ଦେବ ରଞ୍ଜନ
ଜଗନ୍ନାଥ ମନ୍ଦିରର ‘ଉତ୍ତମ ପରିଚାଳନା’ ଓ ‘ଶାସନ’ ଲାଗି ୧୯୫୫ ମସିହାରେ ଓଡ଼ିଶା ବିଧାନସଭାରେ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ପାସ ହୋଇଥିଲା। ଏହାପରେ ପୁରୀ ରଜାଙ୍କ ଠାରୁ ଓଡ଼ିଶା ସରକାର ମନ୍ଦିରର ପରିଚାଳନା ଦାୟିତ୍ଵ ନିଜ ହାତକୁ ନେଇଥିଲେ। ଏହି ଆଇନ ବଳରେ ସରକାର ୧୮ ଜଣିଆ ପରିଚାଳନା କମିଟି ଗଠନ କରିଥିଲେ। କମିଟିର ସଦସ୍ୟ ଚୟନ ଲାଗି ସ୍ଥିରୀକୃତ ମାନଦଣ୍ଡରେ କେବେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ଧାରା ୬(୨)ରେ ଉଲ୍ଲେଖ ରହିଛି, ହିନ୍ଦୁ ଧର୍ମରେ ବିଶ୍ଵାସ ରଖୁନଥିବା ଓ ପାଳନ କରୁନଥିବା କୌଣସି ବ୍ୟକ୍ତି ଏହାର ପରିଚାଳନା ସଦସ୍ୟ ହୋଇପାରିବେ ନାହିଁ।
ଉତ୍ତର ଭାରତରେ ମନସା ମନ୍ଦିର ହିନ୍ଦୁମାନଙ୍କର ଅତି ପ୍ରସିଦ୍ଧ ପୂଜାସ୍ଥଳୀ। ହରିୟାନା ରାଜ୍ୟର ପଞ୍ଚକୁଳ ନିକଟରେ ଏହା ଅବସ୍ଥିତ। (ଅବଶ୍ୟ ଦେଶର ଅନ୍ୟ କେତେକ ସ୍ଥାନରେ ମଧ୍ୟ ମନସା ମନ୍ଦିର ରହିଛି।) ହିନ୍ଦୁ ଧର୍ମାବଲମ୍ବିମାନେ ବିଶ୍ଵାସ କରନ୍ତି ଯେ ଏଠାରେ ପୂଜା କଲେ ଭକ୍ତଙ୍କ ଇଚ୍ଛା ପୂରଣ ହୋଇଥାଏ। ହେଲେ ମନ୍ଦିର ପରିଚାଳନା ସଂକ୍ରାନ୍ତୀୟ କେତେକ ସମସ୍ଯା କ୍ରମାଗତ ଭାବରେ ଉପୁଜିବା ହେତୁ ୧୯୯୧ ମସିହାରେ ହରିୟାନା ସରକାର ‘ମାତା ମନସା ଦେବୀ ମନ୍ଦିର ଆଇନ’ ପାସ କରାଇଥିଲେ ଓ ଏହି ଆଇନ ବଳରେ ଏକ ପରିଚାଳନା ବୋର୍ଡ ମଧ୍ୟ ଗଠନ କରିଥିଲେ। ଉକ୍ତ ବୋର୍ଡରେ ଯେଉଁ ଏଗାର ଜଣିଆ ସଦସ୍ୟ ବ୍ୟବସ୍ଥା ରହିଲା ସେଥିରେ ଚେୟାରମ୍ୟାନ ଭାବରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ପଞ୍ଚକୁଳର ଡେପୁଟି କମିଶନର ଏହାର ସଦସ୍ୟ-ସମ୍ପାଦକ ଓ ଅନ୍ୟ ନଅ ଜଣ ସଦସ୍ୟ ରହିଲେ। ଆଇନରେ ଏହା ସ୍ପଷ୍ଟ ରହିଲା ଯେ ସମସ୍ତ ସଦସ୍ୟ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବା ଆବଶ୍ୟକ। ଯଦି କେହି ଏ ଭିତରୁ ହିନ୍ଦୁ ନୁହନ୍ତି ତେବେ ରାଜ୍ୟ ସରକାର ସେହି ସ୍ଥାନରେ କୌଣସି ହିନ୍ଦୁଙ୍କୁ ବୋର୍ଡର ସଦସ୍ୟ ଭାବରେ ବାଛିବା ଲାଗି ଧାରା ୪ରେ ବ୍ୟବସ୍ଥା ରହିଲା।
ଦେଶର ଏହି ଭଳି ଅନେକ ମନ୍ଦିରର ପରିଚାଳନା ଦାୟିତ୍ଵ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ଏପରିକି ଅଯୋଧ୍ୟା ଠାରେ ନବ ନିର୍ମିତ ରାମ ମନ୍ଦିରର ପରିଚାଳନା ଲାଗି କେନ୍ଦ୍ର ସରକାର ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ଗଠନ କରିଛନ୍ତି। ଏଥିରେ ରହିଥିବା ୧୫ ଜଣିଆ ସଦସ୍ୟ ବିଶିଷ୍ଟ କମିଟିରେ ଜଣେ ଦଳିତ ବର୍ଗର ରହିବା ବାଧ୍ୟତାମୂଳକ ବୋଲି ମିଡିଆ ତଥ୍ୟରୁ ଜଣାପଡ଼େ। ଦେଶର ଅନ୍ୟ କୌଣସି ଟ୍ରଷ୍ଟ ଆଇନରେ ଦଳିତ ବର୍ଗ ଲାଗି ସଂରକ୍ଷିତ ରହିବା କଥା ଜଣାନଥିଲା ଏପରିକି ଜଗନ୍ନାଥ ମନ୍ଦିରରେ ମଧ୍ୟ ନୁହେଁ। ଏବେ ଦଳିତଙ୍କୁ ହିନ୍ଦୁ ଧର୍ମର ଅଂଶ ଭାବରେ ନିଆଯାଇଛି।
ଟ୍ରଷ୍ଟ ଆଇନ ଅନୁସାରେ ଅଯୋଧ୍ୟାର ଜିଲ୍ଲାପାଳ ଟ୍ରଷ୍ଟର ଏକ୍ସ-ଅଫିସିଓ ସଦସ୍ୟ ହେବେ ଓ ବାକି ସଦସ୍ୟମାନଙ୍କୁ ମନ୍ଦିର ଅଥବା ଭାରତ ସରକାର ମନୋନୀତ କରିବେ। ଜିଲ୍ଲାପାଳ ଯଦି ହିନ୍ଦୁ ନୁହନ୍ତି ତେବେ ଉପ ଜିଲ୍ଲାପାଳ ଏହାର ସଦସ୍ୟ ରହିବେ ବୋଲି ଆଇନରେ ଉଲ୍ଲେଖ ରହିଛି। (ଇଣ୍ଡିଆ ଟୁଡେ, ୫ ଫେବୃଆରୀ ୨୦୨୦)
ତେବେ ୱାକଫ ବୋର୍ଡରେ କେନ୍ଦ୍ର ସରକାରଙ୍କ ଏଭଳି ହସ୍ତକ୍ଷେପ କାହିଁକି? କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁସାରେ, ୱାକଫ ବୋର୍ଡରେ ମନୋନୀତ ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୪ ଜଣ ନିଶ୍ଚିତ ରୂପେ ମୁସଲମାନ ଧର୍ମାବଲମ୍ବୀ ହୋଇଥିବେ। ଅର୍ଥାତ ଅଧାରୁ ଅଧିକ ସଂଖ୍ୟକ ସଦସ୍ୟ କୌଣସି ବି ସମୟରେ ଅଣ-ମୁସଲମାନ ହୋଇପାରନ୍ତି। ସେହିଭଳି ବୋର୍ଡମାନଙ୍କୁ ନେଇ ଗଠିତ ୨୪ ଜଣିଆ କେନ୍ଦ୍ରୀୟ ୱାକଫ କାଉନସିଲରେ କେବଳ ୧୧ ଜଣ ସଦସ୍ୟ ମୁସଲମାନ ସମ୍ପ୍ରଦାୟର ହୋଇଥିବେ। ତେଣୁ ଅଧାରୁ କମ ସଦସ୍ୟ ମୁସଲମାନ ହୋଇଥିବା କାରଣରୁ କୌଣସି ବି ସମୟରେ କାଉନସିଲର ପରିଚାଳାନା ନିଷ୍ପତ୍ତି ମୁସଲମାନ ଧର୍ମର ନିୟମ ଅନୁସାରେ ହୋଇନପାରେ।
