ସରଳ କୁମାର ଦାସ
ରିପବ୍ଲିକାନ୍ ଦଳର ପ୍ରାର୍ଥୀ ଡୋନାଲଡ୍ ଟ୍ରମ୍ପ ଓ ଡେମୋକ୍ରାଟ ଦଳର ପ୍ରାର୍ଥୀ କମଲା ହାରିସଙ୍କ ମଧ୍ୟରେ ନଭେମ୍ୱର ୫, ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଉପରେ ଏବେ ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ନିବଦ୍ଧ, କାରଣ ଏହା ହିଁ ନିର୍ଦ୍ଧାରଣ କରିବ ଅନ୍ତତଃ ଆଗାମୀ ୪ ବର୍ଷ ଯାଏଁ ବିଶ୍ୱର ଭୂ-ରାଜନୀତି (ଜିଓପଲିଟିକ୍ସ)ର ନକ୍ସା। ପ୍ରାଥମିକ ପର୍ଯ୍ୟାୟର ଜନମତ ସର୍ଭେରେ ଉପରାଷ୍ଟ୍ରପତି କମଲା ହାରିସ ଟ୍ରମ୍ପଙ୍କଠାରୁ ସାମାନ୍ୟ ଆଗୁଆ ଥିବା ଦର୍ଶାଯାଉଥିଲା। ତେବେ ନିର୍ବାଚନ ନିକଟତର ହେବା ସହ ଟ୍ରମ୍ପ ତାଙ୍କ ସ୍ଥିତିକୁ ସୁଧାରିବା ସହ ହାରିସଙ୍କଠାରୁ ସାମାନ୍ୟ ଆଗୁଆ ଥିବା ପ୍ରକାଶ ପାଉଛି। ଉଭୟଙ୍କ ମଧ୍ୟରେ ବ୍ୟବଧାନ ଏତେ କମ ଯେ ଏ ନିର୍ବାଚନରେ କିଏ ଜିତିବ ତାହା ସ୍ପଷ୍ଟ ରୂପେ ପୂର୍ବାନୁମାନ କରିହେଉନାହିଁ। ପରମ୍ପରାଗତ ଭାବେ କିଛି ନିର୍ଦ୍ଦିଷ୍ଟ ରାଜ୍ୟ ରିପବ୍ଲିକାନ୍ ବା ଡେମୋକ୍ରାଟ ଦଳ ସପକ୍ଷରେ ଭୋଟ ଦେଇ ଆସୁଥିବା ବେଳେ ଏମିତି କିଛି ରାଜ୍ୟ ଅଛନ୍ତି ଯେଉଁଗୁଡ଼ିକ ରଣଭୂମି ରାଜ୍ୟ ରୂପେ ଅଭିହିତ। ସେଗୁଡ଼ିକ କେଉଁ ଦଳ ସପକ୍ଷରେ ମତଦାନ କରିବେ ତାହା ନିର୍ଦ୍ଦିଷ୍ଟ ଭାବେ ଜଣା ପଡ଼ି ନଥାଏ। ଆମେରିକାର ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା ଯେମିତି ଭିନ୍ନ, ନିର୍ବାଚନୀ ଫଳାଫଳରେ ରଣଭୂମି ରାଜ୍ୟଗୁଡ଼ିକ (ବ୍ୟାଟଲ ଗ୍ରାଉଣ୍ଡ ଷ୍ଟେଟସ୍)ର ଭୂମିକା ମଧ୍ୟ ସେମିତି ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଭଳି ଏକ ଆକର୍ଷଣୀୟ ନିର୍ବାଚନ ସମ୍ପର୍କରେ ଜାଣିବା ବେଶ ରୋଚକ ନିଶ୍ଚୟ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରଚଳିତ ପ୍ରକ୍ରିୟା ସମ୍ପର୍କରେ କୁହାଯାଏ ଯେ ସେଠାରେ ଲୋକମାନେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି, ହେଲେ ରାଜ୍ୟଗୁଡ଼ିକ ତାଙ୍କୁ ନିର୍ବାଚିତ କରିଥାନ୍ତି। ଅର୍ଥାତ୍ ଆମେରିକାର ମତଦାତା ରାଷ୍ଟ୍ରପତିଙ୍କୁ ସିଧାସଳଖ ବାଛୁ ନଥିବାରୁ ସମଗ୍ର ଦେଶରେ ସର୍ବାଧିକ ଲୋକଙ୍କ ଭୋଟ ପାଇଲେ ଯେ ଜଣେ ନିର୍ବାଚିତ ହେବେ, ତାହା ନୁହେଁ। ବିଭିନ୍ନ ରାଜ୍ୟକୁ ପ୍ରଦତ୍ତ ଇଲେକ୍ଟୋରାଲ କଲେଜର ଆସନ ସଂଖ୍ୟା ସାଧାରଣ ଜନତାଙ୍କ ଭୋଟ ଆଧାରରେ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଅଧିକ ଯାଉଛି ତାରି ଆଧାରରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ସେଥିଲାଗି ୨୦୧୬ ନିର୍ବାଚନରେ ରିପବ୍ଲିକାନ୍ ଦଳର ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କୁ ଡେମୋକ୍ରାଟ ପ୍ରାର୍ଥୀ ହିଲାରି କ୍ଲିଣ୍ଟନଙ୍କ ତୁଳନାରେ କମ ଲୋକ ଭୋଟ ଦେଇଥିଲେ ବି ସେ ଇଲେକ୍ଟୋରାଲ କଲେଜରେ ଅଧିକ ଭୋଟ ପାଇଥିବାରୁ ନିର୍ବାଚିତ ହୋଇଥିଲେ। ତେଣୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ କଲେଜର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଆମେରିକାର ୫୦ଟି ରାଜ୍ୟର ସିନେଟ ଓ ପ୍ରତିନିଧି ସଭା (ହାଉସ ଅଫ ରିପ୍ରେଜେଣ୍ଟେଟିଭସ)ରେ ଯେତେ ସଂଖ୍ୟକ ସଭ୍ୟ ଅଛନ୍ତି ସେହି ରାଜ୍ୟ ପାଇଁ ଇଲେକ୍ଟୋରାଲ କଲେଜରେ ସେତିକି ସଂଖ୍ୟକ ଆସନ ଚିହ୍ନିତ ହୋଇଛି। ସେହିପରି କଲମ୍ୱିଆ ଜିଲ୍ଲା ପାଇଁ ୩ଟି ଆସନ ରହିଛି। ଇଲେକ୍ଟୋରାଲ କଲେଜରେ ସର୍ବାଧିକ ୫୪ଟି ଆସନ କାଲିଫର୍ଣ୍ଣିଆ ରାଜ୍ୟ ଲାଗି ଚିହ୍ନିତ ହୋଇଥିବା ବେଳେ ଟେକ୍ସାସ, ଫ୍ଲୋରିଡ଼ା, ନ୍ୟୁୟର୍କ ରାଜ୍ୟଗୁଡ଼ିକ ଲାଗି ଯଥାକ୍ରମେ ୪୦, ୩୦ ଓ ୨୮ଟି ଲେଖାଏଁ ଆସନ ଚିହ୍ନିତ ହୋଇଛି। ଏହିପରି ଭାବେ ଇଲେକ୍ଟୋରାଲ କଲେଜର ସମୁଦାୟ ଆସନ ସଂଖ୍ୟା ୫୩୮। ଜନସାଧାରଣ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଉଥିଲେ ବି ପ୍ରକୃତ ପକ୍ଷେ ନିର୍ବାଚନରେ ସେମାନଙ୍କ ମତର ପ୍ରତିନିଧିତ୍ୱ କରିବା ପାଇଁ ସେମାନେ ସେହି ଦଳର ଏକ ଇଲୋକ୍ଟର (ନିର୍ବାଚକ) ଗୋଷ୍ଠୀକୁ ଭୋଟ ଦେଇଥାନ୍ତି, ଯେଉଁ ଗୋଷ୍ଠୀ ହିଁ ପ୍ରକୃତ ପକ୍ଷେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ୫୦ଟି ରାଜ୍ୟ ମଧ୍ୟରୁ ୪୮ଟି ରାଜ୍ୟରେ ଜନସାଧାରଣଙ୍କ ଭୋଟ ଆଧାରରେ ପ୍ରତି ରାଜ୍ୟରେ ଯେଉଁ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ସର୍ବାଧିକ ଭୋଟ ମିଳେ, ‘ବିଜେତା ଭାଗରେ ସବୁ’ ନିୟମାନୁଯାୟୀ ସେହି ରାଜ୍ୟର ଇଲେକ୍ଟୋରାଲ କଲେଜ ଲାଗି ଉଦ୍ଦିଷ୍ଟ ସମସ୍ତ ଆସନ ସେହି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଚାଲିଯାଏ। କେବଳ ମେନ୍ ଓ ନେବ୍ରାସ୍କା ରାଜ୍ୟ ଦ୍ୱୟର ଆଇନ ଆନୁସାରେ ସେଠାରେ ଭିନ୍ନ ପ୍ରକ୍ରିୟା ଅନୁସୃତ ହୋଇଥାଏ।
ପ୍ରତି ୪ ବର୍ଷରେ ଥରେ ହେଉଥିବା ଏହି ନିର୍ବାଚନ ନିର୍ଦ୍ଦିଷ୍ଟ ଭାବେ ନଭେମ୍ୱର ମାସର ପ୍ରଥମ ସୋମବାର ପର ମଙ୍ଗଳବାର ଦିନ ହେଉଥିବାରୁ ଏଥର ତାହା ନଭେମ୍ୱର ୫ ତାରିଖରେ ଅନୁଷ୍ଠିତ ହେଉଛି। ସାଧାରଣତଃ ପ୍ରତି ରାଜ୍ୟରେ ବିଜୟ ଲାଭ କରିଥିବା ଦଳର ନିର୍ବାଚକ (ଇଲେକ୍ଟର)ମାନେ ସେହି ରାଜ୍ୟର ରାଜଧାନୀରେ ଡିସେମ୍ୱର ମାସ ଦ୍ୱିତୀୟ ବୁଧବାର ପର ମଙ୍ଗଳବାର ଦିନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭୋଟ ଦେଇଥାନ୍ତି। ଏ ବର୍ଷ ତାହା ଡିସେମ୍ୱର ୧୭ ତାରିଖ ଦିନ ଅନୁଷ୍ଠିତ ହେବ। ଏହି ନିର୍ବାଚକମାନଙ୍କର ମନୋନୟନ ସେମାନଙ୍କର ଦଳ ପ୍ରତି ପ୍ରତିବଦ୍ଧତା ଆଧାରରେ ହେଉଥିବାରୁ ସେମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଆଶା କରାଯାଏ। ତେବେ ସ୍ଥଳ ବିଶେଷରେ କେହି କେହି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଉ ନ ଥିବାର ନଜିର ମଧ୍ୟ ରହିଛି। ଏମାନଙ୍କୁ ‘ବିଶ୍ୱାସରହିତ ନିର୍ବାଚକ’ ( ଫେଥଲେସ୍ ଇଲେକ୍ଟର) ବୋଲି ଅଭିହିତ କରାଯାଇଥାଏ। ଅବଶ୍ୟ କେତେକ ରାଜ୍ୟରେ ଏହାକୁ ଦଣ୍ଡନୀୟ କରି ଆଇନ ପ୍ରଣୟନ ହେଲାଣି। ଇଲେକ୍ଟୋରାଲ କଲେଜରେ ସମୁଦାୟ ୫୩୮ ଜଣ ନିର୍ବାଚକ ଥିବାରୁ ଯେଉଁ ପ୍ରାର୍ଥୀ ଅନ୍ତତଃ ୨୭୦ଟି ଭୋଟ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରନ୍ତି ତାଙ୍କୁ ରାଷ୍ଟ୍ରପତି ରୂପେ ଘୋଷଣା କରାଯାଏ। କୌଣସି ପ୍ରାର୍ଥୀ ସଂଖ୍ୟା ଗରିଷ୍ଠତା (୨୭୦ଟି ଭୋଟ) ହାସଲ କରିବାକୁ ଅସମର୍ଥ ହେଲେ ‘ହାଉସ ଅଫ ରିପ୍ରେଜେଣ୍ଟେଟିଭ’ ଦ୍ୱାରା ଏକ ଆକସ୍ମିକ ନିର୍ବାଚନ (କଣ୍ଟିଞ୍ଜେଣ୍ଟ ଇଲେକ୍ସନ) ପ୍ରକ୍ରିୟାରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି।
