୫-ଟି ଶାସନରେ ମନ୍ତ୍ରୀ ପଦର ଗୁରୁତ୍ୱ କେତେ?

ଅସଲକଥା ହେଉଛି ଯେ କିଏ ନୂଆ ମନ୍ତ୍ରୀ ହେଲେ ବା ଆଗକୁ କିଏ ବାଚସ୍ପତି ହେବେ ତାହା ଓଡ଼ିଶାର ପ୍ରଚଳିତ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ଆଦୌ ଗୁରୁତ୍ୱ ରଖେ ନାହିଁ। କାରଣ ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟରେ ମନ୍ତ୍ରୀମାନଙ୍କ ଗୁରୁତ୍ୱ କମିଯାଇଛି ଓ ସଚିବମାନଙ୍କ ଗୁରୁତ୍ୱ ବଢ଼ି ଯାଇଛି। ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ତାଙ୍କ ସଚିବ ଶାସନ କରୁଛନ୍ତି ବୋଲି ଗୋଟେ ଧାରଣା ସୃଷ୍ଟି ହୋଇଛି। ସେହି ସଚିବ ବି ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତର କରି ତାହା ପ୍ରମାଣିତ କରୁଛନ୍ତି।

5T Secretary Among People

5T Secretary Among People

Debendra Prusty
  • Published: Monday, 22 May 2023
  • Updated: 22 May 2023, 01:40 PM IST

News Highlights

  • ଓଡ଼ିଶାରେ ମନ୍ତ୍ରୀମାନଙ୍କର ଗୁରୁତ୍ୱ କେତେ?
  • ଗୁରୁତ୍ୱ ନଥିଲେ ବି କାହିଁକି ମନ୍ତ୍ରୀ ହେବାକୁ ଲାଳାୟିତ ଅନେକ ବିଧାୟକ?
  • ମନ୍ତ୍ରୀପଦ ଜରିଆରେ ୫-ଟି ସଚିବଙ୍କ ନିକଟତର ହେବା ଓ ସିଏମଓକୁ ଖୁସି କରିବା ସମ୍ଭବତଃ ମନ୍ତ୍ରୀପଦ ଲାଳାୟିତଙ୍କ ଏକମାତ୍ର ଉଦ୍ଦେଶ୍ୟ।

ରାଜ୍ୟ ମନ୍ତ୍ରିମଣ୍ଡଳରୁ ଗତ ସପ୍ତାହରେ ଦୁଇଜଣ ରାଷ୍ଟ୍ରମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ସହିତ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ସଂପ୍ରସାରଣ ଓ ଅଦଳବଦଳ ହେବ ବୋଲି ଜୋରସୋର କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏପରିକି ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ମନ୍ତ୍ରିମଣ୍ଡଳରୁ ଆଉ କିଛି ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। ସେତେବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଭୁବନେଶ୍ୱରରେ ନଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିବା ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ବିଭାଗ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରମ ବିଭାଗର ଦାୟିତ୍ୱ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ରାଜ୍ୟପାଳ ବନ୍ଦେ ଭାରତ ଟ୍ରେନ୍ ଯାତ୍ରା ଶୁଭାରମ୍ଭ ସମୟରେ କିଛି ସମୟ ପାଇଁ ଓଡ଼ିଶା ଆସିଥିଲେ ମଧ୍ୟ ସେହିଦିନ ପୁଣି ହରିଆନା ଫେରିଯାଇଥିଲେ।

ଏବେ ରାଜ୍ୟପାଳ ୨୧ ତାରିଖ ଅର୍ଥାତ୍ ରବିବାର ଦିନ ଭୁବନେଶ୍ୱର ଫେରିବା ପରେ ମେ ୨୨ ତାରିଖ ସୋମବାର ୧୦ଟା ସମୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି ଓ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ବାଚସ୍ପତି ପଦତ୍ୟାଗ କରିଥିବା ବିକ୍ରମ କେଶରୀ ଆରୁଖ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସାରଦା ନାୟକ ପୁଣି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନୂଆ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସୋମବାର ଦିନ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭା ଅଧିବେଶନ ଡାକିବାକୁ ପଡ଼ିବ।

