Nitish Kumar Photograph: (Internet)
ରବି ଦାସ
ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ବିପୁଳ ପରାଜୟ ଓ ଏନ୍ଡିଏର ଆଶାତୀତ ବିଜୟ ଭୋଟ୍ଚୋରୀ ଯୋଗୁ ସମ୍ଭବ ହୋଇଛି ବୋଲି ଯେଉଁମାନେ କହୁଛନ୍ତି ସେମାନେ ଆତ୍ମସମୀକ୍ଷା କରିବାକୁ ପ୍ରସ୍ତୁତ ହୁଅନ୍ତୁ। ଏହା କହିବାର ଅର୍ଥ ନୁହେଁ ଯେ ବିହାରରେ ଭୋଟ୍ ଚୋରୀ ହୋଇନାହିଁ ଓ ଏପରି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ସିଧାସଳଖ କେହି ବି କହିପାରିବେ ନାହିଁ। କିନ୍ତୁ ବିହାର ନିର୍ବାଚନର ଅଙ୍କକୁ ଅଧ୍ୟୟନ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ୱାଧୀନ ମେଣ୍ଟ ୨୦୨୦ ନିର୍ବାଚନରେ ଯେଉଁ ଭୋଟ୍ ଆଧାର ହାସଲ କରିଥିଲେ ସେଥିରେ ଏଥର ନିର୍ବାଚନ ମଧ୍ୟ କୌଣସି ବ୍ୟତିକ୍ରମ ହୋଇନାହିଁ। ବରଂ ସେମାନଙ୍କର ଭୋଟ୍ ଆଧାର ବଢ଼ିଛି। କିନ୍ତୁ ଅପରପକ୍ଷରେ ଏହି ନିର୍ବାଚନକୁ ମୁକାବିଲା କରିବା ପାଇଁ ଏନ୍ଡିଏ ଯେଉଁ ଧରଣର ପ୍ରସ୍ତୁତି କରି ଏହାର ସାମାଜିକ ଆଧାରକୁ ବଢ଼ାଇଥିଲା, ସେହି ଧରଣର ସାମାଜିକ ଆଧାର ବଢ଼ାଇବା ପାଇଁ ମହାଗଠବନ୍ଧନ ପକ୍ଷରୁ ଯେଉଁ ପ୍ରୟାସ କରାଯାଇଥିଲା ତାହା ବିଫଳ ହୋଇଥିଲା।
ଏଥର ନିର୍ବାଚନରେ ଏନ୍ଡିଏ ସହିତ ଚିରାଗ୍ ପାଶ୍ୱାନଙ୍କ ଏଲ୍ଜେପି ଯୋଗଦେବା ଫଳରେ ଏନ୍ଡିଏର ଭୋଟ୍ ଆଧାର ଆପେ ଆପେ ପ୍ରାୟ ଶତକଡ଼ା ୫ ଭାଗ ବଢ଼ିଗଲା। ମହାଗଠବନ୍ଧନ ଏହାର ପୂରଣ ନିମନ୍ତେ ସେମାନଙ୍କ ସହିତ ମୁକେଶ ସାହାନୀଙ୍କ ଭିଆଇପିକୁ ସାମିଲ କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରିଥିଲେ ମଧ୍ୟ ସେ ସେହି ଅନୁସାରେ କୈବର୍ତ୍ତ ସଂପ୍ରଦାୟର ଭୋଟ୍ ଆଣିପାରିଲେ ନାହିଁ।