ଆମେରିକାରେ ଅଧିକାଂଶ ମତଦାତା ରିପବ୍ଲିକାନ ବା ଡେମୋକ୍ରାଟ ଦଳର ସମର୍ଥକ ରୂପେ ଭାଗ ଭାଗ ହୋଇଯାଇଛନ୍ତି। ତେଣୁ ପ୍ରତିଥର ନିର୍ବାଚନ ପୂର୍ବରୁ କେଉଁ ରାଜ୍ୟର ଭୋଟ କେଉଁ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଯିବ ତାହା ପ୍ରାୟତଃ ସ୍ପଷ୍ଟ ହୋଇସାରିଥାଏ। ଲଗାତାର ଭାବେ କିଛି ରାଜ୍ୟ ରିପବ୍ଲିକାନ ଦଳ ସପକ୍ଷରେ ଭୋଟ ଦେଇଆସୁଥିବାରୁ ସେହି ରାଜ୍ୟଗୁଡ଼ିକୁ ‘ରେଡ ଷ୍ଟେଟ୍’ (ଲାଲ ରାଜ୍ୟ) କୁହାଯାଇଥାଏ। ସେହିପରି ବାରମ୍ୱାର ଡେମୋକ୍ରାଟ ଦଳ ସପକ୍ଷରେ ଥିବା ରାଜ୍ୟଗୁଡ଼ିକ ‘ବ୍ଲୁ ଷ୍ଟେଟ୍’ (ନୀଳ ରାଜ୍ୟ) ଭାବେ ବିଦିତ। ତେବେ ଏମିତି କିଛି ‘ସ୍ୱିଙ୍ଗ ଷ୍ଟେଟ୍’ ବା ଝୁଲନ୍ତ ରାଜ୍ୟ ଅଛନ୍ତି ଯେଉଁଠାରେ ଉଭୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ଏତେ କମ ହୋଇଥାଏ ଯେ ସେହି ରାଜ୍ୟ କେଉଁ ଦଳ ସପକ୍ଷରେ ମତ ଦେବ, ତାହା ଶେଷ ପର୍ଯ୍ୟନ୍ତ ଜଣାପଡ଼ି ନଥାଏ। ସାରା ଦେଶରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟର ବ୍ୟବଧାନ ଅତି କମ ହୋଇଥିଲେ ପ୍ରାର୍ଥୀଙ୍କ ହାରଜିତ୍ ଏହିଭଳି କତିପୟ ରାଜ୍ୟରେ ନିର୍ଦ୍ଧାରିତ ହେଉଥିବାରୁ ଏଗୁଡ଼ିକୁ ରଣଭୂମି ରାଜ୍ୟ (ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟସ୍) ବୋଲି କୁହାଯାଇଥାଏ। ତେଣୁ ଉଭୟ ପ୍ରାର୍ଥୀ ନିର୍ବାଚନ ପ୍ରଚାର ବେଳେ ଏହି ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏଗୁଡ଼ିକର ରଙ୍ଗ ‘ଲାଲ’ ବା ‘ନୀଳ’ ହୋଇ ନଥିବାରୁ ଏଗୁଡ଼ିକ ‘ପର୍ପଲ’ ବା ‘ବାଇଗଣି’ ରାଜ୍ୟ ଭାବେ ମଧ୍ୟ ବିଦିତ। ଜନସଂଖ୍ୟାର ଚରିତ୍ରରେ ପରିବର୍ତ୍ତନ ହେଲେ ବା କୌଣସି ପ୍ରଭାବଶାଳୀ ଘଟଣା ଘଟିଲେ ଏକ ନିର୍ଦ୍ଦିଷ୍ଟ ରାଜ୍ୟ ସ୍ୱିଙ୍ଗ ଷ୍ଟେଟକୁ ରୂପାନ୍ତରିତ ହେବାର ଆଶଙ୍କା ଦେଖାଦେଇଥାଏ। ଏଥର ନିର୍ବାଚନରେ ଏହିପରି ୭ଟି ଝୁଲନ୍ତ ରାଜ୍ୟ ଅଛି। ଜନମତ ସର୍ଭେରେ କମଲା ହାରିସ୍ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ଭୋଟ ବ୍ୟବଧାନ କ୍ଷୀଣ ହୋଇଥିବାରୁ ଏହି ରାଜ୍ୟଗୁଡ଼ିକ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନିର୍ଦ୍ଧାରଣ କରିବେ। ଏହି ରାଜ୍ୟଗୁଡ଼ିକ ନିକଟରେ ଥିବା ସମୁଦାୟ ୯୩ଟି ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ଯେଉଁ ଦଳ ସପକ୍ଷରେ ଯେତେ ଅଧିକ ଭୋଟ ଯିବ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଏକପ୍ରକାର ସୁନିଶ୍ଚିତ।
ଏହି ୭ଟି ରାଜ୍ୟ ମଧ୍ୟରୁ ଗ୍ରାଣ୍ଡ କାନ୍ୟନ ରାଜ୍ୟ ଭାବେ ପରିଚିତ ଆରିଜୋନାରେ ୧୧ଟି ଇଲେକ୍ଟୋରାଲ ଭୋଟ ଅଛି। ୨୦୧୬ରେ ଏହି ରାଜ୍ୟ ଟ୍ରମ୍ପଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ୨୦୨୦ରେ ଏଠାରୁ ବାଇଡେନ ବିଜୟୀ ହୋଇଥିଲେ। ମେକ୍ସିକୋ ସୀମାକୁ ଲାଗି ଥିବା ଏହି ରାଜ୍ୟରେ ବହିରାଗମନ (ଇମିଗ୍ରେସନ) ଏକ ନିର୍ବାଚନୀ ପ୍ରସଙ୍ଗ ହୋଇପାରେ। ଅନ୍ୟତମ ଝୁଲନ୍ତ ରାଜ୍ୟ ହେଉଛି ଜର୍ଜିଆ, ଯେଉଁଠାରେ ୧୬ଟି ଭୋଟ ରହିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଜଣେ ଡେମୋକ୍ରାଟ ଦଳର ପ୍ରତ୍ୟାଶୀ ଭାବେ ବାଇଡେନ ୨୦୨୦ରେ ସେଠାରୁ ଜିତିଥିଲେ। ମହାନ ହ୍ରଦର ରାଜ୍ୟ ଭାବେ ପରିଚିତ ମିଚିଗାନ ନିକଟରେ ୧୫ଟି ଭୋଟ ରହିଛି। ଗତଥର ଏଠାରୁ ବାଇଡେନ ଜିତିଥିଲେ ବି ତା ପୂର୍ବ ଥର ଟ୍ରମ୍ପ ବିଜୟୀ ହୋଇଥିଲେ। ଝୁଲନ୍ତ ରାଜ୍ୟଙ୍କ ମଧ୍ୟରେ ନେବାଡା ନିକଟରେ ସର୍ବନିମ୍ନ ୬ଟି ଭୋଟ ଥିଲେ ବି ଏହାର ଗୁରତ୍ୱ କିଛି କମ ନୁହେଁ, କାରଣ ଗତ ୪ ଥର ଏଠାରୁ ଡେମୋକ୍ରାଟ ପ୍ରାର୍ଥୀ ବିଜୟୀ ହୋଇଆସୁଥିଲେ ବି ତା ପୂର୍ବରୁ ଲଗାତାର ଭାବେ ରିପବ୍ଲିକାନ ପ୍ରାର୍ଥୀ ବିଜୟୀ ହେଉଥିବାର ଦୃଷ୍ଟାନ୍ତ ରହିଛି। ୧୬ଟି ଭୋଟ ଥିବା ନର୍ଥ କାରୋଲିନା ରାଜ୍ୟରୁ ୨୦୨୦ ନିର୍ବାଚନରେ ଟ୍ରମ୍ପ ମାତ୍ର ୧.