Advertisment

କେବେଠୁ ଆରମ୍ଭ ହେଲା ୮ ଘଣ୍ଟିଆ ଶ୍ରମ ଦିବସ?

ଚିକାଗୋର ବୀର ଶ୍ରମିକମାନଙ୍କର ବଳିଦାନ ଫଳରେ ଆମେରିକା ସରକାର ପ୍ରଥମ ଥର ପାଇଁ ଦୈନିକ ୮ ଘଂଟିଆ ଶ୍ରମ ଦିବସର ଘୋଷଣା କରିଥିଲେ। ପରେ ବିଶ୍ୱର ଅଧିକାଂଶ ଦେଶର ସରକାର ଏହାକୁ ସ୍ୱୀକୃତି ଦେଇଥିଲେ ଏବଂ ଆଜି ବିଶ୍ୱର ଶତାଧିକ ଦେଶରେ ମଇ ଦିବସକୁ ସରକାର ଛୁଟି ଘୋଷଣା କରିଛନ୍ତି।

author-image
Debendra Prusty
Haymarket Square Riot

Haymarket Square Riot

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ସାମନ୍ତବାଦୀ ବ୍ୟବସ୍ଥାକୁ ସମାପ୍ତ କରି ଶିଳ୍ପ ବିପ୍ଳବ ଆରମ୍ଭ ହେବା ସହିତ ସମାଜରେ ପୁଞ୍ଜିପତି ଓ ଆଧୁନିକ ଶିଳ୍ପ ଶ୍ରମିକ ଭାବେ ଦୁଇଟି ଶ୍ରେଣୀ ଜନ୍ମ ନେଇଥିଲେ। କିନ୍ତୁ ନୂତନ ପୁଞ୍ଜିବାଦୀ ବ୍ୟବସ୍ଥାରେ ମଧ୍ୟ ପୂର୍ବଭଳି ମଣିଷ ଦ୍ୱାରା ମଣିଷର ଶୋଷଣ ଅବ୍ୟାହତ ରହିଲା। କଳ କାରଖାନାର ମାଲିକମାନେ ନିଜର ମୁନାଫା ପାଇଁ ଶ୍ରମିକମାନଙ୍କୁ ଅକଥନୀୟ ଶୋଷଣ ଏବଂ ନିର୍ଯ୍ୟାତନା ଚଳାଇଲେ। ଶ୍ରମିକମାନଙ୍କ କାର୍ଯ୍ୟ କରିବାର କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନଥିଲା। ସେମାନେ ପ୍ରତିଦିନ ୧୫ରୁ ୧୬ ଘଂଟା ଏପରିକି କେତେକ ସ୍ଥାନରେ ୧୮ରୁ ୨୦ ଘଣ୍ଟା ବି କାମ କରିବାକୁ ବାଧ୍ୟ ହେଉଥିଲେ। କାମର ଚାପ ଏତେ ଥିଲା ଯେ ସେମାନେ ସହଜରେ ରୋଗର ଶିକାର ହେଉଥିଲେ ଏବଂ ଅସମୟରେ ପ୍ରାଣ ହରାଉଥିଲେ। ସେମାନଙ୍କ ଶ୍ରମ ତୁଳନାରେ ମଜୁରୀର ପରିମାଣ ମଧ୍ୟ ବହୁତ କମ୍ ଥିଲା। ସେମାନେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମେସିନ ଭଳି କାମ କରିବା ସହ ପଶୁ ଭଳି ଜୀବନଯାପନ କରୁଥିଲେ। ଅନ୍ୟପଟେ ଶ୍ରମିକଙ୍କ ଲହୁ ଲୁହରେ ପୁଞ୍ଜିପତ୍ତି ଶ୍ରେଣୀ ସମ୍ପତ୍ତି ବୃଦ୍ଧି ପାଉଥିଲା। ତେବେ ଶ୍ରମିକମାନେ ଏଭଳି ଶୋଷଣକୁ ବେଶି ଦିନ ସହିବା ସମ୍ଭବ ନଥିଲା। ପୁଞ୍ଜିପତ୍ତି ଶ୍ରେଣୀର ଶୋଷଣରେ ଅତିଷ୍ଟ ହୋଇ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ପ୍ରତିବାଦ କରିବା ଆରମ୍ଭ କରିଥିଲେ।