ନିର୍ବାଚନ ପୂର୍ବରୁ ଯେଉଁଭଳି ଭାବରେ ସେଠାରେ ଏସ୍ଆଇଆର୍ କରାଗଲା ଯେଉଁଥିରେ କି ୪୭ ଲକ୍ଷ ଭୋଟର୍ଙ୍କୁ ବାଦ ଦିଆଗଲା ଓ ଯେଉଁମାନଙ୍କ ନାମ ସବୁ ସାନି ଯୋଗ କରାଗଲା ସେଥିରେ ତ୍ରୁଟି ରହିଥିବା କୁହାଯାଇପାରେ। ଯାହାଫଳରେ କି ଦେଖାଗଲା ଅନେକ ବ୍ୟକ୍ତି ଯିଏକି ଦିଲ୍ଲୀରେ ବା ହରିଆଣା ବିଧାନସଭାରେ ସଂପୃକ୍ତ ରାଜ୍ୟମାନଙ୍କରେ ଭୋଟ୍ ଦେଇଥିଲେ, ସେମାନଙ୍କ ଭିତରୁ ଅନେକଙ୍କର ନାମ ବିହାରର ତାଲିକାରେ ଅନ୍ତର୍ଭୁକ୍ତ ହୋଇଗଲା। ସେ ସଂକ୍ରାନ୍ତରେ କେତେଗୁଡ଼ିଏ ଘଟଣା ଆଲୋଚିତ ମଧ୍ୟ ହୋଇଛି। କିନ୍ତୁ ଏହି କାରଣ ପାଇଁ ବିହାର ନିର୍ବାଚନ ଅଙ୍କ ପୂରା ବଦଳିଗଲା ବୋଲି କହିଦେବା ଠିକ୍ ହେବନାହିଁ। ନିର୍ବାଚନ କମିଶନ୍ର ବିଜେପି ପ୍ରତି ସହାନୁଭୂତି ସଂପନ୍ନ ଥିଲେ ମଧ୍ୟ ପୂରାପୂରି ନିର୍ବାଚନ ବ୍ୟବସ୍ଥାକୁ ସେମାନେ ବଦଳାଇଦେବା ସହଜ ନୁହେଁ।
ଏହି ନିର୍ବାଚନରେ ମହାଗଠବନ୍ଧନର ସବୁଠାରୁ ବଡ଼ ଦଳ ଆର୍ଜେଡ଼ିକୁ ଶତକଡ଼ା ୨୩ ଭାଗ ଭୋଟ୍ ମିଳିଛି। କିନ୍ତୁ ବିହାର ବିଧାନସଭାରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିବା ବିଜେପି ୮୯ଟି ଆସନ ପାଇଥିଲେ ମଧ୍ୟ ଏହାର ଭୋଟ୍ ଆଧାର ଶତକଡ଼ା ୨୦.୦୮ ରହିଛି। ଏହା ସତ୍ୟ ଯେ, ଆର୍ଜେଡ଼ି ୧୪୩ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୧୦୧ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସେହିପରି କଂଗ୍ରେସ ଦଳ ୨୦୧୫ରେ ୨୭ଟି ଆସନ ପାଇବା ସମୟରେ ତା’ର ଭୋଟ୍ ଆଧାର ଶତକଡ଼ା ୬.୬୬ ଥିଲାବେଳେ ଏଥର ମାତ୍ର ୬ଟି ଆସନ ପାଇଛି। କିନ୍ତୁ ଏହାର ଭୋଟ୍ ଆଧାର ଶତକଡ଼ା ୮.୭୧ ରହିଛି। ଏଆଇଏମ୍ଏମ୍ ଏଥର ନିର୍ବାଚନରେ ମାତ୍ର ଶତକଡ଼ା ୧.୮୫ ଭାଗ ଭୋଟ୍ ପାଇଥିଲେ ମଧ୍ୟ ଏହାକୁ ୬ଟି ଆସନ ମିଳିଛି। ଅର୍ଥାତ୍ ଭାରତୀୟ ନିର୍ବାଚନ ବ୍ୟବସ୍ଥା ଯାହା ଅଛି ସେଥିରେ ଯେଉଁ ଆସନରେ ପ୍ରତିଦ୍ୱନ୍ଦୀଙ୍କ ଭିତରୁ ଯାହାର ଅଧିକା ଭୋଟ୍ ହେବ ସେ ନିର୍ବାଚିତ ହେବ।
ଏହି ଆଧାରରେ ବିଶେଷଜ୍ଞଙ୍କ ବିଚାର ଅନୁସାରେ ଏଥର ନିର୍ବାଚନରେ ବହୁ ପ୍ରାର୍ଥୀ ଥିଲେ ମଧ୍ୟ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରଭାବଶାଳୀ ପ୍ରାର୍ଥୀଙ୍କ ସଂଖ୍ୟା ୨.୬୫ ହୋଇଛି। ଅର୍ଥାତ୍ ବିହାରର ଚଳିତ ନିର୍ବାଚନ ମୋଟାମୋଟି ଭାବରେ ଦୁଇପାକ୍ଷିକ ନିର୍ବାଚନରେ ପରିଣତ ହୋଇଛି। ଏହି ଦୁଇପାକ୍ଷିକ ଲଢ଼େଇରେ ଏନ୍ଡ଼ିଏ ଏହାର ଜାତି ଆଧାରିତ ଅଙ୍କକୁ ଦୃଢ଼ୀଭୂତ କରିଥିବା ସମୟରେ ମହାଗଠବନ୍ଧନ ସେହି ଅନୁସାରେ ଏହାର ଜାତି ଆଧାରିତ ମେଂଟକୁ ଦୃଢ଼ କରିପାରି ନଥିଲା। ଫଳରେ ଏହାର ପ୍ରଭାବ ଥିବା ଅଂଚଳରେ ଏଆଇଏମ୍ଏମ୍ ପରି ଦଳ ଏହାର ସାମାଜିକ ଆଧାର ଭିତରକୁ ପ୍ରବେଶ କରି ଫାଇଦା ପାଇଲେ। ମହାଗଠବନ୍ଧନ ଭିଆଇପି ଓ ଆଇଆଇପିକୁ ସଙ୍ଗରେ ନେଲେ ମଧ୍ୟ ସେମାନଙ୍କ ଭୋଟ୍ ଆଧାର ୨୦୨୦ରେ ଯାହାଥିଲା ମୋଟାମୋଟି ଭାବରେ ସେହିଠାରେ ରହିଗଲା।
ଅପରପକ୍ଷରେ ଏନ୍ଡିଏର ଭୋଟ୍ ଆଧାର ୨୨୦ ତୁଳନାରେ ଶତକଡ଼ା ୮ ଭାଗ ବଢ଼ି ଶତକଡ଼ା ୪୬ରେ ପହଂଚିଲା। ଯେଉଁଠାରେ ମୁସ୍ଲିମ୍ମାନେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ, ସେଠାରେ ସେମାନେ ଏଆଇଏମ୍ଏମ୍କୁ ଭୋଟ୍ ଦେଲେ ଓ ଅନ୍ୟ ସ୍ଥାନମାନଙ୍କରେ ସେମାନଙ୍କ ଭିତରେ ବିଭ୍ରାନ୍ତି ଯୋଗୁ ମହାଗଠବନ୍ଧନ କ୍ଷତିଗ୍ରସ୍ତ ହେଲା। ଏନ୍ଡିଏର ଜାତିଗତ ଆଧାର କେତେ ଶକ୍ତିଶାଳୀ ଥିଲା ତାହା ଏଥର ଆର୍ଜେଡି ଓ ଜେଡିୟୁ ମଧ୍ୟରେ ହୋଇଥିବା ସିଧାସଳଖ ମୁକାବିଲାରୁ ବେଶ୍ ସ୍ପଷ୍ଟ। ୨୦୨୦ରେ ଏହି ଦୁଇ ଦଳ ପରସ୍ପରକୁ ପ୍ରତିଦ୍ୱନ୍ଦିତା କରୁଥିବା ୬୧ ଆସନରୁ ଆର୍ଜେଡି ୪୦ଟିରେ ବିଜୟୀ ହୋଇଥିଲା। କିନ୍ତୁ ଏଥର ସେହି ଆସନରେ ଜେଡିୟୁ ୫୦ଟି ଆସନ ପାଇଛି।
ବିହାରର ଗତ ବିଧାନସଭା ନିର୍ବାଚନରେ ସବୁଠାରୁ ପ୍ରମୁଖ ଭୂମିକା ମହିଳାମାନେ ହିଁ ନେଇଛନ୍ତି। ଏହି ନିର୍ବାଚନରେ ୨୦୨୦ ତୁଳନାରେ ଏଥର ୭୨ ଲକ୍ଷ ଭୋଟର୍ ଅଧିକ ଭୋଟ୍ ଦେଇଛନ୍ତି। ଏହି ଅଧିକ ଭୋଟ୍ ଭିତରୁ ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ। ମୋଟାମୋଟି ଭାବରେ ବିହାରର