/odisha-reporter/media/post_attachments/uploadimage/library/16_9/16_9_0/IMAGE_1739254612.jpg)
Musk, Bezos and Zuckerberg
ଦେବ ରଞ୍ଜନ
ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ହୋଇଥିଲା ଜାନୁଆରୀ ୨୦, ୨୦୨୫ ଦିନ। ଏହାକୁ ଶପଥ ଗ୍ରହଣ ଅପେକ୍ଷା ରାଜ୍ୟାଭିଷେକ କହିବା ଅଧିକ ଉଚିତ ହେବ। ପ୍ରଥମ ଦିନରୁ ସେ ନିଜକୁ ରାଜା ଭାବରେ ବିଶ୍ଵ ସାମ୍ନାରେ ପ୍ରତିପାଦିତ କରିବା ଲାଗି ଚେଷ୍ଟା କଲେ। ନିଜର ଦ୍ଵିତୀୟ ପାଳିର ପ୍ରଥମ ଦିନରେ ସେ ଏଭଳି କେତେକ ନିଷ୍ପତ୍ତି ନେଲେ ଯାହା ସମ୍ପର୍କରେ ପୂର୍ବରୁ କୌଣସି ଆଲୋଚନା ହୋଇନଥିଲା।
ଟ୍ରମ୍ପଙ୍କ ଉକ୍ତ ସମାରୋହରେ ବିଶ୍ଵର ପ୍ରଥମ ପାଞ୍ଚ ଅତି ଧନୀ ଅରବପତିଙ୍କ ମଧ୍ୟରୁ ଚାରିଜଣ ଅରବପତି ଉପସ୍ଥିତ ରହିଥିଲେ। ସେମାନେ ହେଲେ ଏକ୍ସ (ପୂର୍ବରୁ ଟୁଇଟର), ଟେସ୍ଲା ଓ ସ୍ପେଶଏକ୍ସ ମାଲିକ ଏଲନ ମସ୍କ, ଆମାଜନର ମାଲିକ ଜେଫ ବେଜସ, ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ ମାଲିକ ମାର୍କ ଜୁକରବର୍ଗ ଓ ପ୍ରସାଧନ ସାମଗ୍ରୀ ବ୍ୟବସାୟୀ ତଥା ଶ୍ରେଷ୍ଠ ଧନୀ ବର୍ଣ୍ଣାର୍ଡ ଆରନଲ୍ଟ। ଏମାନଙ୍କ ସହିତ ଏସିଆର ଅନ୍ୟତମ ଅତି ଧନୀ ରିଲାଏନ୍ସର ମାଲିକ ମୁକେଶ ଆମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ଆମେରିକା କୋର୍ଟରେ କେସ ଚାଲିଥିବା କାରଣରୁ ସମ୍ଭବତଃ ଗୌତମ ଆଦାନୀ ନିମନ୍ତ୍ରିତ ଅତିଥିଙ୍କ ତାଲିକାରୁ ବାଦ ପଡ଼ିଥିଲେ।
ଏହି ଅରବପତିମାନେ କ’ଣ ଟ୍ରମ୍ପଙ୍କ ବିଚାରକୁ ସମର୍ଥନ କରୁଛନ୍ତି? ତାହା ନୁହେଁ। ସେମାନଙ୍କର ଏକମାତ୍ର ବିଚାର ନିଜର ବ୍ୟବସାୟକୁ ଅଧିକ ପ୍ରସାରିତ କରିବା ଓ ବିଶ୍ଵରେ ନିଜର ପ୍ରଭାବ ବିସ୍ତାର କରିବା। ସେଥିଲାଗି ରାଷ୍ଟ୍ରମୁଖ୍ୟଙ୍କ ସମର୍ଥନ ଲୋଡ଼ା ହୋଇଥାଏ। ଅନ୍ୟ ଦେଶରେ ନିଜର ବ୍ୟବସାୟକୁ ଦୃଢ଼ କରିବାକୁ ହେଲେ ଆମେରିକାର ସରକାରୀ ସମର୍ଥନ ଜରୁରୀ। ଏହା ବାରମ୍ବାର ଦେଖାଯାଇଛି।
