/odisha-reporter/media/post_attachments/uploadimage/library/16_9/16_9_0/IMAGE_1755155117.jpg)
Vote Chori Nehin Chalegi!
ରବି ନାରାୟଣ ପଣ୍ଡା
ଭୋଟଚୋରି ଭଳି ଏକ ଅପ୍ରତ୍ୟାଶିତ ଶବ୍ଦ ଭାରତ ବର୍ଷର ବିମର୍ଶକୁ କିଛି ଦିନ ହେଲା ପ୍ରଭାବିତ କରୁଛି। ସାହି ଠାରୁ ସଂସଦ ପର୍ଯ୍ୟନ୍ତ ସବୁସ୍ଥାନରେ ବୁଦ୍ଧିଜୀବୀମାନଙ୍କ ତର୍କ ବିତର୍କର ଚକ୍ର ବ୍ୟୁହରେ ଭାରତୀୟ ଗଣମାଧ୍ୟମ ଯୋଡ଼ି ହୋଇଯାଇଛି। ଖୋଦ ବିରୋଧୀ ଦଳ ନେତା ନିର୍ବାଚନ କମିଶଙ୍କ ଉପରେ ଏହି ଆରୋପ ଲଗେଇବା କାରଣରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି। ବିହାରରେ ମତଦାତା ସୂଚୀର ସଂଶୋଧନ ଆରମ୍ଭ ହେବା ମାତ୍ରେ ଭୋଟ ଚୋରି ଅଭିଯୋଗ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନ ସରକାର ନିର୍ବାଚନ କମିଶନ ସହିତ ମିଶି ଏପରି କାର୍ଯ୍ୟ କରୁଛନ୍ତି ବୋଲି ଦାବି କରିବା ଆରମ୍ଭ କରିଛନ୍ତି ସାଂସଦ ରାହୁଲ ଗାନ୍ଧୀ।
ପ୍ରଥମ ପର୍ଯ୍ୟାୟରେ ବିହାର ମତଦାତା ସୂଚୀ ସଂଶୋଧନରେ ପାଖାପାଖି ୬୫ ଲକ୍ଷ ମତଦାତା ବାଦ ପଡ଼ିଛନ୍ତି। ସଂଶୋଧନ ସମୟରେ ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ନକଲି ପରିଚୟ ପତ୍ର ରଖି ଧରା ପଡ଼ିଛନ୍ତି। ଅଭିଯୋଗକାରୀ ନିଜେ ଅଭିଯୁକ୍ତ ହୋଇଯାଇଛନ୍ତି। ଗଣମାଧ୍ୟମ ତଥ୍ୟ ଅନୁସାରେ ବିହାରର ଗୋଟିଏ ଠିକଣାରେ ୨୪୭ ମତଦାତା ନିଜର ନାମ ପଞ୍ଜିକରଣ କରିଥିଲେ। ଯାହା ସମ୍ପୂର୍ଣ୍ଣ ରୂପେ ଅସ୍ୱାଭାବିକ ଘଟଣା।
କିଛି ବର୍ଷ ହେବ ଭାରତୀୟ ଗଣତନ୍ତ୍ରରେ ଏହିପରି ନକଲି ମତଦାତା ଓ ଅଯୋଗ୍ୟ ମତଦାତା ରହୁଥିବା ଖବର ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିବାରେ ଲାଗିଛି। ଭାରତ ଭଳି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ପାଇଁ ଏହା ଲଜ୍ୟାଜନକ ବିଷୟ। ସ୍ୱାଧୀନତାର ୭୫ ବର୍ଷ ପାଳନ କରିସାରିଥିବା ଗୋଟିଏ ଦେଶ ତାର ନିର୍ଭୁଲ ନାଗରିକ ସୂଚୀ ପ୍ରସ୍ତୁତ କରିପାରିବ ନାହିଁ, ଏହା କେବେବି ଗ୍ରହଣ ଯୋଗ୍ୟ ନୁହେଁ। ଅନୁପ୍ରବେଶକାରୀଙ୍କୁ ମତଦାତା ସୂଚୀରୁ ବାହାର କରି ନପାରିବା ଅର୍ଥ ଆମ ସମ୍ବିଧାନରେ କେଉଁଠି ନା କେଉଁଠି ଗଳାବାଟ ରହିଛି। ଆମ ବ୍ୟବସ୍ଥା କିମ୍ବା ଆଇନ ବିଦେଶୀ ଓ ଅଯୋଗ୍ୟ ମତଦାତାଙ୍କୁ ମତଦାତା ସୂଚୀରୁ ବାହାର କରିବାରେ ସକ୍ଷମ ହେଉନାହିଁ। ସ୍ଥୁଳ ଦୃଷ୍ଟିରେ ଦେଖିଲେ ଭୁଲ ମତଦାତା ସୂଚୀ ଆମ ରାଷ୍ଟ୍ରୀୟ ସ୍ୱାଭିମାନ ପ୍ରତି ଅପମାନ। ନିର୍ବାଚନ କମିଶନ ଏହି ଅବହେଳାର ଉତ୍ତର ଦାୟିତ୍ୱ ନେବା ଉଚିତ। ନିର୍ଭୁଲ ମତଦାତା ସୂଚୀ ପ୍ରସ୍ତୁତ କରିବା ପାଇଁ ସମସ୍ତେ ନିର୍ବାଚନ ଆୟୋଗଙ୍କୁ ସହଯୋଗ କରିବା ଉଚିତ। କିନ୍ତୁ ଏପରି ସ୍ୱାଭାବିକ କାର୍ଯ୍ୟ ଦେଶର ସାମାଜିକ ଓ ରାଜନୈତିକ ସଂସ୍ଥା ନିକଟରେ ଦେଖିବାକୁ ମିଳୁନାହିଁ ବରଂ ବିଭିନ୍ନ ଦଳ ଏହାକୁ ବିରୋଧ କରିବା ପାଇଁ ସଜବାଜ ହେଉଛନ୍ତି। ଏହି ବିରୋଧ ରାଜନୈତିକ ଦଳଗୁଡିକର ମୌଳିକ ଆଦର୍ଶ ତଥା ଆଚାର ସଂହିତାର ପରିପନ୍ଥୀ ଅଟେ।
ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ନିଜର ଉତ୍ତର ଦାୟିତ୍ୱ ତୁଲେଇବା ପାଇଁ ସଂସ୍ଥା ସମ୍ପୂର୍ଣ୍ଣ ସ୍ୱାଧୀନ। ସାମ୍ବିଧାନିକ ସଂସ୍ଥାକୁ ପରାମର୍ଶ ଦେଇ ପାରିବେ ଏବଂ ଦେବା ମଧ୍ୟ ଉଚିତ, କିନ୍ତୁ ତାକୁ ଆକ୍ରମଣ କରିବା ଉତ୍ତମ ନାଗରିକର ଲକ୍ଷଣ ନୁହେଁ। ସାମ୍ବିଧାନିକ ସଂସ୍ଥାକୁ ଚୋର କହି ପ୍ରକାଶ୍ୟରେ ଗାଳିଦେବା କେତେଦୂର ଯତାର୍ଥ ତାହା ବିଚାରଣୀୟ। ମତଦାତା ସଂଶୋଧନ ମାମଲା ଉଚ୍ଚତମ ନ୍ୟାୟାଳୟରେ ବିଚାରାଧୀନ ଅଛି। ଅର୍ଥାତ ଗୋଟିଏ ସାମ୍ବିଧାନିକ ସଂସ୍ଥା ଆଉ ଗୋଟିଏ ସାମ୍ବିଧାନିକ ସଂସ୍ଥାର ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛି। ଏପରି ସମୟରେ ଧୈର୍ଯ୍ୟ ଧରିବା ସମସ୍ତଙ୍କ ପାଇଁ ଶ୍ରେୟସ୍କର ହେବ।