ଅସଲକଥା ହେଉଛି ଯେ କିଏ ନୂଆ ମନ୍ତ୍ରୀ ହେଲେ ବା ଆଗକୁ କିଏ ବାଚସ୍ପତି ହେବେ ତାହା ଓଡ଼ିଶାର ପ୍ରଚଳିତ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ଆଦୌ ଗୁରୁତ୍ୱ ରଖେ ନାହିଁ। କାରଣ ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟରେ ମନ୍ତ୍ରୀମାନଙ୍କ ଗୁରୁତ୍ୱ କମିଯାଇଛି ଓ ସଚିବମାନଙ୍କ ଗୁରୁତ୍ୱ ବଢ଼ି ଯାଇଛି। ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ତାଙ୍କ ସଚିବ ଶାସନ କରୁଛନ୍ତି ବୋଲି ଗୋଟେ ଧାରଣା ସୃଷ୍ଟି ହୋଇଛି। ସେହି ସଚିବ ବି ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତର କରି ତାହା ପ୍ରମାଣିତ କରୁଛନ୍ତି।

ଏକଦା ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇ ରାଜ୍ୟର ସାଂପ୍ରତିକ ଶାସନ ବ୍ୟବସ୍ଥା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଉପସ୍ଥାପିତ କରୁଛନ୍ତି । ଯଦିଓ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ସମେତ ବହୁ ପ୍ରକାର ମାମଲା କରାଯାଇଛି ଓ ଦୀର୍ଘ ମାସ ଜେଲରେ କଟାଇବା ପରେ ସେ ଜାମିନରେ ଆସିଛନ୍ତି। କିନ୍ତୁ ଜାମିନରେ ଆସି ମଧ୍ୟ ସେ ନିରବ ନରହି ରାଜ୍ୟ ଶାସନ ବିଷୟରେ ବିଶେଷ ଭାବରେ ୫-ଟି ସଚିବଙ୍କୁ ନେଇ ଯେଉଁ ଅଭିଯୋଗ କରୁଛନ୍ତି, ତାହାକୁ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ରାଜନୈତିକ ଦୃଷ୍ଟିରୁ ନଥିଲେ ମଧ୍ୟ ଅନେକ ବିଜେଡି କର୍ମକର୍ତ୍ତା ପରୋକ୍ଷରେ ସେଥିପ୍ରତି ସମର୍ଥନ ଜ୍ଞାପନ କରୁଛନ୍ତି।

