ଇସ୍ପାତ କାରଖାନା ପାଇଁ ଓଡ଼ିଶା ଆଗ୍ରହ ପ୍ରକାଶ କରିବାର କୌଣସି କାରଣ ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଇ ବିଶ୍ୱର ଏକ ଶ୍ରେଷ୍ଠ ଇସ୍ପାତ କାରଖାନା ଭାବେ ପରିଚିତ ନିପ୍ପନ୍ କାରଖାନା ବୁଲି ଦେଖିବା ଓ ନିପ୍ପନ ଓଡ଼ିଶାରେ ୩୦ ନିୟୁତ ଟନ୍ ଉତ୍ପାଦନକ୍ଷମ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ଥିବାର ଯେଉଁ ପ୍ରତିଶ୍ରୁତି ହାସଲ କରିଛନ୍ତି, ତାହା ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିବ ନାହିଁ। କାରଣ ଭାରତରେ ଏବେ ଯେତେ ଇସ୍ପାତ ଶିଳ୍ପ ପ୍ରତିଷ୍ଠିତ ହେଉଛି, ସେଥିରୁ ସର୍ବାଧିକ ଭାଗ ଓଡ଼ିଶାରେ ହେଉଛି। ସମୟ ଥିଲା ଯେତେବେଳେ ଓଡ଼ିଶାରେ ଦ୍ୱିତୀୟ ଇସ୍ପାତ କାରଖାନା ପାଇଁ ବିଜୁ ପଟ୍ଟନାୟକ ସମସ୍ତ ଉଦ୍ୟମ କରି ମଧ୍ୟ ସଫଳ ହୋଇନଥିଲେ। କିନ୍ତୁ ଜଗତୀକରଣ ଓ ନୂଆ ଅର୍ଥନୀତି ପରେ ଖଣିଜ ସଂପଦରେ ଭରପୂର ଓଡ଼ିଶାରେ ଇସ୍ପାତ କାରଖାନା ପାଇଁ ଅନେକ ପ୍ରସ୍ତାବ ଆସିଛି ଏବଂ ନବୀନ ପଟ୍ଟନାୟକଙ୍କ ଶାସନରେ ସେଥିରୁ ଅନେକ କାର୍ଯ୍ୟକ୍ଷମ ହୋଇଛି।
ରାଜ୍ୟରେ ପ୍ରଥମେ ପ୍ରତିଷ୍ଠିତ ହୋଇଥିବା ରାଉରକେଲା ଷ୍ଟିଲ୍ ପ୍ଲାଂଟ ଫଳରେ ଯେଉଁ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇଥିଲା ତାହାକୁ ଲକ୍ଷ୍ୟ ରଖି ବିଜୁ ପଟ୍ଟନାୟକ ଇସ୍ପାତ କାରଖାନା ପାଇଁ ଆଗ୍ରହୀ ହୋଇଥିଲେ। କିନ୍ତୁ ଓଡ଼ିଶାରେ ଅନେକଗୁଡିଏ ଇସ୍ପାତ କାରଖାନା ପ୍ରତିଷ୍ଠା ପରେ ରାଜ୍ୟରେ ବେକାରୀ ସମସ୍ୟାର କୌଣସି ସମାଧାନ ହୋଇନାହିଁ। ଏବେ ପ୍ରତିଷ୍ଠିତ ଇସ୍ପାତ କାରଖାନାରେ ଉତ୍ପାଦନ କ୍ଷମତା ରାଉରକେଲାଠାରୁ ଯଥେଷ୍ଟ ଅଧିକ ହୋଇଥିଲେ ମଧ୍ୟ ନିଯୁକ୍ତି ସୁବିଧା ସେପରି ହୋଇନାହିଁ। ବାସ୍ତବରେ ରାଜ୍ୟର ପରିବେଶ ଉପରେ ଏଗୁଡ଼ିକ ଗୁରୁତର ପ୍ରଭାବ ସୃଷ୍ଟି କରିଛି। ସେଥିପାଇଁ ଦକ୍ଷିଣ କୋରିଆର ଏକ ପ୍ରସିଦ୍ଧ ଇସ୍ପାତ କମ୍ପାନୀ ପସ୍କୋ ୧୨ ଲକ୍ଷ ନିୟୁତ ଟନ୍ ଉତ୍ପାଦନକ୍ଷମ କାରଖାନା ପ୍ରତିଷ୍ଠା ପାଇଁ ପ୍ରାୟ ୫୨ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜି ବିନିଯୋଗର ପ୍ରସ୍ତାବ ଦେଇ କାର୍ଯ୍ୟ ଆରମ୍ଭ କରିବା ସମୟରେ ଯେଉଁ ଅଞ୍ଚଳରେ ଏହି କାରଖାନା ପ୍ରତିଷ୍ଠିତ ହୋଇଥାନ୍ତା ସେଠାରେ ଜନସାଧାରଣ ଏହାର ତୀବ୍ର ବିରୋଧ କରିଥିଲେ। ବାସ୍ତବରେ ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଞ୍ଚଳରେ ହୋଇଥିବା ପସ୍କୋ ବିରୋଧୀ ଆନ୍ଦୋଳନ ସାରା ଦେଶରେ ବିସ୍ଥାପନ ବିରୋଧୀ ସବୁଠାରୁ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା। ତା’ଛଡ଼ା ପସ୍କୋ କମ୍ପାନୀ ଏହି କାରଖାନା ପ୍ରତିଷ୍ଠା ପାଇଁ ଯେଉଁ ଲୁହା ଖଣି ନେବାକୁ ଚାହିଁଥିଲା ତାହା ଏପରି ଅଞ୍ଚଳରେ ଅବସ୍ଥିତ ଯେ ସେଠାରେ ସେହି ଖଣି ପ୍ରତିଷ୍ଠା ଦ୍ୱାରା ପରିବେଶ ଧ୍ୱଂସ ସହିତ ଏକ ବଡ଼ ଜଳ ଉତ୍ସ ନଷ୍ଟ ହୋଇଯାଇଥାନ୍ତା ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ଏହି ଖଣି ମଞ୍ଜୁରୀ କରିବାରେ ସାହସ ପ୍ରଦର୍ଶନ କଲା ନାହିଁ। ଫଳରେ ପସ୍କୋ କମ୍ପାନୀ ଓଡ଼ିଶାରୁ ବିଦାୟ ନେଇଥିଲା। ତା’ପରେ ଓଡ଼ିଶାରେ ଆହୁରି ଅନେକ ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଛି ଓ ସରକାରଙ୍କ ନୂଆ ଖଣି ଆଇନ୍ ଫଳରେ ଖଣି ନିଲାମ ଅଧିକ ସହଜ ହୋଇଯାଇଛି।
ବାସ୍ତବରେ ରାଜ୍ୟରୁ ପ୍ରଚୁର ଖଣିଜ ପଦାର୍ଥ ଉତ୍ପାଦନ ଓ ଖଣି ଅଞ୍ଚଳରେ ଆଦିବାସୀମାନଙ୍କ ଜୀବନ ବିପନ୍ନ ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ ବୃଦ୍ଧି ପାଇବା ଫଳରେ ରାଜ୍ୟର ବାର୍ଷିକ ବଜେଟ୍ ସହଜରେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାରେ ପହଂଚିପାରିଛି। ସେହି ଖଣି ରାଜସ୍ୱ ଓ ଖଣି ଆଇନରେ ଜିଲ୍ଲା ଖଣି ପାଣ୍ଠି ଯୋଗୁ ଜିଲ୍ଲା ସ୍ତରରେ ଖଣି କ୍ଷତିଗ୍ରସ୍ତ ଅଞ୍ଚଳରେ କାମ କରିବା ପାଇଁ ଜିଲ୍ଲାପାଳମାନଙ୍କ ହାତରେ ବିସ୍ତୃତ ଅର୍ଥ ସଂଗୃହୀତ ହୋଇଛି। ଏବେ ଏକ ସମୟ ଆସି ପହଂଚିଛି ଯେଉଁଠାରେ ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାରେ ଏକ ରୋକ ଲଗାଯିବାର ଆବଶ୍ୟକତା ରହିଛି। କାରଣ ଯେଉଁ ଭାବରେ ରାଜ୍ୟରୁ ଲୁହାପଥର, ମାଙ୍ଗାନିଜ୍, କୋଇଲା, ବକ୍ସାଇଟ୍ ପ୍ରଭୃତି ଖଣିଜ ପଦାର୍ଥ ଉତ୍ପାଦିତ ହେଉଛି ଓ ଯେପରି ଭାବରେ ଖଣି ନିଲାମୀ ପ୍ରକ୍ରିୟା ଚାଲିଛି ସେଥିରେ ଆସନ୍ତା ୨୦/୩୦ ବର୍ଷ ଭିତରେ ରାଜ୍ୟର ଖଣିଜ ସଂପଦ କେଉଁ ଅବସ୍ଥାରେ ପହଂଚିବ ଓ ଏହିସବୁ ଖଣି ଫଳରେ କେତେ ଅଞ୍ଚଳ ମରୁଭୂମିରେ ପରିଣତ ହେବ ତା’ର ଯେପରି ହିସାବ କରାଯିବା କଥା ତାହା ହେଉନାହିଁ।
ରାଜ୍ୟର ଖଣିଜ ସଂପଦ କେବଳ ବର୍ତ୍ତମାନ ପିଢ଼ି ପାଇଁ ଉଦ୍ଦିଷ୍ଟ ବୋଲି ଭାବିବା ଭୁଲ ହେବ। ତା’ଛଡ଼ା, ଏହିସବୁ ଖଣିଗୁଡ଼ିକ ପାଇଁ ସେହିସବୁ ଅଞ୍ଚଳରେ ରହୁଥିବା ବିଶେଷ ଭାବେ ଆଦିବାସୀ ଶ୍ରେଣୀ ଯେପରି କ୍ଷତିଗ୍ରସ୍ତ ହେଉଛନ୍ତି ସେଥିରେ ସେମାନଙ୍କ ଜୀବନ ଜୀବିକା ଓ ସଂସ୍କୃତି ନେଇ ଗୁରୁତର ପ୍ରଶ୍ନ ଉତ୍ଥାପିତ ହୋଇଛି। ଏପରିସ୍ଥଳେ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଜାପାନରୁ ଇସ୍ପାତ କାରଖାନା ନିମନ୍ତେ ପ୍ରସ୍ତାବ ଆଣିବା ରାଜ୍ୟ ପାଇଁ କିପରି ଲାଭଦାୟକ ହେବ ତାହା ବୁଝିବା ମୁସ୍କିଲ୍। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ପାରାଦୀପ ବନ୍ଦର ଆରମ୍ଭ ହେବା ସମୟରେ ବିଦେଶକୁ ସେଠାରୁ ଦ୍ରବ୍ୟ ପଠାଇବା ପାଇଁ ଅନ୍ୟ କିଛି ନଥିଲା। ସେହି ସ୍ଥାନରୁ ଲୁହାପଥର ଜାପାନକୁ ପଠାଇବା ଏକମାତ୍ର ଲକ୍ଷ୍ୟ ଭାବରେ ଗୃହୀତ ହୋଇଥିଲା। ଅବଶ୍ୟ ସେହି ଲୁହାପଥର ପଠାଇବା ପାଇଁ ଏକ୍ସପ୍ରେସ୍ ହାଇୱେ ନିର୍ମାଣକୁ ତତ୍କାଳୀନ ବିଜୁ ପଟ୍ଟନାୟକଙ୍କ ସରକାର ତ୍ୱରାନ୍ୱିତ କରିଥିଲେ। ଯେଉଁ ସମୟରେ ଜାପାନକୁ ପାରାଦୀପରୁ ଲୁହାପଥର ପଠାଯାଉଥିଲା, ସେହି ସମୟରେ ଭାରତ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ଯେଉଁ ଯୋଜନା କରିଥିଲା ସେଥିରେ ଜାପାନର