- ରୁଦ୍ର ପ୍ରସନ୍ନ ରଥ
ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଏବେ ଖବରରେ। ଚାମୋଲୀ ଜିଲ୍ଲାରେ ଥିବା ଏହି କ୍ଷୁଦ୍ର ମୁନସିପାଲଟି ସହରଟି ଏବେ ଧୀରେ ଧୀରେ ମାଟି ତଳକୁ ଦବିବାରେ ଲାଗିଛି। ଏହି ଘଟଣା ଯଦିଓ କିଛି ବର୍ଷ ତଳୁ ଆରମ୍ଭ ହୋଇଥିଲା ତେବେ ଏହାକୁ ଏତେ କେହି ଗୁରୁତ୍ୱ ଦେଇ ନଥିଲେ। ଏବେ ଏହି ସହରର ଏକ ବୃହତ ଅଂଶ ମାଟି ଭିତରକୁ ଧସିବାରେ ଲାଗିଛି। ସହର ଭିତରେ ପ୍ରାୟ ୬୦୦ରୁ ଅଧିକ ଘର ୨ରୁ ୫ ମିଲିମିଟର ଦବି ଯାଇଛି ଏବଂ ୬୦୦ରୁ ଅଧିକ ପରିବାର ଏନେଇ କ୍ଷତିଗ୍ରସ୍ତ ହେବା ଦେଖା ଦେଇଛି। ଲୋକଙ୍କୁ ତ୍ୱରିତ୍ ଉଦ୍ଧାର କରାଯାଉଛି ଏବଂ ସହରର ଦବି କରି ଢଳିପଡ଼ିଥିବା ଘରଗୁଡ଼ିକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ଯାହା ଲାଗୁଛି ଏହି ପରିସ୍ଥିତିରେ ଆଉ ପରିବର୍ତ୍ତନ ସମ୍ଭବ ନୁହେଁ ଏବଂ ଧୀରେ ଧୀରେ ପୂରା ଯୋଶୀମଠ ମାଟି ତଳକୁ ଧସିଯିବ। ଏହି ପ୍ରକ୍ରିୟା ଅନ୍ତତଃ ଆରମ୍ଭ ହୋଇ ସାରିଛି ଏବଂ ଏହା କେବେ ସରିବ ତାହା କେବଳ ସମୟ ହିଁ କହିବ। ଲୋକ ବର୍ତ୍ତମାନ ସେଠି ଆତଙ୍କିତ ଅବସ୍ଥାରେ ଅଛନ୍ତି ଏବଂ ଯୋଶୀମଠ ନିଜର ଆଶଙ୍କିତ ଅବସ୍ଥାରେ ନିଜର ଭବିଷ୍ୟତକୁ ଅନେଇ ବସିଛି।
ପାର୍ବତ୍ୟାଞ୍ଚଳ ଗୁଡ଼ିକରେ ରାସ୍ତା କିମ୍ବା ଘର ଧସିଯିବା କିଛି ନୂଆ କଥା ନୁହେଁ। ତେବେ ଏହାର ଭିନ୍ନ ଭିନ୍ନ ପ୍ରାକୃତିକ କାରଣ ରହିଥାଏ। କେତେବେଳେ ପ୍ରବଳ ହିମବାହ ହେତୁ ଭୂସ୍ଖଳନ ଘଟି ସହରର ରାସ୍ତା ସବୁ ଧୋଇ ହୋଇଯାଇଥାଏ ତ କେତେବେଳେ ବାଦଲଫଟା ବର୍ଷା ଯୋଗୁଁ ଅଳ୍ପ ସମୟରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଆଖିପିଛୁଳାକେ ସମଗ୍ର ସହର ଭାସିଯାଇଥାଏ। ସାଧାରଣତଃ ଏହି ପ୍ରକ୍ରିୟା କମ୍ ସମୟ ପାଇଁ ହୋଇଥାଏ ଏବଂ ଏଥିରେ ପ୍ରଚୁର କ୍ଷୟକ୍ଷତି ଘଟିଥାଏ। ପାର୍ବତ୍ୟାଞ୍ଚଳରେ ଗମନାଗମନର ସୁବିଧା ନଥିବା, ଭିତ୍ତିଭୂମିର ଅଭାବ ହେତୁ କ୍ଷୟକ୍ଷତି ଅଧିକ ହୋଇଥାଏ ଯାହାର ଭରଣା କରିବା କଷ୍ଟକର ହୋଇଥାଏ। ତେବେ ସମୁଦ୍ର ପତ୍ତନରୁ ୬୧୫୧ ଫୁଟ୍ ଉଚ୍ଚରେ ଥିବା ୨୦,୦୦୦ ଜନସଂଖ୍ୟା ବିଶିଷ୍ଟ ସହର ଯୋଶୀମଠରେ ଧୀରେ ଧୀରେ ମାଟି ଖସିବା ଏକ ମନ୍ଥର ପ୍ରକ୍ରିୟା ଏବଂ ଏହାର କାରଣ ଆଭ୍ୟନ୍ତରୀଣ ବୋଲି ବିଚାର କରାଯାଉଛି। କେବଳ ଯୋଶୀମଠ ନୁହେଁ ଏହାର ଆଖ ପାଖରେ ଥିବା କର୍ଣ୍ଣ ପ୍ରୟାଗ ସହରରେ ମଧ୍ୟ ଏହି ଅବସ୍ଥା ଦେଖା ଦେଇଛି। ଆଗକୁ ନୈନିତାଲ ପରି ସହରରେ ଏପରି ହେବାର ଆଶଙ୍କା କରାଯାଇଛି। ଏଠାରେ ଉଲ୍ଲେଖ କରିବା ଉଚିତ୍ ହେବ ଯେ କେବଳ ଉତ୍ତରାଖଣ୍ଡରେ ଏହିପରି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ସରକାରୀ ହିସାବରେ ୨୦୦୦ରୁ ୨୦୨୦ ମଧ୍ୟରେ ପ୍ରାୟ ୧୭୪୫ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦୦ ଗାଁକୁ ବସତି ଅନୁପଯୁକ୍ତ ବୋଲି ଘୋଷଣା କରାଯାଇଛି।
ଆଧୁନିକ ଯୋଶୀମଠ ସହରର ଇତିହାସ ବେଶୀ ପୁରୁଣା ନୁହେଁ। ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଏଠାରେ ଗଢ଼ି ଉଠିଛି ହୋଟେଲ ପରେ ହୋଟେଲ। ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଏଠାକୁ ସଂଖ୍ୟାଧିକ ଦର୍ଶକଙ୍କର ଭିଡ଼ଛୁଟେ। ବର୍ଦ୍ଧିତ ଲୋକଙ୍କର ଏହି ଚାପକୁ ସହର ଚୁପ୍ ଚାପ୍ ସହି ନିଏ। ପୁଣି ଯୋଶୀମଠର ଚାରିପଟରେ ଗଢ଼ି ଉଠିଛି ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ଶିଳ୍ପ ସଂସ୍ଥା। ସାଧାରଣତଃ ପର୍ବତ ସବୁର ପୃଷ୍ଠଦେଶ ନରମ ମୃତ୍ତିକା ବିଶିଷ୍ଟ ହୋଇଥିବାବେଳେ ଏହି ପ୍ରକଳ୍ପ ସବୁ ମାଟି ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥାଆନ୍ତି। ପୁଣି ହିମାଳୟ ପାର୍ବତ୍ୟ ଶୃଙ୍ଖଳାର ଭୂକମ୍ପ ପ୍ରବଣ ଅଂଚଳ ଭିତରେ ଏହି ଅଂଚଳ ଆସୁଥିବାରୁ ଏହା ନିଶ୍ଚିତରୁପେ ଏକ ସମ୍ବେଦନଶୀଳ ଅଂଚଳ। କେତେବେଳେ ଏହି ଭୂ-ସମ୍ବେଦନଶୀଳ ଅଂଚଳରେ କିଛି ବି ଅଘଟଣ ଘଟିପାରେ। ତେବେ ପ୍ରାୟ ୫୦ ବର୍ଷ ତଳେ ବସିଥିବା ଏକ କମିଟି ଏହି ଅଂଚଳରେ ବୃହତ ନିର୍ମାଣକୁ ବନ୍ଦ କରିବାକୁ ମତ ଦେଇଥିବା ବେଳେ କେହି ଏହି କଥାକୁ ଶୁଣିନଥିଲେ।
ପାର୍ବତ୍ୟାଞ୍ଚଳର ପରିସଂସ୍ଥା ବେଶ୍ ସମ୍ବେଦନଶୀଳ। ଏଠାରେ ମାଟି, ବୃକ୍ଷ, ନଦୀ ଏବଂ ପଶୁପକ୍ଷୀ ପରସ୍ପର ସହିତ ଏକ ସମ୍ମିଳିତ ବୁଝାମଣାରେ ରହିଥାଆନ୍ତି। ଅନେକ କ୍ଷେତ୍ରରେ ସେମାନଙ୍କ ପାଇଁ ମଣିଷ ସେଠି ଅତିଥି। ମଣିଷ ସେ ସ୍ପର୍ଶକାତର ଅଂଚଳକୁ ବୁଲି ଯାଇପାରେ ମାତ୍ର ସେଠାରେ ଦୀର୍ଘ ସମୟ ଧରି ରହିବା ଏବଂ ସେଠାକାର ପରିସଂସ୍ଥାଗତ ଆବଶ୍ୟକତାକୁ ନ ବୁଝି ସେଠାରୁ ନିଜର ଭୋଗବିଳାସର ସାମଗ୍ରୀ ଖୋଜିବା ପାଇଁ ଚେଷ୍ଟା କରିବା ଦ୍ୱାରା ସେଠାକାର ପରିସ୍ଥିତି ଜଟିଳ ହୋଇପଡ଼େ। ପୁଣି ମଣିଷ ଆହୁରି ଦୁଇପାଦ ଆଗେଇଯାଇ ସେଠି ଗଛ କାଟେ, ପାହାଡ ଖୋଳେ କେତେବେଳେ ପ୍ରାକୃତିକ ସଂପଦ ପାଇବା ପାଇଁ ତ ଆଉ କେତେବେଳେ ସେଠାରେ ରହିବା ପାଇଁ ମହଲ ଗଢ଼ିବସେ। ମଣିଷ ଯୁଆଡ଼େ ବି ଯାଏ ନିଜ ସହ ତାହାର ଲୋଭ ଆଉ ପ୍ରଦୂଷଣ ନେଇକରିଯାଏ। ମଣିଷ ସେଠାରେ ଯେତେ ଅଧିକ ଦିନ ରହେ ସେଠାରେ ଏହି ଦୁଇଟା କାୟା ବିସ୍ତାର କରେ। ମଣିଷ ନିଜର ଯାହା କ୍ଷତି କରେ ନକରେ ସେ ସ୍ଥାନର ପରିବେଶ ଏବଂ ପରିସଂସ୍ଥା ଧୀରେ ଧୀରେ ଖରାପ ହେବାକୁ ବସେ। ପଶୁ ପକ୍ଷୀ ଉଭାନ ହୋଇଯାଆନ୍ତି। ଝରଣା ଶୁଖିଯାଏ, ନଦୀ ତାହାର ଗତିପଥ ବଦଳାଏ। ପାହାଡ଼ ଧସିଯାଏ। ମଣିଷ ତିଆରି କରିଥିବା ତା ସ୍ୱପ୍ନର ସହର ମଣିଷ ଲୋଭ ଏବଂ ଅପରିଣାମଦର୍ଶୀତା ଯୋଗୁଁ କବର ନିଏ।
