ଏମାନଙ୍କ ଦୋଷ କ’ଣ?

ଦେଶ ବର୍ତ୍ତମାନ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ୪୮ ବର୍ଷ ପୂର୍ଣ୍ଣ ହୋଇଛି। ପ୍ରତ୍ୟେକ ଭାରତୀୟ ଗର୍ବର ସହିତ କହୁଛନ୍ତି ଯେ, ସେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନାଗରିକ। ଏହି ଗଣତନ୍ତ୍ର ଦେଶରେ ୪୮ ବର୍ଷ ପୂର୍ବେ ଜରୁରୀକାଳନୀନ ପରିସ୍ଥିତି ସହିବାକୁ ପଡ଼ିଥିଲା। କ୍ଷମତା ପାଇଁ ଗଣତନ୍ତ୍ରକୁ ହତ୍ୟା କରିବାର ପାପ କଂଗ୍ରେସ କରିଥିଲା। ଏବେ ପୁଣି ଥରେ କଂଗ୍ରେସ ଓ ତାଙ୍କ ମେଂଟ ସାମାଜିକ ସମରସତାଠାରୁ ଦୂରେଇ ଯାଇ ସେହି ପାପ କରିବାକୁ ଯାଉଛନ୍ତି।

Anchors Boycotted By INDIA

  • Published: Tuesday, 03 October 2023
  • , Updated: 03 October 2023, 05:03 PM IST

ଗୋଲଖ ଚନ୍ଦ୍ର ଦାସ

୨୮ଟି ବିରୋଧୀ ଦଳକୁ ନେଇ ଜନ୍ମ ନେଇଥିବା ଆଇଏନ୍‌ଡିଆଇଏ ମେଂଟର ଲକ୍ଷଣ ଗୋଟିଏ ପରେ ଗୋଟିଏ ଫୁଟି ପଦାକୁ ବାହାରୁଛି। ଏହି ମେଂଟରେ ଥିବା ସମାଜବାଦୀ ପାର୍ଟିର ନେତା ଅବୁ ଆଜମୀ ମହାରାଷ୍ଟ୍ର ବିଧାନସଭାରେ ଜୁଲାଇ ୧୯ ତାରିଖ ଦିନ ବନ୍ଦେ ମାତରମକୁ ବିରୋଧ କରିଥିଲେ। ସେହିପରି ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ପୁଅ ତଥା ଡିଏମକେ ମନ୍ତ୍ରୀ ଉଦୟାନିଧି ସନାତନ ଧର୍ମକୁ ବିରୋଧ କରିଛନ୍ତି। ଏବେ ସେହି ମେଂଟ ୧୪ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ବହିଷ୍କାର କରିବା ପାଇଁ ଘୋଷଣା କରିଛି। ଏହା କରିବା ଦ୍ୱାରା ସେମାନେ ୧୯୭୫ର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଦେଇଛନ୍ତି। ସେତେବେଳେ ଗୋଟିଏ ପରିବାର କ୍ଷମତା ହରାଇବା ଭୟରେ ଜନତାଙ୍କ ମୌଳିକ ଅଧିକାର ଛଡ଼ାଇ ନେଇ ଗଣତନ୍ତ୍ରକୁ ହତ୍ୟାକରି ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲା। ଖବରକାଗଜ ଉପରେ ସେନ୍ସରସିପ୍ ଲାଗୁ କରିଥିଲା। କେବଳ ବିରୋଧୀ ଦଳ ନେତାଙ୍କୁ ନୁହେଁ ବରଂ ସତ୍ୟ ସହିତ ଠିଆ ହୋଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଦମନ କରିଥିଲା। ଏପରିକି ବଡ଼ ବଡ଼ ଗଣମାଧ୍ୟମର ସମ୍ପାଦକମାନଙ୍କୁ ମଧ୍ୟ ଗିରଫ କରି ଜେଲରେ ବନ୍ଦି କରି ରଖିଥିଲା। ଜରୁରୀକାଳୀନ ସମୟରେ କଂଗ୍ରେସର ଅତ୍ୟାଚାରକୁ ମନେ ପକାଇଲେ ଦେହର ରୋମ ଟାଙ୍କୁରି ଉଠୁଛି। ଆଜି ଗଣମାଧ୍ୟମକୁ ଦମନ କରିବାକୁ ଆଇଏନ୍‌ଡିଆଇ ଆଲାଏନ୍ସ ଯେଉଁ ଭଳି ଭାବରେ ଚେଷ୍ଟା କରୁଛି ତାହା ଦର୍ଶାଉଛି କଂଗ୍ରେସ ଏବଂ ଏହାର ସହଯୋଗୀ ଦଳର ଜରୁରୀକାଳୀନ ମାନସିକତାରେ ପରିବର୍ତ୍ତନ ହୋଇନାହିଁ, ଏହା ଆଜି ବି ଜାରି ରହିଛି।

