ରବି ଦାସ
କେନ୍ଦ୍ରରେ ୨୦୨୪ ସାଧାରଣ ନିର୍ବାଚନ ପରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି, ଯଦିଓ ୨୦୧୪ ଓ ୨୦୧୯ରେ ଯେପରି ଭାବରେ ମୋଦିଙ୍କ ପଛରେ ଭାରତର ମଧ୍ୟବିତ୍ତ ଶ୍ରେଣୀ ଛିଡ଼ା ହୋଇଥିଲେ ତାହା ୨୦୨୪ ନିର୍ବାଚନରେ ଦେଖାଯାଇ ନାହିଁ। ସମ୍ଭବତଃ ଏହି ମଧ୍ୟବିତ୍ତ ଶ୍ରେଣୀର ଅସନ୍ତୋଷ ହେତୁ ଏଥର ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ ନକରିପାରିବା ଫଳରେ ଅନ୍ୟ ଏନଡିଏ ସହଯୋଗୀମାନଙ୍କ ସହାୟତାରେ ସରକାର ଗଠନ କରିଛି। କିନ୍ତୁ ପୂର୍ବ ସରକାର ଓ ବର୍ତ୍ତମାନର ସରକାର ଭିତରେ କୌଣସି ପ୍ରଭେଦ ନାହିଁ ଓ ଯେଉଁ ଲକ୍ଷ୍ୟରେ ଗତ ୧୦ ବର୍ଷର ମୋଦି ସରକାର ଚାଲିଥିଲା ତାହା ଏଥର ମଧ୍ୟ ବଜାୟ ରହିବ ବୋଲି ଜଣାଇ ଦେବା ପାଇଁ ନୂଆ ମନ୍ତ୍ରିମଣ୍ଡଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେହି ପୁରୁଣା ମନ୍ତ୍ରୀମାନଙ୍କୁ ରଖାଯାଇଛି। ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ ପୁନର୍ବାର ମିଳିଥିବାରୁ ମୋଦି ସରକାରଙ୍କ ଆର୍ଥିକ ନୀତି ବା କୌଶଳ ପୂର୍ବ ପରି ଚାଲିବ ବୋଲି କୁହାଯାଉଛି।
କିନ୍ତୁ କେଉଁ କାରଣରୁ ୨୦୨୪ ନିର୍ବାଚନରେ ମଧ୍ୟବିତ୍ତ ଶ୍ରେଣୀ ମୋଦି ଓ ବିଜେପିଠାରୁ ଦୂରେଇ ଯାଇଛନ୍ତି ତାହାକୁ ଅନୁଧ୍ୟାନ କରାଯାଇଥିବା ୨୦୨୪ ବଜେଟରୁ ଜଣା ପଡୁନାହିଁ। ବରଂ ୨୦୨୪ ବଜେଟରେ ଯାହା କରାଯାଇଛି ସେଥିରେ ମଧ୍ୟବିତ୍ତ ଶ୍ରେଣୀ ଅଧିକ ଅସନ୍ତୁଷ୍ଟ ହୋଇଛନ୍ତି। କାରଣ ବଜେଟରେ ମଧ୍ୟବିତ୍ତ ଶ୍ରେଣୀଙ୍କୁ ସହାୟତା କଲା ଭଳି କୌଣସି ଗୋଟିଏ ହେଲେ ପଦକ୍ଷେପ ଅର୍ଥମନ୍ତ୍ରୀ ପ୍ରଦାନ କରିନାହାନ୍ତି। ବରଂ ବଜେଟରେ କେତେଗୁଡ଼ିଏ ବ୍ୟବସ୍ଥା ରହିଛି ଯେଉଁଥିରେ ମଧ୍ୟବିତ୍ତ ଶ୍ରେଣୀର ଅସନ୍ତୋଷ ଆହୁରି ବଢ଼ିଛି। ବିଶେଷ ଭାବରେ ଆୟକର କ୍ଷେତ୍ରରେ କୌଣସି ବିଶେଷ ସୁବିଧା ଦିଆଯାଇ ନଥିବା ସମୟରେ ଏହି ଶ୍ରେଣୀରୁ ଯେଉଁମାନେ ବଜାରରେ ବିନିଯୋଗ କରି ବା ସେୟାର ମାର୍କେଟରେ ସେମାନଙ୍କ ସଞ୍ଚୟ ଖଟାଉଛନ୍ତି ସେମାନଙ୍କ ଉପରେ ଅଧିକ ଟିକସ ବ୍ୟବସ୍ଥା କରାଯାଇଛି। ଦୀର୍ଘ ମିଆଦି ପୁଞ୍ଜି ଲାଭ କ୍ଷେତ୍ରରେ ଟିକସ ୧୦ ଭାଗରୁ ୧୨.୫କୁ ବଢ଼ାଇ ଦିଆଯାଇଥିବା ସମୟରେ ସ୍ୱଳ୍ପକାଳୀନ ପୁଞ୍ଜି ଲାଭ କ୍ଷେତ୍ରରେ ଟିକସକୁ ଶତକଡ଼ା ୨୦କୁ ବଢ଼ାଇ ଦିଆଯାଇଛି। ଅର୍ଥାତ୍ ସେୟାର ବଜାରରେ ସଞ୍ଚୟ ଖଟାଇ ଯେଉଁମାନେ କିଛି ଅଧିକ ଫାଇଦା ପାଇବେ ବୋଲି ଭାବିଥିଲେ ସେମାନଙ୍କ ଉପରେ ଟିକସ ଭାରକୁ ବଢ଼ାଇ ଦିଆଯାଇଛି।
ସାଧାରଣତଃ ମଧ୍ୟବିତ୍ତ ଶ୍ରେଣୀ ହିଁ ସେୟାର ବଜାର ଓ ମ୍ୟୁଚୁଆଲ୍ ଫଣ୍ଡରେ ପୁଞ୍ଜି ବିନିଯୋଗ କରି କିଛି ଫାଇଦା ପାଉଥିଲେ। କେବଳ ସେତିକି ନୁହେଁ, ଯେଉଁମାନେ ଭବିଷ୍ୟତ ପାଇଁ ପ୍ଲଟ୍ ବା ଗୃହ କିଣୁଥିଲେ ସେମାନଙ୍କ ଉପରେ ବିକିବା ସମୟରେ ମୁଦ୍ରାସ୍ପୀତି ଓ ବର୍ତ୍ତମାନର ମୂଲ୍ୟକୁ ନେଇ ଯେପରି କେତେ ଲାଭ ପାଇଲେ ସେହି ଅନୁସାରେ ଟିକସ ହେଉଥିଲା, ତାହାକୁ ବଦଳାଇ ଯେତେବେଳେ ଯେଉଁ ମୂଲ୍ୟରେ ଏହା ଖର୍ଦ୍ଦି ହୋଇଥିଲା ଓ ବର୍ତ୍ତମାନର ମୂଲ୍ୟ ଅନୁସାରେ ଯେତିକି ଫାଇଦା ହେଉଛି ତାହା ଉପରେ ଟିକସ ଧାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ହୋଇଛି। ଆଶ୍ଚର୍ଯ୍ୟର କଥା ଯେଉଁ ସରକାର ଘରୋଇ ପୁଞ୍ଜି ଆକର୍ଷଣ କରିବା ପାଇଁ କମ୍ପାନୀମାନଙ୍କ ଉପରେ ଟିକସ କମାଇବାରେ ଲାଗିଛି ସେହି ସରକାର ମଧ୍ୟବିତ୍ତ ଶ୍ରେଣୀ ଉପରେ ଏହି ଆକ୍ରମଣ କରୁଛି। କେବଳ ସେତିକି ନୁହେଁ, ଏହି ମଧ୍ୟବିତ୍ତ ଶ୍ରେଣୀ ଯେଉଁମାନେ କି ଜୀବନ ବୀମା ଓ ସ୍ୱାସ୍ଥ୍ୟବୀମା କରନ୍ତି ସେମାନଙ୍କ ଉପରେ ବୀମାର ପ୍ରିମିୟମ ଉପରେ ୧୮ ଭାଗ ଟିକସ ଲଦା ଯାଇଛି। ଯେଉଁ ପରିବାର ନିଜର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବୀମା ଗ୍ରହଣ କରୁଛି ସେ ପରିବାର ବା ବ୍ୟକ୍ତି ବିଶେଷ ସରକାରଙ୍କ ଉପରେ ସ୍ୱାସ୍ଥ୍ୟ ବୋଝ କମାଇବାରେ ସହାୟକ ହେଉଛି। ଜୀବନ ବୀମା ସେହିପରି ଏହିସବୁ ମଧ୍ୟବିତ୍ତ ପରିବାରର ଜୀବନ ସୁରକ୍ଷା ପାଇଁ ଏକ ମାଧ୍ୟମ। ତାହା ଉପରେ ମଧ୍ୟ ଶତକଡ଼ା ୧୮ ଭାଗ ସେବା କର ବସଛି। ଖୋଦ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଏକ ଚିଠି ମାଧ୍ୟମରେ ଏହାକୁ ବିରୋଧ କରି ଏହା ବଦଳାଇବା ପାଇଁ ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ବିଶ୍ଳେଷଣ ହେଲା ଯେ ୨୦୨୪ ନିର୍ବାଚନରେ ମଧ୍ୟବିତ୍ତ ଶ୍ରେଣୀ ଯେଉଁମାନେ କି ମୋଦିଙ୍କ ଏକ ବଡ଼ ସମର୍ଥକ ଭାବରେ ୧୦ ବର୍ଷ ରହିଥିଲେ ସେମାନେ ମତ ପରିବର୍ତ୍ତନ କରିବାରୁ ବିଜେପି ମୋଦିଙ୍କ ଗ୍ୟାରେଂଟି ସତ୍ତ୍ୱେ ନିର୍ବାଚନରେ ଆଶାନୁରୂପ ସଫଳତା ପାଇଲା ନାହିଁ। ତା’ସତ୍ତ୍ୱେ ବିଜେପି ଅନ୍ୟ ଏନଡିଏ ଦଳମାନଙ୍କ ସହାୟତାରେ ସରକାର ଗଠନ କରିବା ପରେ ଏହି ମଧ୍ୟବିତ୍ତ ଶ୍ରେଣୀ ଉପରେ ଅଧିକ ନିର୍ଭର ନକରି ଯେଉଁମାନେ ଗତ ନିର୍ବାଚନରେ ବିଜେପିକୁ ଅଧିକ ସମର୍ଥନ ଜ୍ଞାପନ କରିଛନ୍ତି ସେହି ଶ୍ରେଣୀକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି। ମଧ୍ୟବିତ୍ତ ଶ୍ରେଣୀ ସବୁବେଳେ ଟିକସ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଗରିବ ଲୋକମାନେ ଜିଏସଟି ଜରିଆରେ ଟିକସ ଦେଉଥିଲେ ମଧ୍ୟ ସେମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ପାଉଥିବା କେତେଗୁଡ଼ିଏ ଫାଇଦା ପାଇଁ ଏହିସବୁ ପ୍ରଶ୍ନକୁ ପଛକୁ ଠେଲି ଦିଅନ୍ତି। ଯଦିଓ ସାଧାରଣ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସେମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। କିନ୍ତୁ ଏଥର ବଜେଟରେ ଟିକସର ଯେଉଁ ରିହାତି ମଧ୍ୟବିତ୍ତ ଶ୍ରେଣୀ ଆଶା କରୁଥିଲେ ତାହା ପାଇବା ତ ଦୂରର କଥା, ସେମାନଙ୍କ ଉପରେ କ୍ୟାପିଟାଲ୍ ଗେନ୍ ଟ୍ୟାକ୍ସ ଓ ସଂପତ୍ତି ବିକ୍ରି ଉପରେ ଅଧିକ ଟିକସ ବ୍ୟବସ୍ଥା କରାଯାଇଛି।