Advertisment

ମହାନ୍ ଦାର୍ଶନିକ କାର୍ଲ ମାର୍କ୍ସଙ୍କ ଜୀବନକାଳରେ କାର୍ଯ୍ୟର ସମୟସୀମାକୁ ହ୍ରାସ କରିବା ଦାବିରେ ସର୍ବପ୍ରଥମେ ୟୁରୋପର ଶ୍ରମିକ ଶ୍ରେଣୀ ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ଐତିହାସିକ ପ୍ୟାରିସ୍ କମ୍ୟୁନର ରକ୍ତାକ୍ତ ଦମନ ଓ ପରାଜୟ ପରେ, ୟୁରୋପରେ ଶ୍ରମିକ ଆନ୍ଦୋଳନ ମନ୍ଥର ହୋଇଯାଇଥିଲା। ତେବେ ୟୁରୋପୀୟ ଶ୍ରମିକ ଶ୍ରେଣୀର ସବୁଠାରୁ ଦୁଃଖ ଓ ଅନ୍ଧକାରମୟ ସମୟରେ ଆମେରିକୀୟ ଶ୍ରମିକ ଶ୍ରେଣୀ ଏକ ଆଲୋକବର୍ତ୍ତିକାର ଭୂମିକା ଗ୍ରହଣ କରିଥିଲା। ଊନ୍ନବିଂଶ ଶତାବ୍ଦୀରେ ଆମେରିକାରେ ସ୍ଥାପିତ ହୋଇଥିବା କଳ କାରଖାନାମାନଙ୍କରେ ଶ୍ରମିକମାନଙ୍କୁ ଭୟଙ୍କର ଶୋଷଣର ଶିକାର ହେବାକୁ ପଡ଼ୁଥିଲା। ସେମାନେ ନିଜ ଉପରେ ଚାଲିଥିବା ଶୋଷଣ ବିରୁଦ୍ଧରେ ସ୍ୱାର ଉତ୍ତୋଳନ କରିବା ସହିତ ସଂଗଠିତ ହେବାକୁ ଆରମ୍ଭ କରିଥିଲେ। ଦୈନିକ ୨୪ ଘଣ୍ଟାରୁ “ଆଠ ଘଣ୍ଟା ଶ୍ରମ, ଆଠ ଘଣ୍ଟା ବିଶ୍ରାମ ଓ ଆଠ ଘଣ୍ଟା ମନୋରଂଜନ”ର ଦାବି ଜୋର ଧରିଥିଲା। ଏହିକ୍ରମରେ ୧୮୮୬ ମସିହାରେ ଆମେରିକାର ଶ୍ରମିକ ୟୁନିଅନ୍‌ମାନେ ଏକାଠି ହୋଇ ସେ ବର୍ଷ ମଇ ପହିଲାରୁ ଦୈନିକ ଆଠ ଘଣ୍ଟା ହିଁ କାମ କରିବାକୁ ଘୋଷଣା କରିଥିଲେ। ସେଦିନ ସମଗ୍ର ଆମେରିକାରେ ବିଭିନ୍ନ କଳ କାରଖାନାରେ କାର୍ଯ୍ୟରତ ୩ ଲକ୍ଷରୁ ଅଧିକ ଶ୍ରମିକ ନିଜର କାର୍ଯ୍ୟସ୍ଥଳରେ ଆଠ ଘଣ୍ଟା କାମ କରିବା ପରେ କାମବନ୍ଦ କରି ଦେଇଥିଲେ। ପ୍ରାୟ ୧୩ ହଜାର ଛୋଟବଡ଼ କାରଖାନାରେ ଶ୍ରମିକମାନେ ନିଜର ଘୋଷଣାକୁ କାର୍ଯ୍ୟକାରୀ କରିଥିଲେ। ଶ୍ରମିକମାନଙ୍କ ୮ ଘଂଟିଆ ଶ୍ରମ ଦିବସ ଆନ୍ଦୋଳନ ଚାଲିଥିବା ବେଳେ ୪ ମଇ ୧୮୮୬ରେ ଶ୍ରମିକମାନେ ଚିକାଗୋ ସହରର ହେ ମାର୍କେଟ୍ ଠାରେ ଏକ ସଭାର ଆୟୋଜନ କରିଥିଲେ। ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଏକ ବୋମା ବିଷ୍ଫୋରଣ ହୋଇଥିଲା। ବିଷ୍ଫୋରଣ କିଏ କଲା, ତାହା ଜାଣିବା ଆଗରୁ ସେଠାରେ ମୁତୟନ ଥିବା ପୋଲିସ କର୍ମୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହି ଗୁଳି ଚାଳନାରେ ୭ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଏହି ଘଟଣାକୁ ଇତିହାସରେ “ହେ ମାର୍କେଟ୍ ଛକ ନରସଂହାର” ରୂପେ ସ୍ମରଣ କରାଯାଇଥାଏ।

