ଜାନକୀଶ ବଡ଼ପଣ୍ଡା
ଶ୍ରୀମନ୍ଦିର ବିଷୟରେ ଆଲୋଚନା କରାଗଲାବେଳେ ଅନେକେ ମୁଖ୍ୟତଃ କ୍ଷୋଭ ପ୍ରକାଶ କରନ୍ତି ଯେ, ସେବାୟତଙ୍କ ପକ୍ଷରୁ ଭକ୍ତଙ୍କ ସହିତ ଉତ୍ତମ ବ୍ୟବହାର କରାଯାଏନି, ଦିଅଁ ଦର୍ଶନ ବ୍ୟବସ୍ଥା ଲୋକାଭିମୁଖୀ ନୁହେଁ ଓ ମହାପ୍ରସାଦ ବିକ୍ରି ଅବ୍ୟବସ୍ଥିତ।
ଦିଅଁ ଦର୍ଶନ, ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରିକୁ ବ୍ୟବସ୍ଥିତ କରାଗଲେ ଭକ୍ତଙ୍କର ଅଧିକାଂଶ ଅଭିଯୋଗର ସମାଧାନର ସୂତ୍ର ମିଳିଯିବାର ଆଶା କରାଯାଏ। ଏବେ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ କେବଳ ସିଂହଦ୍ଵାର ଖୋଲା ରହୁଛି ଏବଂ ଚାରି ଦ୍ଵାର ଖୋଲି ଦିଆଯିବାକୁ ପ୍ରବଳ ଦାବୀ ହେଉଛି। ପୂର୍ବେ ଚାରି ଦ୍ୱାର ଖୋଲା ରହୁଥିଲା ଓ ଭକ୍ତମାନେ ସ୍ୱଳ୍ପ ସମୟରେ ଓ ସୁବିଧାରେ ଦିଅଁ ଦର୍ଶନ କରିପାରୁ ଥିଲେ। କିନ୍ତୁ, ଆମକୁ ମନେରଖିବାକୁ ହେବ ଯେ, କ୍ରମଶଃ ଭକ୍ତଙ୍କ ସଂଖ୍ୟା ବଢୁଛି। ଦେଶର ଲୋକସଂଖ୍ୟା ଏବେ ୧୪୧ କୋଟି ଏବଂ ଭବିଷ୍ୟତରେ ଏହା ସର୍ବାଧିକ ୧୭୫ କୋଟି ଛୁଇଁବ। ଭାରତୀୟଙ୍କ ମୁଣ୍ଡପିଛା ଆୟ ସହ ତାଳଦେଇ ଗମନାଗମନ ସୁବିଧା ଓ ଭକ୍ତଙ୍କ ତୀର୍ଥାଟନ ପାଇଁ ଆଗ୍ରହ ଓ ସାମର୍ଥ୍ୟ ବଢ଼ୁଥିବାରୁ ଆଗକୁ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବା ସୁନିଶ୍ଚିତ।
ମହାପ୍ରସାଦ ପାଇବା ପାଇଁ ଭକ୍ତଙ୍କ ଆକୁଳତା ସହ ଆନନ୍ଦ ବଜାରର ଅବସ୍ଥିତି କାରଣରୁ ମନ୍ଦିର ବେଢ଼ାରେ ଅତ୍ୟଧିକ ଗହଳି ଲାଗି ରହୁଛି। ଏହା ଉପଲବ୍ଧି କଲା ପରେ ଆନନ୍ଦ ବଜାର ସ୍ଥାନାନ୍ତର କରିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଗଜପତି ମହାରାଜ। ସେ 'ଅନ୍ନଯଜ୍ଞ କ୍ଷେତ୍ର ପରିକଳ୍ପନା' ପ୍ରସ୍ତୁତ କରି ଉତ୍ତର ଦ୍ଵାର ନିକଟବର୍ତ୍ତୀ ଏକ ମଠରେ ବିକଳ୍ପ ଆନନ୍ଦ ବଜାର ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି। ଆମେ ଜାଣୁ ଯେ ଅଧୁନା ଶ୍ରୀମନ୍ଦିରରେ ବିଦ୍ୟମାନ ଭୋଗମଣ୍ଡପ ବା ଭଅଣ୍ଡ, ରୋଷ ଘର, ସ୍ନାନ ମଣ୍ଡପ ଓ ଆନନ୍ଦ ବଜାର ଇତ୍ୟାଦି ମୂଳ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବାର ପରବର୍ତ୍ତୀ କାଳରେ ନିର୍ମିତ ହୋଇଛି। ନିର୍ମାଣ ଚାଲିଥିବା ପରିକ୍ରମା ମାର୍ଗ ପୂର୍ବରୁ ନଥିଲା। ଏଣୁ, ବିକଳ୍ପ ଆନନ୍ଦ ବଜାର ନିର୍ମାଣ କଲେ ତାହା ପରମ୍ପରାର ବିରୁଦ୍ଧାଚରଣ କରିବ ନାହିଁ। ଶ୍ରୀମନ୍ଦିରର ଚାରି ଦିଗରେ ଅନ୍ତତଃ ଏକ କିଲୋମିଟର ଦୂରରେ ଚାରି ଗୋଟି ବିକଳ୍ପ ଆନନ୍ଦ ବଜାର ଅତ୍ୟନ୍ତ ବ୍ୟବସ୍ଥିତ, ଭକ୍ତିମୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆରାମପ୍ରଦ ଭାବେ ପ୍ରତିଷ୍ଠା କରାଗଲେ ଭଲ ହୁଅନ୍ତା।
ପ୍ରସ୍ତାବିତ ଆନନ୍ଦ ବଜାର ମଧ୍ୟରୁ ଗୋଟିଏ ବଡ଼ଦାଣ୍ଡ ନିକଟରେ ଓ ଆଉ ଗୋଟିଏ ରେଳ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ପ୍ରତିଷ୍ଠା କରାଯିବା ଉଚିତ। ତୃତୀୟଟି କାର୍ ରହଣୀସ୍ଥଳ ନିକଟରେ ବାତାନୁକୂଳିତ କରାଗଲେ ସେଠାରେ ଦେଶ ବିଦେଶରୁ ଆସୁଥିବା ଅନେକ ଧନୀକ ଭକ୍ତ ମହାନନ୍ଦରେ ମହାପ୍ରସାଦ ସେବନ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ। ଚତୁର୍ଥଟି ରହନ୍ତା ସହର ବାହାରକୁ ଗାଡ଼ି ମଟରରେ ପରିବହନ ହେବାକୁଥିବା ବରାଦି ଶ୍ରୀମହାପ୍ରସାଦ ପାଇଁ। ଏହି ସମସ୍ତ ପ୍ରସ୍ତାବିତ ଆନନ୍ଦ ବଜାରକୁ ମହାପ୍ରସାଦ ଉଠିଲା ପରେ ପ୍ରଶାସନ ପକ୍ଷରୁ ବ୍ୟାଟେରି ଚାଳିତ ସ୍ୱତନ୍ତ୍ର ଗାଡ଼ିରେ ଯୋଗାଣ ହେଲେ ଶ୍ରୀମନ୍ଦିର ପରିସର ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରହନ୍ତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ବିକଳ୍ପ ଆନନ୍ଦ ବଜାରର ତଳ ମହଲାରେ ପ୍ରତୀକ୍ଷାଳୟ, ହାତ-ପାଦଧୁଆ ସୁବିଧା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନିର୍ମାଲ୍ୟ, ଖଜା, ପଥର ମୂର୍ତ୍ତୀ, ନାଲିବାଡ଼ି, ପଟ୍ଟଚିତ୍ର, ପୁସ୍ତକ, ଭଜନ ସିଡି ଇତ୍ୟାଦି ବିକ୍ରି କରାଯିବା ପାଇଁ ଦୋକାନ ଏବଂ ଉପର ମହଲାରେ ଭୋଜନାଳୟ ମଧ୍ୟ ରହନ୍ତା।
