/odisha-reporter/media/post_attachments/uploadimage/library/16_9/16_9_0/IMAGE_1750659164.jpg)
Missiles Destroyed Cities
ରବି ଦାସ
ଇରାନ୍ ଉପରେ ଇସ୍ରାଏଲ୍ର ବିମାନ ଆକ୍ରମଣ ଓ ସେଥିରେ ଇରାନ୍ର ପରମାଣୁ ବୈଜ୍ଞାନିକଙ୍କ ସମେତ ଇରାନ୍ ସୈନ୍ୟବାହିନୀର ମୁଖ୍ୟ କମାଣ୍ଡର୍ମାନଙ୍କୁ ହତ୍ୟା କରାଯିବା ଘଟଣା ସାରା ବିଶ୍ୱରେ ଏକ ନୂଆ ପ୍ରକାର ଆଲୋଡ଼ନ ସୃଷ୍ଟି କରିଛି। ଇସ୍ରାଏଲ୍ ପକ୍ଷରୁ ଏହି ଆକ୍ରମଣର କାରଣ ସମ୍ପର୍କରେ ଯାହା କୁହାଯାଉଛି ତାହା ଆତ୍ମସୁରକ୍ଷା ପାଇଁ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି ସହଜରେ ଗ୍ରହଣ କରିହେବ ନାହିଁ। ଇରାନ୍ ପରମାଣୁ ଅସ୍ତ୍ର ନିର୍ମାଣ ଦିଗରେ ଅଗ୍ରଗତି ହାସଲ କରୁଥିବାରୁ ଇସ୍ରାଏଲ୍ ନିଜର ଅସ୍ତିତ୍ୱ ରକ୍ଷା କରିବା ପାଇଁ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବୟାନ କରିଛି।
ଆନ୍ତର୍ଜାତିକ ଆଇନ୍ ଅନୁସାରେ କେବଳ ଆତ୍ମସୁରକ୍ଷା ପାଇଁ ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ କରିପାରିବ। ଇସ୍ରାଏଲ୍ ଓ ଇରାନ୍ ପାଖାପାଖି ଦେଶ ନୁହେଁ। ଦୁଇ ଦେଶ ଭିତରେ ଦୂରତା ପ୍ରାୟ ୧୫୦୦ରୁ ୨୦୦୦ କି.ମି। ତା’ଛଡ଼ା ଇରାନ୍ ପରମାଣୁ ବିସ୍ତାର ନକରିବା ପାଇଁ ଏନ୍ପିଟିରେ ସ୍ୱାକ୍ଷର କରିଛି। ଅପରପକ୍ଷରେ ଇସ୍ରାଇଲ୍ ଏନ୍ପିଟିରେ ସ୍ୱାକ୍ଷର କରିନାହିଁ। ପରମାଣୁର ଶାନ୍ତିପୂର୍ଣ୍ଣ ବ୍ୟବହାର କରିବା ପାଇଁ ଯେପରି ବିଦ୍ୟୁତ୍ ଉତ୍ପାଦନ ଓ ମେଡ଼ିସିନ୍ ପାଇଁ ପରମାଣୁ ଶକ୍ତିର ବିକାଶ ଘଟାଇବାର ଅଧିକାର ସବୁ ଦେଶର ଅଛି। ଯେହେତୁ ଇରାନ୍ ଏନ୍ପିଟିରେ ସ୍ୱାକ୍ଷର କରିଛି, ସେହେତୁ ଆନ୍ତର୍ଜାତିକ ପରମାଣୁ ଏଜେନ୍ସି ଏହି ଦେଶର ପରମାଣୁ ରିଆକ୍ଟର୍ଗୁଡ଼ିକୁ ଯାଂଚ କରିବା ଅଧିକାର ପାଇଛନ୍ତି। ତଥାପି ଇରାନ୍ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ପାଇଁ ୟୁରାନିୟମ୍ର ଶକ୍ତି ବଢ଼ାଇବା ପାଇଁ ଯେତିକି ଆବଶ୍ୟକ ତାହା ଠାରୁ ଅଧିକ କରିଥିବା ଆନ୍ତର୍ଜାତିକ ଏଜେନ୍ସି ମତ ଦେଇଛି।