ସିଏନଏନର ତଥ୍ୟ ଅନୁସାରେ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଲାଗି ଏଲନ ମସ୍କ ୨୯୦ ନିୟୁତ ଡଲାର ଖର୍ଚ୍ଚ କରିଥିଲେ। ମସ୍କଙ୍କ ଲାଗି ଏହା ଜୁଆ ଥିଲା। ଟ୍ରମ୍ପ ନିର୍ବାଚନରେ ଜିତିବା ମାତ୍ରେ ମସ୍କଙ୍କ କମ୍ପାନୀର ମୂଲ୍ୟ ଷ୍ଟକ ବଜାରର ହିସାବ ଅନୁସାରେ ୭୭ ପ୍ରତିଶତ ଅଧିକ ହୋଇଗଲା।
ଟ୍ରମ୍ପଙ୍କୁ ସମର୍ଥନ କରିଥିବା ଅନ୍ୟ କେତେକ ଅରବପତି ବା ବିଲିୟୋନାୟାରଙ୍କ ସମ୍ପତ୍ତିରେ ମଧ୍ୟ ଦ୍ରୁତ ବୃଦ୍ଧି ଘଟିଛି। ଅନ୍ୟ ୧୫ ଜଣ ଅରବପତିଙ୍କ ସମ୍ପତ୍ତିରେ ସମୁଦାୟ ୧୭ ବିଲିଅନ ଡଲାରର ଉନ୍ନତି ହୋଇଥିବା କ୍ଲାଇମେଟ ଆକାଉଣ୍ଟେବିଲିଟି ରିସର୍ଚ୍ଚ ପ୍ରୋଜେଟ ଯୁକ୍ତି କରୁଛି। ଏହି ଅଚାନକ ବୃଦ୍ଧି ପଛରେ କୌଣସି ଯାଦୁ ନଥାଏ। ଟ୍ରମ୍ପଙ୍କ ବିଦେଶ ନୀତି ଓ ବାଣିଜ୍ୟ ନୀତି ପ୍ରାଥମିକ ଭାବରେ ଏଥିଲାଗି ଦାୟୀ।
ଟ୍ରମ୍ପଙ୍କ ଅରବପତିଙ୍କ ପ୍ରତି ରହିଥିବା ପ୍ରେମ ସମ୍ପର୍କରେ ସଂକେତ ଆମେ ଏବର୍ଷର ଆମ ଦେଶର କେନ୍ଦ୍ରୀୟ ବଜେଟରୁ ଅଧିକ ପାଉଛୁ।
ଗଲା ଫେବୃଆରୀ ୧ ତାରିଖ ଦିନ ଟ୍ରମ୍ପ ଭାରତର ‘ଆମଦାନୀ ଦ୍ରବ୍ୟ ଉପରେ ଅଧିକ ଟିକସ’ ବିରୁଦ୍ଧରେ ନିଜର ଅସନ୍ତୋଷ ଖୋଲାଖୋଲି ପ୍ରକାଶ କରିଥିଲେ। ଏଭଳି ଅସନ୍ତୋଷ ପଛରେ ସିଧାସଳଖ ଆମେରିକାର ଅରବପତିଙ୍କ ପ୍ରତି ରହିଥିବା ଟ୍ରମ୍ପଙ୍କ ପ୍ରେମ ପ୍ରଦର୍ଶିତ ହେଉଥିଲା। ହେଇପାରେ ଯେ ଏହାଦ୍ୱାରା ସେ ଅରବପତିଙ୍କ ଠାରୁ ପାଇଥିବା ସହଯୋଗ ଓ ସାହାଯ୍ୟକୁ ପରିଶୋଧ କରୁଥିଲେ।
ଗଲା ମାସରେ ଭାରତରେ ଅର୍ଥମନ୍ତ୍ରୀ ନିଜର ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ଆମେରିକାରୁ ଆମଦାନୀ ହେଉଥିବା ହାର୍ଲେ ଡାଭିଡସନ ମୋଟର ବାଇକ ଉପରେ ଆମଦାନୀ ଶୁଳ୍କ ଅନେକ କମାଇ ଦିଆଯାଇଛି। ହାର୍ଲେ ଡାଭିଡସନ ୧୬୦୦ ସିସି ମୋଟର ବାଇକ ଉପରେ ପୂର୍ବ ବର୍ଷର ୫୦ ପ୍ରତିଶତ ଶୁଳ୍କରୁ ୩୦ ପ୍ରତିଶତକୁ ଓ ଛୋଟ ବାଇକ ଉପରେ ୫୦ରୁ ୪୦ ପ୍ରତିଶତକୁ କମାଇଦିଆଯାଇଛି।