ଶ୍ରୀକ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଆସିଛି। କୋଟି ଦେବତାଙ୍କ ନିକଟରେ ସମର୍ପିତ ନୈବେଦ୍ୟ, ଭୋଗ ବା ପ୍ରସାଦ ବୋଲାଉଥିବାବେଳେ କେବଳ ଦାରୁବ୍ରହ୍ମଙ୍କ ନିକଟରେ ଅର୍ପିତ ନୈବେଦ୍ୟ ହିଁ ଶ୍ରୀମହାପ୍ରସାଦ। ଶ୍ରୀମନ୍ଦିର ପରିସରରେ ସଂଘଟିତ ଅଲୌକିକ ଲୀଳାମାନଙ୍କ ମଧ୍ୟରେ ଶ୍ରୀମହାପ୍ରସାଦ ଅନ୍ୟତମ ଶ୍ରେଷ୍ଠ ଲୀଳା। ଶ୍ରୀମହାପ୍ରସାଦ ହିଁ ଅନ୍ନବ୍ରହ୍ମ। ଦାରୁ ମଧ୍ୟରେ ଅକ୍ଷୟ ବ୍ରହ୍ମ ଆରୋପିତ ହେଲା ପରେ ଯେପରି ଦାରୁବ୍ରହ୍ମ ଭାବେ ସର୍ବମାନ୍ୟ, ସେପରି ଅନ୍ନ ମଧ୍ୟରେ ବ୍ରହ୍ମ ଆରୋପିତ ହେଲା ପରେ ଅନ୍ନବ୍ରହ୍ମ ରୂପେ ମହିମା ମଣ୍ଡିତ। ଶ୍ରୀଜଗନ୍ନାଥଙ୍କ ଲୀଳା ଓ ତତ୍ତ୍ୱ ଦର୍ଶନରେ ଉଭୟ ଦାରୁବ୍ରହ୍ମ ଓ ଅନ୍ନବ୍ରହ୍ମ ଏକ ଓ ଅଭିନ୍ନ। ଯଜ୍ଞାଗ୍ନିରେ ପାକ ହୋଇଥିବା, ଯନ୍ତ୍ର ଉପରେ ରଖାଯାଇ ନୃସିଂହ ମନ୍ତ୍ରରେ ସଂସ୍କାରିତ ତଥା ଗୋବିନ୍ଦଙ୍କୁ ନିବେଦିତ ନୈବେଦ୍ୟଙ୍କୁ ମହାପ୍ରସାଦ କୁହାଯାଏ। ଏହି ଚାରି କ୍ରିୟା କେବଳ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁସୃତ ହୋଇଥାଏ। ଏହି ମହାପ୍ରସାଦ ମା'ବିମଳାଙ୍କୁ ସମର୍ପଣ କରାଯାଇଥାଏ। ବର୍ଣ୍ଣ ବୈଷମ୍ୟ ଓ ସାମ୍ପ୍ରଦାୟିକ ସଂକୀର୍ଣ୍ଣତାକୁ ଭୁଲି ସମସ୍ତେ ମିଳିତ ଭାବେ ଶ୍ରୀମହାପ୍ରସାଦ ସେବନ କରିବା କେବଳ ଶ୍ରୀକ୍ଷେତ୍ରରେ ହିଁ ସମ୍ଭବ। ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଶ୍ରୀକ୍ଷେତ୍ରର ଆନନ୍ଦ ବଜାରରେ ଏକାକାର।
ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦର ବିକ୍ରି ବ୍ୟବସ୍ଥା ଅନିୟନ୍ତ୍ରିତ ରହି ଆସିଛି। ପରିମାଣ ଅନୁସାରେ ଦର ନିର୍ଦ୍ଧାରଣ କରିବାକୁ ସରକାର ସମର୍ଥ ହୋଇପାରି ନାହାନ୍ତି। ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ମାଟି କୁଡୁଆ ଗୁଡ଼ିକର ଆକାର ଛୋଟ ହେଉଥିବାର ଅଭିଯୋଗ ହେଉଛି। ମହାପ୍ରସାଦର ଗୁଣାତ୍ମକମାନ ଉପରେ ପ୍ରଶ୍ନଚିହ୍ନ ଲାଗୁଛି। ସ୍ୱାସ୍ଥ୍ୟକର ପରିବେଶରେ ନୈବେଦ୍ୟ ପ୍ରସ୍ତୁତି, ରୋଷଶାଳାର ଉପଯୁକ୍ତ ପରିଚାଳନା ଏବଂ ଆନନ୍ଦ ବଜାରରେ ଶ୍ରୀମହାପ୍ରସାଦ ବିକ୍ରି ପାଇଁ ଜଷ୍ଟିସ୍ ବି.