ଗଣତନ୍ତ୍ର-ମନ୍ଦିରର ପାପରା ସ୍ତମ୍ଭ ସବୁ!

ଜାନକୀଶ ବଡ଼ପଣ୍ଡା

ଗଣତନ୍ତ୍ର ମନ୍ଦିରର ଯେ କୌଣସି ଗୋଟିଏ ସ୍ତମ୍ଭର ମଞ୍ଜ ପାପରା ହେଲେ ପ୍ରଥମେ ନାଟମଣ୍ଡପ ଛାତରେ ଫାଟ ଦେଖାଯାଏ। ବିଧାନପାଳିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା, ଏହି ତିନୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ଆମ ଭାରତୀୟ ଗଣତାନ୍ତ୍ରିକ ମନ୍ଦିର ଦୃଢ଼ରହିବା ପାଇଁ ପ୍ରତ୍ୟେକ ସ୍ତମ୍ଭ ନିଜ ନିଜର ବୃତ୍ତିଗତ ଦକ୍ଷତା ଓ ଉଚ୍ଚ ନୈତିକ ଆଚରଣରେ ଦୃଢ଼ ତଥା ଜାତୀୟ ବିକାଶ ପ୍ରତି ପ୍ରତିବଦ୍ଧ ରହିବା ଆବଶ୍ୟକ। ଗଣତନ୍ତ୍ରର ତିନୋଟିଯାକ ସ୍ତମ୍ଭ ପରସ୍ପର ସହ ଅସମନ୍ୱିତ ଓ ପରସ୍ପରଠାରୁ ଦୂରେଇଗଲା ଭଳି ମନେହେଉଥିବାରୁ ସମ୍ବିଧାନକୁ ବାରମ୍ବାର ପଢ଼ିବାକୁ, ଚର୍ଚ୍ଚା କରିବାକୁ ସମୟ ଆସିଛି। ଏହି ତିନୋଟିଯାକ ସ୍ତମ୍ଭ ନିଜ ନିଜର କ୍ଷମତାର ଉପଯୋଗ କରିବା ସହ ସମନ୍ୱିତ ଓ ସ୍ୱାଧୀନ ଭାବରେ କାର୍ଯ୍ୟ କରନ୍ତୁ ବୋଲି ସମ୍ବିଧାନ ପ୍ରଣେତାମାନେ ଚାହିଁଥିବା ଦୃଷ୍ଟିରୁ ସମ୍ବିଧାନକୁ ବାରମ୍ବାର ପଢ଼ି ନିଜକୁ ଅବକ୍ଷୟରୁ ରକ୍ଷା କରିବାର ଗୁରୁ ଦାୟିତ୍ୱ ତିନୋଟି ଯାକ ସ୍ତମ୍ଭର।

ଏବେ ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି। ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହେବାକୁ ଯାଉଛି ଆଗାମୀ ଅଗଷ୍ଟ ୧୫ ତାରିଖରେ। ୨୬ ନଭେମ୍ବର ୧୯୪୯ରେ ଆମର ସମ୍ବିଧାନ ପ୍ରଣୀତ ହୋଇଥିଲା ଓ ପରବର୍ଷ ଜାନୁଆରୀ ୨୬ ତାରିଖରେ ଲାଗୁ ହୋଇଥିଲା। ଏଣୁ ସମ୍ବିଧାନକୁ ଆମେ ଗ୍ରହଣ କରିବାର ୭୨ ବର୍ଷ ପୂରଣ ହୋଇ ସାରିଛି। ବିଳମ୍ବିତ ହୋଇଥିଲେ ହେଁ ସମ୍ବିଧାନ ଅନୁସାରେ ଆମର ଉପଲବ୍ଧିଗୁଡିକର ନିରପେକ୍ଷ ମୂଲ୍ୟାଙ୍କନ କରାଯିବା ପାଇଁ ଏହା ହିଁ ଉପଯୁକ୍ତ ସମୟI ଗଣତନ୍ତ୍ରର ତିନୋଟି ସ୍ତମ୍ଭ ବିଧାନପାଳିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର ସମ୍ମାନୀୟ ସଦସ୍ୟଗଣ ଆଜି ପ୍ରତ୍ୟେକେ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ ଯେ, ସେମାନେ ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର. ଆମ୍ବେଦକର ଏବଂ ତତ୍କାଳୀନ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନଙ୍କ ଆଶାନୁରୂପ ସ୍ୱାଧୀନ ଭାବେ କାର୍ଯ୍ୟନିର୍ବାହ କରୁଛନ୍ତି ତ?

