Independence Day Celebration
ଡ. ରୀନା ରାଉତରାୟ
୧୯୪୭ ଅଗଷ୍ଟ ୧୫। ଏହି ଦିନଟି ଆମର ଜାତୀୟ ଐତିହ୍ୟରେ ସଦା ସ୍ମରଣୀୟ ହୋଇ ରହିଛି। ଦୀର୍ଘ ୨୦୦ ବର୍ଷର ପରାଧୀନତାରେ ଯେତେକି ଯନ୍ତ୍ରଣା, ରକ୍ତ, ବଳିଦାନ ଓ ସଂଘର୍ଷ ହୋଇଛି, ସେଥିରେ ଅସଂଖ୍ୟ ମାନବଜୀବନର ସ୍ୱପ୍ନ ଓ ଆଶା ଯୋଡ଼ି ହୋଇ ରହିଥିଲା। ୧୫ ଅଗଷ୍ଟ ୧୯୪୭ର ପ୍ରଥମ ପ୍ରଭାତରେ ସେ ସବୁ ସ୍ୱପ୍ନର ଏକ ଦିଗନ୍ତ ଉଦୟ ହେଲା, ଭାରତ ହେଲା ସ୍ୱାଧୀନ।
ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ତ୍ରିରଙ୍ଗା ଯେଭଳି ମୁକ୍ତ ଭାବରେ ଫରଫର ହୋଇ ଉଡୁଥିଲା, ସେଥିରେ କେବଳ ଏକ ଜାତିର ରାଜନୈତିକ ମୁକ୍ତି ନ ଥିଲା, ଥିଲା ଅଗଣିତ ଦେଶପ୍ରେମୀ ଭାରତୀୟଙ୍କ ଆଶା ଓ ବିଶ୍ୱାସର ମହକ।
ଆଜି ଆମେ ଉପନୀତ ବର୍ଷ ୨୦୨୫ରେ। ସ୍ୱାଧୀନତାର ୭୯ ବର୍ଷ।
ମନରେ ପ୍ରଶ୍ନ ଉଠେ, ଏହି ୭୯ ବର୍ଷରେ ଆମେ କେତେ ଦୂର ଆସିଲୁ? କେଉଁ ସ୍ୱପ୍ନଗୁଡ଼ିକ ସାର୍ଥକ ହେଲା? କେଉଁଗୁଡ଼ିକ ଆଜି ବି ଅସମ୍ପୂର୍ଣ୍ଣ? ଏବଂ ଆଗାମୀ ୨୧ ବର୍ଷରେ ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତୀ (୨୦୪୭) ପର୍ଯ୍ୟନ୍ତ ଆମର ଯାତ୍ରା କେମିତି ହେବା ଉଚିତ?
ପାଇଥିବା ସ୍ଵାଧୀନତାର ସଫଳତା ଯାହା ବିଶ୍ୱର ସର୍ବ ବୃହତ ଲୋକତନ୍ତ୍ରର ବିକାଶଗାଥା। ସ୍ୱାଧୀନତାରେ ଆମେ ଲୋକତନ୍ତ୍ରର ସୁଗନ୍ଧ ପାଇଲୁ।
ଭାରତୀୟ ସାମ୍ବିଧାନ ୧୯୫୦ ମସିହାରୁ ନାଗରିକଙ୍କୁ ଦେଇଛି ଭୋଟଦାନର ସ୍ଵତନ୍ତ୍ର ଅଧିକାର ଓ ସମାନତା, ସାମ୍ବିଧାନିକ ଅଧିକାର, ମତପ୍ରକାଶର ସ୍ୱାଧୀନତା। ଏଇ ୭୮ ବର୍ଷ ଭିତରେ ଶିକ୍ଷାର ବିସ୍ତାର, ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି, କୃଷି ଓ ଶିଳ୍ପରେ ସ୍ୱାବଲମ୍ବନ ସବୁଠି ନିଜର ଅସ୍ତିତ୍ୱର ଚିହ୍ନ ପକାଇଛୁ ଏବଂ ବିଶ୍ୱମଞ୍ଚରେ ନିଜର ଶକ୍ତିଶାଳୀ ସ୍ଥାନ ସ୍ଥାପନ କରିଛୁ।
୨୦୨୪ ର ଲୋକସଭା ନିର୍ବାଚନରେ ୯୬ କୋଟିରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ। ଏହା ଥିଲା ବିଶ୍ୱରେ ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟା।
