Advertisment

ଟ୍ରମ୍ପଙ୍କ ଟ୍ରାଭେଲ୍ ଆଡଭାଇଜୋରି ଓ ଏକ ବ୍ୟଥିତ ପ୍ରତିଛବି

ବିନା କୌଣସି ତଥ୍ୟ ଓ ପରିସଂଖ୍ୟାନକୁ ବିଚାରକୁ ନ ନେଇ ମହିଳାଙ୍କ ପ୍ରତି ହେଉଥିବା ଯୌନ ହିଂସା ପାଇଁ ଅନ୍ୟ ଏକ ଦେଶକୁ ଆଙ୍ଗୁଠି ନିର୍ଦ୍ଦେଶ କରିବା ଏହି ଭଳି ଏକ ଅନ୍ତର୍ଜାତୀୟ ସ୍ତରର ନେତାଙ୍କ ପାଇଁ ଶୋଭନୀୟ ନୁହେଁ।

author-image
Debendra Prusty
USA Travel Advisory Includes Odisha

USA Travel Advisory Includes Odisha

ଡ. ରୀନା ରାଉତରାୟ, ସମାଜ ବିଜ୍ଞାନୀ

ମହିଳା ସୁରକ୍ଷା କୌଣସି ଏକ ରାଜନୈତିକ ବିବାଦ ନୁହେଁ। ଏହା ମୂଳତଃ ଏକ ମାନବିକ ଅଧିକାର ସମସ୍ୟା। ଯେଉଁଠି ମହିଳା ଅସୁରକ୍ଷିତ ଅନୁଭବ କରନ୍ତି, ସେଠାରେ ତୁରନ୍ତ କଠୋର ଦଣ୍ଡବ୍ୟବସ୍ଥା ହେବା ଆବଶ୍ୟକ।

Advertisment

କିନ୍ତୁ ଜଣେ ଅର୍ନ୍ତଜାତୀୟ ସ୍ତରର ନେତା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତର କିଛି ରାଜ୍ୟ ଅସୁରକ୍ଷିତ ବୋଲି ଯେଉଁ ଟ୍ରାଭେଲ୍ ଆଡଭାଇଜୋରି ଜାରି କରିଛନ୍ତି ତାହା ନିଶ୍ଚିତ ଭାବେ ଆମ ପାଇଁ ଏକ ସତର୍କ ଘଣ୍ଟି।

ଏକ ଦେଶର ରାଜନୈତିକ ମଞ୍ଚରୁ ଯଦି ଅନ୍ୟ ଦେଶ ବିଷୟରେ ମନ୍ତବ୍ୟ କରାଯାଏ, ତାହାର ସାର୍ବଜନୀନ ପ୍ରଭାବ ତୀବ୍ର ହୁଏ। ନିଜକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଦ୍ୱାରା ଯଦି ଏକ ଟ୍ରାଭେଲ୍ ଆଡଭାଇଜୋରି ମାଧ୍ୟମରେ କୁହାଯାଏ ଯେ, ‘ମହିଳା ପର୍ଯ୍ୟଟକମାନେ ଓଡ଼ିଶାକୁ ଯାଆନ୍ତୁ ନାହିଁ, ତାହା ସୁରକ୍ଷିତ ନୁହେଁ’, ତେବେ ଏହା ମାନବିକ ଏବଂ ରାଜନୈତିକ ଦୁଇ ଦୃଷ୍ଟିକୋଣରୁ ଗମ୍ଭୀର ଭାବେ ବିଚାର କରିବା ଦରକାର।