କେନ୍ଦ୍ର ସରକାର ଜଣେ ମୁସଲମାନ ମହିଳାଙ୍କୁ ଏଥିରେ ସଦସ୍ୟ ରଖିବା ବାଧ୍ୟତାମୂଳକ କରିଥିବା ହୁଏତ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ବୋର୍ଡ ଓ କାଉନସିଲର ନିଷ୍ପତ୍ତିକୁ ପ୍ରଭାବିତ କରିବା ଲାଗି ପରିଚାଳନା କମିଟିରେ ମୁସଲମାନ ସଦସ୍ୟଙ୍କ ସଂଖ୍ୟା କମ କରିବା କାହାର ଧାର୍ମିକ ବ୍ୟାପାରରେ ସରକାର ହସ୍ତକ୍ଷେପ କରିବା ସହିତ ସମାନ। କେନ୍ଦ୍ର ସରକାର ଜାଣି ଜାଣି ଏହି ହସ୍ତକ୍ଷେପ କରୁଛନ୍ତି। ଇସଲାମ ଧର୍ମାବଲମ୍ବୀଙ୍କ ଧାର୍ମିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ବିରୋଧୀ ଦଳର ବିରୋଧ ସତ୍ବେ ବିଲକୁ ପାସ କରାଇଦେଲେ। ଆମ ଭାରତୀୟ ଗଣତନ୍ତ୍ରରେ କୌଣସି ବି ସରକାରର ଧର୍ମ, ଚାହେ କେନ୍ଦ୍ରରେ ହେଉ ଅଥବା ରାଜ୍ୟରେ, କ’ଣ କହିଲେ ଧର୍ମନିରପେକ୍ଷତା କୁହାଯିବା କଥା। କିନ୍ତୁ ବର୍ତ୍ତମାନର ସରକାରଙ୍କ କ୍ଷେତ୍ରରେ ତାହା ଦୃଶ୍ୟ ହେଉନାହିଁ। ରାମ ମନ୍ଦିର ଟ୍ରଷ୍ଟ ଆଇନ ଅନୁସାରେ ରାମ ମନ୍ଦିର ପରିଚାଳନା ଲାଗି ହିନ୍ଦୁ ଧର୍ମାବଲମ୍ବି ଜିଲ୍ଲାପାଳ ଏହାର କେବଳ ସଦସ୍ୟ ଅଟନ୍ତି। କିନ୍ତୁ ନୂତନ ୱାକଫ ଆଇନ ଅନୁସାରେ ୱାକଫ ବୋର୍ଡରେ ଜିଲ୍ଲାପାଳ ଜଣେ ନିଷ୍ପତ୍ତିକର୍ତ୍ତା। ଆଇନ ଅନୁସାରେ ସେ ସମସ୍ତ ଜମି ସମ୍ବନ୍ଧୀୟ ଓ ପରିଚାଳନା ସମ୍ବନ୍ଧୀୟ ବିବାଦର ଅନ୍ତିମ ନିଷ୍ପତ୍ତି ନେଇପାରିବାର କ୍ଷମତା ରଖୁଛନ୍ତି। ଜିଲ୍ଲାପାଳଙ୍କ ଭୂମିକାରେ ବିରାଟ ତାରତମ୍ୟ ଧର୍ମ ଅନୁସାରେ ଏହାର ଅନୁଷ୍ଠାନ ପରିଚାଳନା କ୍ଷେତ୍ରରେ ରହିଛି। ଏଭଳି ତାରତମ୍ୟ ସମ୍ବିଧାନ ବିରୋଧୀ। ଜିଲ୍ଲାପାଳଙ୍କ ମାଧ୍ୟମରେ ୱାକଫ ବୋର୍ଡର ନିଷ୍ପତ୍ତିକୁ ନିୟନ୍ତ୍ରିତ କରିବା ସରକାରଙ୍କ ଉଦ୍ଦେଶ୍ୟ। କେନ୍ଦ୍ର ସରକାରଙ୍କ ନୂତନ ୱାକଫ ଆଇନ ସଂକ୍ରାନ୍ତୀୟ ମାମଲା ଏବେ ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି।
