Advertisment

ଏହାକୁ ମୃତ୍ୟୁ କହିବା କି ହତ୍ୟା?

ଦେବ ରଞ୍ଜନ ଜୀରା ମାଝୀ ଲାଗି ଏ ଦେଶର ଜାତୀୟ ପତାକା ଅର୍ଦ୍ଧ ନମୀତ ହେଲା ନାହିଁ। ପ୍ରଧାନମନ୍ତ୍ରୀ ଜାତୀୟ ଶୋକ ପାଳନର ନିଷ୍ପତ୍ତି ନେଲେ ନାହିଁ କି ମୁଖ୍ୟମନ୍ତ୍ରୀ ଅଥବା ମନ୍ତ୍ରୀ କିମ୍ବା ବିଧାୟକ କୌଣସି ଶୋକବାର୍ତ୍ତା ଖବରକାଗଜରେ ପ୍ରକାଶ କଲେନାହିଁ। ଯଦିଓ ଜୀରା ମାଝୀ ଆଦିବାସୀ ପରିବାରର ଜମି ନେବା ସମୟରେ ସରକାରଙ୍କ ଦ୍ଵାରା କୁହାଯାଇଥିଲା, “ଦେଶର ବିକାଶ ଲାଗି ତୁମଠାରୁ ଜମି ନେବା ଜରୁରୀ। ଦେଶ ସର୍ବଦା ତୁମକୁ ମନେରଖିବ।“ ରାୟଗଡ଼ା ଜିଲ୍ଲା […]

author-image
Debendra Prusty
ଏହାକୁ ମୃତ୍ୟୁ କହିବା କି ହତ୍ୟା?

pic

ଦେବ ରଞ୍ଜନ

ଜୀରା ମାଝୀ ଲାଗି ଏ ଦେଶର ଜାତୀୟ ପତାକା ଅର୍ଦ୍ଧ ନମୀତ ହେଲା ନାହିଁ। ପ୍ରଧାନମନ୍ତ୍ରୀ ଜାତୀୟ ଶୋକ ପାଳନର ନିଷ୍ପତ୍ତି ନେଲେ ନାହିଁ କି ମୁଖ୍ୟମନ୍ତ୍ରୀ ଅଥବା ମନ୍ତ୍ରୀ କିମ୍ବା ବିଧାୟକ କୌଣସି ଶୋକବାର୍ତ୍ତା ଖବରକାଗଜରେ ପ୍ରକାଶ କଲେନାହିଁ। ଯଦିଓ ଜୀରା ମାଝୀ ଆଦିବାସୀ ପରିବାରର ଜମି ନେବା ସମୟରେ ସରକାରଙ୍କ ଦ୍ଵାରା କୁହାଯାଇଥିଲା, “ଦେଶର ବିକାଶ ଲାଗି ତୁମଠାରୁ ଜମି ନେବା ଜରୁରୀ। ଦେଶ ସର୍ବଦା ତୁମକୁ ମନେରଖିବ।“ ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳର ଉତ୍କଳ ଆଲୁମିନା- ଆଦିତ୍ୟ ବିରଳା କମ୍ପାନୀ ବାଫଲିମାଳିରୁ ବକ୍ସାଇଟ ଉତ୍ତୋଳନ କରିବା ସହିତ ଦୋରାଗୁଡ଼ାଠାରେ ନିଜର ଆଲୁମିନା ପ୍ଳାଣ୍ଟ ପ୍ରତିଷ୍ଠା କରି ଉତ୍ପାଦନ ଆରମ୍ଭ କରିଛି।

