ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୯୦ଟି ଦେଶରେ ୪୦ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ବିଶ୍ୱର ମୋଟ ଜନସଂଖ୍ୟାର ୫% ଓ ଆମ ଦେଶର ଜନସଂଖ୍ୟାର ପ୍ରାୟ ୯% (ପ୍ରାୟ ୧୧ କୋଟି) ହେଉଛନ୍ତି ଆଦିବାସୀ। ଆମ ରାଜ୍ୟର ବି ପ୍ରତି ଚାରି ଜଣରେ ଜଣେ ଅର୍ଥାତ୍ ପ୍ରାୟ ଏକ ଚତୁର୍ଥାଂଶ (୨୦୧୧ ଜନଗଣନା ଅନୁଯାୟୀ ୨୨.୮୫%) ଜନସଂଖ୍ୟା ହେଉଛନ୍ତି ଆଦିବାସୀ। ଯଦିଓ ସରକାରୀ ଭାବେ ରାଜ୍ୟର ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟଙ୍କୁ ହିଁ ଅନୁସୂଚୀତ ଜନଜାତିର ସ୍ୱୀକୃତି ଦିଆଯାଇଛି। କିନ୍ତୁ ମାଲକାନାଗିରିର କୋଣ୍ଡାଦୋରା, ଗଜପତିର ଶୁଦ୍ଧ ଶବର, ରାୟଗଡ଼ାର ଝୋଡ଼ିଆ, ଅନୁଗୋଳର କାନ୍ଧିଆ ମୁଣ୍ଡା ପରି ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟ ଏଯାଏଁ ଆଦିବାସୀ ମାନ୍ୟତାରୁ ବଂଚିତ ରହିଛନ୍ତି।
ବିଶ୍ୱରେ ଏତେ ସଂଖ୍ୟାରେ ଆଦିବାସୀ ବସବାସ କରୁଥିଲେ ମଧ୍ୟ ସେମାନେ ସମାଜରେ ସର୍ବାଧିକ ଶୋଷିତ, ଅବହେଳିତ ଓ ନିର୍ଯ୍ୟାତିତ ହୋଇ ଜୀବନ ଯାପନ କରୁଛନ୍ତି। ବିଶ୍ୱ ଜନସଂଖ୍ୟାର ୫% ହୋଇଥିଲେ ମଧ୍ୟ ବିଶ୍ୱର ସବୁଠାରୁ ଦରିଦ୍ର ଜନତାଙ୍କ ୧୫%ରୁ ଊର୍ଦ୍ଧ୍ୱ ହେଉଛନ୍ତି ସେମାନେ। ଜଙ୍ଗଲ ପାହାଡ଼ରେ, ପ୍ରକୃତିର କୋଳରେ ପିଢ଼ି ପିଢ଼ି ଧରି ବସବାସ କରୁଥିବା ଆଦିବାସୀମାନଙ୍କ ଅସ୍ତିତ୍ୱ ଆଜି ବିଭିନ୍ନ କାରଣରୁ ବିପନ୍ନ ହେବାକୁ ବସିଛି। ସାମ୍ରାଜ୍ୟବାଦୀ ବିକାଶର ବିପଜ୍ଜନକ ଅଭିଯାନ ଆଦିବାସୀଙ୍କ ଜଙ୍ଗଲ ଓ ପରିବେଶକୁ ଧ୍ୱଂସ କରି ସେମାନଙ୍କୁ ଉଦବାସ୍ତୁ କରିବାରେ ଲାଗିଥିବା ବେଳେ ସେମାନଙ୍କ ପ୍ରକୃତି କୈନ୍ଦ୍ରିକ ସଂସ୍କୃତି, ଭାଷା ଓ ଧର୍ମ ଆଜି ସଙ୍କଟର ସମ୍ମୁଖୀନ ହୋଇଛି। ଆଣ୍ଡାମାନର ଜୋରୱା, ଓଡ଼ିଶାର ମାଙ୍କଡ଼ିଆ ପରି ବିଶ୍ୱରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ଅନେକ ଆଦିବାସୀ ଭାଷା ଧୀରେ ଧୀରେ ବିଲୁପ୍ତ ହେବାରେ ଲାଗିଛି। ବିଶ୍ୱରେ ଆଦିବାସୀମାନଙ୍କର ଏହି ସଙ୍କଟମୟ ସ୍ଥିତିକୁ ଲକ୍ଷ୍ୟ କରି ମିଳିତ ଜାତିସଂଘ ୧୯୯୪ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ବା ଆଦିମ ଜନଜାତି ଦିବସ ରୂପେ ପାଳନ କରି ଆସୁଛି।
ଆମ ଦେଶରେ ଆଦିବାସୀଙ୍କ ଇତିହାସ ହେଉଛି ଶାସକ ଶ୍ରେଣୀଙ୍କ ଦ୍ୱାରା ଶୋଷଣ, ଦମନ ତଥା ଅତ୍ୟାଚାରର ଇତିହାସ। ଅର୍ଥନେତିକ ଭାବେ ଶୋଷିତ, ସାମାଜିକ ଭାବେ ନିର୍ଯ୍ୟାତିତ ଓ ବିକାଶର ମାପକାଠିରେ ଅବହେଳିତ ଏହି ଆଦିବାସୀମାନେ ଅତ୍ୟନ୍ତ ଦାରିଦ୍ର୍ୟ, ଅବହେଳା ଓ ପଶ୍ଚାଦପଦତାର ବୋଝ ତଳେ ବଂଚିବାକୁ ବାଧ୍ୟ ହେଉଛନ୍ତି। ପୂର୍ବରୁ ସାମନ୍ତବାଦୀ ବ୍ୟବସ୍ଥାରେ ଆଦିବାସୀମାନେ ରାଜା ଓ ଜମିଦାରଙ୍କ ଦ୍ୱାରା ଶୋଷିତ ଓ ଅତ୍ୟାଚାରିତ ହୋଇ ଆସିଥିଲେ। ବ୍ରିଟିଶମାନଙ୍କ ଆଗମନ ପରେ ସେମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାରର ମାତ୍ରା ବହୁଗୁଣରେ ବଢ଼ିଯାଇଥିଲା। ଦେଶର ବିଶାଳ ଜଙ୍ଗଲ ସମ୍ପଦକୁ ଲୁଟ୍ କରିବା ଲକ୍ଷ୍ୟରେ ବ୍ରିଟିଶମାନେ ହିଁ ସର୍ବପ୍ରଥମେ ୧୮୬୫ ମସିହାରେ ଜଙ୍ଗଲ ବିଭାଗ ଗଠନ କରି ଆଦିବାସୀମାନଙ୍କୁ ଜଙ୍ଗଲ ଉପରେ ଥିବା ସେମାନଙ୍କ ପାରମ୍ପାରିକ ଅଧିକାରରୁ ବଂଚିତ କରିଥିଲେ। ପରବର୍ତ୍ତି ସମୟରେ ୧୮୯୪ ମସିହାର ଔପନିବେଶିକ ଜମି ଅଧିଗ୍ରହଣ ଆଇନ ‘ବିକାଶ’ର ନାଁରେ ଆଦିବାସୀଙ୍କୁ ସେମାନଙ୍କ ଭିଟାମାଟିରୁ ବଳପୂର୍ବକ ଉଦବାସ୍ତୁ କରିବାର ବାଟ ଖୋଲିଥିଲା। ଆଦିବାସୀ ଅଂଚଳଗୁଡ଼ିକୁ ନିଜର ଆଇନଗତ ଓ ପ୍ରଶାସନିକ ନିୟନ୍ତ୍ରଣ ଭିତରକୁ ଆଣିବାକୁ ବ୍ରିଟିଶମାନେ ଅତ୍ୟନ୍ତ ସୁନିୟୋଜିତ ଭାବେ ସମତଳ ଅଂଚଳରୁ ବହୁସଂଖ୍ୟାରେ ଅଣଆଦିବାସୀ ସମ୍ପ୍ରଦାୟର ସାହୁକାର ଏବଂ ସୁଧଖୋର ମହାଜନ ଓ କର୍ମଚାରୀମାନଙ୍କୁ ଆଦିବାସୀ ବହୁଳ ଅଞ୍ଚଳରେ ଅନୁପ୍ରବେଶର ବ୍ୟବସ୍ଥା କରିଥିଲେ। ଏହାଦ୍ୱାରା ସେମାନଙ୍କ ଉପରେ ଶୋଷଣ ତଥା ଅତ୍ୟାଚାରର ମାତ୍ରା ବୃଦ୍ଧି ପାଇଥିଲା।
