Opposition Campaign Against Vote Chori
ପଞ୍ଚାନନ କାନୁନଗୋ
ସଂପ୍ରତି ଭାରତ ବର୍ଷରେ ଏକ ରାଜନୈତିକ ଆନ୍ଦୋଳନ ମୁଣ୍ଡ ଟେକିଛି। ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୋଟର୍ ତାଲିକା ସଂଶୋଧନକୁ ନେଇ ସ୍ୱର ଉଠିଛି। ବିଭିନ୍ନ ରାଜନୈତିକ ଦଳ ଭୋଟର ତାଲିକାରେ ଏହି ସଂଶୋଧନକୁ ଭୋଟ୍ ଚୋରୀର ଆଖ୍ୟା ଦେଇଛନ୍ତି। ବିହାରର ଏହି ଭୋଟ୍ ଚୋରୀ ସମ୍ପର୍କରେ କହିଲା ବେଳେ ଆନ୍ଦୋଳନକାରୀ ଦଳମାନେ ଅତୀତରେ ମହାରାଷ୍ଟ୍ରରେ ହୋଇଥିବା ନିର୍ବାଚନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଏହି ଭୋଟ୍ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟରେ କିଛି ବ୍ୟକ୍ତି ମାମଲା ଦାଏର କରିଥିଲେ। ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଉପଦେଶାତ୍ମକ ଆଦେଶକୁ ନିର୍ବାଚନ କମିଶନ ପ୍ରତ୍ୟାଖ୍ୟାନ କରିଛନ୍ତି। ବସ୍ତୁତଃ ବର୍ତ୍ତମାନ ନିର୍ବାଚନ କମିଶନ ଓ ରାଜନୈତିକ ଦଳ ଭିତରେ ମୁହାଁମୁହିଁ ଲଢ଼େଇ ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନ ବିରୋଧୀ ଦଳର ନେତାଙ୍କୁ ଆହ୍ୱାନ ଦେଇ ସେ କରିଥିବା ଅଭିଯୋଗ ଭୋଟଚୋରୀ ସମ୍ପର୍କରେ ସତ୍ୟପାଠ ଦାଖଲ କରନ୍ତୁ ଓ ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି ମନ୍ତବ୍ୟ ରଖିଲା ପରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏହାର ପ୍ରତି ଉତ୍ତରରେ ନିର୍ବାଚନ କମିଶନ ତୁରନ୍ତ ଡିଜିଟାଲ୍ ଭୋଟ୍ ତାଲିକା ସାର୍ବଜନୀନ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
ଏହିପରି ସ୍ଥିତିରେ ବର୍ତ୍ତମାନ ସାରା ଭାରତବର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ଲାଗିରହିଛି। ଏପରିକି ନିର୍ବାଚନ କମିଶନଙ୍କ ବିରୋଧରେ ଅନେକ ପ୍ରମୁଖ ରାଜନୈତିକ ଦଳ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇଥିବା ଦେଖାଯାଉଛି। ଗତ କିଛିଦିନ ତଳେ ନିର୍ବାଚନ କମିଶନ ଯେଉଁ ଭୋଟର୍ ତାଲିକା ପ୍ରସ୍ତୁତ କରିବାର ପ୍ରକ୍ରିୟା ବିହାରରେ ଆରମ୍ଭ କରିଥିଲେ, ସେଥିରେ ପୂର୍ବ ଭୋଟର୍ ତାଲିକାରୁ ପାଖାପାଖି ୬୫ ଲକ୍ଷ ଭୋଟଦାତାଙ୍କ ନାମ କଟାଯାଇଥିବା ଏବଂ କିଛି ନାମ ଭର୍ତ୍ତି କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଭୋଟଦାତାଙ୍କ ନାମ ପଞ୍ଜିକୃତ କରିବା ପାଇଁ ଯେଉଁସବୁ ପରିଚୟପତ୍ରର ଆବଶ୍ୟକତା ରହିଛି ସେଥିରେ ପ୍ରମୁଖ ହେଉଛି ଆଧାର କାର୍ଡ। ଆଧାର କାର୍ଡ ହେଉଛି ଏକ ନୂତନ ବିଜ୍ଞାନସମ୍ମତ ପଞ୍ଜୀକରଣ ବ୍ୟବସ୍ଥା। ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିର ଟିପଚିହ୍ନ, ଆଖିର ସଂକେତ ରହିଥାଏ। ସେ ସବୁକୁ ନିର୍ବାଚନ କମିଶନ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁ ଆଧାରରେ ଭୋଟଦାତାଙ୍କର ପଞ୍ଜୀକରଣ ହେଉଛି ସେଥିରେ ମୁଖ୍ୟତଃ ବିହାରରୁ ବାହାର ରାଜ୍ୟରେ ରହିଥିବା ସମସ୍ତ ବ୍ୟକ୍ତିଙ୍କର ନାମ ବାଦ୍ ପଡ଼ିଥିବା କୁହାଯାଉଛି। ତେବେ ଏହି ଭୋଟଦାତାମାନେ ଭାରତ ବର୍ଷର ନାଗରିକ ଭାବେ ଚିହ୍ନିତ ହେବେ ନା ନାହିଁ ସେ ପ୍ରଶ୍ନ ସାମ୍ନାକୁ ଆସିଛି ଏବଂ କେଉଁଠାରେ ଭୋଟ୍ଦାନର ସୁଯୋଗ ପାଇବେ ସେ ପ୍ରଶ୍ନ ମଧ୍ୟ ଉଠିଛି। ଏ ସମସ୍ୟାଟି କେବଳ ବିହାରର ନୁହେଁ, ଏ ସମସ୍ୟା ଅନେକ ରାଜ୍ୟର। ସେଥିପାଇଁ ଅନେକ ବିଚାର ବିମର୍ଶ କରାଯାଇ ଭୋଟର୍ ତାଲିକା ପ୍ରସ୍ତୁତ ବେଳେ ଆଧାର କାର୍ଡ ପ୍ରଦର୍ଶନ କରିବା କଥା କୁହାଯାଇଥିଲା। ତାହା ମଧ୍ୟ ପ୍ରତ୍ୟାଖ୍ୟାତ ହୋଇଛି।
ଭାରତ ବର୍ଷ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସ୍ୱୀକୃତି ପାଇଲା ପରେ ଦୁଇଟି ଆଇନ ଯଥା- ଲୋକ ପ୍ରତିନିଧି ଆଇନ ଓ ସମ୍ବିଧାନର ଧାରା ୩୨୪ ଅନୁସାରେ ଦେଶରେ ନିର୍ବାଚନ କମିଶନ ଗଠିତ ହୋଇଥାଏ ଓ ଲୋକ ପ୍ରତିନିଧି ଆଇନ ଅନୁସାରେ ସମସ୍ତ ଭୋଟ୍ କାର୍ଯ୍ୟ ନିର୍ବାହିତ ହୋଇଥାଏ। ଏଥି ସହିତ ସମ୍ବିଧାନର ଧାରା ୫୪, ୫୫, ୫୭, ୫୮, ୬୬, ୬୧ ଓ ୨୪୩, ୩୨୫, ୩୨୬, ୩୨୭, ୩୨୮, ୩୨୯, ୩୩୦, ୩୩୧, ୩୩୨ ଆଦିକୁ ନେଇ ଦେଶର ବିଭିନ୍ନ ନିର୍ବାଚନ ପ୍ରଚଳିତ ହୋଇଥାଏ। ଭାରତ ବର୍ଷର ଲୋକ ପ୍ରତିନିଧି ନିର୍ବାଚନ ଉପରେ ସାରାବିଶ୍ୱର ଦୃଷ୍ଟି ଥାଏ। ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଏହାର ନିର୍ବାଚନରେ ସ୍ୱଚ୍ଛତା ଓ ଲୋକ ପ୍ରତିନିଧିମାନଙ୍କ କାର୍ଯ୍ୟକଳାପକୁ ନେଇ ସମଗ୍ର ବିଶ୍ୱରେ ରାଜନୀତି ବିଶେଷଜ୍ଞମାନେ ଚର୍ଚ୍ଚା କରିଥାନ୍ତି ଓ ଉଦାହରଣ ରଖିଥାନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏବେ ବି ଏ ଦେଶରେ ନିର୍ବାଚନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆସି ପାରି ନାହିଁ।
ଏକଦା ଟି.ଏନ୍ ସେସାନ୍ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ବଡ଼ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଥିଲେ। ଲୋକେ ଆଜି ବି ତାଙ୍କୁ ମନେ ରଖିଛନ୍ତି ଏବଂ ସମୟ ସମୟରେ ଆଲୋଚନା ପ୍ରସଙ୍ଗରେ ତାଙ୍କ ନାମ ନେଇଥାନ୍ତି। ସେ ଉଦାହରଣ ସୃଷ୍ଟି କରିଥିବା ଜଣେ ଉଚ୍ଚପଦସ୍ତ ସାମ୍ବିଧାନିକ କ୍ଷମତାପ୍ରାପ୍ତ ବ୍ୟକ୍ତି। ଅଥଚ ବର୍ତ୍ତମାନର ନିର୍ବାଚନ କମିଶନ କାହିଁକି କେଜାଣି ଏନେଇ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନାହାନ୍ତି ତାହା ଜଣାପଡୁନାହିଁ। ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥାର ମୁଖ୍ୟ ହୋଇ ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ଅନେକ ଭାବରେ ସମାଲୋଚନାର ପାତ୍ର ହୋଇଛନ୍ତି।
ଭୋଟଚୋରୀ ବା ଭୋଟର୍ ତାଲିକାର ପଞ୍ଜୀକୃତ କରିବାରେ ତ୍ରୁଟି କେବଳ ଯେ ବିରୋଧୀ ଦଳ ଆଣୁଛନ୍ତି ତା’ ନୁହେଁ, ଅତୀତରେ ଭାରତୀୟ ଜନତା ପାର୍ଟିର ଅନେକ ପ୍ରମୁଖ ନେତା ଏ ପ୍ରକାର ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ। ୨୦୦୯ ମସିହାରେ ନିର୍ବାଚନରେ ସେ ସମୟର ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନ ନିର୍ବାଚନରେ ପରାଜିତ ହେବା ପରେ ଏହି ପ୍ରକାର ଭୋଟଚୋରୀ ଅଭିଯୋଗ ଆଣିଥିଲେ। ଏଇ ଅଳ୍ପଦିନ ତଳେ ରାଜ୍ୟର ଅନେକ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ‘ସ୍ୱାଭିମାନ ମଞ୍ଚ’ର ପ୍ରଫେସର ହରିହର କାନୁନଗୋଙ୍କ ଆୟୋଜନରେ ରାଜ୍ୟରେ ବୁଦ୍ଧିଜୀବୀମାନଙ୍କର ଏକାଧିକ ବୈଠକ ବସି ନିର୍ବାଚନର ତ୍ରୁଟି ଓ ତାହାର ସଂସ୍କାର ଆଣିବା ଉପରେ ଆଲୋଚନା କରାଯାଉଥିଲା। ସେହି