Advertisment

ଆଲୁମିନା କମ୍ପାନୀ ପ୍ରତିଷ୍ଠା ପରେ ଜୀରା, ଏକ କନ୍ଧ ଆଦିବାସୀ, କୌଣସି କାମ ନପାଇ କମ୍ପାନୀର ସିକ୍ୟୁରିଟି ଗାର୍ଡ ଭାବରେ ଦୀର୍ଘ ବର୍ଷ କାମ କରିଥିଲେ। ସେଦିନ ଅତ୍ୟଧିକ ଖରା ସତ୍ତ୍ୱେ ଡ୍ୟୁଟି ଜାଗାରେ ଆଶ୍ରୟସ୍ଥଳୀ ଓ ପିଇବା ପାଣିର ଅଭାବ ଯୋଗୁଁ ନିଜେ ଅସୁସ୍ଥ ହୋଇପଡ଼ିଲେ। ଡ୍ୟୁଟି ସ୍ଥାନରୁ ତୁରନ୍ତ ମେଡିକାଲ ନେବା ଲାଗି କମ୍ପାନୀ ତରଫରୁ କୌଣସି ଆମ୍ବୁଲାନ୍ସ ବା ଅନ୍ୟ ଗାଡ଼ିର ସୁବିଧା କରାନଯିବା କାରଣରୁ ଅଂଶୁଘାତରେ ଗଲା ୨୩ ମଇ ୨୦୨୨ ତାରିଖ ଦିନ ଜୀରା ମୃତ୍ୟୁବରଣ କଲେ। ସତରେ ଏହାକୁ ମୃତ୍ୟୁ କହିବା କି ହତ୍ୟା?

କମ୍ପାନୀ ପ୍ରତିଷ୍ଠା ପରେ ଉଭୟ କମ୍ପାନୀ ଓ ସରକାରୀ ପଦବୀରେ ରହିଥିବା ଶିକ୍ଷିତ ବର୍ଗ ସାଧାରଣ ଆଦିବାସୀର ଜୀବନକୁ ପଚା ମାଛ ସଦୃଶ ଦେଖିଥାନ୍ତି। “ଭାରତୀୟ”, “ଓଡ଼ିଶାବାସୀ”, “ଓଡ଼ିଆ”, “ହିନ୍ଦୁ”, “ପ୍ରାଚୀନ ସଂସ୍କୃତି”, “ଆମ ପରମ୍ପରା” ଭଳି ଅନେକ ଅସ୍ମିତା ବା ପରିଚୟ ନେଇ ଶିକ୍ଷିତ ବର୍ଗ ନିଜେ ଯାଇଥାଏ ଓ ଆଦିବାସୀଙ୍କୁ ଏହି ସମସ୍ତ ପରିଚୟ ମଧ୍ୟରେ ସାମିଲ କରିବା ସପକ୍ଷରେ ସର୍ବଦା ଯୁକ୍ତି ମଧ୍ୟ କରୁଥାଏ। କିନ୍ତୁ ଯେବେ କର୍ପୋରେଟ ଓ ବିକାଶର ପ୍ରସଙ୍ଗ ସେମାନଙ୍କ ସାମ୍ନାରେ ଚାଲିଆସେ ସେତେବେଳେ ଆଦିବାସୀ ଅଲୋଡ଼ା ପାଲଟିଯାଏ। ସେମାନଙ୍କ ଲାଗି ସେତେବେଳେ ଜୀବିକା ଓ ନିଜର ପଦୋନ୍ନତି ମୁଖ୍ୟ ହୋଇଯାଏ। ଏପରିକି କର୍ପୋରେଟ ବା ବୃହତ କମ୍ପାନୀ ଯେ କାହିଁକି ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ ବା କର୍ମଚାରୀଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେଉନାହାଁନ୍ତି ସେଭଳି ପ୍ରଶ୍ନ ମଧ୍ୟ ସେମାନେ କେବେ କମ୍ପାନୀକୁ କରିନଥା’ନ୍ତି। ଜୀରାଙ୍କ ମୃତ୍ୟୁ ପାଇଁ ଅଧିକାରୀଙ୍କ ସମ୍ବେଦନହୀନ, ଅମାନବୀୟ ଓ ସ୍ଵାର୍ଥପର ଚରିତ୍ର ମୁଖ୍ୟତଃ ଦାୟୀ।

