Advertisment

ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରହସନରେ ପରିଣତ ନହେଉ!

ଓଡ଼ିଶା ଭାଷା ଭିତ୍ତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗୋଟିଏ ବଡ଼ ଉଦ୍ୟମ ଆରମ୍ଭ ହେଲା। ରାଜ୍ୟରେ ଛତୁ ଫୁଟିଲା ଭଳି ବିଶ୍ୱବିଦ୍ୟାଳୟମାନ ବିଛାଡ଼ି ହୋଇ ରହିଛି। ଓଡ଼ିଆ ସଂସ୍କୃତି ବିଶ୍ୱବିଦ୍ୟାଳୟଟିଏ ମଧ୍ୟ କିଛି ବର୍ଷ ହେବ କାର୍ଯ୍ୟକରି ଆସୁଅଛି। ତଥାପି ଏପରି ଏକ ବିଶ୍ୱବିଦ୍ୟାଳୟର ଆବଶ୍ୟକତା କ’ଣ ପାଇଁ ବା କାହିଁକି ଦରକାର ପଡ଼ିଲା? ସେମିତି କ’ଣ ଚଳି ଯାଉ ନଥିଲା!

author-image
Debendra Prusty
ଅଦ୍ୟତନ ହୋଇଛି
Odia University

Odia University

ଓଡ଼ିଶା ଭାଷା ଭିତ୍ତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗୋଟିଏ ବଡ଼ ଉଦ୍ୟମ ଆରମ୍ଭ ହେଲା। ରାଜ୍ୟରେ ଛତୁ ଫୁଟିଲା ଭଳି ବିଶ୍ୱବିଦ୍ୟାଳୟମାନ ବିଛାଡ଼ି ହୋଇ ରହିଛି। ଓଡ଼ିଆ ସଂସ୍କୃତି ବିଶ୍ୱବିଦ୍ୟାଳୟଟିଏ ମଧ୍ୟ କିଛି ବର୍ଷ ହେବ କାର୍ଯ୍ୟକରି ଆସୁଅଛି। ତଥାପି ଏପରି ଏକ ବିଶ୍ୱବିଦ୍ୟାଳୟର ଆବଶ୍ୟକତା କ’ଣ ପାଇଁ ବା କାହିଁକି ଦରକାର ପଡ଼ିଲା? ସେମିତି କ’ଣ ଚଳି ଯାଉ ନଥିଲା! ଅନେକ କଥା ଆମେ ଚଳେଇ ଦେଉଛେ। ରାଜ୍ୟର ମୁଖ୍ୟମନ୍ତ୍ରୀ ୩୦ ବର୍ଷ ହେବ ରାଜ୍ୟ ରାଜନୀତିରେ ଥାଇ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଲେଖିବା ଦୂରେଥାଉ କହିବା ମଧ୍ୟ ଶିଖି ନାହାନ୍ତି। ତଥାପି ସେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ଦୀର୍ଘଦିନର ଶାସକ ଭାବେ ପରିଚୟ ସୃଷ୍ଟି କରିଛନ୍ତି।

Advertisment

ଏହା ସତ୍ୟ ଯେ ଭାଷାକୁ ନେଇ ଆମ ଭୂମିର ପରିଚୟ। ଭାଷା ଓଡ଼ିଆ, ରାଜ୍ୟ ଓଡ଼ିଶା। ଆମ ଭାଷା ହେଉଛି ଆମର ଜାତୀୟତା। ଆମେ ଜାତୀୟତା ବୋଇଲେ ‘ଧର୍ମଭିତ୍ତିକ’ ବିଚାର କରି ନଥାଉ। ଭାଷା ଭିତ୍ତିରେ ବିଚାର କରିଥାଉ। ଏହି ଭାଷା ଜାତୀୟତା ଭିତ୍ତିରେ ଆମେ ପ୍ରଥମେ ଆନ୍ଦୋଳନ କଲୁ। କବି କବିତା ଲେଖି ମୁର୍ଖ, ପଣ୍ଡିତ ସମସ୍ତଙ୍କୁ ଜାଗ୍ରତ କଲେ। ମାତୃଭୂମିର ପରିଚୟ ମାତୃଭାଷାକୁ ନେଇ ବୋଲି ବୁଝାଇଲେ। ଭାଷା ବୋଲି ଯାହା ଯେତେଦୂର ଥିଲା ସେହି ଭୂଖଣ୍ଡକୁ ଏକାଠି କରିବାର ସଂକଳ୍ପ ନେଲେ। ଆଗ ମାଟି ପାଇଁ ସଂଗ୍ରାମ, ପରେ ଯାଇ ଦେଶର ମୁକ୍ତି ପାଇଁ ସଂଗ୍ରାମ ବୋଲି ସମସ୍ତଙ୍କ ମନକୁ ଛୁଆଁଇଲେ। ତାହା ହିଁ ହେଲା। ମାଟିର ଟେକ ରହିଲା। ଗୋଟିଏ ଭୂଖଣ୍ଡ ଭାଷା ଭିତ୍ତିରେ ଚିହ୍ନିତ ହେଲା। ସେହି ଭୂଖଣ୍ଡରେ ଆମେ ରାଜା, ପ୍ରଜା, ଅଫିସର, କମିଶନର, ସାହିତ୍ୟିକ, କବି, ପ୍ରଫେସର ଏମିତି କ’ଣ କେତେ ହେଲୁ।

କିନ୍ତୁ ଆମେ ମାଟିର ମମତା ଭୁଲିଗଲୁ ଆଉ ମାତୃଭାଷାର ମାଧୁର୍ଯ୍ୟ ଉପଲବ୍ଧ ହେଲା ନାହିଁ। କିଛି ଲୋକ ଭାଷାକୁ ବଞ୍ଚାଇବା ନାମରେ ଭାଷା ପାଇଁ ଆନ୍ଦୋଳନ ଚାଲୁକଲେ। ହେଲେ ସେମାନଙ୍କ ଘରକୁ ଗଲେ ଗୋଟିଏ ଅଦ୍‍ଭୁତ ସ୍ଥିତି ଦେଖିବାକୁ ମିଳିଥାଏ। ପିଲାମାନେ ଇଂରେଜୀ ମାଧ୍ୟମରେ ପାଠ ପଢ଼ୁଛନ୍ତି। ଓଡ଼ିଆ ସ୍କୁଲ ବୋଲି ଯାହା ପରିଚିତ ତା’ର ଶିକ୍ଷକ ହୁଅନ୍ତୁ ଅବା କଲେଜର ଅଧ୍ୟାପକ ଅଧ୍ୟାପିକାମାନଙ୍କର ଯୁକ୍ତି ହେଲା ପିଲାଏ ଇଂରାଜୀ ମାଧ୍ୟମରେ ପଢ଼ିଲେ ବିଦେଶରେ ଚାକିରି କରିବା ସୁବିଧା ହେବ। ଏ ରାଜ୍ୟ ତେବେ କ’ଣ ମୁର୍ଖମାନଙ୍କର ଲୀଳାଖେଳାର ସ୍ଥଳି ହୋଇ ରହିବ? ପ୍ରଶ୍ନ ଉଠେ ତେବେ କ’ଣ ଆମର ଜୀବନ ଜୀବିକା ପାଇଁ ଓଡ଼ିଆରେ ପାଠ ପଢ଼ିବା ନିରର୍ଥକ? ଇଂଜିନିୟର, ଡାକ୍ତର, ପ୍ରଫେସର ଏପରିକି ବଡ଼ ଅଫିସର ହେବାକୁ ହେଲେ ଓଡ଼ିଆ ମାଧ୍ୟମ ନୁହେଁ ଇଂରେଜୀ ମାଧ୍ୟମରେ ପଢ଼ିବାକୁ ହେବ। ସେସବୁ ଦେଖି ଦେଖି ଯେଉଁମାନଙ୍କ ମନ ବିଚଳିତ ହେଲା ସେମାନେ ନିଶ୍ଚୟ ଭାବିଲେ ଯେ ଓଡ଼ିଆ ଭାଷାକୁ ଜୀବନ ଜୀବିକାର ଭାଷା କରି ନ ଗଢ଼ିଲେ ଭାଷା ଆନ୍ଦୋଳନ ପ୍ରହସନରେ ପରିଣତ ହେବ।