ଏହି ଘଟଣାରେ ସେଠାକାର ପୁଞ୍ଜିପତ୍ତି ଶ୍ରେଣୀ ସମ୍ପୂର୍ଣ୍ଣ ଭାବେ ଆତଙ୍କିତ ହୋଇଯାଇଥିଲେ। ସେମାନେ ଶ୍ରମିକ ଆନ୍ଦୋଳନ ମଧ୍ୟକୁ ଅରାଜକତାବାଦୀମାନେ ଅନୁପ୍ରବେଶ କରିଛନ୍ତି ବୋଲି ପ୍ରଚାର କରିବା ସହିତ ଘଟଣା ପାଇଁ ଆନ୍ଦୋଳନର ପ୍ରମୁଖ ନେତାମାନଙ୍କୁ ମିଛ କେସ୍‌ରେ ପକାଇ ଗିରଫ କଲେ। ସେମାନଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ବ୍ୟାପକ ଗିରଫଦାରୀ ସହ ଫାଶୀଦେବାକୁ ମୋକଦ୍ଦମା ଚଳାଇଲେ। ଚାରିଜଣ ଶ୍ରମିକ ନେତା ଯେଉଁମାନଙ୍କ ସେଦିନର ବୋମା ବିଷ୍ଫୋରଣ ସହିତ କୌଣସି ସମ୍ପର୍କ ନଥିଲା ସେମାନଙ୍କ ବିରୁଦ୍ଧରେ ମିଥ୍ୟା ମୋକଦ୍ଦମା ଚଳାଇ ଫାଶୀଦଣ୍ଡ ଦିଆଗଲା। ତେବେ ପୁଞ୍ଜିପତ୍ତି ଶ୍ରେଣୀ ଓ ସେମାନଙ୍କ ବୋଲକରା ପୋଲିସର ବ୍ୟାପକ ଦମନ ଓ ଅତ୍ୟାଚାର ସତ୍ତ୍ୱ ଆନ୍ଦୋଳନ ଶେଷରେ ସଫଳ ହୋଇଥିଲା। ଚିକାଗୋର ବୀର ଶ୍ରମିକମାନଙ୍କର ବଳିଦାନ ଫଳରେ ଆମେରିକା ସରକାର ପ୍ରଥମ ଥର ପାଇଁ ଦୈନିକ ୮ ଘଂଟିଆ ଶ୍ରମ ଦିବସର ଘୋଷଣା କରିଥିଲେ। ପରେ ବିଶ୍ୱର ଅଧିକାଂଶ ଦେଶର ସରକାର ଏହାକୁ ସ୍ୱୀକୃତି ଦେଇଥିଲେ ଏବଂ ଆଜି ବିଶ୍ୱର ଶତାଧିକ ଦେଶରେ ମଇ ଦିବସକୁ ସରକାର ଛୁଟି ଘୋଷଣା କରିଛନ୍ତି। ଅତଏବ ଚିକାଗୋର ଐତିହାସିକ ଆନ୍ଦୋଳନର ଫଳସ୍ୱରୂପ ଭାରତ ସମେତ ସାରା ବିଶ୍ୱରେ ଆଠ ଘଂଟିଆ ଶ୍ରମ ଦିବସ ଆଜି ଏକ ଆଇନଗତ ଅଧିକାରରେ ପରିଣତ ହୋଇଛି।

