ଭୁଆଁବୁଲା ବଜେଟ୍‌ !

ଦେବେନ୍ଦ୍ର ପୃଷ୍ଟି

ସରକାରୀ ୱେବସାଇଟ୍‌ରୁ ଡାଉନ୍‌ଲୋଡ଼୍‌ ହୋଇଥିବା ବଜେଟ ମୁଖ୍ୟାଂଶ ଦଲିଲର ପ୍ରଥମ ଭାଗରେ କୁହାଯାଇଛି ଯେ ଅନେକ ନୂତନତ୍ୱ ଅଛି। ପ୍ରଥମରେ ଏହା ଏକ ପରିବେଶ ଅନୁକୂଳ ବଜେଟ। କାରଣ ଏହା କାଗଜହୀନ ବା ପେପରଲେସ୍‌। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଛନ୍ତି ଯେ ଏଥିଯୋଗୁଁ ୧୦୦୦ ଗଛ ବଂଚିଗଲା। ବଜେଟ ବହିକୁ ପେପର୍‌ଲେସ କରି ୧୦୦୦ ଗଛ ବଞ୍ଚାଇଥିବା ସରକାର କିନ୍ତୁ ତଳାବିରାରେ ଗୋଟେ କମ୍ପାନୀର କୋଇଲା ଖଣି ପାଇଁ ୬୫ ହେକ୍ଟର ଜମିରେ ପ୍ରାୟ ୧୫ ହଜାର ଗଛ କାଟିବାକୁ ଅନୁମତି ଦେଇଛନ୍ତି। ଏହା କେତେ ପରିବେଶ ଅନୁକୂଳ। ଏଇ ସରକାର ଗୋଟେ ବିୟର ଫ୍ୟାକ୍ଟ୍ରି ପାଇଁ ଢେଙ୍କାନାଳରେ ରାତିକ ଭିତରେ ୨ ହଜାର ଉପରେ ଗଛ କାଟି ଶୁଆଇଥିଲେ। ସ୍ଥାନୀୟ ଲୋକେ ପ୍ରଚଣ୍ଡ ବିରୋଧ କରିବାରୁ ଯେଉଁ ମୁଖ୍ୟମନ୍ତ୍ରୀ ଗଛ କଟା ଅନୁମତି ଦେଇଥିଲେ ସେଇ ମୁଖ୍ୟମନ୍ତ୍ରୀ ସେ ପ୍ରକଳ୍ପ ବାତିଲ କରିବାକୁ ବାଧ୍ୟ ହେଲେ। ଓଡ଼ିଶା ସରକାରଙ୍କର ଏ ପ୍ରକାର ପରିବେଶ-ପ୍ରେମ ନିଶ୍ଚୟ ନିଆରା।

ଆୟ ଦେଖି ବ୍ୟୟ ଯୋଜନା କରିବାର ପଦ୍ଧତି ହେଉଛି ବଜେଟିଂ। ଓଡ଼ିଶା ସରକାର ବଜେଟ କାଗଜପତ୍ର ଛପାରେ ଅନେକ ଟଙ୍କା ବଂଚେଇଲେ ବୋଲି ଦାବି କରିଛନ୍ତି। କିନ୍ତୁ ଗୋଟେ ବଜେଟ ବହି ଛପେଇବା ଦାମ୍‌ ଅଧିକ ନା ଗୋଟେ ଆଇପ୍ୟାଡ୍‌ର ଦାମ ଅଧିକ? ବିଧାୟକମାନଙ୍କୁ ବଜେଟର କାଗଜ ବହି ବଦଳରେ ଆଇପ୍ୟାଡ୍‌ ଓ ପେନ୍‌ ଡ୍ରାଇଭ୍‌ ଦିଆଯାଇଛି। ଏହା କ’ଣ ମିତବ୍ୟୟ?