କିଛି ବର୍ଷ ବ୍ୟବଧାନରେ ମତଦାତା ସୂଚୀର ସୂକ୍ଷ୍ମାତିସୂକ୍ଷ୍ମ ସଂଶୋଧନ କରାଯାଇଥାଏ। ଏହି ସଂଶୋଧନ ସମୟରେ ନିର୍ବାଚନ କମିଶନ ସମସ୍ତଙ୍କୁ ନିଜର ଆପତ୍ତି ଅଭିଯୋଗ ପାଇଁ ପର୍ଯ୍ୟାପ୍ତ ସମୟ ଦେଇଥିଲେ। ନିର୍ବାଚନ କମିଶଙ୍କ କହିବା ଅନୁସାରେ ସଂଶୋଧନରେ ବାଦ ପଡ଼ିଥିବା ନାଗରିକଙ୍କ ଭିତରୁ କେହି ଲିଖିତ କିମ୍ବା ଅନଲାଇନ ଅଭିଯୋଗ କରିନାହାନ୍ତି। ନିର୍ବାଚନ କମିଶଙ୍କ ଦାବିକୁ ଯଦି ସତ୍ୟ ବୋଲି ଗ୍ରହଣ କରିବା ତାହେଲେ ଭାରତରେ ଗଣତନ୍ତ୍ରକୁ ଅଯୋଗ୍ୟ ମତଦାତା ପ୍ରଭାବିତ କରିଆସୁଥିଲେ। ସଂସଦର ଭାଗ୍ୟ ଓ କାର୍ଯ୍ୟ ଅଯୋଗ୍ୟ ମତଦାତାଙ୍କ ଦ୍ୱାରା ପ୍ରଭାବିତ ହେଉଥିଲା। ନିର୍ବାଚନ କମିଶନଙ୍କୁ ବିରୋଧ କରୁଥିବା ଦଳ ବା ଲୋକ ସେହି ଅଯୋଗ୍ୟ ମତଦାତାଙ୍କର ପୃଷ୍ଠପୋଷକ ଥିଲେ। ଅଯୋଗ୍ୟ ମତଦାତାଙ୍କୁ ୭୮ ବର୍ଷ ହେଲା ସୁରକ୍ଷାଦେଇ ଆସୁଥିବା ଦଳ ଓ ବ୍ୟକ୍ତିଙ୍କୁ ଚି଼ହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।
ଯେଉଁ ଦଳ ବା ବ୍ୟକ୍ତି ଭୋଟ ଚୋରି ବିଷୟ ଉତ୍ଥାପନ କରିଛନ୍ତି ସେମାନଙ୍କ ରାଜନୈତିକ ଯାତ୍ରାକୁ ସମୀକ୍ଷା କରିନେବା ଦେଶବାସୀଙ୍କ ପାଇଁ ଠିକ ହେବ। ଅଧିକ ପୁରୁଣା ଦଳ କଂଗ୍ରେସ କଥା ବିଚାରକୁ ନେଲେ ଭଲ ହେବ। ଦେଶ ସ୍ୱାଧୀନ ହେବା ସହିତ ନେତା ନିର୍ବାଚନ ପାଇଁ ମତଦାନ ହେଲା। ସର୍ଦ୍ଦାର ପଟେଲ ଓ ଜବାହର ଲାଲ ନେହେରୁ ନିର୍ବାଚନ ମୈଦାନରେ ଥିଲେ। ୧୫ ରାଜ୍ୟ ପରିଷଦ ମଧ୍ୟରୁ ୧୨ ପରିଷଦ ସର୍ଦ୍ଦାର ପଟେଲଙ୍କ ସପକ୍ଷରେ ମତଦାନ କଲେ, ତିନୋଟି ପରିଷଦ ମତଦାତା ମତଦାନ କଲେନାହିଁ, ଅନୁପସ୍ଥିତ ରହିଲେ। ପରିତାପର ବିଷୟ ଗୋଟିଏ ବି ଭୋଟ ପାଇ ନଥିବା ନେହେରୁ ବିଜୟୀ ହେଲେ ଏବଂ ସର୍ଦ୍ଦାର ପଟେଲ ହାରିଗଲେ। ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ। ଏହାକୁ ସିଧାସଳଖ ଭୋଟ ଚୋରି ବୋଲି କୁହାଯାଇପାରିବ। ଏହା ଭାରତ ଇତିହାସର ଭୟଙ୍କର ଚୋରି ବୋଲି କୁହାଯାଇ ପାରିବ। କଂଗ୍ରେସ ଦଳ ଏବେବି ଏହି ନିର୍ବାଚନ ଉପରେ ମନ୍ତବ୍ୟ ଦେବାକୁ ରାଜି ନୁହେଁ। ୧୯୫୨ ମସିହାରେ ମହାରାଷ୍ଟ୍ରରେ ଭାରତରତ୍ନ ଆମ୍ୱେଦକରଙ୍କୁ ହରେଇବା ପାଇଁ ନେହେରୁ ନିଜେ ନିର୍ବାଚନ ପ୍ରଚାର କଲେ। ଏତିକିରେ ନେହେରୁ ସୀମିତ ରହିଥିଲେ ଚଳିଥାନ୍ତା କିନ୍ତୁ ନେହେରୁ ଆମ୍ବେଦକରଙ୍କୁ ହରେଇବା ପାଇଁ ନିର୍ବାଚନ କର୍ମଚାରୀଙ୍କୁ ଉପଯୋଗ କଲେ। ଆମ୍ବେଦକର ୧୫,୦୦୦ ଭୋଟରେ ହାରିଗଲେ। ଆମ୍ବେଦକର ଯେତିକି ଭୋଟରେ ହାରିଲେ ତାର ୫ ଗୁଣ ଭୋଟକୁ ନାକଚ କରାଯାଇଥିଲା। ଏହାକୁ କାହିଁକି ଭୋଟ ଚୋରି ବୋଲି କୁହା ଯିବନାହିଁ?
ଆହ୍ଲାବାଦର ସଂସଦୀୟ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ଅନିୟମିତତା କରି ଜିତିଛନ୍ତି ବୋଲି ଆହ୍ଲାବାଦ ଉଚ୍ଚ ନ୍ୟାଳୟ ପ୍ରମାଣିତ କଲେ। କ୍ଷମତାରେ ରହିବା ପାଇଁ ୧୯୭୫ ମସିହାରେ ଇନ୍ଦିରା ଜରୁରୀ ପରିସ୍ଥିତି ଘୋଷଣା କରି ଉଚ୍ଚତମ ନ୍ୟାୟାଳୟର ରାୟ ଏବଂ ସମ୍ବିଧାନକୁ ପଦଦଳିତ କରିଦେଲେ। ରାହୁଲ ଗାନ୍ଧୀ ଆଜି ଯେଉଁ ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଉଠାଉଛନ୍ତି, ସେହି ନିରପେକ୍ଷତା ତାଙ୍କ ଦଳ କେବେ ପାଳନ କରିନାହିଁ।
ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିଲା। ନିୟମ ଅନୁସାରେ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀର ନିର୍ବାଚନ ବନ୍ଦ ହେବାକଥା। କିନ୍ତୁ ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରି ସମ୍ପୂର୍ଣ୍ଣ ଦେଶର ନିର୍ବାଚନ ବନ୍ଦ କରିଦିଆଗଲା। ସହାନୁଭୂତି ପାଇଁ ଦେଶ ସାରା ଅସ୍ଥି କଳସ ବୁଲିଲା। ସହାନୁଭୂତିର ଭୋଟ ଅମଳ କରି ନିର୍ବାଚନ ଜିତାଗଲା। ଏହିଭଳି ଅନେକ ଘଟଣାର ନାୟକ ସାଜିଥିବା ଗୋଟିଏ ଦଳ ଅଭିଯୋଗ କରିବା ଘଟଣା ସମାଜରେ ଗ୍ରହଣୀୟ ହୋଇ ପାରୁନାହିଁ। ଯଦି ଅଭିଯୋଗ ଅଛି ତା ହେଲେ ଲିଖିତ ଅଭିଯୋଗ କରିବା ଉଚିତ। ନିର୍ବାଚନ କମିଶନ ଲିଖିତ ଅଭିଯୋଗ ମାଗୁଥିବା ବେଳେ ସେଥିରୁ ନିଜକୁ ଦୁରେଇ ରଖି ସଭା ସମିତିରେ ସାମ୍ବିଧାନିକ ସଂସ୍ଥାକୁ ଆକ୍ରମଣ କରିବା ଗଣତନ୍ତ୍ର ପ୍ରତି ବିପଦ ଅଟେ।
ମଠସାହି, ଭଦ୍ରକ, ଫୋ- ୯୪୩୭୦୧୭୮୫୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
