ଅତି ସରଳ ଭାବରେ ବୁଝାଇବାକୁ ଯାଇ ଗାନ୍ଧିଜୀଙ୍କର ଉକ୍ତି ‘ଯାହା କିଛି କରିବା ବା କରାଯାଉଛି ତା’ର ସୁଫଳ ସମାଜର ସବୁ ଦୃଷ୍ଟିରୁ ଅବା ସବୁଥିରୁ ବଂଚିତ ଶେଷତମ ଲୋକ ପାଖରେ ପହଂଚିଥିବା ବିଚାରକୁ ଦୃଷ୍ଟିରେ ରଖି କରାଯାଇଛି କି ନାହିଁ ପରଖି ନେବା ଦରକାର’। ଏହି ଉକ୍ତି ଆଧୁନିକ ଭାରତ ବା ବର୍ତ୍ତମାନର ସ୍ଲୋଗାନ ‘ନୂତନ ଭାରତର’ ଶାସକମାନେ ବୁଝିଛନ୍ତି କି ନାହିଁ ବୁଝା ପଡ଼ୁନାହିଁ।
ପ୍ରତିଦିନ ବିକାଶର ଚିତ୍ର ବିଜ୍ଞାପିତ ହେଉଛି। ଭାରତ ବର୍ତ୍ତମାନ ତିନି ଲକ୍ଷ କୋଟି ଡଲାରର ଅର୍ଥନୀତି ଆଧାରରେ ବିଶ୍ୱରେ ୫ମ ଦେଶ ହେବାର ଗୌରବ ଅର୍ଜନ କରିଛି ବୋଲି ଫ୍ରାନ୍ସର ପ୍ରବାସୀ ଭାରତୀୟଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ୨୦୨୭-୨୮ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥଶକ୍ତି ପାଲଟିବ। ଖୁବ୍ ଶୀଘ୍ର ବିକାଶ ପଥରେ ଭାରତ ବିଶ୍ୱର ଶୀର୍ଷତମ ସ୍ଥାନରେ ପହଂଚିବ ବୋଲି ଅତି ଦାମ୍ଭିକତାର ସହ ଗର୍ବୀତ ଶାସକଶ୍ରେଣୀ ପ୍ରଚାର କରି ଚାଲିଛନ୍ତି। ବିକାଶର ମାପକାଠି ଭାବେ ଧରି ନିଆଯାଉଥିବା ବାର୍ଷିକ ଅଭିବୃଦ୍ଧିହାର ମଧ୍ୟ ଅଧିକ ରହୁଥିବାର କଥା କୁହାଯାଇଛି। ଯଦିଓ ଗତ ୧୦ ବର୍ଷରେ ସମୃଦ୍ଧିହାର ବାର୍ଷିକ ହାରାହାରି ୫%ରୁ ଅଧିକ ଥିବା ଦେଖାଯାଉ ନାହିଁ ଏବଂ ୨୩-୨୪ ବର୍ଷରେ ଏହା ୫.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ ପୂର୍ବନୁମାନ କରିଛନ୍ତି। ଦେଶର ଏହି ଅଭିବୃଦ୍ଧି ହାର ଯାହା ରହୁନା କାହିଁକି ମାତ୍ର ଶହେ ଜଣ ଅରବପତିଙ୍କ ଅଭିବୃଦ୍ଧି ଦୃତଗତିରେ ବଢ଼ୁଛି। ଆଦାନୀଙ୍କର ବାର୍ଷିକ ବୃଦ୍ଧିହାର ୧୩୫% ଥିବାବେଳେ ଅମ୍ବାନୀଙ୍କର ୧୫୪%। ସେମାନେ ବିଶ୍ୱର ଶ୍ରେଷ୍ଠତମ ସ୍ଥାନ ଅର୍ଥାତ୍ ପ୍ରଥମ, ଦ୍ୱିତୀୟ, ତୃତୀୟ ହେବା ଦୌଡ଼ରେ ରହିଛନ୍ତି। ବିଶ୍ୱର ପ୍ରଥମ ୧୦୦ ଜଣ ଧନିକଙ୍କ ମଧ୍ୟରେ ୭ ଜଣ ଭାରତୀୟ ସ୍ଥାନିତ ହେବାର ସୌଭାଗ୍ୟ ଲାଭ କରିପାରିଛନ୍ତି। ମାତ୍ର ୧୫ ଭାଗ ଲୋକଙ୍କ ପାଖରେ ଦେଶର ୮୫% ସଂପତ୍ତି ଠୁଳ ହୋଇଥିବାବେଳେ ୮୫ ଭାଗ ଲୋକଙ୍କ ପାଖରେ ମାତ୍ର ୧୫% ସଂପତ୍ତି ରହିଛି।
ଏହିପରି ଏକ ବିକାଶ ଦେଶବାସୀଙ୍କ ଆଗରେ ଉପସ୍ଥାପିତ କରାଗଲାବେଳେ ମଣିଷର ଯାହାସବୁ ଆବଶ୍ୟକ ଓ ସୁଖକର ଜୀବନ ନିର୍ବାହ କ୍ଷେତ୍ରରେ ସହାୟକ ହୋଇଥାଏ ସେସବୁର ପ୍ରାପ୍ତୀରେ ଭାରତ ବହୁତ ପଛରେ ପଡ଼ିଯାଇଛି। ଏଇବର୍ଷ ପ୍ରକାଶିତ ବିଶ୍ୱ ସୁଖୀ ସୂଚକାଙ୍କରେ ଦର୍ଶାଯାଇଛି ଯେ ଭାରତ ୧୨୫ତମ ସ୍ଥାନରେ ରହିଛି। ବାଂଲାଦେଶ, ଯୁଦ୍ଧରେ ଆକ୍ରାନ୍ତ ଓ ବିଧ୍ୱଂସ ୟୁକ୍ରେନଠାରୁ ବି ଭାରତ ପଛରେ ରହିଥିବା ଏହା ସୂଚନା ଦେଇଛି।
ସୁଖ ମାପ କରିବା ନିମନ୍ତେ ନିଆଯାଇଥିବା ବିଷୟ ଗୁଡ଼ିକ ମଧ୍ୟରେ ବ୍ୟକ୍ତିର ଆୟ, ନିରୋଗତା, ଆୟୁସ, (ମୋଟ ବଂଚିବାର ହାରାହାରୀ ବୟସ), ସାମାଜିକ ସହାୟତା, ସ୍ୱାଧୀନତା ଉପଲବ୍ଧି, ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ବିଶ୍ୱାସ ଓ ଉଦାରତା ଆଦି ଅନ୍ତର୍ଭୁକ୍ତ। ଯେଉଁ ଦେଶରେ ଧର୍ମନ୍ୟାୟରେ ଲୋକଙ୍କୁ ବାନ୍ଧି ରଖିବାର ଅବା ଧର୍ମର କୋଠରୀରେ ଆବଦ୍ଧ କରିବା ଯେତେ କମ୍ ସେହି ରାଷ୍ଟ୍ର ସେତେ ଅଧିକ ସୁଖି ବୋଲି ମଧ୍ୟ ଗଣନାବେଳେ ଦେଖିବାକୁ ମିଳିଛି। ସବୁଠାରୁ ବେଶୀ ଦୁଃଖୀ ତାଲିକାରେ ବୁରୁଣ୍ଡି, କେନ୍ଦ୍ରୀୟ ଆଫ୍ରିକା ରିପବ୍ଲିକ୍, ଦକ୍ଷିଣ ସୁଦାନ, ରୁଆଣ୍ଡା, ସିରିଆ ଆଦି ଧାର୍ମିକ ଭୀରୁତାର ଶୀକାର ହୋଇଥିାବା ଦେଶମାନେ ଥିବାର ଦେଖାଯାଇଛି।