୨୦୨୪ ନିର୍ବାଚନ ଏବେ ବିଜେଡିର ମୁଖ୍ୟ ଫୋକସ୍। ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଓ ବିଭାଗ ଅଦଳବଦଳରେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକ ମହିଳାଙ୍କୁ ମନ୍ତ୍ରୀ କରାଯିବ ବୋଲି ଆଶା କରାଯାଉଥିଲା। ତାହା ହୋଇନାହିଁ। ମନ୍ତ୍ରୀମାନଙ୍କର ବର୍ତ୍ତମାନର ଅବସ୍ଥା ଯାହା, ସେଥିରେ ଜଣେ ମନ୍ତ୍ରୀ ହୋଇଗଲେ ସେ ଯେ ସରକାର ଓ ସଂଗଠନ ପାଇଁ ଉପକାରୀ ହୋଇଯିବେ ତାହା ଭାବିବା ଭୁଲ। ପୂର୍ବରୁ ଯେତେବେଳେ ମନ୍ତ୍ରିମଣ୍ଡଳ ଗଠନ କରାଯାଉଥିଲା ସେଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତ, ସଂପ୍ରଦାୟ ଓ ସାଂଗଠନିକ ଗୁରୁତ୍ୱ ସହିତ ପ୍ରଶାସନିକ ଦକ୍ଷତା ବିଚାରକୁ ନିଆଯାଉଥିଲା। ଅଧିକାଂଶ ମନ୍ତ୍ରୀ ନିଜ ଜିଲ୍ଲାରେ ବା ସେମାନେ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳରେ ସରକାର ଓ ଦଳର ମୁଖ୍ୟ ନାୟକ ଭାବରେ କାମ କରୁଥିଲେ। ସଂପୃକ୍ତ ଅଞ୍ଚଳର ପ୍ରଶାସକ ବା ଜିଲ୍ଲାପାଳମାନେ ଯାହା କିଛି ଲୋକମାନଙ୍କ ସଂପର୍କୀୟ ନିଷ୍ପତ୍ତି ନେଉଥିଲେ ସେସବୁଥିରେ ସଂପୃକ୍ତ ଜିଲ୍ଲାର ମନ୍ତ୍ରୀଙ୍କୁ ପଚାରୁଥିଲେ। କିନ୍ତୁ ଏବେ ଏପରି ଏକ ସମୟ ହୋଇଛି, ଯେଉଁଠାରେ ଜିଲ୍ଲାପାଳମାନେ ମନ୍ତ୍ରୀଙ୍କୁ ସେହି ଜିଲ୍ଲା ସଂକ୍ରାନ୍ତୀୟ ପ୍ରସଂଗରେ ଆଲୋଚନା ମଧ୍ୟ କରୁନାହାନ୍ତି। ମନ୍ତ୍ରୀଙ୍କୁ କେବଳ ସେ ପ୍ରତିନିଧିତ୍ୱ କରୁଥିବା ନିର୍ବାଚନ ମଣ୍ଡଳୀ ସମସ୍ୟା ସଂପର୍କରେ ଯାହା କିଛି ପଚରା ଯାଉଛି। ଅର୍ଥାତ୍ ମନ୍ତ୍ରୀମାନେ ଜିଲ୍ଲା ସ୍ତରରେ ବା ସଂଗଠନ ସ୍ତରରେ ନିଜ ନିର୍ବାଚନ ମଣ୍ଡଳୀ ବାହାରେ କୌଣସି ଗୁରୁତ୍ୱ ହାସଲ କରିପାରୁ ନାହାନ୍ତି।

ମନ୍ତ୍ରୀମାନଙ୍କ ରାଜ୍ୟ ସ୍ତରରେ ଅବସ୍ଥା କ’ଣ ସେ ସଂପର୍କରେ ଖଣ୍ଡପଡ଼ା ବିଧାୟକ ତଥା ଏକ ଦୈନିକ ସମ୍ବାଦପତ୍ରର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ଏପରିକି ପ୍ରକୃତରେ ମନ୍ତ୍ରୀମାନଙ୍କଠାରୁ ସଚିବମାନେ ଅଧିକ କ୍ଷମତାଶାଳୀ ଓ ବିଭାଗ ବିଷୟରେ ସବୁକିଛି ଜାଣନ୍ତି ବୋଲି ଧରି ନିଆଯାଇଛି। ମନ୍ତ୍ରୀମାନେ ଏପରି ଆଚରଣରେ କ୍ଷୁବ୍ଧ ହେଉଥିଲେ ମଧ୍ୟ ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଅବଗତ କରିପାରୁ ନାହାନ୍ତି। କାରଣ ମନ୍ତ୍ରୀମାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ସୁଯୋଗ ରହୁନାହିଁ। ମୁଖ୍ୟମନ୍ତ୍ରୀ ଯେତେବେଳେ କୌଣସି ମନ୍ତ୍ରୀଙ୍କୁ ଡାକୁଛନ୍ତି ସେଠାରେ ଅଫିସର ଉପସ୍ଥିତ ରହୁଛନ୍ତି। ତେଣୁ ମନ୍ତ୍ରୀ ମନଖୋଲା ଭାବରେ କିଛି କହିପାରୁ ନାହାନ୍ତି।