ଏହି କାରଣରୁ ଆମେରିକା ପକ୍ଷରୁ ବରାବର ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଉଦ୍ୟମ ଚାଲିଛି। ଏହି କାରଣରୁ ଇରାନ୍ ବିରୋଧରେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରମାନେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହିସବୁ ପ୍ରତିବନ୍ଧକ ଯୋଗୁ ଇରାନ୍ର ଆର୍ଥିକ, ବ୍ୟବସାୟିକ ଓ ବାଣିଜ୍ୟିକ କାରବାର କ୍ଷତିଗ୍ରସ୍ତ ହେବା ଫଳରେ ସେମାନେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ସହିତ କଥାବାର୍ତ୍ତା ଚଳାଇ ରଖିଥିଲେ। ଓବାମା ପ୍ରଶାସନ ଇରାନ୍ ସହିତ ଯେଉଁ ବୁଝାମଣା କରିଥିଲା ତାହାକୁ ଟ୍ରମ୍ପ ପ୍ରଥମ ଥର କ୍ଷମତାକୁ ଆସିବା ପରେ ବାତିଲ୍ କରିଦେଇଥିଲେ। ଆନ୍ତର୍ଜାତିକ ପରମାଣୁ ଏଜେନ୍ସି ମତ ଦେଇଛନ୍ତି ଯେ, ପରମାଣୁ ବୋମା ପ୍ରସ୍ତୁତ କରିବା ପାଇଁ ୟୁରାନିୟମ୍କୁ ଯେପରି ଶକ୍ତିଶାଳୀ କରିବା କଥା ସେ ଲକ୍ଷ୍ୟରେ ଇରାନ୍ ପହଂଚି ନଥିଲେ ମଧ୍ୟ ତାହାର ନିକଟବର୍ତୀ ହୋଇଛି। ଏହି କାରଣରୁ ଟ୍ରମ୍ପ ପ୍ରଶାସନ ଇରାନ୍ ସହିତ ଏକ ରାଜିନାମା କରିବା ପାଇଁ ଇରାନ୍ର ବୈଜ୍ଞାନିକ ଓ ସାମରିକ ଅଫିସର୍ମାନଙ୍କ ସହିତ ଆଲୋଚନା କରୁଥିବା ସମୟରେ ଇସ୍ରାଏଲ୍ ସିଧାସଳଖ ଇରାନ୍ ଉପରେ ବିମାନ ଆକ୍ରମଣ କରି ଏହାର ପରମାଣୁ ବୈଜ୍ଞାନିକମାନଙ୍କ ସହିତ ସେନାବାହିନୀର ଅନେକ ମୁଖ୍ୟଙ୍କୁ ହତ୍ୟା କରିବା ସହିତ ତେହେରାନ୍ରେ ବ୍ୟାପକ କ୍ଷତି କରିବା ପରେ ଦୁଇଦେଶ ଭିତରେ ରିତିମତ ଯୁଦ୍ଧ ଲାଗିଯାଇଛି।
