ଟ୍ରେନ୍ ଦୁର୍ଘଟଣାରେ ମୃତ ଏ ୫୨ ଜଣ କ’ଣ ଅଲୋଡ଼ା ମଣିଷ?

ଏହି ଲୋକମାନଙ୍କ କେହି ବି ନିଜ ଲୋକ ନାହାନ୍ତି ବା ସଂପର୍କୀୟ ନାହାନ୍ତି, ଏହା ବିଶ୍ୱାସଯୋଗ୍ୟ ନୁହେଁ। ସେମାନେ କାହାର ହେଲେ ପୁଅ ବା ଝିଅ ବା ବନ୍ଧୁବାନ୍ଧବ। ତଥାପି ଏମାନଙ୍କ ଶବକୁ ନେବା ପାଇଁ କେହି ନଆସିବା ଆଶ୍ଚର୍ଯ୍ୟ ଲାଗୁଛି। ନିଶ୍ଚିତ ଭାବରେ ଏହି ଲୋକମାନେ ଏପରି ଶ୍ରେଣୀରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ନିଜସ୍ୱ ପରିଚୟ ଖୋଜିବା ସମ୍ଭବ ହୋଇନାହିଁ। ହୋଇପାରେ, ସେମାନଙ୍କ ପରିବାର ବା ପିତା-ମାତା ଏବେ ମଧ୍ୟ ଭାବୁଛନ୍ତି ଯେ ତାଙ୍କ ପିଲା କାମ ଯୋଗାଡ଼ କରିବାକୁ ବାହାରକୁ ଯାଇଛନ୍ତି।

Bahanaga Train Tragedy

  • Published: Monday, 03 July 2023
  • , Updated: 03 July 2023, 01:02 PM IST

News highlights

  • ଏହି ଅଚିହ୍ନିତ ମୃତଦେହର ପରିଚୟ କ’ଣ ସତରେ ନାହିଁ?
  • ଏମାନେ କାହାର ପୁଅ, ଝିଅ ବା ସଂପର୍କୀୟ?
  • ସେମାନେ କ’ଣ ଅଲୋଡ଼ା ମଣିଷ?

ବାହାନଗାରେ ହୋଇଥିବା ଭୟାବହ ରେଳ ଦୁର୍ଘଟଣାରେ ୨୯୪ ଜଣ ଲୋକଙ୍କ ମୃତ୍ୟୁ ହେବାର ଏକମାସ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତ ବ୍ୟକ୍ତିଙ୍କ ପରିବାରଗୁଡ଼ିକ ପାଇଁ ଜଣ ପିଛା ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା ସତ୍ତ୍ୱେ ୫୨ଟି ଅଲୋଡ଼ା ଶବ ରହିଯାଇଛି। ଅର୍ଥାତ୍ କୌଣସି ପରିବାର ବା ବ୍ୟକ୍ତିବିଶେଷ ଏହି ଶବକୁ ଚିହ୍ନଟ କରି ନେବା ପାଇଁ ଆଗଭର ହୋଇନାହାନ୍ତି। ଡିଏନ୍ଏ ଟେଷ୍ଟ ପରେ ମଧ୍ୟ ୫୨ଟି ଅଲୋଡ଼ା ଶବ ରହିଥିବା ଏକ ସାଂଘାତିକ ତଥ୍ୟକୁ ଓ ବାସ୍ତବତାକୁ ପଦାକୁ ଆଣିଛି। ଏହି ଲୋକମାନଙ୍କ କେହି ବି ନିଜ ଲୋକ ନାହାନ୍ତି ବା ସଂପର୍କୀୟ ନାହାନ୍ତି, ଏହା ବିଶ୍ୱାସଯୋଗ୍ୟ ନୁହେଁ। ସେମାନେ କାହାର ହେଲେ ପୁଅ ବା ଝିଅ ବା ବନ୍ଧୁବାନ୍ଧବ। ତଥାପି ଏମାନଙ୍କ ଶବକୁ ନେବା ପାଇଁ କେହି ନଆସିବା ଆଶ୍ଚର୍ଯ୍ୟ ଲାଗୁଛି। ନିଶ୍ଚିତ ଭାବରେ ଏହି ଲୋକମାନେ ଏପରି ଶ୍ରେଣୀରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ନିଜସ୍ୱ ପରିଚୟ ଖୋଜିବା ସମ୍ଭବ ହୋଇନାହିଁ। ହୋଇପାରେ, ସେମାନଙ୍କ ପରିବାର ବା ପିତା-ମାତା ଏବେ ମଧ୍ୟ ଭାବୁଛନ୍ତି ଯେ ତାଙ୍କ ପିଲା କାମ ଯୋଗାଡ଼ କରିବାକୁ ବାହାରକୁ ଯାଇଛନ୍ତି। ଗଣମାଧ୍ୟମରେ ଯେତେ ଯାହା ପ୍ରଚାରିତ ହେଲେ ମଧ୍ୟ ଏହି ଲୋକମାନେ ଗଣମାଧ୍ୟମଠାରୁ ମଧ୍ୟ ବହୁ ଦୂରରେ। ତେଣୁ ତାଙ୍କ ପିଲା ମୃତ୍ୟୁୟବରଣ କରିଛନ୍ତି ବୋଲି ସେମାନେ ଜାଣିବେ କିପରି? ଆଧାର କାର୍ଡ ବ୍ୟବସ୍ଥା ସତ୍ତ୍ୱେ ବିନା ସଂରକ୍ଷଣରେ ଟ୍ରେନରେ ଚଢ଼ୁଥିବା ଏହି ଲୋକମାନଙ୍କ ବିଷୟରେ ରେଳବାଇ କୌଣସି ତଥ୍ୟ ନପାଇବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ।