ଦେଶର ପ୍ରଥମ ରାଜ୍ୟ ଭାବେ ଅର୍ଥମନ୍ତ୍ରୀ ପୁଷ୍ଟି ବା ପୋଷକ ବଜେଟ ଆଗତ କରିଛନ୍ତି ବୋଲି କହିଛନ୍ତି। ସେ ପୁଷ୍ଟି ବା ପୋଷକ କେଉଁ ସୂତ୍ରରୁ ଆସୁଛି? ମଧ୍ୟାହ୍ନ ଭୋଜନାଦି କାର୍ଯ୍ୟକ୍ରମରେ ଯେଉଁ ଖାଦ୍ୟ ମହିଳା ଓ ଶିଶୁମାନଙ୍କୁ ଦିଆଯାଉଛି ତାହା କେତେ ପୁଷ୍ଟିକର? କେବେ ପୁଷ୍ଟି ବିଜ୍ଞାନୀଙ୍କୁ ନେଇ ସେହି ଖାଦ୍ୟର ପରୀକ୍ଷା କରାଯାଇଛି କି? ସରକାର ଯଦି ଓଡ଼ିଶାର ଜଙ୍ଗଲ ଓ ପରିବେଶ ସୁରକ୍ଷା କରିବାରେ ସଫଳ ହୋଇଥାନ୍ତେ ତେବେ ଓଡ଼ିଶାର ଅର୍ଦ୍ଧାଧିକ ମହିଳା ଓ ଶିଶୁ ପୁଷ୍ଟିହୀନ ହୋଇଥାନ୍ତେ କି? ଆମ ଓଡ଼ିଶାରେ ପାରମ୍ପାରିକ ଭାବେ ବହୁ ପ୍ରକାର ଶାଗ, ବହୁ ପ୍ରକାର କୋଳି, ବହୁ ପ୍ରକାର ଫଳ ଓ ବହୁ ପ୍ରକାର ଶସ୍ୟ ଏବଂ ପନିପରିବା ମିଳୁଥିଲା। ପ୍ରାକୃତିକ ଜଙ୍ଗଲ ଓ ପରିବେଶ ଉପରେ ନିର୍ଭରଶୀଳ ଲୋକମାନେ, ବିଶେଷ କରି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ ବିନା ଖର୍ଚ୍ଚରେ ତାହା ସଂଗ୍ରହ କରି ଖାଉଥିଲେ ଓ ପୁଷ୍ଟି ଆବଶ୍ୟକତା ମେଣ୍ଟାଉଥିଲେ। ମାତ୍ର, ସରକାର ପରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିକାଶ ନୀତି ଯୋଗୁଁ ସେସବୁ ପାରମ୍ପାରିକ ଖାଦ୍ୟ ଭଣ୍ଡାର ନଷ୍ଟ ହୋଇଗଲା। ପରକୁ ପର ଛଅ ଦଶନ୍ଧି ଧରି ଖଣି ଓ ଶିଳ୍ପର ବିକାଶ ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯିବା ଯୋଗୁଁ ପ୍ରାକୃତିକ ଖାଦ୍ୟ ଭଣ୍ଡାର ସମେତ କୃଷି, ଉଦ୍ୟାନ କୃଷି ପାଇଁ ମଧ୍ୟ ପାଗ ଓ ପରିବେଶ ପ୍ରତିକୂଳ ସାବିତ ହେଲା। ଲୋକେ ଆବଶ୍ୟକ ପୁଷ୍ଟି ନପାଇ ରୁଗ୍‌ଣ ହେଲେ। ଏବେ ସେମାନଙ୍କୁ ପୁଷ୍ଟି ନାଁରେ ପୋକରା ଚାଉଳ ଓ ଡାଲି ଦେଇ ସରକାର ପୁଷ୍ଟି ବଜେଟ କରିଛନ୍ତି ବୋଲି ଦାବି କରୁଛନ୍ତି। ଗାଁ ଗାଁରେ ପୁଷ୍ଟିର ଅମଳ ପାଇଁ ଏଥିରେ କିଛି ଯୋଜନା ନାହିଁ।