କେନ୍ଦ୍ର ସରକାରଙ୍କ ୱାକଫ ଆଇନ ସଂଶୋଧନ ଏହି ହେତୁ ‘ଇସଲାମଭୟ’ ବା ‘ଇସଲାମୋଫୋବିଆ’ର ଅଂଶ। ଇସଲାମ ଧର୍ମ କାଳେ କେବେ ସମଗ୍ର ଦେଶକୁ ଅକ୍ତିଆର କରିନେବ ସେଭଳି କାଳ୍ପନିକ ଭୟ ସୃଷ୍ଟି କରାଯାଇ ହିନ୍ଦୁ ଭୋଟରଙ୍କୁ ସଂଗଠିତ କରିବା ହେଲା ‘ଇସଲାମଭୟ’ ବା ଇସଲାମୋଫୋବିଆ ସୃଷ୍ଟିକାରୀ ଶକ୍ତିର ଉଦ୍ଦେଶ୍ୟ। ସେହିଭଳି ସ୍ଥିତି ପଡ଼ୋଶୀ ଶ୍ରୀଲଙ୍କା ଓ ମ୍ୟାଁମାରରେ ମଧ୍ୟ ଦେଖାଯାଇଛି।
ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଶ୍ରୀଲଙ୍କାରେ ‘ଏକ ରାଷ୍ଟ୍ର ଏକ ଆଇନ’ ନାମରେ ମୁସଲମାନ ବିବାହ ଆଇନ, ବିଚ୍ଛେଦ ଆଇନ, ମସଜିଦ ପ୍ରତିଷ୍ଠା ଆଇନରେ ହସ୍ତକ୍ଷେପ ୨୦୨୧ରୁ ହୋଇଚାଲିଛି। ସାମ୍ପ୍ରଦାୟିକ ହିଂସା ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ମାଧ୍ୟମରେ ବୌଦ୍ଧ ସଂସ୍ଥାମାନଙ୍କୁ ଦୃଢ଼ୀଭୂତ କରାଯାଉଛି। ବୌଦ୍ଧ ଧର୍ମାବଲମ୍ବୀ ବହୁଳ ମ୍ୟାଁମାରର ସେନାବାହିନୀ ସରକାର, ମୁସଲମାନ ରୋହିଙ୍ଗିଆଙ୍କୁ ଦେଶରୁ ବିତାଡ଼ିତ କରିବା ଲାଗି ଅନେକ ଗଣହତ୍ୟା କରିସାରିଲାଣି। ସବୁଠାରେ ଇସଲାମଭୟ କାମ କରୁଛି। ଆଇନରେ ସଂଶୋଧନ କରିବା, ମୁସଲମାନଙ୍କୁ ଭୟ ଦେଖାଇବା, ଏହି ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟଙ୍କୁ ଶାରୀରିକ ଓ ମାନସିକ କଷ୍ଟ ଦେବା ଓ ସେମାନଙ୍କ ଜାତୀୟତା ଭାବନାକୁ ନଷ୍ଟ କରିବା ଇସଲାମଭୟର ଅଂଶ ଓ ଏହା ସେହି ଦେଶର ସରକାରଙ୍କ ଦ୍ଵାରା ହେଉଛି। ଭାରତୀୟ ଭୂଖଣ୍ଡରେ ହିନ୍ଦୁ ଓ ବୌଦ୍ଧ ବହୁଳ ଦେଶରେ ‘ଇସଲାମଭୟ’ ନିର୍ବାଚନ ଜିତିବାର ସାଂଘାତିକ କୌଶଳ।
