ସୂର୍ଯ୍ୟମଣି ମିଶ୍ର
ବ୍ରିଟେନର କର୍ଣ୍ଣୱାଲରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଜି-୭ ଦେଶ ପକ୍ଷରୁ ଘୋଷଣା କରାଯାଇଥିଲା ଆମେ ବିଶ୍ୱର ଗରିବ ଦେଶକୁ ୧୦୦ କୋଟି ଭ୍ୟାକ୍ସିନ୍ ଦେବୁ। ଏହି ଘୋଷଣା ଉତ୍ସାହବର୍ଦ୍ଧକ ନିଶ୍ଚୟ, କିନ୍ତୁ ୧୦୦ କୋଟି ଭ୍ୟାକ୍ସିନ୍ ‘ଓଟ ମୁହଁରେ ଜିରା’ ଭଳି କଥା। ଅନ୍ୟପକ୍ଷରେ ଖବର ହେଉଛି ଯେ, ଆଫ୍ରିକାରେ କୋଭିଡ଼-୧୯ର ତୃତୀୟ ଲହର ଚାଲିଛି। ଗୋଟିଏ ମାସ ଭିତରେ ଏଠାରେ ଆକ୍ଟିଭ୍ କେସ୍ ଦୁଇଗୁଣା ହୋଇଯାଇଛି। ବ୍ରିଟେନରେ ମଧ୍ୟ ତୃତୀୟ ଲହର ଆସିଯାଇଛି।
ଇତିହାସ କୁହେ ମହାମାରୀର ଲହର ଆସେ, ପ୍ରଥମ ପରେ ଦ୍ୱିତୀୟ ଲହର ଆସିବା ଯାଏ ଇମ୍ୟୁନିଟି ସ୍ତର ବଢ଼ିଯାଇଥାଏ। କିନ୍ତୁ ଦକ୍ଷିଣ ଆଫ୍ରିକା ଏବଂ ଭାରତରେ ଏହା ଭୁଲ ବୋଲି ପ୍ରମାଣିତ ହୋଇଛି। ଏଥିପାଇଁ ସମ୍ଭାବ୍ୟ ଲହରକୁ ଆଖି ଆଗରେ ରଖି ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ହେବ। ଦେଖିବାକୁ ମିଳୁଛି ଟିକାକରଣରେ ବିସଙ୍ଗତି। ସାରା ବିଶ୍ୱରେ ଟିକାକରଣ ଗତ ଜାନୁଆରୀରୁ ଆରମ୍ଭ ହୋଇଛି। ଟିକାକରଣର ପରିସଂଖ୍ୟାନ ଉପରେ ଆଖି ପକାଇଲେ ଏହାର ଅସମାନତା ଦିଗ ଦେଖିବାକୁ ମିଳେ। ବିଶ୍ୱର ୧୯୦ରୁ ଅଧିକ ଦେଶରେ ଗତ ସପ୍ତାହ ମଧ୍ୟରେ ୨୩୪ କୋଟିରୁ ଅଧିକ ଜନସଂଖ୍ୟାଙ୍କ ମଧ୍ୟରେ ଟିକା ଲଗାଯାଇଛି। ବିଶ୍ୱର ଜନସଂଖ୍ୟା ହାରାହାରି ୭.୭ ଅରବ ବୋଲି ଗ୍ରହଣ କରାଗଲେ ଏହାର ଅର୍ଥ ହେଲା ହାରାହାରି ଏକତୃତୀୟାଂଶ ଜନସଂଖ୍ୟାକୁ ଟିକା ଲଗାଯାଇଛି।
ଉପଲବ୍ଧ ଡାଟା ଠିକ୍ ଭାବରେ ଜଣାପଡୁଛି ଟିକାକରଣର ବିଂସଗତିକୁ ଆମେରିକାରେ ୫୨, ଇୟୁରେ ୪୩, ବ୍ରିଟେନରେ ୬୧.୮, ଜର୍ମାନରେ ୪୮.୧, ଫ୍ରାନ୍ସରେ ୪୬.୫ , ଇଟାଲିରେ ୪୭.୮, ୟୁଏଇରେ ୪୭.୩, ଚୀନରେ ୩୧, ଦକ୍ଷିଣ କୋରିଆରେ ୨୨, ରୁଷ୍ରେ ୧୨.୩, ଜାପାନରେ ୧୨ ଏବଂ ଭାରତରେ ହାରାହାରି ୧୭.୦ ପ୍ରତିଶତ ଜନସଂଖ୍ୟାକୁ ଅତିକମରେ ଏକ ଡୋଜ୍ ଟିକା ଲଗାଯାଇଛି। ଅନ୍ୟପକ୍ଷରେ ଫିଲିପାଇନ୍ସରେ ୪.୧, ଥାଇଲାଣ୍ଡରେ ୬.୩, ଇଣ୍ଡୋନେସିଆରେ ୭.୪, ଇରାନରେ ୪.୭, ମିଶରରେ ୨.୮, ମିଆଁମାରରେ ୩.୪, ପାକିସ୍ତାନରେ ୩.୬, ବାଂଲାଦେଶରେ ୩.୫, ଶ୍ରୀଲଙ୍କାରେ ୯.୩, ଇଥୋପିଆରେ ୨.୦, ଭିଏତନାମାରେ ୧.୪, ଇରାକରେ ୧.୧, ଆଫଗାନିସ୍ତାନରେ ୧.୩, ସୁଦାନରେ ୧.୦, ଭେନେଜ୍ୱାଲାରେ ୦.୮, ୟେମେନରେ ୦.୭, କାମେରୁନରେ ୦.୩ ଏବଂ ଆଲବେରିଆ ଓ ଦକ୍ଷିଣ ସୁଦାନରେ ୦.୧ ପ୍ରତିଶତ ଲୋକଙ୍କୁ ଟିକା ଲଗାଯାଇଛି। ଅନେକ ଦେଶରେ ଟିକାକରଣ ଆରମ୍ଭ ହୋଇନଥିବା ଯାହା ବ୍ଲୁମବର୍ଗ ଭ୍ୟାକ୍ସିନ୍ ଟ୍ନେକରରେ ଲିପିବଦ୍ଧ ଡାଟାରୁ ସୂଚନା ମିଳିଛି। ଆମେରିକାଠାରୁ ଇୟୁ ଦେଶ ପଛରେ ରହିଛି। ଭାରତ, ରୁଷ ଏବଂ ଦକ୍ଷିଣ କୋରିଆ ଟିକାକରଣରେ ଏହି ଦେଶଠାରୁ ପଛରେ। ଆଫ୍ରିକା ସବୁଠୁ ପଛରେ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ରୁଚିର ଅଗ୍ରୱାଲ ଏବଂ ଗୀତା ଗୋପିନାଥଙ୍କ କହିବା କଥା ଅନୁଯାୟୀ ଏହି ବର୍ଷ ଶେଷ ସୁଦ୍ଧା ବିଶ୍ୱରେ ୪୦ ପ୍ରତିଶତ ଜନସଂଖ୍ୟାରୁ ଆଗାମୀ ବର୍ଷ ଜୁଲାଇ ମଧ୍ୟରେ ୬୦ ପ୍ରତିଶତ ଜନସଂଖ୍ୟାକୁ ଭ୍ୟାକ୍ସିନ୍ ଲଗାଯାଇପାରିବ। ତେବେ ଟେଷ୍ଟିଂ ଓ ଟ୍ରେସିଂକୁ ବ୍ୟାପକ କରାଯାଉଛି। ପ୍ରତି ବ୍ୟକ୍ତି ପାଇଁ ଟିକା ଦେବାରେ ୨୮୦ ଟଙ୍କା ବ୍ୟୟ ହେବ। ଇଣ୍ଟରନ୍ୟାସନାଲ୍ ଫେଡ଼େରେସନ ଅଫ୍ ଫାର୍ମାସ୍ୟୁଟିକାଲ୍ ମେନୁଫେକ୍ଚର୍ସ ଆଣ୍ଡ୍ ଆସୋସିଏସନ୍ସ ୨୩ ଅପ୍ରେଲରେ କହିଛି ୨୦୨୧ ଶେଷ ସୁଦ୍ଧା ସାରା ବିଶ୍ୱ ପାଇଁ ୧୦୦୦ କୋଟି ଭ୍ୟାକ୍ସିନ୍ ଡୋଜ୍ ନିର୍ମାଣ ସମ୍ଭବ। ବିଶ୍ୱରେ ଉଚ୍ଚ ଆୟବର୍ଗ ଦେଶର ମୋଟ ଜନସଂଖ୍ୟା ହେଉଛି ୧୨୦ କୋଟି ଅରବ। ମଧ୍ୟମ ଆୟବର୍ଗ ଦେଶର ଜନସଂଖ୍ୟା ୧୨୦ କୋଟି। ଭାରତ ଏବଂ ଚୀନ୍ ଜନସଂଖ୍ୟା ପାଖାପାଖି ସମାନ, ତେଣୁ ମୋଟ ୧୪୦ ଓ ୧୪୦ କୋଟି ମିଶି ୨୮୦ କୋଟି। ନିମ୍ନ ଆୟବର୍ଗର ୯୨ ଦେଶରେ ଜନସଂଖ୍ୟା ହେଉଛି ୨୫୦ କୋଟି। ମୋଟ ୭୭୦ କୋଟି ଲୋକଙ୍କୁ ଆଗାମୀ ବର୍ଷ ଅପ୍ରେଲ ମଧ୍ୟରେ ଭ୍ୟାକ୍ସିନ୍ ଦେବାର ଯୋଜନା ବିଶ୍ୱକୁ ତିଆରି କରିବାକୁ ହେବ। ଏହା ସମ୍ଭବ ହେଲେ କରୋନା ମହାମାରୀ ଭଳି ଘାତକ ବିପଦରୁ ଲୋକ ରକ୍ଷା ପାଇପାରିବେ।
