ଭାଇରସ୍‍ରୁ ଭେକ୍‍ସିନ୍‍ ଯାଏ

ସୂର୍ଯ୍ୟମଣି ମିଶ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୫ ମାର୍ଚ୍ଚ, ୨୦୨୧(ଗୁରୁବାର) ଦିଆଯାଇଥିବା ପରିସଂଖ୍ୟାନ ଅନୁସାରେ ଦେଶରେ ୫ ମାସ ପରେ କରୋନା ସଂକ୍ରମଣ ସଂଖ୍ୟା ୫୩ ହଜାର ୪୭୬ରେ ପହଂଚିଛି। ତା’ ପୂର୍ବ ୨୪ ଘଣ୍ଟା ମଧ୍ୟରେ ୨୫୧ ଲୋକଙ୍କର ମୃତ୍ୟୁ ଘଟିଛି। ଓଡ଼ିଶାରେ ଏହି ସମୟରେ ୧୭୦ ନୂଆ ସଂକ୍ରମଣ ମାମଲା ସାମ୍‍ନାକୁ ଆସିଛି। ମହାରାଷ୍ଟ୍ରଠାରୁ ଝାଡ଼ଖଣ୍ଡ ପୁଡୁଚେରି ଯାଏ ସବୁଠି ଏହିଭଳି ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି। ଏହାକୁ ନେଇ ସୃଷ୍ଟି […]

covid-vaccine

Debendra Prusty
  • Published: Friday, 26 March 2021
  • , Updated: 26 March 2021, 08:50 PM IST
  • ସୂର୍ଯ୍ୟମଣି ମିଶ୍ର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୫ ମାର୍ଚ୍ଚ, ୨୦୨୧(ଗୁରୁବାର) ଦିଆଯାଇଥିବା ପରିସଂଖ୍ୟାନ ଅନୁସାରେ ଦେଶରେ ୫ ମାସ ପରେ କରୋନା ସଂକ୍ରମଣ ସଂଖ୍ୟା ୫୩ ହଜାର ୪୭୬ରେ ପହଂଚିଛି। ତା’ ପୂର୍ବ ୨୪ ଘଣ୍ଟା ମଧ୍ୟରେ ୨୫୧ ଲୋକଙ୍କର ମୃତ୍ୟୁ ଘଟିଛି। ଓଡ଼ିଶାରେ ଏହି ସମୟରେ ୧୭୦ ନୂଆ ସଂକ୍ରମଣ ମାମଲା ସାମ୍‍ନାକୁ ଆସିଛି। ମହାରାଷ୍ଟ୍ରଠାରୁ ଝାଡ଼ଖଣ୍ଡ ପୁଡୁଚେରି ଯାଏ ସବୁଠି ଏହିଭଳି ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି। ଏହାକୁ ନେଇ ସୃଷ୍ଟି ହୋଇଛି ଭୟ, ଦେଖାଦେଇଛି ପ୍ରଶ୍ନ। ଭେକ୍‍ସିନ୍‍ ପ୍ରକ୍ରିୟା ଦୁଇ ମାସରୁ ଅଧିକ ସମୟ ଧରି ଆରମ୍ଭ ହୋଇଛି। ଲକ୍ଷାଧିକ ଲୋକ ଭେକ୍‍ସିନ୍‍ ବା ଟୀକା ନେଇ ସାରିଛନ୍ତି। ସାଇଡ୍‍ ଇଫେକ୍ଟକୁ ନେଇ ବେଳେବେଳେ କେଉଁଠି ନା କେଉଁଠି ଆଶଙ୍କାର ଖବର ଆସିଛି। ଯାହାର ସତ୍ୟତା ନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି ମନରେ। ଜଣାଶୁଣା ବିଶେଷଜ୍ଞଙ୍କ ସହ କଥା ହେବା ପରେ ଶଙ୍କା ଦୂର କରିବାର ଉଦ୍ୟମ ହେବା ଉଚିତ୍‍।