ସେହିଭଳି ସାଟେଲାଇଟ ଟେକ୍ନୋଲୋଜି କମ୍ପାନୀ ଉପରେ ଆମଦାନୀ ଶୁଳ୍କ କମାଇ ଦିଆଯାଇଛି। ଏଲନ ମସ୍କଙ୍କ ସ୍ପେସ ଏକ୍ସ କମ୍ପାନୀ ସାଟେଲାଇଟ ବ୍ୟବସାୟରେ ଜଡ଼ିତ ଅଛି। ସେହିଭଳି ଟ୍ରମ୍ପଙ୍କ ସମାରୋହରେ ଉପସ୍ଥିତ ବର୍ଣ୍ଣାଡ ଆରନଲ୍ଟଙ୍କ ପ୍ରସାଧନ ସାମଗ୍ରୀ କମ୍ପାନୀ ଉପରେ ମଧ୍ୟ ଭାରତ ସରକାର ନିଜର ଆମଦାନୀ ଶୁଳ୍କ କମାଇଛନ୍ତି।
ଏଭଳି ହ୍ରାସକୁ ବିବିସି ‘ଭାରତର ବ୍ୟାକୁଳତା’ ବୋଲି ବର୍ଣ୍ଣନା କରିଛି। ଏଇ ଅଳ୍ପ କେଇ ଦିନ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାର ଯୋଜନା ରହିଛି। ତେବେ ଭାରତର ଅର୍ଥମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଗୁରୁତ୍ଵ ଦେଇ ନିଜର ଆମଦାନୀ ଶୁଳ୍କ କମାଇବାକୁ କୌଣସି ଭାରତୀୟଙ୍କୁ ଉଚିତ ଲାଗିବ ନାହିଁ। କିନ୍ତୁ ଭାରତୀୟ ମୁଖ୍ୟ ମିଡିଆ ଏ ସମ୍ପର୍କରେ ସମ୍ପୂର୍ଣ ନୀରବ ରହିଛି। ଭାରତର ମୁଖ୍ୟ ମିଡିଆ ହାଉସ ଅଳ୍ପ ଅରବପତିଙ୍କ କର୍ତ୍ତୃତ୍ଵ ମଧ୍ୟରେ ରହିଛି। ସେମାନେ ମଧ୍ୟ ଟ୍ରମ୍ପଙ୍କ ଠାରୁ ସୁବିଧା ନେବା ଲାଗି ଆଗ୍ରହୀ।
ନିଜ ଚାରିପାଖର ଅରବପତିଙ୍କୁ ସମର୍ଥନ କରିବା ପଛରେ ଟ୍ରମ୍ପ ରାଜନୈତିକ ବିଚାର ହେଉଛି ଆମେରିକାକୁ ଗୁରୁତ୍ଵ ଦେବା ଯାହାକୁ ‘ଆମେରିକା ଆଗ’ ବା ‘ଆମେରିକା ଫାଷ୍ଟ’ ବୋଲି କୁହାଯାଉଛି। ଏହା ଟ୍ରମ୍ପଙ୍କ ସ୍ଲୋଗାନ। ଏହାପଛରେ ଟ୍ରମ୍ପଙ୍କ ଦୃଢ଼ ଜାତୀୟତାବାଦ ଯଦିଓ ରହିଛି ବୋଲି କୁହାଯାଉଛି କିନ୍ତୁ ଏହା ଜାତୀୟତାବାଦ ନୁହେଁ। ଅନ୍ୟ ଦେଶ ଉପରେ ପ୍ରଭାବ ପକାଇ ସେହି ଦେଶର ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ଲାଗି ଉଦ୍ୟମ କରିବା ବରଂ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦନୀୟ କାର୍ଯ୍ୟ ଭାବରେ ଦେଖାଯାଇଥାଏ।
କିନ୍ତୁ ଆମେରିକୀୟ ଟେକ୍ନୋଲୋଜିରେ ନିର୍ମିତ ଦ୍ରବ୍ୟର ବିଦେଶରେ ଉତ୍ତମ ବ୍ୟବସାୟ କରିବା ଲାଗି ପଥ ପରିଷ୍କାର କରିବା ହେଲା ଟ୍ରମ୍ପଙ୍କ ‘ଦେଶଭକ୍ତି’। ହାର୍ଲେ ଡାଭିଡସନ ମଟର ବାଇକ ନିର୍ମାଣ ପଛରେ ଆମେରିକା ଟେକ୍ନୋଲୋଜିର ସ୍ଵତନ୍ତ୍ର ଭୂମିକା ରହିଛି।
ଗଲା ୨୦୨୩ ମସିହାରେ ହାର୍ଲେ ଡାଭିଡସନ ୩ ନିୟୁତ ଡଲାରର ଓ ସାଟେଲାଇଟ ଟେକ୍ନୋଲୋଜି କମ୍ପାନୀ ମାନେ ୯୩ ନିୟୁତ ଡଲାରର ଦ୍ରବ୍ୟ ଭାରତକୁ ରପ୍ତାନୀ କରିଛନ୍ତି। ଏବର୍ଷ ଆମଦାନୀ ଶୁଳ୍କ ଅଧିକ ହୋଇଥିଲେ ଉକ୍ତ କମ୍ପାନୀମାନେ ସେତିକି ଲାଭ କରିନଥାନ୍ତେ ଯେତିକି ଏବେ ସେମାନେ କରିବେ।
ଭାରତ ସରକାର ନିଜର ବଜେଟରେ ଆମଦାନୀ ଶୁଳ୍କରେ ପରିବର୍ତ୍ତନ କରିବାର ସୁବିଧା ହାର୍ଲେ ଡାଭିଡସନ କମ୍ପାନୀର ମୁଖ୍ୟ ଓ ଏହାର ଶେୟାରଧାରୀଙ୍କ ସହିତ ଏଲନ ମସ୍କ, ବର୍ଣ୍ଣାଡ ଆରନଲ୍ଟ, ଓ ହାର୍ଲେ ଡାଭିଡସନ କମ୍ପାନୀର ଅଂଶୀଦାରଙ୍କ ଖାତାକୁ ଯିବ। ଟ୍ରମ୍ପ ନିଜର ବିରକ୍ତି ପ୍ରକାଶ କରିନଥିଲେ ସେମାନେ ଏହି ସୁବିଧା ଭାରତଠାରୁ ପାଇନଥାନ୍ତେ। କିନ୍ତୁ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଆନ୍ତର୍ଜାତିକ ନିୟମରେ ଉଲ୍ଲଂଘନ।
ଭାରତ ନିଜର ଆୟ ଲାଗି ପରୋକ୍ଷ ଟିକସ ଉପରେ ନିର୍ଭର କରିଥାଏ ଓ ସେହି ଅର୍ଥ ଦେଶବାସୀଙ୍କ ଶିକ୍ଷା ସ୍ୱାସ୍ଥ୍ୟ, ଭତ୍ତା ତଥା ପେନସନ ଲାଗି ଖର୍ଚ୍ଚ ହୋଇଥାଏ। ଦେଶର ଆୟ କମ୍ପାନୀଙ୍କ ଲାଗି ଭିତ୍ତିଭୂମି ସୁରକ୍ଷାରେ ମଧ୍ୟ ଖର୍ଚ୍ଚ ହୋଇଥାଏ। ଏହାର ସୁବିଧା ସିଧାସଳଖ ବୃହତ କମ୍ପାନୀମାନଙ୍କୁ ଯାଇଥାଏ। ଭାରତର ଅରବପତିମାନେ ଭାରତ ସରକାରଙ୍କ ନିଷ୍ପତ୍ତିର କୌଣସି ବିରୋଧ କଲେନାହିଁ। କାରଣ ସେମାନେ ମୋଦୀ ସରକାରଙ୍କ ସହଯୋଗ ନେଇ ବେଶ ସୁରକ୍ଷିତ ଅଛନ୍ତି।