ଏବେ ଭାରତ ଭିତର କଥା ବିଚାର କରାଯାଉ। ଏକ ବିଶେଷ ଦୃଷ୍ଟି ଆକର୍ଷଣକାରୀ କଥା ହେଉଛି ଭାରତର ଏପରି ସ୍ଥିତି ଭିତରେ ତା’ର ଦୁଇରାଜ୍ୟ ସୁଖପ୍ରାପ୍ତୀ ମାପକାଠିରେ ଆଗରେ ଅଛନ୍ତି। ଭାରତରେ ଥିବା ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ସିକ୍କିମ୍ ଓ କେରଳ ଦୁଇ ରାଜ୍ୟ ସୁଖପ୍ରାପ୍ତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କେରଳରେ ଦରିଦ୍ର ଲୋକଙ୍କ ସଂଖ୍ୟା ମାତ୍ର ୧%ର ପାଖାପାଖି। ଏଠି ଶାସନ ବ୍ୟବସ୍ଥା ଖୁବ୍ ଉଚ୍ଚକୋଟୀର। ତା’ର କାରଣ ହେଉଛି ଅତି ଉଚ୍ଚକୋଟିର ଗଣତାନ୍ତ୍ରିକ ବ୍ୟବସ୍ଥା, ଯେଉଁଥିରେ ଦୁଇଗୋଟି ଗଠବନ୍ଧନ (ବହୁ ଦଳୀୟ ସରକାର) ଏକ ଭାବଗତ ବନ୍ଧନରେ ବାନ୍ଧିହୋଇ ପ୍ରତି ପାଞ୍ଚ ବର୍ଷରେ ଅଦଳବଦଳ ହୋଇ ଗତ ୬୦ ବର୍ଷ ଧରି ଶାସନ କରି ଆସୁଛନ୍ତି। ଅବଶ୍ୟ ଏକ ବ୍ୟତିକ୍ରମ ଭାବେ ବର୍ତ୍ତମାନ ଶାସନ କରୁଥିବା ଏଲ୍ଡିଏଫ୍ ଏକାଦିକ୍ରମେ ଦୁଇଥର ଶାସନ କରିବାର ସୌଭାଗ୍ୟ ଅର୍ଜନ କରିଛି। ସରକାରରେ ବହୁଦଳର ଅଂଶ ଥିବା ହେତୁ ଓ ସବୁକଥା ବିତର୍କ ବିଚାର ଆଧାରରେ ସାବ୍ୟସ୍ତ ହେଉଥିବା ଦୃଷ୍ଟିରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ଗଣତନ୍ତ୍ର ଉପଲବ୍ଧି ହୋଇପାରୁଛି। ଯେଉଁଥିପାଇଁ ପଞ୍ଚାୟତରାଜ ବ୍ୟବସ୍ଥା ଅତ୍ୟନ୍ତ ଉଚ୍ଚକୋଟୀର। ବିଏମ୍ଆଇରେ ଭାରତ ଯେତେବେଳେ ସମଗ୍ର ବିଶ୍ୱରେ ଦରିଦ୍ରତମ ଦେଶଭାବେ ୧୯୬ତମ ସ୍ଥାନରେ ରହିଥିବା ଦେଖାଯାଏ ସେହି ଭାରତରେ କେରଳର ସ୍ଥିତି ଖୁବ୍ ଉଚ୍ଚକୋଟୀର। ୨୦୨୧-୨୨ର ଆକଳନ ଅନୁସାରେ ସମଗ୍ର ପୃଥିବୀର ୧୯୧ଟି ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତର ସ୍ଥାନ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସରେ ୧୩୨ରେ ଥିବା ଦେଖାଯାଇଛି। ଭାରତ ପୂର୍ବ ବର୍ଷ ତୁଳନାରେ ତଳକୁ ଖସିଥିଲା। ଅର୍ଥାତ୍ ୧୯୨୦-୨୧ରେ ୧୩୧ତମ ସ୍ଥାନରେ ଥିବାବେଳେ ୨୦୨୧-୨୨ରେ ୧୩୨ତମ ସ୍ଥାନରେ ଖସିଥିଲା। ଭାରତର ୬୪୦ ଜିଲ୍ଲା ମଧ୍ୟରୁ ୩୧ଟି ଜିଲ୍ଲାରେ ଦାରିଦ୍ର୍ୟ ହାର ଏବେବି ୫୦%ରୁ ଅଧିକ ଅଛି। ଯେଉଁଥିରେ କେରଳର ଗୋଟିଏ ବି ଜିଲ୍ଲା ଅନ୍ତର୍ଭୁକ୍ତ ନୁହେଁ। ଏକଥା ଏଠାରେ ସ୍ପଷ୍ଟ କରାଯାଇପାରେ ଯେ ଭାରତର ସ୍ଥିତି ବିଗିଡ଼ି ଯାଇଥିବାବେଳେ ସେହି ଭାରତର ଏକ ରାଜ୍ୟ ଖୁବ୍ ଭଲ ପ୍ରଦର୍ଶନ କରି ଆସୁଛି। ଅର୍ଥାତ୍ ଆଞ୍ଚଳିକ ବୈଷମ୍ୟ ‘ଏକ ଦେଶ ଭାରତ’ର ବୈଶିଷ୍ଟ୍ୟକୁ ଦୁର୍ବଳ କରି ଗଢ଼ି ରଖିଛି।
ସଂଘୀୟ ସଂବିଧାନରେ ଭାରତର ଅନେକ ରାଜ୍ୟ ଅନେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବାର କାରଣ ସବୁ ଖୋଜି ବାହାର କରିବା ସହିତ ଅନ୍ୟ ରାଜ୍ୟର ଦୁର୍ବଳତା, ରୁଗ୍ଣ ବ୍ୟବସ୍ଥାର ନିରାକରଣ, ନିଦାନ ପରିବର୍ତ୍ତେ ‘ଏକ ଭାରତ, ସୁସ୍ଥ ଭାରତ’, ‘ଏକ ଦେଶ, ସମୃଦ୍ଧ ଦେଶ’ ସ୍ଲୋଗାନ ଦେବା ଅବା ଭାରତର କିଛି ଧନାର୍ଢ଼୍ୟ ବ୍ୟକ୍ତିଙ୍କର ସମୃଦ୍ଧି ଅବା ଦ୍ରୁତଗତିରେ ବୃଦ୍ଧି ପାଉଥିବା ସଂପଦରାଶିକୁ ମିଶାମିଶି କରି ଦେଶର ବିକାଶ ଗଣିତ କଷିବା ଆଦୌ ସମିଚୀନ ନୁହେଁ। ପାଞ୍ଚ ଆଂଗୁଳି ସମାନ ନୁହେଁ, ଏହା ପ୍ରକୃତି ସୃଷ୍ଟ କହି ଯୁକ୍ତି ବାଢ଼ୁଥିବା ବ୍ୟକ୍ତିମାନେ ଜାଣିବା ଦରକାର ଯେ ଗୋଟିଏ ଆଙ୍ଗୁଠି ଦୁର୍ବଳ ଅବା ରୁଗ୍ଣ ହେଲେ ମୁଠାଶକ୍ତ ହୋଇ ନଥାଏ। ହାତଟିର କାର୍ଯ୍ୟ ଦକ୍ଷତା ଅତି ମାତ୍ରାରେ କମି ଯାଇଥାଏ। ସବଳ, ସୁସ୍ଥ ହାତ ଦକ୍ଷତାର ସହ ଯେଉଁ ଉତ୍ପାଦନର କ୍ଷମତା ପ୍ରାପ୍ତ ରୁଗ୍ଣ, ଅସୁସ୍ଥ ହାତ ତାହା ଦେଇ ନଥାଏ।