ବ୍ରିଟେନରେ ଅନୁଷ୍ଠିତ ଜି-୭ ଦେଶର ଶିଖର ସମ୍ମିଳନୀରେ ଯଦିଓ ମୁଖ୍ୟ ଚିନ୍ତା ଥିଲା ଚୀନକୁ ଘେରାବନ୍ଦୀ କରିବା ଉପରେ କେନ୍ଦ୍ରିତ। କିନ୍ତୁ ଭାଇରସରୁ ରକ୍ଷା ପାଇଁ ଟିକାକରଣ କିପରି ସୁନିଶ୍ଚିତ ହେବ ସେ ଦିଗରେ ଯଦିଓ ଆଲୋଚନା କରାଯାଇଥିଲା କିନ୍ତୁ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇନଥିବା ଜଣାପଡ଼ିଥିଲା। ଅନ୍ତର୍ଜାତୀୟ ସମୟ ସଂଗଠନର ଅନୁମାନ ଯେ, ଏହି ମହାମାରୀ ଯୋଗୁଁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ୧୦ ଲକ୍ଷ କୋଟି ଡଲାର କ୍ଷତି ହେବ। କେବଳ ଭ୍ୟାକ୍ସିନ୍ ବା ଟିକାକରଣରେ ଅସମାନତା ନୁହେଁ, କରୋନା ମହାମାରୀ ସମୟରେ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଅସମାନତା ଚିତ୍ର ଦେଖିବାକୁ ମିଳିଛି। ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛଳ ବର୍ଗର ପିଲାମାନେ ଇଣ୍ଟରନେଟରେ ଡିଜିଟାଲ ଶିକ୍ଷା ପାଇପାରୁଥିବାବେଳେ ଗରିବ ପିଲାମାନେ ଏଥିରୁ ବଂଚିତ ହୋଇଛନ୍ତି। ଗାଁରୁ ସହର ଯାଏ ସବୁଠି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବା ପାଇବା ଦିଗରେ ଅସମାନତାର ବିଷମ ଚିତ୍ର ସ୍ପଷ୍ଟ ଜଣାପଡୁଛି। କେବଳ ଭାରତରେ ହିଁ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଯେଉଁ ଦୁର୍ଗତି, ଅସମାନତା ଓ ସରକାରଙ୍କ ବିଫଳତା ଦେଖିବାକୁ ମିଳିଛି ତାହା ବିଶ୍ୱର ଅନେକ ଦେଶରେ ମଧ୍ୟ ଦେଖିବାକୁ ମିଳୁଛି।
ଏହି ଅସମାନତା ଦିଗ ଉପରେ ବିଭିନ୍ନ ଦେଶର ସରକାର ଦୃଷ୍ଟି ଦେବା ସହ ଅସମାନତା ଦୂର ପାଇଁ ପଦକ୍ଷେପ ନେବା ଜରୁରୀ। ନଚେତ କେବଳ ଟିକା ନପାଇ ଅନେକ ଲୋକଙ୍କର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁର ଆଶଙ୍କା ରହିଛି, ଚିକିତ୍ସା ସେବା ନପାଇ ମଧ୍ୟ ଅନେକଙ୍କର ଜୀବନର ଦ୍ୱୀପ ଲିଭିଯାଇପାରେ। ଏଥିପ୍ରତି ସରକାର ସମ୍ବେଦନଶୀଳ ହେବା ଜରୁରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।