ସରକାରୀ ସମର୍ଥନରେ ହିଁ ଦେଶରେ ବଡ଼ ବଡ଼ କମ୍ପାନୀ ଓ ଏହାର ମାଲିକମାନେ ଠିଆ ହୋଇଛନ୍ତି। ଗଲା ମାସ ଜାନୁଆରୀ (୨୦୨୫)ରେ ପ୍ରକାଶିତ ଅକ୍ସଫାମର ଆନ୍ତର୍ଜାତିକ ରିପୋର୍ଟ ‘ଟେକର୍ସ ନଟ ମେକର୍ସ’ରେ କର୍ପୋରେଟମାନେ ଯେ କେଉଁଭଳି ଧନୀ ହେଉଛନ୍ତି ତାହାର ବିଭିନ୍ନ କାରଣ ସମ୍ପର୍କରେ ଦର୍ଶାଯାଇଛି।
ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ବିଭିନ୍ନ କର୍ପୋରେଟମାନେ ‘ନିଜ ଲାଭ ଲାଗି ସରକାରୀ ନିଷ୍ପତ୍ତିକୁ ପ୍ରଭାବିତ କରିପାରିବା ହେତୁ, ଦୁର୍ନୀତି ଓ ଏକଚାଟିଆ ବ୍ୟବସାୟ କାରଣରୁ’ ଅତ୍ୟଧିକ ଧନୀ ହୋଇପାରୁଛନ୍ତି। ସେହି ସରକାରୀ ସହଯୋଗ କାରଣରୁ ଅତି ଧନୀ ୧ ପ୍ରତିଶତ ଲୋକ ବିଶ୍ଵର ୪୫% ସମ୍ପତ୍ତି ଅକ୍ତିଆର କରିପାରିଛନ୍ତି ବୋଲି ରିପୋର୍ଟ କହୁଛି। ତେଣୁ ଏହା ଯେ ଟ୍ରମ୍ପଙ୍କ ସମୟରେ ଆରମ୍ଭ ହୋଇଛି ତାହା ନୁହେଁ। ଟ୍ରମ୍ପ କେବଳ ସମ୍ପତ୍ତି ଅତି ଧନୀଙ୍କ ପାଖରେ ଠୁଳ ହେବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି।
ଟ୍ରମ୍ପ ଯଦିଓ ଅନେକ ଛାତ୍ରଛାତ୍ରୀ, ପ୍ରବାସୀ ଓ ଶ୍ରମିକଙ୍କ ଦ୍ଵାରା ନିର୍ବାଚିତ ହୋଇଛନ୍ତି କିନ୍ତୁ ସେମାନେ ଯେତିକି ସାହାଯ୍ୟ ତୁରନ୍ତ ନପାଇଛନ୍ତି ତାହାଠାରୁ ଅନେକ ଗୁଣା ଲାଭ କମ୍ପାନୀମାନେ ପାଇବା ଆରମ୍ଭ କରିଛନ୍ତି। ଆମେରିକାରେ ଦାରିଦ୍ର୍ୟ ସୀମାରେଖା ତଳେ ୧୦ରୁ ୧୨ ପ୍ରତିଶତ ଲୋକ ଦଶନ୍ଧି ହେଲା ରହିଛନ୍ତି। ଏହା ଦର୍ଶାଉଛି ଯେ ଆମେରିକା ମଡେଲରେ ତ୍ରୁଟି ରହିଛି।
ଟ୍ରମ୍ପ ନିର୍ବାଚିତ କରିବା ପଛରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକା ଅଧିକ ରହିଛି। ସେମାନେ ଆମେରିକାର ବିଭିନ୍ନ ହିନ୍ଦୁ ମନ୍ଦିରରେ ପୂଜା, ଯଜ୍ଞ, ପ୍ରସାଦ ବଣ୍ଟନ, ରାଲି ମାଧ୍ୟମରେ ଟ୍ରମ୍ପଙ୍କ ଲାଗି ପ୍ରଚାର କରିଥିବାର ଦୃଶ୍ୟ ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରେ ଆସିଥିଲା। ଏହାର ପ୍ରତିବଦଳରେ ସେମାନେ ପାଇଲେ କଣ?