ଇସ୍ରାଇଲ୍ର ସାମରିକ ଶକ୍ତି ଯାହା ପଛରେ ଖୋଦ୍ ଆମେରିକା ରହିଛି, ତାହା ଇରାନ୍ ଠାରୁ ବହୁଗୁଣ ଅଧିକ। ଯଦିଓ ଆକାର ଭାବରେ ଦେଖିଲେ ଲୋକସଂଖ୍ୟା ଓ ଭୌଗୋଳିକ ଅଂଚଳ ଦୃଷ୍ଟିରୁ ଇରାନ୍ ପ୍ରାୟ ଇସ୍ରାଏଲ୍ର ୧୦ ଗୁଣ। ଇସ୍ରାଏଲ୍ର ବ୍ୟାପକ ବିମାନ ଶକ୍ତି ଥିବା ବେଳେ ଇରାନ୍ ପାଖରେ କୌଣସି ଅତ୍ୟାଧୁନିକ ବିମାନ ବାହିନୀ ନାହିଁ। କିନ୍ତୁ ଇସ୍ରାଏଲ୍ର ଆକ୍ରମଣରେ ଡରି ନଯାଇ ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ ଡ୍ରୋନ୍ ଓ ଅତି ଆଧୁନିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ ଆରମ୍ଭ କରିଦେଇଛି। ଇସ୍ରାଏଲ୍ର କ୍ରମାଗତ ବିମାନ ଆକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ସହିତ ତେହେରାନ୍ ଛାଡ଼ି ଲୋକମାନେ ଚାଲିଯିବା ପାଇଁ ସତର୍କବାଣୀ ପ୍ରକାଶ କରିଛି। ଇରାନ୍ର ରାଜଧାନୀ ତେହେରାନ୍ ପ୍ରାୟ ୧ କୋଟି ଜନସଂଖ୍ୟାର ଏକ ସହର। ତେଣୁ ସେଠାରୁ ଲୋକମାନେ ଭୟଭୀତ ହୋଇ ଚାଲିଯିବା ଅତ୍ୟନ୍ତ କଷ୍ଟକର।
ଅପରପକ୍ଷରେ ଇସ୍ରାଏଲ୍ର ବିମାନ ଆକ୍ରମଣ ବଢ଼ିବା ସହିତ ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ ଓ ବିଶେଷ ଭାବରେ ଏହାର ରାଜଧାନୀ ତେଲ୍ ଆଭିବ୍ ଉପରେ ବାଲେଷ୍ଟିକ୍ ଓ ହାଇର୍ପୋସୋନିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଚାଲିଛି। ଇସ୍ରାଏଲ୍ର ଉନ୍ନତ ଏୟାର୍ ଡିଫେନ୍ସ ବ୍ୟବସ୍ଥା ସତ୍ୱେ ହାଇର୍ପୋସୋନିକ୍ ଓ ସମସ୍ତ ବାଲେଷ୍ଟିକ୍ କ୍ଷେପଣାସ୍ତ୍ରଗୁଡ଼ିକୁ ଅଟକାଇବା ସମ୍ଭବ ହେଉନାହିଁ। ଫଳରେ ଇରାନ୍ର ବହୁ ପରିମାଣର କ୍ଷତି ହେଉଥିଲେ ମଧ୍ୟ ଇସ୍ରାଏଲ୍ ମଧ୍ୟ କ୍ଷତି ସହୁଛି। ଅସଲ କଥା ହେଉଛି, ଇରାନ୍ର କ୍ଷେପଣାସ୍ତ୍ରଗୁଡ଼ିକୁ ଅଟକାଇବା ପାଇଁ ଇସ୍ରାଏଲ୍ ଆଇରନ୍ ଡ୍ରୋନ୍, ଡେଭିଡ୍ ପ୍ସିଙ୍ଗ୍, ଆରୋ ସିଷ୍ଟମ୍ ଓ ଆମେରିକା ଦ୍ୱାରା ଯୋଗା ଯାଇଥିବା ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଇରାନ୍ ପକ୍ଷରୁ ପାଖାପାଖି ୪୦୦ରୁ ଉର୍ଦ୍ଧ୍ୱ ବାଲେଷ୍ଟିକ୍ କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ ଶତକଡ଼ା ୯୦ ଭାଗରୁ ଉର୍ଦ୍ଧ୍ୱ ନିଷ୍କ୍ରିୟ କରାଯାଉଥିଲେ ମଧ୍ୟ କେତେକ ଇସ୍ରାଏଲ୍ର କ୍ଷତି କରୁଛି। ଗୋଟିଏ ପକ୍ଷରେ ବିପୁଳ ସାମରିକ ଖର୍ଚ୍ଚ ଓ ଅନ୍ୟପକ୍ଷରେ ଇସ୍ରାଏଲ୍ର ଯେତିକି କ୍ଷତି ହେଉଛି ତାହା ମଧ୍ୟ ସେହି ଦେଶ ପାଇଁ ଆଦୌ ଗ୍ରହଣୀୟ ହେଉନାହିଁ। ଇରାନ୍ରେ ଯେପରି ନେତାମାନେ ବଙ୍କର ଭିତରେ ଅଛନ୍ତି ଠିକ୍ ସେହିପରି ଇସ୍ରାଏଲ୍ରେ ମଧ୍ୟ ଲୋକଙ୍କୁ ବଙ୍କରର ଆଶ୍ରୟ ନେବାକୁ ପଡୁଛି। ଏହିସବୁ ଦିଗକୁ ଓ ଆର୍ଥିକ ଦିଗକୁ ବିଚାର କରି ୱାଲ୍ଷ୍ଟ୍ରିପ୍ ଜର୍ନାଲ୍ରେ ରିପୋର୍ଟ ପ୍ରକାଶ ପାଇଛି ଯେ, ଇସ୍ରାଏଲ୍ ହୁଏତ ଆଉ ୧୦-୧୨ ଦିନ ଯୁଦ୍ଧ ଲଢ଼ିବାକୁ ସକ୍ଷମ ହେବ।
ଏହି ଯୁଦ୍ଧରେ ପୁଣି ଆମେରିକା ସିଧାସଳଖ ପ୍ରବେଶ କରିସାରିଛି। ଆମେରିକାର ଲଢ଼ୁଆ ବିମାନ ଇରାନର ତିନିଟି ଆଣବିକ କେନ୍ଦ୍ର ଉପରେ ବୋମାମାଡ଼ କରିଛି। ଆମେରିକା ଚାହୁଁଛି ଇରାନ୍ ଆତ୍ମସମର୍ପଣ କରି ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାତିଲ୍ କରିବାକୁ ଘୋଷଣା କରୁ। କିନ୍ତୁ ଇରାନ୍ ଏଥିରେ ରାଜି ହୋଇନାହିଁ। ଇରାନ୍ର ପରମାଣୁ ସଂସ୍ଥାର ମୁଖ୍ୟ କେନ୍ଦ୍ରଗୁଡ଼ିକ ମାଟି ତଳେ ଏପରି ଭାବରେ କରାଯାଇଛି ଯେ, ଇସ୍ରାଏଲ୍ର ବିମାନ ଆକ୍ରମଣ ସେଗୁଡ଼ିକର କିଛି କ୍ଷତି କରିପାରିବନାହିଁ। ସେହିପରି ଇସ୍ରାଏଲ୍ର ବିମାନ ବାହିନୀ ନଥିଲେ ମଧ୍ୟ ଏହା ପାଖରେ ବହୁ ପରିମାଣରେ କ୍ଷେପଣାସ୍ତ୍ର ରହିଛି। ଯେଉଁଗୁଡ଼ିକ ସବୁ ମଧ୍ୟ ମାଟି ତଳେ ସଂରକ୍ଷିତ କରି ରଖାଯାଇଛି। କେବଳ ଆମେରିକା ପାଖରେ ଯେଉଁ ସାମରିକ ଶକ୍ତି ରହିଛି ତାହା ହିଁ କେବଳ ଇରାନ୍ର ଏହି ମାଟିତଳ ବଙ୍କର୍କୁ ଭେଦ କରି ସେଗୁଡ଼ିକ ନଷ୍ଟ କରିପାରିବ। ହେଲେ ଇସ୍ରାଏଲ୍ ପକ୍ଷରୁ ଯେପରି ଭାବରେ ଘନ ଘନ ବିମାନ ଆକ୍ରମଣ କରାଯାଉଛି ଓ ଇରାନ୍ ଆକାଶ ସମ୍ପୂର୍ଣ୍ଣ ଭାବରେ ଇସ୍ରାଏଲ୍ ଅଧୀନରେ ଥିବା କୁହାଯାଉଛି ତାହାର ପ୍ରକୃତ ଲକ୍ଷ୍ୟ କ’ଣ?