ଏହା ପ୍ରମାଣ କରୁଛି ଯେ କାମଧନ୍ଦା ପାଇଁ ଗୋଟିଏ ରାଜ୍ୟ ବା ଅଞ୍ଚଳର ଲୋକ ଯେତେବେଳେ ଅନ୍ୟ ସ୍ଥାନକୁ ଯାଉଛନ୍ତି, ସେତେବେଳେ ସେମାନଙ୍କ ପରିଚୟ ବହୁ ସମୟରେ ନିଜ ଜନ୍ମଭୂମିରେ ଏପରି ରହିଯାଉଛି ଯେ ସେ ଗନ୍ତବ୍ୟ ସ୍ଥଳରେ ପହଂଚି କାମ ନକଲା ପର୍ଯ୍ୟନ୍ତ ନିଜ ପରିବାର ସହିତ ସଂପର୍କ ସ୍ଥାପନ କରିପାରୁ ନାହିଁ। ସେମାନେ ହେଉଛନ୍ତି ଦେଶର ଅସହାୟ ଜନସାଧାରଣ, ଯେଉଁମାନଙ୍କ ପାଖରେ ଶାରୀରିକ ପରିଶ୍ରମ କରି ରୋଜଗାର କରିବା ବ୍ୟତିତ ଅନ୍ୟ ବାଟ ନାହିଁ। ତେଣୁ ସେହି କର୍ମ ସଂସ୍ଥାନ ଉଦ୍ଦେଶ୍ୟରେ ସେମାନେ ଅସଂରକ୍ଷିତ ଟ୍ରେନ୍ ଡବାରେ ଯାତ୍ରା କରିବା ଭିତରେ କିଛି ଅଘଟଣ ଘଟିଲେ ସେମାନଙ୍କ ପରିଚୟ ବାହାର କରିବା କଷ୍ଟକର ହେଉଛି। ଏପରିକି ସେମାନଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଏତେ ଦୁର୍ବଳ ଓ ନିରକ୍ଷର ଯେ ଗଣମାଧ୍ୟମରେ କ’ଣ ସବୁ ବାହାରୁଛି, ତାହାକୁ ସେମାନେ ଜାଣିବାର କୌଣସି ଅବକାଶ ନାହିଁ। ୨୯୪ଟି ଶବ ଭିତରୁ ଯଦି ୫୨ଟି ଲୋକଙ୍କ ଶବ ପରିଚୟ ଏକମାସ ପରେ ମଧ୍ୟ ମିଳୁନାହିଁ ଅର୍ଥାତ୍ ଦେଶର ଏକ ପଞ୍ଚମାଂଶ ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ସ୍ଥିତି ଓ ଅବସ୍ଥା ଅବର୍ଣ୍ଣନୀୟ। ଭାରତରେ ୧୪୦ କୋଟି ଲୋକମାନଙ୍କ ଭିତରୁ ପ୍ରାୟ ୨୦ କୋଟି ଲୋକ ଏପରି ଅଛନ୍ତି, ଯେଉଁମାନେ ଦି’ ଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି। ଏକଥା ଆନ୍ତର୍ଜାତିକ ସ୍ତରରେ ଓ ଦେଶ ଭିତରେ ସଂଗୃହୀତ ବିଭିନ୍ନ ତଥ୍ୟରୁ ଜଣାଅଛି। ୮୦ କୋଟି ଲୋକଙ୍କୁ ଜଣ ପିଛା ମାସିକ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ମାଗଣା ଦିଆଯାଉଥିବାକୁ ଯେଉଁମାନେ ସମାଲୋଚନା କରୁଛନ୍ତି, ସେମାନେ ଚିନ୍ତା କରିବା ଦରକାର ଯେ ଏହି ୮୦ କୋଟି ବାହାରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଖାଦ୍ୟଶସ୍ୟର ଆବଶ୍ୟକତା ଥିଲେ ମଧ୍ୟ ତାହା ସେମାନେ ପାଉନାହାନ୍ତି।