Advertisment

ଜଣେ ଲେଖକ ଓ ମାନବିକ ଅଧିକାର କର୍ମୀ ଭାବରେ କାଶୀପୁରକୁ ବାରମ୍ବାର ଯିବା ସମୟରେ ଜିରାଙ୍କ ସହିତ ମୋର ବ୍ୟକ୍ତିଗତ ପରିଚୟ ହୋଇଥିଲା। ଆମେ ଉଭୟ କମ୍ପାନୀ ଓ ସରକାରଙ୍କ ଦମନର ଶିକାର ହୋଇ ଗିରଫ ହୋଇଥିଲୁ ଓ ପରେ ନିର୍ଦ୍ଦୋଷରେ ଖଲାସ ହେଲୁ। ସେ ସର୍ବଦା କହୁଥିଲେ, “ଭାଲୁ ଯଦି ମକା ଫସଲ ଖାଇବ ତେବେ ମାଡ଼ ଖାଇବ କି ନାହିଁ? ଆମେ କ’ଣ କମ୍ପାନୀର ଗାଁକୁ ଯାଇ ଜମି ମାଗୁଛୁ? କମ୍ପାନୀ ଜବରଦସ୍ତି ଆମ ଅଞ୍ଚଳକୁ ଆସୁଛି, ଆମଠୁ ଜମି ଛଡ଼େଇ ନେଉଛି।“ ଜୀରା ମାଝୀ ଓଡ଼ିଆ ଭାଷା କହୁଥିଲେ, ଓଡ଼ିଶାର ଥିଲେ, ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ଓ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ସେ ଆଦିବାସୀ ଅସ୍ମିତା, ଆଦିବାସୀ ଆନ୍ଦୋଳନ, ଜଳ-ଜମି-ଜଙ୍ଗଲର ସୁରକ୍ଷା ଓ କମ୍ପାନୀ ଅର୍ଥନୀତିର ପ୍ରତିବାଦର ପ୍ରତୀକ ଥିଲେ।

କେବଳ କାଶୀପୁରବାସୀ ନୁହନ୍ତି, ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ପ୍ରତିଷ୍ଠିତ ଓସିଏଲ କମ୍ପାନୀର ଚୂନ ଖଣି ହେତୁ ମୁଣ୍ଡା, ଓରାମ ଓ କିଶାନ ଆଦିବାସୀ ପଞ୍ଚାୟତବାସୀଙ୍କ ପକ୍ଷରେ ସୁସ୍ଥ ଜୀବନ ବଞ୍ଚିବା ଅସମ୍ଭବ ହୋଇଯାଇଛି। ଏବେ ସେମାନେ ଏହି କମ୍ପାନୀକୁ ବିରୋଧ କରୁଛନ୍ତି। ସେହି ଜିଲ୍ଲାର ଲହୁଣିପଡ଼ାର ବଡ଼ପୁରୁଣା ଗାଁରେ ସ୍ପଞ୍ଜ ଆଇରନ ପ୍ଳାଣ୍ଟ ପ୍ରତିଷ୍ଠା ଲାଗି ଆବଶ୍ୟକୀୟ ଜନ ଶୁଣାଣୀରେ ଭାଗ ନେବାଲାଗି ଯାଉଥିବା ସେହି ଗାଁର ଆଦିବାସୀ, ହୁଏତ ସେମାନେ ବିରୋଧ କରିବେ, ଏହି ସମ୍ଭାବନାରେ ୫୦ ଜଣ ମହିଳାଙ୍କୁ ଗିରଫ କରିଦିଆଗଲା। ଏହି ପ୍ରସଙ୍ଗରେ ଗଣମାଧ୍ୟମ ସଂପୂର୍ଣ୍ଣ ନୀରବ ରହୁଛି। ଆଦିତ୍ୟ ବିରଳାର ଲକ୍ଷ୍ମୀପୁର (କୋରାପୁଟ) ଜନ ଶୁଣାଣୀରେ ଭାଗ ନେବା ଲାଗି ୨୦୦ ଗ୍ରାମବାସୀଙ୍କ ଲାଗି ୬୦୦ ସଶସ୍ତ୍ର ପୁଲିସ ବାହିନୀ ନିଯୁକ୍ତ ହୋଇଥିଲେ। ଆଜି ବି ଓଡ଼ିଶା ବିଧାନସଭାରେ ହୀରାକୁଦ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବା ଲାଗି ଏକ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର ହୋଇପାରୁ ନାହିଁ। ଏବେ ବି ସେହି ସମସ୍ୟା ଗଡ଼ି ଚାଲିଛି ଓ ହୀରାକୁଦ ବନ୍ଧକୁ ନେଇ ଗର୍ବ କରିବା ସମୟରେ ଆମେ ଆମର ଜନପ୍ରତିନିଧିମାନଙ୍କୁ ଏହି ପ୍ରଶ୍ନ କରିବା ଭୁଲିଯାଉଛୁ।

