/odisha-reporter/media/post_attachments/uploadimage/library/16_9/16_9_0/IMAGE_1749122082.jpg)
Army And Govt Briefing On Operation Sindoor
ରବି ଦାସ
ପହେଲଗାମ୍ ଆତଙ୍କବାଦୀ ଘଟଣା ପରେ ସାରାଦେଶରେ ସୃଷ୍ଟି ହୋଇଥିବା କ୍ରୋଧକୁ ଦୃଷ୍ଟିରେ ରଖି ଏହି ଘଟଣା ପଛରେ ପାକିସ୍ତାନ ଆତଙ୍କବାଦୀଙ୍କର ହାତ ଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ପାକିସ୍ତାନକୁ ଏକ ଶିକ୍ଷା ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପୂର୍ବରୁ ଦେଶର ସବୁ ବିରୋଧୀ ଦଳମାନଙ୍କର ମତାମତ ସଂଗ୍ରହ କରିଥିଲେ। ସବୁ ବିରୋଧୀ ଦଳ ମିଳିତ ଭାବରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସହମତ ହେବାରୁ ସରକାରଙ୍କ ପକ୍ଷରୁ ସେନାବାହିନୀକୁ ସ୍ୱାଧୀନତା ଦିଆଯାଇଥିଲା। ଏହାକୁ ଦେଶର ସବୁ ବିରୋଧୀ ଦଳ ଏପରିକି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବି ସମର୍ଥନ କରିଥିଲା। ସେହି କ୍ରମରେ ଏପ୍ରିଲ୍ ୭ ତାରିଖରେ ଭାରତର ସାମରିକ ବାହିନୀ ପକ୍ଷରୁ ଅପରେସନ୍ ସିନ୍ଦୂର ନାମରେ ଏକ ଅଭିଯାନ ଆରମ୍ଭ ହୋଇ ପାକିସ୍ତାନର ସନ୍ତ୍ରାସବାଦୀ ଢାଚାଗୁଡ଼ିକୁ ଧ୍ୱଂସ କରିବା ଲକ୍ଷ୍ୟରେ ବିମାନ ବାହିନୀ ଆକ୍ରମଣ କରିଥିଲା। ଭାରତ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ, ପାକିସ୍ତାନ ସେନାବାହିନୀ ବା ଜନସାଧାରଣଙ୍କୁ କ୍ଷତିଗ୍ରସ୍ତ କରିବା ଲକ୍ଷ୍ୟରେ ଏହି ଅଭିଯାନ କରାଯାଇନାହିଁ। ଏହି ଅଭିଯାନ ପରେ ପରେ ସେନାବାହିନୀ ପକ୍ଷରୁ ଯେଉଁ ଦୁଇଜଣ ଅଫିସର୍ କର୍ଣ୍ଣେଲ୍ ସୋଫିଆ କ୍ୟୁରେସି ଓ ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହଙ୍କୁ ବୈଦେଶିକ ବ୍ୟାପାର ସଚିବ ସହିତ ମିଳିତ ଭାବରେ ସାମ୍ବାଦିକ ସମ୍ବିଳନୀ କରି ଜନସାଧାରଣଙ୍କୁ ଅପରେସନ୍ ସିନ୍ଦୂରର ବାର୍ତାମାନ ଦିଆଗଲା।
ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ହେବା ଫଳରେ ଉଭୟ ଦେଶ ଭିତରେ ପ୍ରାୟ ୩ ଦିନ କାଳ ଆକାଶ ପଥରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଜରିଆରେ ଯେଉଁସବୁ ପଦକ୍ଷେପ ନିଆଗଲା ତାହାକୁ ସାରା ଦେଶବାସୀ ସମର୍ଥନ କରିଥିଲେ। ଯଦିଓ ପାକିସ୍ତାନ ପକ୍ଷରୁ ଦାବି କରାଗଲା ଯେ, ୭ ତାରିଖରେ ଭାରତର କାର୍ଯ୍ୟାନୁଷ୍ଠାନ ସମୟରେ ପାକିସ୍ତାନ ୫ଟି ଭାରତୀୟ ଜେଟ୍କୁ ଫସାଇ ଦେଇଛି। ଭାରତ ଏହାକୁ ସ୍ୱୀକାର କରିନଥିଲେ ମଧ୍ୟ ପର ୩ ଦିନର ବିବାଦରେ ଭାରତୀୟ ସେନାବାହିନୀ ନିଶ୍ଚିତ ଭାବରେ ପାକିସ୍ତାନର ଅଧିକ ଅଂଚଳକୁ କ୍ଷତିଗ୍ରସ୍ତ କରିଥିଲେ। ପାକିସ୍ତାନର ଡ୍ରୋନ୍ମାଡ଼ ଅପେକ୍ଷା ଭାରତର ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର ମାଡ଼ ପାକିସ୍ତାନକୁ ଦୋହଲାଇ ଦେଇଥିଲା। ସେହି ସମୟରେ ଆନ୍ତର୍ଜାତିକ ଚାପ ଯୋଗୁ ହେଉ ବା ପାକିସ୍ତାନ ପକ୍ଷରୁ ଭାରତକୁ ଅସ୍ତ୍ରବିରତି ପାଇଁ ଅନୁରୋଧ କରିବା ଯୋଗୁ ହେଉ ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା ହେଲା। କିନ୍ତୁ ଏହି ସମୟରେ ଦେଖାଗଲା ଯେ, ଆନ୍ତର୍ଜାତିକ ସ୍ତରରେ ପ୍ରାୟ ପ୍ରତ୍ୟେକ ଦେଶ ସନ୍ତ୍ରାସବାଦୀ ଆକ୍ରମଣକୁ ନିନ୍ଦା କରୁଥିଲେ ମଧ୍ୟ ଏହି ବିବାଦ ସମୟରେ ସିଧାସଳଖ ଭାରତ ସହିତ ଠିଆ ହେବାକୁ ରାଜି ହେଲେ ନାହିଁ। ଆନ୍ତର୍ଜାତିକ ସ୍ତରର ବିଭିନ୍ନ ଗଣମାଧ୍ୟମ ଯେଉଁସବୁ ଖବର ପ୍ରକାଶିତ କଲେ ସେଥିରେ ଭାରତୀୟ ସେନାର ଅପରେସନ୍ ସିନ୍ଦୂର ସଫଳତା ଅପେକ୍ଷା ଭାରତର ଯୁଦ୍ଧବିମାନ କ୍ଷତିଗ୍ରସ୍ତ ହୋଇଥିବା ଘଟଣାକୁ ଗୁରୁତ୍ୱ ଦେଲେ।
ଆଶ୍ଚର୍ଯ୍ୟର କଥା ଯେ, ପାଶ୍ଚାତ୍ୟ ଦେଶମାନେ ଭଲଭାବରେ ଜାଣିଥିଲେ ଯେ, ପାକିସ୍ତାନକୁ ଚୀନ୍ ହିଁ ସମସ୍ତ ପ୍ରକାର ସାମରିକ ସହାୟତା ପ୍ରଦାନ କରି ଭାରତ ବିରୋଧରେ ଏକ ପରୋକ୍ଷ ଲଢ଼େଇରେ ଲିପ୍ତ ଅଛି। ତଥାପି ବିଶ୍ୱ ଜନମତ ଭାରତ ସହିତ ଠିକ୍ ଭାବରେ ଠିଆ ନହେବା ଫଳରେ ଆନ୍ତର୍ଜାତିକ ସ୍ତରରେ ସବୁ ଦେଶରେ ଭାରତର ସ୍ଥିତିକୁ ଓ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଜଣାଇବା ପାଇଁ ଭାରତ ପକ୍ଷରୁ ବିଭିନ୍ନ ଦେଶକୁ ୬ଟି ସର୍ବଦଳୀୟ ସଂସଦୀୟ କମିଟି ପଠାଗଲା। ଏଥିରେ ଦେଶର ସବୁ ଦଳମାନେ ସାମିଲ ହୋଇ ଭାରତର ଅପରେସନ୍ ସିନ୍ଦୂର ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଏକ ଥିବା ପ୍ରକାଶ କଲେ। କେବଳ ସେତିକି ନୁହେଁ ଅପରେସନ୍ ସିନ୍ଦୂର ସମୟରେ କର୍ଣ୍ଣେଲ୍ ସୋଫିଆ କ୍ୟୁରେସିଙ୍କ ସାମ୍ବାଦିକ ସମ୍ମିଳନୀ ଓ ସର୍ବଭାରତୀୟ ଦଳରେ ଅନେକ ମୁସ୍ଲିମ୍ ସଦସ୍ୟ ସାମିଲ ହୋଇ ଧର୍ମ ଭିତିରେ ଭାରତରେ ବିଭାଜନ ବା ବିବାଦ ନଥିବା ଜଣାଇଲେ। ଯଦିଓ ଏହି ଘଟଣା ଭିତରେ ସୋଫିଆ କ୍ୟୁରେସିଙ୍କ ବିଷୟରେ ମଧ୍ୟ ପ୍ରଦେଶର ଜଣେ ମନ୍ତ୍ରୀଙ୍କ ବୟାନ୍ ଅତ୍ୟନ୍ତ ଭୟାନକ ଥିଲା। ଖୋଦ୍ ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ବିରୋଧରେ ମାମଲା ପାଇଁ ନିର୍ଦ୍ଦେଶ ଦେଲେ। ଯଦିଓ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା ନାହିଁ ଓ ସେ ସୁପ୍ରିମ୍କୋର୍ଟର ଆଶ୍ରୟ ନେଲେ ଓ ସେହି ମାମଲାରେ ତଦନ୍ତ ଏସ୍ଆଇଟି ଦ୍ୱାରା ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଲେ। କିନ୍ତୁ ସେହି ସମୟରେ ହରିଆଣାରେ ଥିବା ଅଶୋକା ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର୍ ଅଲ୍ଲି ଖାନ୍ ମେହମ୍ମୁଦାବାଦ ଏକ ପୋଷ୍ଟ ଜରିଆରେ ଯାହାକି ଏକ୍ସରେ ପ୍ରକାଶିତ ହୋଇଥିଲା, ସେଥିରେ ସେ ଦର୍ଶାଇଥିଲେ ଯେ, ସୋଫିଆ କ୍ୟୁରେସିଙ୍କ ଅପରେସନ୍ ସିନ୍ଦୂର ବିଷୟରେ ବିବରଣୀ ବାହାରକୁ ଯେପରି ଭଲ ଜଣାପଡୁଛି ବାସ୍ତବରେ ସାଧାରଣ ଜୀବନରେ ତାହା ପ୍ରତିଫଳିତ ନହେଲେ ତାହାକୁ ପ୍ରବଂଚନା ବୋଲି ଅଗ୍ରିହିତ ହେବ।
ବିଶେଷ ଭାବରେ ଭିଡ଼ ଘଟଣାରେ ମୁସ୍ଲିମ୍ଙ୍କ ଉପରେ ଆକ୍ରମଣ, ମୁସ୍ଲିମ୍ ଘର ଉପରେ ବୁଲ୍ଡୋଜର୍ ଚଢ଼ଉ ଓ ଘୃଣାଭାବ ସୃଷ୍ଟି ଘଟଣାଗୁଡ଼ିକ ନହୋଇ ସେମାନଙ୍କୁ ନାଗରିକତାର ସୁରକ୍ଷା ଦେବା ନିମନ୍ତେ ପୋଷ୍ଟ କରିଥିଲେ। ବାସ୍ତବିକ ଏହି ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଯାହା କହିଥିଲେ ତାହା ଏକ ଧର୍ମ ନିରପେକ୍ଷ ଭାରତର ମୌଳିକ ଆଦର୍ଶ ଭାବରେ ଜଣାଶୁଣା। କିନ୍ତୁ ଏହି ଅଧ୍ୟାପକକୁ ହରିଆଣା ପୋଲିସ୍ ଗିରଫ କଲା ଓ ତଳ କୋର୍ଟ ଜାମିନ ନଦେବା ଫଳରେ ସୁପ୍ରିମ୍କୋର୍ଟ ହସ୍ତକ୍ଷେପ କରି ମାମଲାକୁ ଖାରଜ କରିଦେବା ପରିବର୍ତେ ଅଧ୍ୟାପକଙ୍କୁ ଜାମିନ ଦେଇଦେଲେ। କିନ୍ତୁ ତାଙ୍କର ବକ୍ତବ୍ୟକୁ ମୁକ୍ତ ବା ସ୍ୱାଧୀନ ମତପ୍ରକାଶ କରିବାର ଅଭିବ୍ୟକ୍ତି ଭାବରେ ଗ୍ରହଣ ନକରି ସେହି ମାମଲାରେ ମଧ୍ୟ ମଧ୍ୟପ୍ରଦେଶ ଘଟଣା ପରି ଏସ୍ଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ। ଜଣେ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକଙ୍କର ମତପ୍ରକାଶ କରିବାର ସ୍ୱାଧୀନତାକୁ ସୁପ୍ରିମ୍କୋର୍ଟ ରକ୍ଷା କରିପାରିଲେ ନାହିଁ।