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜଳବାୟୁ ବଜେଟ ଏକ ନୂତନତା ବୋଲି ସରକାର ଦାବି କରିଛନ୍ତି। ଏହା ନିଶ୍ଚୟ ଏକ ଉତ୍ତମ ଉଦ୍ଦେଶ୍ୟ। କିନ୍ତୁ ଠିକ ଉଦ୍ଦେଶ୍ୟ ସାକାର କରିବା ପାଇଁ ଠିକ ଉପାୟ ଦରକାର। ଏ ବଜେଟରେ ଠିକ ଉପାୟ ବିଷୟରେ ଧାଡ଼ିଏ ହେଲେ ନାହିଁ। ଖଣି ଓ ଶିଳ୍ପ ପାଇଁ ପୁରୁଣା ପାକଳ ଗଛ କାଟି ନୂଆ ଚାରା ଲଗେଇବା କ’ଣ ଜଳବାୟୁ ପରିବର୍ତ୍ତନର ମୁକାବିଲା? ଚାରା ଲଗେଇବା ନାଁରେ ମୟୂରଭଞ୍ଜ ଆଦି ଅନେକ ଜିଲ୍ଲାରେ ଶହଶହ କୋଟି ଟଙ୍କାର ହେରାଫେରି ହେବା କ’ଣ ଜଳବାୟୁ ମୁକାବିଲା? ବର୍ଷ ବର୍ଷ ଧରି ନଦୀଗୁଡ଼ିକରେ ଶିଳ୍ପ ଓ ସହରର ଆବର୍ଜନା ଛାଡ଼ି ନଦୀଗୁଡ଼ିକୁ ନଷ୍ଟ କରିବା ପରେ ଜଳବାୟୁ ସମସ୍ୟା ଦୃଷ୍ଟିରୁ ଏବେ ନଦୀ ସୁରକ୍ଷା ଓ ବିକାଶ କରିବା କଥା ବଜେଟ୍‌ରେ କହିବା ପଛରେ ରହିଥିବା ନିଷ୍ଠା କେତେ ଶୁଦ୍ଧ ଓ ପବିତ୍ର? କଟକ ଓ ଭୁବନେଶ୍ୱରରେ ନଦୀ ପଠାରେ ଆବାସିକ କଲୋନୀ ଓ ବଜାର ଗଢ଼ି ଉଠୁଛି, ସରକାରଙ୍କ ଆଖି ଆଗରେ, ଅନୁମତିରେ। ଏହା କ’ଣ ଜଳବାୟୁ ସମସ୍ୟାର ମୁକାବିଲା ଯୋଜନାର ଅଂଶବିଶେଷ?

ସରକାରୀ ତଥ୍ୟ କହୁଛି ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବଜେଟରେ ଅଧିକ ୧୧.୧ ପ୍ରତିଶତ ବ୍ୟୟ ବରାଦ କରାଯାଇଛି। ପୂର୍ବ ବଜେଟ୍‌ର ସଂଶୋଧିତ ପରିମାଣ ଥିଲା ୧.୩୫ ଲକ୍ଷ କୋଟି ଟଙ୍କା। ଆଗାମୀ ବର୍ଷର ବଜେଟ୍‌ ପରିମାଣ ହେଉଛି ୧.୫୦ ଲକ୍ଷ କୋଟି ଟଙ୍କା। ଏହି ବର୍ଷକ ଭିତରେ ପରା ସରକାର ନିଜ କର୍ମଚାରୀଙ୍କୁ ୧୦ ପ୍ରତିଶତ ମହଙ୍ଗା ଭତ୍ତା ମଞ୍ଜୁର କରିସାରିଲେଣି। ମୁଦ୍ରାସ୍ଫୀତି ହାରକୁ ଦେଖିଲେ ବଜେଟ୍‌ ଅର୍ଥ ପୂର୍ବ ବର୍ଷ ତୁଳନାରେ କମ୍‌ ନା ବେଶି? ମନ୍ତ୍ରୀ କହିଲେ ଏହା ଏକ ବଳକା ବଜେଟ୍‌। ତଥ୍ୟ ଦେଲେ ୧,୨୪, ୩୦୦କୋଟି ଟଙ୍କା ଆୟ ହେବ, ଖର୍ଚ୍ଚ ହେବ ୧,୧୪,୭୯୦ କୋଟି, ବଳିବ ୯,୫୦୯ କୋଟି ଟଙ୍କା। ତେଣୁ ଏହା ବଳକା। ଅଥଚ ଏଇ ବଜେଟର ହିସାବ ହେଉଛି ବର୍ଷ ଶେଷରେ ବିତ୍ତୀୟ ନିଅଣ୍ଟ ରହିବ ୧୭,୮୭୮ କୋଟି ଟଙ୍କା। ଏକା ସାଙ୍ଗରେ ବିତ୍ତୀୟ ନିଅଣ୍ଟ ଓ ରାଜସ୍ୱ ବଳକା ଏକ ବିଭ୍ରାନ୍ତିକର ତଥ୍ୟ। ମୋଟ ଉପରେ ଦେଖିଲେ ସରକାର ଏଇ ବଜେଟରେ ୨୫ ହଜାର କୋଟି ଟଙ୍କା ଋଣ କରିବେ ବୋଲି ଦର୍ଶାଇଛନ୍ତି। ଏ ନିଅଣ୍ଟ ଓ ଋଣ ପରିମାଣ ଦୃଷ୍ଟିରୁ ବଳକା ପରିମାଣ ଅଧିକ କି?

ଗୁଣାତ୍ମକ ଶିକ୍ଷା ତାଲିମ ବାବଦରେ ସରକାର ୨୨,୬୩୧ କୋଟି ଟଙ୍କା ଖର୍ଚ୍ଚର ବ୍ୟୟବରାଦ କରିଛନ୍ତି। ଏଥିରେ ହେବ କ’ଣ? ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ବ୍ୟାଗ୍‌, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ବହି (ଯାହା ପୁଣି ଶିକ୍ଷା ବର୍ଷ ଶେଷ ଯାଏଁ ବି ପ୍ରତି ସ୍କୁଲରେ ଓ ପ୍ରତି ପିଲା ପାଖରେ ପହଂଚିନଥାଏ!), ନବମ ଶ୍ରେଣୀରେ ମାଗଣା ସାଇକେଲ, ପୋଷାକ ଆଦି ଦେଲେ କ’ଣ ଶିକ୍ଷାର ଗୁଣାତ୍ମକ ଉନ୍ନତି ହୋଇଯିବ? ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସେହିଭଳି ପାଠ୍ୟକ୍ରମ ବଛାଯିବା ଦରକାର, ତାହାକୁ ପଢ଼େଇବା ପାଇଁ ସେହିଭଳି ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ହେବା ଦରକାର, ଭଲ ପାଠ ଓ ଭଲ ଶିକ୍ଷକ ସହିତ ଭଲ ସ୍କୁଲ ହେବା ମଧ୍ୟ ଦରକାର। ଏ ପରିବେଶ ଓଡ଼ିଶାର କେତେ ଗାଁରେ, କେତେ ସ୍କୁଲରେ ଅଛି। ଆଦର୍ଶ ବିଦ୍ୟାଳୟ ସବୁ ଗାଁରେ ଖୋଲିଛି କି? ଗୁଣାତ୍ମକ ଶିକ୍ଷା ବିକାଶ ନାମରେ ସରକାର ଯଦି ଓଡ଼ିଶାର ପିଲାମାନଙ୍କ ଭିତରେ ପାତର ଅନ୍ତର କରିବେ ତାହେଲେ କାହାକୁ କ’ଣ କୁହାଯିବ? ଏକେ ତ ଏବେ ଘରୋଇ ମାଲିକାନାଧୀନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଯୋଗୁଁ ଗାଁ ଓ ସହରୀ ବା ଗରୀବ ଓ ଧନୀ ପିଲାଙ୍କ ମଧ୍ୟରେ ମାନବକୃତ ମେଧା-ବ୍ୟବଧାନ ସୃଷ୍ଟି କରାଯାଉଛି। ଆଦର୍ଶ ବିଦ୍ୟାଳୟ ଜରିଆରେ ସେହି ବ୍ୟବଧାନକୁ ସରକାରୀ ସ୍ୱୀକୃତି ବି ମିଳିଯାଉଛି। ଅଧିକ ପିଲାଙ୍କୁ କମ୍‌ ପିଲାଙ୍କ ତୁଳନାରେ ଦୁର୍ବଳ-ମେଧାରେ ପରିଣତ କରିବା କ’ଣ ନୂତନ ଓଡ଼ିଶାର ରୂପାନ୍ତରଣ? ୫-ଟିର ଗୋଟିଏ ଟି ଟ୍ରାନ୍ସଫର୍ମେସନ?

ଗ୍ରାମାଞ୍ଚଳ ବିକାଶ ପାଇଁ ଏମଜିଏନଆରଜିଏରେ ୧୫୦୦ କୋଟି, ଏନଆରଏଲଏମରେ ୮୫୨ କୋଟି, ଶ୍ୟାମପ୍ରସାଦ ମୁଖାର୍ଜ ରୁର୍ବାନ ମିଶନରେ ୮୦ କୋଟି, ଏବଂ ୧୫ଶ ଅର୍ଥ କମିଶନଙ୍କ ଅନୁଦାନ ଆକାରେ ୨୨୫୮ କୋଟି ସମେତ ରାଜ୍ୟ ସରକାର ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୩୦୦ କୋଟି, ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୬୪୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ବଜେଟରେ ଉଲ୍ଲେଖ କରିଛନ୍ତି। ଏପରି ହେଲେ ପ୍ରତି ପଞ୍ଚାୟତ ଭାଗରେ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ, ଅନ୍ୟ ଯୋଜନା ଓ କାର୍ଯ୍ୟକ୍ରମ ଟଙ୍କା ଛାଡ଼ି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ଯୋଜନା ରହିଛି। ଏ ଯୋଜନାରେ ବାସ୍ତବରେ କେଉଁ ଗାଁରେ କ’ଣ ହେବ ସେ ନେଇ କିଛି ଠୋସ୍‌ ଯୋଜନା ନାହିଁ। ଗ୍ରାମ ପଂଚାୟତରେ ନାହିଁ କି ରାଜ୍ୟ ସରକାରଙ୍କର ସେବାବଦରେ ଚିନ୍ତା ଓ ଚେତନା ନାହିଁ। ଏ ଟଙ୍କା ପୂର୍ବରୁ ଯେମିତି ଖର୍ଚ୍ଚ ହେଉଥିଲା ସେହିପରି ହେବ। ପଞ୍ଚାୟତ ନିର୍ବାଚନରେ ୧୦ ଲକ୍ଷ ଜାଗାରେ ୨୦ ଲକ୍ଷ ଖର୍ଚ୍ଚ ହେବ।