ଆଇଏନ୍‌ଡିଆଇ ମେଂଟର ସମନ୍ୱୟ କମିଟି ୧୩ ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀରେ ବୈଠକ କରିଥିଲା। ଯେଉଁଥିରେ କିଛି ଟିଭି ଆଙ୍କରଙ୍କ ଶୋ’ କୁ ମିଳିତ ମଂଚ ସହ ଜଡ଼ିତ ନେତା ତଥା ମୁଖପାତ୍ରଙ୍କୁ ପଠାଇବା ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି। ତା’ପର ଦିନ ଅର୍ଥାତ ୧୪ ତାରିଖ ଦିନ କମିଟି ଏକ ତାଲିକା ପ୍ରକାଶ କରିଥିଲା। ଯେଉଁଥିରେ ୧୪ ଜଣ ବରିଷ୍ଠ ସାମ୍ବାଦିକଙ୍କ ନାମ ପ୍ରକାଶ ପାଇଥିଲା। ଏଥି ମଧ୍ୟରେ ଅଶୋକ ଶ୍ରୀବାସ୍ତବ, ଅର୍ଣ୍ଣବ ଗୋସ୍ୱାମୀ, ଆନନ୍ଦ ନରସିଂହନ, ଆଦିତ୍ୟ ତ୍ୟାଗୀ, ଅମନ ଚୋପ୍ରା, ଅମିଶ ଦେବଗନ, ଚିତ୍ରା ତ୍ରିପାଠୀ, ଗୌରବ ସାୱନ୍ତ, ନବିକା କୁମାର, ପ୍ରାଚୀ ପରାଶର, ରୁବିକା ଲିୟାକତ, ଶିବ ଆରୁର, ସୁଧୀର ଚୌଧୁରୀ, ସୁଶାନ୍ତ ସିଂଙ୍କ ନାମ ରହିଛି। ଆଇଏନ୍‌ଡିଆଇ ଆଲାଏନ୍ସ ଗଣମାଧ୍ୟମ ଉପରେ ସେନ୍ସର ଲଗାଇ ଜରୁରୀକାଳୀନ ପରିସ୍ଥିତି- ୨.୦ ଆରମ୍ଭ କରିଛି। ଏବେ ପ୍ରଶ୍ନ ଉଠୁଛି ଏମାନେ କେନ୍ଦ୍ରରେ କ୍ଷମତାକୁ ନଆସୁଣୁ ଏମିତି, କ୍ଷମତାକୁ ଆସିଲେ ହେବେ କେମିତ? ବିରୋଧୀଙ୍କ ଏହି ଆଚରଣ କେବଳ ଆଙ୍କରଙ୍କ ବହିଷ୍କାର ପର୍ଯ୍ୟନ୍ତ ସୀମିତ ରହିବ କି? ନ୍ୟୁଜ ଚ୍ୟାନେଲଗୁଡ଼ିକର ରାଜସ୍ୱର ଏକ ଅଂଶ ବିଜ୍ଞାପନରୁ ହିଁ ମିଳିଥାଏ, ଯାହା ବିଭିନ୍ନ ସରକାରଙ୍କଠାରୁ ମିଳିଥାଏ। ଦେଶର ୧୧ଟି ରାଜ୍ୟରେ ଆଇଏନ୍‌ଡିଆଇ ମେଂଟର ସରକାର ରହିଛି। କ’ଣ ସେହି ରାଜ୍ୟର ସରକାର ଗୁଡ଼ିକ ଉକ୍ତ ଚ୍ୟାନେଲ ଗୁଡ଼ିକର ବିଜ୍ଞାପନ ବନ୍ଦ କରିଦେବେ? ବିଜ୍ଞାପନ ବନ୍ଦ କରି ଚ୍ୟାନେଲ ମାଲିକଙ୍କ ଉପରେ ସେମାନଙ୍କୁ ଚାକିରୀରୁ ବିଦା କରିବା ପାଇଁ ଚାପ ସୃଷ୍ଟି କରିବେ?