ତେବେ ନିଜର କ୍ଷମତା ଓ ନ୍ୟସ୍ତସ୍ୱାର୍ଥ ପାଇଁ ବ୍ରିଟିଶ ଶାସନ ଆଗରେ ଦେଶର ଅଧିକାଂଶ ସାମନ୍ତବାଦୀ ରାଜା, ମହାରାଜା ଓ ଜମିଦାର ଆତ୍ମସମର୍ପଣ କରିଥିବା ବେଳେ ଆଦିବାସୀମାନେ କିନ୍ତୁ ପ୍ରଥମରୁ ତା’ର ଦୃଢ଼ ପ୍ରତିରୋଧ କରିଥିଲେ। ଦେଶର ମୁଖ୍ୟ ଭୂମିରେ ବିଧିବଦ୍ଧ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେବାର ଅନେକ ପୂର୍ବରୁ ଔପନିବେଶିକ ଶାସନ ବିରୁଦ୍ଧରେ ଆଦିବାସୀମାନଙ୍କ ସଶସ୍ତ୍ର ବିଦ୍ରୋହ ଆରମ୍ଭ ହୋଇଯାଇଥିଲା। ଜମି ଓ ଜଙ୍ଗଲ ଉପରେ ଥିବା ପାରମ୍ପାରିକ ଅଧିକାରର ସୁରକ୍ଷା ପାଇଁ ୧୮୦୮ରୁ ୧୯୪୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ତୀଲକା ମାଝୀ, ବୀରସା ମୁଣ୍ଡା, ସିଦ୍ଧୁ-କାନୁ, ଆଲୁରୀ ସୀତାରାମ ରାଜୁ, କୋମରାମ୍ ଭୀମ୍, ଚକରା ବିଷୋୟୀ, ରେଣ୍ଡୋ ମାଝୀ, ଲକ୍ଷ୍ମଣ ନାୟକ, ଧରଣୀଧର ଭୂୟାଁଙ୍କ ପରି ଅନେକ ଆଦିବାସୀ ଯୋଦ୍ଧାଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ବଡ଼ ବଡ଼ ବିଦ୍ରୋହ ସବୁ ସଙ୍ଗଠିତ ହୋଇଥିଲା। ଏସବୁ ଆନ୍ଦୋଳନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଆଦିବାସୀ ବୀରତ୍ୱର ସହ ଭାଗ ନେଇ ପ୍ରାଣବଳୀ ଦେଇଥିଲେ।
ତେବେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀମାନଙ୍କ ବିପୁଳ ତ୍ୟାଗ ଓ ବଳିଦାନ ସତ୍ତ୍ୱେ ୧୯୪୭ ମସିହାରେ ବ୍ରିଟିଶମାନେ ଯିବା ପରେ ବି ସେମାନଙ୍କ ସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ହେଲାନି। ବ୍ରିଟିଶମାନଙ୍କ ଦ୍ୱାରା ଅପହୃତ ସେମାନଙ୍କ ଜଙ୍ଗଲ ଅଧିକାର ତ ଫେରିଲାନି ବରଂ ତାକୁ ଆହୁରି କଡ଼ାକଡ଼ି କରାଗଲା। ୧୯୮୦ ଜଙ୍ଗଲ ସଂରକ୍ଷଣ ଆଇନ ଆଦିବାସୀଙ୍କୁ ନିଜ ଜଙ୍ଗଲରେ ପର କରିଦେଲା। ଏପରିକି ଆଦିବାସୀଙ୍କ ଦୀର୍ଘ ଲଢ଼େଇର ଫଳସ୍ୱରୂପ ସରକାର କରିଥିବା ଜଙ୍ଗଲ ଅଧିକାର ଆଇନ - ୨୦୦୬ ମଧ୍ୟ ଆଦିବାସୀମାନଙ୍କୁ ଜଙ୍ଗଲ ଉପରେ ପୂର୍ଣ୍ଣ ଅଧିକାର ଦେବାରେ ବିଫଳ ହେଲା।