ପି. ଦାସ କମିଶନ ସୁପାରିସ କରିଥିଲେ। ଅଥଚ, ସୁଆର ସେବକଙ୍କ ଉପରେ ମହାପ୍ରସାଦ ପ୍ରସ୍ତୁତି, ବିକ୍ରି ଏବଂ ଦର ନିର୍ଦ୍ଧାରଣ ଦାୟିତ୍ୱ ଛାଡ଼ିଦିଆ ଯାଉଛି। ବେପାରୀମାନେ ଏହାକୁ କିଣି, ଅତ୍ୟଧିକ ଦରରେ ବିକ୍ରି କରୁଥିବାରୁ ଭକ୍ତଗଣ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଲାଭଖୋର ମନୋବୃତ୍ତି ମହାପ୍ରସାଦ ନାମରେ ନକଲି ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତି ଓ ତାହାର ବେପାରକୁ ସମ୍ଭବତଃ ପ୍ରୋତ୍ସାହିତ କରୁଛି।
ସୁଆର ସେବକମାନଙ୍କୁ ପ୍ରଶାସନ ସହିତ ଆଲୋଚନା କରି ମହାପ୍ରସାଦ ଦର ଧାର୍ଯ୍ୟ କରିବାର ଅଧିକାର ମିଳିବା ଆବଶ୍ୟକ। ସେହି ଦର ପ୍ରସ୍ତାବିତ ବାତାନୁକୂଳିତ ଆନନ୍ଦ ବଜାର ଓ ବରାଦି ମହାପ୍ରସାଦ ଉପରେ ଲାଗୁ ହେଲାବେଳେ ଅନ୍ୟ ଦୁଇଟି ଆନନ୍ଦ ବଜାରରେ ଶ୍ରୀମନ୍ଦିର ପ୍ରଶାସନ ମୁଣ୍ଡପିଛା ସର୍ବାଧିକ ୫୦ ଟଙ୍କା ମୂଲ୍ୟରେ ଭକ୍ତଙ୍କୁ ମହାପ୍ରସାଦ ପାଇବାର ବ୍ୟବସ୍ଥା କରିବା ଉଚିତ ହେବ। ପ୍ରଶାସନ ପକ୍ଷରୁ ରିହାତି ଦରରେ ମହାପ୍ରସାଦ ବିକ୍ରି କରାଗଲେ 'ନକଲି ଅବଢ଼ା' ଅଭିଯୋଗ ରହିବନି। ରିହାତି ଅର୍ଥକୁ ହୁଣ୍ଡି ଓ ଦାନରୁ ଭରଣା କରାଯାଇ ପାରିବ। ହିନ୍ଦୁମାନେ ଦାନ ଦେଇ ପୁଣ୍ୟ ଅର୍ଜନ କରିବାରେ ବିଶ୍ଵାସୀ। ଆଗ୍ରହୀ ଭକ୍ତମାନେ ହୁଣ୍ଡିରେ ଦାନ ଦେବେ, ସଭିଏଁ ସ୍ୱଳ୍ପମୂଲ୍ୟରେ ଶ୍ରୀ ମହାପ୍ରସାଦ ପାଇବେ ତଥା ଶ୍ରୀଜଗନ୍ନାଥଙ୍କ କରୁଣାସିକ୍ତ ଆହ୍ଲାଦ ପାଇବେ। ସୁଆର ସେବକମାନେ ଉପଯୁକ୍ତ ମୂଲ୍ୟ ପାଇଲେ ମହାପ୍ରସାଦର ମାନ ଓ ପରିମାଣ ସଠିକ ରହିବ।
ମହାପ୍ରସାଦ ମୂଲ୍ୟ ନିୟନ୍ତ୍ରଣ କଥା କହିଲାବେଳେ ଶ୍ରୀମନ୍ଦିର ରୋଷଘର ରୂପାନ୍ତରୀକରଣ ବିଷୟରେ ନକହିଲେ ଭୁଲ ହେବ। ଏହାର ଆୟତନ ବୃଦ୍ଧି ଯେପରି ଆବଶ୍ୟକ, ଧୂଆଁ ଓ ବାମ୍ଫ ମୁକ୍ତ ଭିତ୍ତିଭୂମି ନିର୍ମାଣ ଓ ସୂପକାର ସେବକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ବ୍ୟବସ୍ଥା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କରିବା ଦରକାର। ରୋଷଘର ଚୁଲିର ନିଆଁଧାସ, ୪୫ ଡିଗ୍ରୀ ସେଣ୍ଟିଗ୍ରେଡ଼ ଉତ୍ତାପ ସହ୍ୟ କରି ମା’ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ନୈବେଦ୍ୟ ପ୍ରସ୍ତୁତ କରୁଥିବା ଏହି ସମର୍ପିତ ସେବକମାନେ ମୁହଁରେ ତୁଣ୍ଡି ଭିଡ଼ି ନିଷ୍ଠାର ସହିତ ପ୍ରସାଦ ରାନ୍ଧନ୍ତି। ଆମେ ଆମର ଘରେ ଗ୍ୟାସ, ବିଦ୍ୟୁତ ଚୁଲା, ଚିମିନୀ ବ୍ୟବହାର କରୁଛେ, ଅଥଚ ଶ୍ରୀମନ୍ଦିର ରୋଷଘର କଥା ପଡ଼ିଲେ, ଆମେ ପରମ୍ପରା ଦ୍ୱାହିଦେଇ ଆଖି ବୁଜିଦେଉଛେ। ସୁଆର ସେବକମାନେ ମାତ୍ର ପଚାଶ ବର୍ଷ ବୟସରେ ବାର୍ଦ୍ଧକ୍ୟ କବଳିତ ହେବା ଆମକୁ ଆନ୍ଦୋଳିତ କରୁନି। ଏବେ ସମୟ ଆସିଛି, ରୋଷଘର ରୂପାନ୍ତରୀକରଣର। ମହାପ୍ରସାଦର ମାନ ଓ ମୂଲ୍ୟକୁ ନେଇ ସମାଲୋଚନା କଲାବେଳେ ୬୦୦ ଜଣ ସୁଆର, ମହାସୁଆର, ସୂପକାରଙ୍କ ଓ ୫୦୦ ଜଣ ଯୋଗାଣିଆ ସେବକଙ୍କ ସମନ୍ଵିତ ସେବା ଭାବନାକୁ ଅଣଦେଖା କରିବା ନିଶ୍ଚିତ ଅନ୍ୟାୟ ହେବ। ବିକ୍ଷିପ୍ତ ଭାବେ ଅବସ୍ଥିତ ମହାଲକ୍ଷ୍ମୀ ଭଣ୍ଡାର, ସରଘର, ହାଣ୍ଡି-କୁଡୁଆ-ଚାଉଳ ଗୋଦାମ, ବଲ୍ଲଭ ଘର, ଚୁନାକୁଟା ଘର, ଜାଳେଣୀ କାଠ ଗୋଦାମ ଇତ୍ୟାଦିକୁ ରୂପାନ୍ତରିତ ରୋଷଘର ନିକଟରେ ନିର୍ମାଣ କରିବାକୁ ପଡ଼ିବ।
ଏବେ, ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ପାଇଁ ସମସ୍ତ ସାମଗ୍ରୀ ସୁଆରମାନେ ନିଜସ୍ୱ ସମବାୟ ଭଣ୍ଡାର ମାଧ୍ୟମରେ ଖୋଲାବଜାରରୁ କିଣୁଛନ୍ତି। ବଜାର ଦର ବଢ଼ିଗଲେ ମହାପ୍ରସାଦ ଦର ବଢୁଛି ଓ ଏହାର ମାନ ମଧ୍ୟ ନିମ୍ନଗାମୀ ହେଉଥିବାର ଦେଖିବାକୁ ମିଳୁଛି। ଏଣୁ, ଜିଲ୍ଲା ପ୍ରଶାସନ ସହଯୋଗରେ ଉପଯୁକ୍ତ ମାନର ଓ ନିର୍ଦ୍ଦିଷ୍ଟ କିସମର ଡାଲି, ଚାଉଳ, ଗୁଆଘିଅ, ପନି ପରିବା ଇତ୍ୟାଦି ସମସ୍ତ ରନ୍ଧନ ସାମଗ୍ରୀ ଯୋଗାଇଦେବା ପାଇଁ ଉଚ୍ଚମାନର ଯୋଗାଣ ବ୍ୟବସ୍ଥା କରାଯିବା ଆବଶ୍ୟକ।
ହିନ୍ଦୁ ଧର୍ମର ଧାର୍ମିକ କାର୍ତ୍ତିକ ମାସରେ ଅନେକ ହବିଷ କରିଥାନ୍ତି। ରାଜ୍ୟ ସରକାର ମଧ୍ୟ କିଛି ବର୍ଷ ହେଲାଣି 'ହବିଷ୍ୟାଳି ଯୋଜନା' କରିଛନ୍ତି। ଏଥିରେ ହବିଷ୍ୟାଳୀମାନଙ୍କ ଆଗମନ, ମାଗଣା ରହଣି ଓ ମହାପ୍ରସାଦ ଭୋଜନ ବ୍ୟବସ୍ଥା ରହିଛି। ସମୁଦାୟ ୫ଟି ହବିଷ୍ୟାଳି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସରେ ୧୬୫୦ ଜଣ, ମୋଚିସାହି କଲ୍ୟାଣ ମଣ୍ଡପରେ ୫୮୦ ଜଣ, ଅକ୍ଷୟପାତ୍ର ଫାଉଣ୍ଡେସନରେ ୪୫୦ ଜଣ, ବଗଲା ଧର୍ମଶାଳାରେ ୧୫୦ ଜଣ ଓ ବାଗେଡ଼ିଆ ଧର୍ମଶାଳାରେ ୧୮୦ ଜଣ ହବିଷ୍ୟାଳି ରହି ମହାପ୍ରସାଦ ପାଇ ବ୍ରତ ପାଳନ କରିବେ। ଯଦି ସମସ୍ତଙ୍କୁ ପୂର୍ବଭଳି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାକୁ ପଡୁଥାଆନ୍ତା ଭାବନ୍ତୁତ, ଶ୍ରୀମନ୍ଦିରରେ ଶୋରିଷ ପକାଇବାକୁ ଜାଗା ଥାଆନ୍ତା କି? ଏଣୁ, ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ସମୟର ଆବଶ୍ୟକତାକୁ ସମ୍ମାନ ଦେଇ ଶ୍ରୀମନ୍ଦିରରେ ପରିଚାଳନାଗତ ରୂପାନ୍ତରଣ କରାଯାଉ। ଶେଷରେ, ରିହାତି ଦରରେ ମହାପ୍ରସାଦ ପାଇବାର ସୁବିଧା ଓ ବିକଳ୍ପ ଆନନ୍ଦ ବଜାର ପ୍ରତିଷ୍ଠା ନକରି ଚାରିଦ୍ୱାର ଖୋଲି ଦିଆଗଲେ ଦଳାଚକଟା ହେବାର ଆଶଙ୍କା ଏଡ଼ାଇଦେଇ ହେବନି।
ଶ୍ରୀମନ୍ଦିର ବାହାର ଭାଗରେ ସୌନ୍ଦର୍ଯ୍ୟକରଣ ଅପେକ୍ଷା ବ୍ୟବସ୍ଥିତ ଆଭ୍ୟନ୍ତରୀଣ ଶୃଙ୍ଖଳା ଅଧିକ ଗୁରୁତ୍ୱପୂର୍ଣ୍ଣ। କେବଳ ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବା, ସମୟ ନିର୍ଘଣ୍ଟ ଅନୁଯାୟୀ ସେବାପୂଜା ସମ୍ପାଦନ ନହେବା, ଅଧିକ ମୂଲ୍ୟରେ ମହାପ୍ରସାଦ ବିକ୍ରି ଓ ମହାପ୍ରସାଦ ନାମରେ ଅନ୍ନବ୍ୟଞ୍ଜନ ବିକ୍ରି ସମସ୍ତଙ୍କୁ ବ୍ୟଥିତ କରୁଛି। ଭକ୍ତମାନଙ୍କ ଭାବାବେଗ ସହ ଖେଳିବା କାହା ପକ୍ଷେ ବି ଅନୁଚିତ - ସେ ସେବକ ହୁଅନ୍ତୁ ବା ପ୍ରଶାସନ ସହ ଜଡ଼ିତ କର୍ମଚାରୀ ଅଥବା ପେଟ ପାଟଣା ପାଇଁ ଶ୍ରୀମନ୍ଦିର ଉପରେ ନିର୍ଭରଶୀଳ ବ୍ୟବସାୟୀ। ପ୍ରଶାସନକୁ ଅନୁରୋଧ, ଭକ୍ତଜନଙ୍କ ପ୍ରସ୍ତାବ ଗୁଡ଼ିକୁ ବିଚାର କରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ମହିମାମଣ୍ଡିତ କରିବେ।
ଫୋ- ୯୪୩୮୨୯୯୦୩୭