ଜାନକୀଶ ବଡପଣ୍ଡା
ଦୀର୍ଘ ୪୬ ବର୍ଷ ପରେ ବହୁ ଦାବି ଓ ବାଦାନୁବାଦ ପରେ ଶେଷରେ ଗତ ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାର ଓ ଜୁଲାଇ ୧୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଏହାର ଅଳଙ୍କାର ସବୁକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ଏସଓପି ଅନୁସାରେ ସ୍ଥାନାନ୍ତର କରାଯାଇଛି। ଗତ ଶୁକ୍ରବାର ଅଗଷ୍ଟ ୨୩ ତାରିଖ ଦିନ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇସାରିଛି। ଏବେ ଏଏସ୍ଆଇ ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରି ସର୍ବେକ୍ଷଣ ଓ ଆବଶ୍ୟକୀୟ ମରାମତି କରିବା ସହିତ ସେଠାରେ ଗୁମ୍ଫା କିମ୍ବା ଅନ୍ୟ ଏକ ଗୋପନୀୟ ଭଣ୍ଡାରର ଅବସ୍ଥିତି ବିଷୟରେ ସ୍ପଷ୍ଟ କରିବାରେ କିଛି ବି ବାଧା ନାହିଁ।
ସ୍ୱୟଂ ଶ୍ରୀଜଗନ୍ନାଥ ଓ ତାଙ୍କର ରତ୍ନଭଣ୍ଡାର ଯୁଗେ ଯୁଗେ ରହସ୍ୟମୟ। ରତ୍ନଭଣ୍ଡାରକୁ ନେଇ ଲୋକମୁଖରେ ଅନେକ ରହସ୍ୟ ଓ ଅନ୍ଧବିଶ୍ୱାସ। କୁହାଯାଏ ଯେ, ୧୫୬୮ ସୁଦ୍ଧା ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ ବିଭିନ୍ନ ରାଜାଙ୍କୁ ପରାସ୍ତ କରି ସେମାନଙ୍କଠାରୁ ୪୬ଟି ସୁନା ମୁକୁଟ ପାଇଥିଲେ। ୧୮୦୩ ରେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ଗଣତି ବେଳେ ୪୬ଟି ସୁନା ମୁକୁଟ ଥିଲା ବୋଲି କୁହାଗଲା; ଯାହା ୧୯୭୮ ମସିହା ଗଣତି ବେଳକୁ କୁଆଡେ ୩୪କୁ ଖସି ଆସିଥିଲା। ୧୨ଟି ସୁନା ମୁକୁଟ କୁଆଡ଼େ ଗଲା ବୋଲି ପ୍ରଶ୍ନର ଉତ୍ତର କାହାପାଖରେ ନାହିଁ। ରତ୍ନଭଣ୍ଡାର ଭିତରେ ଆହୁରି ଅଧିକ ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ଥିବା ନେଇ ଚର୍ଚ୍ଚା ଆଲୋଚନାରେ ଆଜି ଯାଏଁ ପୂର୍ଣ୍ଣଛେଦ ପଡ଼ିନାହିଁ। ୧୯୭୮ର ଗଣତି ଆଧାରରେ ଭିତର ରତ୍ନ ଭଣ୍ଡାରରେ ୧୪୯ କେଜି ସୁନା ଓ ୨୫୮ କେଜି ରୁପା ଅଛି ବୋଲି ତଥ୍ୟ ପ୍ରକାଶ ପାଇଥିଲା। ଏହି ୪୬ ବର୍ଷ ମଧ୍ୟରେ ରତ୍ନ ଭଣ୍ଡାରରୁ ବହୁ ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ ଆସିଛି; ଯାହାକୁ କୌଣସି ସରକାର ଖଣ୍ଡନ କରିନାହାନ୍ତି। ବରଂ, ଲୋକଙ୍କ ସନ୍ଦେହ ଦୂର କରିବାକୁ ଶତଦାବି ସତ୍ତ୍ୱେ ପୂର୍ବ ସରକାର ରତ୍ନଭଣ୍ଡାର ନଖୋଲି ସନ୍ଦେହକୁ ପୁଷ୍ଟ କରିଥିଲେ। ରତ୍ନଭଣ୍ଡାର ମଧ୍ୟରେ ସର୍ପ ଓ ବିଭିନ୍ନ କାଳ୍ପନିକ ସରୀସୃପ ଥିବାର ଆଲୋଚନା କିଛି କମ୍ ରୋଚକ ଓ ରହସ୍ୟମୟ ନଥିଲା।