ପ୍ରଶ୍ନ ହେଉଛି କାହିଁକି ବଢୁଛି ସଂକ୍ରମଣ? ଲକ୍‍ଡାଉନ୍‍ ହେବା ପରେ ଆଶା କରାଯାଉଥିବା କରୋନା ଶେଷ ହୋଇଯିବ ଏହି ଚିନ୍ତାକୁ ନେଇ ଲୋକ କରୋନା ଉପରେ ଧ୍ୟାନ ଦେବା କମ୍‍ କରିଦେଲେ। ମାସ୍କ ଏବଂ ସାମାଜିକ ଦୂରତା ଯାହା ଲକ୍‍ଡାଉନ୍‍ ଆରମ୍ଭରେ ପାଳନ କରୁଥିଲେ ତାହାକୁ ଆଉ କାର୍ଯ୍ୟକାରୀ କଲେ ନାହିଁ। ଲୋକ ଦଳବଦ୍ଧ ଭାବରେ ପାର୍ଟି ଆୟୋଜନ କଲେ। ମେଟ୍ରୋ, ବସ୍‍, ଟ୍ରେନ୍‍ ଆଦିରେ ଭିଡ଼ ବଢିଲା। ଭେକ୍‍ସିନ୍‍ ଆସିବା ପରେ ଲୋକ ନିଶ୍ଚିତ ହୋଇଗଲେ ଯେ, ଆଉ ଭୟ ନାହିଁ। କିନ୍ତୁ ଆଜି ବି ଏ ଦେଶରେ ୩ ପ୍ରତିଶତ ଜନସଂଖ୍ୟା ଏହି ଭେକ୍‍ସିନ୍‍ ବା ଟୀକା ନେଇନାହାନ୍ତି। କରୋନା ନିୟମକୁ ପାଳନ ନକରିବା ଯୋଗୁଁ ପୁଣି ଥରେ ଦେଶରେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ଗୋଟିଏ ମାସରେ ୨ ଗୁଣରୁ ଅଧିକ ହୋଇଛି ଏବଂ ବଢିଚାଲିଛି। କେତେକ ସହରରେ ରାତିରେ ଲକ୍‍ଡାଉନ୍‍ ଆଉ କେତେକ ଜାଗାରେ ୧୪୪ ଧାରା ଜାରି କରାଯାଇଛି। ତେଣୁ ପ୍ରଶ୍ନ ଉଠୁଛି, କ’ଣ ପ୍ରଥମରେ ଯେପରି ଲକ୍‍ଡାଉନ୍‍ ଲଗାଯାଇଥିଲା ତାହା ପୁଣି ଥରେ କାର୍ଯ୍ୟକାରୀ ହେବ କି?

ଏବେ ସବୁଠୁ ଅଧିକ ସଂକ୍ରମଣ ମହାରାଷ୍ଟ୍ରରେ। ଏହାର ଦୁଇଟି ବଡ଼ କାରଣ ରହିଛି। ଗୋଟିଏ ବଡ଼ କାରଣ ହେଉଛି ମହାରାଷ୍ଟ୍ର ବିଶେଷ କରି ମୁମ୍ବାଇ ବିମାନ ବନ୍ଦର ଏବଂ ପାଣି ଜାହାଜ ଦୁଇଟି ମାଧ୍ୟମରେ ବିଦେଶରୁ ଲୋକ ଏଠାକୁ ଆସିଥାନ୍ତି। ସଂକ୍ରମଣ ମାମଲାରେ ମହାରାଷ୍ଟ୍ରର ଭାଗ ହେଉଛି ୬୨ ପ୍ରତିଶତ। ମୁମ୍ବାଇରେ ଭିଡ଼ ସବୁଠୁ ଅଧିକ ଏବଂ ଲୋକ ମାସ୍କ, ସାମାଜିକ ଦୂରତାକୁ ନଜର ଅନ୍ଦାଜ କରିବା ଆରମ୍ଭ କରିଦେଲେ। ନିଯୁକ୍ତି ଖୋଜିଲେ। ରୋଜଗାର ପାଇଁ ବଡ଼ ସଂଖ୍ୟାର ଲୋକ ମୁମ୍ବାଇ ଏବଂ ପୁନେ ଭଳି ସହରରେ ପହଂଚିଲେ।