ଅପରେସନ୍ ସିନ୍ଦୂର ନେଇ ଯେତେବେଳେ ଦେଶର ସବୁ ଦଳର ନେତାମାନେ ବିଦେଶଗସ୍ତରେ ଯାଇ ଭାରତର ସ୍ଥିତିକୁ ମଜବୁତ୍ କରିବା ସହିତ ପାକିସ୍ତାନର ଆତଙ୍କବାଦୀମାନଙ୍କ ସହିତ ସମ୍ପର୍କ ବିଷୟରେ ଜନମତ ସୃଷ୍ଟି କରୁଛନ୍ତି, ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଜାଗାରେ ରୋଡ୍ ସୋ ଜରିଆରେ ଅପରେସନ୍ ସିନ୍ଦୂରର ସଫଳତାର ସହିତ ପାକିସ୍ତାନ ବିରୋଧୀ ଜନମତକୁ ତୀବ୍ର କରିଛନ୍ତି। ଅନେକ ସଭାରେ ତାଙ୍କର ବକ୍ତବ୍ୟଗୁଡ଼ିକୁ ହୁଏତ ବିରୋଧୀମାନେ ସେନାବାହିନୀର ସଫଳତାକୁ ମୋଦୀଙ୍କ ସଫଳତା ଭାବରେ ଦର୍ଶାଯାଉଥିବା ଅନୁଭବ କରି ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପୂର୍ବରୁ ବୈଦେଶିକ ମନ୍ତ୍ରୀଙ୍କର ଏକ ବୟାନକୁ ନେଇ ଅଭିଯୋଗ କଲେ ଯେ, ଭାରତର ଅଭିଯାନ ସମ୍ପର୍କରେ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ଆଗୁଆ ସୂଚନା ଦିଆଯାଇଥିଲା। ସେହି କାରଣରୁ ସେମାନେ ପ୍ରସ୍ତୁତ ହେବା ଯୋଗୁ ଭାରତର ବିମାନ ଖସାଇବାକୁ ସେମାନେ ସକ୍ଷମ ହେଲେ। କେବଳ ସେତିକି ନୁହେଁ ପହେଲଗାମ୍ ଆତଙ୍କବାଦୀମାନେ କିପରି ଭାରତକୁ ପଶିବେ ଓ ସେଠାରେ ସୁରକ୍ଷା ବ୍ୟବସ୍ଥା କାହିଁକି ନଥିଲା ସେସବୁ ପ୍ରଶ୍ନ ଉଠାଇ ପାର୍ଲାମେଂଟର ଏକ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କଲେ। ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ଯେତେଗୁଡ଼ିଏ ବକ୍ତବ୍ୟ ଦେଇଛନ୍ତି ସେଗୁଡ଼ିକ ନେଇ ଭିନ୍ନ ଭିନ୍ନ ପ୍ରକାର ମତାମତ ଆରମ୍ଭ ହୋଇଯାଇଛି। ଏହି ସମୟରେ ପଶ୍ଚିମବଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ ଭାବରେ କହିଦେଲେ ଯେ, ତୁଷ୍ଟିକରଣ ରାଜନୀତି ପାଇଁ ମମତା ବାନାର୍ଜୀ ଅପରେସନ୍ ସିନ୍ଦୂରକୁ ବିରୋଧ କରୁଛନ୍ତି। ଯଦିଓ ତାଙ୍କ ଦଳର ଜଣେ ସଦସ୍ୟ ଏହି ସର୍ବ ଭାରତୀୟ ଦଳରେ ବିଦେଶ ଗସ୍ତରେ ଅଛନ୍ତି।
