Advertisment

ଆଜି ବଙ୍ଗ ଯାହା ଭାବୁଛି, ତାହା ଭାରତ କାଲି ଭାବିବ କି?

ଏହି ବିବାଦ ଆମ ସମ୍ବିଧାନର ଏକ ଜଟିଳ ଦିଗକୁ ଆଲୋକିତ କରୁଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଇନ୍ ଶୃଙ୍ଖଳା ଓ ପୋଲିସ୍ ବ୍ୟବସ୍ଥା ଏକ ରାଜ୍ୟ ବିଷୟ। ଏକ କେନ୍ଦ୍ରୀୟ ସଂସ୍ଥା ‘ଇଡି’ର ଅଧିକାରୀଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କରେ କାମ କରିବାକୁ ପଡ଼ିଥାଏ।

author-image
Janakish Badapanda
mamata

West Bengal Chief Minister Mamata Banerjee Photograph: (Internet)

ଜାନକୀଶ ବଡ଼ପଣ୍ଡା

ବହୁଳ ପ୍ରଚାରିତ କଥାଟିଏ ଆମେ ଶୁଣି ଆସିଛେ ଯେ, ଗୋପାଳ କୃଷ୍ଣ ଗୋଖଲେ ପ୍ରଥମେ ‘ଆଜି ବଙ୍ଗଳା ଯାହା ଭାବୁଛି, ଭାରତ କାଲି ଭାବିବ’ ବୋଲି କହିଥିଲେ। କିନ୍ତୁ ବାସ୍ତବ ସତ୍ୟଟି ହେଲା ଯେ, ଗୋଖଲେ ୧୯୦୫ ମସିହାରେ ବାରାଣସୀରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ କହିଥିଲେ, ‘ଶିକ୍ଷିତ ଭାରତୀୟମାନେ ଆଜି ଯାହା ଭାବୁଛନ୍ତି, ଭାରତର ବାକି ଲୋକମାନେ କାଲି ଭାବିବେ’। ବଙ୍ଗଳାର ବୁଦ୍ଧିଜୀବୀ ଏବଂ ପ୍ରଗତିଶୀଳ ନେତୃତ୍ୱ ଏଥିରେ ବହୁଳ ଭାବେ ଉତ୍ସାହିତ ହୋଇଥିଲେ। ପରବର୍ତ୍ତି କାଳରେ, ଏହି ଲୋକପ୍ରିୟ ଉକ୍ତିଟିକୁ ବଙ୍ଗଳାର ବୁଦ୍ଧିଜୀବୀ ତଥା ଶିକ୍ଷିତ ବାବୁମାନେ ହଡ଼ପ କରିନେଇ ବଙ୍ଗାଳୀଙ୍କ ସପକ୍ଷରେ ସ୍ଥାୟୀ ନୀତି କରି ନେଇଥିଲେ। ଏବେ, ଗୋଟିଏ ପ୍ରଶ୍ନ ସଭିଙ୍କୁ ଆନ୍ଦୋଳିତ କରୁଛି ଯେ, ‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାହା କରୁଛନ୍ତି, ସମଗ୍ର ଭାରତବର୍ଷର ପ୍ରତ୍ୟେକ ପ୍ରଦେଶ ଯଦି ସେହିଭଳି କରନ୍ତି, ବିବିଧତା ମଧ୍ୟରେ ଏକତା ସୂତ୍ରରେ ଗୁନ୍ଥା ହୋଇଥିବା ଭାରତ ଏକ ହୋଇ ରହି ପାରିବ ତ?’

Advertisment

ଭାରତର ସଂଘୀୟ ବ୍ୟବସ୍ଥା ବା କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ଏବେ ପୁଣି ଏକ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛି। ପଶ୍ଚିମବଙ୍ଗ ସରକାର ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟରେ ଚାଲିଥିବା ମୁହାଁମୁହିଁ  ପରିସ୍ଥିତି ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାର ଅପେକ୍ଷାରେ। ଏହାର ମୂଳ କାରଣ ଭାବେ କୁହା ଯାଉଛି - କୋଇଲା ଚୋରା ଚାଲାଣ ଏବଂ ସେଥିରୁ ମିଳିଥିବା ବେଆଇନ ଅର୍ଥ କାରବାର ମାମଲାର ତଦନ୍ତ। ଏଥିରୁ ଉତ୍ପନ୍ନ ପରିସ୍ଥିତି ଆମ ଦେଶର ତଦନ୍ତକାରୀ ସଂସ୍ଥା ଗୁଡ଼ିକର ସ୍ୱାଧୀନତା ଏବଂ ରାଜ୍ୟ ଗୁଡ଼ିକର ଅଧିକାର ମଧ୍ୟରେ ଥିବା ସୀମାକୁ ନେଇ ଅନେକ ପ୍ରଶ୍ନ ଉଠାଉଛି। ତଦନ୍ତରେ ରାଜନୈତିକ ବାଧା ଓ ପ୍ରମାଣ ନଷ୍ଟ କରାଗଲେ, ଆଇନର ଶାସନ ଧ୍ୱଂସ ହୁଏ। ଇଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସେମାନେ ନିୟମ ଅନୁସାରେ ଚଢ଼ଉ କରୁଥିବାବେଳେ ଇଡି ଅଧିକାରୀମାନଙ୍କୁ ଧମକ ଦିଆଯାଇଥିଲା ଏବଂ ଚଢ଼ାଉ ସ୍ଥଳରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବରଦସ୍ତି ସ୍ଥାନାନ୍ତରିତ କରି ନିଆଯାଇଥିଲା। କଲିକତା ଉଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣୀରେ ବିଳମ୍ବ ଘଟିବାରୁ ଇଡି ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜରୁରୀକାଳୀନ ହସ୍ତକ୍ଷେପ ଲୋଡ଼ାଯାଇଛି। 

ବିରୋଧୀ ଦଳ ଶାସିତ ରାଜ୍ୟ ଗୁଡ଼ିକର ଅଭିଯୋଗ ହେଉଛି ଯେ, କେନ୍ଦ୍ର ସରକାର ନିଜର ରାଜନୈତିକ ଫାଇଦା ପାଇଁ ଇଡି, ସିବିଆଇ ଆଦି ସଂସ୍ଥାଗୁଡିକୁ ବ୍ୟବହାର କରୁଛନ୍ତି। ଯେତେବେଳେ ତଦନ୍ତର ସମୟ ଓ ଲକ୍ଷ୍ୟ କେବଳ ରାଜନୈତିକ ପ୍ରଭୁଙ୍କ ସୁବିଧା ଅନୁସାରେ ସ୍ଥିର ହୁଏ ସେତେବେଳେ ଜନସାଧାରଣ ଏହାକୁ ସଂସ୍କାର ନକହି ଯନ୍ତ୍ରଣା ମନେକରନ୍ତି। ଏହି କାରଣରୁ ବିରୋଧୀ ଶାସିତ ରାଜ୍ୟ ସରକାରମାନେ ଇଡି, ସିବିଆଇ ଆଦି ସଂସ୍ଥାଗୁଡିକ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଯନ୍ତ୍ରଣା ଭାବେ ଚିତ୍ରଣ କରିବା ସହିତ ନିଜ ରାଜ୍ୟ-ପୋଲିସ ବ୍ୟବସ୍ଥାକୁ ଢାଲ ଭାବେ ବ୍ୟବହାର କରୁଛନ୍ତି, ଯାହା କେନ୍ଦ୍ର-ରାଜ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ତିକ୍ତ କରୁଛି।

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଳିତ ଜାନୁଆରୀ ୮ ତାରିଖରେ କୋଲକାତା ମହାନଗରରେ ଥିବା ନିର୍ବାଚନ ରଣନୀତି ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କ ‘ଭାରତୀୟ ରାଜନୈତିକ କ୍ରିୟାନୁଷ୍ଠାନ କମିଟି’ (ଆଇ-ପ୍ୟାକ୍) ସହିତ ସମ୍ପର୍କିତ ସ୍ଥାନଗୁଡ଼ିକରେ ତଲାସି କରାଯାଇଥିଲା। ଆଗାମୀ ମାର୍ଚ୍ଚ-ଅପ୍ରେଲ୍ ମାସରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହି ରାଜନୈତିକ ପରାମର୍ଶଦାତା ସଂସ୍ଥା ୨୦୨୧ ମସିହା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ସଫଳତା ପାଇଥିଲା। ଆଗାମୀ ନିର୍ବାଚନ ପାଇଁ ‘ଟିଏମସି’ ପକ୍ଷରୁ ‘ଆଇ-ପ୍ୟାକ୍’କୁ ସମାନ ଦାୟିତ୍ୱ ଦିଆଯାଇଥିଲା ବେଳେ ଇଡି ପକ୍ଷରୁ କରାଯାଇଥିବା ତଲାସି ଅଭିଯାନକୁ ରାଜନୈତିକ ଆକ୍ରମଣ ଭାବେ ଚିତ୍ରଣ କରାଯାଉଛି। ଯଦିଓ ଇଡି ସଫେଇରେ କହିଛନ୍ତି ଯେ ତଲାସି ଅଭିଯାନ ନିର୍ବାଚନ ସମ୍ପର୍କିତ ନୁହେଁ, ବରଂ ତଦନ୍ତାଧୀନ ମନି ଲଣ୍ଡରିଂ (ଅର୍ଥ ହେରଫେର) ମାମଲା ସମ୍ପର୍କିତ, ତଥାପି ବିବାଦ ଥମୁନାହିଁ। 