ଯାହା ଜଣାପଡୁଛି କ୍ଷମତା ନିମନ୍ତେ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ଆଇଏନ୍‌ଡିଆଇ ମେଂଟ ସବୁ କିଛି କରିପାରେ। କିନ୍ତୁ ଏହି ମେଂଟ ଅଭିବ୍ୟକ୍ତିର ସ୍ୱାଧୀନତା ବିରୋଧରେ ଏପରି କରୁଥିଲେ ମଧ୍ୟ ସମସ୍ତେ ନିରବ ସାଧକ କାହିଁକି ସାଜିଛନ୍ତି? ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ଯେଉଁମାନେ ଚିତ୍କାର କରୁଥିଲେ ସେମାନେ ଏ ବିଷୟରେ ନିରବ କାହିଁକି? ଦେଶ ବିଦେଶରେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଗଣମାଧ୍ୟମର ସ୍ୱାଧୀନତା ଉପରେ ଦିନ ରାତି ଭାଷଣ ଦେଉଥିବା ଲୋକମାନଙ୍କ ଗାଲରେ ଏହା ଏକ ଶକ୍ତ ଚାପୁଡ଼ା ନୁହେଁକି? ଗଣତନ୍ତ୍ର ଏବଂ ସମ୍ବିଧାନ ବିପଦରେ, ଏହାକୁ ବଂଚାଇବା ପାଇଁ ଚିତ୍କାର କୁରଥିଲେ, ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ଭାରତକୁ ବଦନାମ କରୁଥିଲେ, ଏବେ ସେମାନଙ୍କ ଚେହେରା କାହିଁ ଦେଖାଯାଉନାହିଁ? ଗଣତନ୍ତ୍ର, ସମ୍ବିଧାନ ଏବଂ ଅଭିବ୍ୟକ୍ତି ସ୍ୱାଧୀନତାର ରକ୍ଷାକାରୀଙ୍କ ଅସଲ ଚେହେରା ଏବେ ପଦାରେ ପଡ଼ି ଯାଇଛି। ଏମାନେ ହେଉଛନ୍ତି ଏକଛତ୍ରବାଦୀ ଶାସକ ଇନ୍ଦିରା ଗାନ୍ଧୀଙ୍କର ପ୍ରକୃତ ଉତ୍ତରାଧିକାରୀ, ଯେଉଁମାନେ କି ଗଣତନ୍ତ୍ର, ସମ୍ବିଧାନ ଓ ଗଣମାଧ୍ୟମକୁ ଦଳି ମକଚି ଦେଇଛନ୍ତି। କଂଗ୍ରେସ ଏବଂ ଏହାର ନେତାମାନଙ୍କ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ସ୍ୱରକୁ ଦମନ କରିବା ସହିତ ସେମାନଙ୍କୁ ଡରାଇବା ପାଇଁ ଏପରି କରନ୍ତି ଏବଂ ଯେଉଁମାନେ ସେମାନଙ୍କ ସ୍ୱରରେ ସ୍ୱର ମିଳାନ୍ତି ନାହିଁ, ସେମାନଙ୍କର ଜୟଜୟକାର କରନ୍ତି ନାହିଁ।