ଆମେ ଚନ୍ଦ୍ରଯାନ ଓ ମଙ୍ଗଳଯାନରୁ ନେଇ ୫-ଜି ପ୍ରଯୁକ୍ତି ପର୍ଯ୍ୟନ୍ତ ପହଞ୍ଚିଛୁ।
କ୍ରୀଡ଼ା, ସଂସ୍କୃତି, ଓ କଳାରେ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛୁ।
ଆର୍ଥିକ ପ୍ରଗତିର ଦୀର୍ଘ ଯାତ୍ରା:- ୧୯୪୭ରେ ଭାରତର ଜିଡିପି ୩୩୦୦ କୋଟି ଡଲାର ଥିବା ବେଳେ ୨୦୨୪ରେ ୪ ଲକ୍ଷ କୋଟି ଡଲାରରେ ପହଞ୍ଚିଛି।
୨୦୨୫ରେ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ଅର୍ଥନୀତିରେ ଅବସ୍ଥିତ ହୋଇ ତାର ଦ୍ରୁତ ବିକାଶ, ପ୍ରଯୁକ୍ତିଗତ ଅଗ୍ରଗତି ଓ ବିଶ୍ୱମଞ୍ଚରେ ପ୍ରଭାବଶାଳୀ ଭୂମିକାରେ ନିଜ ସ୍ଥାନ ସୁଦୃଢ଼ କରିଛି।
୧୯୬୫ରେ ସବୁଜ ବିପ୍ଲବ (ଗ୍ରୀନ ରିଭୋଲ୍ୟୁସନ), ୧୯୭୦ରେ ଶ୍ୱେତ ବିପ୍ଲବ (White revolution), ୧୯୯୧ରେ ଉଦାରୀକରଣର, ଘରୋଇକରଣ ଓ ଜଗତୀକରଣ (LPG- Liberalization, Privatization and Globalization) ପରି ପରିବର୍ତ୍ତନ ଦ୍ୱାରା ଆର୍ଥିକ ବିସ୍ତାରରେ ନିର୍ଣ୍ଣାୟକ ମୋଡ଼ ଆସିଛି।
୨୦୧୪ ପରେ ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଯୋଜନା ଭିତ୍ତିକ ଆଧୁନିକୀକରଣ କ୍ଷେତ୍ରରେ ୧.୨୫ କୋଟିରୁ ଅଧିକ ଷ୍ଟାର୍ଟ-ଅପ୍ ଏବଂ ଶତାଧିକ ୟୁନିକର୍ଣ୍ଣ ପ୍ରତିଷ୍ଠା ହୋଇଛି।
ସେହିପରି ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଅନେକ ପ୍ରଗତି ହାସଲ ହୋଇଛି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO) ଦ୍ୱାରା ଚନ୍ଦ୍ରଯାନ- ୩ ଓ ଆଦିତ୍ୟ L1 ସୂର୍ଯ୍ୟ ମିଶନ ସଫଳ ହୋଇଛି। 5-G ସେବା, ସ୍ୱଦେଶୀ AI, ଗ୍ରୀନ ହାଇଡ୍ରୋଜେନର ପ୍ରୟୋଗ ଦ୍ଵାରା ଆତ୍ମନିର୍ଭର ଭାରତ ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଛି।
ସାମାଜିକ ସଫଳତା କ୍ଷେତ୍ରକୁ ଅନୁଧ୍ୟାନ କଲେ, ୧୯୫୧ରେ ସାକ୍ଷରତା ହାର ୧୮%ରୁ ୨୦୨୪ରେ ୭୭%କୁ ବୃଦ୍ଧି ପାଇଛି।
‘ନାରୀ ଶକ୍ତି ବନ୍ଦନ ଅଭିଯାନ ୨୦୨୩’ ପରେ ସଂସଦରେ ମହିଳା ପ୍ରତିନିଧିତ୍ୱରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଇତ୍ୟାଦି କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ନିଶ୍ଚିତ ଭାବରେ ହୋଇଛି।
କ’ଣ ହଜେଇଲୁ?