ବିବାଦ ବଢ଼ିବାର ବଡ଼ କାରଣ ହେଲା ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଢ଼ାଉ ଚାଲିଥିବା ଖବରପାଇ ଆଇ-ପ୍ୟାକ୍ କାର୍ଯ୍ୟାଳୟକୁ କୋଲକାତା ପୋଲିସକୁ ସାଥିରେ ନେଇ ଯାଇଥିଲେ ଏବଂ କେନ୍ଦ୍ରୀୟ ଏଜେନ୍ସି ‘ଇଡି’ ପକ୍ଷରୁ କରାଯାଉଥିବା ତଲାସି କାର୍ଯ୍ୟକୁ ବିରୋଧ କରିଥିଲେ। ସେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ କେନ୍ଦ୍ର ସରକାର, ରାଜନୈତିକ ପ୍ରତିଶୋଧ ପାଇଁ ‘ଇଡି’କୁ ବ୍ୟବହାର କରୁଥିବାର ଅଭିଯୋଗ କରିଥିଲେ। ସେ ଏହି ଚଢ଼ାଉଗୁଡ଼ିକୁ ‘ଗଣତନ୍ତ୍ର ଉପରେ ଆକ୍ରମଣ’ ବୋଲି କହିଥିଲେ ଏବଂ ନିର୍ବାଚନ ପୂର୍ବରୁ ‘ଇଡି’ ଅଧିକାରୀଗଣ ‘ଟିଏମସି’ର ଆଭ୍ୟନ୍ତରୀଣ ରାଜନୈତିକ ରଣନୀତି, ତଥ୍ୟ ଏବଂ ଡିଜିଟାଲ୍ ତଥ୍ୟ ସମେତ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ଇଡି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ଏହାର ଅଧିକାରୀମାନଙ୍କୁ କାର୍ଯ୍ୟରେ ବାଧା ଦିଆଯାଇଥିଲା ଏବଂ ସେଠାରେ ଥିବା ଗୁରୁତ୍ୱପୂର୍ଣ୍ଣ ନଥିପତ୍ରଗୁଡ଼ିକୁ ସ୍ଥାନାନ୍ତରିତ କରିଦିଆ ଯାଇଥିଲା। ଅତୀତରେ ବହୁବାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯଥା - ଇଡି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଇତ୍ୟାଦି ବିରୋଧୀ ଦଳଗୁଡ଼ିକ ଦ୍ୱାରା ଶାସିତ ରାଜ୍ୟ ସରକାରମାନଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଛନ୍ତି। 

ଇଡି ପକ୍ଷରୁ ତଦନ୍ତର ସମୟ ଓ ଲକ୍ଷ୍ୟ ଅନେକ ସମୟରେ ଆମଦେଶରେ ହେଉଥିବା ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଏବଂ ଅଖଣ୍ଡତା, କେନ୍ଦ୍ର-ରାଜ୍ୟ ସମ୍ପର୍କ ଏବଂ ନିର୍ବାଚନ ପାଣ୍ଠି ସହିତ ଜଡିତ ଅନେକ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିଥାଏ। କେନ୍ଦ୍ର ଏବଂ ରାଜ୍ୟର ପଦାଧିକାରୀମାନେ ନିର୍ବାଚନ ସମୟରେ ହୁଏତ କିଛି ସୁବିଧା ହାତେଇନେବାର ଦେଖାଯାଏ; କିନ୍ତୁ ଭାରତୀୟ ନିର୍ବାଚନ କମିଶନ, ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ଆଇଟି ବିଭାଗର ସତର୍କତା ଏବଂ ନିରପେକ୍ଷତା କିଛି ପରିମାଣରେ ଖେଳପଡ଼ିଆକୁ ନିରପେକ୍ଷ ରଖିବାର ସାମର୍ଥ୍ୟ ରଖେ। ଆମେ ଦେଖିଛେ ଯେ ଆୟକର (ଆଇଟି) ବିଭାଗ ୨୦୨୪ ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ ଦଳର ସମସ୍ତ ବ୍ୟାଙ୍କ ଖାତାକୁ ଅଚଳ କରିଦେଇଥିଲେ। କେନ୍ଦ୍ରୀୟ ଏଜେନ୍ସି ଏବଂ ପ୍ରତିଷ୍ଠାନଗୁଡ଼ିକ ବିରୋଧୀ ଦଳ ଶାସିତ ସରକାରଗୁଡ଼ିକ ବିରୁଦ୍ଧରେ ଅଧିକ ସକ୍ରିୟ ଥିଲା ଭଳି ମନେ ହେଲାବେଳେ ଭାଜପା କିମ୍ବା ଏହାର ସହଯୋଗୀ ଦଳ ଶାସିତ ସରକାରମାନଙ୍କ ବିରୁଦ୍ଧରେ ନିଷ୍କ୍ରିୟ ରହନ୍ତି। ପଶ୍ଚିମବଙ୍ଗରେ ରହିଥିବା ତୃଣମୂଳ କଂଗ୍ରେସ ସରକାରକୁ ହଟାଇ ସେଠାରେ ଭାଜପା କ୍ଷମତା ଦଖଲ କରିବାକୁ ଉଦ୍ୟମ କଲାବେଳେ ସମସ୍ତ ନିୟମ ଉଲଂଘନ କରିବାକୁ ପ୍ରସ୍ତୁତ ଥିବାର ଅଭିଯୋଗ ହେଉଛି। କେନ୍ଦ୍ରରେ କ୍ଷମତାସୀନ ଦଳ ଏଭଳି ଲକ୍ଷ୍ୟ ରଖିଲେ ରାଷ୍ଟ୍ରୀୟ ଅଖଣ୍ଡତା ଉପରେ ଦେଶବାସୀଙ୍କ ବିଶ୍ୱାସ ସମେତ ଅନେକ କିଛି ହରାଇବାର ଆଶଙ୍କା କରାଯାଇପାରେ।

ଯଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଇଡି’ ପକ୍ଷରୁ କରାଯାଇଥିବା ଚଢ଼ାଉରେ ବାଧା ସୃଷ୍ଟି କରିଛନ୍ତି ବୋଲି ପ୍ରମାଣିତ ହୁଏ ମମତା ଦିଦିଙ୍କ ଦାଦାଗିରି  ତାଙ୍କ ପାଇଁ ମହଙ୍ଗା ପଡ଼ିବା ନିଶ୍ଚିତ। ଆଇନ ବିଶେଷଜ୍ଞମାନେ କହିଛନ୍ତି ଯେ ମମତାଙ୍କ ଚଢ଼ାଉ ସ୍ଥଳରେ ଅନୁପ୍ରବେଶ, ଅନଧିକାର ହସ୍ତକ୍ଷେପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସପକ୍ଷରେ ଏକ ସୁଯୋଗ ସୃଷ୍ଟି କରିଛି। ଦିଦି ଯେଉଁସବୁ ଫାଇଲ୍ ନିଜ ପୋଲିସ୍ ବଳ ସହଯୋଗରେ ସେଠାରୁ ନେଇଯାଇଛନ୍ତି ଯଦି ସେଗୁଡ଼ିକ ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିତ ହୁଏ, ସେ ବିପଦର ସମ୍ମୁଖୀନ ହେବେ। ବିଶେଷଜ୍ଞମାନେ କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ‘ଇଡି’ର ଅଧିକାରୀଙ୍କ ବିରୁଦ୍ଧରେ କୋଲକାତା ପୋଲିସ ମାମଲା ରୁଜୁ କରିଥିବା ସତ୍ତ୍ୱେ ଏହି କେନ୍ଦ୍ରୀୟ ସଂସ୍ଥା ଆଇନଗତ ସୁବିଧା ପାଇବ।