ବୁଦ୍ଧିଜୀବୀ ମଞ୍ଚର ସଭାପତିତ୍ୱ ଏହି ଲେଖକ କରୁଥିଲେ। ବର୍ତ୍ତମାନ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିବା ଭାଜପା ସଦସ୍ୟ ରବୀନ୍ଦ୍ର ବେହେରା ଉକ୍ତ ବୈଠକମାନଙ୍କରେ ଯୋଗଦେଇ ବର୍ତ୍ତମାନ ନିର୍ବାଚନ ପଦ୍ଧତିରେ ଥିବା ତ୍ରୁଟି ସବୁ ସୁଧାରିବାର ପରାମର୍ଶ ରଖିଥିଲେ। ସେହି ଆଲୋଚନା ମାନଙ୍କରେ ଭୋଟ୍ ଚୋରୀର ଅଭିଯୋଗ ମଧ୍ୟ ସେ ଆଣିଥିଲେ। ବର୍ତ୍ତମାନ ସେ ଲୋକସଭାର ମାନ୍ୟବର ସଦସ୍ୟ। ସମସ୍ତେ ଆଶା ରଖିବେ ଓ ବିଶ୍ୱାସ କରନ୍ତି ଯେ, ଶ୍ରୀ ବେହେରା ଆଲୋଚନାରେ ଶୁଣିଥିବା ବା ଶୁଣାଇଥିବା ଭୋଟ୍ ବିତର୍କକୁ ନିଜ ଦଳ ଭିତରେ ଓ ଗୃହରେ ଉପସ୍ଥାପନ କରି ସଂଶୋଧନ ଓ ସଂସ୍କାର ଆଣିବାର ବ୍ୟବସ୍ଥା କରିବେ।
ଏହି ଲେଖକଙ୍କର ନିଜର ଅନେକ ଅଭିଜ୍ଞତା ଅଛି। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୋଟ୍ ଚୋରୀର ପ୍ରମାଣ ସହିତ ସେ କିପରି ନିର୍ବାଚନରେ ଅସାଧୁମାନଙ୍କ ଦ୍ୱାରା ପରାଜିତ ହୋଇଥିଲେ ତାହାର ଅନେକ ଦୃଷ୍ଟାନ୍ତ ତାଙ୍କ ଲିଖିତ ପୁସ୍ତକ ‘କଳାଟଙ୍କା ଓ ନିର୍ବାଚନ’ରେ ରଖିଛନ୍ତି। ଭୋଟ୍ ଚୋରୀ ଅର୍ଥ ଭୋଟର୍କୁ ନେଇଯିବା ନୁହେଁ। ଭୋଟର୍ଙ୍କ ନାମ ଅଯୌତିକ ଭାବେ ତାଲିକାରୁ ବାଦ ଦେବା। ଏହିମାତ୍ର ଅଳ୍ପଦିନ ତଳେ ୨୦୨୪ ନିର୍ବାଚନରେ କଟକ ଜିଲ୍ଲା ନିଆଳି ନିର୍ବାଚନର ଜଣେ ଯୁବକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ନାମାଙ୍କନ ପତ୍ର ଯାଞ୍ଚ ବେଳେ ତାଙ୍କର ନାମ ଭୋଟର୍ ତାଲିକାରେ ନଥିବା ଦେଖାଗଲା। ତାଙ୍କର ଭୋଟର୍ ତାଲିକାରୁ ନାମ କଟିଯାଇଥିବାର ଅନ୍ୟନାମ ହେଉଛି ଭୋଟ୍ ଚୋରୀ। ଏପରି ଚୋରୀ ଯିଏ କରିଥାନ୍ତୁ ନା କାହିଁକି ଜଣେ ବିଧିସମ୍ମତ ଭାରତୀୟ ନାଗରିକ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାରୁ ବଞ୍ଚିତ ହେବା ଏକ ଲଜ୍ଜ୍ୟାଜନକ ଅବସ୍ଥା ସୃଷ୍ଟି କରିଥିଲା। ନିର୍ବାଚନରୁ ଦୂରେଇ ରଖିବା ପାଇଁ କେହି ନା କେହି ତାଙ୍କ ଭୋଟ ତାଲିକାରୁ ନାମ ଲୁଚାଇ ଦେଇଥିଲା ବା ଚୋରୀ କରିନେଇଥିଲା। ସେହି ବ୍ୟକ୍ତି ଅଳ୍ପ କିଛିଦିନ ତଳେ ଗୋଟିଏ ପଞ୍ଚାୟତର ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଥିଲେ। ଜଣେ ନିର୍ବାଚିତ ସରପଞ୍ଚ ପ୍ରତିଦ୍ୱନ୍ଦିତାରୁ ବଞ୍ଚିତ ହେବା ଏକ ଲଜ୍ୟାଜନକ ଭୋଟ ଚୋରୀର ନମୁନା।