ସବୁ ଲୋକଙ୍କୁ ପାଇପ ପାଣି ଯୋଗେଇବାକୁ ସରକାର ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି। ଭଲ କଥା। ଆଶା କରିବା ୨୦୨୦-୨୧ ବର୍ଷ ଶେଷ ହେବା ପୂର୍ବରୁ ଏଇ ଟଙ୍କାରେ ଓଡ଼ିଶାର ସମସ୍ତ ଲୋକ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଆନ୍ତୁ। ସହରବାସୀ ତ ପ୍ରାୟ ସବୁଠି ଶୁଦ୍ଧି ପାନୀୟ ଜଳ ପାଉଛନ୍ତି। ଓମବାଡକ୍‌ ଓ ଡିଏମଏଫରୁ ୨୫୦୦ କୋଟି ଟଙ୍କା ସମେତ ଯେଉଁ ୮ ହଜାର କୋଟି ଟଙ୍କା ପାନୀୟ ଜଳ ନେଇ ଖର୍ଚ୍ଚ ହେବ ତାହା ଯଦି ବାସ୍ତବରେ ଓଡ଼ିଶାର ଗାଁ ଗହଳର ଲୋକଙ୍କ ପାଇଁ ଲାଗନ୍ତା ତେବେ ପ୍ରତି ଘରକୁ ପାଇପ୍‌ ଜଳ ଯୋଗେଇ ହୁଅନ୍ତା। ରାଜ୍ୟର ୭ ହଜାର ପଞ୍ଚାୟତକୁ ୮ ହଜାର କୋଟି। ପଞ୍ଚାୟତ ପିଛା କୋଟିଏ। କମ୍‌ ହେଲାଣି! ଦେଖିବା ଆର ବର୍ଷକୁ ଏ ବାବଦରେ ପୁଣି ଥରେ ବ୍ୟୟବରାଦ ହେଉଛି କି ନାହିଁ!