ସମ୍ବିଧାନ ପ୍ରଣୟନ ସଭାର ଅନ୍ୟତମ ଅଭିଜ୍ଞ ତଥା ସଂଖ୍ୟାଲଘୁ ସଦସ୍ୟ ପ୍ରଫେସର କେ. ଟି. ଶାହା କଡ଼ାକଡ଼ି ଭାବେ ସମ୍ବିଧାନର ତିନି ଅଙ୍ଗ ସ୍ୱାଧୀନ ଭାବେ କାମ ନକଲେ ଓ ସେମାନଙ୍କ ମଧ୍ୟରେ ଭିତିରି ଯୋଗାଯୋଗ ରହିଲେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା କରିଥିଲେ ଏବଂ ଡ଼ଃ  ଆମ୍ବେଦକର ମଧ୍ୟ ଶାହାଙ୍କ ଆଶଙ୍କା ସହ ଏକମତ ହୋଇଥିଲେ ଯେ, କାର୍ଯ୍ୟପାଳିକାର ଅଧିକାରୀ ଓ ନ୍ୟାୟପାଳିକାର ନ୍ୟାୟମୂର୍ତ୍ତିମାନେ ପରସ୍ପରଠାରୁ ପୃଥକ ଓ ସ୍ୱତନ୍ତ୍ର ରହିବା ଆବଶ୍ୟକ।

ଗଣତନ୍ତ୍ରରେ ବିଧାନପାଳିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସମ୍ବିଧାନ ଅନୁଯାୟୀ ସବୁଠାରୁ ଶକ୍ତିଶାଳୀ ନୁହେଁ। ଦୁର୍ଭାଗ୍ୟବଶତଃ ବିଧାନପାଳିକା ଏବେ ଏକ ରଙ୍ଗମଞ୍ଚରେ ପରିଣତ ହୋଇଯାଇଛି ଯେଉଁଠି ରାଜନେତାମାନେ ସେମାନଙ୍କୁ ନିର୍ବାଚିତ କରିଥିବା ଦେଶବାସୀଙ୍କ ଅପେକ୍ଷା ନିଜର ଓ ନିଜ ଦଳର ସ୍ୱାର୍ଥରକ୍ଷା କରିବା ପାଇଁ ଅଧିକ ତତ୍ପରତା ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ତାତ୍ତ୍ୱିକ ଆଲୋଚନା ଓ ବିତର୍କ ସବୁବେଳେ ଏକ ଜୀବନ୍ତ, କ୍ରିୟାଶୀଳ ଗଣତାନ୍ତ୍ରିକ ଅନୁଷ୍ଠାନର ଅମ୍ଳଜାନ ଭଳି ହୋଇଥଲେ ହେଁ ସଂସଦ ଏବଂ ରାଜ୍ୟ ବିଧାନସଭାମାନଙ୍କରେ ସୁସ୍ଥ ଆଲୋଚନା ଓ ବୁଦ୍ଧିଦୀପ୍ତ ବିତର୍କ  କ୍ୱଚିତ୍ ଦେଖିବାକୁ ମିଳୁଛି। ଏହା ପରିବର୍ତ୍ତେ, ଆମର ମାନ୍ୟବର ସଦସ୍ୟମାନେ ବିନା ପୂର୍ବ ପ୍ରସ୍ତୁତିରେ ନିଜ ଦଳ କିମ୍ବା ବ୍ୟକ୍ତିଗତ ଗୋପନୀୟ ଇଚ୍ଛାର ଆହ୍ୱାନରେ ବକ୍ତବ୍ୟ ରଖୁଥିବାର ଦେଖିବାକୁ ମିଳୁଛି। ଏବେ ବିଧାନପାଳିକା ଭବନର ପଛ ଆସନରେ ବସି ଆଇନପ୍ରଣୟନ ବ୍ୟବସ୍ଥା  ଘୁମାଉଛି ଏବଂ ସାଂସଦ, ବିଧାୟକମାନେ ପ୍ରଣୀତ ଆଇନ ଆମ ଉପରେ କିପରି ପ୍ରଭାବ ପକାଇବ ତାହା ଜାଣିବାକୁ ଆଗ୍ରହ ଦେଖାଉ ନାହାଁନ୍ତି। ଆମର ସଂସଦୀୟ ସ୍ଥାୟୀ କମିଟିଗୁଡିକ ମଧ୍ୟ ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ଓ ସେମାନଙ୍କ ରିପୋର୍ଟକୁ ଆବଶ୍ୟକୀୟ ଗୁରୁତ୍ୱ ଦିଆଯାଉ ନାହିଁ। ଜନଜୀବନ, ଦେଶ ଓ ଦଶର ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ଓ ଆର୍ଥିକ-ସ୍ୱାର୍ଥ ଥିବା ସ୍ଥାୟୀ କମିଟିରେ ସଦସ୍ୟ ହେବାକୁ ଅଧିକ ଆଗ୍ରହ ଦେଖିବାକୁ ମିଳୁଛି।