ମନେ ହେଉଥିଲା, କେହି ଏଭଳି ଭୟ ଓ ଭ୍ରାନ୍ତି ସୃଷ୍ଟି କରି ରତ୍ନଭଣ୍ଡାର କିପରି ଖୋଲା ଯାଇ ପାରିବନି ସେଥିପାଇଁ ଅଧିକ ଯତ୍ନବାନ୍ ଓ ସକ୍ରିୟ ରହିଛନ୍ତି! ୨୦୧୮ ମସିହାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରି ଏହି ରହସ୍ୟକୁ ବଳ ଦେଇଥିଲା। କେଉଁ ପରିସ୍ଥିତିରେ ଚାବି ହଜିଲା, ତା’ର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ପୂର୍ବ ସରକାର ଏକ କମିଶନ ଗଠନ କରିଥିଲେ। କମିଶନ ନିର୍ଦ୍ଧାରିତ ସମୟରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ତାହା ବିଧାନସଭାରେ ଉପସ୍ଥାପିତ ନହୋଇ ଶୀତଳ ଭଣ୍ଡାରରେ ରଖି ଦିଆଗଲା। ସେଥିପାଇଁ, ଗତ ସାଧାରଣ ନିର୍ବାଚନରେ ରତ୍ନଭଣ୍ଡାର ପ୍ରସଙ୍ଗ ଏକ ପ୍ରମୁଖ ନିର୍ବାଚନ ପ୍ରସଙ୍ଗରେ ପରିଣତ ହେଲା ଓ ସରକାରୀ ଦଳ ହାରିଗଲା।
ନିର୍ବାଚନ ପୂର୍ବରୁ ଲୋକଙ୍କ କ୍ରୋଧକୁ ପ୍ରଶମିତ କରିବାକୁ ଗତ ଫେବୃୟାରୀ ୨୯ ତାରିଖରେ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ନବୀନ ସରକାର ରତ୍ନଭଣ୍ଡାର ସାମଗ୍ରୀ ଗଣତି କରିବା ପାଇଁ ୧୦ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ହେଁ, ତାହା ନିର୍ବାଚନ ପରେ ହେବାକୁ ଥିବାରୁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ନୂଆ ସରକାର ଗଠନ ହେଲା ପରେ ଠିକ୍ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଜଷ୍ଟିସ୍ ପଶାୟତ ଓଡ଼ିଶା ଆସିବା ଏବଂ ଏଏସଆଇର ରାଜ୍ୟ ଅଧୀକ୍ଷକ ଡି.ବି. ଗଡ଼ନାୟକ ଜୁଲାଇ ୮ ତାରିଖ ଅର୍ଥାତ୍ ରଥଯାତ୍ରା ପରଦିନ ରତ୍ନଭଣ୍ଡାର ଖୋଲାଯିବ ବୋଲି କହି ଚହଳ ସୃଷ୍ଟି କରିଦେଲେ। ବାଧ୍ୟ ହୋଇ ଏନେଇ ସ୍ପଷ୍ଟ କରିବାକୁ ପଡ଼ିଲା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ। ସରକାର ହିଁ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଲା ପରେ ରହସ୍ୟମୟ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଧିକ ରହସ୍ୟମୟ ହୋଇଗଲା ଯେମିତି।
ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ ସାମଗ୍ରୀର ଗଣତି କରାଯାଇଥିଲା। ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା। ଏହି ତଥ୍ୟ ଏବେ ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି। ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ହୀରା, ନୀଳା, ମଣି ଓ ମାଣିକ୍ୟ ଭଳି ରତ୍ନ ପଥର ସହିତ ସୁନା ତିଆରି ସ୍ବର୍ଣ ଅଳଙ୍କାର ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିବାର କୁହା ଯାଇଥିଲା। ସେହିପରି ମୂଲ୍ୟବାନ ପଥର ସହିତ ରୂପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା। ସରକାରୀ ତଥ୍ୟ ମୁତାବକ ସେତେବେଳେ ଆଉ ୧୪ଟି ସୁନା ଓ ରୂପା ତିଆରି ପଦାର୍ଥ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହାର ପରିମାଣ ଉପରୋକ୍ତ ସୁନା ଓ ରୂପା ସାମଗ୍ରୀରେ ଅନ୍ତର୍ଭକ୍ତ ହୋଇପାରି ନଥିଲା।
ନୂଆ ସରକାର ବହୁ ଆଶା ଓ ଆଶଙ୍କାର ଅନ୍ତ ଘଟାଇ ଜଷ୍ଟିସ୍ ପଶାୟତ କମିଟି ସ୍ଥାନରେ ଜଷ୍ଟିସ୍ ବିଶ୍ୱନାଥ ରଥ କମିଟି ଗଠନ କଲେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀଙ୍କୁ ନିଯୁକ୍ତି ଦେଲେ। କମିଟି ବିଚାର ବିମର୍ଶ କରି ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (ଏସଓପି) ଅନୁସାରେ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ତାରିଖ ସ୍ଥିର କଲେ। ନିର୍ଦ୍ଧାରିତ ଦିବସ ଦିନ ୧ଟା ୨୮ରେ ପାରମ୍ପରିକ ଢଙ୍ଗରେ ରତ୍ନ ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କ ପୂଜା ପରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ସମସ୍ତ ଜିନିଷପତ୍ରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯାଇଥିଲା। ଏହାପରେ ତାଲା ଭଙ୍ଗାଯାଇ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା। କାରଣ ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିନଥିଲା। ତେଣୁ ଏସ୍ଓପି ଅନୁସାରେ ତାଲା ଭାଙ୍ଗି ଭିତର-ଭଣ୍ଡାର ଖୋଲାଗଲା। କମିଟିର ସଦସ୍ୟଗଣ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମାରୀରେ ସ୍ୱର୍ଣ୍ଣ ଅଳଙ୍କାର ରହିଥିବାର ଦେଖିଥିଲେ ହେଁ ସମୟ ଅଭାବରୁ ସ୍ଥାନାନ୍ତରଣ କରି ପାରିନଥିଲେ। ଜୁଲାଇ ୧୮ରେ ଭିତର-ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାର ସବୁକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ଏସଓପି ଅନୁସାରେ ସ୍ଥାନାନ୍ତର କରାଯାଇ ଜଉମୁଦ ଦିଆଯାଇ ନିରାପଦରେ ରଖାଯାଇଛି। ସେବେଠୁ, ଖାଲି କରାଯାଇଥିବା ସିନ୍ଦୁକ ଓ ଆଲମାରୀ ଗୁଡିକ ରତ୍ନଭଣ୍ଡାର ମଧ୍ୟରେ ରହିଥିଲା।
ଶୁକ୍ରବାର ଅଗଷ୍ଟ ୨୩ ତାରିଖ ଦିନ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରାଗଲା। ବାହାର ରତ୍ନଭଣ୍ଡାରରେ ଥିବା ଗୋଟିଏ ଲୁହା ସିନ୍ଦୁକ, ଭିତର ରତ୍ନଭଣ୍ଡାରରେ ଥିବା ୨ଟି କାଠ ଆଲମିରା, ଗୋଟିଏ ଲୁହା ଆଲମିରା, ୨ଟି କାଠ ସିନ୍ଦୁକକୁ ମିଶାଇ ମୋଟ ୭ଟି ଆଲମିରା ଓ ସିନ୍ଦୁକକୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପାର୍ଶ୍ୱ ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। କାଠ ତିଆରି ଆଲମିରା ଓ ସିନ୍ଦୁକ ପୋକ ଖାଇ ନଷ୍ଟ ହୋଇଯାଇଥିଲା ଏବଂ ସିନ୍ଦୁକକୁ ବାହାରକୁ ଆଣିବାରେ ଅସୁବିଧା ହେବାରୁ ବାହାର-ଭଣ୍ଡାର ଘରର ଦ୍ୱାରବନ୍ଧ କଟାଯାଇଥିଲା। ପରେ ଏହାକୁ ମରାମତି କରାଯାଇଛି। ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ଆବଶ୍ୟକ ମରାମତି କରିବାକୁ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ। ଉନ୍ନତମାନର ଅନୁଷ୍ଠାନ ଦ୍ୱାରା ଯାଞ୍ଚ ପ୍ରକ୍ରିୟା କରିବା ସହ ଲେଜର ସ୍କାନିଂ ଓ ଜିପିଆର୍ଏସ୍ ଦ୍ୱାରା ଯାଞ୍ଚ ପାଇଁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।
ରତ୍ନ ଭଣ୍ଡାର ଭିତରୁ ସୁସୁ ଗର୍ଜନ ବାହାରୁ ନଥିଲା ଓ ତାହା ଭିତରେ ରହୁନଥିଲେ ଭୟଙ୍କର ସାପ। ଏ ପର୍ଯ୍ୟନ୍ତ ଭଣ୍ଡାର ଭିତରୁ ମିଳିନାହିଁ ମଣିଷ ଖପୁରୀ ଓ ନର କଙ୍କାଳ। ସବୁ ଅନ୍ଧ ବିଶ୍ୱାସ ଓ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ଭିତର ରତ୍ନଭଣ୍ଡାରକୁ ଦୀର୍ଘ ୪୬ ବର୍ଷ ପରେ ଖୋଲି ସୁରକ୍ଷିତ ଭାବରେ ବାହାରକୁ ଫେରି ଆସିଲେ ଜଷ୍ଟିସ୍ ରଥ ଓ ତାଙ୍କର ସମସ୍ତ ସଦସ୍ୟ। ସ୍ପଷ୍ଟ ହୋଇଗଲା ଯେ, ବହୁଳ ପ୍ରଚାରିତ କାହାଣୀଗୁଡ଼ିକ ଥିଲା ଅନ୍ଧବିଶ୍ୱାସ ଆଧାରିତ, ମନୁଷ୍ୟକୃତ। ତେବେ, ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି କି ନାହିଁ ଏବଂ ତା ଭିତରେ କୌଣସି ଗୁପ୍ତ ରହସ୍ୟମୟ ସୁଡ଼ଙ୍ଗ କିମ୍ବା ପ୍ରକୋଷ୍ଠ ଅଛି କି ନାହିଁ, ତାହା ଆଗାମୀ ଦିନରେ ଏଏସଆଇ ନିଶ୍ଚୟ ସ୍ପଷ୍ଟ କରିବେ, ଯେଉଁଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।
ଲୋକଙ୍କ ଭାବାବେଗ ଓ ଧର୍ମଭାବନାକୁ ସମ୍ମାନ ଜଣାଇ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଶ୍ରୀଲୋକନାଥଙ୍କ ଠାରୁ ଆଜ୍ଞାମାଳ ଅଣା ଯାଇଥିଲା। ପରେ ବିମଳା ମନ୍ଦିରରେ ଚଣ୍ଡିପାଠ କରାଯାଇ ଏବଂ ମା’ ଲକ୍ଷ୍ମୀଙ୍କ ନିକଟରୁ ଅନୁମତି ଆଣିବା ପରେ ମୋଟ ୧୧ ଜଣ ସଦସ୍ୟ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ସମସ୍ତେ ମହାପ୍ରଭୁଙ୍କୁ ପ୍ରଣାମ କରି, ଶ୍ରୀଜଗନ୍ନାଥଙ୍କ ନାମ ନେଇ, ତାଙ୍କର ଆଶୀର୍ବାଦ ଭିକ୍ଷା କରି, ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସ୍ଆଇ ଅଧୀକ୍ଷକ, ରତ୍ନଭଣ୍ଡାର ସବ୍ କମିଟିର ଜଣେ, ଉଚ୍ଚସ୍ତରୀୟ କମିଟିର ୨ ସଦସ୍ୟ, ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର ବି ଭିତରକୁ ଯାଇଥିଲେ। ସମସ୍ତେ ପାରମ୍ପରିକ ପୋଷାକରେ ଭିତରକୁ ଯାଇଥିଲେ। ଏମାନଙ୍କ ସହ ଓଡ୍ରାଫ୍, ସ୍ନେକ ହେଲପଲାଇନ୍ ଏବଂ ଡାକ୍ତରୀ ଦଳ ମଧ୍ୟ ବେଢ଼ା ଭିତରେ ପ୍ରସ୍ତୁତ ହୋଇ ରହିଥିଲେ। ୬ଟି ନୂଆ ସିନ୍ଦୁକ ଅଣାଯାଇଥିଲା, ଯେଉଁଥିରେ ଅଳଙ୍କାର ଗୁଡ଼ିକୁ ରଖାଯାଇଥିଲା। କମିଟି ଫେରିବା ପୂର୍ବରୁ ପୁଣି ଥରେ ରତ୍ନଭଣ୍ଡାରରେ ଚାବି ଦେଇ ଚାବିଗୁଡ଼ିକୁ ଟ୍ରେଜେରୀରେ ଜମା କରାଯାଇଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ସରିଛି, ସବୁ ଅଳଙ୍କାର ମଧ୍ୟ ସ୍ଥାନାନ୍ତରଣ କରାଯାଇ ସାରିଛି। ହେଲେ, ଆଜି ଯାଏଁ ଗଣତି ଆରମ୍ଭ ହୋଇନି। ତାହା ସରିବା ପରେ କିଛି ମାତ୍ରାରେ ସଂଶୟ ଦୂର ହୋଇ ପାରିବ। ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ସନ୍ଦେହ ହେଉଥିବାରୁ ଗଣତି ନସରିବା ଯାଏଁ ସନ୍ଦେହ ରହିବା ସ୍ୱାଭାବିକ। ଆଲୋଚନା ହେଉଛି ଯେ ରତ୍ନ ଭଣ୍ଡାର ଘରକୁ ଲାଗି ରହିଛି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ। ଏ ଭଳି ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ିପାରିନି; ଯାହାର ଦ୍ୱନ୍ଦ୍ୱ ଦୂର ଲାଗି ପ୍ରଥମେ ଉନ୍ନତ ଟେକ୍ନୋଲୋଜି ବା ଆଧୁନିକତମ ବୈଷୟିକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ସନ୍ଦେହ ମୋଚନ ସାରିବା ପରେ ଯାଇ ଭଣ୍ଡାର ଘର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ।
ବିଭିନ୍ନ ସମୟରେ ଶ୍ରୀମନ୍ଦିର ଗବେଷକ ଓ ଐତିହାସିକଙ୍କ ମତାମତ ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଦବେଳିତ ଅନେକ ସଂଶୟ ଦୂର ପାଇଁ ଉଦ୍ୟମ କରିଚାଲିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି। ଲୋକଙ୍କ ଭାବାବେଗକୁ ସମ୍ମାନ ଓ ଗୁରୁତ୍ୱ ଦେଇ ଅତ୍ୟନ୍ତ ଧୀର ଗତିରେ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି। ଦୀର୍ଘକାଳ ଧରି ବନ୍ଦ ହୋଇ ରହିଥିବା ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବି ସହିତ ପରେ ସଂସ୍କୃତି ଓ ଐତିହ୍ୟପ୍ରେମୀ ଯୋଡ଼ିଥିଲେ ଶ୍ରୀ ମନ୍ଦିରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରତ୍ନ ଭଣ୍ଡାରର ମରାମତି