୬ ପ୍ରତିଶତ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଏଥର ଫଳାଫଳ କେଉଁ ଦିଗକୁ ଢଳିବ, ତାହା ସ୍ପଷ୍ଟ ନୁହେଁ। ଝୁଲନ୍ତ ରାଜ୍ୟଙ୍କ ମଧ୍ୟରେ ପେନସିଲଭାନିଆ ରାଜ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାରେ ସର୍ବାଧିକ ୧୯ଟି ଆସନ ରହିଛି। ୨୦୨୦ରେ ଏହି ରାଜ୍ୟ ହିଁ ବାଇଡେନଙ୍କ ବିଜୟକୁ ଏକ ପ୍ରକାର ସୁନିଶ୍ଚିତ କରିଥିଲା। ସପ୍ତମ ଝୁଲନ୍ତ ରାଜ୍ୟଟି ହେଉଛି ୱିସକନସିନ ଯେଉଁଠାରୁ ୧୦ ଜଣ ଇଲେକ୍ଟୋରାଲ କଲେଜକୁ ଆସିବେ। ଦୀର୍ଘଦିନ ଧରି ଏହା ଡେମୋକ୍ରାଟଙ୍କର ଏକ ଗଡ଼ ଭାବେ ପରିଚିତ ଥିଲେ ବି ୨୦୧୬ରେ ଟ୍ରମ୍ପ ସେହି ବିଜୟ ଧାରାକୁ ପରିବର୍ତ୍ତନ କରି ତାକୁ ନିଜ ସପକ୍ଷକୁ ନେଇପାରିଥିଲେ।
ଆମେରିକା ୫୦ଟି ରାଜ୍ୟକୁ ନେଇ ଗଠିତ ବୋଲି ଅନେକଙ୍କ ଧାରଣା। ତେବେ ଏହି ରାଜ୍ୟଗୁଡ଼ିକ ଭିନ୍ନ ଆମେରିକା ଅଧୀନରେ ୧୬ଟି ଅଲଗା କ୍ଷେତ୍ର (ଟେରିଟୋରି) ଅଛି। ସେଗୁଡ଼ିକ ମଧ୍ୟରୁ ପୋର୍ଟୋରିକୋ, ୟୁଏସ ଭର୍ଜିନ ଆଇଲାଣ୍ଡସ୍, ଆମେରିକାନ ସମୋଆ, ନର୍ଦର୍ଣ୍ଣ ମାରିଆନା ଆଇଲାଣ୍ଡସ ଓ ଗୁଆମ ଊଳି ୫ଟି ଟେରିଟୋରିରେ ଜନବସତି ରହିଛି। ପୋର୍ଟୋରିକୋର ଜନସଂଖ୍ୟା ତ ପ୍ରାୟ ୩୨ ଲକ୍ଷ। ଏହି ଟେରିଟୋରିଗୁଡ଼ିକର ଅଧିବାସୀମାନେ ଆମେରିକୀୟ ନାଗରିକ ହୋଇଥିଲେ ବି ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସେମାନେ ଭୋଟଦାନ କରିପାରି ନ ଥାନ୍ତି। ତେବେ ସେମାନଙ୍କ ମଧ୍ୟରୁ ଆମେରିକୀୟ ମୂଳ ଭୂଖଣ୍ଡର ୫୦ଟି ରାଜ୍ୟରେ ବସବାସ କରୁଥିବା ଲୋକମାନଙ୍କୁ ଭୋଟଦାନର ଅଧିକାର ମିଳିଥାଏ। ଆମେରିକାର ୨୦୨୨ର ଜନଗଣନା ଅନୁସାରେ ଏବେ ମୂଳ ଭୂଖଣ୍ଡର ବିଭିନ୍ନ ରାଜ୍ୟରେ କେବଳ ପୋର୍ଟାରିକୋର ପ୍ରାୟ ୫୯ ଲକ୍ଷ ଲୋକ ବସବାସ କରୁଛନ୍ତି ଯେଉଁମାନେ ଭୋଟଦାନରେ ଅଂଶଗ୍ରହଣ କରିପାରିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମୂଳ ଭୂଖଣ୍ଡରେ ଶ୍ରମଶକ୍ତିର ଅଭାବ ଦେଖାଦେବାରୁ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସେଠାକୁ ସ୍ଥାନାନ୍ତରିତ କରାଯାଇଥିଲା।