ଗତ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ଶତକଡ଼ା ୬୭ରୁ ଉର୍ଦ୍ଧ୍ୱ ହୋଇଛି ଓ ଏମାନଙ୍କ ଭିତରେ ମହିଳା ଭୋଟର୍ଙ୍କ ହାର ପୁରୁଷ ଭୋଟର୍ଙ୍କ ହାରଠାରୁ ଶତକଡ଼ା ୮ ଭାଗ ଅଧିକ ହୋଇଛି। ମହିଳା ଭୋଟର୍ମାନଙ୍କୁ ଆକୃଷ୍ଟ କରିବାରେ ନୀତୀଶ କୁମାରଙ୍କ ସରକାରର କ୍ରମାଗତ ଉଦ୍ୟମ ସହିତ ଠିକ୍ ନିର୍ବାଚନ ପୂର୍ବରୁ ନିଯୁକ୍ତି ନାମରେ ମହିଳାମାନଙ୍କୁ ଜଣ ପିଚ୍ଛା ୧୦ ହଜାର ଟଙ୍କାର ସହାୟତା ଯାହା ଭୋଟ୍ ଗ୍ରହଣ ସମୟରେ ମଧ୍ୟ ଚାଲୁ ରହିଥିଲା ତାହା ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ କେନ୍ଦ୍ରକୁ ଆସି ଏନ୍ଡିଏ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରେରଣା ଯୋଗାଇଲା।
ଏହାଛଡ଼ା ବୁଢ଼ାବୁଢ଼ୀ ଓ ଦିବ୍ୟାଙ୍ଗମାନଙ୍କର ପେନ୍ସନ୍ ଯାହା ୧୦ ବର୍ଷ ଧରି ମାତ୍ର ୪୦୦ ଟଙ୍କା ଥିଲା ତାହାକୁ ମାସିକ ୧୧୦୦ ଟଙ୍କାକୁ ବୃଦ୍ଧି କରିବା ଓ ବେକାରମାନଙ୍କୁ ୧୦୦୦ ଟଙ୍କାର ଭତ୍ତା ପ୍ରଦାନଠାରୁ ଆରମ୍ଭ କରି ଅଙ୍ଗନବାଡ଼ି ଓ ମଧ୍ୟାହ୍ନ ରୋଷେଇ କରୁଥିବା ମହିଳାମାନଙ୍କର ଭତ୍ତାବୃଦ୍ଧି ପ୍ରଭୃତି ମହିଳାମାନଙ୍କ ଭିତରେ ଏନ୍ଡିଏ ପ୍ରତି ଭାବନାକୁ ନିଶ୍ଚିତ ଭାବରେ ବୃଦ୍ଧି କରିଛି। କୁହାଯାଉଛି ଯେ, ମହିଳାମାନେ ସେମାନଙ୍କ ପ୍ରତି ସରକାର କରିଥିବା ଯୋଜନାଗୁଡ଼ିକ ଯେପରି ଭୁଲି ନଯାଆନ୍ତି ସେଥିପାଇଁ ପ୍ରଥମଥର ପାଇଁ ବିହାର ନିର୍ବାଚନରେ ଜୀବିକା ଦିଦିମାନଙ୍କୁ ବୁଥ୍ମାନଙ୍କରେ ନିର୍ବାଚନ ଦାୟିତ୍ୱ ଦିଆଗଲା। ଏମାନେ ସରକାରୀ କର୍ମଚାରୀ ନହୋଇଥିଲେ ମଧ୍ୟ ନିର୍ବାଚନ କମିଶନ ଏମାନଙ୍କୁ କିପରି ଭାବରେ ନିର୍ବାଚନ କାମରେ ନିୟୋଜନ କଲେ ତାହା ଏକ ପ୍ରଶ୍ନ ହୋଇରହିଛି। କିନ୍ତୁ ମହିଳାମାନଙ୍କର ଏନ୍ଡିଏ ପ୍ରତି ଭାବନା ଅଧିକ ହେବାର ଏକ ମୁଖ୍ୟ କାରଣ ହେଲା ଯେ, ଦାରିଦ୍ର୍ୟ୍ରେ ପୀଡ଼ିତ ବିହାର ପରିବାରଗୁଡ଼ିକୁ ଚଳାଇବାର ମୁଖ୍ୟଦାୟିତ୍ୱ ମହିଳାମାନେ ନେଉଥିବାରୁ ସେମାନଙ୍କ ପାଇଁ ମାଗଣା ରେସନ୍ ସହିତ ଭୋଟ୍ ସମୟରେ ୧୦ ହଜାର ଟଙ୍କାର ସହାୟତା ସେମାନଙ୍କୁ ଏନ୍ଡିଏ ପ୍ରତି ଆକୃଷ୍ଟ କଲା।