ଆମର ମାନ୍ୟବରମାନେ ମାଇକ, ଚେୟାର ଏବଂ ଚପଲ ବ୍ୟବହାର କରିବାର ବିକଳଦୃଶ୍ୟ ଗଣତନ୍ତ୍ରକୁ କେବେ ହେଁ ସମୃଦ୍ଧ କରେ ନାହିଁ। କିଛି ମାନ୍ୟବର, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଗୃହରେ ମୁହଁ ଦେଖାଇଦେଇ ପରେ ଅଦୃଶ୍ୟ ହେବା ପାଇଁ ଲଜ୍ଜାବୋଧ କରନ୍ତି ନାହିଁ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କର ‘କା’ମାନେ ବର୍ଷ ବର୍ଷ ଧରି ଉତ୍ତର ରଖନ୍ତି। ବିଧାନସଭାର କାର୍ଯ୍ୟ ବେଳେବେଳେ ଆବଶ୍ୟକୀୟ ସଂଖ୍ୟା ବା ‘କୋରମ୍’ ଅଭାବରୁ ସ୍ଥଗିତ ରଖିବାକୁ ପଡ଼େ। ନ୍ୟାୟପାଳିକା ଅନେକ ସମୟରେ ସମାଲୋଚନା କରନ୍ତି ଯେ ବିଧାନପାଳିକାରେ ପାରିତ ଅନେକ ଆଇନ ତ୍ରୁଟିପୂର୍ଣ୍ଣ ଓ କାର୍ଯ୍ୟପାଳିକା ଆବଶ୍ୟକତାଠାରୁ ଅଧିକ ଶକ୍ତିଶାଳୀ ଓ ଅଦମନୀୟ। ଆମର ବିଧାନପାଳିକା ପକ୍ଷରୁ ଯଦି ଆଇନ ପ୍ରସ୍ତୁତ କରିବା ଏବଂ ପୂର୍ବରୁ ଥିବା ଆଇନଗୁଡ଼ିକର ତ୍ରୁଟି ହଟାଇବା ଉପରେ ଅଧିକ ଧ୍ୟାନ ଦିଆ ଯାଉଥାଆନ୍ତା, ହୁଏତ ଏଭଳି ସମାଲୋଚନା ହୁଅନ୍ତାନି।