ଏହି ଅସହାୟ ପରିବାରରେ ଯେଉଁମାନେ ଜନ୍ମଗ୍ରହଣ କରୁଛନ୍ତି, ସେମାନଙ୍କ ପାଇଁ ପରିବାର ଖୁସି ମଧ୍ୟ ଅନୁଭବ କରିପାରୁ ନାହାନ୍ତି। ସେହିପରି ଏହି ପରିବାରର ଲୋକମାନେ କେବଳ ଜୀବିକା ସଂଗ୍ରହ ପାଇଁ ଯେତେବେଳେ ଘରୁ ବାହାରୁଛନ୍ତି, ସେତେବେଳେ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ପରିବାର ପାଖରେ ସମ୍ବଳ ବା ସମୟ ବି ନାହିଁ। ବାହାନଗା ରେଳ ଦୁର୍ଘଟଣାରେ ଏହିସବୁ ତଥ୍ୟ ଖୋଲାଖୋଲି ଭାବରେ ପଦାକୁ ଆସୁଛି। ଏହିସବୁ ଶବକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ବା ସ୍ୱେଚ୍ଛାସେବୀମାନେ ସମୂହ ଦାହ କରିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ସେମାନଙ୍କ ପାଇଁ କାନ୍ଦିବା ପାଇଁ ବି କେହି ନାହାନ୍ତି।

ଏହି ରେଳ ଦୁର୍ଘଟଣା ସଂପୂର୍ଣ୍ଣ ଭାବରେ ମନୁଷ୍ୟକୃତ ଓ ଅବହେଳାଜନିତ କାରଣରୁ ହୋଇଥିବା କମିଶନର ଅଫ୍ ରେଲୱେ ସେଫ୍ଟି ରିପୋର୍ଟ ଦେଇଛନ୍ତି। ଯଦିଓ ଏହି ରିପୋର୍ଟଟି ଆନୁଷ୍ଠାନିକ ଭାବରେ ସାର୍ବଜନୀନ ହୋଇନାହିଁ, କାରଣ କେନ୍ଦ୍ର ସରକାର ଏହି ଘଟଣାର ଏକ ସିବିଆଇ ତଦନ୍ତ ପାଇଁ ଏକ ସମୟରେ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ତଦନ୍ତ ରିପୋର୍ଟ ଚୂଡ଼ାନ୍ତ କରିନାହିଁ। କିନ୍ତୁ ଗୋଟିଏ କଥା ନିଶ୍ଚିତ ସ୍ପଷ୍ଟ ଯେ ମନୁଷ୍ୟକୃତ ଅବହେଳା ଓ ବିଶେଷ ଭାବରେ ସିଗନାଲ୍ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଅବହେଳା ସହିତ ଇଲୋକ୍ଟ୍ରୋନିକ୍ ଇଂଟରଲକିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଯେଉଁ ଏସ୍ଓପି ରହିଛି ତାହାକୁ କାର୍ଯ୍ୟକାରୀ କରାଯାଇନଥିବାରୁ ଏପରି ଭୟାବହ ଦୁର୍ଘଟଣା ଘଟିଲା। ଏହାମଧ୍ୟ କୁହାଯାଉଛି ଯେ ଇଲୋକ୍ଟ୍ରୋନିକ୍ ଇଂଟରଲକିଂ ବ୍ୟବସ୍ଥାରେ ନିରାପତ୍ତା ଦୃଷ୍ଟିରୁ ଯେଉଁ ପଦକ୍ଷେପ ଆଗୁଆ ନେବା କଥା ତାହା କର୍ମଚାରୀମାନେ ନେଇନାହାନ୍ତି। ଏପରିକି ଇଲୋକ୍ଟ୍ରୋନିକ୍ ଇଂଟରଲକିଂ ବ୍ୟବସ୍ଥାର ସିଗ୍ନାଲ୍ ଅନୁସାରେ ପରୀକ୍ଷା କରାନଯାଇ ଯେଉଁ କାର୍ଯ୍ୟ କର୍ମଚାରୀମାନେ ଗ୍ରହଣ କଲେ ସେଥିରେ ଦୁର୍ଘଟଣା ପାଇଁ ରାସ୍ତା ପରିଷ୍କାର କରିଦେଲେ। ପ୍ରଶ୍ନ ଉଠୁଛି, ଦେଶରେ ବହୁ ସ୍ଥାନରେ ଏହି ସିଗନାଲିଂ ବ୍ୟବସ୍ଥା ରହିଛି ଏବଂ ସବୁ ସ୍ଥାନରେ ନିରାପତ୍ତା ବ୍ୟବସ୍ଥାଗୁଡ଼ିକ ସବୁ ସମୟରେ ଠିକ୍ ଭାବରେ ହେଉଛି କି ନାହିଁ, ତାହା କିଏ କହିବ?

