ରବି ନାରାୟଣ ପଣ୍ଡା
ତାଜିକସ୍ଥାନରେ ଲମ୍ବା ସମୟ ଧରି ଆରବ ଇସ୍ଲାମ ଓ ତାଜିକ ଇସ୍ଲାମ ଭିତରେ ସଂଘର୍ଷ ଜାରି ରହିଛି । ତାଜିକବାସୀ ଇଣ୍ଡୋନେସିଆ ଭଳି ନିଜ ଦେଶରେ ଆରବ ଇସ୍ଲାମକୁ ବିଶ୍ୱାସ କରିବାକୁ ରାଜି କିନ୍ତୁ ନିଜ ପରମ୍ପରା ଓ ସଂସ୍କୃତିକୁ ପରିତ୍ୟାଗ କାରିବାକୁ ରାଜି ନାହାନ୍ତି। ୯୬% ମୁସଲିମ ବସବାସ କରୁଥିବା ତାଜିକସ୍ଥାନର ରାଷ୍ଟ୍ରପତି ଜୁନ ମାସରେ ଏହି ସନ୍ଦେଶ ସାରା ବିଶ୍ୱକୁ ପ୍ରଦାନ କରିଛନ୍ତି। ଆଇନ ପ୍ରଣୟନ କରି ହିଜବକୁ ନିଷିଦ୍ଧ ଘୋଷଣା କରିଛନ୍ତି ଏବଂ ଏହା ବିଦେଶୀ ପରିଧାନ ବୋଲି ମତବ୍ୟକ୍ତ କରିଛନ୍ତି। ତାଜିକ ରାଷ୍ଟ୍ରପତି ହିଜାବକୁ ନିଷିଦ୍ଧ ଘୋଷଣା କରିବା ପଛରେ ଯେଉଁ କାରଣ ଉପସ୍ଥାପନା କରିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
୨୦୧୫ରେ ରାଷ୍ଟ୍ରପତି ଇମୋମାଳୀ ରାହେମନ ହିଜାବ ବିରୋଧରେ ତୀବ୍ର ଆନ୍ଦୋଳନ ଆରମ୍ଭ କରିଥିଲେ। ସରକାର ଫୋନ କରି ଜନତାଙ୍କୁ ପ୍ରଥମେ ବୁଝେଇବା ପାଇଁ ପ୍ରୟାସ କରିଥିଲେ। ତାଜିକସ୍ଥାନର ପାରମ୍ପାରିକ ପୋଷାକର ମହତ୍ୱ ଲୋକଙ୍କ ନିକଟରେ ପହଂଚେଇବା ପାଇଁ ପ୍ରୟାସ କରିଥିଲେ। ତାଜିକ ଲୋକଙ୍କୁ ବୁଝେଇବାରେ ସଫଳ ହୋଇଥିଲେ ଯେ, ହିଜାବ ବିଦେଶୀ ସଂସ୍କୃତିର ପ୍ରତୀକ। ତାଜିକ ପରମ୍ପରା ସହ ହିଜବର କୌଣସି ସମ୍ୱନ୍ଧ ନାହିଁ। ସର୍ବସମ୍ମୁଖରେ ହିଜାବକୁ ବିରୋଧ କରି କହୁଥିଲେ, ‘ହିଜାବ ଖରାପ ଶିକ୍ଷା ଓ ଅସଭ୍ୟତାର ପ୍ରମାଣ ଅଟେ। ଇମୋମାଳୀଙ୍କ ଅନୁସାରେ ହିଜାବ ଦେଶର ସାଂସ୍କୃତିକ ବୁନିୟାଦି ପାଇଁ ବିପଦ ଅଟେ। ତାଙ୍କର ଦୃଢ଼ ଯୁକ୍ତି ଓ ତାଜିକ ସଂସ୍କୃତି ପ୍ରତି ଦୃଢ଼ ନିଷ୍ଠା ଧୀରେ ଧୀରେ ତାଜିକମାନଙ୍କୁ ପ୍ରଭାବିତ କଲା। ତାଙ୍କ ଦଳ ପ୍ରତି ଜନ ସମର୍ଥନ ବଢ଼ିଲା। ବିଗତ କିଛି ବର୍ଷ ହେଲା ତାଜିକସ୍ଥାନରେ ହିଜାବ ଅଘୋଷିତ ଭାବେ ବନ୍ଦ ହୋଇଯାଇଥିଲା। ଏବେ କେବଳ ଔପଚାରିକ ଭାବେ ଆଇନ ପ୍ରଣୟନ କରି ତାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଗଲା।
ଯେଉଁ କଠୋରପନ୍ଥୀମାନେ ଏହାକୁ ମାନୁନଥିଲେ ସେମାନଙ୍କ ପାଇଁ ନୂତନ ବ୍ୟବସ୍ଥାରେ ଦଣ୍ଡ ବିଧାନ ନିଷ୍ପତି କରାଯାଇଛି। ସରକାରୀ କର୍ମଚାରୀ ହିଜାବ ପିନ୍ଧିଲେ ତାଙ୍କୁ ୩ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ତାଜିକସ୍ଥାନରେ ହିଜାବ ଉପରେ ଜୋରିମାନା ୬୦,୦୦୦ରୁ ଆରମ୍ଭ ହୋଇ ୫ ଲକ୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ଅର୍ଥାତ ସରକାର ହିଜାବ ସପକ୍ଷବାଦୀମାନଙ୍କୁ କଠୋର ସନ୍ଦେଶ ଦେବା ପାଇଁ ଚାହୁଁଛନ୍ତି। ଦେଶର ଜନତାଙ୍କଠାରୁ ସରକାରୀ କର୍ମଚାରୀଙ୍କୁ ଅନୁଶାସନ ଭିତରେ ରହିବା ପାଇଁ ସରକାର ଅଧିକ କଠୋର ନୀତି ଅବଲମ୍ବନ କରିଛନ୍ତି। ଯେଉଁ କାରଣରୁ ସାଧାରଣ ଜନତାଙ୍କର ଜୋରିମାନା ରାଶିଠାରୁ ସରକାରୀ କର୍ମଚାରୀଙ୍କର ଜୋରିମାନା ରାଶି ଅଧିକ ରଖାଯାଇଛି। ନିଜ ଦେଶର ପୋଷାକକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ଦେଶର ଶିକ୍ଷିତ ଲୋକ ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି। କିନ୍ତୁ କଠୋରପନ୍ଥୀମାନେ ତୀବ୍ର ବିରୋଧ କରିଛନ୍ତି। କଠୋରପନ୍ଥୀମାନଙ୍କୁ ଦେଶର ମାନବବାଦୀମାନେ ସମର୍ଥନ କରିଛନ୍ତି। ଏହି ସମର୍ଥନ ପଛରେ ପ୍ରଲୋଭନ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହାର ବଡ଼ କାରଣ ହେଉଛି ମାନବବାଦୀମାନେ ବିଦେଶରୁ ଅର୍ଥ ଆଣି ନିଜର ସଂସ୍ଥା ଚଳାଇବା କାମ କରୁଛନ୍ତି। ମାନବବାଦୀମାନଙ୍କୁ ତାଙ୍କର ପୃଷ୍ଠପୋଷକମାନଙ୍କୁ ଖୁସି କରିବାକୁ ପଡ଼ିବ। ଆରବ ଅର୍ଥରେ ସଂସ୍ଥା ଚଳାଉଥିବା ଲୋକମାନେ ନିଜର ବିବଶତା ପାଇଁ ସରକାରୀ ନିଷ୍ପତିକୁ ବିରୋଧ କରୁଥାଇ ପାରନ୍ତି। କିନ୍ତୁ ଏହା ସତ୍ୟ ଯେ ଦେଶ ଭିତରେ ଏକ ବୈଚାରିକ ସଂଘର୍ଷ ଆରମ୍ଭ ହୋଇଯାଇଛି। ତାଜିକ ପରମ୍ପରାକୁ ଭଲ ପାଉଥିବା ଜନତା ଓ ଆରବ ଜଗତ ଅର୍ଥରେ ପ୍ରତିପାଳିତ ହେଉଥିବା ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ ଭିତରେ ଆରମ୍ଭ ହୋଇଥିବା ଏହି ଲଢ଼େଇ ଭବିଷ୍ୟତରେ ଅଧିକ ତୀବ୍ର ରୂପ ଧାରଣ କରିବାର ଆଶଙ୍କା ରହିଛି।