ଦିଦି ଜାନୁଆରୀ ୮ ତାରିଖରେ ଚଢ଼ାଉ ଚାଲିଥିବା ସ୍ଥାନକୁ ପ୍ରବେଶ କରିଥିଲେ ଏବଂ କିଛି ଫାଇଲ୍ ନେଇ ଯାଇଥିଲେ। ସେ ଫେରିଗଲା ପରେ ‘ଇଡି’ ଅଧିକାରୀଙ୍କ ବିରୁଦ୍ଧରେ ସ୍ଥାନୀୟ ପୋଲିସ୍ ମାମଲା ପଞ୍ଜିକୃତ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ)ର ଧାରା ୬୭ ଅନୁଯାୟୀ ସୁରକ୍ଷିତ। ଫଳରେ ତଲାସି ଏବଂ ଜବତ ସମୟରେ କର୍ତ୍ତବ୍ୟରତ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟାପକ କ୍ଷମତା ମିଳିଥାଏ। ଏବେ ପଶ୍ଚିମବଙ୍ଗ ପୋଲିସକୁ ନିର୍ଣ୍ଣାୟକ ଭାବରେ ପ୍ରତିଷ୍ଠା କରିବାକୁ ହେବ ଯେ ‘ଇଡି’ ଅଧିକାରୀମାନେ ବ୍ୟକ୍ତିଗତ ଲାଭ ପାଇଁ କାର୍ଯ୍ୟ କରିଥିଲେ ଏବଂ ତଦନ୍ତ ପାଇଁ ଆଇନଗତ ଭାବେ ଜବତ ନକରି କିଛି ଦଲିଲ୍ ଓ ତଥ୍ୟ ଚୋରି କରିନେବାକୁ ଉଦ୍ୟମ କରିଥିଲେ, ଏଣୁ ସେମାନେ ଫୌଜଦାରୀ ଅପରାଧ କରିବାକୁ ଉଦ୍ୟମ କରୁଥିଲେ। ତଥାପି, ଆଇନଗତ ଢାଞ୍ଚା ଅନୁସାରେ ଇଡି ଅଧିକାରୀମାନଙ୍କୁ କୋଲକାତା ପୋଲିସ୍ ଗିରଫ କରିବା ଅସମ୍ଭବ। ଯଦି ଇଡି ପ୍ରତିଷ୍ଠା କରିପାରିବ ଯେ, ଚଢ଼ାଉ ସ୍ଥାନରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଫାଇଲ୍ ତଦନ୍ତ ପାଇଁ ସାମଗ୍ରିକ ଭାବରେ ଗୁରୁତ୍ୱପୂର୍ଣ୍ଣ, ତେବେ ଦିଦି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରିବେ। କିଛି ମାସ ତଳେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମାନ ପ୍ରକାର ଅଭିଯୋଗରେ  ଗିରଫ କରାଯାଇଥିଲା। ସେମାନଙ୍କ ଦାଦାଗିରି ଇଡି-ତଦନ୍ତ ଉପରେ ସିଧାସଳଖ ପ୍ରଭାବ ପକାଇଥିବାର ପ୍ରମାଣ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଯେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ବିଧାନସଭା ବାହାରେ କୌଣସି ବିଶେଷ ସାମ୍ବିଧାନିକ ସୁରକ୍ଷା ଉପଭୋଗ କରିବାର ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ହୋଇଗଲେ ଗିରଫଦାରୀରୁ ସାମ୍ବିଧାନିକ ସୁରକ୍ଷା ମିଳେ ନାହିଁ। ଭାରତର ସମ୍ବିଧାନ ବିଧାନସଭା ଗୃହ ମଧ୍ୟରେ ମନ୍ତ୍ରୀ ଏବଂ ସରକାରର ମୁଖ୍ୟମାନଙ୍କୁ କିଛି ବିଶେଷ ଅଧିକାର ପ୍ରଦାନ କଲେ ମଧ୍ୟ ବିଧାନସଭା ବାହାରେ ଏଭଳି ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରେ ନାହିଁ।