ଭାରତରେ ମୁସଲମାନଙ୍କ ୱାକଫ ବୋର୍ଡ ମଧ୍ୟରେ ଯଦି ବି ସମ୍ବିଧାନ ବିରୋଧୀ କାର୍ଯ୍ୟଧାରା କିଛି ରହିଥାଏ ତେବେ ଏଥିରେ ସଂସ୍କାର ଆବଶ୍ୟକ। ଦୀର୍ଘ ବର୍ଷ ପରେ ହିନ୍ଦୁ ଧର୍ମରେ ମଧ୍ୟ ସଂସ୍କାର ଆସିଲା। ଦୀର୍ଘ ବର୍ଷର ସାମାଜିକ ଆନ୍ଦୋଳନ ଦ୍ଵାରା ଏଥିରେ ଦଳିତ ଓ ମହିଳାଙ୍କୁ ସମାନ ସ୍ଥାନ ଦିଆଗଲା। ସ୍ଥାନୀୟ ମସଜିଦମାନଙ୍କର ପରିଚାଳନା ସ୍ଥାନୀୟ ମୁସଲମାନ ବିଶ୍ଵାସୀ କମିଟିର ରହିଛି। ଏଥିରେ ୱାକଫ ବୋର୍ଡର କୌଣସି ଭୂମିକା ନାହିଁ। କିନ୍ତୁ ଉକ୍ତ ମସଜିଦର ସମସ୍ତ ସମ୍ପତ୍ତି ଓ ଏହାର ଅଧୀନରେ ଚାଲୁଥିବା ସାମାଜିକ ଅନୁଷ୍ଠାନର ପରିଚାଳାନା କ୍ଷମତା ଉଭୟ ମସଜିଦ କମିଟି ଓ ୱାକଫ ବୋର୍ଡ ହାତରେ ରହିଥାଏ। ତେଣୁ ସଂସ୍କାର ବିଷୟ ସମଗ୍ର ମୁସଲମାନଙ୍କ ଧର୍ମୀୟ ବିଶ୍ଵାସର କଥା। ଏହା ସାମାଜିକ ଆନ୍ଦୋଳନ ମାଧ୍ୟମରେ ଆସିବା ଆବଶ୍ୟକ। ଏହାର ସଂସ୍କାର ସରକାରୀ ଆଇନ ମାଧ୍ୟମରେ ନୁହେଁ।
ଧର୍ମନିରପେକ୍ଷତାର ବିଚାର ଅନୁସାରେ କୌଣସି ଧର୍ମପୀଠ, ଚାହେ ମନ୍ଦିର ହେଉ କି ମସଜିଦ, ଏହାର ପରିଚାଳାନାର ଦାୟିତ୍ଵ ସରକାର ନେବା ଅନାବଶ୍ୟକ। ବରଂ ଏହାର ପରିଚାଳନାର ଦାୟିତ୍ବ ସେହି ଧର୍ମୀୟ ବିଶ୍ଵାସୀ ଅଥବା ନିକଟସ୍ଥ ମୁନିସିପାଲିଟି କିମ୍ବା ପଞ୍ଚାୟତ ହାତକୁ ଦେବା ଆବଶ୍ୟକ। ସରକାର କେବଳ ପୂଜା, ପର୍ବ, ଧାର୍ମିକ ସମାଗମ ସମୟରେ ଆଇନ ଶୃଙ୍ଖଳାର ଦାୟିତ୍ଵ ନେବା ଆବଶ୍ୟକ। ଆଜି ପର୍ଯ୍ୟନ୍ତ ମସଜିଦ ଓ ଚର୍ଚ୍ଚ କ୍ଷେତ୍ରରେ ନିଜ ନିଜ ଧର୍ମାବଲମ୍ବୀମାନେ ନିଜ ଧର୍ମସ୍ଥାନର ପରିଚାଳନା ଦାୟିତ୍ଵ ନିଜେ ବୁଝିଆସୁଥିଲେ ଓ ଧାର୍ମିକ ସମାଗମ ସମୟରେ ସରକାର ଆଇନ ଶୃଙ୍ଖଳାର ସ୍ଥିତିକୁ ନିୟନ୍ତ୍ରଣ କରୁଥିଲେ। ଏବେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି। ସେଭଳି ନକରି ବରଂ କେନ୍ଦ୍ର ସରକାର ହିନ୍ଦୁ ମନ୍ଦିର କ୍ଷେତ୍ରରେ ମଧ୍ୟ ସେହି ବ୍ୟବସ୍ଥା ବରଂ ଲାଗୁ ହେବା ଆବଶ୍ୟକ ଯାହା ମସଜିଦ ଓ ଚର୍ଚ୍ଚ ଲାଗି ପୂର୍ବରୁ ସରକାରଙ୍କ ଆଭିମୁଖ୍ୟ ରହିଥିଲା। ଏହା ଦ୍ବାରା ଦେଶ ନିଜର ଧର୍ମନିରପେକ୍ଷତାକୁ ବଜାୟ ରଖିପାରିବ।
ମୋବାଇଲ - ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।