ଅତି କମ ବ୍ୟବଧାନରେ ହାରଜିତର ଅନିଶ୍ଚିତତା ମଧ୍ୟରେ କଡ଼ା ମୁକାବିଲାରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ଛୋଟ ଛୋଟ ଘଟଣା, ମନ୍ତବ୍ୟମାନ ମଧ୍ୟ ନିର୍ବାଚନର ଫଳାଫଳକୁ ଏପାଖ ସେପାଖ କରିଦେଇପାରେ। ଇତିମଧ୍ୟରେ ସେଭଳି ଏକ ଘଟଣା ଘଟିଛି ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ଉଦ୍ଦେଶ୍ୟରେ ମାଡ଼ିସନ ସ୍କୋୟାର ଗାର୍ଡନଠାରେ ଆୟୋଜିତ ଏକ ସଭାରେ। ଟ୍ରମ୍ପଙ୍କ ସମର୍ଥକ ତଥା ଷ୍ଟାଣ୍ଡ-ଅପ୍ ହାସ୍ୟ ଅଭିନେତା ଟୋନି ହିଞ୍ଚକ୍ଲିଫଙ୍କର ପୋର୍ଟୋରିକୀୟଙ୍କ ପ୍ରତି ଏକ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଫଳରେ କେତେକ ଝୁଲନ୍ତ ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ପୋର୍ଟୋରିକୋକୁ ‘ଏକ ଭାସମାନ ଅଳିଆଗଦାର ଦ୍ୱୀପ’ (ଫ୍ଲୋଟିଂ ଆଇଲାଣ୍ଡ ଅଫ ଗାର୍ବେଜ୍) ବୋଲି ହିଞ୍ଚକ୍ଲିଫ୍ ଅବଜ୍ଞାସୂଚକ ମନ୍ତବ୍ୟ ପ୍ରଦାନ କରିଥିଲେ, ଯଦ୍ଦ୍ୱାରା ପୋର୍ଟୋରିକୀୟମାନେ ଅତ୍ୟଧିକ ଆଘାତପ୍ରାପ୍ତ ହୋଇଥିବା ପରିଲକ୍ଷିତ ହୋଇଛି। ଅବଶ୍ୟ ସେ ଏହା ମଜାରେ କହିଥିଲେ ବୋଲି ପରେ ସଫେଇ ଦେଇଥିଲେ ବି ମୂଳ ଭୂଖଣ୍ଡରେ ରହୁଥିବା ପୋର୍ଟୋରିକୀୟଙ୍କ ରାଗ ଭୋଟଦାନ ସମୟରେ ପ୍ରତିଫଳିତ ହେଉଛି କି ନାହିଁ, ତାହା ପରେ ଜଣାପଡ଼ିବ।
ତେବେ ଝୁଲନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ପେନସିଲଭାନିଆ ରାଜ୍ୟରେ ସର୍ବାଧିକ ପ୍ରାୟ ୪.୮୬ ଲକ୍ଷ ବା ୩.୭ ପ୍ରତିଶତ ମତଦାତା ହେଉଛନ୍ତି ପୋର୍ଟୋରିକୀୟ। ସେଠାରେ ଜନମତ ସର୍ଭେରେ ଟ୍ରମ୍ଫ ହାରିସଙ୍କଠାରୁ ମାତ୍ର ୦.୨ ପ୍ରତିଶତ ଆଗୁଆ ଅଛନ୍ତି। ତେବେ ଉପରୋକ୍ତ ନିନ୍ଦନୀୟ ଘଟଣା ପରେ ଟ୍ରମ୍ପଙ୍କୁ ଭୋଟ ଦେବାକୁ ସ୍ଥିର କରିଥିବା କିଛି ପୋର୍ଟୋରିକୀୟ ହୁଏତ ତାଙ୍କ ବିପକ୍ଷରେ ମତଦାନ କରିପାରନ୍ତି ବା ଭୋଟଦାନରୁ ବିରତ ରହିପାରନ୍ତି। ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ତାହା ହାରିସଙ୍କୁ ସୁହାଇବା କିଛି ବିଚିତ୍ର ନୁହେଁ। କାରଣ ଝୁଲନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ପେନସିଲଭାନିଆରେ ହିଁ ସର୍ବାଧିକ ୧୯ଟି ଇଲେକ୍ଟୋରାଲ କଲେଜ ଭୋଟ ରହିଛି। ସେହିପରି ଅନ୍ୟ ଏକ ଝୁଲନ୍ତ ରାଜ୍ୟ ଜର୍ଜିଆରେ ପ୍ରାୟ ୧.୩୧ ଲକ୍ଷ ବା ୧ ପ୍ରତିଶତ ପୋର୍ଟୋରିକୀୟ ଅଛନ୍ତି। ଏଠାରେ ଜନମତ ସର୍ଭେରେ ଟ୍ରମ୍ପ ମାତ୍ର ୨ ପ୍ରତିଶତ ଆଗୁଆ ଅଛନ୍ତି। ଅନ୍ୟ ଏକ ଝୁଲନ୍ତ ରାଜ୍ୟ ନର୍ଥ କାରୋଲିନାରେ ମଧ୍ୟ ପୋର୍ଟୋରିକୀୟଙ୍କ ସଂଖ୍ୟା ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତ, ଯାହା ଫଳାଫଳକୁ ପ୍ରଭାବିତ କରିପାରେ। ଏପରିକି ଝୁଲନ୍ତ ରାଜ୍ୟ ହୋଇ ନଥିଲେ ବି ୧୨ ଲକ୍ଷ ବା ଜନସଂଖ୍ୟା ବିଶିଷ୍ଟ ଫ୍ଲୋରିଡ଼ା ରାଜ୍ୟରେ ୫.୬ ପ୍ରତିଶତ, ୨.୯୯ ଲକ୍ଷ ବା ୮.୩ ପ୍ରତିଶତ ରହୁଥିବା କନେକ୍ଟିକଟ ରାଜ୍ୟ, ୩.୨୬ ଲକ୍ଷ ବା ୪.୭ ପ୍ରତିଶତ ରହୁଥିବା ମାସାଚୁସେଟସ୍ ରାଜ୍ୟ ଓ ପ୍ରାୟ ୧୦ ଲକ୍ଷ ପୋର୍ଟୋରିକୀୟ ରହୁଥିବା ନ୍ୟୁୟର୍କ ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।
କିଛି ଝୁଲନ୍ତ ରାଜ୍ୟରେ ବହୁ ସଂଖ୍ୟାରେ ଭାରତୀୟ ବସବାସ କରୁଥିବାରୁ ଟ୍ରମ୍ପ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗକୁ ଦୀପାବଳି ସମୟରେ ଉଠାଇଥିଲେ। ତାହାର ସେ କେତେ ଲାଭ ପାଇବେ ତାହା ଭୋଟ ପରେ ଜଣା ପଡ଼ିବାକୁ ଥିଲେ ବି କମଳା ହାରିସ ନିଜେ ଜଣେ ଭାରତୀୟ ମୂଳର ବ୍ୟକ୍ତି ହୋଇଥିବାରୁ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ଭୋଟ ତାଙ୍କ ସପକ୍ଷରେ ଅଧିକ ଯିବାର ସମ୍ଭାବନାକୁ ବି ଏଡ଼ାଇ ହେବନାହିଁ।
ଦୀର୍ଘ ଦିନ ପରେ ରାଷ୍ଟ୍ରପତି ନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଏତେ କ୍ଷୀଣ ବ୍ୟବଧାନ ଥିବା ଦେଖିବାକୁ ମିଳୁଥିବାରୁ ରଣଭୂମି ରାଜ୍ୟଗୁଡ଼ିକର ମତଦାତାଙ୍କ ନିର୍ଣ୍ଣୟ ସ୍ଥିର କରିବ ଆମେରିକାର ରାଷ୍ଟ୍ରପତି ଆସନରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିଷ୍ଠିତ ହେବେ ନା ଟ୍ରମ୍ପଙ୍କର ପୁଣି ଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ହେବ।
ଭୁବନେଶ୍ଵର, ମୋ- ୯୪୩୭୦୩୮୦୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।