ଟିଏମସି ପକ୍ଷରୁ ଇଡି-ଚଢ଼ାଉକୁ ବେଆଇନ କୁହାଯାଇଛି। ଇଡି ଜବତ କରିଥିବା ସାମଗ୍ରୀ ମନି ଲଣ୍ଡରିଂ ତଦନ୍ତ ପରିସର ମଧ୍ୟରେ ସୀମିତ ନହୋଇ ବରଂ ନିର୍ବାଚନ ରଣନୀତି ସହିତ ଜଡ଼ିତ ବୋଲି ଦାବି କରିଛି। ଏହାର  ଜବାବ ଦେଇ ଇଡି କହିଛି ଯେ ଏହି ତଲାସୀ ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ସମ୍ପର୍କିତ। ମମତା ବାନାର୍ଜୀ ତଦନ୍ତରେ ବାଧା ସୃଷ୍ଟି କରୁଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା କୋଲକାତାରେ ରାଜନୈତିକ ପରାମର୍ଶଦାତା ସଂସ୍ଥା ‘ଆଇ-ପ୍ୟାକ୍’ ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ କାର୍ଯ୍ୟାଳୟରେ କରାଯାଇଥିବା ତଲାସିରେ ବାଧା ସୃଷ୍ଟି କରିବା ଅଭିଯୋଗର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରିବା ପାଇଁ ଆବେଦନ କରିଛି। ଇଡିର ଯୁକ୍ତି ହେଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କୋଇଲା ଚୋରା ଚାଲାଣ ସମ୍ପର୍କିତ ଏକ ଆଇନଗତ ତଦନ୍ତକୁ ପଥଭ୍ରଷ୍ଟ କରିଛି। ତଦନ୍ତ ଚାଲିଥିଲା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ, କାଗଜ ଦଲିଲ୍ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ଇତ୍ୟାଦିକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା ଏବଂ ତଲାସି ଅଭିଯାନକୁ କବର ଦେବାର ପ୍ରୟାସ କରାଯାଇଥିଲା। ଏହାକୁ ‘ନ୍ୟାୟ ପ୍ରଦାନ ପାଇଁ ଚରମ ବାଧା’ ବୋଲି କହିଛି ଇଡି। 

ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଏକ କ୍ୟାଭିଏଟ୍ ଦାଖଲ କରିସାରିଛି, ଯାହା ନିଶ୍ଚିତ କରିଛି ଯେ ପ୍ରଥମେ ରାଜ୍ୟ ସରକାରଙ୍କ ଯୁକ୍ତି ନଶୁଣି ନ୍ୟାୟାଳୟ କୌଣସି ଏକପାଖିଆ ନିର୍ଦ୍ଦେଶ ଦେବେ ନାହିଁ। ସମ୍ଭବତଃ ଇଡିକୁ ଆଶ୍ୱସ୍ତି ପ୍ରଦାନ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଯୁକ୍ତିକୁ ତଉଲିବେ ମାନ୍ୟବର ଅଦାଲତ। ପୂର୍ବରୁ ଆଇନ ପ୍ରକ୍ରିୟା ଅନୁଯାୟୀ ତଲାସରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ନେଇ ଇଡି କଲିକତା ଉଚ୍ଚନ୍ୟାୟାଳୟରେ ମମତା ଏବଂ କିଛି ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟ ସରକାର ମଧ୍ୟ ଇଡି ବିରୁଦ୍ଧରେ ଅଭିଯୋଗ ପିଟିସନ୍ ଦାଖଲ କରିଥିଲେ।

ଇଡିଙ୍କ କହିବା କଥା ଯେ, ଏହି ଅନୁସନ୍ଧାନ କୋଇଲା ଚୋରା ଚାଲାଣ ସିଣ୍ଡିକେଟ୍ ଏବଂ ହାୱାଲା ମାଧ୍ୟମରେ ବିପୁଳ ଅର୍ଥ ନେଣଦେଣରେ ଜଡ଼ିତ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା। ସେମାନେ ପ୍ରତିଷ୍ଠିତ ଆଇନଗତ ସୁରକ୍ଷା ବ୍ୟବସ୍ଥା ଅନୁପାଳନ କରି  ତଦନ୍ତ କରୁଥିଲେ। ଇଡି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅନୁସନ୍ଧାନ ତଥ୍ୟ ପ୍ରମାଣ-ଭିତ୍ତିକ ଏବଂ ଏଥିରେ କୌଣସି ରାଜନୈତିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରାଯାଇ ନାହିଁ। କୌଣସି ରାଜନୈତିକ ଏବଂ ଦଳୀୟ କାର୍ଯ୍ୟାଳୟରେ ତଲାସି ହୋଇନାହିଁ। ତଦନ୍ତ ପ୍ରକ୍ରିୟା କୌଣସି ନିର୍ବାଚନ ସହିତ ଜଡିତ ନୁହେଁ, ଏବଂ ଏହା ମନି ଲଣ୍ଡରିଂ ଉପରେ ନିୟମିତ କାର୍ଯ୍ୟାନୁଷ୍ଠାନର ଏକ ଅଂଶ। 

