ଦେବେନ୍ଦ୍ର ପୃଷ୍ଟି
ବିଜୁ ପଟ୍ଟନାୟକଙ୍କ ରାଜନୀତିକ ବିଫଳତା ଯେମିତି ରହସ୍ୟଜନକ ନବୀନ ପଟ୍ଟନାୟକଙ୍କ ସଫଳତା ମଧ୍ୟ ସେହିପରି ରହସ୍ୟମୟ। ଉଭୟଙ୍କ ରାଜନୀତି, ନୀତି ଓ ଆଦର୍ଶରେ ଅକାଶପାତାଳ ପ୍ରଭେଦ। ଜଣେ ବାପା, ଆରକ ପୁଅ। ତେବେ ଯାହା କୁହାଯାଏ ବାପ୍ ସେ ବେଟା ଯ୍ୟାଦା, ଏ ବାପପୁଅଙ୍କ କ୍ଷେତ୍ରରେ ତାହା ଶତ ପ୍ରତିଶତ ସତ ହୋଇଛି- ନବୀନବାବୁଙ୍କ ସଫଳତା ତାଙ୍କ ବିଜୁ ପଟ୍ଟନାୟକଙ୍କ ସଫଳତାକୁ କାହିଁ କେତେ ଗୁଣରେ ଟପି ଯାଇଛି। ତେବେ, ସୁଦୀର୍ଘ ଶାସନ ଓ କ୍ରମାଗତ ବିଜୟର ସଫଳତା ସତ୍ତ୍ୱେ ବ୍ୟକ୍ତିତ୍ୱ ଓ ନେତୃତ୍ୱରେ ଡେଙ୍ଗା ମଣିଷ ବିଜୁଙ୍କ ଆଗରେ ଗେଡ଼ା ହୋଇଯାଇଛନ୍ତି ନବୀନବାବୁ। ବିଜୁବାବୁଙ୍କର ସାହସ, ସ୍ୱାଭିମାନ, ଉଦ୍ୟୋଗ, ଦେଶପ୍ରେମ, ଜାତିପ୍ରୀତି ଆଗରେ ନବୀନବାବୁ ନିଶ୍ଚୟ ଜଣେ ବାଙ୍ଗରା ମଣିଷ!
ତେବେ, ଏହା କାହାକୁ ଆଉ ବୁଝେଇବା ଦରକାର ନାହିଁ ଯେ ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ସଫଳ ରାଜନେତା। ଏହା ଏକ ଅଲଗା କଥା ଯେ ୫୧ ବର୍ଷ ବୟସ ପର୍ଯ୍ୟନ୍ତ ନବୀନବାବୁ ଦିଲ୍ଲୀ ବା ଆଉ କେଉଁଠି କ’ଣ କରୁଥିଲେ, ତାଙ୍କର ରୋଜଗାର କ’ଣ ଥିଲା ତାହା କେହି ଜାଣନ୍ତି ନାହିଁ। ଲୋକେ କେବଳ ଏତିକି ଜାଣିଛନ୍ତି ଯେ ସେ ଏହି ବୟସ ମଧ୍ୟରେ ‘ଏ ସେକେଣ୍ଡ ପାରାଡାଇଜ୍’, ‘ଏ ଡେଜର୍ଟ କିଙ୍ଗଡମ୍’ ଓ ’ଦ ଗାର୍ଡ଼େନ ଅଫ୍ ଲାଇପ୍’ ଭଳି ତିନିଟି ବହି ଲେଖିଥିଲେ। ଏସବୁ ବହି ମୌଳିକ ସୃଜନଶୀଳ ଲେଖା ନୁହେଁ। ଏହେ କେବଳ କେତେକ ତଥ୍ୟର ସଂକଳନ ମାତ୍ର। ଏହା ବାଦ ଯାହା ଶୁଣାଯାଏ ଯେ ସେ ଦିଲ୍ଲୀ ହାଟ୍ରେ ଗୋଟେ କ’ଣ ଦୋକାନ ଖୋଲିଥିଲେ। ସେଠି ପ୍ରାଚୀନ କଳାକୃତୀ ବିକ୍ରି ହେଉଥିଲା। ମାତ୍ର, ତାହା ବନ୍ଦ ହୋଇଯାଇଥିଲା।
ବିଜୁବାବୁ ତାଙ୍କ ନିଜ ଜୀବଦ୍ଦଶାରେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ତାଙ୍କର ରାଜନୀତିକ ଉତ୍ତରାଧିକାରୀ ଭାବେ ବାଛିନଥିଲେ ମଧ୍ୟ ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଯିବାରୁ ଓଡ଼ିଶାରେ ତାଙ୍କ ନେତୃତ୍ୱାଧୀନ ଜନତା ଦଳର ନେତାମାନେ ‘ବାପ ଛେଉଣ୍ଡ’ ହେଲାପରି ବୋଧ କରି