ସ୍ୱାଧୀନତା କେବଳ କିଛି ଅଧିକାରରେ ସୀମିତ ନୁହେଁ। ୭୯ ବର୍ଷ ପରେ ମଧ୍ୟ ଦାରିଦ୍ର୍ୟ, ଅଶିକ୍ଷା, ବେକାରି, ଦୁର୍ନୀତି, ସାମାଜିକ ବିଷମତା, ବର୍ଣ୍ଣବୈଷମ୍ୟ, ନାରୀ ଓ ଶିଶୁ ନିର୍ଯ୍ୟାତନା, ଅରାଜକତା, ସାମ୍ପ୍ରଦାୟିକତା, ଦଙ୍ଗା, ଧର୍ମର ଦ୍ୱାହିରେ ହିଂସା ଏ ସବୁ ଏ ପର୍ଯ୍ୟନ୍ତ ସମାଜରୁ ସମୂଳେ ନାଶ ହୋଇନାହିଁ ବରଂ ବଢ଼ିବାରେ ଲାଗିଛି।
ପୁରୁଷକେନ୍ଦ୍ରିକ ବିଚାର ଧାରା, ଅପରିପକ୍ୱ ମାନସିକତା, ଅନ୍ଧବିଶ୍ୱାସ ଓ କୁସଂସ୍କାରର ଶୃଙ୍ଖଳରୁ ଆମେ ଏ ପର୍ଯ୍ୟନ୍ତ ମୁକ୍ତ ହୋଇ ପାରିନାହୁଁ।
ଆମର ଅନେକ ଗ୍ରାମୀଣ ଅଞ୍ଚଳ ଏବେ ମଧ୍ୟ ପ୍ରାଥମିକ ସୁବିଧା ତଥା ମୌଳିକ ଆବଶ୍ୟକତାରୁ ବଞ୍ଚିତ।
ପ୍ରକୃତି ଓ ପରିବେଶ ବିପଦଗ୍ରସ୍ତ। ସାହିତ୍ୟ ଓ ସଂସ୍କୃତି ପାଶ୍ଚାତ୍ୟକୁ ଅନୁକରଣ କରି ନିଜର ସତ୍ତା ହରାଇ ବସିଛି। ଆମେ ଆମର ଚିନ୍ତା, ଚେତନା ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା ନ କରି ପରି ସମଗ୍ର ମାନବୀୟ ଆଚରଣ ଉଚ୍ଚାରଣକୁ କଳୁଷିତ କରିବାରେ ଲିପ୍ତ।
ସ୍ଵାଧୀନତା ପାଇବାରେ ଯେଉଁ ଏକତାର ଶକ୍ତି ଥିଲା ସେହି ଏକତା ଏବେ ବିଭାଜନର ଛାୟାରେ ଧ୍ୱସ୍ତବିଧ୍ୱସ୍ତ।
୨୦୨୪ ରିପୋର୍ଟ ଅନୁଯାୟୀ ୧୬ କୋଟିରୁ ଅଧିକ ଲୋକ ଦିନକୁ ମୁଣ୍ଡ ପିଛା ଆୟ ମାତ୍ର ୧୮୮ ଟଙ୍କା ଅଟେ। ଦେଶରେ ବେକାର ଓ ବେରୋଜଗାରିଆ ଯୁବକଙ୍କ ସଂଖ୍ୟା ଜନସଂଖ୍ୟାର ଶତକଡ଼ା ୨୩ ପ୍ରତିଶତ ଅଟେ।
ସାକ୍ଷରତା ବଢ଼ିଥିଲେ ବି ଆନୁଆଲ୍ ଷ୍ଟାଟସ୍ ଏଜୁକେଶନ ରିପୋର୍ଟ (ASER) ୨୦୨୪ ଅନୁସାରେ ଗ୍ରାମୀଣ ଅଞ୍ଚଳର ପଞ୍ଚମ ଶ୍ରେଣୀର ୫୦% ଶିଶୁ ଦ୍ଵିତୀୟ ଶ୍ରେଣୀର ପାଠ ପଢ଼ି ପାରୁନାହାନ୍ତି। ଏଥିରୁ ଶିକ୍ଷାର ଗୁଣାତ୍ମକ ମାନ ସମ୍ପର୍କରେ ଅନୁମାନ ଲଗା ଯାଇପାରେ।
ବାର୍ଷିକ ବଜେଟରେ ଜିଡିପିର ମାତ୍ର ୨.୧ % ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟ ବରାଦ ହେଉଛି। ଫଳତଃ ଅନୁନ୍ନତ ଗ୍ରାମାଞ୍ଚଳରେ ପ୍ରାୟ ୧୫,୦୦୦ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଦାୟିତ୍ୱରେ ଜଣେ ମାତ୍ର ଡାକ୍ତର ନିୟୋଜିତ ହୋଇଥାନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଔଷଧ ଓ ଆବଶ୍ୟକୀୟ ଯନ୍ତ୍ରପାତି ଓ ସୁବିଧାର ଘୋର ଅଭାବ। ସ୍ୱାସ୍ଥ୍ୟ ସେବାରେ ଏପରି ବିଷମତା ଅତ୍ୟନ୍ତ ଚିନ୍ତାଜନକ।
ସାମ୍ପ୍ରଦାୟିକ ହିଂସା, ଧର୍ମାନ୍ଧତା ଦେଶର ସାମୂହିକ ଏକତାକୁ ଏକ ଆହ୍ୱାନ ହେବା ସହିତ ଭୟଙ୍କର ସାମାଜିକ ଓ ପରିବେଶୀୟ ସଙ୍କଟର ମୁଖ୍ୟ କାରଣ ହେଉଛି।
୨୦୨୩ର ଗ୍ଲୋବାଲ କ୍ଲାଇମେଟ ରିସ୍କ୍ ଇଣ୍ଡେକ୍ସ (Global Climate Risk Index) ସବୁଠୁ ବିପଦଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ ସପ୍ତମରେ ବୋଲି ଦର୍ଶାଇଛି।
ତୁଳନାତ୍ମକ ଭାବରେ ଚିନ୍ତା କଲେ ଆଜି ଆମେ ଚନ୍ଦ୍ରରେ ପହଞ୍ଚିଛୁ, କିନ୍ତୁ ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟ ଜଳର ଉତ୍କଟ ଅଭାବ। ୟୁନିକର୍ଣ୍ଣ ଷ୍ଟାର୍ଟ ଅପର(Unicorn start-ups) ପ୍ରତିଷ୍ଠାରେ ପ୍ରଶଂସାରେ ପୋତି ହୋଇ ଯାଉଥିବା ବେଳେ ଲକ୍ଷ ଲକ୍ଷ ଯୁବକ ଯୁବତୀ ବେକାର ବସିଛନ୍ତି। ଜି-୨୦ (G-20)ର ଅଧ୍ୟକ୍ଷତା କରୁଥିବା ବେଳେ ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧର ଘୋର ଅଭାବ।
ଏହି ପରିସ୍ଥିତିରେ ୭୯ ବର୍ଷର ସ୍ଵାଧୀନତାକୁ ଉତ୍ତର ଦେବାକୁ ହେଲେ କେବଳ ସରକାରୀ ଯୋଜନା ନୁହେଁ, ନାଗରିକର ସଚେତନତା, ସମାଜିକ ସହଯୋଗ ଓ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀକୁ ମଧ୍ୟ ବିଚାରକୁ ନିଆଯିବା ଆବଶ୍ୟକ।
ଏହି ପରିପ୍ରେକ୍ଷୀରେ ୨୦୪୭ ପାଇଁ ଆମର ଲକ୍ଷ୍ୟ ସ୍ଥିର ଓ ନିର୍ଦ୍ଦିଷ୍ଟ ହେବା ଉଚିତ।
ଯେପରି କି ସମାନ ଅର୍ଥନୀତି:- ଜିଡିପି ୧୦ ଲକ୍ଷ କୋଟି ଡଲାର ସହିତ ଆୟ ବିଷମତା (Gini Index) ୩୦ରୁ କମ ହେଇ ପାରିବ।
ବେକାର ଯୁବକ ଯୁବତୀଙ୍କୁ ଶତ ପ୍ରତିଶତ ନିଯୁକ୍ତି ବା ରୋଜଗାରର ସୁଯୋଗ।