ବିଶ୍ୱ ଆଦିବାସୀ ଦିବସ ଆଜି ଏପରି ସମୟରେ ପାଳିତ ହେଉଛି, ଯେତେବେଳେ ଆଦିବାସୀ ଓ ସେମାନଙ୍କ ଅଧିକାର ଉପରେ ସରକାର ଓ କର୍ପୋରେଟମାନଙ୍କ ଆକ୍ରମଣ ଜୋରଦାର ହୋଇଛି। ସଦ୍ୟ ଘଟିଥିବା ଦୁଇ ତିନୋଟି ଘଟଣା ସମାଜରେ ସେମାନଙ୍କ ସ୍ଥିତିକୁ ସୂଚାଇବାକୁ ଯଥେଷ୍ଟ ଅଟେ।
ନିକଟରେ ଭାଇରାଲ ହୋଇଥିବା ଏକ ଭିଡ଼ଓରେ ମଣିପୁରରେ ଦୁଇ ଜଣ କୁକି ସମ୍ପ୍ରଦାୟର ଆଦିବାସୀ ମହିଳାଙ୍କୁ ଅଣ ଆଦିବାସୀ ଜନତାର ଏକ ଭିଡ଼ ଉଲଗ୍ନ କରାଇ ରାସ୍ତାରେ ପ୍ୟାରେଡ଼୍ କରାଇବା ସହ ଗଣ ବଳାତ୍କାର କରିବାର ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ମଧ୍ୟ ପ୍ରଦେଶରେ ଘଟିଥିବା ଆଉ ଏକ ଘଟଣାରେ ବିଜେପିର ଜନୈକ ନେତା ଜଣେ ଆଦିବାସୀ ବ୍ୟକ୍ତିର ମୁହଁରେ ପରିସ୍ରା କରିବା ଦେଖିବାକୁ ମିଳିଛି। ଉପରୋକ୍ତ ଉଭୟ ଘଟଣା ଦେଶରେ ଆଦିବାସୀ ଲୋକଙ୍କ ପ୍ରତି ଆମ ସମାଜର ରହିଥିବା ଅମାନବୀୟ ଓ ସମ୍ବେଦନହୀନ ବ୍ୟବହାରକୁ ଉଜାଗର କରୁଛି। ଅନ୍ୟପଟେ ଦେଶରେ ସମାନତା ଆଳରେ ସରକାର ଯେଉଁ ଏକକ ନାଗରିକ ସଂହିତା ଆଣିବା କଥା କଥା କହୁଛନ୍ତି ତାହା ଦ୍ୱାରା ଆଦିବାସୀ ଲୋକେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଅନେକ ପ୍ରକାରର ସଂସ୍କୃତି ଓ ପରମ୍ପରା ରହିଥିବା ଆଦିବାସୀଙ୍କ ଉପରେ ଏହାକୁ ଏକ ମନୁବାଦୀ ଆକ୍ରମଣ ବୋଲି କୁହାଯାଇପାରେ। ଏହା ଜରିଆରେ ଦେଶର ଶାସକ ଶ୍ରେଣୀ ଆଦିବାସୀମାନଙ୍କ ସଂସ୍କୃତି ଓ ପରମ୍ପରାକୁ ସମାପ୍ତ କରି ସେମାନଙ୍କୁ ହିନ୍ଦୁ ଧର୍ମର ବ୍ରାହ୍ମଣବାଦୀ ସଂସ୍କୃତି ମଧ୍ୟରେ ସମ୍ମିଳିତ କରିବାକୁ ଚାହୁଁଛନ୍ତି।
ଗତ କିଛି ବର୍ଷ ମଧ୍ୟରେ କର୍ପୋରେଟଙ୍କ ସ୍ୱାର୍ଥରେ ଦେଶର ଆଦିବାସୀ ଓ ପାରମ୍ପରିକ ବନଜୀବୀମାନଙ୍କ ଉପରେ ସବୁଠାରୁ ବେଶୀ ଆକ୍ରମଣ ହୋଇଛି। ଗୋଟିଏ ପଟେ ଜଙ୍ଗଲ ଅଧିକାର ଆଇନ - ୨୦୦୬ ଅନୁଯାୟୀ ଜଙ୍ଗଲ ଅଧିକାର ପାଇ ନଥିବା ଆଦିବାସୀମାନଙ୍କୁ ଜଙ୍ଗଲରୁ ଉଚ୍ଛେଦ କରିବାକୁ ଚେଷ୍ଟା କରାଯିବା ସହ ଅନ୍ୟ ପଟେ ତା’ର ସଂଶୋଧନ ଜରିଆରେ ଏହି ଐତିହାସିକ ଆଇନକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହୋଇଛି। କର୍ପୋରେଟଙ୍କ ସ୍ୱାର୍ଥରେ ପ୍ରଥମେ ଜଙ୍ଗଲ ଓ ଆଦିବାସୀ ବିରୋଧି କ୍ଷତିପୂରଣକାରୀ ବନୀକରଣ (କାମ୍ପା) ଆଇନ ପ୍ରଣୟନ ହୋଇଥିବା ବେଳେ ଭାରତୀୟ ଜଙ୍ଗଲ ଆଇନ - ୧୯୨୭ ଓ ପରିବେଶ ଆଇନରେ ପରିବର୍ତ୍ତନ କରିବାକୁ ଚେଷ୍ଟା ହୋଇଛି। ଜଙ୍ଗଲ ଅଧିକାର ଆଇନ- ୨୦୦୬କୁ ବି ଦୁର୍ବଳ କରିବାକୁ ଗତବର୍ଷ ଜଙ୍ଗଲ ସଂରକ୍ଷଣ ନିୟମାବଳିରେ ସଂଶୋଧନ କରାଯାଇଛି। ଏହା ଦ୍ୱାରା ସରକାର ଜଙ୍ଗଲ ଜମି ଉପରେ ଅଧିକାର ନିର୍ଦ୍ଧାରଣରେ ଗ୍ରାମସଭାର କ୍ଷମତାକୁ ଉଚ୍ଛେଦ କରିଛନ୍ତି। ଫଳରେ ସରକାର ଗ୍ରାମସଭାର ଅନୁମତି ବିନା ବଡ଼ ବଡ଼ କମ୍ପାନୀଙ୍କୁ ହଜାର ହଜାର ହେକ୍ଟରର ଜଙ୍ଗଲ ଜମି ପ୍ରଦାନ କରିପାରିବେ। ସେହିପରି ଦେଶର ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ରେ ସଂଶୋଧନ କରିବାକୁ ନିକଟରେ ସଂସଦରେ ପାସ୍ କରିଥିବା ବିଲ୍ଟି ମଧ୍ୟ କର୍ପୋରେଟଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା ଦେଶର ପ୍ରାୟ ୧୬ ଭାଗ ଜଙ୍ଗଲ ଜମି ଓ ତା ଉପରେ ଥିବା ଜଙ୍ଗଲ ସମ୍ପଦକୁ ସରକାର ଜଙ୍ଗଲ ସଂରକ୍ଷଣ ଆଇନରୁ ମୁକ୍ତ କରି ତାକୁ ବିକାଶ ଓ ବନୀକରଣ ନାଁରେ ଦେଶୀ ବିଦେଶୀ କମ୍ପାନୀଙ୍କ ହାତରେ ଟେକିଦେବାକୁ ଯାଉଛନ୍ତି।
ଦେଶର ଶାସକ ଣ୍ରେଣୀ, ଆଦିବାସୀମାନଙ୍କୁ ସ୍ୱାଧୀନ ଭାବେ ବିକଶିତ ହେବାକୁ ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ସେମାନଙ୍କ ଉପରେ ତଥାକଥିତ ବିକାଶକୁ ଲଦିବାକୁ ଚେଷ୍ଟିତ। ପ୍ରାକୃତିକ ସମ୍ପଦର ଲୁଟ୍ ଉପରେ ଆଧାରିତ ଏହି ସାମ୍ରାଜ୍ୟବାଦୀ ବିକାଶର ମଡେଲ ଫଳରେ ସେମାନେ ନିଜର ଜମି ଓ ଜଙ୍ଗଲରୁ ବଳପୂର୍ବକ ବିସ୍ଥାପିତ ହେବାରେ ଲାଗିଛନ୍ତି। ବିକାଶ ନାଁରେ ଦେଶରେ ଯେତେସବୁ ବଡ଼ ବଡ଼ ନଦୀବନ୍ଧ, ଶିଳ୍ପ ଓ ଖଣି ପ୍ରକଳ୍ପ ହୋଇଛି ତା’ର ଲାଭ ଅନ୍ୟମାନେ ପାଇଥିବା ବେଳେ ଆଦିବାସୀମାନଙ୍କ ଭାଗ୍ୟରେ କେବଳ ବିସ୍ଥାପନ ହିଁ ପଡ଼ିଛି। ଯଦିଓ ସେମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ମାତ୍ର ୮%, କିନ୍ତୁ ଦେଶର ମୋଟ ବିସ୍ଥାପିତଙ୍କ ମଧ୍ୟରେ ଅଧାରୁ ଅଧିକ ହେଉଛନ୍ତି ଆଦିବାସୀ। ଉପଯୁକ୍ତ, ଯଥାପୂର୍ବରୁ ଏବଂ ଯଥେଷ୍ଟ କ୍ଷତିପୂରଣ ବିନା ବିକାଶ ନାଁରେ ସେମାନଙ୍କୁ ନିଜର ଭିଟାମାଟିରୁ ବଳପୂର୍ବକ ଉଚ୍ଛେଦ କରାଯାଉଛି। ଉଭୟ ସରକାରୀ ଓ ଘରୋଇ କମ୍ପାନୀଙ୍କ ମୁନାଫା ପାଇଁ ସେମାନେ ନିଜର ଜମି, ଜଙ୍ଗଲ, ପ୍ରାକୃତିକ ବାସସ୍ଥାନ ଏବଂ ସର୍ବୋପରି ନିଜର ପାରମ୍ପାରିକ ଜୀବିକା ବି ହରାଉଛନ୍ତି। ଲଗାତାର ସରକାରୀ ଉପେକ୍ଷା ଓ ପ୍ରତାରଣାର ଶିକାର ହୋଇ ସେମାନେ ଏକରକମ ଅନିଶ୍ଚିତ ତଥା ଦୁର୍ଦ୍ଦଶାମୟ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଛନ୍ତି।
ଆଜି ବି ଦେଶର ବିଶେଷ କରି ଓଡ଼ିଶାର ଅଧିକାଂଶ ଆଦିବାସୀ ଉତ୍କଟ ଦାରିଦ୍ର୍ୟ, ଅନାହାର, ପୁଷ୍ଟିହୀନତାର ଶିକାର ଅଟନ୍ତି। ରାଜ୍ୟର ୯୫% ଆଦିବାସୀ ମହିଳା ଓ ୬୫% ଆଦିବାସୀ ଶିଶୁ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ଅଟନ୍ତି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସେମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟସେବା, ପିଇବା ପାଣି, ବିଦ୍ୟୁତ୍ ଆଦି ସର୍ବନିମ୍ନ ମୌଳିକ ସୁବିଧା ଏକରକମ ସ୍ୱପ୍ନ ହୋଇ ରହିଛି। ନିରକ୍ଷରତା, ଅଧାରୁ ପାଠଛଡ଼ା, ଅପପୁଷ୍ଟି, ଅନାହାର, ରକ୍ତହୀନତା ଆଦିର ହାର ଆଦିବାସୀଙ୍କ କ୍ଷେତ୍ରରେ ଅପେକ୍ଷାକୃତ ଅଧିକ। ୧୯୫୦ରେ ଦେଶର ଅଧିକାଂଶ ଆଦିବାସୀ ଅଂଚଳକୁ ସମ୍ବିଧାନର ୫ମ ଓ ୬ଷ୍ଠ ଅନୁଚ୍ଛେଦରେ ସାମିଲ କରାଯାଇଥିଲେ ମଧ୍ୟ ଆଜି ବି ଅନେକ ଆଦିବାସୀ ଗାଁ ସେଥିରେ ସାମିଲ ହୋଇ ନପାରି ବିଭିନ୍ନ ପ୍ରକାର ସାମ୍ବିଧାନିକ ସୁରକ୍ଷାରୁ ବଂଚିତ ହେଉଛନ୍ତି।