ତାଙ୍କରି ପରିବାରରୁ ଜଣଙ୍କୁ ଆଣି ଅନୁକମ୍ପା-ଫାଇଦା ନେବାର ଯୋଜନା କଲେ। ବଡ଼ଝିଅ ଗୀତା ମେହେଟ୍ଟା ଓ ବଡ଼ ପୁଅ ପ୍ରେମ ପଟ୍ଟନାୟକ ମନା କରିବାରୁ ସାନ ନବୀନ ପଟ୍ଟନାୟକଙ୍କୁ ହିଁ ସେମାନ ବୁଝାଶୁଝା କରି ଓଡ଼ିଶା ଆଣିଥିଲେ। ପ୍ରଥମେ ନାହିଁ ନାହିଁ କରୁଥିବା ନବୀନବାବୁ ଓଡ଼ିଶା ଆସି ଆସ୍କା ଲୋକସଭା ଉପନିର୍ବାଚନରେ ବିଜୟୀ ହେଲେ। ଏହାର କିଛି ଦିନ ପରେ ସେ ଜନତା ଦଳରେ ବିଭାଜନ ଘଟାଇ ବିଜୁ ଜନତା ଦଳ ଗଠନ କଲେ। ସେହି ଦଳ ୧୯୯୮ ଲୋକସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ କଲା। ସେହି ମେଣ୍ଟ ୨୦୦୯ ଯାଏଁ ଅବ୍ୟାହତ ଥିଲା। ଏହା ପରେ ନବୀନଙ୍କ ନେତୃତ୍ୱରେ ବିଜେଡି-ବିଜେପି ମେଣ୍ଟ ୧୯୯୯ ଲୋକସଭା ନିର୍ବାଚନ, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନ ଏବଂ ୨୦୦୪ ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିଲେ। ୨୦୦୯ରେ ନବୀନବାବୁ ନିଜ ଆଡ଼ୁ ଏହି ମେଣ୍ଟ ଭାଙ୍ଗି ଦେଲେ। ଏହା ପରେ ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଅନୁଷ୍ଠିତ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ କ୍ରମାଗତ ଭାବେ ବିଜୟୀ ହୋଇଛି। ଏହି ସମୟ ମଧ୍ୟରେ ସେ ବା ତାଙ୍କ ଦଳ ପରାଜୟ ବରଣ କରିନାହାନ୍ତି। ଏହା ନିଶ୍ଚୟ ଏକ ରେକର୍ଡ।
ନବୀନବାବୁ ପ୍ରଥମେ ବାଜପେୟୀ ମନ୍ତ୍ରିମଣ୍ଡଳରେ ଖଣି ଓ ଇସ୍ପାତ ମନ୍ତ୍ରୀ ଥିଲେ। ୨୦୦୦ ବିଧାନସଭା ନିର୍ବାଚନ ପରେ ସେ ବିଜେଡି-ବିଜେପି ମେଣ୍ଟର ନେତା ଭାବେ ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ଦିନଠାରୁ ସେ କ୍ରମାଗତ ପଞ୍ଚ ଥର ପାଇଁ ଏହି ପଦରେ ରହିଛନ୍ତି। ଏହା ମଧ୍ୟ ଅନ୍ୟ ଏକ ରେକର୍ଡ। ପଶ୍ଚିମ ବଙ୍ଗର ଜ୍ୟୋତି ବସୁ ଓ ସିକ୍କିମର ପବନ ଚାମଲିଙ୍ଗଙ୍କ ପରେ ନବୀନବାବୁ ହେଉଛନ୍ତି ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ ଯିଏ କି କ୍ରମାଗତ ପାଞ୍ଚ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପ୍ରତି ନିର୍ବାଚନରେ ଅଧିକ ସଂଖ୍ୟକ ବିଧାନସଭା ଆସନରେ ବିଜୟୀ ହୋଇ ଅନ୍ୟ ଏକ ରେକର୍ଡ ପ୍ରତିଷ୍ଠା କରିଛି। ୨୦୦୦ ନିର୍ବାଚନରେ ତାଙ୍କ ଦଳ ୪୧.