ବଲାଙ୍ଗୀର ଜିଲ୍ଲାରେ ଗତ କିଛିଦିନ ତଳେ ଜିଲ୍ଲା ପରିଷଦର ଏକ ବୈଠକରେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଜିଲ୍ଲାପାଳ ମନୋମୁଖି ଭାବରେ ବିଜୁ କେବିକେ ଅର୍ଥକୁ ଏପଟ ସେପଟ କରୁଛନ୍ତି ଓ ଯାହାକୁ ଇଚ୍ଛା ତାହାର ଅର୍ଥ କାଟିଦେଉଛନ୍ତି ନେଇ କେତେକ ମନ୍ତବ୍ୟ ସାଲୁଜା ପ୍ରଦାନ କରିବା ପରେ ଜିଲ୍ଲାପାଳଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରିସ୍ଥିତି କେବଳ ଅଣାୟତ୍ତ ହୋଇ ନଥିଲା ବରଂ ବୈଠକଟି ଆଉ ଆଗେଇ ପାରିନଥିଲା। ଜିଲ୍ଲାପାଳଙ୍କ ବ୍ୟବହାରରେ ଅସନ୍ତୁଷ୍ଟ କଂଟାବାଞ୍ଜି ବିଧାୟକଙ୍କୁ ସମର୍ଥନ କରି କଂଟାବାଞ୍ଜିରେ ବିଧାୟକଙ୍କ ସମର୍ଥକମାନେ ପ୍ରତିବାଦ ଧାରଣାରେ ବସିଥିଲେ। ଏହି ଖବର ପ୍ରକାଶିତ ହେବା ପରେ ସମ୍ଭବତଃ ଜିଲ୍ଲାପାଳଙ୍କ ଇଙ୍ଗିତରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ବିଧାୟକଙ୍କ କାର୍ଯ୍ୟର ନିନ୍ଦା କରି ପ୍ରତିବାଦ ଜଣାଇଲେ। ଫଳରେ ସମୁଦାୟ ବିବାଦଟି ନେତା ଓ ସରକାରୀ ଅଧିକାରୀଙ୍କ ଭିତରେ ଚାରିଆଡ଼େ ବ୍ୟାପିଗଲା।
ସେହିକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ବେଲପଡ଼ା ବ୍ଲକରେ ଜିଲ୍ଲା ପରିଷଦ ଦ୍ୱାରା ମଞ୍ଜୁର ଅର୍ଥକୁ ବିଡିଓ ମନଇଚ୍ଛା ଖର୍ଚ୍ଚ କରୁଥିବାରୁ ତାହାର ପ୍ରତିବାଦ କରିବାକୁ ଦୁଇଜଣ ଜିଲ୍ଲା ପରିଷଦ ସଦସ୍ୟ ଧାରଣା ଦେଇଥିଲେ। ସେଠାରେ ବିଡିଓଙ୍କ ଆଚରଣରେ ଅସନ୍ତୋଷ ପ୍ରକାଶ କରି କନକ ବର୍ଦ୍ଧନ ସିଂହଦେଓ ସରକାରୀ ଅଧିକାରୀମାନଙ୍କୁ ସମାଲୋଚନା କରି ଯେଉଁ ମନ୍ତବ୍ୟ ଦେଇଥିଲେ, ସେଗୁଡିକ ଭାଇରାଲ ହୋଇଛି। ୨୦ ତାରିଖରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ କେନ୍ଦ୍ରୀୟ ଯୋଜନା ସମୀକ୍ଷା ନିମନ୍ତେ ଡକାଯାଇଥିବା ବୈଠକରେ ଜିଲ୍ଲାପାଳ ଓ ଅନ୍ୟମାନେ ନପହଂଚିବାରୁ ବିରକ୍ତି ପ୍ରକାଶ କରି ସର୍କିଟ୍ ହାଉସକୁ ଚାଲିଆସିବା ଓ ଜିଲ୍ଲାପାଳ ପରେ ଅନ୍ୟ ଅଧିକାରୀଙ୍କୁ ଧରି ସର୍କିଟ୍ ହାଉସରେ ବୈଠକ ଡକାଇଥିଲେ। କିନ୍ତୁ ଅସଲ କଥା ହେଉଛି, ପ୍ରଥମେ ସଭା ଡିଆରଡିଏ ସଭାଗୃହରେ ଡକାଯାଇଥିଲେ ମଧ୍ୟ ତାହାକୁ ବଦଳାଇ ପଂଚାୟତ ସାଧନ କେନ୍ଦ୍ରକୁ ନିଆଯିବା ଘଟଣା ସାଂସଦଙ୍କୁ ଜଣାଇ ଦିଆଯାଇନଥିଲା। ତେଣୁ ସେ ବିରକ୍ତି ପ୍ରକାଶ କରି ଆସିଥିଲେ, କାରଣ ସେଠାରେ ଜିଲ୍ଲାପାଳ ଉପସ୍ଥିତ ନଥିଲେ। ଏଣୁ ସାଂସଦଙ୍କ ବିରକ୍ତି ଯଥାର୍ଥ ଥିଲା। କିନ୍ତୁ ଅପରାହ୍ଣରେ ହୋଇଥିବା ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏହି ସ୍ଥାନ ପରିବର୍ତ୍ତନ ନେଇ ଅସନ୍ତୋଷ ପ୍ରକାଶ କରି ବୈଠକକୁ ଯାଇନଥିଲେ। ଅନେକ ସରକାରୀ ସମର୍ଥକ ବ୍ଲକ ଅଧ୍ୟକ୍ଷ ବୈଠକ ଛାଡ଼ି ଚାଲିଯାଇଥିଲେ।
ବଲାଙ୍ଗୀରରେ ଏବେ ନେତା ଓ ଅଧିକାରୀଙ୍କ ମଧ୍ୟରେ ଯେଉଁ ମୁହାଁମୁହିଁ ପରିସ୍ଥିତି ହୋଇଛି, ତାହାର ପୃଷ୍ଠଭୂମିରେ ୧୯୮୮ ମସିହାରେ ତତ୍କାଳୀନ ସ୍ୱାଧୀନ ସଦସ୍ୟ ବାଳଗୋପାଳ ମିଶ୍ର ଓ ସେତେବେଳର ଜିଲ୍ଲାପାଳଙ୍କ ଭିତରେ ହୋଇଥିବା ବିବାଦ କିପରି ଘନୀଭୂତ ହୋଇଥିଲା ତାହା ଅନେକ ସ୍ମରଣ କରୁଛନ୍ତି। ସେତେବେଳେ ଜିଲ୍ଲା ପରିଷଦର ଏକ ବୈଠକରେ ବାଳଗୋପାଳ ମିଶ୍ର କେତେକ ପ୍ରସଂଗ ଉପରେ ଜିଲ୍ଲାପାଳଙ୍କଠାରୁ ଉତ୍ତର ଚାହିଁଥିଲେ। କିନ୍ତୁ ସେତେବେଳର ଜିଲ୍ଲାପାଳ ରମେଶ ବେହେରା ସ୍ପଷ୍ଟ ଭାବେ କହିଥିଲେ ଯେ ସେ ଉତ୍ତର ଦେବାକୁ ବାଧ୍ୟ ନୁହଁନ୍ତି। ବିଧାୟକ ମିଶ୍ର ଏହାକୁ ନେଇ ପାଟିତୁଣ୍ଡ କରିବା ସହିତ ବିଧାୟକଙ୍କ ପ୍ରଶ୍ନର ଉତ୍ତର ସେ ଦେବାକୁ ବାଧ୍ୟ ବୋଲି କହିଥିଲେ। ଏହାକୁ ନେଇ ବୈଠକରେ ଏତେ ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଜିଲ୍ଲାପାଳ ବୈଠକକୁ ସ୍ଥଗିତ କରିଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ବୈଠକ ଆରମ୍ଭ ହେବା କ୍ଷଣି ବିଧାୟକ ମିଶ୍ର ପୁଣି ସେହି ପ୍ରସଂଗ ଉଠାଇଥିଲେ। ଏଥିରେ ବିରକ୍ତ ହୋଇ ଜିଲ୍ଲାପାଳ ବିଧାୟକଙ୍କୁ ବୈଠକ ଛାଡ଼ି ଚାଲିଯିବା ପାଇଁ କହିଥିଲେ।
ଏଥିରେ ବିଧାୟକ କ୍ଷୁବ୍ଧ ହୋଇ କହିଥିଲେ ଯେ ପ୍ରୋଟକଲରେ ବିଧାୟକ ହେଉଛନ୍ତି ଜିଲ୍ଲାପାଳଙ୍କ ଉପରେ। ତେଣୁ ସେ ତାଙ୍କୁ ବୈଠକରୁ ବାହାର କରିପାରିବେ ନାହିଁ। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ଅଧିକାରୀ ମିଶ୍ରଙ୍କୁ ସେଠାରୁ ଧରି ଥାନାକୁ ନେଇଯାଇଥିଲେ। ଥାନାରେ ତାଙ୍କ ନାମରେ ବହୁଗୁଡିଏ ମାମଲା ଲଗାଇ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇ ଦେବାରୁ ସେ ଜେଲକୁ ଯାଇଥିଲେ। ଅବଶ୍ୟ ଦୁଇଦିନ ପରେ ହାଇକୋର୍ଟରୁ ତାଙ୍କର ଜାମିନ ଆଦେଶ ଆସିଥିଲା। ଏହି ଘଟଣାକୁ ନେଇ ସେତେବେଳେ ବିଧାନସଭାରେ ଏକ ସ୍ୱାଧିକାର ଭଙ୍ଗ ଅଭିଯୋଗ ଜିଲ୍ଲାପାଳଙ୍କ ବିରୋଧରେ ଆସିଥିଲା। ସ୍ୱାଧିକାର ଭଙ୍ଗ କମିଟି ଏହାର ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଘଟଣାରେ ଜିଲ୍ଲାପାଳ ଓ ପୋଲିସର ଆଭିମୁଖ୍ୟକୁ ନେଇ ସାରା ବଲାଙ୍ଗୀର ଜିଲ୍ଲାରେ ଏପରି ବାତାବରଣ ହୋଇଥିଲା ଯେ ବାଳଗୋପାଳ ମିଶ୍ର ସାରା ଜିଲ୍ଲାର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ଆବିର୍ଭାବ ହୋଇଥିଲେ। ଭାବୁଛି ୧୯୮୯ ଲୋକସଭା ଓ ୧୯୯୦ ବିଧାନସଭାରେ ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସର ପରାଜୟରେ ଏହା ଏକ ପ୍ରମୁଖ ଭୂମିକା ହୋଇଥିଲା।
ଓଡ଼ିଶାରେ ଗତ ୨୫ ବର୍ଷ ଭିତରେ ସବୁ ସ୍ତରରେ ସରକାରୀ ଅଧିକାରୀମାନଙ୍କର ପ୍ରଭାବ ବଢ଼ିବାରେ ଲାଗିଛି। ବିଶେଷ ଭାବରେ ଗତ ୧୦ ବର୍ଷ ଭିତରେ ସରକାରୀ ଅଧିକାରୀମାନେ ସବୁକିଛି ନିଷ୍ପତି ନେଇପାରିବେ ଓ ଜନପ୍ରତିନିଧିମାନେ ଅସନ୍ତୁଷ୍ଟ ହେଲେ ମଧ୍ୟ ସେମାନଙ୍କର ଖୋଲା ମନ୍ତବ୍ୟ ଦେଇପାରିବେ ନାହିଁ, ଏପରି ଏକ ଧାରଣା ସୃଷ୍ଟି ହୋଇଛି। ବିଶେଷ ଭାବରେ ଶାସକ ଦଳର କିଏ ବିଧାୟକ ହେବ ଓ କିଏ ସାଂସଦ ହେବ ଏହା ସ୍ଥିର କରିବାରେ ସରକାରୀ ଅଧିକାରୀମାନଙ୍କର କିଛି ଭୂମିକା ରହୁଥିବାରୁ ଶାସକ ଦଳର ନେତାମାନେ ସରକାରୀ ଅଧିକାରୀମାନଙ୍କୁ ଅସନ୍ତୁଷ୍ଟ କରିବା ବା ସେମାନଙ୍କ ବିରୋଧରେ ମତ ଦେବାକୁ ଚାହୁଁନାହାନ୍ତି। ଦେଖାଯାଉଛି, ଯେଉଁ କ୍ଷେତ୍ରରେ ସରକାରୀ ଦଳରେ ନଥିବା ନେତାମାନେ ସିଧାସଳଖ ସରକାରୀ ଅଧିକାରୀଙ୍କୁ ମୁକାବିଲା କରୁଛନ୍ତି ଓ ଯେଉଁ ସରକାରୀ ଦଳର ନେତାମାନେ ସେମାନଙ୍କ ଅସନ୍ତୋଷ ଖୋଲାଖୋଲି ପ୍ରକାଶ କରୁଛନ୍ତି ସେଠାରେ ସରକାରୀ ଅଧିକାରୀମାନଙ୍କ ସଂଗଠନ ହଠାତ୍ ଏକଜୁଟ ହୋଇ ନେତାମାନଙ୍କ ବିରୋଧରେ ଛିଡ଼ା ହୋଇଯାଉଛନ୍ତି। ସେମାନଙ୍କର ଆନ୍ଦୋଳନକୁ ଦେଖି ଓ ଗଣମାଧ୍ୟମରେ ସେମାନଙ୍କ ପ୍ରତି ସମର୍ଥନକୁ ଲକ୍ଷ୍ୟ କରି ସରକାର ଏହି ଅଧିକାରୀମାନଙ୍କୁ ସହାୟତା କରୁଛନ୍ତି।
ନିକଟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ନେଇ ସରକାରୀ ଅଧିକାରୀମାନେ ତାଙ୍କ ବିରୋଧରେ ଯେପରି ସ୍ୱର ଉତ୍ତୋଳନ କଲେ ସେଥିରେ ସରକାରୀ ଅଧିକାରୀମାନଙ୍କ ସାହସ ପ୍ରତିଫଳିତ ହେଉଛି। କେନ୍ଦ୍ର କ୍ଷମତାରେ ଥାଇ ମଧ୍ୟ ବିଜେପି ଏହି ଘଟଣାକୁ ଯେପରି ଭାବରେ ନେବା କଥା ତାହା ନେଇପାରି ନାହିଁ। କାରଣ ଓଡ଼ିଶାର ସରକାରୀ ଅଧିକାରୀମାନେ ଏ କ୍ଷେତ୍ରରେ ଏକତା ପ୍ରଦର୍ଶନ କରିଥିବା ସମୟରେ ଶାସକ ବିଜୁ ଜନତା ଦଳ ରାଜନୀତିକ କାରଣରୁ ପରୋକ୍ଷରେ ସରକାରୀ ଅଧିକାରୀମାନଙ୍କୁ ସମର୍ଥନ କରିଛି। ଏହି ପର୍ଯ୍ୟାୟରେ ଏବେ ବଲାଙ୍ଗୀର ଜିଲ୍ଲାରେ ସରକାରୀ ଅଧିକାରୀ ଓ ନେତାମାନଙ୍କ ଭିତରେ ଯେଉଁ ବିବାଦ ମୁଣ୍ଡ ଟେକିଛି, ତାହା ୮୦ ଦଶକରେ ହୋଇଥିବା ଅଧ୍ୟାୟର ପୁନରାବୃତ୍ତି ଭାବେ ବିଚାର କରିବାକୁ ପଡ଼ିବ। ଅବଶ୍ୟ ସେତେବେଳେ ଜନପ୍ରତିନିଧିମାନେ ଦଳମତ ନିର୍ବିଶେଷରେ ସେମାନଙ୍କର ସ୍ୱାଭିମାନ ପାଇଁ ଏକଜୁଟ ଥିଲେ। ସେଥିପାଇଁ ବିଧାନସଭାରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବରେ ଜିଲ୍ଲାପାଳଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିଥିଲା। ଏବେ ସେହିପରି କରିବା କେତେଦୂର ସମ୍ଭବ ହେବ ଜଣାନାହିଁ।
କିନ୍ତୁ ଲୋକ ପ୍ରତିନିଧିମାନଙ୍କ ପ୍ରତି ସରକାରୀ ଅଧିକାରୀମାନଙ୍କର ବ୍ୟବହାର ଓ ଅବହେଳା ନିଶ୍ଚିତ ଭାବରେ ରାଜ୍ୟରେ ଏକ ରାଜନୀତିକ ପ୍ରସଂଗରେ ପରିଣତ ହୋଇପାରେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ନମିଳିଲେ ଓ ସରକାରୀ ଅଧିକାରୀମାନେ ଜନ ପ୍ରତିନିଧିମାନଙ୍କର ମତାମତକୁ ଗୁରୁତ୍ୱ ନଦେଇ ମନମୁଖି ଭାବରେ କାର୍ଯ୍ୟ କଲେ ପରିଣାମ କେବେ ଭଲ ହେବ ନାହିଁ। ଜନପ୍ରତିନିଧିମାନଙ୍କର ନୈତିକତା ଓ ସେବା ମନୋଭାବ ପୂର୍ବାପେକ୍ଷା ଯଥେଷ୍ଟ କମିଛି। ସେମାନଙ୍କ ଭିତରେ ଦୁର୍ନୀତି ବ୍ୟାପକ ହୋଇଛି। କିନ୍ତୁ ସରକାରୀ ଅଧିକାରୀମାନଙ୍କ ଦୁର୍ନୀତି ବହୁଗୁଣ ବଢ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ଧାନକିଣା ବ୍ୟାପାରରେ ମଣ୍ଡିରେ ଯାହାସବୁ ହେଉଛି ସେଗୁଡ଼ିକ ଏହି ଦୁର୍ନୀତି କାରବାରର ଏକ ଅଂଶ। ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବାରମ୍ବାର ବସାଉଥିଲେ ମଧ୍ୟ ତାଙ୍କ ଶାସନ ଯେ ସଂପୂର୍ଣ୍ଣ ଭାବରେ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ତାହା ଠିକ୍ ଭାବେ ହୃଦୟଙ୍ଗମ କଲେ ମୁଖ୍ୟମନ୍ତ୍ରୀଙ୍କ ଆସନ ପ୍ରତି ଜନସାଧାରଣ ବିପଦ ସୃଷ୍ଟି କରିବା ପାଇଁ ବାଧ୍ୟ ହେବେ।
ରବି ଦାସ
ଫୋ- ୮୦୧୮୦୯୪୪୫୫