କାଶୀପୁର ଭଳି ଆଦିବାସୀ ବହୁଳ ଅଞ୍ଚଳରେ ବକ୍ସାଇଟ ଖଣି ଓ ଆଲୁମିନା ପ୍ଳାଣ୍ଟ ପ୍ରତିଷ୍ଠାକୁ ବିରୋଧ କରିବା କାରଣରୁ ରାଜ୍ୟ ସରକାର ୨୦୦୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ପୁଲିସ ଗୁଳିକାଣ୍ଡ (ମାଇକଞ୍ଚ ଗୁଳିକାଣ୍ଡ), ଶହ ଶହ ଲୋକଙ୍କ ଗିରଫଦାରୀ, ଦୁଇଟି ନୂତନ ପୁଲିସ ଥାନା ପ୍ରତିଷ୍ଠା, ଅନେକ ଥର ପୁଲିସ ଲାଠିଚାର୍ଜ କରିଥିଲେ। ଜୀରା ସେହି ସମୟରେ ଗିରଫ ହୋଇ ଦୁଇ ବର୍ଷ ଜେଲରେ ଥିଲେ। ଜେଲରେ ଥିବା ସମୟରେ ଘରେ ତାଙ୍କର ଏକ ମାତ୍ର ଝିଅ ନିଆଁରେ ପୋଡ଼ି ହୋଇ ମରିଯାଇଥିଲା। କିନ୍ତୁ ଅପରାଧ “ସଙ୍ଗୀନ” ଥିବା କାରଣରୁ କୋର୍ଟ ତାଙ୍କୁ ସେଥିଲାଗି ଜାମିନ ମଧ୍ୟ ଦେଇନଥିଲେ। ପରେ ସେ ନିର୍ଦ୍ଦୋଷରେ ଖଲାସ ହେଲେ। ଲୋକଙ୍କ ଅଧିକାର ଲାଗି ଲଢ଼େଇ କଦାପି ଆଇନ ଶୃଙ୍ଖଳାର ବିଷୟ ନୁହେଁ। ନିଜ ଜମିକୁ ନିଜ ପାଖରେ ରଖିବା, ଏଥିରେ ଚାଷ କରିବା ଓ ମାଟିର ସଂସ୍କୃତିକୁ ଆପଣାଇବା କଦାପି ଦେଶର ଶାନ୍ତିରେ ବ୍ୟାଘାତ ଆଣିବା ପ୍ରସଙ୍ଗ ହୋଇନପାରେ।