ଉକ୍ତ ବ୍ୟକ୍ତିଙ୍କର ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ଲେଖକ ତାଙ୍କୁ ଭାରତର ଜଣେ ବିଧି ସମ୍ମତ ନାଗରିକ ବୋଲି କହିଥିଲେ ଓ ସତ୍ୟପାଠ କରାଇଥିଲେ। ତତ୍ ସହିତ ଆଧାର କାର୍ଡ ଉପସ୍ଥାପନ କରିଥିଲେ। ଏବେ ମାନ୍ୟବର ସୁପ୍ରିମକୋର୍ଟ ପ୍ରତ୍ୟେକ ଭୋଟଦାତା ଭାରତର ନାଗରିକ ହୋଇଥିବା କଥା କହିଛନ୍ତି। ଏହି ଭାରତୀୟ ନାଗରିକମାନେ ସମ୍ବିଧାନର ଧାରା-୫ ଅନୁସାରେ ଯଦି ଅଧିକାର ପାଆନ୍ତି ତେବେ ତାହା ଅଧିକ ଯୁକ୍ତିଯୁକ୍ତ ହେବ। ଯଦି ତାହା ନହୁଏ ଭାରତ ବର୍ଷର ସମ୍ବିଧାନକୁ ବିକୃତ କରିବାକୁ ଉଦ୍ୟମ କରାଯାଇଛି ବୋଲି କହିବାକୁ ହେବ। ତେବେ ବିହାର ଭୋଟର୍ ତାଲିକାରୁ ୬୫ ଲକ୍ଷ ଭୋଟଦାତାଙ୍କ ନାମ କେଉଁ ଆଧାରରେ କାଟି ଦିଆଗଲା? ଏହା କ’ଣ ଭୋଟ ଚୋରୀ ନୁହେଁ? ଭୋଟର୍ ତାଲିକା ପଞ୍ଜୀକରଣରେ ଯେ ଅବ୍ୟବସ୍ଥା ନାହିଁ ସେକଥା ନିର୍ବାଚନ କମିଶନ କହିପାରିବେ ନାହିଁ। ବିହାରରେ ବର୍ତ୍ତମାନ ସରକାରଙ୍କର ଉପମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଯାଗାରେ ଭୋଟର୍ ତାଲିକାଭୁକ୍ତ ହୋଇଥିବାର ପ୍ରମାଣ ସାମ୍ନାକୁ ଆସିଛି। ଏହା ପ୍ରମାଣ କରୁଛି ଯେ, କିଛି ଲୋକଙ୍କ ନାମ କଟାଯାଇଛି ଓ ଅଯଥା କିଛି ଭୋଟର୍ ଯୋଡ଼ା ଯାଇଛନ୍ତି। ନିର୍ବାଚନ କମିଶନ ଏ ସବୁର ସଂଶୋଧନ ନକରି ଯେଉଁପରି ଭାବେ ଉତ୍ତର ରଖୁଛନ୍ତି ଓ କାର୍ଯ୍ୟ କରୁଛନ୍ତି ତାହା ତାଙ୍କର ନିରପେକ୍ଷତାକୁ ଆଦୌ ଗ୍ରହଣ କରୁନାହିଁ ବା ସେ ଜଣେ ସାମ୍ବିଧାନ ପ୍ରଦତ୍ତ ଉଚ୍ଚପଦାଧିକାରୀ ଦାୟିତ୍ୱରେ ଅଛନ୍ତି ସେପରି ଦୃଷ୍ଟାନ୍ତ ରଖୁନାହାନ୍ତି।
ଦେଶର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଅନେକ ସଂସ୍କାର କଥା କହୁଛନ୍ତି। ‘ଏକ ଦେଶ, ଏକ ଆଇନ, ଏକ ନିର୍ବାଚନ’ ଆଦି କଥା ବହୁ ଉଚ୍ଚସ୍ୱରରେ କହୁଛନ୍ତି। ବିଭିନ୍ନ ସଂସ୍କାର ଆବଶ୍ୟକ ଥାଉ ବା ନଥାଉ ଆଣିବାର ଚେଷ୍ଟା କରୁଛନ୍ତି ଓ ଅନେକ ସମୟରେ ଧାରା ୩୭୦ ଉଚ୍ଛେଦ କରି ଦେଶ ଉପରେ ଲଦି ଦେଉଛନ୍ତି। ଅଥଚ ଗଣତନ୍ତ୍ରକୁ ସୁରକ୍ଷିତ କରିବା ଓ ସାମ୍ବିଧାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମେନ୍ତ ନିର୍ବାଚନ ପ୍ରକ୍ରିୟାର ଏକ ପରିବର୍ତ୍ତନ କରିବା ଓ ନିର୍ବାଚନରେ ଏକ ସଂସ୍କାର ଆଣିବାର କୌଣସି ଚେଷ୍ଟା କରୁଥିବା ଦେଖାଯାଉନାହିଁ। ଗତ କିଛି ବର୍ଷ ତଳେ ନିର୍ବାଚନ କମିଶନ ଓ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ନିର୍ବାଚନ କମିଶନରଙ୍କୁ ଚୟନ କରୁଥିବା ବ୍ୟକ୍ତିମାନଙ୍କ ଭିତରେ ସୁପ୍ରିମ କୋର୍ଟର ମାନ୍ୟବର ପ୍ରଧାନ ବିଚାରପତିଙ୍କୁ ଜଣେ ସଦସ୍ୟ ରଖିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେଥିରେ କେନ୍ଦ୍ର ସରକାର ରାଜି ହେଲେନାହିଁ। ସେହି ସମୟରୁ ହିଁ ଭୋଟ୍କୁ କରାୟତ୍ତ କରିବା ମାନସିକତା ଧରା ପଡ଼ିଯାଇଥିଲା।
ଏବେକାର ମୁଖ୍ୟ ନିର୍ବାଚନ କମିଶନର ସେ ସମ୍ପର୍କରେ କେଉଁଠି ପଦୁଟିଏ କହୁନାହାନ୍ତି ଅବା ସେଭଳି ଏକ ସଂସ୍କାର ଆଣିବା ପାଇଁ ଆଇନଜ୍ଞମାନଙ୍କର ପରାମର୍ଶ ଲୋଡୁନାହାନ୍ତି। ଏହି ନିର୍ବାଚନ କମିଶନ ଶାସକ ଦଳକୁ ସମର୍ଥନ କଲାଭଳି ଲାଗୁଛି। ଭାରତୀୟ ଜନତା ପାର୍ଟି ବା ତାଙ୍କ ଗଠବନ୍ଧନ (ଏନ୍ଡିଏ) ନିର୍ବାଚନ କମିଶନଙ୍କର କାର୍ଯ୍ୟ ଫଳରେ ଫାଇଦା ଉଠାଇବାର ଅଭିପ୍ରାୟରେ ଅଛନ୍ତି ବୋଲି ଅଭିଯୋଗ ହେଉଛି। ଯଦି ଏହି ଅଭିଯୋଗ ସତ୍ୟ ଓ ତଥ୍ୟ ଆଧାରିତ ହୋଇଥାଏ ତେବେ ଏହା ଦେଶ ତଥା ଗଣତନ୍ତ୍ର ପ୍ରତି ବିପଦ ହେବ। ଆଜି ନହେଲେ ବି କାଲି ଏ ସମ୍ପର୍କରେ ଯେଉଁ ଚର୍ଚ୍ଚା ହେବ ବା ବ୍ୟାପକ ଆନ୍ଦୋଳନ ହେବ ତା’ର ଶରବ୍ୟ ହେବେ ନିର୍ବାଚନ କମିଶନ। ଲୋକେ ସାମ୍ବିଧାନିକ ବ୍ୟବସ୍ଥାର ତ୍ରୁଟିକୁ ନେଇ ଅନେକ ଆଙ୍ଗୁଳି ନିର୍ଦ୍ଦେଶ କରିବେ। ଯଦିଓ ବର୍ତ୍ତମାନର ନିର୍ବାଚନ କମିଶନ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ, କିନ୍ତୁ ତାଙ୍କ ଠାରୁ ବଡ଼ ତାଙ୍କ ବ୍ୟବସ୍ଥାକୁ ଜନ୍ମ ଦେଇଥିବା ଭାରତବର୍ଷର ସମ୍ବିଧାନ ଯେ ଲଜ୍ଜିତ ଓ କ୍ଷତାକ୍ତ ହେବ ଏକଥା ବର୍ତ୍ତମାନର ନିର୍ବାଚନ କମିଶନ ଓ ପ୍ରଧାନମନ୍ତ୍ରୀ ମନେରଖିବା ଉଚିତ୍।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1755153486.jpg)