ଏହି ବିବାଦ ଆମ ସମ୍ବିଧାନର ଏକ ଜଟିଳ ଦିଗକୁ ଆଲୋକିତ କରୁଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଇନ୍ ଶୃଙ୍ଖଳା ଓ ପୋଲିସ୍ ବ୍ୟବସ୍ଥା ଏକ ରାଜ୍ୟ ବିଷୟ। ଏକ କେନ୍ଦ୍ରୀୟ ସଂସ୍ଥା ‘ଇଡି’ର ଅଧିକାରୀଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କରେ କାମ କରିବାକୁ ପଡ଼ିଥାଏ। ଯଦି ରାଜ୍ୟ ପୋଲିସ୍ ଅସହଯୋଗ କରେ, ଇଡି ପକ୍ଷରୁ ଚଢ଼ଉ କରିବା ଏବଂ ସନ୍ଦିଗ୍ଧଙ୍କୁ ଗିରଫ କରିବା କଷ୍ଟକର ହୁଏ। ପକ୍ଷାନ୍ତରେ, ଯେତେବେଳେ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଏ ଏବଂ ବିରୋଧୀ ରାଜ୍ୟ ସରକାରଙ୍କୁ ବାଧା ସୃଷ୍ଟିକାରୀ ଭାବେ ଚତ୍ରଣ କରାଯାଏ ସେତେବେଳେ ଦୁର୍ନୀତି ବିରୋଧୀ ଲଢ଼େଇ ଦୁର୍ବଳ ହୋଇଯାଏ। ଏଭଳି ସନ୍ଧିକ୍ଷଣରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାନ୍ୟବର ନ୍ୟାୟାଳୟଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟନ୍ତ୍ରଣାଧୀନ ତଦନ୍ତକାରୀ ସଂସ୍ଥାଗୁଡିକ ଯେପରି ବାଧାରହିତ ନିରପେକ୍ଷ ତଦନ୍ତ କରିପାରିବେ ଏବଂ ସେମାନଙ୍କୁ କେହି ବି ଅପବ୍ୟବହାର କରି ରାଜନୈତିକ ସ୍ୱାର୍ଥସିଦ୍ଧି କରିପାରିବେ ନାହିଁ। ଶାସନ ଓ ତଦନ୍ତ ମଧ୍ୟରେ ଥିବା ଏହି ମୁହାଁମୁହିଁ ପରିସ୍ଥିତିରେ ନ୍ୟାୟ ପ୍ରକ୍ରିୟା ଯେଭଳି ବଳି ନ ପଡ଼ିବ, ତାହା ଦେଖିବାକୁ ପଡ଼ିବ। ଇଡି ଓ ସିବିଆଇ ପକ୍ଷରୁ ସ୍ୱଚ୍ଛ ନିରୁତା ତଦନ୍ତ କରାଯିବା ଯେତିକି ଜରୁରୀ, ନିଜେ ଦଳୀୟ ନିର୍ବାଚନ ରାଜନୈତିକ ଯୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର ନହେବା ସେତିକି ଜରୁରୀ। ଆଶା, ସର୍ବୋଚ୍ଚ ଅଦାଲତ ଏ ଦିଗରେ ଏକ ସ୍ପଷ୍ଟ ନୀତି ଓ ପ୍ରଶାସନିକ ସ୍ୱଚ୍ଛତା ରକ୍ଷା କରିବାକୁ ଆଦେଶ ପ୍ରଦାନ କରିବେ। ବିବିଧତା ମଧ୍ୟରେ ଭାରତ ଏକ ହୋଇ ରହିବା ପାଇଁ ଏଭଳି ଆଦେଶ ଅତ୍ୟାବଶ୍ୟକ। 

ଫୋ- ୯୪୩୮୨୯୯୦୩୭

Mamata Banerjee West Bengal Enforcement Directorate enforcement directorate raid