ଆମେରିକାର ଜନଗଣନା ଅନୁସାରେ ଆମେରିକାରେ ୫.୪ ନିୟୁତ ମୂଳ ଭାରତୀୟ ଅଛନ୍ତି। ତାହା ଆମେରିକା ଜନସଂଖ୍ୟାର ୧.୪୭ ପ୍ରତିଶତ ଯାହା କିଛି କମ ନୁହେଁ। ସେମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଆମେରିକାରେ ଜନ୍ମିତ। ଯଦି ଆମେ ଟ୍ରମ୍ପଙ୍କ ନାଗରିକ ନୀତିକୁ ଦେଖିବା ତେବେ ବଡ଼ ସଂଖ୍ୟକ ଭାରତୀୟ ଆମେରିକାରୁ ଉଚ୍ଛେଦ ହେବେ। ଟ୍ରମ୍ପଙ୍କୁ ସମର୍ଥନ କରିବାର ବଡ଼ ମୂଲ୍ୟ ଭାରତୀୟଙ୍କୁ ଦେବାକୁ ପଡୁଛି।
ନିଜ ଦେଶବାସୀଙ୍କ ମଧ୍ୟରେ ନିଜେ ନିର୍ବାଚିତ ଶାସକ ଏପରି ଭୟ ସୃଷ୍ଟି କରିବାକୁ କଣ ଗଣତନ୍ତ୍ର କୁହାଯିବ କି? ଗଣତନ୍ତ୍ରରେ ମୂଳ ଅର୍ଥ ହେଲା ନାଗରିକକୁ ସୁରକ୍ଷା ଦେବା। ସେଥିଲାଗି ରାଜା ଶାସନଠାରୁ ଗଣତନ୍ତ୍ର ଯେ ଭିନ୍ନ ସେକଥା ଦେଖାଯାଇଛି। ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ଯଦି ଆମେରିକାର କୋର୍ଟ ସ୍ଥଗିତାଦେଶ ଦେଇନଥାନ୍ତା ତେବେ ଏହା ଏବେ ଭାରତ, ଆମେରିକା ଓ ବିଶ୍ୱରେ ମଧ୍ୟ ବିରାଟ ସମସ୍ୟା ସୃଷ୍ଟି କରିଥାନ୍ତା।
କିନ୍ତୁ ଟ୍ରମ୍ପ ପ୍ରଶାସନ ଯେଉଁଭଳି ୧୦୪ ଜଣ ଭାରତୀୟଙ୍କୁ ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ଭାରତ ପଠାଇଲେ ତାହା ସଂପୂର୍ଣ୍ଣ ଅମାନବୀୟ ବ୍ୟବହାର। ଏବେ ବି ସେଠାର ସରକାରୀ ଭାଷାରେ ୭,୨୫,୦୦୦ ଭାରତୀୟ ‘ବେଆଇନ ଭାବରେ’ ରହିଥିବାର ତଥ୍ୟ ଦିଆଯାଉଛି। ଗୋଟିଏ ପଟରେ ଟ୍ରମ୍ପ ପ୍ରଶାସନ ଦ୍ଵାରା ଆମେରିକୀୟ ଦ୍ରବ୍ୟର ଆମଦାନୀ ଶୁଳ୍କ ହ୍ରାସ ଲାଗି ଭାରତ ଉପରେ ଚାପ ପକାଇ ଭାରତର ଅର୍ଥନୀତିକୁ ଦୁର୍ବଳ କରାଯାଉଛି ଅନ୍ୟପଟରେ ଅନେକ ଭାରତୀୟଙ୍କୁ ‘ବେଆଇନ’ କହି ଅସମ୍ମାନୀତ ଓ ବିତାଡ଼ିତ କରାଯାଉଛି। ଭାରତ କ’ଣ ଆମେରିକାର ଏକ ଉପନିବେଶ ହୋଇଛି?