Advertisment

ନିକଟରେ ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ପରେ ତାଙ୍କ ଦ୍ୱାରା ଆଡଭାଇଜୋରି ଜାରି ହୋଇଥିବା ଯୋଗୁଁ ଆମ ରାଜ୍ୟରେ ନାରୀ ସୁରକ୍ଷାର ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ସତ, କିନ୍ତୁ ଏହା ସହିତ ମାଓବାଦୀ, ନକ୍ସଲାଇଟ୍ ଓ ସର୍ବୋପରି ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଅମାନୁଷିକ ଆତଙ୍କବାଦୀ ଆକ୍ରମଣ ଏ ସବୁକୁ ଦୃଷ୍ଟିରେ ରଖି ସେ ଏହି ପରି ଆଡଭାଇଜୋରି ଜାରି କରିଥାଇ ପାରନ୍ତି।

କିନ୍ତୁ ବିନା କୌଣସି ତଥ୍ୟ ଓ ପରିସଂଖ୍ୟାନକୁ ବିଚାରକୁ ନ ନେଇ ମହିଳାଙ୍କ ପ୍ରତି ହେଉଥିବା ଯୌନ ହିଂସା ପାଇଁ ଅନ୍ୟ ଏକ ଦେଶକୁ ଆଙ୍ଗୁଠି ନିର୍ଦ୍ଦେଶ କରିବା ଏହି ଭଳି ଏକ ଅନ୍ତର୍ଜାତୀୟ ସ୍ତରର ନେତାଙ୍କ ପାଇଁ ଶୋଭନୀୟ ନୁହେଁ।

ହଜାର ହଜାର ଦେଶୀ ବିଦେଶୀ ପର୍ଯ୍ୟଟକ ପ୍ରତିଦିନ ଆମ ରାଜ୍ୟକୁ ଆସୁଛନ୍ତି ଓ ସୁରକ୍ଷିତ ଅନୁଭବ କରୁଛନ୍ତି। ଅଳ୍ପକିଛି ଦୁଃଖଦ ଘଟଣା ଦ୍ୱାରା ସମଗ୍ର ଓଡ଼ିଶାକୁ ଅସୁରକ୍ଷିତ ବୋଲି କହିବା ଅନ୍ୟାୟ।

ଏ ଦୃଷ୍ଟିରୁ ଟ୍ରମ୍ପଙ୍କ ମତ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ହୋଇପାରେ। ଯଦି ଟ୍ରମ୍ପ ଏଭଳି ମତ ଦେଇଥିବେ, ତେବେ ଏହା ତଥ୍ୟ ଆଧାରିତ ନୁହେଁ ବୋଲି ଧାରଣା କରାଯାଇପାରେ। ଅନ୍ୟ ପକ୍ଷରେ ସତର୍କ ରହିବା ଭଲ କଥା, ଅନ୍ୟଥା ଏହା ଓଡ଼ିଶା ଓ ଭାରତର ପ୍ରତିଛବିକୁ ବିଶ୍ୱ ସ୍ତରରେ ପ୍ରଭାବିତ କରିପାରେ। ବିଶ୍ୱର ଅନେକ ସ୍ଥାନ ଅପରାଧମୁକ୍ତ ନୁହେଁ।

ଯଦି ଏକ ଘଟଣା ପାଇଁ ସେଠାକୁ ଯିବା ବନ୍ଦ କରିବା ମନ୍ତବ୍ୟ ଦିଆଯାଏ, ତେବେ ବିଶ୍ୱର ଅନେକ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହୋଇଯାଇପାରେ। ସେଥି ମଧ୍ୟରେ ସର୍ବ ପ୍ରଥମେ ଆସିବ ଆମେରିକା। ଆମେରିକାରେ ନାରୀ ଓ ଶିଶୁ ଅସୁରକ୍ଷିତତା ସମ୍ବନ୍ଧୀୟ ତଥ୍ୟକୁ ଅନୁଧ୍ୟାନ କଲେ ଅନେକ କଥା ଜଣାଯାଏ। RAINN (Rape, Abuse & Incest National Network) ରିପୋର୍ଟ ଅନୁଯାୟୀ, ପ୍ରତି ୭୦ ସେକେଣ୍ଡରେ ଜଣେ ଆମେରିକୀୟ ମହିଳା ଧର୍ଷଣ ବା ଯୌନ ହିଂସା ଭୋଗ କରନ୍ତି। US Department of Justice ଅନୁସାରେ, ପ୍ରତି ୪୫ ସେକେଣ୍ଡରେ ଜଣେ ମହିଳା ଘରୋଇ ହିଂସାର ଶିକାର ହୁଅନ୍ତି।

ଅନ୍ୟ ଏକ ଅନ୍ତର୍ଜାତୀୟ ଅନୁସନ୍ଧାନ (NCADV) ଅନୁସାରେ, ଆମେରିକାର ତିନି ଜଣରେ ଜଣେ ମହିଳା ତାଙ୍କ ଜୀବନରେ କେବେ ନା କେବେ ଶାରୀରିକ ଭାବରେ ଆକ୍ରମଣର ଶିକାର ହୋଇଥାନ୍ତି। ବ୍ୟାପକ ଅଭିଯୋଗ ବିଚାର ବ୍ୟବସ୍ଥା ଅଭାବରେ ବହୁତ ଅଭିଯୋଗ ତାଲିକାଭୁକ୍ତ ହୁଏନାହିଁ।

ହଲିୱୁଡ୍ ମେଗା ଅଭିନେତା ଓ ପ୍ରସିଦ୍ଧ ବ୍ୟବସାୟୀମାନଙ୍କ ଉପରେ ଅନେକ ମହିଳାଙ୍କ ଅଭିଯୋଗ ହୋଇଛି। MeToo ଅନ୍ଦୋଳନ ଆମେରିକାରେ ଆରମ୍ଭ ହୋଇଥିଲା।

U.S. Department of Health and Human Services (HHS) ଅନୁସାରେ, ପ୍ରତି ବର୍ଷ ୪,୦୦,୦୦୦ରୁ ଅଧିକ ଶିଶୁ ଯୌନ ଉତ୍ପୀଡ଼ନ ରିପୋର୍ଟ ହୁଏ।

National Center for Missing & Exploited Children (NCMEC) ଅନୁଯାୟୀ, ୨୦୨୩ ମସିହାରେ ୨୬୦ ନିୟୁତ ଚାଇଲ୍ଡ୍ ପୋର୍ନୋଗ୍ରାଫି ଇମେଜ୍ ଟ୍ରାକ୍ କରାଯାଇଛି।

୨୦୨୩ ମସିହାରେ ବାମ୍ବିଙ୍ଗଟନ ୟୁନିଭର୍ସିଟି ଏକ ଅନୁସନ୍ଧାନରେ ଦେଖାଯାଇଛି, ଆମେରିକାରେ ପ୍ରତି ବର୍ଷ ପ୍ରାୟ ୪,୦୦୦ ଶିଶୁ ଏବଂ କିଶୋର ଗୁଳି ଆକ୍ରମଣରେ ମୃତ୍ୟୁବରଣ କରନ୍ତି।

କେବଳ ୨୦୨୩ ମସିହା ମଧ୍ୟରେ ଅମେରିକାରେ ୭୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ଗୁଳିଚାଳନା ଘଟଣା ଘଟିଛି। ଏଥିରେ ହଜାର ହଜାର ଶିଶୁ ଏବଂ ଶିକ୍ଷକଙ୍କ ମୃତ୍ୟୁ ହୋଇଛି।

ଏକ ଅନ୍ତର୍ଜାତୀୟ ନେତୃତ୍ୱର ଦାୟିତ୍ୱ ଯେ ସେ ତଥ୍ୟ ଭିତ୍ତିକ ଓ ଗୁରୁତ୍ୱପୂର୍ଣ୍ଣ ବିଚାର ଉପରେ ଆଧାର କରି ମତ ଦିଅନ୍ତୁ।