୫୧ ଲକ୍ଷ ଭୋଟ ପାଇ ୬୮ ଆସନ ଜିତିଥିବାବେଳେ ୨୦୦୪ରେ ୬୧ ଆସନକୁ ଖସିଥିଲା। ତେବେ ସେହି ନିର୍ବାଚନରେ ଦଳ ୪୬.୩୨ ଲକ୍ଷକୁ ବୃଦ୍ଧି ପାଇଥିଲା। ୨୦୦୯ ନିର୍ବାଚନରେ ଦଳର ଆସନ ସଂଖ୍ୟା ୧୦୩କୁ ୨୦୧୪ରେ ୧୧୭କୁ ବୃଦ୍ଧି ପାଇଥିଲା। ୨୦୧୯ରେ ଆସନ ସଂଖ୍ୟା ୧୧୨କୁ ଖସିଥିଲେ ମଧ୍ୟ ଭୋଟସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ପ୍ରାୟ ୧୧ ଲକ୍ଷ ବୃଦ୍ଧି ପାଇଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ବିଜେଡି ପାଇଥିଲା ମୋଟ ଭୋଟର ୨୯.୦୪ ପ୍ରତିଶତ। ପରବର୍ତ୍ତୀ ନିବାର୍ଚନଗୁଡ଼ିକରେ ଏହି ହାର ହେଲା ଯଥାକ୍ରମେ ୨୭.୩୬%, ୩୮.୮୬%, ୪୩.୦୪% ଓ ୪୪.୦୩%। ଏହା କମ୍ ବଡ଼ ସଫଳତା ନୁହେଁ।
ଏହି ସମୟ ମଧ୍ୟରେ ନବୀନବାବୁ ଓ ତାଙ୍କ ଦଳକୁ ପରାସ୍ତ କରିବା ପାଇଁ କଂଗ୍ରେସ ଓ ବିଜେପି ପରି ଦୁଇ ଦୁଇଟି ଜାତୀୟ ଦଳ ନାକେଦମ୍ ହୋଇଛନ୍ତି ସିନା ସଫଳତା ହାସଲ କରିପାରି ନାହାନ୍ତି। ସେହିପରି ବିଭିନ୍ନ କାରଣରୁ ତାଙ୍କ ଦଳରୁ ଅଲଗା ହୋଇଥିବା ବିଜୟ ମହାପାତ୍ର, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ବ୍ରଜ କିଶୋର ତ୍ରିପାଠୀ, ପ୍ୟାରୀ ମୋହନ ମହାପାତ୍ର ଓ ଡାକ୍ତର ଦାମୋଦର ରାଉତ ପ୍ରମୁଖ ବହୁ ବରିଷ୍ଠ ନେତାମାନଙ୍କର ଆସ୍ଫାଳନ ମଧ୍ୟ ବୃଥା ସାବ୍ୟସ୍ତ ହୋଇଛି। କିନ୍ତୁ କାହିଁକି? କାହିଁକି ନବୀନବାବୁ ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଚାଲିଥିବାବେଳେ ତାଙ୍କର ବିରୋଧୀମାନେ ତାଙ୍କ ବାଟ ଓଗାଳିବାରେ ସଫଳ ହୋଇନାହାନ୍ତି? ରାଜନୀତିରେ ସଂପୂର୍ଣ୍ଣ ନବାଗତ ନବୀନବାବୁ ଓଡ଼ିଶା ରାଜନୀତିର ପ୍ରବୀଣ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ଜାନକୀ ବଲ୍ଳଭ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅଳ୍ପ ବୟସରେ ଜାତୀୟ ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଟାଣୁଆ ନେତାମାନଙ୍କ ଚାଲେଞ୍ଜକୁ ସଫଳତାର ସହିତ ମୁକାବିଲା କରିବାର ରହସ୍ୟ କ’ଣ?
୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ଜାତୀୟ ସ୍ତରରେ କଂଗ୍ରେସ ଓ ଜନତା ଦଳ ବିରୋଧରେ ଜନମତ ଥିଲା, ବାଜପେୟୀଙ୍କ ସପକ୍ଷରେ ହାୱା ବହୁଥିଲା। ୨୦୦୦ ବେଳକୁ ଓଡ଼ିଶାରେ କଂଗ୍ରେସ ବିରୋଧରେ ତୋଫାନ ଚାଲିଥିଲା। ୧୯୯୯ ଅକ୍ଟୋବର ୨୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କୁ ଉଦ୍ଧାର ଓ ଥଇଥନା କଥା ଭୁଲି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ହଟେଇବାକୁ ସେହି ଦଳରେ ଖୋଲା ବିଦ୍ରୋହ ଆୟୋଜିତ ହୋଇଥିଲା। ଏହାକୁ ଲୋକେ ପସନ୍ଦ କରି ନଥିଲେ। ତା’ଛଡ଼ା ସେହି ସମୟରେ ରାଜ୍ୟର ଅର୍ଥନୀତି ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ସରକାରୀ କର୍ମଚାରୀମାନ ପ୍ରତି ମାସ ଦରମା ପାଉନଥିଲେ। ଓଭରଡ୍ରାଫ୍ଟ ପରିମାଣ ବଢ଼ି ଯାଇଥିଲା। ଋଣଭାର ୧୮,୦୦୦ କୋଟି ଟଙ୍କା ଟପିଥିଲା। ଲୋକେ ମହାବାତ୍ୟା ଦାଉରୁ ଉଦ୍ଧାର ପାଇବା ଆଶାରେ କଂଗ୍ରେସ ସରକାରକୁ ହଟାଇବାକୁ ଯାଇ ନବୀନବାବୁଙ୍କ ମେଣ୍ଟ ସପକ୍ଷରେ ବିପୁଳ ଭୋଟ ଦେଇଥିଲେ। ଏହାର ମାତ୍ର ୪ ବର୍ଷ ପରେ ପ୍ରଥମ ପାଳି ପୂର୍ଣ୍ଣ କରିବାର ପ୍ରାୟ ବର୍ଷକ ଆଗରୁ ନବୀନବାବୁ ଲୋକସଭା ସହିତ ବିଧାନସଭା ନିର୍ବାଚନ କରାଇଲେ।
ଏ ଚାରି ବର୍ଷ ଭିତରେ ନବୀନ ସରକାର ବିରୋଧରେ ସେପରି କୌଣସି ବଡ଼ ଧରଣର ଅଭିଯୋଗ ଉଠିନଥିଲା। ବରଂ କେତେକ ମନ୍ତ୍ରୀଙ୍କୁ ବହିଷ୍କାର କରି ନବୀନବାବୁ ନିଜର ଏକ ଦୁର୍ନୀତି ବିରୋଧୀ ନିର୍ମଳ ଭାବମୂର୍ତ୍ତି ତିଆରି କରିବାରେ ସଫଳ ହୋଇଥିଲେ। ରାଜ୍ୟରେ ବାଜପେୟୀ ହାୱା ଥମି ନଥିଲା। ମହାବାତ୍ୟାରେ ଉଜୁଡ଼ି ଯାଇଥିବା କଂଗ୍ରେସର ଓଡ଼ିଶା ଘର ସେଯାଏଁ ସଜଡ଼ା ଯାଇନଥିଲା। ଏ ସବୁର ଫାଇଦା ଉଠେଇଥିଲେ ନବୀନବାବୁ। ୨୦୦୯ ବେଳକୁ ନବୀନବାବୁ ବିଜେପି ହାତ ଛାଡ଼ି ଦେଇଥିଲେ। ଲୋକଙ୍କ ମନରୁ କନ୍ଧମାଳ ଦଙ୍ଗାର ଦୁଃଖଦ ଚିତ୍ର ଲିଭି ନଥିଲା। ନିର୍ବାଚନ ପୂର୍ବରୁ ଦୁଇ ଟଙ୍କିଆ ଚାଉଳ କାର୍ଯ୍ୟକ୍ରମ ଘୋଷଣା ହେଲା। ଅନ୍ୟ କେତେକ ହିତାଧିକାରୀ ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରି ନବୀନବାବୁ ଲୋକଙ୍କ ମନ ସହିତ ମାନ ବା ଭୋଟ କିଣି ନେଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନ ବେଳକୁ ହିତାଧିକାରୀଙ୍କ ସଂଖ୍ୟା ବହୁଗୁଣ ବୃଦ୍ଧି ପାଇଥିଲା।