ଯଦିଓ କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ନାହିଁ, ତଥାପି ଯେଉଁ ଯେଉଁ ରାଜ୍ୟରେ ସରକାରରେ ଅଛନ୍ତି ସେଠାରେ ନିଜ ରାଜ୍ୟ ସରକାରଙ୍କ ମାଧ୍ୟମରେ ସାମ୍ବାଦିକମାନଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି। କଂଗ୍ରେସ ନେତା ଏବଂ ସେମାନଙ୍କ ସରକାରଙ୍କ କଳାକାରନାମାକୁ ପ୍ରକାଶ କରୁଥିବା ସାମ୍ବାଦିକମାନଙ୍କ ନାମରେ ମିଥ୍ୟା ମାମଲା ଦାୟର କରି ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ନିକଟରେ କର୍ଣ୍ଣାଟକରେ ଆଜତକର ପରାମର୍ଶଦାତା ସମ୍ପାଦକ ସୁଧୀର ଚୌଧୁରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ନ୍ୟୁଜ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ସୁଧୀର ଚୌଧୁରୀ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରୁଥିବାର ଅଭିଯୋଗ କର୍ଣ୍ଣାଟକ ସରକାର କରିଛନ୍ତି। ଅପରପକ୍ଷରେ, ଏକ ସରକାରୀ ଯୋଜନାର କାର୍ଯ୍ୟକାରିତା ଏବଂ ହିନ୍ଦୁମାନଙ୍କ ପ୍ରତି ଭେଦଭାବ ବିଷୟରେ ସୁଧୀର ଚୌଧୁରୀ ଆଇନଗତ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରିଥିଲେ। ସେ କଂଗ୍ରେସର ତୁଷ୍ଟିକରଣ ନୀତି ଉପରେ ପ୍ରଶ୍ନ ଉଠାଇଥିଲେ। ସୁଧୀର ଚୌଧୁରୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ‘କର୍ଣ୍ଣାଟକର କଂଗ୍ରେସ ସରକାର ମୋ ବିରୋଧରେ ଏଫ୍‌ଆଇଆର କରିଥିବାର ମୋତେ ସୂଚନା ମିଳିଛି। ମୋତେ ଗିରଫ କରିବା ପାଇଁ ଯୋଜନା ହୋଇଛି। ମୁଁ ସେଥିପାଇଁ ପ୍ରସ୍ତୁତ। ମୋର ପ୍ରଶ୍ନ ଥିଲା ଯେ, ଆତ୍ମନିର୍ଭରଶୀଳ ସାରଥୀ ଯୋଜନାରେ ହିନ୍ଦୁ ସଂପ୍ରଦାୟଙ୍କୁ କାହିଁକି ସାମିଲ କରାଯାଇ ନାହିଁ? ଏହି ଲଢ଼େଇ ପାଇଁ ମୁଁ ପ୍ରସ୍ତୁତ। ଆପଣଙ୍କ ସହିତ ଅଦାଲତରେ ସାକ୍ଷାତ ହେବ।’