ଏବେ ଭେକ୍‍ସିନ୍‍ର ପୂରା ପ୍ରକ୍ରିୟା ସଂପର୍କରେ ଜାଣିବା ଉଚିତ୍‍ ହେବ। ରେଜିଷ୍ଟ୍ରେସନ କେଉଁଠି କରିବାକୁ ହେବ। ଆଜି ଯାଏ ବ୍ୟବସ୍ଥା ଅନୁସାରେ ଆରୋଗ୍ୟ ସେତୁ, ମୋବାଇଲ୍‍ ଆପ୍‌ କୋୱିନ୍‍ ସେକ୍ସନରେ ରେଜିଷ୍ଟ୍ରେସନ ପରେ ଭେକ୍‍ସିନ୍‍ ପାଇଁ ନମ୍ବର ଆସେ। ଏହି ଆପ୍‍ ଆଣ୍ଡ୍ରୋଏଡ୍‍ ଏବଂ ଆଇଓଏସ୍‍ ଦୁଇ ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ। ଏହା ମଧ୍ୟ ସହଜ ହେଲାଣି ଯେ, ହସ୍‍ପିଟାଲରେ ଭେକ୍‍ସିନ୍‍ ପ୍ରକ୍ରିୟା ଚାଲିଛି। ସେଠାରେ ମଧ୍ୟ ରେଜିଷ୍ଟ୍ରେସନ ହୋଇପାରୁଛି। ଅନ୍‍ଲାଇନ୍‍ ରେଜିଷ୍ଟ୍ରେସନ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ଫଟୋ ଆଇକାର୍ଡ଼ ଅପଲୋଡ଼ କରିବାକୁ ହେବ। ଭେକ୍‍ସିନ୍‍ ସେଣ୍ଟର ରେଲୱେ ରିଜର୍ଭେସନ୍‍ ସେଣ୍ଟର ଭଳି କାମ କରୁଛି। ଏହି ସେଣ୍ଟରରେ ଦିନସାରା ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଭେକ୍‍ସିନ୍‍ ଦିଆଯାଉଛି। ଭେକ୍‍ସିନ୍‍  ପୂର୍ବରୁ ଏବଂ ନେବା ପରେ ଫର୍ମାଲିଟି କ’ଣ ତାହା ଜାଣିବା ମଧ୍ୟ ଉଚିତ୍‍। ଆପ୍‍ ବା ୱେବ୍‍ସାଇଟରେ ରେଜିଷ୍ଟ୍ରେସନ ପରେ ଯଦି ଆପଣଙ୍କ ପାଖକୁ ଭେକ୍‍ସିନର ଏସଏମ୍‍ଏସ୍‍ ଆସୁଛି ତେବେ ସବୁଠୁ ପ୍ରଥମେ ଏହି ଡକ୍ୟୁମେଣ୍ଟକୁ ତିଆରି କରିବାକୁ ହେବ। ଯାହାକୁ ରେଜିଷ୍ଟ୍ରେସନ ସମୟରେ ଅପଲୋଡ଼ କରିଛନ୍ତି। ଫଟୋ ପରିଚୟ ପତ୍ର ପାଇଁ ଆଧାର କାର୍ଡ଼ ବା ଅନ୍ୟ ଦସ୍ତାବିଜ।

ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଏବେ ଦିଆଯାଇଥିବା ଦୁଇଟି ଟୀକାର ପାର୍ଥକ୍ୟକୁ ମଧ୍ୟ ଜାଣିବା ଉଚିତ୍‍। କୋଭେକ୍‍ସିନ୍‍ର ନିର୍ମାଣ ପ୍ରକ୍ରିୟା ଅଧିକ ବିସ୍ତାରିତ। ଏଥିରେ ଭାଇରସର ମାରକ କ୍ଷମତାକୁ ଶେଷ କରିଦିଆଯାଇଛି। ଏହା ଜାଣିବା ଉଚିତ୍‍ ଯେ, ଯଦି କାହାର ଶରୀରରେ ମାଂସ ଅନ୍ୟ ଅଂଶ ଯେପରି ପ୍ରଭାବିତ ନହେବ ସେଥିପାଇଁ ଏହି କୋଭେକ୍‍ସିନ୍‍ ପ୍ରସ୍ତୁତ ହେଇଛି। ଅନ୍ୟଟି ହେଉଛି କୋଭିସିଲ୍‍ଡ। ଏହାକୁ କୋରୋନା ଭାଇରସର ସଂପୂର୍ଣ୍ଣ ଶରୀରରେ ଉପଯୋଗ କରାଯାଏନାହିଁ। କରୋନା ଭାଇରସରେ ବର୍ତ୍ତମାନ କେବଳ ପ୍ରୋଟିନର ଉପଯୋଗ କରାଯାଇଛି। ଦ୍ୱିତୀୟରେ ଭାଇରସ୍‍ ଉପରେ କରୋନା ଭାଇରସର ପ୍ରୋଟିନ୍‍ଚେନ୍‍ ଲଗାଇ ଭେକ୍‍ସିନ୍‍କୁ ତିଆରି କରାଯାଇଛି। ଭାଇରସରେ ଏହି ପ୍ରୋଟିନ୍‍କୁ ମନେ ପକାଇ ଆମ ଶରୀରର ଆଣ୍ଟିବଡ଼ି ତିଆରି ହୋଇଯାଏ। ଯଦି କୋଭେକ୍‍ସିନ୍‍ ବା କୋଭିସିଲ୍ଡ ଦୁଇ ଭେକ୍‍ସିନ୍‍ କୋରୋନା ସହ ଲଢିବା ପାଇଁ ତିଆରି କରାଯାଇଛି।