Advertisment

ମନରେ ଅବଶ୍ୟ ଦ୍ୱନ୍ଦ୍ୱ। ତେବେ କ’ଣ ଆମ ରାଜ୍ୟରୁ ବାହାରୁଥିବା ସମସ୍ତ ଡକ୍ଟର, ଇଂଜିନିୟର, ନେତା, ମନ୍ତ୍ରୀ ଆଉ ସେମାନଙ୍କ ଅଧ୍ୟସ୍ତନରେ ବିଭିନ୍ନ ଭାରତୀୟ ପଦପଦବୀରେ ଭୂଷିତ କାର୍ଯ୍ୟନିର୍ବାହୀମାନେ ସମସ୍ତେ ଇଂରେଜୀ ମାଧ୍ୟମରେ ପାଠ ପଢ଼ିଥିଲେ? ଏତେ ଉପରକୁ ଉଠିଲେ କେମିତି? ଆମ ‘ଧରମା’ କୋଣାର୍କର ମୁଣ୍ଡି ମାରିଲାବେଳେ କେଉଁ ବଡ଼ ଇଂଜିନିୟରିଂ କଲେଜରେ ପାଠପଢ଼ି ଉତ୍ତୀର୍ଣ୍ଣ ହୋଇଥିଲା। ଆମର ଦୁଇଟା ରୂପ। ଗୋଟିଏ ଘରେ, ଗୋଟିଏ ବାହାରେ। ଗୋଟିଏ କଥା କହିଲାବେଳେ ବା ଭାଷଣ ଦେବାବେଳେ ଆଉ ଗୋଟିଏ କାମ କଲାବେଳେ। କାମ କଥାର ଆଦୌ ମେଳ ନାହିଁ। ତାରି ଭିତରେ ଆମେ ଯେଉଁମାନେ ଭାଷା ପ୍ରେମୀ ବୋଲି ବାହାରେ ଡିଣ୍ଡିମ ପିଟୁଛୁ ଏବଂ ନିଜକୁ ବିଜ୍ଞାପିତ କରୁଛୁ ସେହି ସମସ୍ତେ ନିଜ ପିଲାଙ୍କୁ ଇଂରେଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ାଇ ଗର୍ବ ମଧ୍ୟ କରୁଛୁ। ଏହି ଘରର ସଂସ୍କୃତିରେ ଓଡ଼ିଆତ୍ୱ କ୍ରମେ ଲୋପ ପାଇବାରେ ଲାଗିଛି। ଘରର ପର୍ବପର୍ବାଣି ଖତମ ହୋଇଛି। ରାଖି ବନ୍ଧନ ଉତ୍ସବ, ନବ ବର୍ଷର ଉତ୍ସବ, ଜନ୍ମଦିନରେ ଚକୁଳି ପୀଠା ପରିବର୍ତ୍ତେ କେକ୍‍ କାଟିବା ଆଉ ‘ହାପି ବାର୍ଥ ଡେ’ କହି ନାଚୁଛୁ।

ଏପରି ଏକ ସ୍ଥିତିରେ ଓଡ଼ିଆ ଭାଷାରେ ଏକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାର ଉଦ୍ୟମ ଆରମ୍ଭ ହେଲା। ଉଦ୍ଦେଶ୍ୟ ଥିଲା ଏହି ବିଶ୍ୱବିଦ୍ୟାଳୟରେ ମୁଳରୁ ଚୂଳ ଯାଏଁ ଓଡ଼ିଆରେ ପଢ଼ା ହେବ, ଯେପରିକି ସମସ୍ତ ଜୀବିକା ନିର୍ବାହକାରୀ ବ୍ୟବସ୍ଥା ପାଇଁ ଉପଯୁକ୍ତ ଶିକ୍ଷା ପାଇବେ। ଡାକ୍ତରୀ ବିଦ୍ୟା, ଉଚ୍ଚ ସ୍ତରରେ ଗବେଷଣା ସ୍ତରରେ ଅନ୍ୟ ଭାଷାର ସାହାଯ୍ୟ ନେଉ, ହେଲେ ଡାକ୍ତର ବା ଫାର୍ମାସିଷ୍ଟ୍‍ ବା ନର୍ସଟିଏ ତା’ର ରୋଗୀ ସହିତ ପ୍ରାଞ୍ଜଳ ଓଡ଼ିଆରେ କଥା କହିବା ଶିଖୁ। ଫଳରେ ରୋଗୀ ସହିତ ଆତ୍ମୀୟତା ବଢ଼ିବ। ସେହିପରି ଡିପ୍ଲୋମାଧାରୀ ବା ଡିଗ୍ରୀଧାରୀ ଇଂଜିନିୟରମାନେ ଓଡ଼ିଆରେ ସମସ୍ତଙ୍କ ସହିତ କଥା ହୁଅନ୍ତୁ। ଅଣ ଓଡ଼ିଆ ଅଫିସରମାନେ ବର୍ତ୍ତମାନ ୭ମ ଶ୍ରେଣୀ ପାସ୍‍ ସାର୍ଟିଫିକେଟ୍‍ ଧାରୀ ନ ହୋଇ ଯୁକ୍ତଦୁଇ ପର୍ଯ୍ୟନ୍ତ ଶିକ୍ଷାଲାଭ କରନ୍ତୁ। ଜୀବିକାକୁ ପ୍ରାଧାନ୍ୟ ଦେଇ ଓଡ଼ିଆ ଭାଷାରେ ପ୍ରଥମରୁ ଉଚ୍ଚତର ଶିକ୍ଷା ପ୍ରାପ୍ତୀ ପାଇଁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ଅନୁଭବ ହେବାରୁ ଥୋକେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ କଲେଜ ସ୍ତରର ପୁସ୍ତକକୁ ଓଡ଼ିଆକୁ ରୂପାନ୍ତରିତ କରି ଶିକ୍ଷା ଦେବା, ସବୁ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଭାଷାକୁ ପ୍ରଶ୍ନ ଓ ଉତ୍ତର ଦେବା ଆଦି ପାଇଁ ଲଢ଼େଇ ହେଲା।

ଗତ ନିର୍ବାଚନ ପୂର୍ବରୁ (୨୦୧୯) ପ୍ରାୟ ସବୁ ମୁଖ୍ୟ ରାଜନୈତିକ ଦଳ ନିଜ ନିଜ ଇସ୍ତାହାରରେ ବୁଝନ୍ତୁ, ନ ବୁଝନ୍ତୁ ଓଡ଼ିଆଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଲେ। ସରକାରୀ ଦଳ ଏହା କାର୍ଯ୍ୟକାରୀ କରିବାର କଥା। ଜାତୀୟ ଆନ୍ଦୋଳନ ବେଳର ସତ୍ୟବାଦୀ ବନ ବିଦ୍ୟାଳୟକୁ ଚିହ୍ନଟ କରି ଏହି ବିଶ୍ୱବିଦ୍ୟାଳୟର ରୂପରେଖ ଘୋଷିତ ହେଲା।

ଲୋକଙ୍କୁ ଭାଷା ପ୍ରୀତି ଦେଖେଇ ହେବା ପାଇଁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର କାହାଣୀ ଶୁଣାଇ ଦିଆଗଲା। କେବଳ ସେତିକି ନୁହେଁ, କିଛି ଉଚ୍ଚଶିକ୍ଷା ପୁସ୍ତକ ଓଡ଼ିଆରେ ଭାଷାନ୍ତର ହୋଇ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକାର୍ପିତ ହେଲା। ଦେଖିବାର କଥା ସେହି ସବୁ ପାଠ୍ୟ ପୁସ୍ତକ ପ୍ରତି କେତେ ସଂଖ୍ୟାର ଛାତ୍ରଛାତ୍ରୀ ଆକୃଷ୍ଟ ହେଉଛନ୍ତି। ଅଧିକନ୍ତୁ ସେହି ଓଡ଼ିଆ ବିଶ୍ୱବିଦ୍ୟାଳୟରେ କେଉଁ କେଉଁ ବିଷୟରେ ପାଠ ପଢ଼ାଯାଉଛି? ଛାତ୍ରଛାତ୍ରୀଙ୍କର ଆଗ୍ରହ କେତେ? ଅଧିକନ୍ତୁ ଯେଉଁସବୁ ସର୍ବଭାରତୀୟ ସେବାରେ ହେଉଥିବା ଓଡ଼ିଆ ଭାଷାର ପରୀକ୍ଷା (ପ୍ରଶ୍ନ-ଉତ୍ତର) କେତେ ଜଣ ଛାତ୍ରଛାତ୍ରୀ ଦେବାର ଦେଖାଯାଉଛି?