୧୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପାଇଁ ନିଃଶୁଳ୍କ ଓ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାର ସୁବିଧା, ଦକ୍ଷତା ଭିତ୍ତିକ ଶିକ୍ଷା ଏଆଇ (AI), ରୋବୋଟିକ ଓ ଗ୍ରୀନ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ବିଶ୍ୱ ସ୍ତରୀୟ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଉଦ୍ୟମ ହେବା ଉଚିତ।
ଜିଡିପିର ଅନୁନ୍ୟ ୫% ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ବରାଦ। ୧୦୦% ଶୁଦ୍ଧ ପାନୀୟ ପାଣି ଯୋଗାଣର ବ୍ୟବସ୍ଥା ସାଙ୍ଗକୁ ପରିବେଶର ସୁରକ୍ଷା ଇତ୍ୟାଦିକୁ ପ୍ରାଧାନ୍ୟ ଦେଇ ନେଟ୍ ଜିରୋ ୨୦୨୭ (Net Zero 2070)କୁ ଧ୍ୟାନରେ ରଖି ଗୁରୁତ୍ଵର ସହ ଆଗେଇବାର ଆବଶ୍ୟକତା ରହିଛି।
ଆମକୁ ଦେଶର ପ୍ରତ୍ୟେକ କୋଣରେ ଶିକ୍ଷା, ସ୍ୱାସ୍ଥ୍ୟ, ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାକୁ ପଡ଼ିବ।
ସମାନ ଅଧିକାର ଓ ସୁସ୍ଥ ସୁରକ୍ଷିତ ସାମାଜିକ ପରିବେଶ ଆମ ସମସ୍ତଙ୍କ ମୌଳିକ ଅଧିକାର।
ସମ୍ପ୍ରାଦାୟିକ ଏକତା, ଲିଙ୍ଗଗତ ସମାନତା ଓ ସାମ୍ବିଧାନିକ ମୂଲ୍ୟର ପ୍ରତିପାଳନ ପରି ସାମାଜିକ ଅଙ୍ଗୀକାର ବଦ୍ଧତାକୁ ଆପଣାଇବାକୁ ପଡ଼ିବ।
ଶକ୍ତିଶାଳୀ ଲୋକତନ୍ତ୍ରରେ ନାଗରିକର ସଚେତନ ଭୂମିକା ସମ୍ପର୍କରେ ଅବଗତ ହେବା। ୭୯ ବର୍ଷର ଯାତ୍ରା ଆମକୁ ଶିଖାଇଛି ସ୍ୱାଧୀନତାର ରକ୍ଷା କେବଳ ସେନାବଳରେ ନୁହେଁ, ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ଵବୋଧ ମଧ୍ୟରେ ନିହିତ।
ସ୍ୱାଧୀନତାର ବାସ୍ତବ ଅର୍ଥ କେବଳ ‘ବ୍ରିଟିଶ ଶାସନରୁ ମୁକ୍ତି’ ନୁହେଁ।
ପରାଧୀନତାରୁ ମୁକ୍ତିର ପ୍ରଥମ ପଦକ୍ଷେପ ହେଲା ଦାରିଦ୍ର୍ୟ, ଅନ୍ୟାୟ, ଅସମାନତା ଓ ଅସହିଷ୍ଣୁତାରୁ ମୁକ୍ତି ହେବା। ଏହା ହିଁ ସ୍ଵାଧୀନ ଭାରତର ପ୍ରକୃତ ଲକ୍ଷ୍ୟ।
୨୦୪୭ରେ ଯେବେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବୁ ସେଥିବେଳେ ଏହି ପ୍ରଶ୍ନର ଉତ୍ତରକୁ ଆମେ ସଗର୍ବରେ ମୁଣ୍ଡ ଟେକି କହି ପାରିବା:-
‘ହଁ, ଏକ ସୁସ୍ଥ, ସୁରକ୍ଷିତ, ଏକତା ଓ ସମାନତାର ସ୍ୱାଧୀନ ଭାରତ ଆମର।’
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1755165964.jpg)