ତେବେ ଟୀକା ଲଗାଇବା ପରେ ଏହି ଦୁଇ ଭେକ୍‍ସିନର ସାଇଡ୍‍ ଇଫେକ୍ଟ ପୃଥକ-ପୃଥକ୍‍ କାହିଁକି ହେଉଛି? ଦୁଇ ଭେକ୍‍ସିନ୍‍ ଲଗାଇବା ପରେ ଲକ୍ଷଣ ଦେଖାଯାଉଛି। ଏଥିରେ ଅଧିକ ପାର୍ଥକ୍ୟ ନାହିଁ। ଭେକ୍‍ସିନ୍‍ ଲଗାଇବାର ଦୁଇରୁ ତିନିଦିନ ଯାଏ ୧୦୦ରୁ ୧୦୨ ଡିଗ୍ରୀ  ଯାଏ ଜର ହୋଇଥାଏ। ଦୁଇରୁ ତିନି ଦିନ ଯାଏ ଦୁଇ ମାଂସପେଶୀର ସାମାନ୍ୟ ଦରଜ ହୋଇଥାଏ। ଅଧିକ ଦିନ ଜ୍ୱର ରହିଲେ କିମ୍ବା ଦରଜ ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍‍। ଆଜି ଦିନରେ ଯେପରି କରୋନା ସଂକ୍ରମଣ ବଢୁଛି ସେଥିପାଇଁ ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞ ଯଥା-ହାର୍ଟ କେୟାର ଫାଉଣ୍ଡେସନର ଅଧ୍ୟକ୍ଷ ଡାକ୍ତର କେ.କେ.ଅଗ୍ରୱାଲ୍‍, ପଟେଲ ଚେଷ୍ଟ ଇନ୍‍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡାକ୍ତର ରାଜକୁମାର, ଜେନୋମିକ୍ସ ଆଣ୍ଡ୍‍ ଇଣ୍ଟିଗ୍ରେଟିଭ୍‍ ବାୟୋଲୋଜିର ନିର୍ଦ୍ଦେଶକ ଡାକ୍ତର ଅନୁରାଗ ଅଗ୍ରୱାଲ୍‍, ସେଲୁଲାର ଆଣ୍ଡ୍‍ ମାଲକ୍ୟୁଲର ବାୟୋଲୋଜିର ନିର୍ଦ୍ଦେଶକ ଡାକ୍ତର ରାକେଶ ମିଶ୍ର, ଆଇସିଏମ୍‍ଆର୍‍ଇଏଫ୍‍ଆଇର ସଦସ୍ୟ ଡାକ୍ତର ଏମ୍‍.କେ.ଅରୋଡ଼ା ପ୍ରମୁଖ ବିଶେଷଜ୍ଞ ମତ ଦେଇଛନ୍ତି ଯେ, ଭେକ୍‍ସିନ୍‍ ବା ଟୀକା ବାହାରି ସାରିଛି। ଉଭୟ ଟୀକା ଶରୀର ପାଇଁ ନିରାପଦ। ଏହା ଯେପରି ସମସ୍ତେ ବିଶେଷ କରି ରୋଗରେ ଆକ୍ରାନ୍ତ, ଦୁର୍ବଳ ବୟସ୍କ ବ୍ୟକ୍ତି ତୁରନ୍ତ ନେବେ ତାହା ଗୁରୁତ୍ୱପୂର୍ଣ୍ଣ। ଏହା ସହ ପ୍ରତ୍ୟେକ ନାଗରିକ ଏହି ସଂକ୍ରମଣ ଠାରୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତାକୁ ପାଳନ କରିବା ଅପରିହାର୍ଯ୍ୟ। କାରଣ ଏହି କରୋନା ମହାମାରୀର ବିପଦ ଟଳିନାହିଁ। ଏହା ବିରୋଧରେ ଯୁଦ୍ଧ କରିବାକୁ ହେବ ଏବଂ ଏହି ଯୁଦ୍ଧରେ ବିଜୟୀ ହେବାକୁ ପଡ଼ିବ। ଟୀକା ଉପରେ ସନ୍ଦେହ ନକରିବା ଉଚିତ୍‍। ଗୁଜବ ପ୍ରଚାର ବିରୋଧରେ ମଧ୍ୟ ନିଜର ମତ ରଖିବା ଉଚିତ୍‍। ଏହାଦ୍ୱାରା ଜୀବନ ସୁରକ୍ଷିତ ହେବ ଏବଂ ଜୀବୀକା। ଭୟ କରିବା ଉଚିତ୍‍ ନୁହେଁ, ଏହା ନିଜ ପାଇଁ ଏବଂ ସମାଜ ପାଇଁ କ୍ଷତିକାରକ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍: ୯୪୩୮୦୦୬୨୧୫

Related story