ତେବେ ରେଳ ଦୁର୍ଘଟଣାରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଉପରୋକ୍ତ ଅଜଣା ମଣିଷମାନେ। ବିନା ସଂରକ୍ଷିତ ଡବାରେ ଯାତ୍ରା କରୁଥିବା ଏହି ଗରିବ ଲୋକମାନଙ୍କ ପରିଚୟ ଜାଣିବା ପାଇଁ ରେଳବାଇ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇପାରି ନାହିଁ। ଯଦିଓ ବିଜ୍ଞାନ ଓ କାରିଗରୀ ଦୃଷ୍ଟିରୁ ସବୁ ଡବାରେ ଠିକଣା ଅତ୍ୟାଧୁନିକ ସିସିଟିଭି ବ୍ୟବସ୍ଥା ରହିପାରିବ ଓ ଏହି ଡବା ଭିତରକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କ ପରିଚୟ ସଂଗୃହୀତ ହୋଇପାରିବ, ତେବେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୫୨ଟି ଶବ ଅଚିହ୍ନ ମଣିଷ ଭାବରେ ସାମୂହିକ ଶବଦାହ ହେବାର ବ୍ୟବସ୍ଥା କରିବାକୁ ପଡ଼ନ୍ତା ନାହିଁ। ଅସଲକଥା ହେଉଛି ଦେଶରେ ଆଧାର ନେଇ ବହୁକଥା କୁହାଯାଉଥିଲେ ମଧ୍ୟ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଆଧାର ନମ୍ବର ଥିଲେ ମଧ୍ୟ ବାସ୍ତବରେ କୌଣସି ପରିଚୟ ନାହିଁ। ଅଥଚ ଏହି ଆଧାର ନମ୍ବରରେ ଠିକ୍ ଭାବରେ ବନାନ ଯଦି ନରହୁଛି, ତେବେ ସଂପୃକ୍ତ ବ୍ୟକ୍ତିମାନେ ବହୁ ସରକାରୀ ସାହାଯ୍ୟରୁ ବଂଚିତ ହେଉଛନ୍ତି। ଏପରିକି ଶାରୀରିକ ପରିଶ୍ରମ କରିବାକୁ ସେମାନେ ପ୍ରସ୍ତୁତ ଥିଲେ ମଧ୍ୟ ଆଧାର ନମ୍ବରରେ ଭୁଲ ଯୋଗୁ ସେମାନଙ୍କ ଜବ୍‌କାର୍ଡ ବାତିଲ ହୋଇଯାଉଛି। କିନ୍ତୁ ବାହାନଗା ରେଳ ଦୁର୍ଘଟଣା ଦେଶର ଅଚିହ୍ନା ମଣିଷମାନଙ୍କ ସଂକ୍ରାନ୍ତରେ ଏକ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିବାର ଆବଶ୍ୟକତାକୁ ପଦାକୁ ଆଣିଛି। ରେଳବାଇରେ ଯାତ୍ରୀ ସୁରକ୍ଷା ସହିତ ଅଚିହ୍ନା ମଣିଷମାନଙ୍କ ସଂପର୍କରେ ଏକ ଜାତୀୟ ନୀତିର ଆବଶ୍ୟକତାକୁ ଆଉ କେହି ଏଡ଼ାଇଯିବା ଉଚିତ୍ ନୁହେଁ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

Related story