କୌଣସି ବିଭାଗର ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ତାହା କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀଙ୍କ ଯୋଗସୂତ୍ର ଆହୁରି କମିଯାଉଛି। ନିକଟରେ ଦୁବାଇକୁ ଭୁବନେଶ୍ୱରରୁ ପ୍ରଥମ ବିମାନ ଉଡ଼ାଣ ସମୟରେ ରାଜ୍ୟରୁ ଯାଇଥିବା ମନ୍ତ୍ରୀ ଓ ଶାସକ ଦଳର ବିଧାୟକମାନେ ଅଫିସରମାନଙ୍କ ଦ୍ୱାରା ଅପମାନିତ ହେଲେ ବୋଲି କୁହାଯାଉଛି। ଖୋଦ୍ ଉନ୍ନୟନ କମିଶନର ଅନୁ ଗର୍ଗ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସମ୍ବୋଧନ କରି ବକ୍ତବ୍ୟ ଦେଲାବେଳେ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଠିକ୍ ଭାବରେ କହିପାରି ନଥିଲେ। ତାଙ୍କୁ ସଂସ୍କୃତି ଓ ଭାଷା ମନ୍ତ୍ରୀ ବୋଲି ସମ୍ବେଧାନ କରିଥିଲେ। କିନ୍ତୁ ଅଶୋକ ପଣ୍ଡାଙ୍କ ବିଭାଗ ହେଲା ବିଜ୍ଞାନ-କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ। ସେଠାରେ ଉପସ୍ଥିତ ଥିବା ବିଧାୟକ ଓ ସାଂସଦମାନଙ୍କ ନାଁ ଅଫିସରମାନେ ବକ୍ତବ୍ୟ ସମୟରେ ଉଲ୍ଲେଖ ମଧ୍ୟ କରୁନଥିଲେ।

ଅଫିସରମାନଙ୍କ ପ୍ରାଧାନ୍ୟ ବୃଦ୍ଧି ନେଇ ଅସନ୍ତୋଷ ଭିତରେ ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲାକୁ ଗସ୍ତ ଓ ତାଙ୍କ ଗସ୍ତକୁ ସଫଳ କରିବା ପାଇଁ ପ୍ରଶାସନ ସହିତ ଜିଲ୍ଲାର ବିଜେଡି ବିଧାୟକ ଓ କର୍ମକର୍ତ୍ତାମାନେ ଯେପରି କାର୍ଯ୍ୟ କରୁଛନ୍ତି, ତାହା ନେଇ ହେଉଥିବା ସମାଲୋଚନାକୁ ଏଡ଼ାଇବା ନିମନ୍ତେ କୁହାଯାଉଛି ଯେ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ବାସ୍ତବରେ ‘ସିଏମ୍ଓ’ର ଲୋକମାନଙ୍କ ସହିତ ଯୋଡ଼ିହେବାର ପ୍ରକ୍ରିୟା। ଯେଉଁ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ଶାରୀରିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିଲେ କରିଥାନ୍ତେ ଏବେ ସେହି କାର୍ଯ୍ୟ ସିଏମ୍ଓ ପକ୍ଷରୁ କରାଯାଉଛି। ଲୋକମାନଙ୍କ ଆପତ୍ତି ଅଭିଯୋଗ ଓ ଦାବିଗୁଡ଼ିକ ସିଧା ସିଏମ୍ଓ ଶୁଣି ସେହିଠାରେ ସମାଧାନ କରୁଛନ୍ତି। ତେଣୁ ଏହି କାର୍ଯ୍ୟକୁ ସେହି ଦୃଷ୍ଟିରୁ ହିଁ ଦେଖିବା ପାଇଁ କୁହାଯାଉଛି। ହେଲେ ଦୀର୍ଘ ୨୩ ବର୍ଷ ହେଲା ଶାସନ କ୍ଷମତାରେ ଥିବା ଦଳର ବିଧାୟକ ଓ ନେତାମାନେ କେତେଦୂର ଆନ୍ତରିକତାର ସହିତ ତାହା ଗ୍ରହଣ କରୁଛନ୍ତି, ତାହା ଏବେଠାରୁ ଅନୁମାନ କରିବା କଷ୍ଟକର।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos