ତେବେ, ବଜାର ଚାହିଦା ଅଧିକ ରହିଲେ ଓ ଉତ୍ପାଦନ କମିଗଲେ ଦରଦାମ ବଢ଼ି ଯାଇଥାଏ। ଯଦିଓ ଖରିଫ ଋତୁରେ ଟମାଟୋ ଚାଷ କରି ଚାଷୀମାନେ ଅଧିକ ମୂଲ୍ୟ ପାଇବା ପାଇଁ ଉପଯୁକ୍ତ କିସମ ଯଥା ଅଭିଳାଷ, ଅଭିନବ, ରଶ୍ମି ଏବଂ ବୈଶାଳୀ ଇତ୍ୟାଦି ବାହାରି ସରିଛି, ଆମ ଚାଷୀମାନେ ନିଗିଡ଼ା ଜମିରେ ଖରିଫ ଟମାଟୋ ଚାଷ କରିବାକୁ ଅନାଗ୍ରହୀ। ଅଥଚ ଏହି କିସମଗୁଡ଼ିକ ଅଧିକ ଅମଳକ୍ଷମ, ରୋଗ ପ୍ରତିରୋଧୀ ଏବଂ ଖରିଫ ଋତୁର ଅଧିକ ବର୍ଷା, ଗରମ-ଆର୍ଦ୍ର ପରିବେଶ ପାଇଁ ଉପଯୁକ୍ତ।
ଗଛତୋଳା ସତେଜ ଟମାଟୋକୁ ସର୍ବାଧିକ ସମୟ ପାଇଁ ସଂରକ୍ଷିତ କରି ରଖିବା ପାଇଁ ବିଭିନ୍ନ ଉପାୟ ଅଛି। ଏହା ଏକ ଅତ୍ୟଧିକ ପଚନଶୀଳ ପରିବା ହୋଇଥିବାରୁ ପାକଳ ଗୋଟା ଟମାଟୋକୁ କଞ୍ଚା ଅବସ୍ଥାରେ ତୋଳାଯାଇ, ଭଲ ଭାବେ ଧୋଇ, ପାଣି ଛାଡ଼ିଗଲା ପରେ, ସୂର୍ଯ୍ୟକିରଣ ପଡୁନଥିବା ଓ ବାୟୁ ଚଳାଚଳ କରୁଥିବା ସ୍ଥାନରେ ୬୦-୬୫ ଫାରେନହିଟ୍ ତାପମାତ୍ରରେ ରଖିଲେ ଟମାଟୋ ଧୀରେ ଧୀରେ ପାଚେ ଓ ବେଶିଦିନ ରଖିହୁଏ। ଫ୍ରିଜରେ ସଇତିଲେ, ଆଉ କିଛି ଅଧିକ ଦିନ ପାଇଁ ସତେଜ ରଖାଯାଇ ପାରେ; ହେଲେ ଏହାର ପ୍ରକୃତିକ ସ୍ୱାଦ ରହେନାହିଁ। ପାଚିଲା ଟମାଟୋକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଫ୍ରିଜରେ ରଖା ଯାଇପାରେ, ଅଧିକ ନୁହେଁ। ପାଚିଲା ଟମାଟୋକୁ ୧୦ ମିନିଟ୍ ପାଣିରେ ଫୁଟାଇ, ଚୋପା ଛଡ଼ାଇବା ପରେ ପ୍ୟୁରି କରି ଫ୍ରିଜରେ ରଖି ବ୍ୟବହାର କରାଯାଏ। ଏହା ଛଡା, ସସ୍, କେଚପ୍ ରୂପେ ପ୍ରକ୍ରିୟାକରଣ କରାଯାଏ।
ବିଶ୍ୱ ଟମାଟୋ ଉତ୍ପାଦନର ଏକ ଦଶମାଂଶ ଭାରତରେ ଉତ୍ପାଦିତ ହୋଇଥାଏ। ଆମର ମୁଣ୍ଡପିଛା ବାର୍ଷିକ ହାରାହାରି ଟମାଟୋ ଖର୍ଚ୍ଚ ପାଞ୍ଚ କେଜିରୁ କମ। ଏଣୁ, ସମଗ୍ର ଦେଶର ଆବଶ୍ୟକତା ମାତ୍ର ୭୦ ଲକ୍ଷ ଟନ। ଅମଳ ପରବର୍ତ୍ତୀ ନଷ୍ଟ ହେଉଥିବା ଟମାଟୋ ପରିମାଣ ପ୍ରାୟ ୨୫ ଲକ୍ଷ ଟନ। ଏପରି ସମୁଦାୟ ୯୫ ଲକ୍ଷ ଟନ ଆବଶ୍ୟକ ଥିଲାବେଳେ ଆମ ଦେଶର ଚାଷୀ ବାର୍ଷିକ ପ୍ରାୟ ୧୦ ଲକ୍ଷ ହେକ୍ଟର ଜମିରେ ଟମାଟୋ ଚାଷ କରି ୨୦୭ ଲକ୍ଷ ଟନ ଟମାଟୋ ଅମଳ କରନ୍ତି। ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ଓଡ଼ିଶା ଓ ଛତିଶଗଡ଼ରେ ସର୍ବାଧିକ ଟମାଟୋ ଚାଷ କରାଯାଏ। ଆମ ଓଡ଼ିଶାର ଅବଦାନ ଦେଶରେ ଉତ୍ପାଦିତ ଟମାଟୋ ପରିମାଣର ପ୍ରାୟ ୧୧.୪୨ ପ୍ରତିଶତ। ମୁଖ୍ୟତଃ କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ବାର୍ଷିକ ପ୍ରାୟ ୯୦ ହଜାର ହେକ୍ଟର ଜମିରେ ଶୀତ ଦିନେ ଟମାଟୋ ଚାଷ ହୁଏ। କୋରାପୁଟ ଓ ଫୁଲବାଣୀ ଜିଲ୍ଲାର ସମୁଦ୍ରପତ୍ତନ ଠାରୁ ଅଧିକ ଉଚ୍ଚତା ସମ୍ପନ୍ନ ନିଗିଡ଼ା ଜମି ଓ ଅପେକ୍ଷାକୃତ ଥଣ୍ଡା ଜଳବାୟୁରେ ବର୍ଷ ସାରା ଟମାଟୋ ଚାଷ କରାଯିବା ସମ୍ଭବ। ଏହାଛଡା, ପଲିଥିନ ଓ ତାରଜାଲି ଘେରା ଆଧୁନିକ କୃଷି କ୍ଷେତ୍ରରେ ବର୍ଷ ସାରା ହାଇବ୍ରିଡ଼ ଟମାଟୋ ଚାଷ କରା ଯାଉଥିବାରୁ ଗ୍ରୀଷ୍ମ ଓ ବର୍ଷାଦିନେ ମଧ୍ୟ ଟମାଟୋ ଉତ୍ପାଦନ ହୋଇପାରୁଛି।
ଏକ ମୂଲ୍ୟଶୃଙ୍ଖଳ ଅନୁଧ୍ୟାନରୁ ଜଣା ଯାଇଛି ଚାଷୀମାନେ ଟମାଟୋ କିଲୋପ୍ରତି ୭ ଟଙ୍କା ଦରରେ ବିକ୍ରିକଲେ ଖାଉଟି ପାଖରେ ପହଞ୍ଚିଲା ବେଳକୁ ତାହାର ମୂଲ୍ୟ ୧୮ ଟଙ୍କାରେ ପହଞ୍ଚି ଯାଏ। ଅନେକ ସମୟରେ ଚାଷୀ ଶସ୍ତାରେ ବିକିବାକୁ ବାଧ୍ୟ ହେଉ ଥିବାରୁ ଆମେ ବଜାରରୁ ଶସ୍ତାରେ ଟମାଟୋ କିଣିବାକୁ ପାଇଥାଉ। ଗୋଟିଏ ଏକର ଚାଷ ପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କଲେ ୧୦ ହଜାର କେଜି ଟମାଟୋ ଅମଳ ହୁଏ। ଏଣୁ କେଜି ପ୍ରତି ସର୍ବନିମ୍ନ ୧୦ ଟଙ୍କା ନପାଇଲେ ଚାଷୀ ଚାଷ କରିବ କାହିଁକି? ପ୍ରକ୍ରିୟାକରଣ ମାଧ୍ୟମରେ ପ୍ୟୁରି, ସସ, କେଚପ, ସ୍କ୍ୱାସ, ଆଚାର କରିବାକୁ ଓଡ଼ିଶାରେ ବ୍ରାଣ୍ଡେଡ୍ ଶିଳ୍ପସଂସ୍ଥା ନଥିବାରୁ, ଟମାଟୋ ଚାଷ ଲାଭଜନକ ହୋଇପାରୁନି।
ବାସ୍ତବରେ, ସମସ୍ତ ପ୍ରକାର ଫସଲ ଅମଳ ପ୍ରକୃତିର ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଋତୁ ଆଧାରିତ। ଟମାଟୋ ଏଥିରୁ ବାଦ ନୁହେଁ। ଖରିଫ ଋତୁର ମଇ ଠାରୁ ଜୁଲାଇ ମାସ ଯାଏଁ ଲଗାଯାଉଥିବା ଟମାଟୋ ଜୁଲାଇ ଠାରୁ ନଭେମ୍ବର ମାସଯାଏଁ ଅମଳ ଦେଉଥିଲାବେଳେ ରବି ଋତୁରେ ଅକ୍ଟୋବର ଠାରୁ ଫେବୃଆରୀ ମାସ ଯାଏଁ ଲଗାଯାଉଥିବା ଟମାଟୋ ଫଳଧରେ ଡିସେମ୍ବର ଠାରୁ ଜୁନ ମାସ ଯାଏଁ। ସେଇଥିପାଇଁ ଆମ ଦେଶରେ ଟମାଟୋର ସର୍ବାଧିକ ବଜାର ଦର ଥାଏ ଜୁଲାଇ ମାସରେ; ପଛକୁ ପଛ ଚଢ଼ା ଦର ରହେ ଯଥାକ୍ରମେ ଅକ୍ଟୋବର, ମଇ ଓ ଜୁନ ମାସରେ। ଆମ ଦେଶରୁ ମଧ୍ୟ ଟମାଟୋ ବିଦେଶକୁ ରପ୍ତାନୀ କରାଯାଏ। ସବୁଠୁ ଅଧିକ ରପ୍ତାନୀ କରାଯାଉଥିବା ମାସ ଗୁଡିକ ଯଥାକ୍ରମେ ନଭେମ୍ବର, ଡିସେମ୍ବର, ସେପ୍ଟେମ୍ବର, ଅକ୍ଟୋବର ଓ ଜୁଲାଇ। ଖରିଫ ଋତୁରେ ଆମ ଦେଶରେ ପ୍ରାୟ ୫୦ ଲକ୍ଷ ଟନ ଟମାଟୋ ଉତ୍ପାଦନ ହେଉଥିଲାବେଳେ ରବି ଋତୁରେ ପ୍ରାୟ ୧୫୭ ଟନ ଉତ୍ପାଦନ ହୁଏ।
ପିଆଜ
ଓଡ଼ିଶାବାସୀଙ୍କ ବାର୍ଷିକ ପିଆଜ ଚାହିଦା ପ୍ରାୟ ୩ ଲକ୍ଷ ଟନ୍ ଥିଲାବେଳେ ରାଜ୍ୟରେ କେବଳ ରବି ଋତୁରେ ବାର୍ଷିକ ୪ ଲକ୍ଷ ଟନ୍ରୁ ଅଧିକ ପିଆଜ ଉତ୍ପାଦନ ହୁଏ। ଅମଳ ପରେ ଏହାର ସିଂହଭାଗ ବାହାର ରାଜ୍ୟର ବ୍ୟବସାୟୀମାନେ କିଣି ନେଉଥିବାବେଳେ ନିଜସ୍ୱ ଚାହିଦା ମେଣ୍ଟାଇବା ପାଇଁ ଆମକୁ ବାର୍ଷିକ ୨ ଲକ୍ଷ ଟନ୍ରୁ ଅଧିକ ପିଆଜ ଆମଦାନୀ କରିବାକୁ ପଡ଼େ। ଅବିଭକ୍ତ କୋରାପୁଟ, ବଲାଙ୍ଗୀର, ଫୁଲବାଣୀ, କଳାହାଣ୍ଡି, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ମୁଖ୍ୟତଃ ପିଆଜ ଚାଷ କରାଯାଏ।