ଏହି କ୍ରମରେ ଭାରତର ଚିଫ୍ ଅଫ୍ ଡିଫେଣ୍ଡ୍ ଷ୍ଟାପ୍ (ସିଡିଏସ୍) ଅନିଲ୍ ଚୌହାନ୍ ମେ ୨୯ରେ ଏକ ବିଦେଶୀ ଟେଲିଭିଜନ୍କୁ ସିଙ୍ଗାପୁରରେ ସାକ୍ଷାତକାର ଦେଇ କହିଦେଲେ ଯେ, ପାକିସ୍ତାନ ସହିତ ଲଢ଼େଇରେ ଭାରତର କେତେକ ବିମାନ ନଷ୍ଟ ହେଉଛି। ଯଦିଓ ସେ କୌଣସି ସଂଖ୍ୟା କହିନଥିଲେ। ହେଲେ ସେ ପର୍ଯ୍ୟନ୍ତ ଭାରତର କୌଣସି ଅଧିକାରୀ ବିମାନ ଖସିବା ନେଇ କୌଣସି ତଥ୍ୟ ଦେଇନଥିଲେ। ଅନୀଲ୍ ଚୌହାନ୍ ଏହା ସ୍ପଷ୍ଟ କରିଥିଲେ ଯେ, କେତେ ବିମାନ ନଷ୍ଟ ହେଲା ବଡ଼ କଥା ନୁହେଁ। କିନ୍ତୁ କେଉଁ କାରଣ ପାଇଁ ହେଲା ତାହା ଗୁରୁତ୍ୱପୂର୍ଣ୍ଣ। ସେହି ଅନୁସାରେ ଭାରତୀୟ ସେନା ତ୍ରୁଟି ସୁଧାରି ଯେଉଁ ଆକ୍ରମଣ କଲା, ସେଥିରେ ଭାରତୀୟ ସେନା ଯେଉଁ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିଲା ତାହା କରିପାରିଲା। ପାକିସ୍ତାନ ଭିତରେ ପଶି ଭାରତୀୟ ବିମାନବାହିନୀ ଯାହା କ୍ଷତି ଘଟାଇଛି ସେଥିରୁ ସାରା ବିଶ୍ୱ ଭାରତୀୟ ସେନାର ପ୍ରଭାବ ଓ ଗୁରୁତ୍ୱ ଅନୁଭବ କରିଛନ୍ତି। ସେଥିପାଇଁ ପାକିସ୍ତାନ ଅସ୍ତ୍ରବିରତି ପାଇଁ ତାଙ୍କ ଆଡୁ ଅନୁରୋଧ କଲେ। ଭାରତୀୟ ସେନାବାହିନୀ ସବୁ ଦୃଷ୍ଟିରୁ ପାକିସ୍ତାନ ଠାରୁ ଶକ୍ତିଶାଳୀ, ଏହା ଅତୀତରେ ହୋଇଥିବା ସମସ୍ତ ଯୁଦ୍ଧରେ ପ୍ରମାଣିତ ହୋଇଛି। ତେଣୁ ଭାରତୀୟ ସେନାବାହିନୀର ପରାକ୍ରମ ପ୍ରଭାବଶାଳୀ ଥିଲା ବେଳେ କାହିଁକି ଓ କେଉଁ ସର୍ତରେ ଭାରତ ଅସ୍ତ୍ରବିରତି କଲା ତାହା ନେଇ ପ୍ରଶ୍ନ ଉଠୁଛି।
ଅପରେସନ୍ ସିନ୍ଦୂରରେ ଯେଉଁ ଏକତା ଭାରତରେ ପ୍ରଦର୍ଶିତ ହୋଇଥିଲା ତାହା ସର୍ବଦଳୀୟ କମିଟି ଭାରତ ପହଂଚିବା ପରେ ଅଧିକ ସଂଗଠିତ ହେବା ପରିବର୍ତ୍ତେ ଦ୍ୱନ୍ଦ ଓ ବିବାଦ ରାଜନୀତିକୁ ଗ୍ରାସ କରିଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାରତ ଅସ୍ତ୍ରବିରତି ପାଇଁ ରାଜି ହେବା ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କର ନିର୍ଦ୍ଦେଶ ଥିବା ନେଇ ଯେପରି ପ୍ରକାଶ କରି ନରେନ୍ଦ୍ର ଓ ସରେଣ୍ଡର୍ ଶବ୍ଦ ପ୍ରୟୋଗ କରିଛନ୍ତି ତାହା ଅପରେସନ୍ ସିନ୍ଦୂରର ବାତାବରଣକୁ ସମ୍ପୂର୍ଣ୍ଣ ରାଜନୈତିକ ବିବାଦରେ ପରିଣତ କରିଛି। ରାହୁଳ ଗାନ୍ଧୀ ଏପରି ଶବ୍ଦ କାହିଁକି ପ୍ରୟୋଗ କଲେ, ବୁଝିବା ମୁସ୍କିଲ୍। କିନ୍ତୁ ଏକ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ବିରୋଧୀ ଦଳର ନେତା ବକ୍ତବ୍ୟ ଦେବା ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ଆଦୌ ଯଥାର୍ଥ ନୁହେଁ। ଅବଶ୍ୟ ଭାରତରେ ରାଜନୈତିକ ଆଲୋଚନା ଓ ପର୍ଯ୍ୟାଲୋଚନାରେ ଉଚ୍ଚ ଧରଣର ସ୍ତର ରକ୍ଷା କରିବା ପରମ୍ପରା ଅନେକ ଦିନ ହେଲା ଚାଲିଗଲାଣି।
ଏହା ମଧ୍ୟ ସତ୍ୟ ଯେ, ଭାରତ ଯାହା କହୁ ନା କାହିଁକି ଆମେରିକା ରାଷ୍ଟ୍ରପତି ବରାବର କହି ଚାଲିଛନ୍ତି ଯେ, ତାଙ୍କ ଉଦ୍ୟମରେ ପାକିସ୍ତାନ ଓ ଭାରତ ଭିତରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେଲା। ଉଭୟ ଦେଶକୁ ବାଣିଜ୍ୟ କଥା କହି ସେମାନେ ବିବାଦ କଲେ ବାଣିଜ୍ୟ ହେବନାହିଁ ବୋଲି କହିବାରୁ ସେମାନେ ଅସ୍ତ୍ରବିରତି ପାଇଁ ରାଜି ହେଲେ। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଟ୍ରମ୍ପ ଜଣେ ମିଥ୍ୟାବାଦୀ ଏକଥା ସିଧାସଳଖ ଭାରତ କହିପାରୁନାହିଁ। ତେଣୁ ରାହୁଲ ଗାନ୍ଧୀ ତାହାର ଫାଇଦା ନେଇ ଟ୍ରମ୍ପ ଟେଲିଫୋନ୍ କରି ନରେନ୍ଦ୍ର ମୋଦୀଙ୍କୁ ଯୁଦ୍ଧ ବିରତି ପାଇଁ ବା ସରେଣ୍ଡର ପାଇଁ କହିଥିବା ଦର୍ଶାଉଛନ୍ତି। ଏହା ଆନ୍ତର୍ଜାତିକ ରାଜନୀତିରେ ଠିକଣା ପରିଭାଷା ନୁହେଁ। କିନ୍ତୁ ଅପରେସନ୍ ସିନ୍ଦୂରକୁ ନେଇ ଦେଶରେ ଗତ ମାସରେ ସୃଷ୍ଟି ହୋଇଥିବା ଏକତା ଲୋପ ହୋଇ ଧୀରେ ଧୀରେ ଏହା ରାଜନୈତିକ ବିବାଦ ଓ ଦ୍ୱନ୍ଦରେ ପରିଣତ ହେଉଥିବା ଦେଖାଯାଉଛି। ପାକିସ୍ତାନ ଏବେ ବି ଭାରତ ସହିତ ବିବାଦ ପାଇଁ ପ୍ରସ୍ତୁତ ହେଉଛି। ସବୁଠାରୁ ବଡ଼ କଥା ଯେ, ଚୀନ୍ ସିଧାସଳଖ ଭାବରେ ପାକିସ୍ତାନକୁ ସମସ୍ତ ପ୍ରକାର ସହାୟତା କରୁଛି। କାଶ୍ମୀର ପ୍ରସଙ୍ଗ ନେଇ ଚୀନ୍ର ଥିବା ମନୋଭାବ ଏହି ଭାରତ ଓ ପାକିସ୍ତାନ ବିବାଦରେ ଏକ ପ୍ରମୁଖ ଭୂମିକା ନେଉଥିବାର ଖବର ଆସୁଛି। ଏତିକି ବେଳେ ଦେଶ ସବୁ କ୍ଷେତ୍ରରେ ଏକଜୁଟ ହେବା ପରିବର୍ତେ ଅପରେସନ୍ ସିନ୍ଦୂରକୁ ନେଇ ଯଦି ବିବାଦ ବଢ଼ି ବଢ଼ି ଚାଲେ ତେବେ ଭାରତ କିପରି ଭବିଷ୍ୟତର ମୁକାବିଲା କରିବ?
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