କାର୍ଯ୍ୟନିର୍ବାହୀଙ୍କ ଦାୟିତ୍ୱ ହେଲା ଯେ ଦେଶରେ ପ୍ରଚଳିତ ଆଇନଗୁଡ଼ିକର ଅନୁପାଳନ ତଥା ସେଗୁଡିକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରି ଲୋକାଭିମୁଖୀ ଶାସନ ପ୍ରଦାନ କରିବା। କାର୍ଯ୍ୟନିର୍ବାହୀ ଏକ ପୃଥକ ସ୍ତମ୍ଭ ଓ ସତ୍ତା ହୋଇଥିଲେ ବି ବିଧାନସଭାର ସମ୍ପ୍ରସାରିତ ଅଙ୍ଗପରି ଦୃଶ୍ୟମାନ ହେଉଥିବାରୁ ଏହାର ବସ୍ତୁତଃ ଭୁଶୁଡି ପଡୁଛି ବୋଲି କୁହାଯାଇପାରେ। କେତେକ ସ୍ଥଳରେ କାର୍ଯ୍ୟନିର୍ବାହୀ ଲୋକାଭିମୁଖୀ ଶାସନ ପ୍ରଦାନ କରିବା ନିଶାରେ ଏତେମାତ୍ରାରେ କ୍ଷମତାଶାଳୀ ହୋଇଯାଇଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ଭାଷାରେ ଇସ୍ପାତ ଛାଞ୍ଚ କୁହାଯାଉଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ବିଧାନପାଳିକାକୁ ହେୟ ମନେକରି ସ୍ୱେଚ୍ଛାଚାରୀ ହୋଇ ଯାଉଥିବାର ଅଭିଯୋଗ ଆସୁଛିI ଆଇନ ଓ ନିୟମକୁ ବଜାୟ ରଖି ରାଜନେତାମାନଙ୍କୁ ସେମାନଙ୍କ ସୀମାରେଖା ମଧ୍ୟରେ ନିୟନ୍ତ୍ରଣରେ ରଖିବାକୁ ଥିବା ଅମଲାତନ୍ତ୍ର ବର୍ତ୍ତମାନ ସେମାନଙ୍କ ସହ ମିଶି ଯାଇଛନ୍ତି। ବିଧାନପାଳିକା ଓ କାର୍ଯ୍ୟପାଳିକା ଦୁଇସ୍ତମ୍ଭ ଏକ ହୋଇ ସେମାନଙ୍କ ମୁନିବ ବା ସାଧାରଣ ଜନତାଙ୍କୁ ହତାଦର କରୁଛନ୍ତି।

କାର୍ଯ୍ୟପାଳିକା ମଧ୍ୟରେ ଆସୁଥିବା ପୋଲିସ ଆଜି ଦୁର୍ନୀତିଗ୍ରସ୍ତ। କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଦୁର୍ନୀତିଗ୍ରସ୍ତ ବିଭାଗ ଭାବରେ ନିନ୍ଦିତ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପରି ତଥାକଥିତ ସ୍ୱାଧୀନ ଅନୁସନ୍ଧାନକାରୀ ସଂସ୍ଥା ଯେ କୌଣସି ଶାସକ ରାଜନୈତିକ ଦଳର ଦାସ ହୋଇଯାଇଛନ୍ତି। ଅବସର ପରେ ଉଚ୍ଚପଦାଧିକାରୀଙ୍କୁ ଉପହାର ଭାବେ ମିଳୁଥିବା ଚାକିରିର ପ୍ରଲୋଭନ ଫଳରେ ଅମଲାତନ୍ତ୍ର ନିଜ ଚାକିରିକାଳରେ ନିସ୍ପକ୍ଷ ରହୁନାହାନ୍ତି। ନିର୍ବାଚନ ଆୟୋଗ, କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ (CAG) ଏବଂ କେନ୍ଦ୍ରୀୟ ସୂଚନା ଆୟୋଗ ପରି ସ୍ୱାଧୀନ ଅନୁଷ୍ଠାନଗୁଡିକ ମଧ୍ୟ ସରକାରୀ ବିଭାଗ ଭଳି ପ୍ରତୀୟମାନ ହେବାକୁ ଲାଗିଲେଣି। ଅବନତି ଏଭଳି ସ୍ତରକୁ ଆସି ଯାଇଛି ଯେ ନିର୍ବାଚନ ଆୟୋଗଙ୍କ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକୁ ସନ୍ଦେହ ଚକ୍ଷୁରେ ଦେଖାଯାଉଛି, ଯାହା ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁI

ନ୍ୟାୟପାଳିକା ହେଉଛି ଏପରି ଏକ ସ୍ତମ୍ଭ, ଯାହା ସବୁଠାରୁ ଶକ୍ତିଶାଳୀ। ଏହା  ବିବେକ ରକ୍ଷକର ଦାୟୀତ୍ୱ ନିର୍ବାହ କରିବା ଆବଶ୍ୟକ। କିନ୍ତୁ ଏହା ବଦଳରେ ମହାମହିମ ବିଚାରପତିଗଣ ବିଚାର କରୁଥିବା କାଳରେ ଅବା ବିଚାର ସାରିବା ପରେ ଲିଖିତ ନିଷ୍ପତ୍ତି ଅପେକ୍ଷା ସେମାନଙ୍କ ଉଚ୍ଚାରିତ ଶବ୍ଦ ମାଧ୍ୟମରେ ଆତ୍ମ-ପ୍ରୋତ୍ସାହନ ଦେବାକୁ ପ୍ରଚେଷ୍ଟିତ ରହୁଥିବା ଭଳି ମନେ ହେଉଛନ୍ତି। ମନେହେଉଛନ୍ତି, ସତେ ଯେପରି ଏମାନେ ସରକାରଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି। ସେମାନେ ସମ୍ବିଧାନ ଅନୁଯାୟୀ ଭୂମିକା ଗ୍ରହଣ କରିବାର ପ୍ରଚେଷ୍ଟା କଲା ପରି ଆଚରଣ ଓ ଉଚ୍ଚାରଣ କରୁନଥିବାର ଅଭିଯୋଗ ଆସୁଛି। ଅତୀତରେ ପୋଲିସ୍ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ ହେଁ, ସେହି ନିର୍ଦ୍ଦେଶାବଳୀଗୁଡ଼ିକୁ ସରକାର କେତେଦୂର କାର୍ଯ୍ୟକାରୀ କରିଛନ୍ତି, ତାହାର ସମୀକ୍ଷା ସେମାନେ ନିଜ ଆଡୁ କରିନାହାନ୍ତି। ଆଶ୍ଚର୍ଯ୍ୟର କଥା ଯେ, ମାନ୍ୟବର ଅଦାଲତମାନେ ବିଧାନପାଳିକା  କିମ୍ବା କାର୍ଯ୍ୟନିର୍ବାହୀ ପାଇଁ ହିତକର, ଅଥଚ ସାଧାରଣ ନାଗରିକଙ୍କ ଅଧିକାରକୁ ହନନ କରିବା ପାଇଁ ଉଦ୍ଦିଷ୍ଟ ପ୍ରସଙ୍ଗଗୁଡିକୁ ସର୍ବାଧିକ ଆଗ୍ରହ ପ୍ରଦର୍ଶନ କରୁଥିବାର ଅଭିଯୋଗ ହେଉଛି। ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଧିକୃତ ନିର୍ମାଣ ଉପରେ ରହିତାଦେଶ ପ୍ରାର୍ଥନା କରିଥିବା ବ୍ୟକ୍ତିଙ୍କୁ ଅଦାଲତି ଅର୍ଥଦଣ୍ଡ ମିଳିବା ଏହାର ସଦ୍ୟତମ ଉଦାହରଣ। ସିବିଆଇ ନିର୍ଦ୍ଦେଶକ ଆଲୋକ ଵର୍ମା ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ପ୍ରାର୍ଥନା କରିଥିଲେ ଯେ କେନ୍ଦ୍ର ସରକାର ତାଙ୍କଠାରୁ ସମସ୍ତ କ୍ଷମତା ପ୍ରତ୍ୟାହାର କରିବାର ନିଷ୍ପତ୍ତି ବେଆଇନ ବୋଲି ନ୍ୟାୟ ଦିଅନ୍ତୁ। କୋର୍ଟ ଏହି ସୀମିତ ପ୍ରାର୍ଥନା ଉପରେ ବିଚାର କଲେନାହିଁ। ଏହା କରିବା ପରିବର୍ତ୍ତେ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟ ଉପରେ ବିଚାର କଲେ।

ଯେତେବେଳେ ନ୍ୟାୟପାଳିକା ମଧ୍ୟରେ ଦୁର୍ନୀତି ପ୍ରବେଶ କରେ, ସେତେବେଳେ ଏହାର କାର୍ଯ୍ୟକଳାପରେ ସ୍ୱଚ୍ଛତାର ଅଭାବ ଦୃଷ୍ଟିଗୋଚର ହୁଏ ଏବଂ ଏହା ଗୋପନୀୟ ସମାଜ ପରି କାର୍ଯ୍ୟ କରେ। ଯେତେବେଳେ ଅମଲାତନ୍ତ୍ର ଅବସରପରେ ପୁନର୍ନିଯୁକ୍ତି ଲୋଭରେ ନିଜର କର୍ତ୍ତବ୍ୟବୋଧ ତଥା ସାଧାରଣ ନାଗରିକମାନଙ୍କ ସ୍ୱାର୍ଥକୁ ବିକ୍ରି କରିବାକୁ ପଶ୍ଚାତପାଦ ହେଉନାହାନ୍ତି, ନ୍ୟାୟପାଳିକାର ସଦସ୍ୟମାନେ ମଧ୍ୟ ସେହି ରାସ୍ତାରେ ଯିବାର ଦେଖାଯାଉଛି। ଏହା ହିଁ ସେମାନଙ୍କୁ କାର୍ଯ୍ୟନିର୍ବାହୀଙ୍କ ନିକଟତର କରିଛି। ଏପରି ବିଚାରପତି ମଧ୍ୟ ଅଛନ୍ତି, ଯେଉଁମାନେ ସରକାରଙ୍କ କେତେ ନିକଟତର, ତାହା ଦେଖାଇବାକୁ ସୀମାତୀତ ଆଗ୍ରହୀ। ନିରପେକ୍ଷ ନ୍ୟାୟ ପ୍ରଦାନ ଅପେକ୍ଷା ସହଯୋଗର ଅନେକ ଉଦାହରଣ ରହିଛି ଯାହା ନ୍ୟାୟପାଳିକାର ଗୌରବରେ କଳଙ୍କ।

ଆମ ଗଣତନ୍ତ୍ରର ତିନୋଟି ସ୍ତମ୍ଭରେ ଫାଟ ଦେଖାଦେଇଛି ସତ, କିନ୍ତୁ ସେସବୁର ପୁନରୁଦ୍ଧାର ଓ ମରାମତି କରାଯାଇପାରିବ। ସେଥିପାଇଁ କେବଳ ଆବଶ୍ୟକ ଯେ, ଏହି ତିନୋଟି ଅନୁଷ୍ଠାନର ପରିଚାଳକମାନେ ଅନ୍ତତଃ ଥରେ ସମ୍ବିଧାନକୁ ଏବଂ ସମ୍ବିଧାନସଭାରେ କରାଯାଇଥିବା ବିତର୍କ ବିବରଣୀ ମନଧ୍ୟାନ ଦେଇ ପାଠ କରିବେ। ଆମର ତିନୋଟି ସ୍ତମ୍ଭର ମାନ୍ୟବର ସଦସ୍ୟଗଣ ଉଚ୍ଚଶିକ୍ଷିତ ଓ ବୁଦ୍ଧିମାନ ହୋଇଥିବାରୁ ବୋଧହୁଏ, ସେତିକି ହିଁ ଯଥେଷ୍ଟ ହେବ। ଆତ୍ମଘୋଷିତ ଚତୁର୍ଥ ସ୍ତମ୍ଭ ‘ଗଣମାଧ୍ୟମ’ ପକ୍ଷରୁ ଏ ଦିଗରେ ଉଦ୍ୟମ ଅବ୍ୟାହତ ରହୁ ଏବଂ ଏହି ସାଧୁ ଉଦ୍ୟମ ପ୍ରତି ସମସ୍ତ ତିନୋଟି ସ୍ତମ୍ଭଙ୍କ ସଦିଚ୍ଛା ରହିଲେ ଗଣତନ୍ତ୍ର ମନ୍ଦିର ସୁଦୃଢ଼ ରହିବା ନିଶ୍ଚିତ।

କୋକିଳା ଏନକ୍ଳେଭ-୨, ପୋଖରୀପୁଟ, ଭୁବନେଶ୍ୱର

ଫୋ- ୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।