ଆୟକର କ୍ଷେତ୍ରରେ ବାସ୍ତବରେ କୌଣସି ରିହାତି ଦିଆଯାଇ ନାହିଁ। ଯେଉଁ ୭୫ ହଜାର ଟଙ୍କାର ବାର୍ଷିକ ଛାଡ଼ର ସୁବିଧା ଦିଆଯାଇଛି ସେଥିରୁ ୫୦ ହଜାର ଟଙ୍କା ପୂର୍ବରୁ ଥିଲା ଏବଂ ବିଭିନ୍ନ ପ୍ରକାର ବୀମା କିସ୍ତିଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଦେୟ ବଢ଼ୁଥିବା ସମୟରେ ମାତ୍ର ୨୫ ହଜାର ଟଙ୍କାର ଅଧିକ ଆୟକର ସୁବିଧା ବାସ୍ତବରେ କୌଣସି ଲାଭ ଦେବ ନାହିଁ। ଯେଉଁ ମଧ୍ୟବିତ୍ତ ଶ୍ରେଣୀର ସମର୍ଥନ ୨୦୧୯ ନିର୍ବାଚନରେ ବିଜେପି ପ୍ରତି ଶତକଡ଼ା ୩୮ ଭାଗ ଥିଲା ତାହା ୨୦୨୪ରେ ୩ ଭାଗ କମି ଶତକଡ଼ା ୩୫କୁ ଆସିଛି। ବର୍ତ୍ତମାନର ବଜେଟ୍ ଫଳରେ ଏହି ସମର୍ଥନ ବିଜେପି ପ୍ରତି ଆହୁରି କମିଯିବ ବୋଲି ଅନୁମାନ କରାଯାଉଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବଜେଟ୍ ଭାଷଣରେ ମଧ୍ୟ ଏହା ଉଲ୍ଲେଖ କରିଛନ୍ତି। ମଧ୍ୟବିତ୍ତ ଶ୍ରେଣୀ ବିଜେପିଠାରୁ ସମର୍ଥନ କିଛି ପରିମାଣରେ ପ୍ରତ୍ୟାହାର କରିଥିଲେ ଓ ଏହାର ଫାଇଦା କଂଗ୍ରେସକୁ ନମିଳିଥିଲେ ମଧ୍ୟ ଇଣ୍ଡିଆ ମେଂଟର ଅନ୍ୟ ଦଳମାନଙ୍କୁ ମିଳିଛି। ସେହିପରି ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ବିଜେପି ପ୍ରତି ୨୦୧୯ରେ ପ୍ରାୟ ୪୪ ଭାଗ ସମର୍ଥନ ଥିବା ସମୟରେ ୨୦୨୪ରେ ତାହା ଶତକଡ଼ା ୪୧ ଭାଗକୁ ହ୍ରାସ ପାଇଛି। ନିର୍ବାଚନ ପରେ ସିଏସଡିଏସ୍ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ମିଳିଥିବା ଉପରୋକ୍ତ ତଥ୍ୟ ଅନୁସାରେ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀରେ ବିଜେପିର କମିଥିବା ସମର୍ଥନକୁ କଂଗ୍ରେସ ଓ ଇଣ୍ଡିଆ ମେଂଟର ଦଳମାନେ ପାଇଛନ୍ତି।