୨୦୧୪ ମସିହାରେ ଆଦିତ୍ୟ ବିରଳା କମ୍ପାନୀ ନିଜର ପ୍ରଥମ ଉତ୍ପାଦନ ଆରମ୍ଭ କରିଥିଲା ଓ ସେହି ବର୍ଷ ବେଳକୁ କମ୍ପାନୀର ନିର୍ଦ୍ଦେଶକ ଭାବରେ କୁମାର ବିର୍ଲାଙ୍କ ଦରମା ଥିଲା ବାର୍ଷିକ ୨୭ କୋଟି ଟଙ୍କା। ୨୦୧୪ ମସିହାରେ ଜୀରା ମାଝୀ ତାଙ୍କ କମ୍ପାନୀରେ ମାସିକ ୨୦୦୦ ଟଙ୍କା ଅର୍ଥାତ ବାର୍ଷିକ ୨୪,୦୦୦ ଟଙ୍କାରେ ନିଯୁକ୍ତି ପାଇଥିଲେ ଅର୍ଥାତ ଜୀରା ମାଝୀଠାରୁ କମ୍ପାନୀର ନିର୍ଦ୍ଦେଶକ ୧୧,୨୫୦ ଗୁଣା ଅଧିକ ଦରମା ପାଉଥିଲେ। ଅଥଚ ଆମ୍ବୁଲାନ୍ସ ବ୍ୟବସ୍ଥା ନହୋଇପାରିବା କାରଣରୁ ଜୀରା ପ୍ରାଣହରାଇଥିଲେ। ତାଙ୍କର ପରିବାର ଆଜି ଯେଉଁ ସ୍ଥିତି ଦେଇ ଗତିକରୁଥିବେ ତାହା ସହଜରେ ଅନୁମେୟ।

କୁମାର ବିର୍ଲାଙ୍କ ମୋଟ ସମ୍ପତ୍ତି ୨୦୧୪ ମସିହାରେ ୯୨୦ କୋଟି ଡଲାର ଥିଲା ଓ ୨୦୨୧ ମସିହା ବେଳକୁ ଏହା ପ୍ରାୟ ଦୁଇ ଗୁଣା ବୃଦ୍ଧି ଘଟି  ୧୫୮୦ କୋଟି ଡଲାର ହୋଇଛି। ୨୦୨୨ ମସିହାରେ ଜୀରା ମାଝୀର ପରିବାର ନିଜର ଜମି ଓ ଜିରାଙ୍କୁ ହରାଇ ଶୂନ୍ୟରେ ପହଞ୍ଚିଯାଇଛନ୍ତି। ଜୀରା ମାଝୀଙ୍କ ଶବକୁ ଧରି ନିଜର କୁଚେଇପଦର ଗାଁ ଲୋକେ କମ୍ପାନୀର ଗେଟ ସାମ୍ନାରେ କ୍ଷତିପୂରଣ ଓ ପରିବାରକୁ ଚାକିରି ଦାବିରେ ବସିରହିଥିଲେ। କମ୍ପାନୀ କର୍ମକର୍ତ୍ତା ଗାଁ ଲୋକଙ୍କ ସହିତ ଆଲୋଚନା କରିବା ଅପେକ୍ଷା ପୁଲିସର ଆଶ୍ରୟ ନେଇ ପରିବାର ଲୋକଙ୍କୁ ଗିରଫ କରାଇଲେ।

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିଳ୍ପପତିମାନେ କ୍ରମାଗତ ଭାବରେ ଧନୀ ହେଉଛନ୍ତି ଓ ସାଧାରଣ ଭାରତୀୟ କ୍ରମାଗତ ଭାବରେ ଗରିବ ହେଉଛନ୍ତି। କମ୍ପାନୀମାନଙ୍କ ଜିତାପଟକୁ ହିଁ ଆମକୁ ଗଣତନ୍ତ୍ର, ବିକାଶ ଓ ଆଧୁନିକତା ବୋଲି ମନେହେଉଛି। ହେଲେ ଜଳ-ଜଙ୍ଗଲ-ଜମି ଓ ମାଟି ସଂସ୍କୃତିର ସୁରକ୍ଷା ଦିଗରେ ଯେତେଦିନ ପର୍ଯ୍ୟନ୍ତ ଏକ ବିରାଟ ଜନ ସମୁଦାୟ ଆଜିର ଭୋଟ ରାଜନୀତିରେ ଦାବି ନକରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଗରିବ ହେବାର ପ୍ରକ୍ରିୟା ଦେଶରେ ଲାଗି ରହିଥିବ।

ମୋ: ୯୪୩୭୭୬୨୨୭୨

Aditya Birla Jira Majhi Kashipur Maikanch