ଆଦିବାସୀଙ୍କ ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ବିକାଶ ଭାରତ ପରି ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ସାମ୍ବିଧାନିକ କର୍ତ୍ତବ୍ୟ। କିନ୍ତୁ ଏଥିପ୍ରତି ଘୋର ଅବହେଳା କାରଣରୁ ଆଜି ଆଦିବାସୀଙ୍କ ଜୀବନ, ଜିବୀକା, ଭାଷା ଓ ସଂସ୍କୃତି ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଛି। ଆମର ଶାସକ ଶ୍ରେଣୀ ସେମାନଙ୍କ ଭାଷା ଓ ସଂସ୍କୃତିର ସ୍ୱାଧୀନ ବିକାଶ ପାଇଁ ସୁଯୋଗ ଦେବା ପରିବର୍ତ୍ତେ ତାକୁ ଅଣଦେଖା କରିବା ଓ ଦବେଇବା ଦେଖାଯାଇଛି। ଅତ୍ୟନ୍ତ ସୁନିୟୋଜିତ ଭାବେ ଓଡ଼ିଆ, ତେଲେଗୁ, ମରାଠୀ, ଗୁଜରାଟୀ, ହିନ୍ଦୀ ପରି ଅନ୍ୟାନ୍ୟ ପ୍ରଭାବଶାଳୀ ଭାଷାଭାଷୀଙ୍କ ଭିତରେ ଆଦିବାସୀମାନଙ୍କ ଭାଷାଗୁଡ଼ିକୁ ବଳପୂର୍ବକ ସମ୍ମିଳିତ କରିବାର ନୀତି କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ଆଦିବାସୀ ଏବଂ ସେମାନେ ୭୪ଟି ବୋଲିରେ କଥାଭାଷା ହେଉଥିଲେ ବି ସେମାନଙ୍କ ଭାଷାକୁ ବିକଶିତ କରିବାରୁ ଅଥବା ସେମାନଙ୍କ ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ପାଇବାରୁ ବଂଚିତ କରାଯାଉଛି। ଓଡ଼ିଶାର ପ୍ରମୁଖ ଆଦିବାସୀ ଭାଷାରେ ନା କୌଣସି ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦିଆଯାଉଛି ନା ବହି କିମ୍ବା ପତ୍ରପତ୍ରିକା ପ୍ରକାଶ ପାଉଛି! ଅଧିକାଂଶ ଆଦିବାସୀ ଭାଷାର ଲିପିକୁ ବି ବିକଶିତ କରିବାରେ ସରକାର ବିଫଳ ହୋଇଛନ୍ତି।
ଅର୍ନ୍ତଜାତୀୟ ଆଦିବାସୀ ଦିବସ (ଅଗଷ୍ଟ ୯) ଅବସରରେ ଜମି, ଜଙ୍ଗଲ ଉପରେ ଆଦିବାସୀମାନଙ୍କ ଅଧିକାରକୁ ପୂର୍ଣ୍ଣ ସ୍ୱୀକୃତି ପ୍ରଦାନ ସହିତ ସେମାନଙ୍କ ଭାଷା, ସଂସ୍କୃତି ତଥା ସ୍ୱୟଂଶାସନର ଅଧିକାର ପାଇଁ ଜୋରଦାର ଦାବୀ କରିବାର ସମୟ ଆସିଛି। ଆଦିବାସୀମାନଙ୍କ ଉପରେ ଦମନ ଓ ଅତ୍ୟାଚାର ପରିବର୍ତ୍ତେ ପ୍ରାକୃତିକ ସମ୍ପଦ ଉପରେ ମାଲିକାନା ଦେଇ ସେମାନଙ୍କୁ ମର୍ଯ୍ୟାଦାର ସହିତ ଜୀବନ ଯାପନ କରିବାର ସୁଯୋଗ ଦେବା ଜରୁରୀ ହୋଇପଡ଼ିଛି।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଫୋନ- ୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।