ଏବେ ରାଜ୍ୟର ପ୍ରାୟ ୩.୪ କୋଟି ଲୋକ ଟଙ୍କିକିଆ ଚାଉଳ ପାଉଛନ୍ତି, ୪୦ ଲକ୍ଷ ଉପରେ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି, ୬୦ ଲକ୍ଷ ମହିଳା ଏସଏଚଜି ସଭ୍ୟ ଭାବେ ଉପକୃତ, ୫୦ ଲକ୍ଷ ଉପରେ କାଳିଆ ଯୋଜନାର ହିତାଧିକାରୀ, ୩୦ ଲକ୍ଷ ଉପରେ ଏମଜିଏନଆରଜିଏ ଜବ୍ କାର୍ଡ଼ ଧାରୀ, ବାର୍ଷିକ ପ୍ରାୟ ୨ ଲକ୍ଷ ପକ୍କାଘର। ଏସବୁ ବାଦ ମାଗଣା ସାଇକେଲ, ପୋଷାକ, ଲାପ୍ଟପ୍, ମୋବାଇଲ୍, ଛତା, ଜୋତା, କମ୍ବଳ ଓ ୫ ଟଙ୍କିଆ ଆହାର ଯୋଜନା। କେନ୍ଦ୍ରର ଜନନୀ ସୁରକ୍ଷା ଯୋଜନା, ଆମ୍ବୁଲାନ୍ସ ସହାୟତା, ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି ଖାଦ୍ୟ, ମହିଳା ଓ ଶିଶୁଙ୍କୁ ପୁଷ୍ଟି ସହାୟତା ଆଦି ବହୁ ସମାଜ କଲ୍ୟାଣ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଭାବେ ପ୍ରଚାର କରି ତହିଁରୁ ମଧ୍ୟ ଫାଇଦା ଉଠାଇଛନ୍ତି ନବୀନବାବୁ।
ଲଘୁ ବନଜାତ ଦ୍ରବ୍ୟ ଉପରେ ଆଦିବାସୀଙ୍କ ଅଧିକାର ପ୍ରଦାନ ସହିତ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମଜୁରୀ ଓ ସହାୟତା ରାଶି ବୃଦ୍ଧି ଏବଂ କେନ୍ଦ୍ରର ଜଙ୍ଗଲ ଜମି ଅଧିକାର ଆଇନକୁ କାର୍ଯ୍ୟକାରୀ କରି ବିଜେଡି ସରକାର କଂଗ୍ରେସର ପାରମ୍ପାରିକ ଆଦିବାସୀ ଭୋଟ ବ୍ୟାଙ୍କକୁ ମଧ୍ୟ ଭାଙ୍ଗିବାରେ ସଫଳ ହୋଇଛନ୍ତି। ସେହିପରି ମହିଳାଙ୍କ ପାଇଁ ରହିଥିବା କେନ୍ଦ୍ରୀୟ ଯୋଜନା ସହିତ ପୌର ଓ ପଂଚାୟତ ସ୍ତରରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ନବୀନବାବୁ ବିଜେଡି ପାଇଁ ଏକ ସୁଦୃଢ଼ ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ଏହିସବୁ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ନବୀନଙ୍କ ଭୋଟର। ଅନେକ ହିତାଧିକାରୀଙ୍କୁ ଦଳୀୟ କର୍ମୀ ଓ ସରକାରୀ କର୍ମଚାରୀଙ୍କ ଜରିଆରେ ବ୍ଲାକ୍ମେଲ୍ କରି ଏହି ଭୋଟବ୍ୟାଙ୍କ ସୁଦୃଢ଼ ରଖାଯାଇଛି। କୁହାଯାଉଛି ଯିଏ ବିଜେଡିକୁ ଭୋଟ ନଦେବ ତାଙ୍କୁ ହିତାଧିକାରୀ ତାଲିକାରୁ ବାଦ ଦିଆଯିବ। ସରକାରୀ ସ୍ତରରେ ଏହାକୁ ଏକ ସଫଳ କୌଶଳ ଭାବେ ଉପସ୍ଥାପିତ କରାଯାଇଛି। ଖାଦ୍ୟ ଯୋଜନା ଓ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଏହିପରି ଏକ ବ୍ଲାକ୍ମେଲ୍ କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମେ ଅଯୋଗ୍ୟ ହିତାଧିକାରୀଙ୍କୁ ଫାଇଦା ଦେଇ ପରେ ସେମାନଙ୍କ ହିତ କଟିଯିବ ବୋଲି ଧମକ୍ ଦିଆଯିବା ନିଶ୍ଚୟ ଏକ ଚତୁର ରାଜନୀତିକ କୌଶଳ।