ଟ୍ରମ୍ପ ପ୍ରଶାସନର ଏତାଦୃଶ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଭାରତରେ ହୋଇପାରିଲା ନାହିଁ। ମିଡିଆ ମଧ୍ୟ ଏହାକୁ କିଛି କାଳ ‘ଫେକ’ ବା ‘ଅସତ୍ୟ’ କହି ଘଟଣା ଉପରେ ସନ୍ଦେହ ଆଣିଦେଲା। ବିଦେଶ ମନ୍ତ୍ରୀ ବିବୃତ୍ତି ଦେଲେ ‘ଏଭଳି ହସ୍ତାନ୍ତର ନିୟମିତ ହୋଇଥାଏ’। ଉଭୟ ସରକାର ଓ ମିଡିଆ ସମ୍ଭବତଃ ଆମେରିକାର ଅମାନବୀୟ ବ୍ୟବହାରକୁ ସମର୍ଥନ କଲେ ବା ପ୍ରତିବାଦ କଲେ ନାହିଁ, କାରଣ ତାଙ୍କୁ ମଧ୍ୟ ବର୍ମା ଓ ବଙ୍ଗଳାଦେଶରୁ ବେଆଇନ ଭାବରେ ରହିଥିବା ବିଦେଶୀଙ୍କୁ ହୁଏତ ବେଜ୍ଜତି କରି ପଠାଇବାର ଅଛି। ଏହା ନାଗରିକ ସୁରକ୍ଷାର ପରିପନ୍ଥୀ। ଆମେରିକାର ନାଗରିକ ହସ୍ତାନ୍ତର ଯୋଜନାକୁ ଯଦି ବିରୋଧ କରାନଯାଏ ତେବେ ଆସନ୍ତା ଦିନରେ ସେହି ସମାନ କଥା ସମଗ୍ର ୟୁରୋପରେ ମଧ୍ୟ ହେବ। ସେତେବେଳେ ଭାରତ ସରକାର କ’ଣ କରିବେ?
ଯିଏ ଆଧୁନିକ ସଭ୍ୟତାରେ ଯେତିକି ସଭ୍ୟ ବୋଲି ଦାବି କରୁଛି ସେ ସେହି ଭାବରେ ଅଧିକ ଅମଣିଷ ହୋଇଯାଉଛି। କ୍ଷମତାରେ ରହିଥିବା ବର୍ଗ କଦାପି ଭୁଲିଯିବା ଉଚିତ ନୁହେଁ ଯେ ପ୍ରତ୍ୟେକ ମଣିଷର, ଚାହେ ସେ ଯେଉଁଠାରେ ରହିଥାଉ ନା କାହିଁକି, ସମ୍ମାନର ସହିତ ବଞ୍ଚିବାର ସାମ୍ବିଧାନିକ ଅଧିକାର ରହିଛି ଓ ସେମାନେ ତାହାକୁ ସମ୍ମାନ ଦେବା ଜରୁରୀ।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