ଦାବି। ଯେହେତୁ ଶ୍ରୀମନ୍ଦିର ବହୁ ପୁରୁଣା, ତେଣୁ ତାର ଢାଞ୍ଚା ଉପରେ ଯେପରି କୌଣସି ଆଞ୍ଚ ନଆସେ, ତାହାକୁ ପ୍ରାଧାନ୍ୟ ଦେବାକୁ ଦାବି ହେଉଥିଲା। ଏସବୁ ଦାବି ପୂରଣ କରିବା ପାଇଁ ଆଗେଇ ଆସିଥିବା ସରକାରଙ୍କ ପାଇଁ ନିଜର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା ନିଶ୍ଚୟ ସମାନ ଗୁରୁତ୍ୱପୂର୍ଣ୍ଣ। ଏଣୁ, ଯେପରି ଭବିଷ୍ୟତରେ ଆଉ ଦ୍ୱନ୍ଦ୍ୱ ନ ଆସିବ ତାକୁ ଆଖି ଆଗରେ ରଖି ମାର୍ଗଦର୍ଶିକା ପ୍ରସ୍ତୁତ କରାହେଉଛି ଏବଂ ଅତ୍ୟନ୍ତ ସତର୍କତାର ସହିତ ପଦକ୍ଷେପ ନେଉଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ କମିଟି। ଯଦି ଏଏସ୍ଆଇ କିଛି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ଥିବାର ସନ୍ଧାନ ପାଇବେ, ତାହା ହେଲେ ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ ହେବ। ଯଦି, ଏଏସ୍ଆଇ ସମସ୍ତ କଳ୍ପନା ଜଳ୍ପନାକୁ ମିଥ୍ୟା ଆଶଙ୍କା ବୋଲି ପ୍ରମାଣିତ କରନ୍ତି, ମରାମତି କାମ ସରିବା ସହଜ ହେବ। କେବଳ ବାକି ରହିବ ମଣି-ମାଣିକ୍ୟ-ରତ୍ନ-ଖଚିତ ଅଳଙ୍କାର ସବୁର ଓଜନ ଓ ଗଣତି, ୧୯୭୮ ମସିହାରେ ପ୍ରସ୍ତୁତ ତାଲିକା ସହ ମେଳକ ଇତ୍ୟାଦି। ଏହି କାମଟି ଅତ୍ୟନ୍ତ ଜଟିଳ – ଏଇଥିପାଇଁ ଯେ, ଅଳଙ୍କାର ସବୁର ଓଜନ ଓ ମୂଲ୍ୟାୟନ କାମ କରିବାପାଇଁ ଜହୁରୀ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ଏବଂ ଶ୍ରୀ ମନ୍ଦିର ଭିତରେ ପୂଜା, ଦର୍ଶନ ଚାଲିଥିଲା ବେଳେ, ଜହୁରୀମାନେ ରତ୍ନ ଭଣ୍ଡାର ଭିତରେ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ରାଜି ହେବା ମଧ୍ୟ କଷ୍ଟକର କଥା। ଆବଶ୍ୟକ ପଡ଼ିଲେ, ଦର୍ଶନ ବ୍ୟବସ୍ଥାକୁ କିଛିକାଳ ପାଇଁ ବନ୍ଦ କରିବାକୁ ପଡ଼ିପାରେ। ଯଦି ଏଏସ୍ଆଇ କିଛି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ଥିବାର ସନ୍ଧାନ ପାଇବେ କିମ୍ବା ଗଣତି ପରେ ମଣତି ବେଳେ, ତାଲିକାରେ ଅମେଳ ରହିବ, ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା କରାଯାଇପାରେ। ତେଣୁ, ରାଜ୍ୟ ସରକାର ତରବର ନହୋଇ ଧୀରମନ୍ଥର ଗତିରେ, ସମସ୍ତ ଦିଗକୁ ବିଚାରକୁ ନେଇ ଆଗଉଥିବାର ଲକ୍ଷ୍ୟ କରାଯାଉଛି। ନିଜକୁ ସ୍ବଚ୍ଛ ଓ ବିବାଦମୁକ୍ତ ରଖିବାକୁ କମିଟି ପକ୍ଷରୁ ସମସ୍ତ ପ୍ରଯତ୍ନ କରା ଯାଉଥିବାର ମଧ୍ୟ ଲକ୍ଷ କରାଯାଉଛି।
ଓଡ଼ିଆରେ କଥା ଅଛି, ବିଳମ୍ବେ କାର୍ଯ୍ୟସିଦ୍ଧି। ଏଣୁ, ବିଳମ୍ବ ହେଉ ପଛେ, କାର୍ଯ୍ୟସିଦ୍ଧି ହେବା ଶୁଭଙ୍କର।
ଫୋ- ୯୪୩୮୨୯୯୦୩୭