ମହାରାଷ୍ଟ୍ରର ନାସିକ୍ ଅଞ୍ଚଳରେ ଖରିଫ, ବିଳମ୍ବ ଖରିଫ ଓ ରବି ଏହିପରି ତିନିଟି ଋତୁରେ ଚାଷ କରା ଯାଇଥାଏ। ଓଡ଼ିଶାର କିଛି ପାହାଡ଼ିଆ ଅଞ୍ଚଳରେ ବିଳମ୍ବ ଖରିଫ ଓ ରବି ଏହିପରି ଦୁଇଟି ଋତୁରେ ପିଆଜ ଚାଷ ସମ୍ଭାବନା ରହିଥିଲେ ବି ଏହି ଦିଗରେ ବିଶେଷ ପ୍ରୟାସ କରାଯାଇନି। ରବି ଋତୁରେ ଉତ୍ପାଦିତ ପିଆଜକୁ ସଂରକ୍ଷିତ କରି ରଖିବା ସହିତ ବିଳମ୍ବ ଖରିଫ ଋତୁରେ ପିଆଜ ଚାଷ କରାଗଲେ ଚାଷୀମାନେ ପିଆଜର ଉପଯୁକ୍ତ ମୂଲ୍ୟ ପାଇବା ସହିତ ଖାଉଟୀମାନେ ବି ପିଆଜ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତେ।
ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକର ଶୁଷ୍କାଞ୍ଚଳରେ ଖରିଫ ପିଆଜ ଚାଷ ହୁଏ, ଯାହା ଅକ୍ଟୋବର ମାସରେ ଅମଳ ହୋଇଥାଏ। ବିଳମ୍ବ ଖରିଫ ପିଆଜ ଚାଷ ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟରେ କରାଯାଇ ଜାନୁଆରୀ ମାସରେ ଅମଳ ହୁଏ। ଖରିଫ ଋତୁର ଦୁଇ ଥରରେ ଉତ୍ପାଦିତ ପିଆଜର ପରିମାଣ ସମଗ୍ର ଉତ୍ପାଦନର ୪୦ ପ୍ରତିଶତ। ମାର୍ଚ୍ଚରୁ ମେ' ମାସ ମଧ୍ୟରେ ଅମଳ ହେଉଥିବା ପିଆଜ ପରିମାଣ ୬୦ ପ୍ରତିଶତ। ଖରିଫରେ ଉତ୍ପାଦିତ ପିଆଜ ତୁଳନାରେ ଏଥିରେ ଜଳୀୟ ଅଂଶ କମ; ଏଣୁ, ରବି ପିଆଜକୁ ସାଧାରଣତଃ ଅଧିକ ଦିନ ପାଇଁ ସଂରକ୍ଷିତ କରି ରଖାଯାଇ ଥାଏ। ଜୁଲାଇ ପରଠାରୁ ଏହା ସାଇତା ଗୃହରୁ ବଜାରକୁ ବିକ୍ରି ପାଇଁ ଆସିଥାଏ। ଖରିଫ ଓ ବିଳମ୍ବ ଖରିଫ ଋତୁର ପିଆଜ ଅମଳ ହେବା ଯାଏଁ, ଅର୍ଥାତ ଜାନୁଆରୀ ଓ ଫେବୃଆରୀ ମାସରେ ଚାହିଦା ତୁଳନାରେ କମ ପରିମାଣର ପିଆଜ ବଜାରକୁ ଆସୁଥିବାରୁ ପିଆଜର ଦାମ ବଢିଯାଏ। ଖରିଫ ପିଆଜର ଅମଳ ହ୍ରାସ ପାଇଲେ ସ୍ଥିତି ଅଧିକ ଜଟିଳ ହୋଇଯାଏ।