ବାସ୍ତବରେ ଦେଖିଲେ ନିମ୍ନ ଆୟକାରୀମାନଙ୍କ ବର୍ଗ ଭିତରୁ କଂଗ୍ରେସ ଓ ଇଣ୍ଡିଆ ମେଂଟର ସମର୍ଥକମାନେ ୨୦୧୯ ତୁଳନାରେ ଶତକଡ଼ା ୭ ଭାଗ ଅଧିକ ଭୋଟ ପାଇଛନ୍ତି। ଏହି ହାର ପ୍ରାୟ ଶତକଡ଼ା ୩୪। କିନ୍ତୁ ସବୁଠାରୁ କମ୍ ଆୟ କରୁଥିବା ଶ୍ରେଣୀର ଲୋକମାନଙ୍କ ଭିତରେ ବିଜେପିର ସମର୍ଥନ ୨୦୧୯ ତୁଳନାରେ ବଢ଼ିଛି। ଗରିବ କଲ୍ୟାଣ ଯୋଜନାରେ ମାଗଣା ରାସନ ଓ ବିଭିନ୍ନ ପ୍ରକାର ଜନକଲ୍ୟାଣ କାର୍ଯ୍ୟକ୍ରମରେ ଏହି ଶ୍ରେଣୀକୁ ଆକୃଷ୍ଟ କରିବା ପାଇଁ ବିଜେପି ଚଳାଇଥିବା ଉଦ୍ୟମ ଯୋଗୁ ସବୁଠାରୁ କମ୍ ଆୟକାରୀ ଲୋକଙ୍କ ଭିତରେ ବିଜେପିର ସମର୍ଥନ ୨୦୧୯ ତୁଳନାରେ ବଢ଼ିଛି। କିନ୍ତୁ ମଧ୍ୟବିତ୍ତ ଶ୍ରେଣୀ ଓ ଉଚ୍ଚ ଆୟକାରୀ ବର୍ଗଙ୍କ ଭିତରେ ବିଜେପିର ସମର୍ଥନ କମୁଥିବା ସମୟରେ ଚଳିତ ବର୍ଷର ବଜେଟ୍ ସେହି ଶ୍ରେଣୀକୁ ଅଧିକ ଅସୁଖି କରିଛି। ରାହୁଲ ଗାନ୍ଧି ବଜେଟ୍ ଭାଷଣ ସମୟରେ ‘ଚକ୍ରବ୍ୟୁହ’ ବିଷୟ ଉଲ୍ଲେଖ କରି ବିଜେପି କିପରି ଭାବରେ କୃଷକ, ଶ୍ରମିକ, ଦଳିତ, ଆଦିବାସୀ ଓ ଯୁବକମାନଙ୍କୁ ଚକ୍ରବ୍ୟୁହରେ ଫସାଇ ଦେଇଛି ତାହା ଉଲ୍ଲେଖ କରିଛନ୍ତି। ଏପରିକି ବଜେଟର ହାଲୱା ସେହି ନିର୍ଦ୍ଦିଷ୍ଟ ଶ୍ରେଣୀକୁ ମିଳୁଥିବା ବିଷୟ ଉଲ୍ଲେଖ କରି ଜାତି ଜନଗଣନା ଉପରେ ଗୁରୁତ୍ୱ ଦେଇଛନ୍ତି। ବାସ୍ତବରେ ବିଜେପି ପାଇଁ ଏବେ ଏକ ବଡ଼ ସମସ୍ୟା ହୋଇଛି ଗୋଟିଏ ପକ୍ଷରେ ଗରିବ ଓ ଅନ୍ୟପକ୍ଷରେ ମଧ୍ୟବିତ୍ତ ଶ୍ରେଣୀକୁ କିପରି ସନ୍ତୁଷ୍ଟ କରିବ? କିନ୍ତୁ କେବଳ ଗରିବମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଧ୍ୟବିତ୍ତ ଶ୍ରେଣୀକୁ ପଛକୁ ଠେଲିଦେବା ଦ୍ୱାରା ଦେଶରେ ସରକାରୀ ବିରୋଧୀ ଏକ ବାତାବରଣ ସୃଷ୍ଟିରେ ଏହି ଗୋଷ୍ଠୀ ସହାୟକ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି।
ବରିଷ୍ଠ ସାମ୍ବାଦିକ, ମୋ-୮୦୧୮୦୯୪୪୫୫