ପ୍ରକୃତରେ ଏହି ବୈଚାରିକ ସଂଘର୍ଷ ୨୦୦୭ରୁ ଆରମ୍ଭ ହୋଇଥିଲା। ଶିକ୍ଷା ବିଭାଗ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରଥମେ ଏହି ପ୍ରୟୋଗ କରିଥିଲେ। ପରେ ସମାଜର ବିଭିନ୍ନ ସଂସ୍ଥାକୁ ହିଜାବ ବିରୋଧୀ ଓ ସ୍ୱଦେଶୀ ପୋଷାକ ପ୍ରୋତ୍ସାହନ ପାଇଁ ଦେଶ ଭିତରେ ହେଉଥିବା ଆନ୍ଦୋଳନ ସହ ଯୋଡ଼ିବା ଆରମ୍ଭ କଲେ। ତାଜିକଖ ସ୍ୱାଭିମାନକୁ ସମର୍ଥନ କରୁଥିବା ଲୋକଙ୍କର ଦାବିଥିଲା ଇସ୍ଲାମକୁ ପାଳନ କରିବା ସହ ନିଜର ହଜାର ହଜାର ବର୍ଷର ପରମ୍ପରାକୁ ପାଳନ କରାଯାଉ। ସେଥିପାଇଁ ଆରବୀ ହିଜାବ ଓ ୟୁରୋପୀୟ ମିନିସ୍କଟକୁ ପ୍ରଥମେ ବିରୋଧ କରାଗଲା। ତାଜିକସ୍ତାନୀଙ୍କର ବିଶ୍ୱାସ ଥିଲା ବିଦେଶୀ ପୋଷାକ ପରମ୍ପରା ତାଜିକ ଲୋକଙ୍କୁ ସ୍ୱାଭିମାନ ଶୂନ୍ୟ କରିଦେଇପାରେ। ସାଂସ୍କୃତିକ ଦାସତ୍ୱ ସ୍ଥାପନ କରିପାରେ। ସେଥିପାଇଁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ବିଦେଶୀ ସଂସ୍କୃତି ଓ ପରମ୍ପରାକୁ ବିରୋଧ କରାଗଲା। ତାଜିକସ୍ତନ ପୂର୍ବରୁ କାଜାଖସ୍ଥାନ, କିରଗୀଜସ୍ଥାନ ଓ ଅଜାରବୈଜାନ ଭଳି ପଡ଼ୋଶୀ ଦେଶ ହିଜାବ ଉପରେ ପ୍ରତିବନ୍ଧକ ଲଗେଇ ସାରିଛନ୍ତି। ସମ୍ଭବତଃ ଏହି ପଡ଼ୋଶୀ ଦେଶମାନଙ୍କର ହିଜାବ ବିରୋଧୀ ଆନ୍ଦୋଳନର ସିଧାସଳଖ ପ୍ରଭାବ ତାଜିକସ୍ଥାନ ଉପରେ ପଡ଼ିଛି।
ଗୋଟିଏ ପରେ ଗୋଟିଏ ଦେଶ ହିଜାବକୁ ବେଆଇନ ଘୋଷଣା କରୁଥିବା ବେଳେ ଭାରତରେ ଏହି ଆରବ ସଂସ୍କୃତିର ପ୍ରଚଳନ ପାଇଁ ବ୍ୟାପକ ଆନ୍ଦୋଳନ ଦେଖିବାକୁ ମିଳୁଛି। ଭାରତୀୟ ମୁସଲମାନଙ୍କ ଭିତରୁ କିଛି ଲୋକ ଇସ୍ଲାମ ନାମରେ ଆରବ ପରମ୍ପରା ଓ ସଂସ୍କୃତିକୁ ଆପଣେଇ ନେବାପାଇଁ ଚେଷ୍ଟା କରୁଛନ୍ତି। ଭାରତୀୟ ପୋଷାକ ପରିବର୍ତ୍ତେ ଆରବର ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ଜିଦ ଧରୁଛନ୍ତି। ଅଧିକାଂଶ ସମୟରେ ଆରବୀ ଟୋପିର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ନିଜ ଉପାସନା ସ୍ଥଳୀରେ ପରିଧାନ କରିବା ସହିତ ଅନ୍ୟମାନଙ୍କୁ ପରିଧାନ କରିବା ପାଇଁ ଚାପ ପକାଯାଉଛି। ଇସଲାମ ଦେଶରେ ହିଜାବ ବିରୋଧୀ ଆନ୍ଦୋଳନ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଥିବା ବେଳେ ଭାରତରେ ହିଜାବ ସପକ୍ଷବାଦୀ ଆନ୍ଦୋଳନ ଅନେକ ମୁସଲିମ ବିଦ୍ୱାନମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତାଜିକସ୍ଥାନ ଭଳି ଭାରତର ମୁସଲମାନଙ୍କ ନିକଟରେ ଏପରି ଆନ୍ଦୋଳନ ହେବାର ଦେଖାଯାଏ ନାହିଁ। ସେମାନଙ୍କ ଦ୍ୱାରା ଭାରତୀୟ ପୋଷାକକୁ ସମର୍ଥନ କରିବା ଓ ତାର ପ୍ରଚାର ପ୍ରସାର କରିବାର ନଜିର ମିଳୁନାହଁ। ଏହାର ବଡ଼ କାରଣ ହୋଇପାରେ ଭାରତର ମୁସଲିମ୍ ସମାଜ ନିଜକୁ ଭାରତୀୟ ଭାବେ ଗୌରବାନ୍ୱୀତ ହେବାକୁ ଇଛା ନକରି ଆରବୀୟ ସଂସ୍କୃତି ଦ୍ୱାରା ନିଜକୁ ମହିମା ମଣ୍ଡିତ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଭବିଷ୍ୟତରେ ଭାରତୀୟ ସଂସ୍କୃତି ପରମ୍ପରା ପାଇଁ ବିପଦ ଅଟେ।
ସ୍ୱ-ଭାଷା, ପୋଷାକ, ପରମ୍ପରା ଇତ୍ୟାଦି ଆମର ଜନ୍ମଭୂମି ପ୍ରତି ଶ୍ରଦ୍ଧା ନିର୍ମାଣ କରିବାରେ ସହାୟକ ହୋଇଥାଏ। ରାଷ୍ଟ୍ରଭକ୍ତିକୁ ଜୀବନ୍ତ କରି ରଖିଥାଏ। ଭାରତ ବର୍ଷରେ ମଧ୍ୟ ଏପରି ସ୍ୱ-ଭାଷା ଓ ସ୍ୱ-ସଂସ୍କୃତି ପାଇଁ ପ୍ରତିବଦ୍ଧତାର ଆବଶ୍ୟକତା ଅଛି। କେବଳ ହିନ୍ଦୁ, ବୌଦ୍ଧ, ଜୈନ, ଶିଖମାନେ ଏଭଳି କାର୍ଯ୍ୟ କରୁଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଯେଉଁଥିପାଇଁ ଭାରତ ବର୍ଷରେ ରାଷ୍ଟ୍ରୀୟ ସଂସ୍କୃତିକୁ ଭଲ ପାଇବାରେ ବୈଷମ୍ୟ ନିର୍ମାଣ ହେଉଛି। ଯାହା ଆମ ରାଷ୍ଟ୍ରୀୟ ଏକତା ପାଇଁ ଭଲ ନୁହେଁ। ସମୟ ଆସିଛି ସମସ୍ତ ଧର୍ମ ଓ ପନ୍ଥର ଲୋକ ମିଳିମିଶି ନିଜ ରାଷ୍ଟ୍ରୀୟ ପରମ୍ପରାକୁ ଆଗକୁ ବଢ଼େଇବା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ତାଜିକସ୍ତାନର ନିଜ ଓ ପରମ୍ପରା ପାଇଁ ଆଇନ ପ୍ରଣୟନ କରିବାର ବ୍ୟବସ୍ଥା ଭାରତ ମଧ୍ୟ ଗ୍ରହଣ କରିବା ଉଚିତ।
ମଠସାହି, ଭଦ୍ରକ, ମୋ - ୯୪୩୭୦୧୭୮୫୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।