ଏବେ ଇସ୍ରାଏଲ୍ ପକ୍ଷରୁ ଇରାନ୍ରେ କ୍ଷମତାର ପରିବର୍ତ୍ତନ ପାଇଁ ସୁଯୋଗ ଆସିଥିବା କୁହାଯାଉଛି। ଇରାନ୍ର ଶାସନ କ୍ଷମତାରେ ଥିବା ମୌଳବାଦୀ ଆୟୋତୋଲ୍ଲା ଖେମିନିଙ୍କ ବିରୋଧରେ ପୂର୍ବରୁ ଇରାନ୍ରେ ଶାସନ କରୁଥିବା ଶାହାଙ୍କ ବଂଶଜ ଓ ସମର୍ଥକମାନେ ଥିଲେ ମଧ୍ୟ ୧୯୭୯ରେ ଶାହା ଶାସନ ବିରୋଧରେ ହୋଇଥିବା ବିଦ୍ରୋହରୁ ସୃଷ୍ଟି ହୋଇଥିବା ଇସ୍ଲାମିକ୍ ରିଭୋଲ୍ୟୁସୋନାରୀ ମାନଙ୍କର ଶକ୍ତି ଏବେ ବି ଅଧିକ। ଅବଶ୍ୟ ଖେମିନି ବିରୋଧୀ ଶକ୍ତିମାନଙ୍କର ସହାୟତାରେ ଇସ୍ରାଏଲ୍ ବାରମ୍ବାର ଇରାନ୍ ଭିତରେ ସେମାନଙ୍କର ଶତ୍ରୁମାନଙ୍କୁ ହତ୍ୟା କରିପାରୁଛି ଓ ଠିକଣା ସ୍ଥାନରେ ବିମାନ ଯୋଗେ ବୋମା ବର୍ଷଣ କରିପାରୁଛି। ଖେମିନିଙ୍କ ଶାସନ ବିରୋଧରେ ମହିଳାମାନଙ୍କର ହିଜାବ୍ ବିରୋଧୀ ଆନ୍ଦୋଳନ ସତ୍ୱେ ଖେମିନିଙ୍କର ଲୋକମାନଙ୍କ ଉପରେ ପ୍ରଭାବ ଅତୁଟ ରହିଛି। ସେଥିପାଇଁ ତାଙ୍କୁ ସୁପ୍ରିମ୍ ଲିଡର୍ର ଆଖ୍ୟା ଦିଅଯାଇଛି। ରାଷ୍ଟ୍ରପତି ଯିଏ ହୁଅନ୍ତୁ ନା କାହିଁକି ଇରାନ୍ ସେନାବାହିନୀର ନିୟନ୍ତ୍ରଣ ଖେମିନିଙ୍କ ହାତରେ ରହିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଇଲ୍ର ପ୍ରଧାନମନ୍ତ୍ରୀ ବେନ୍ଜାମିନ୍ ନେତ୍ୟାନ୍ହୁଙ୍କ ଭିତରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ତେଣୁ ଇସ୍ରାଇଲ୍ ଅତ୍ୟନ୍ତ ଅନ୍ୟାୟ ଭାବରେ ଓ ଆନ୍ତର୍ଜାତିକ ନିୟମର ଉଲ୍ଲଂଘନ କରି ଇସ୍ରାଇଲ୍ ଉପରେ ଆକ୍ରମଣ କରିଥିଲେ ମଧ୍ୟ ଆମେରିକା କାହାକୁ ସମର୍ଥନ କରୁଛି? ଜି-୭ ଦେଶର ଶୀର୍ଷ ବୈଠକରେ ଅଧାକୁ ପଳାଇ ଆସି ଟ୍ରମ୍ପ ଘୋଷଣା କଲେ ଯେ, ଇରାନ୍ ଆତ୍ମସମର୍ପଣ କରୁ। ସେ ଏକଥା ମଧ୍ୟ କହିଲେ ଯେ, ଇରାନ୍ର ସୁପ୍ରିମ୍ ଲିଡର୍ ଖେମିନି କେଉଁଠାରେ ଅଛନ୍ତି ତାହା ତାଙ୍କୁ ଜଣାଅଛି। ଅର୍ଥାତ୍ ସେ ଚାହିଁଲେ ଖେମିନିଙ୍କୁ ହତ୍ୟା କରିପାରିବେ। ଇସ୍ରାଇଲ୍ ମଧ୍ୟ ବାରମ୍ବାର ସେହିକଥା କହୁଛି। କିନ୍ତୁ ଇରାନ୍ କୌଣସି ପ୍ରକାରରେ ଆମେରିକାର ଧମକରେ ଡରି ଯାଇନାହିଁ ଓ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଫଳରେ ଇସ୍ରାଏଲ୍ ପକ୍ଷରୁ ଇରାନ୍ ଉପରେ ଯେତିକି ବୋମାମାଡ଼ କରାଯାଇ ଏହାର ବିଭିନ୍ନ ପ୍ରତିଷ୍ଠାନକୁ ଏପରିକି ଲୋକମାନଙ୍କୁ ନଷ୍ଟ କରାଯାଉଛି ଠିକ୍ ସେହି ପରିମାଣରେ ଇରାନ୍ ପକ୍ଷରୁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଶହ ଶହ ବାଲେଷ୍ଟିକ୍ ଓ ହାଇର୍ପୋସୋନିକ୍ ଯେପଣାସ୍ତ୍ର ଜରିଆରେ ଇସ୍ରାଏଲ୍ ଉପରେ ଆକ୍ରମଣ ଚଳାଇଛି। ଇସ୍ରାଏଲ୍ ଅଭିଯୋଗ କରିଛି ଯେ, ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ଏକ ବଡ଼ ସ୍ୱାସ୍ଥ୍ୟକେନ୍ଦ୍ର ବା ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଯେଉଁ ଇସ୍ରାଇଲ୍ ଗାଜା ଉପରେ କ୍ରମାଗତ ଆକ୍ରମଣ କରି ସେଠାରେ ସବୁ ହସ୍ପିଟାଲ୍ ଓ ଡାକ୍ତରମାନଙ୍କୁ ମଧ୍ୟ ମାରିଦେଇଛି ସେମାନେ ଇରାନ୍ କ୍ଷେତ୍ରରେ ଏ ହସ୍ପିଟାଲ୍ କଥା କହିଲେ କିଏ ଶୁଣିବ?