ଧାନଚାଷ ପ୍ରଣାଳୀକୁ ବ୍ୟବହାର କରାଯାଇଥିଲା। କାରଣ ଜାପାନରେ ଚାଷଜମିର ପରିମାଣ କମ୍ ଥିଲେ ମଧ୍ୟ ସେମାନେ ଉନ୍ନତ ଉପାୟରେ ଚାଷ କରି ଧାନ ଉତ୍ପାଦନରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସବୁଜ ବିପ୍ଳବ ଜରିଆରେ ଭାରତର ଓ ବିଶେଷଭାବେ ପଞ୍ଜାବ, ହରିଆନା ଓ ପଶ୍ଚିମ-ଉତ୍ତର ପ୍ରଦେଶରେ ଯେଉଁ ସଫଳତା ଚାଷୀମାନେ ପାଇଥିଲେ ତାହା ଓଡ଼ିଶାରେ ହୋଇପାରିନଥିଲା। ଏବେ ମଧ୍ୟ ମୁଣ୍ଡପିଛା କୃଷି ଆୟରେ ଓଡ଼ିଶା ଶେଷ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି। ଏପରି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶୀ ପୁଞ୍ଜି ଯୋଗାଡ଼ ନିମନ୍ତେ ଜାପାନରେ ଇସ୍ପାତ କାରଖାନା ପାଇଁ ପ୍ରସ୍ତାବ ଆଣିବାର କୌଣସି କାରଣ ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ସହିତ ଯାଇଥିବା ଦଳ ଟୋକିଓଠାରେ ଅନୁଷ୍ଠିତ ଓଡ଼ିଶା ବାଣିଜ୍ୟିକ ସମ୍ମିଳନୀରୁ ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଥିବା କୁହାଯାଉଛି। ଏହିସବୁ ଶିଳ୍ପଗୁଡ଼ିକ ମଧ୍ୟରୁ ଅଧିକାଂଶ ଧାତବ ଆନୁସଙ୍ଗିକ, ଧାତବ ଡାଉନଷ୍ଟ୍ରିମ୍ ସହିତ ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ ଓ ଗ୍ରୀନ୍ ଏନର୍ଜି ଉତ୍ପାଦନ ସହିତ ଆଇଟି ଶିଳ୍ପ ବି ରହିଛି। ଅବଶ୍ୟ ଏମାନଙ୍କ ଭିତରୁ ବାସ୍ତବରେ କେତେଗୁଡ଼ିଏ ଶିଳ୍ପ ଆସିବ ତାହା ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିବ। କିନ୍ତୁ ଅସଲକଥା ହେଉଛି, ଓଡ଼ିଶାରେ ପ୍ରକୃତ ନିଯୁକ୍ତି ସୃଷ୍ଟି ପାଇଁ କୃଷି ଓ ପର୍ଯ୍ୟଟନ କ୍ଷେତ୍ରରେ ଜାପାନ ସଂସ୍ଥାମାନେ ଆଗ୍ରହ ପ୍ରକାଶ କରୁଛନ୍ତି ନା ନାହିଁ? ଓଡ଼ିଶାରେ ବୌଦ୍ଧ ଧର୍ମର ବହୁ ପ୍ରାଚୀନ କିର୍ତ୍ତୀ ଓ କ୍ଷେତ୍ରମାନ ରହିଛି। ତେଣୁ ଓଡ଼ିଶାରେ ସେହିସବୁ କ୍ଷେତ୍ରର ବିକାଶ ସହିତ ପର୍ଯ୍ୟଟନ ଶିଳ୍ପକୁ ମଜଭୁତ କରିବା ପାଇଁ ଜାପାନ ଶିଳ୍ପପତି