ଜାତି ବିଭକ୍ତ ବିହାର ସମାଜରେ ମୁସ୍ଲିମ୍ ଓ ଯାଦବ ପରିବାରରେ ମଧ୍ୟ ଗରୀବ ମହିଳା ସରକାରଙ୍କର ଏହି ସ୍କିମ୍ ଦ୍ୱାରା ଆକୃଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା। ତଥାପି ମହା ଗଠବନ୍ଧନ ପକ୍ଷରୁ ତେଜସ୍ୱୀ ଯାଦବ ପ୍ରତି ପରିବାରକୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ବେକାର ଯୁବକମାନଙ୍କ ଭିତରେ ଏକ ଭଲ ପ୍ରେରଣା ସୃଷ୍ଟି କରିଥିଲେ ମଧ୍ୟ ଭୋଟ୍ଦାତା ସଂଖ୍ୟାର ଶତକଡ଼ା ୫୦ ଭାଗ ମହିଳା ଭୋଟର୍ଙ୍କ ଭିତରୁ ଅଧିକାଂଶଙ୍କ ମନୋଭାବ ଏନ୍ଡିଏ ଆଡ଼କୁ ଯିବା ଫଳରେ ଯୁବ ଭୋଟର୍ମାନେ ଏହାକୁ ପ୍ରତିହତ କରିପାରିଲେ ନାହିଁ।
ଏହି ସମସ୍ତ ଘଟଣାଗୁଡ଼ିକ ସହିତ ମହାଗଠବନ୍ଧନ ବିରୋଧରେ ଏକ ମୁଖ୍ୟ ଅଭିଯୋଗ ହେଲା ଯେ, ଏମାନେ କ୍ଷମତାକୁ ଆସିଲେ ବିହାରରେ ପୁଣି ଜଙ୍ଗଲରାଜ ଆରମ୍ଭ ହେବ। ଲାଲୁ ପ୍ରସାଦ ଯାଦବ ଓ ରାବିଡ଼ି ଦେବୀଙ୍କ ଶାସନର ୧୫ ବର୍ଷ ଭିତରେ ଲାଲୁଙ୍କ ପ୍ରଥମ କାଳରେ ବିହାରର ଗରିବମାନଙ୍କୁ ଯେଉଁ ଅଧିକାର ମିଳିଥିଲା ତାହା ରାବିଡ଼ି ଦେବୀଙ୍କ ଶାସନ କାଳରେ ଯାଦବ ମୁସଲ୍ମାନଙ୍କ ଶାସନରେ ପରିଣତ ହେବାରୁ ରାଜ୍ୟରେ ଗୁଣ୍ଡାରାଜ୍ ପ୍ରତିଷ୍ଠା ହୋଇଥିବା କୁହାଗଲା। ବାସ୍ତବିକ ତେଜସ୍ୱୀ ଯାଦବଙ୍କର ଲୋକପ୍ରିୟତା ସତ୍ତ୍ୱେ ଲାଲୁ ଯାଦବଙ୍କ ଶାସନ କାଳର କେତେଗୁଡ଼ିଏ ଅପକୀର୍ତି ଏବେ ମଧ୍ୟ ତାଙ୍କ ପାଇଁ ଏକ ବଡ଼ ବୋଝରେ ପରିଣତ ହୋଇଛି। ମହାଗଠବନ୍ଧନରେ କଂଗ୍ରେସ ଓ ବାମପନ୍ଥୀମାନେ ଥିଲେ ମଧ୍ୟ ମହାଗଠବନ୍ଧନ ଶାସନକୁ ମୁଖ୍ୟତଃ ଆର୍ଜେଡ଼ି ଶାସନ ଭାବରେ ବିଚାର କରାଯାଇ ଜଙ୍ଗଲରାଜର ସ୍ଳୋଗାନ ଦିଆଯାଉଛି।