କେବଳ ସୁଧୀର ଚୌଧୁରୀଙ୍କୁ ଭୟଭୀତ କରି ନାହାଁନ୍ତି, ଏହିପରି କଂଗ୍ରେସ ଶାସିତ ରାଜ୍ୟମାନେ ଅନେକ ସାମ୍ବାଦିକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସ ସରକାରରେ ପୀଡ଼ିତ ସାମ୍ବାଦିକଙ୍କ ତାଲିକା ବହୁତ ଲମ୍ବା। ମନୀଷ କଶ୍ୟପ, ଅମନ ଚୋପ୍ରା, ରୋହିତ ରଂଜନ ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କ ପରି ପ୍ରମୁଖ ସାମ୍ବିଦକଙ୍କ ଉପରେ ସେହି ରାଜ୍ୟର କଂଗ୍ରେସ ସରକାର ଅତ୍ୟାଚାର କରିବା ସହିତ ଆଇନ କାନୁନକୁ ଦଳି ମକଚି ଦେଇଛନ୍ତି। ତାମିଲନାଡୁର ଷ୍ଟାଲିନ ସରକାର ୟୁଟ୍ୟୁବର ମନୀଷ କାଶ୍ୟପଙ୍କ ଉପରେ ଏନ୍‌ଏସ୍‌ଏ ଲଗାଇଛନ୍ତି। ରାଜସ୍ଥାନର ଗେହଲଟ୍ ସରକାର ନ୍ୟୁଜ-୧୮ର ଆଙ୍କର ଅମନ ଚୋପ୍ରାଙ୍କୁ ଗରିଫ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ରାଜସ୍ଥାନ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଗେହଲଟ୍ ସରକାରଙ୍କ ଯୋଜନା ପାଣି ଫାଟିଗଲା। ସେହିପରି ଛତିଶଗଡ଼ ପୋଲିସ ୟୁପି ପୋଲିସକୁ ନଜଣାଇ ଜି ନ୍ୟୁଜ ଆଙ୍କର ରୋହିତ ରଂଜନକୁ ଗିରଫ କରିବାକୁ ଚେଷ୍ଟା କରିଥିଲେ। ଏହା ବ୍ୟତୀତ ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରିପବ୍ଲିକ ଗ୍ରୁଫର ସମ୍ପାଦକ ତଥା ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନେକ ହଇରାଣ ହରକତ କରିଛନ୍ତି। ଅଘାଡ଼ି ସରକାର ତାଙ୍କ ପରିବାର ସଦସ୍ୟମାନଙ୍କ ପ୍ରତି ନିଷ୍ଠୁର ଆଚରଣ ମଧ୍ୟ କରିଛି।