ଉତ୍ତରାଖଣ୍ଡରେ ଏପରି ବିପର୍ଯ୍ୟୟ ନୂଆ ନୁହେଁ। ଆଗରୁ ସେଠାରେ ବହୁବାର ବାଦଲଫଟା ବର୍ଷା ଯୋଗୁଁ ଜୀବନ ଯାଇଛି। ପାହାଡ଼ି ନଦୀରେ ବନ୍ୟା ଆସି ସହର ଭାସିଯାଇଛି। ଋଷିକେଶରେ ବନ୍ୟା ଆସିବା ଘଟଣା ତ ବେଶୀ ପୁରୁଣା ନୁହେଁ। ଅନେକ ସମୟରେ ଏହାକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ଆଖ୍ୟା ଦେଇ ଖସିଯାଉଥିଲେ। ଯୋଶୀମଠରେ ଏବେ ଘର ଦବିବା ଏବଂ କାନ୍ଥ ଏବଂ ସିଲିଂ ଫାଟିବା ପ୍ରମାଣିତ କରିଛି ଯେ ଏହାକୁ କେବଳ ପ୍ରାକୃତିକ ବିପର୍ଯ୍ୟୟର ଆଖ୍ୟା ଦେଇ ମଣିଷ ନିଜକୁ ନିରପରାଧୀ ବୋଲି କହିପାରିବ ନାହିଁ। ବରଂ ଏବେ ଦୋଷୀ ବୋଲି ମାନିନେଇ ହାତଟେକି ଏହାକୁ ସୁଧାରିବାର ସମୟ ଆସିଛି।
ଭୂ-ତାତ୍ତ୍ୱିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଅଂଚଳଗୁଡ଼ିକରେ ବୃହତ ନିର୍ମାଣ କରିବା ପୂର୍ବରୁ ଅନେକ ଥର ଚିନ୍ତା କରାଯିବା ଦରକାର। ଏଥିପାଇଁ ଏହାର ପରିବେଶ କିମ୍ବା ପରିସଂସ୍ଥା ଉପରେ କି ପ୍ରଭାବ ପଡ଼ିବ ତାହାର ଆକଳନ କରାଯିବା କଥା। ଏଥିପାଇଁ ସରକାରଙ୍କର ଅନେକ ସଂସ୍ଥା ମଧ୍ୟ ରହିଛି। ଏହି ସବୁ ସଂସ୍ଥା ସରକାରଙ୍କୁ ଉପଯୁକ୍ତ ପରାମର୍ଶ ଦେବା କଥା। ତେବେ ଅନେକ ସମୟରେ ଏହି ସଂସ୍ଥାମାନେ ନିରପେକ୍ଷ ନ ହୋଇ ସରକାରଙ୍କର ହାତବାରିସୀ ହୋଇ କାମ କରନ୍ତି। ସେମାନେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବାକୁଥିବା ନିର୍ମାଣ ଗୁଡ଼ିକୁ ଯେଉଁ ସର୍ତ ସହ ନିର୍ମାଣ କରିବାକୁ ଅନୁମତି ଦେଇ ଥାଆନ୍ତି ତାହାର ଅନୁପାଳନ ହେଲା କି ନାହିଁ କେହି ଦେଖିନଥାନ୍ତି। ଧୀରେ ଧୀରେ ଏହା ପ୍ରାକୃତିକ ପରିବେଶକୁ କ୍ଷତି କରି ଚାଲୁଥିଲେ ମଧ୍ୟ ଏହାକୁ ରୋକିବାକୁ କେହି ନଥାନ୍ତି। ସରକାର ଏଥିପାଇଁ ବଡ଼ ବଡ଼ ଅନୁଷ୍ଠାନ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ଦରମା ଦେଇ ଧଳାହାତୀ ପୋଷୁଥିଲେ ମଧ୍ୟ ପ୍ରକୃତି ଏବଂ ପରିବେଶ ପାଇଁ କହିବା ପାଇଁ କେହି ନଥାନ୍ତି। ନହେଲେ ଯାହା ଖାଲି ଆଖିରେ ଆମକୁ ପ୍ରଦୂଷଣ ବୋଲି ଦେଖାଯାଏ ତାହା ପ୍ରମାଣିତ ହେବାକୁ ବର୍ଷ ବର୍ଷ ଲାଗୁନଥାନ୍ତା। ତା ପାଇଁ କୋର୍ଟ କଚେରୀରେ ବିଚାର ହେଉନଥାନ୍ତା। ତାରିଖ ପରେ ତାରିଖ ଗଡ଼ି ପୁଳା ପୁଳା କାଗଜ ଖର୍ଚ୍ଚ କରି ବି ଦୋଷୀ କିଏ ଜାଣିବା ପାଇଁ କଷ୍ଟ କରିବାକୁ ପଡୁନଥାନ୍ତା।
ଯୋଶୀମଠ ଏହି ଫାଟ ସବୁ ଦେଖାଇ ଦେଇଛି ଯେ ପ୍ରକୃତି ଯେତେବେଳେ ପ୍ରତାଡ଼ିତ ହୁଏ ସେତେବେଳେ ସେ ସଂକେତ ଦେବା ଆରମ୍ଭ କରେ। ଏହି ପ୍ରକୃତିର ସଂକେତକୁ ଆମେ ଯେତେ ଶୀଘ୍ର ବୁଝି କାମରେ ଲଗାଇବା ତାହା ଆମ ପାଇଁ ସେତେ ମଙ୍ଗଳଦାୟକ ହେବ। ଯଦି ଆମେ ଏହାକୁ ବୁଝି ବି ଅବୁଝା ହେବା ତାହା ହେଲେ ତାହା ଆମ ପାଇଁ ଅଧିକ ବଡ଼ ବିପଦ ଡାକି କରି ଆଣିବ। ସରକାରୀ ସଂସ୍ଥାମାନେ ଏହି ପ୍ରାକୃତିକ ସଂକେତକୁ ବୁଝି ସେହି ଅନୁସାରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଯୋଶୀମଠ କ୍ଷେତ୍ରରେ ଏହି ସଂକେତ ପଚାଶ ବର୍ଷ ତଳୁ ମିଳି ସାରିଲାଣି। ତାହା ସତ୍ତ୍ୱେ ବି ସେଠାରେ ଅନେକ ସ୍ଥାୟୀ ଓ ବୃହତ ନିର୍ମାଣ ହୋଇ ଚାଲିଛି। ଏହାକୁ ରୋକିବାକୁ ସରକାରୀ ଅନୁଷ୍ଠାନ ଅଛି। ହେଲେ ସେମାନେ ଏହାକୁ ରୋକି ନପାରି ନିଜେ ରୋକି ହୋଇଯାଇଛନ୍ତି।
ଯୋଶୀମଠରୁ ମିଳିଥିବା ସଂକେତକୁ ନେଇ ତୁରନ୍ତ କାମ ଆରମ୍ଭ କରାଯିବା ଦରକାର। ପାବ୍ୟତାଞ୍ଚଳ ଗୁଡ଼ିକର ଯୋଜନାବଦ୍ଧ ବିକାଶ, ଏଠାରେ ଲୋକ ସଂଖ୍ୟା ଏବଂ କୋଠା ସଂଖ୍ୟାକୁ ନିୟନ୍ତ୍ରଣ କରିବା ସହ ଭାରୀ ନିର୍ମାଣକୁ ଅନୁମତି ନଦେବା ଆଦି କାମ ଆରମ୍ଭ କରାଯିବା ଦରକାର। ଏପରି କରାନଗଲେ ଖାଲି ଯୋଶୀମଠ କାହିଁକି ବିକାଶ ନାମରେ ପାର୍ବତ୍ୟାଞ୍ଚଳରେ ଗଢ଼ି ଉଠିଥିବା ଅନେକ ସହର କ୍ରମଶଃ ଧ୍ୱଂସ ମୁଖକୁ ଟାଣି ହୋଇଯିବ। ଯୋଶୀମଠ ତ କେବଳ ଆରମ୍ଭ ମାତ୍ର।
ଧବଳଗିରି, ଯାଜପୁର ରୋଡ
ଫୋ-୭୯୭୮୬୭୧୭୭୬
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।