ବାସ୍ତବିକ ଏହି ନିର୍ବାଚନରେ ଅଧିକାଂଶ କ୍ଷୁଦ୍ର ଦଳମାନେ ପୂରାପୂରି ଶେଷ ହୋଇଗଲେ। ଏପରିକି ବିହାରରେ ଗତ ୩ ବର୍ଷ ଧରି ଏକ ବିକଳ୍ପ ରାଜନୀତିର ବାର୍ତା ଦେଇ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଜନ ସ୍ୱରାଜ ନାମରେ ଦଳ ଗଠନ କରି ସବୁ ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ତାଙ୍କୁ ଗୋଟିଏ ହେଲେ ଆସନ ବି ମିଳିନାହିଁ। ତାଙ୍କର ଭୋଟ୍ ଆଧାର କେହି ବି ଭାବି ନଥିଲେ ଯେ, ତାହା ଶତକଡ଼ା ୩ରେ ସୀମାବଦ୍ଧ ହୋଇଯିବ। ନିର୍ବାଚନରେ ଏହି ବିପର୍ଯ୍ୟୟ ନେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଶେଷ ମୁହୂର୍ତରେ ରାଜ୍ୟରେ ମହାଗଠବନ୍ଧନର ସରକାର ପ୍ରତିଷ୍ଠା ହେବାର ସମ୍ଭାବନା ସୃଷ୍ଟି ହେବାରୁ ଜଙ୍ଗଲରାଜ ଫଳରେ ତାଙ୍କ ସମର୍ଥକମାନେ ଏନ୍ଡିଏ ଆଡ଼କୁ ଚାଲିଗଲେ। ଅର୍ଥାତ୍ ମହାଗଠବନ୍ଧନକୁ ହରାଇବା ଦିଗରେ ଜଙ୍ଗଲରାଜ ଅଭିଯୋଗ ଏକ ମୁଖ୍ୟଭୂମିକା ଗ୍ରହଣ କରିଛି।
ଗୋଟିଏ ପକ୍ଷରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ବାଚନ ପୂର୍ବରୁ ସରକାରୀ ଅର୍ଥରେ ବ୍ୟାପକ ବ୍ୟବସ୍ଥା ଓ ଅନ୍ୟପକ୍ଷରେ ଜଙ୍ଗଲରାଜର ଭୟ ଦେଖାଇ ଏନ୍ଡିଏ ବିପୁଳ ବିଜୟ ହାସଲ କରିଛି। ଯଦିଓ ବିହାର ସମାଜକୁ ଯିଏ ଜାଣେ ସେ ସ୍ୱୀକାର କରିବ ଯେ, ଲାଲୁ ଯାଦବ ଓ ମଣ୍ଡଳ କମିଶନ୍ ପୂର୍ବରୁ ବିହାରର ସାମାଜିକ ଅବସ୍ଥା ଯାହାଥିଲା, ଯେଉଁଥିରେ ଗରିବ, ଦଳିତ, ପଛୁଆବର୍ଗ, ନିଷ୍ପେସିତ ଓ ନିର୍ଯାତିତ ହୋଇଥିଲେ ତାହାର ଅବସାନ ଘଟିଥିଲା। ତଥାପି ସେହି ଶାସନ କାଳର ଶେଷ ଭାଗରେ ଲାଲୁ ପ୍ରସାଦ ଯାଦବ ଜେଲ୍ ଯିବା ପରେ ଶାସନ ରାବିଡ଼ି ଦେବୀଙ୍କ ହାତକୁ ଯିବା ଫଳରେ ବିହାରରେ ଜଙ୍ଗଲରାଜର ସୂତ୍ରପାତ ହେଲା। କିନ୍ତୁ ତେଜସ୍ୱୀ ଏ ଦୃଷ୍ଟି କୋଣରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିଲେ ମଧ୍ୟ ପରିବାରର ଅତୀତ ପାପ ତାଙ୍କୁ ମୁଣ୍ଡାଇବାକୁ ପଡୁଛି।
ଫୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/18/nitish-kumar-2025-11-18-16-58-19.jpg)