କୃଷି ବଜେଟ ପରିମାଣ ୧୯,୪୦୮ କୋଟି ଟଙ୍କା। ଏଥିରେ କାଳିଆ ଭାଗ ୩ ହଜାର କୋଟି ଉପରେ। ସେ ଟଙ୍କାରେ କୃଷି ଭିତ୍ତିଭୂମିର ଉନ୍ନତି ହେବାର ନାହିଁ। ସୁଧ ରିହାତି ବାବଦରେ ଖର୍ଚ୍ଚ ହେବ ୭୫୦ କୋଟି ଉପରେ। ସମବାୟ ବିଭାଗ ଜରିଆରେ ଦିଆଯାଉଥିବା ଏହି ଋଣରେ ପ୍ରବଳ ଜାଲିଆତି ହୋଇଛି ବୋଲି ପୂର୍ବତନ ସମବାୟ ମନ୍ତ୍ରୀ ଦାମୋଦର ରାଉତ, ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବର୍ତ୍ତମାନର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ସ୍ୱୀକାର କରିଛନ୍ତି। ଅନେକ ଜାଗାରେ ଚାଷୀଙ୍କ ନାଁରେ ଅଣଚାଷୀ ଋଣ ଉଠେଇଛନ୍ତି। ତେବେ, ସୁଧ ରିହାତି କାହା କାମରେ ଲାଗିବ? କୃଷି ବଜେଟରେ ଆଳୁ, ପିଆଜ ଚାଷ ବିଷୟରେ କି ଯୋଜନା ଅଛି? ଏ ଦୁଇଟି ଖାଦ୍ୟ ଦ୍ରବ୍ୟ ପାଇଁ ଓଡ଼ିଶାବାସୀ ପ୍ରାୟ ପ୍ରତିବର୍ଷ ଅଯଥା ଖର୍ଚ୍ଚାନ୍ତ ଓ ହନ୍ତସନ୍ତ ହେଉଛନ୍ତି। ଆବଶ୍ୟକ ସ୍ଥାନରେ ଶୀତଳ ଭଣ୍ଡାର ନିର୍ମାଣ ନେଇ କୃଷି ବଜେଟରେ ତ ଯୋଜନା ନାହିଁ। ଏମଏସଏମଇରେ ମଧ୍ୟ ଉତ୍ସାହଜନକ ନୁହେଁ। ବର୍ଷକ ସାରା ଜଳସେଚନ ଓ ବିଦ୍ୟୁତ ସୁବିଧା ନରହିଲେ ଚାଷ କେମିତି ହେବ ଓ ଅମଳ ସଂରକ୍ଷିତ ରହିବ? ତା’ ନହେଇ ଧାନ ଫଳିଲେ କି ଲାଭ? ପ୍ରତି ପଞ୍ଚାୟତରେ ଗୋ-ଶାଳା, କୁକୁଡ଼ା ଫାର୍ମ ଓ ବଡ଼ ପୋଖରୀ ନେଇ କିଛି ଯୋଜନା ଦେଖାଯାଉ ନାହିଁ। ପୋଖରି ତ ଏମିତି ପ୍ରତି ବର୍ଷ ଖୋଳା ହେଉଛି। କେଉଁଠି ମୁନ୍ଦାଏ ପାଣି ରହୁନି, ମାଛ ଚାଷ ଯାହା ହେବ!

ପୁଣି, ସରକାରଙ୍କର ଏତେ ବିଭାଗରେ ଏତେ ଯୋଜନା ସତ୍ତ୍ୱେ ଆହୁରି ବିକାଶ ବାକି ରହୁଛି ଯେ ବିଧାୟକମାନଙ୍କ ହାତପାଣ୍ଠି ପରିମାଣ ଏକା ଥରକେ ୧ କୋଟିରୁ ୩ କୋଟି ବୃଦ୍ଧି ହେଲା-୩ ଗୁଣ। ଏହାର ଅର୍ଥ କ’ଣ ନବୀନ ସରକାର ଠିକ ଭାବେ କାମ କରୁ ନଥିବାରୁ ତାଙ୍କ ଦଳ ସମେତ ଅନ୍ୟ ଦଳର ବିଧାୟକମାନଙ୍କୁ ଜନହିତକର କାମର ପାଣ୍ଠି ମିଳିଲା। ଏଥିରେ ଜନହିତ ହେବ କି ବିଧାୟକମାନେ ଆର୍ଥିକ ଦୃଷ୍ଟିରୁ ‘ସଶକ୍ତ’ ହେବେ ତାହା ଅର୍ଥମନ୍ତ୍ରୀ ଜାଣିଥିବେ। କିନ୍ତୁ ଗୋଟେ କଥା ସତ ଯେ ବିଧାୟକମାନେ ଯେଉଁ କାମ ସୁପାରିଶ କରିବେ ତାହାକୁ ମଧ୍ୟ ସରକାରୀ କର୍ମଚାରୀ କାର୍ଯ୍ୟକାରୀ କରିବେ। ଏହି ସରକାରୀ କର୍ମଚାରୀମାନେ ସରକାରଙ୍କ ଅନ୍ୟ ବିକାଶ ଯୋଜନାଗୁଡ଼ିକ ମଧ୍ୟ କାର୍ଯ୍ୟକାରୀ କରନ୍ତି। ସରକାର ଓ ବିଧାୟକମାନେ ଲାଗିପଡ଼ି ଯଦି ବିକାଶ କରୁଛନ୍ତି ତେବେ ବର୍ଷକୁ ବର୍ଷ ଏତେ ଟଙ୍କାର କି ଆବଶ୍ୟକତା ପଡ଼ୁଛି ବୁଝି ହେଉନି।

୨୦୨୦ ଫେବୃଆରୀ ୧୮ ତାରିଖରେ ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୦-୨୧ ବର୍ଷ ପାଇଁ ଆଗତ କରିଥିବା ବଜେଟ ଏହପରି ଅନେକ ଅବୁଝା ଅଙ୍କର ସମାହାର। ଏହା ଏକ ଭୁଆଁବୁଲା ବଜେଟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।