ଦୁଇ ଦଶନ୍ଧି ତଳେ ଇରାକ୍ ପାଖରେ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଥିବା ଅଭିଯୋଗ କରି ଆମେରିକା ଏହା ଉପରେ ଆକ୍ରମଣ କରି ଇରାକ୍ ରାଷ୍ଟ୍ରପତି ସଦ୍ଦାମ ହୁସେନ୍ଙ୍କୁ ଶେଷରେ ଫାଶୀ ନାମରେ ହତ୍ୟା କରିଥିଲା। ଠିକ୍ ସେହିପରି ଏଥର ଇରାନ୍ ପରମାଣୁ ବୋମା ଅଛି କହି ଇରାନ୍ ନେତାଙ୍କୁ ହତ୍ୟା କରିବା ଲକ୍ଷ୍ୟରେ ଇସ୍ରାଇଲ୍ କାର୍ଯ୍ୟ କରୁଛି। ସଦ୍ଦାମ୍ ହୁସେନ୍ ଜୀବିତ ଥିବା ଅବସ୍ଥାରେ ମଧ୍ୟ ପ୍ରାଚ୍ୟରେ ଏହା ଆମେରିକା ଓ ଇସ୍ରାଏଲ୍ ପାଇଁ ଏକ ବଡ଼ ଆହ୍ୱାନକାରୀ ଦେଶ ଭାବରେ ପରିଚିତ ହୋଇଥିଲା। ଏବେ ଇରାନ୍ କ୍ଷେତ୍ରରେ ମଧ୍ୟ ଅବସ୍ଥା ସେହିପରି। କାରଣ ଇସ୍ରାଏଲ୍ର ସାମରିକ ଶକ୍ତି ଆଗରେ ଓ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ବଡ଼ ବଡ଼ ସାମରିକ ଘାଟି ସବୁ ରହିଥିଲେ ମଧ୍ୟ ଇରାନ୍ କୌଣସି ପ୍ରକାରରେ ଇସ୍ରାଏଲ୍ର ଧମକର ବଶବର୍ତୀ ହୋଇନାହିଁ। ବରଂ ଇସ୍ରାଏଲ୍ ଯେତେବେଳେ ହମାସ୍ ଓ ଅନ୍ୟମାନଙ୍କ ଉପରେ ଆକ୍ରମଣ କରିଛି, ସେତେବେଳେ ଇରାନ୍ ହିଁ ଦୂରତାର ସହିତ ଏହାର ପ୍ରତିବାଦ କରିଛି। ଯଦିଓ ସିଧାସଳଖ ଭାବରେ ଇରାନ୍ କେବେ ଯୁଦ୍ଧରେ ଅଂଶଗ୍ରହଣ କରିନାହିଁ । ତଥାପି ଇରାନ୍ରେ ଥିବା ହାମାସ୍ ଓ ହିଜ୍ବୁଲ୍ଲାର ନେତାମାନଙ୍କୁ ଇସ୍ରାଏଲ୍ ମାରିବାର ରେକର୍ଡ କରିଛି।
ମୋଟାମୋଟି ଭାବରେ ଯଦି ଇରାନ୍କୁ ଏଥର ଦବାଇ ଦିଆଯାଇ ପାରିବ ତେବେ ସେହି ଭୂଖଣ୍ଡରେ ଆମେରିକା ସହାୟତାରେ ଥିବା ଇସ୍ରାଏଲ୍ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବ। ଆରବ ଭୂଖଣ୍ଡର ଜନସାଧାରଣ ଇରାନ୍ ସପକ୍ଷରେ ଥିଲେ ମଧ୍ୟ ସାଉଦି ଆରବ, କତର୍ ଓ ୟୁଏଇ ପରି ଅଧିକାଂଶ ଦେଶରେ ଆମେରିକାର ଘାଟିସବୁ ରହିଥିବାରୁ ସେହି ସରକାରମାନେ ଇସ୍ରାଏଲ୍ ବିରୋଧରେ କୌଣସି ମନ୍ତବ୍ୟ ଦେଉନାହାନ୍ତି। କିନ୍ତୁ କୁହାଯାଉଛି ଯେ, ଇରାନ୍ ଉପରେ ଯେତେ ଆକ୍ରମଣ ହେଲେ ମଧ୍ୟ ଇରାନ୍ର ମାନବ ଶକ୍ତିକୁ ନିୟନ୍ତ୍ରଣ କରାଯାଇ ପାରିବନାହିଁ। ସେଠାରେ ପରମାଣୁ କେନ୍ଦ୍ର ଓ କିଛି ପରମାଣୁ ବୈଜ୍ଞାନିକଙ୍କ ହତ୍ୟା ହେଲେ ମଧ୍ୟ ଇରାନ୍ର ଲୋକମାନଙ୍କ ଭିତରେ ଥିବା ପରମାଣୁ ଜ୍ଞାନକୁ କେହି ନେଇଯାଇ ପାରିବେ ନାହିଁ। ତେଣୁ ଇରାନ୍ ଆଜି ନହେଲେ ମଧ୍ୟ କାଲି ହୁଏତ ପୁଣି ପରମାଣୁ ବୋମା ପ୍ରସ୍ତୁତ ଦିଗରେ କାମ କରିପାରିବ। ମନେ ରଖିବାକୁ ପଡ଼ିବ ଯେ, ଭାରତ ପରେ ଇରାନ୍ ମଧ୍ୟ ଏକ ପ୍ରାଚୀନ ସଭ୍ୟତାର ଦେଶ।
ଆର୍ଯ୍ୟମାନଙ୍କ ଭିତରୁ ଗୋଟିଏ ଗୋଷ୍ଠି ଭାରତ ଭିତରକୁ ଆସି ଯେଉଁ ସଭ୍ୟତା ସୃଷ୍ଟି କରିଥିଲେ ତାହାର ଏକ ବଡ଼ ଭାଗ ଇରାନ୍ରେ ବସବାସ କରି ସେଠାରେ ମଧ୍ୟ ପ୍ରାଚୀନ ସଭ୍ୟତା ଗଢ଼ି ତୋଳିଥିଲେ। ଆର୍ଯ୍ୟମାନଙ୍କ ଭୂମି ଭାବରେ ଏହାର ନାମ ଇରାନ୍ ହୋଇଥିବା କୁହାଯାଉଛି। ସେହି କାରଣରୁ ଇରାନ୍ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ନିବିଡ଼ ରହିଆସିଛି। ସେଠାରେ ଲୋକମାନେ ପରବର୍ତ୍ତୀ ଅବସ୍ଥାରେ ଇସ୍ଲାମ୍ ଧର୍ମ ଗ୍ରହଣ କରିଛନ୍ତି। କିନ୍ତୁ ସେମାନଙ୍କର କାର୍ଯ୍ୟପ୍ରଣାଳୀ, ସଭ୍ୟତା ଓ ସଂସ୍କୃତି ସହିତ ଭାରତର ଏକ ସମ୍ପର୍କ ରହିଛି। ସବୁ ଇସ୍ଲାମିକ୍ ଦେଶ ପାକିସ୍ତାନ ସପକ୍ଷରେ ଥିବା ସମୟରେ ଇରାନ୍ ହେଉଛି ଏକମାତ୍ର ଇସ୍ଲାମିକ୍ ଦେଶ ଯିଏକି ଭାରତକୁ ସାହାଯ୍ୟ କରିଥିଲା। କିନ୍ତୁ ଏବେ ଭାରତ ଏ ସଂକ୍ରାନ୍ତରେ ନୀରବ ରହିବା ଓ ବସ୍ତୁତଃ ଇସ୍ଲାମିକ୍କୁ ସମର୍ଥନ କରିବା ଅନେକଙ୍କୁ ବିସ୍ମିତ କରିଛି।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
