/odisha-reporter/media/post_attachments/uploadimage/library/16_9/16_9_0/IMAGE_1756119468.jpg)
Que For Job
ରବି ଦାସ
ଭୋଟ୍ ଚୋରୀ ଓ ଭୋଟ୍ ଅଧିକାର ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିହାରରେ ମହାଗଠବନ୍ଧନର ନେତାମାନେ କରୁଥିବା ଯାତ୍ରାରେ ଲୋକସଂଖ୍ୟାକୁ ଦେଖି କେହି ଭାବିବା ଉଚିତ୍ ନୁହେଁ ଯେ, ନିର୍ବାଚନରେ ଏହା ପ୍ରକୃତରେ ପ୍ରମୁଖ ପ୍ରସଙ୍ଗ ହେବ। ବିହାରରେ ହେଉଥିବା ବିଭିନ୍ନ ଜନମତରୁ ଗୋଟିଏ କଥା ସ୍ପଷ୍ଟ ଯେ, ନିଯୁକ୍ତି ହୀନତା ସେହି ରାଜ୍ୟର ମୁଖ୍ୟ ସମସ୍ୟା। ସେଥିପାଇଁ ସେହି ରାଜ୍ୟରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ କେବଳ ଜୀବିକା ଅର୍ଜନ ପାଇଁ ରାଜ୍ୟ ଛାଡ଼ି ବାହାରେ ଦାଦନ ଶ୍ରମିକ ଭାବରେ କାମ କରୁଛନ୍ତି। ବିହାର କେବଳ ନୁହେଁ, ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ପ୍ରାୟ ଅଧିକାଂଶ ରାଜ୍ୟରେ ନିଯୁକ୍ତି ଅଭାବରୁ ଦେଶର ଯୁବ ସଂପ୍ରଦାୟ ଭିତରେ ପ୍ରବଳ ଚାପ ରହୁଛି। କୋଭିଡ୍ ସମୟରେ ଦେଶରେ ବେକାରୀ ହାର ଶତକଡ଼ା ୮ରେ ଥିବା ସମୟରେ ୨୦୨୪ ବେଳକୁ ଏହି ହାର ଶତକଡ଼ା ୩.୨କୁ କମିଥିଲା।
ଏବେ ପୁଣି ଦେଶରେ ନିଯୁକ୍ତି ହୀନତା ବା ବେକାରୀ ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ହେଉଥିବା ମାସିକିଆ ଶ୍ରମ ଶକ୍ତି ସର୍ଭେରେ ୨୦୨୫ ଜୁନ୍ରେ ବେକାରୀ ହାର ୫.୬ରେ ପହଂଚିଛି। କିନ୍ତୁ ସରକାରଙ୍କର ଏହି ତଥ୍ୟକୁ ଏ ସଂକ୍ରାନ୍ତରେ ସ୍ୱାଧୀନ ଭାବରେ ସର୍ଭେ କରୁଥିବା ସେଂଟର୍ ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏନ୍ଆଇଇ) ଅସ୍ୱୀକାର କରିବା ସହ ବେକାରୀ ହାରକୁ ଜୁନ୍ ମାସରେ ଶତକଡ଼ା ୭ ବୋଲି ଉଲ୍ଲେଖ କରିଛି। ଆମେ ସେହି ଲୋକଙ୍କୁ ବେକାର କହୁ ଯିଏ ନିଯୁକ୍ତି ଖୋଜୁଥାଏ କିନ୍ତୁ କାମ ପାଏନାହିଁ। ବେକାରୀ ସମସ୍ୟା କେତେ ଉତ୍କଟ ତାହା ବେଳେ ବେଳେ ସରକାରୀ, ସରକାରୀ ଉଦ୍ୟୋଗ ବା ବେସରକାରୀ ସଂସ୍ଥା ଯେତେବେଳେ ନିଯୁକ୍ତି ପାଇଁ ବିଜ୍ଞାପନ ଦିଅନ୍ତି ସେତେବେଳେ ଦେଖାଯାଉଛି ଯେ, ହଜାରେ ପଦବୀ ପାଇଁ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ଦରଖାସ୍ତ କରୁଛନ୍ତି। ଏପରିକି ଗୋଟେ ଗୋଟେ ଚତୁର୍ଥ ଶ୍ରେଣୀର ଡ୍ରାଇଭର୍ ବା ପିଅନ୍ ଚାକିରୀ ପାଇଁ ମଧ୍ୟ ହଜାରରୁ ଅଧିକ ପ୍ରାର୍ଥୀ ଦରଖାସ୍ତ କରୁଛନ୍ତି। ଏବେ ଦେଖାଯାଉଛି ଯେ, ଗ୍ରାଜୁଏଟ୍ମାନଙ୍କ ଭିତରେ ବେକାରୀ ହାର ଶତକଡ଼ା ୧୩ରୁ ଅଧିକ।
ଏକ ବିଜ୍ନେସ୍ ମିଡିଆ ‘ମିଂଟ’ ପକ୍ଷରୁ ହୋଇଥିବା ସର୍ଭେରେ ଦର୍ଶାଯାଇଛି ଯେ, ୧୫ରୁ ୨୯ ବର୍ଷ ଭିତରେ ଯୁବକ ଯୁବତୀମାନଙ୍କ ପାଇଁ ବେକାରୀ ହାର ପ୍ରାୟ ଶତକଡ଼ା ୧୦.୨। କିନ୍ତୁ ଆନ୍ତର୍ଜାତିକ ଶ୍ରମ ସଂଗଠନର ୨୦୨୪ ହିସାବ ଅନୁସାରେ ୧୫ରୁ ୨୪ ବର୍ଷ ଭିତରେ ବେକାରୀ ହାର ଶତକଡ଼ା ୧୬.୦୩ ରହିଛି। କିନ୍ତୁ ସିଏମ୍ଆଇଇ ଦର୍ଶାଉଛି ଯେ, ବେକାରୀ ହାର ୧୫ରୁ ୨୪ ବର୍ଷ ଭିତରେ ଖୁବ୍ ଅଧିକ ରହିଛି। ଏହି ସଂସ୍ଥାର ତଥ୍ୟ ଅନୁସାରେ ୨୦-୨୪ ବର୍ଷ ଭିତରେ ବେକାରୀ ହାର ଶତକଡ଼ା ୮୪.୫ ଅଛି। ଏଥିରେ ଅନେକ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀଧାରୀ ଅଛନ୍ତି। ୨୦୨୫ର ଇଣ୍ଡିଆଜ୍ କିଡ୍ ରିପୋର୍ଟ ଅନୁସାରେ ଭାରତର ଗ୍ରାଜୁଏଟ୍ମାନଙ୍କ ଭିତରୁ ଶତକଡ଼ା ୫୪.୮ ଭାଗ ନିଯୁକ୍ତି ଯୋଗ୍ୟ।
ଅର୍ଥନୀତିଜ୍ଞମାନେ ତଥ୍ୟ ଦେଇ କହିଛନ୍ତି ଯେ, ୨୦୦୪ରୁ ୨୦୨୪ ଭିତରେ କୃଷି କ୍ଷେତ୍ରରେ ନିଯୁକ୍ତି ହାର କମୁଥିବା ସମୟରେ ମାନୁଫ୍ୟାକ୍ଚରିଂ ଓ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ହାର ବୃଦ୍ଧି ପାଉଥିଲା। ଏହି ଅବସ୍ଥା ଏବେ ଭିନ୍ନ ହୋଇଛି। ମାନୁଫାକ୍ଚରିଂ ଉଦ୍ୟୋଗରେ ନିଯୁକ୍ତି ହାର ଶତକଡ଼ା ୧୦.୫ରୁ ୧୨.୮ ପର୍ଯ୍ୟନ୍ତ ୨୦୦୪ରୁ ୨୦୧୨ ମଧ୍ୟରେ ବୃଦ୍ଧି ପାଇଥିଲା। କିନ୍ତୁ ପରେ ଏହି ହାର କମି ୨୦୨୪ରେ ଶତକଡ଼ା ୧୧.୫କୁ ଖସିଛି। ଅପରପକ୍ଷରେ ଦେଶର ମୋଟ୍ ନିଯୁକ୍ତିରେ କୃଷି କ୍ଷେତ୍ରରେ ନିଯୁକ୍ତି ହାର ଶତକଡ଼ା ୪୨କୁ ୨୦୧୮-୧୯ ସୁଦ୍ଧା ଖସିଥିବା ସମୟରେ ୨୦୨୨-୨୩ରେ ତାହା ବଢ଼ି ଶତକଡ଼ା ୪୫.୮ ହୋଇଛି ଓ ତା’ପରେ ଏହା ବଢ଼ି ୨୦୨୩-୨୪ରେ ଶତକଡ଼ା ୪୬.୧ରେ ପହଂଚିଛି। ଅର୍ଥାତ୍ କୋଭିଡ୍ ସମୟରେ ଯେଉଁମାନେ ନିଯୁକ୍ତି ହରାଇଲେ ସେମାନେ ଗାଁକୁ ଫେରିଯାଇ କୃଷି କାର୍ଯ୍ୟରେ ଲିପ୍ତ ହେଲେ ଯଦିଓ ସେଗୁଡ଼ିକ ସବୁ ପାରିବାରିକ କାର୍ଯ୍ୟ ହୋଇଥିବାରୁ ସେଥିପାଇଁ ସେମାନଙ୍କୁ ଦରମା ମିଳେନାହିଁ।