ଦେଶରେ ଏବେ ପ୍ରାୟ ବାର୍ଷିକ ପ୍ରାୟ ୧୮ ନିୟୁତ ଟନ ପିଆଜର ଆବଶ୍ୟକତା ଥିଲାବେଳେ ୨୫.୪୫ ନିୟୁତ ଟନ ଅମଳ ହୁଏ। ଉତ୍ପାଦିତ ପିଆଜର ସଠିକ ପରିଚାଳନା ହୋଇ ପାରିଲେ ବର୍ଷ ସାରା ଆମର ଚାହିଦା ମେଣ୍ଟାଯାଇ ପାରନ୍ତା। ଖାଉଟି ବଜାରରେ ପିଆଜର ଦର ବଢିଲେ ଚାଷୀମାନଙ୍କର କିଛି ଲାଭ ହୋଇ ନଥାଏ, କାରଣ ସେମାନଙ୍କ ନିକଟରେ ପିଆଜ ଗଚ୍ଛିତ ନ ଥାଏ। ବିକ୍ରି ନ ହୋଇ ବେଶି ଦିନ ରଖିଲେ ପଚିସଢ଼ି ଯିବାର ଆଶଙ୍କା ଥିବାରୁ ପିଆଜର ଉତ୍ପାଦନ ଖର୍ଚ୍ଚ କିଲୋଗ୍ରାମ ପିଛା ପ୍ରାୟ ୮ ଟଙ୍କା ହୋଇଥିଲେ ବି ଅମଳ ସମୟରେ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ସଂରକ୍ଷିତ ପିଆଜର ୩୫ ପ୍ରତିଶତ ନଷ୍ଟ ହୋଇ ଯାଉଥିବାରୁ ଚାଷୀ ବେପାରିମାନଙ୍କ ହାତକୁ ଫସଲ ଟେକିଦିଏ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଭାରତର ସବୁଠାରୁ ବଡ଼ ପିଆଜ ମଣ୍ଡି ମହାରାଷ୍ଟ୍ରର ନାସିକ ନିକଟସ୍ଥ ଲସଲଗାଓଁର ମହାଜନଙ୍କ ପିଆଜ ସାଇତା ଗୃହକୁ ପିଆଜ ଯାଏ ଏବଂ ସେଠାରୁ ଦେଶର ବିଭିନ୍ନ ଅଞ୍ଚଳକୁ ପରବର୍ତ୍ତୀ କାଳରେ ପିଆଜ ଚାଲାଣ ହୁଏ। ପିଆଜ ବ୍ୟବସାୟ ଏବେ ବି ମୁଷ୍ଟିମେୟ ବଡ଼ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ରହିଛି। ସେମାନେ ସଲାସୁତୁରା କରି ପିଆଜର ଦର ନିୟନ୍ତ୍ରଣ କରିଥାନ୍ତି। ଏ ପର୍ଯ୍ୟନ୍ତ ସରକାର ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇ ନାହାନ୍ତି।
ଆଳୁ
ଶେଷକୁ ଆଳୁ ପ୍ରସଂଗକୁ ଆସିବା। ଓଡିଶାର ଖାଉଟିଙ୍କ ପାଇଁ ବାର୍ଷିକ ହାରାହାରି ୧୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ଆଳୁ ଆବଶ୍ୟକ ହେଉଥିଲା ବେଳେ ଆମ ରାଜ୍ୟରେ ସର୍ବାଧିକ ୩ ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦିତ ହେଉଛି। ଏତିକି ମାତ୍ର ଆଳୁ ସାଇତି ରଖିବା ପାଇଁ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟହୋଇ ବେପାରୀମାନଙ୍କୁ ଅମଳ ସମୟରେ କୁଇଣ୍ଟାଲ ପିଛା ୫୦୦ରୁ ୭୦୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି। ଏପରି ଅଭାବୀ ବିକ୍ରି ଦର ଲାଭଜନକ ହେଉ ନଥିବାରୁ ଆଳୁଚାଷ କରିବା ଲାଗି ଚାଷୀମାନଙ୍କ ଭିତରେ ଆଗ୍ରହ କମିଯାଉଛି।
ଆଳୁଚାଷୀ ଏବଂ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଆଗ୍ରହୀମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରି, ଓଡ଼ିଶା ସରକାର ରାଜ୍ୟର ୫୮ଟି ଉପଖଣ୍ଡରେ ସର୍ବନିମ୍ନ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆର୍ଥିକ ସହାୟତା ଦେବାକୁ କହିଛନ୍ତି। ଆଗ୍ରହୀ ବ୍ୟକ୍ତି, ସମୂହ ପଞ୍ଜୀକୃତ ଚାଷୀ, କୃଷକ ଉତ୍ପାଦକ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଶିଳ୍ପ ସଂଘମାନେ ଆବେଦନ କରିବା ପାଇଁ ଗୋ-ସୁଗମ ପୋର୍ଟାଲ୍ ଆରମ୍ଭ କରାଯାଇଛି। ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ୬-୬.୫୦ କୋଟି ଟଙ୍କାର ରିହାତି ଦେବେ ଏବଂ ପାଞ୍ଚ ବର୍ଷରେ ୨୫୨ କୋଟି ଟଙ୍କାର ରିହାତି ମିଳିବ। ବ୍ୟାଙ୍କରୁ ଋଣ ନେଲେ ସୁଧ ହାର ଦେବାକୁ ପଡ଼ିବ ମାତ୍ର ୬ ପ୍ରତିଶତ। କାର୍ଯ୍ୟକାରୀ ପୁଞ୍ଜି ଋଣ ଉପରେ ଲାଗୁ ହେଉଥିବା ସୁଧ ଫେରସ୍ତ ପ୍ରାବଧାନ କରିଛନ୍ତି ସରକାର। ନୂତନ, ପୁରାତନ ଏବଂ ପୁନରୁଦ୍ଧାରକ୍ଷମ ଶୀତଳଭଣ୍ଡାର ଗୁଡ଼ିକ ବ୍ୟବହାର କରିବାକୁ ଥିବା ବିଦ୍ୟୁତ ଶୁଲ୍କ ଉପରେ ୭ ବର୍ଷ ପର୍ଯ୍ୟନ୍ତ ପଚାଶ ପ୍ରତିଶତ ରିହାତି ସୁବିଧା ଦେବାକୁ ଘୋଷଣା କରିଛନ୍ତି। ବନ୍ଦ ହୋଇ ପଡ଼ିଥିବା ଶୀତଳଭଣ୍ଡାର ପୁନରୁଦ୍ଧାର ପାଇଁ ସର୍ବାଧିକ ୧.୫ କୋଟି ଟଙ୍କା ଆର୍ଥିକ ସହାୟତା ଦେବେ। ଏ ସମସ୍ତ ରିହାତି, ବ୍ୟବସ୍ଥା ସହିତ ଯଦି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସୌର ପ୍ୟାନେଲ୍ ବ୍ୟବସ୍ଥା ଏବଂ ଜିଲ୍ଲା ସ୍ତରରେ ତଦାରଖ କମିଟି ପ୍ରତ୍ୟେକ ମାସରେ ପ୍ରତ୍ୟେକ ଶୀତଳଭଣ୍ଡାର ପରିଦର୍ଶନ କରି ସମସ୍ତ ଅସୁବିଧା ଓ ସମସ୍ୟାକୁ ତତ୍କାଳ ସମାଧାନ ବ୍ୟବସ୍ଥା ରହିଲେ, ଶୀତଳଭଣ୍ଡାର ସଂଖ୍ୟା ବଢ଼ି ଚାଲିବ ଏବଂ କେବଳ ଆଳୁ ନୁହେଁ, ସମସ୍ତ ସବୁଜ ପରିବା ଏଥିରେ ସାଇତି ରଖାଯାଇ ପାରିବ ଏବଂ ଉଭୟ ଚାଷୀ ଓ ଖାଉଟି ଲାଭ ପାଇବେ। ଏହା ସହିତ ସୌରଶକ୍ତି ବିନିଯୋଗ କରି ଶୁଷ୍କ-ପରିବା ପ୍ରସ୍ତୁତ କରୁଥିବା ଶିଳ୍ପସଂସ୍ଥା ପ୍ରତିଷ୍ଠା ପାଇଲେ ଚାଷୀ ଅଭାବୀ ବିକ୍ରି କରିବାକୁ ଚାହିଁବେନି I ଚାଷୀ ବଞ୍ଚିଲେ, ଖାଉଟି ବଞ୍ଚିବେ।
ଆମ ଦେଶରେ ବିଲାତି ବାଇଗଣ ବା ଟମାଟୋ, ପିଆଜ ବା ଓନିଅନ ଏବଂ ଆଳୁ ବା ପଟାଟୋକୁ ସଂକ୍ଷେପରେ ଟପ୍ (TOP) ପରିବା କୁହାଯାଏ। ଏଗୁଡିକର ବଜାର ଦର ବଢ଼ିଗଲେ, ଗୃହିଣୀମାନେ ଚିନ୍ତାରେ ପଡ଼ି ଯାଆନ୍ତି। ଏବେ, ଟମାଟୋ, ପିଆଜ ଓ ଆଳୁକୁ ଯଥାଗୁରୁତ୍ୱ ଦେବାର ସମୟ ଆସିଛି।I ପିଆଜ କାଟିଲେ ଆଖିରୁ ଲୁହ ବାହାରିବା ଏକ ରାସାୟନିକ ପ୍ରକ୍ରିୟା ହୋଇଥିଲେ ହେଁ ପିଆଜ ଦର ଅହେତୁକ ବୃଦ୍ଧି ପାଇଲେ, ଜନସାଧାରଣ ଓ ସରକାରଙ୍କ ଆଖିରୁ ଲୁହ ବାହାରିବା ଏକ ଅର୍ଥନୈତିକ-ରାଜନୈତିକ ପ୍ରକ୍ରିୟା। 'ପିଆଜ' ସରକାରଙ୍କ ଆଖିରୁ ଲୁହ ଝରାଇବ, ଲୋକଙ୍କ ପାଟିକୁ 'ଆଳୁ'ବିନା ମାଗଣା ଚାଉଳ ରୁଚିବନି ଏବଂ 'ଟମାଟୋ'ର ଲାଲ ଟହଟହ ଡଉଲଡାଉଲ ଚେହେରା ଗରିବଙ୍କ ପାଇଁ ରହିଯିବ ଦୁରନ୍ତ ସ୍ୱପ୍ନଟିଏ ହୋଇ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1746172166.jpg)