ଏପରି ଉପର ଠାଉରିଆ କିମ୍ଵା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ରାଜ୍ୟ ତଥା ଦେଶର ନେତୃତ୍ୱ, ସଂସ୍କୃତି, ଐତିହ୍ୟ ଓ ଜନସାଧାରଣଙ୍କ ପାଇଁ ଅପମାନ ଓ ଅନ୍ତର୍ଜାତୀୟ ସମ୍ବନ୍ଧ ପାଇଁ ମଧ୍ୟ ହାନିକାରକ। ଏକ ଘଟଣାକୁ ଆଧାର କରି ସମସ୍ତ ରାଜ୍ୟକୁ ଅସୁରକ୍ଷିତ ଘୋଷଣା କରିଦେବା ରାଜନୈତିକ ଭାବେ ଅନୁଚିତ ଏବଂ ଏଥିରେ ଉଦ୍ଦେଶ୍ୟପୂର୍ଣ୍ଣ ଅଭିପ୍ରାୟ ମଧ୍ୟ ଦେଖାଯାଉଛି।

ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ, ସଂସ୍କୃତିସଂପନ୍ନ ଓ ଧାର୍ମିକ ରାଜ୍ୟ ଭାବରେ ପରିଚିତ। ପୁରୀ ଧାମ, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ହୀରାକୁଦ ବନ୍ଧ ଓ ଶିମିଳିପାଳ ଅଭୟାରଣ୍ୟ ପରି ଅନେକ ସ୍ଥାନ ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣକେନ୍ଦ୍ର ହେଉଛି। କିନ୍ତୁ ସମ୍ପ୍ରତି ଗୋପାଳପୁର ସମୁଦ୍ର କୂଳରେ ଘଟିଥିବା ଗଣଧର୍ଷଣ ଘଟଣା ଓ ତାହା ପରେ ଗଢ଼ି ଉଠୁଥିବା ଭୟ ଓ ଭ୍ରମର ଆଧାରରେ ଏପରି ଆଡଭାଇଜୋରି ଦିଆଯିବା ଓଡ଼ିଶାର ପ୍ରତିଛବିକୁ ପ୍ରଭାବିତ କରୁଛି।

ଏହି ଘଟଣା ଏକ ଦୁଃଖଦ ଓ ଲଜ୍ଜାଜନକ ଘଟଣା ନିଶ୍ଚୟ। ଏହା ସୂଚାଇ ଦେଉଛି ଯେ ମହିଳା ସୁରକ୍ଷା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେଉଁଠି ନା କେଉଁଠି ଆମର ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଦୃଢ଼ ଇଚ୍ଛାଶକ୍ତିର ଅଭାବ ରହିଯାଉଛି।

ଅପରପକ୍ଷେ ମହିଳା ସୁରକ୍ଷା ଏକ ମାନବିକ ଅଧିକାର ଓ ରାଜ୍ୟର ଦାୟିତ୍ୱ। ଉପରୋକ୍ତ ଘଟଣା ନିଶ୍ଚିତ ଭାବେ ଆମ ରାଜ୍ୟ ପାଇଁ ଏକ ସତର୍କ ସଙ୍କେତ ଦେଉଛି। ଓଡ଼ିଶା ସରକାର, ପୋଲିସ ବ୍ୟବସ୍ଥା, ସମ୍ବେଦନଶୀଳ ଗଣମାଧ୍ୟମ ଓ ଜନସାଧାରଣଙ୍କୁ ଏହା ଦେଖାଇଛି ଯେ ସୁରକ୍ଷା ଓ ନ୍ୟାୟ ପ୍ରଦାନରେ ଆମର ଆନୁଷ୍ଠାନିକ ବ୍ୟବସ୍ଥା ଅଧିକ ଗମ୍ଭୀର ହେବା ଦରକାର।