ପ୍ରକୃତି ମଧ୍ୟ ସବୁ ଅଞ୍ଚଳକୁ ସବୁ ସୌଭାଗ୍ୟ ସମଭାବରେ ବାଛି ଦେଇ ନଥାଏ। ଯେଉଁଥିପାଇଁ ଏହି ପ୍ରବନ୍ଧରେ କେରଳର କଥା ଉଦାହରଣ ଭାବେ ନିଆଯାଇଛି। କେବଳ ମାନବ ସମ୍ବଳକୁ ମୂଲ୍ୟଯୁକ୍ତ କରି ଓ ପ୍ରାଥମିକତା ଦେଇ ସୁଶିକ୍ଷିତ, ସୁସ୍ଥ ଶରୀର ଥାଇ ଏକ ଆତ୍ମନିର୍ଭରଶୀଳ ଦକ୍ଷ କାର୍ଯ୍ୟକ୍ଷମ ସମାଜ ସୃଷ୍ଟି କରିବାରେ ଖଣିଜ ସଂପଦ ରହିତ କେରଳ ଆଗୁଆ। ସବୁ ରାଜ୍ୟରେ ଥିବା ଭିନ୍ନ ଭିନ୍ନ ପ୍ରକୃତିଦତ୍ତ ସଂପତ୍ତି ଯଥା ଖଣିଜ ସଂପଦ, ବନଜ ସଂପଦ, ଜଳ ସଂପଦ, କୃଷି ସମ୍ପଦ ସହିତ ମାନବ ସମ୍ବଳର ସଂଯୋଗ କରି ବିକାଶ ପଥରେ ଚାଲିବା ଆରମ୍ଭ କଲେ ବୈଷମ୍ୟ ଲୋପ ପାଇବ ଔପନିବେଶୀୟ ଶୋଷଣ ଶେଷ ହେବ ଓ ସମଭାବରେ ସବୁ ଅଞ୍ଚଳ ତଥା ସବୁ ବର୍ଗର ଲୋକେ ବିକଶିତ ହୋଇପାରିବେ।
ବର୍ତ୍ତମାନର ବିକାଶ ଡିଣ୍ଡିମ ପିଟୁଥିବା ସମସ୍ତ ପଣ୍ଡିତ ଓ ଶାସକ ବର୍ଗ ଏ ସମସ୍ତ ବିଚାର ସହିତ ପ୍ରାଥମିକତା ନିର୍ଣ୍ଣୟ କରି କାର୍ଯ୍ୟକ୍ରମର ତାଲିକା ପ୍ରସ୍ତୁତ କରି ଚାଲିଲେ ଅମୃତକାଳ ଅବା ଦୀର୍ଘ କଳ୍ପିତ ସମୟ ଅପେକ୍ଷା ନକରି ପ୍ରତି ପାହାଚ ଅତିକ୍ରମ କଲାବେଳେ ବିକାଶ ଉପଲବ୍ଧ ହେବା ସହିତ ଆଶ୍ୱସ୍ତି ଓ ବିଶ୍ୱାସ ଉପଲବ୍ଧି କରିହେବ। ସାଧାରଣ ଜନତା ସୁଖପ୍ରାପ୍ତୀ ପାଇଁ ଅବା ବିକାଶର ସ୍ୱାଦ ଚାଖିବାକୁ ନେଇ ପ୍ରଚାର ଓ ପ୍ରଶ୍ନର ଗୋଲକଧନ୍ଦାରେ ରୁନ୍ଧି ହୋଇ ଛଟପଟ ହେବେ ନାହିଁ।
ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥମନ୍ତ୍ରୀ
ଫୋ- ୯୪୩୮୩୬୦୮୪୯