ଦେଖାଯାଉଛି ଯେଉଁମାନେ ବର୍ଷବର୍ଷ ଧରି ଉଦ୍ୟମ କଲେ ମଧ୍ୟ ନିଯୁକ୍ତି ପାଉନାହାନ୍ତି ସେମାନେ ଶ୍ରମ ବଜାରରୁ ବାହାରି ଯାଉଛନ୍ତି। ସେହି ଦୃଷ୍ଟିରୁ ସିଏମ୍ଆଇଇ ମତ ଦେଇଛି ଯେ, କର୍ମକ୍ଷେତ୍ରକୁ ଆସୁଥିବା ଶ୍ରମ ଶକ୍ତିର ହାର ଭାରତରେ କମୁଛି। ଶ୍ରମ କରିବାକୁ ଯୋଗ୍ୟ ବୟସର ଲୋକମାନଙ୍କର ସଂଖ୍ୟା ଯାହା ୨୦୧୬ରେ ଶତକଡ଼ା ୪୭ ଥିଲା ତାହା କମି ୨୦୨୧ରେ ଶତକଡ଼ା ୪୦ରେ ପହଂଚିଛି। ବାସ୍ତବରେ ଭାରତରେ ଯୁବଶକ୍ତିର ସଂଖ୍ୟା ଦୃଷ୍ଟିରୁ ଶ୍ରମ ବଜାରରେ ଭାରତ ଯେଉଁ ଲାଭ ପାଇବା କଥା ତାହା ବେକାରୀ ବୃଦ୍ଧି ଯୋଗୁ ହାସଲ ହେଉନାହିଁ। କାରଣ ଭାରତରେ ୧୫-୬୪ ବର୍ଷ ଭିତରେ ଲୋକମାନଙ୍କ ସଂଖ୍ୟା ନିର୍ଭରଶୀଳ ୧୫ ବର୍ଷରୁ କମ୍ ଓ ୬୪ ବର୍ଷରୁ ଅଧିକ ଲୋକସଂଖ୍ୟା ତୁଳନାରେ ଅଧିକ ଥିବାରୁ ଭାରତ ଶ୍ରମ ବଜାରରେ ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଏକ ସୁବିଧା ସ୍ଥିତିରେ ଅଛି ବୋଲି କୁହାଯାଉଛି। ଭାରତରେ ଏହି ଶ୍ରମ ଶକ୍ତି ପ୍ରଦାନ କରୁଥିବା ଲୋକମାନଙ୍କ ସଂଖ୍ୟା ପ୍ରତିବର୍ଷ ୧ କୋଟି ୨୦ ଲକ୍ଷ ହିସାବରେ ୨୦୩୦ ପର୍ଯ୍ୟନ୍ତ ଅବ୍ୟାହତ ରହିବ। ଅର୍ଥାତ୍ ଭାରତରେ ଏହି ଶ୍ରମ ଶକ୍ତିକୁ ବିନିଯୋଗ କରିବା ପାଇଁ ବାର୍ଷିକ ୯୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବା ଦରକାର। ଏହି ଲକ୍ଷ ହାସଲ କରିବା ପାଇଁ ଭାରତୀୟ ଅର୍ଥନୀତିକୁ ବାର୍ଷିକ ଶତକଡ଼ା ୧୨ ଆକାରରେ ବଢ଼ିବାକୁ ହେବ। ଯାହା ଏବେ ଅସମ୍ଭବ ବୋଲି ଜଣାପଡୁଛି। ଏବେ ଦେଶର ବାର୍ଷିକ ଅଭିବୃଦ୍ଧି ହାର ଶତକଡ଼ା ୬ରୁ ୬.୫ ଭିତରେ ସୀମାବଦ୍ଧ ରହିଛି।
ଏପରି ଏକ ଅବସ୍ଥାରେ ଡୋନାଲ୍ଟ ଟ୍ରମ୍ପ ଭାରତରୁ ଆମେରିକା ଯାଉଥିବା ଦ୍ରବ୍ୟଗୁଡ଼ିକ ଉପରେ ୫୦ ଭାଗ ଶୁଳ୍କ ଲାଗୁ କରିଦେବା ଫଳରେ ଏମ୍ଏସ୍ଏମ୍ଇ ଓ କ୍ଷୁଦ୍ର ବୟନ ଶିଳ୍ପ କ୍ଷେତ୍ର ଉପରେ ଏହା ସିଧାସଳଖ ପ୍ରଭାବ ପକାଇବ। କାରଣ ଭାରତରୁ ରପ୍ତାନୀ ହେଉଥିବା ଅଧିକାଂଶ ପଦାର୍ଥ ଏହି କ୍ଷେତ୍ରରୁ ଯାଇଥାଏ। ଆମେରିକା ଶୁଳ୍କ ଲଗାଇଦେବା ଫଳରେ ଦେଶର ଆପାରେଲ୍ ରପ୍ତାନୀ ପ୍ରୋତ୍ସାହନ କାଉନ୍ସିଲ୍ ସ୍ପଷ୍ଟ ଜଣାଇଦେଇଛି ଯେ, ଅଧିକାଂଶ ବୟନ ଶିଳ୍ପ କ୍ଷେତ୍ର ବନ୍ଦ ହୋଇଯିବ। ଏପରିକି ଡାଇମଣ୍ଡ, ଜୁଏଲାରୀ ଓ ଚମଡ଼ା ଶିଳ୍ପ ମଧ୍ୟ ଏହାଦ୍ୱାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବ। ଏହିସବୁ କ୍ଷେତ୍ରଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ନିଯୁକ୍ତି ପାଇଛନ୍ତି। ଏମାନେ ନିଯୁକ୍ତି ହରାଇଲେ ନିଯୁକ୍ତି ବଜାର ଆହୁରି ସଂକଟରେ ପଡ଼ିଯିବ।
ବାସ୍ତବିକ ଦେଶର ଅର୍ଥନୀତି ନିୟନ୍ତ୍ରଣ କରୁଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହା ଏକ ଆହ୍ୱାନଭରା ସମୟ। କେନ୍ଦ୍ର ସରକାର ବହୁ ବର୍ଷର ସମାଲୋଚନା ପରେ ଏଥର ଜିଏସ୍ଟି କ୍ଷେତ୍ରରେ ଏକ ବଡ଼ ଧରଣର ସଂସ୍କାର ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ସମ୍ବଳ କ୍ଷେତ୍ରରେ ରାଜ୍ୟମାନଙ୍କ କ୍ଷତିଭରଣା କରିବା ସମସ୍ୟା ଦେଖାଦେଇପାରେ। ହେଲେ ଦେଶର କ୍ଷୁଦ୍ର ଶିଳ୍ପ, କ୍ଷୁଦ୍ର ବ୍ୟବସାୟୀ, ମାନ୍ୟୁଫାକ୍ଚରିଂ କ୍ଷେତ୍ର ପ୍ରଭୃତି ସବୁ ପ୍ରକାର ଶିଳ୍ପ ଓ ବ୍ୟବସାୟ ମଧ୍ୟ ଏହାଦ୍ୱାରା ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହିତ ହେବେ। ବିଶେଷ ଭାବରେ ମଧ୍ୟବିତ୍ତ ଶ୍ରେଣୀ ଉପରେ ଜିଏସ୍ଟିର ପଡୁଥିବା ବିରାଟ ବୋଝ କମିଯିବ। ଫଳରେ ଦେଶରେ ସାଧାରଣ ଖାଉଟି ପଦାର୍ଥର କାରବାର ବୃଦ୍ଧି ପାଇଲେ ସିଧାସଳଖ ଭାବରେ ଆର୍ଥିକ ଅଭିବୃଦ୍ଧିରେ ଏହା ସହାୟକ ହେବ।
ନୀତି ନିର୍ଦ୍ଧାରକମାନେ ନିଯୁକ୍ତି ସୃଷ୍ଟି ପାଇଁ ପାରମ୍ପରିକ ଚିନ୍ତାଧାରାକୁ ଛାଡ଼ି କିଛି ନୂଆ ଚିନ୍ତା କରିବାକୁ ପଡ଼ିବ। ଓଡ଼ିଶା ପରି ରାଜ୍ୟ ଯେଉଁଠାରେ ରାଜ୍ୟ ବଜେଟ୍ର ଆକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା ହେଲାଣି ଓ ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଥିବାର ଚିତ୍ର ପ୍ରଦାନ କରାଯାଉଛି ସେହି ରାଜ୍ୟରେ ବେକାରୀ ପରିସ୍ଥିତି ଏବେ ବି ଉତ୍କଟ ଅବସ୍ଥାରେ ରହୁଛି। ଅର୍ଥାତ୍ ଏତେ ସବୁ ବିନିଯୋଗ ଫଳରେ ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେଉନାହିଁ। ଓଡ଼ିଶାରେ ପ୍ରାୟ ୧୨ ଲକ୍ଷ ଶିକ୍ଷିତ ବେକାର ଅଛନ୍ତି। ଯେଉଁମାନେ ମ୍ୟାଟ୍ରିକ୍ରୁ ଆରମ୍ଭ କରି ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ସହିତ ଡିପ୍ଲୋମା, ଆଇଟିଆଇ ଓ ଇଂଜିନିୟରିଂ ଡିଗ୍ରୀଧାରୀ। ବାସ୍ତବିକ ବେକାରୀ କ୍ଷେତ୍ରରେ ଓଡ଼ିଶା ସାରାଦେଶରେ ସବୁଠାରୁ ଆଗରେ ରହିଛି। ଯଦିଓ ଓଡ଼ିଶାରେ ବଜେଟ୍ ବ୍ୟୟ ବଢ଼ିବା ସହିତ ପୁଞ୍ଜି ବିନିଯୋଗ ବଢୁଥିବା ସରକାର ଦାବି କରୁଛନ୍ତି। ବାସ୍ତବିକ ରାଜ୍ୟର ଦାରିଦ୍ର୍ୟ ଯୋଗୁ ମାନବ ସମ୍ବଳ ବିକାଶ ଓ ତାଲିମ୍ ପ୍ରାପ୍ତ ଯୁବକ ଯୁବତୀମାନଙ୍କ ସଂଖ୍ୟା ଓଡ଼ିଶାରେ ନିଯୁକ୍ତି ସୃଷ୍ଟି ପାଇଁ ହୋଇପାରୁନଥିବା କୁହାଯାଉଛି। କଲେଜଗୁଡ଼ିକରୁ ବାହାରୁଥିବା ଯୁବକମାନଙ୍କ ଭିତରୁ ଅଧିକାଂଶ ନିଯୁକ୍ତି ଯୋଗ୍ୟ ନୁହଁନ୍ତି ବୋଲି କୁହାଯାଉଛି।
ସେହିପରି ଆଇଟିଆଇ ଓ ଡିପ୍ଲୋମା କ୍ଷେତ୍ରରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଉପଯୁକ୍ତ ତାଲିମ୍ ପ୍ରଦାନ କରୁନାହାନ୍ତି। କିନ୍ତୁ ଓଡ଼ିଶାରେ ଯେଉଁ ସୁଯୋଗ ରହିଛି ସେଥିରେ ମାନବ ସମ୍ବଳ ସୃଷ୍ଟି ଓ ଓଡ଼ିଶାର ଯୁବକ ଯୁବତୀମାନଙ୍କ ନିଯୁକ୍ତି ସୁଯୋଗ ଉପରେ ରାଜ୍ୟର ଭବିଷ୍ୟତ ନିର୍ଭର କରିବ। ରାଜ୍ୟର ୨୩ ଭାଗ ଆଦିବାସୀ ଓ ପ୍ରାୟ ୧୭ ଭାଗ ଦଳିତ ସଂପ୍ରଦାୟର ଲୋକ ସହିତ ପଛୁଆ ବର୍ଗରେ ଏକ ବଡ଼ ଶ୍ରେଣୀ ରହିଛନ୍ତି। ଓଡ଼ିଶାରେ ପୁଞ୍ଜି ବିନିଯୋଗରେ ସୃଷ୍ଟି ହେଉଥିବା ଶିଳ୍ପ ସଂସ୍ଥା ଓ ଉଦ୍ୟୋଗ ଗୁଡ଼ିକରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଦାରିଦ୍ର୍ୟରେ ପିଡ଼ିତ ଓ ମାନବ ସମ୍ବଳ ବିକାଶରେ ଦୁର୍ବଳ ଶ୍ରେଣୀ ନିଯୁକ୍ତି ବଜାରରେ କୌଣସି ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ବାସ୍ତବିକ ରାଜ୍ୟ ସରକାର ବାହାର ପୁଞ୍ଜି ଆକୃଷ୍ଟ କରିବା ପାଇଁ ସମସ୍ତ ପ୍ରକାର ସୁଯୋଗ ଦେବା ସମୟରେ ଏହିସବୁ ଶିଳ୍ପ ସଂସ୍ଥା ରାଜ୍ୟରେ କେଉଁମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ ସେ ସଂକ୍ରାନ୍ତରେ ଏକ ନୀତି ବା ଆଇନ ପ୍ରଣୟନ କରିବା ଅତି ଜରୁରୀ।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