ପର୍ଯ୍ୟଟନ ଶିଳ୍ପ ଆମ ରାଜ୍ୟର ଅନ୍ୟତମ ଅର୍ଥନୈତିକ ସ୍ତମ୍ଭ ଅଟେ। ତେଣୁ ଓଡ଼ିଶା ପାଇଁ ଆହ୍ୱାନ ହେଉଛି ଗଭୀର ଅନୁଧ୍ୟାନ, ସଠିକ ନୀତି ନିର୍ଦ୍ଧାରଣ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏପରି ଘଟଣା ଆଉ ହେବାକୁ ଦିଅନ୍ତୁ ନାହିଁ। ଏହା ରାଜ୍ୟ ପ୍ରତି ନୁହେଁ, ମହିଳା ସୁରକ୍ଷା ପ୍ରତି ଆମର ସମୂହ ଦାୟିତ୍ୱ। ଘଟଣାଟିଏ ଘଟିଯିବା ପରେ ତାହା ଉପରେ ଆଲୋଚନା କରି ପରସ୍ପରକୁ ଦୋଷଦେବା ଅପେକ୍ଷା ଏପରି ଘଟଣା ଯେପରି ନ ଘଟିବ ସେଠି ପାଇଁ ପ୍ରତିଷେଧକ ମୂଳକ ପଦକ୍ଷେପ ନେବା ଅଧିକ ଜରୁରୀ।

ଓଡ଼ିଶା ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ଧାର୍ମିକ ରାଜ୍ୟ। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଜନସାଧାରଣ, ପୋଲିସ, ଓ ସରକାର ସମସ୍ତଙ୍କୁ ଏକ ସାଥିରେ କାମ କରିବା ଦରକାର।

ମହିଳା ସୁରକ୍ଷା କୌଣସି ଦେଶ ବା ରାଜ୍ୟର ମାତ୍ର ଏକ ଚିନ୍ତା ନୁହେଁ, ସମଗ୍ର ବିଶ୍ୱ ଜନସାଧାରଣଙ୍କ ପାଇଁ ଏହା ଏକ ଅବିଚ୍ଛିନ୍ନ ଦାୟିତ୍ୱ। ଓଡ଼ିଶା ସରକାର ମହିଳା ସୁରକ୍ଷା ପାଇଁ ମହିଳା ଥାନା,ହେଲ୍ପ ଲାଇନସ (୧୦୦/୧୧୨), ତଥା ଓଡ଼ିଶା ଭିତରେ ମହିଳା ସୁରକ୍ଷା ଶିବିରକୁ ଆହୁରି ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପରି ବିଭିନ୍ନ ଉଦ୍ୟମ ଆରମ୍ଭ କରିବା ଦରକାର।

ସ୍ଥାନୀୟ ସକ୍ରିୟ ପୋଲିସ ବ୍ୟବସ୍ଥା, ତ୍ୱରିତ ନ୍ୟାୟ ପ୍ରଦାନ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନୀତି ନିର୍ଦ୍ଧାରଣ କରିବା ପାଇଁ ଗୁରୁତ୍ୱର ସହ ବିଚାର କରିବା ଉଚିତ। ସମଗ୍ର ରାଜ୍ୟର ପର୍ଯ୍ୟଟନ ପ୍ରତିଛବିକୁ ନଷ୍ଟ କରିବା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ।

ଆମେ ନିଜ ଆଭ୍ୟନ୍ତର ଅନୁଶାସନ ଓ ବ୍ୟବସ୍ଥାକୁ ଦୃଢ଼ କରିବା, ଶିକ୍ଷା ଓ ଆଇନ ବ୍ୟବସ୍ଥାକୁ ଶକ୍ତ କରିବା ମାଧ୍ୟମରେ ଏହି ଧରଣର ଦୁର୍ଘଟଣାମାନଙ୍କୁ ପ୍ରତିହତ କରିବା ଦରକାର।

ବାହ୍ୟ ଶତ୍ରୁ ଅଙ୍ଗୁଳି ଦେଖାଇଲେ ଆମେ ସମସ୍ତେ ଆତ୍ମସମୀକ୍ଷା କରି ଏକାଠି ରହି ମିଳିତ ଭାବେ ଏହାର ମୁକାବିଲା କରିବା ଦରକାର।

ଫୋ- ୯୪୩୮୨୭୨୧୫୨

Odisha USA Donald Trump Sexual Assault Travel