ଯଦି ଆମେ ଗତ ୭୫ ବର୍ଷର ଇତିହାସକୁ ଦେଖିବା ତେବେ କଂଗ୍ରେସ ଏବଂ ଏହାର ସହଯୋଗୀ ସରକାର ଗଣତନ୍ତ୍ର, ସମ୍ବିଧାନ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ସହିତ ସବୁଠାରୁ ଅଧିକ ଖେଳ ଖେଳିଛନ୍ତି। କ୍ଷମତାର ନିଶାରେ ପାଗଳ ହୋଇ ନେହେରୁ-ଗାନ୍ଧୀ ପରିବାର ସ୍ୱାଧୀନତା ପରଠାରୁ ଗଣମାଧ୍ୟର କଣ୍ଠରୋଧ କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କ ବିରୋଧରେ ପ୍ରକାଶିତ ଖବରକୁ ପସନ୍ଦ କରୁନଥିଲେ। ସେତେବେଳେ ମଧ୍ୟ ନେହେରୁ ସାମ୍ବାଦିକମାନଙ୍କୁ ଭୟଭୀତ କରିବା ସହିତ ଧମକ ଦେବାକୁ ଚେଷ୍ଟା କରିଥିଲେ। ଥରେ ନେହେରୁଙ୍କ ବଂଶବାଦ ଚେହେରା ପ୍ରକାଶ ପାଇବାରୁ ସେ ବିବ୍ରତ ହୋଇ ପଡ଼ିଥିଲେ। ସାମ୍ବାଦିକମାନଙ୍କୁ ଏହାର ଉତ୍ସ ବିଷୟରେ ପଚରାପଚରି କରିଥିଲେ। ଭାରତର ସର୍ବଶ୍ରେଷ୍ଠ ସାମ୍ବାଦିକ ଏବଂ ସଂପାଦକ ଦୁର୍ଗା ଦାସଙ୍କ ଚେୟାର ଛଡ଼ାଇ ନେଇଥିଲେ। ସେହିଭଳି ପ୍ରସିଦ୍ଧ ସାପ୍ତାହିକ ପତ୍ରିକା ବ୍ଲିଜ୍‌ ଥରେ ଏକ କଭର ଷ୍ଟୋରୀ ପ୍ରକାଶ କରିଥିଲା ଯେ ଇନ୍ଦିରା ଗାନ୍ଧୀ ଜଣେ ବଡ଼ ବ୍ୟବସାୟୀଙ୍କଠାରୁ ମହଙ୍ଗା ଶାଢ଼ୀ ଉପହାର ନେଇଥିଲେ। ଏ ଘଟଣା ନେଇ ନେହରୁ ସେହି ପତ୍ରିକାକୁ ଆଇନଗତ ନୋଟିସ ପଠାଇଥିଲେ। ନେହରୁଙ୍କ ଧମକ ଯୋଗୁ ଭୟଭୀତ ହୋଇ ପତ୍ରିକା କ୍ଷମା ମାଗିଥିଲା। ନେହରୁ ଓ ଚୀନର ବନ୍ଧୁତ୍ୱ ସଂପର୍କରେ ପିଟିଆଇର ଜଣେ ସାମ୍ବାଦିକ ଖବର ପଠାଇବାରୁ ନେହରୁ ତାଙ୍କୁ ବଦଳି କରିଦେଇଥିଲେ। ୧୯୭୫ ମସିହା ଜୁନ ୨୫-୨୬ ରାତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି। ଭାରତୀୟ ଗଣତନ୍ତ୍ରରେ ଏହା ଏକ କଳା ଅଧ୍ୟାୟ। ଏହି ସମୟରେ ନାଗରୀକମାନଙ୍କର ସମସ୍ତ ମୌଳିକ ଅଧିକାର ରଦ୍ଦ କରିଦିଆଯାଇଥିଲା। ରାଜନେତାମାନଙ୍କୁ ଜେଲରେ ରଖାଯାଇଥିଲା। କାରାଗାରରେ ଲୋକମାନଙ୍କୁ ପଶୁ ପରି ରଖି ସେମାନଙ୍କୁ ବୀଭତ୍ସ ଯାତନା ଦିଆଯାଇଥିଲା। ଏହି ସମୟରେ ୩୨୭ ଜଣ ସାମ୍ବାଦିକଙ୍କୁ ମିସା ଆଇନ ଦ୍ୱାରା ଜେଲରେ ବନ୍ଦୀ କରି ରଖାଯାଇଥିଲା।

ଦେଶ ବର୍ତ୍ତମାନ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ୪୮ ବର୍ଷ ପୂର୍ଣ୍ଣ ହୋଇଛି। ପ୍ରତ୍ୟେକ ଭାରତୀୟ ଗର୍ବର ସହିତ କହୁଛନ୍ତି ଯେ, ସେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନାଗରିକ। ଏହି ଗଣତନ୍ତ୍ର ଦେଶରେ ୪୮ ବର୍ଷ ପୂର୍ବେ ଜରୁରୀକାଳନୀନ ପରିସ୍ଥିତି ସହିବାକୁ ପଡ଼ିଥିଲା। କ୍ଷମତା ପାଇଁ ଗଣତନ୍ତ୍ରକୁ ହତ୍ୟା କରିବାର ପାପ କଂଗ୍ରେସ କରିଥିଲା। ଏବେ ପୁଣି ଥରେ କଂଗ୍ରେସ ଓ ତାଙ୍କ ମେଂଟ ସାମାଜିକ ସମରସତାଠାରୁ ଦୂରେଇ ଯାଇ ସେହି ପାପ କରିବାକୁ ଯାଉଛନ୍ତି।

ଘିଗିଡିଆ, ବାରୁଅ, କେନ୍ଦ୍ରାପଡ଼ା

ମୋ-୯୮୬୧୦୬୯୫୫୩

Related story