ଓ ନିବେଶକମାନେ ଆଗ୍ରହ ପ୍ରକାଶ କଲେ ଓଡ଼ିଶା ଅଧିକ ଲାଭବାନ ହୋଇପାରିବ। ନିପ୍ପନ୍ ଇସ୍ପାତ ପ୍ରକଳ୍ପ ଯଦି ପ୍ରତିଷ୍ଠା ହୁଏ, ତେବେ ମିତ୍ତଲ କମ୍ପାନୀ ସହାୟତାରେ ତାହା ସେମାନେ ହୁଏତ କରିବେ ବୋଲି ଜଣାପଡିଛି। ମିତ୍ତଲ ପାଇଁ ମହାକାଳପଡ଼ା ଅଞ୍ଚଳରେ ଜମି ଅଧିଗ୍ରହଣ ନିମନ୍ତେ ଯେଉଁ ଉଦ୍ୟମ ଚାଲିଛି, ତା’ର ସଫଳତା ନେଇ ଏବେ ବି ପ୍ରଶ୍ନ ରହିଛି। ତେବେ ନିପ୍ପନ୍ କାରଖାନା ପ୍ରତିଷ୍ଠା କଲେ ମଧ୍ୟ ଯେହେତୁ ମିତ୍ତଲ ଜରିଆରେ ଏହା ପ୍ରତିଷ୍ଠା କରିବ, ସେଥିରେ ଓଡ଼ିଶା ସରକାର ଅଧିକ ଆଗ୍ରହ ପ୍ରକାଶ କରିବାର କୌଣସି କାରଣ ନାହିଁ। ବରଂ ନିପ୍ପନ୍ ଯଦି ଓଡ଼ିଶାରେ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରେ ତେବେ ତାହାକୁ ଭିତ୍ତିକରି ଆହୁରି ଅନେକ ଶିଳ୍ପ ପ୍ରତିଷ୍ଠିତ ହେବ।
ଜାପାନରେ ରହି ଓଡ଼ିଶା ଦଳର ଯେଉଁ ପ୍ରଚାର ଭିଡ଼ିଓ ଜରିଆରେ ଗଣମାଧ୍ୟମରେ ଚାଲିଛି ସେଥିରେ ଓଡ଼ିଶା ଲୋକ ଯେତିକି ପ୍ରଭାବିତ ହେବେ ତା’ଠାରୁ ଅଧିକ ପ୍ରଶ୍ନ ମଧ୍ୟ ପଚାରିବେ। ଏହି ଦଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ପଦସ୍ଥ ଅଧିକାରୀଙ୍କ ସହିତ ଜଣେ ସାଂସଦ ଓ କେତେକ ଶିଳ୍ପପତି ଯାଇଥିଲେ ମଧ୍ୟ କେବଳ ଜଣେ ଅଫିସର ଯିଏକି ମୁଖ୍ୟମନ୍ତ୍ରୀଙ୍କ ସଚିବ ତାଙ୍କରି ହିଁ ଅଧିକ ପ୍ରଚାର କରାଯାଉଛି। ଓଡ଼ିଶା ଶାସନର ସବୁକ୍ଷେତ୍ରରେ ସତେ ଯେପରି ଜଣେମାତ୍ର ଅଧିକାରୀ, ସବୁ ଜ୍ଞାନ ଓ ଚିନ୍ତାର ଅଧିକାରୀ ବୋଲି ସାବ୍ୟସ୍ତ କରିବା ଉଦ୍ୟମ ଚାଲିଛି। କିନ୍ତୁ ଏହା ଉପରେ ପ୍ରକୃତ ମୂଲ୍ୟାୟନ ଏହି ଦଳ ବିଦେଶରୁ ଫେରିବା ପରେ ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ୟୁରୋପ ସହିତ ଦୁବାଇ ଯାଇଥିବା ବେଳେ ଯେଉଁସବୁ ସମ୍ଭାବନା କଥା କହିଥିଲେ ସେଗୁଡିକ ମଧ୍ୟରୁ କ’ଣ ବାସ୍ତବରେ ସଫଳ ହୋଇଛି ତା’ର ପ୍ରଶ୍ନ ତ ନିଶ୍ଚିତ ପଚରାଯିବ।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