ସବୁଠାରୁ ବଡ଼ ଆବଶ୍ୟକତା ଅଭିଭାବକଙ୍କ ମନରେ ପରିବର୍ତ୍ତନ। ସେମାନେ ଏହିସବୁ ଓଡ଼ିଆ ମାଧ୍ୟମରେ ଉଚ୍ଚଶିକ୍ଷା ନିମନ୍ତେ ମାନସିକ ପ୍ରସ୍ତୁତି କରିବା ଉଚିତ। ପିଲାଙ୍କର ଆଗ୍ରହ ଓ ପ୍ରସ୍ତୁତ। ଶିକ୍ଷକ ବା ଅଧ୍ୟାପକ, ଅଧ୍ୟାପିକାମାନଙ୍କର ଓଡ଼ିଆ ଭାଷାରେ ଶିକ୍ଷାଦାନ କରିବାର ଉତ୍ତମ କୌଶଳ ଆଦି ଓଡ଼ିଆ ଭାଷା ପ୍ରତି ଆକର୍ଷଣ ସୃଷ୍ଟି କରିବ। ଖାଲି ନାମକୁ ମାତ୍ର ବିଶ୍ୱବିଦ୍ୟାଳୟର ଗୁଡ଼ାଏ ଘର ତିଆରି କରିଦେଲେ ବା କେତେ ଖଣ୍ଡ ବହି ଓଡ଼ିଆ ଭାଷାରେ ଛାପି ବାଣ୍ଟିଦେଲେ ଭାଷାର ଅଗ୍ରଗତି ହେବ ନାହିଁ। ଏହାକୁ ପିଲାଏ ଅଧ୍ୟୟନ କରିବା ପରିସ୍ଥିତିଟିଏ ସୃଷ୍ଟି ହେବା ଦରକାର। ଅଧ୍ୟାପକ, ଅଧ୍ୟାପିକାମାନଙ୍କର ପ୍ରସ୍ତୁତି ଦରକାର ଓ ଅଭିଭାବକ ମାନଙ୍କର ମାନସିକ ଦୃଢ଼ତା ଦରକାର।

ଭାଷଣର ଅନ୍ତ ନାହିଁ, ମାତ୍ର ଭାବ ନାହିଁ। ନିଜକୁ ବିଜ୍ଞାପିତ କରିବା ବା ନିଜର ଅଣ ଓଡ଼ିଆ ଭାବକୁ ଚପାଇ ରଖିବାର ଉଦ୍ୟମ କଲେ ଓଡ଼ିଆ ଭାଷା ରସାତଳଗାମୀ ହେବ। କେବଳ ଅତୀତର ଗୁଣକୀର୍ତ୍ତନ, ଭାଷାର ମହତ୍ତ୍ୱ ବଖାଣିବା ଅବା ନିଜକୁ ବାରମ୍ବାର ବିଜ୍ଞାପିତ କରିବାରେ ଓଡ଼ିଆତ୍ୱ ପ୍ରତିପାଦିତ ହେବ ନାହିଁ। ବରଂ ନିରନ୍ତର ନିଷ୍ଠା ଓ ତ୍ୟାଗ ପାଇଁ ସମସ୍ତ ପ୍ରସ୍ତୁତି ହିଁ ଜାତି, ଜାତୀୟତା ଓ ଭାଷାକୁ ଶକ୍ତ ଓ ସମୃଦ୍ଧ ତଥା ଦରକାରୀ କରି ଗଢ଼ି ତୋଳିବ।

ପଞ୍ଚାନନ କାନୁନଗୋ

ଫୋ- ୯୪୩୮୩୬୦୮୪୯

Naveen Patnaik Government Of Odisha Odia Language Odia University