Advertisment

ଚିକାଗୋର ଐତିହାସିକ ଶ୍ରମିକ ଆନ୍ଦେଳନର କିଛି ଦିନ ପରେ ଅର୍ଥାତ୍ ୧୮୮୯ ମସିହାରେ, ମହାନ୍ ବିପ୍ଳବୀ ତଥା ଦାର୍ଶନିକ ଫେଡ଼ରିକ୍ ଏଙ୍ଗେଲ୍ସଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ସୋସିଆଲିଷ୍ଟ୍ ଇଂଟରନ୍ୟାସନାଲ ପ୍ରଥମ ଥର ପାଇଁ ମେ ପହିଲାକୁ ‘ଆନ୍ତର୍ଜାତୀୟ ଶ୍ରମିକ ଦିବସ’ ଭାବରେ ଘୋଷଣା କରିଥିଲା। ସେହିଦିନ ଠାରୁ ବିଶ୍ୱର ଶ୍ରମିକ ଶ୍ରେଣୀ ଚିକାଗୋର ଉପରୋକ୍ତ ଐତିହାସିକ ଆନ୍ଦୋଳନକୁ ମନେ ପକାଇ ନିଜର ସଂଘର୍ଷର ପ୍ରତୀକ ଭାବେ ପ୍ରତିବର୍ଷ ମଇ ୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରିଆସୁଛି।

ପ୍ରଥମ ମଇ ଦିବସର ୧୩୮ ବର୍ଷ ପରେ ମଧ୍ୟ ବିଶ୍ୱରେ ବିଶେଷ କରି ଆମ ଦେଶରେ ଶ୍ରମିକଙ୍କ ସ୍ଥିତି ଚିନ୍ତାଜନକ ରହିଛି। ସରକାର ଓ ତାଙ୍କର ଶ୍ରମ ବିଭାଗର ଆନ୍ତରିକତାର ଅଭାବରୁ ଦେଶର ସଂଖ୍ୟାଗରିଷ୍ଠ ଶ୍ରମିକଙ୍କ ପାଇଁ ଆଜି ବି ଶ୍ରମ ଅଧିକାର ଏକ ସ୍ୱପ୍ନ ହୋଇ ରହିଛି। ଏପରିକି ଶ୍ରମ ଅଧିକାରଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଦେଶସାରା ଶ୍ରମ ଦପ୍ତରମାନଙ୍କରେ ଆବଶ୍ୟକୀୟ କର୍ମଚାରୀ ଓ ଭିତ୍ତଭୂମି ବି ନାହିଁ। ଅସଙ୍ଗଠିତ କ୍ଷେତ୍ରରେ ନିୟୋଜିତ ଦେଶର ଶ୍ରମିକ ଶ୍ରେଣୀର ସିଂହଭାଗ ଅର୍ଥାତ୍ ପ୍ରାୟ ୯୨% ଶ୍ରମିକ ଆଜି ବି ସମସ୍ତ ପ୍ରକାରର ଶ୍ରମ ଅଧିକାରରୁ ବଂଚିତ ଅଟନ୍ତି। ନା ଉପଯୁକ୍ତ ଦରମା ନା କାର୍ଯ୍ୟର ନିରାପତ୍ତା ନା ସାମାଜିକ ସୁରକ୍ଷା, ସବୁଥିରୁ ସେମାନେ ବଂଚିତ ଅଟନ୍ତି।
ଅନ୍ୟପଟେ ସରକାରଙ୍କ ନବ ଉଦାରବାଦୀ ଓ ଘରୋଇକରଣ ନୀତିର ପରିଣାମ ସ୍ୱରୂପ ଆଜି ଉଭୟ ସରକାରୀ ଓ ବେସରକାରୀ ମାଲିକାନାରେ ଥିବା କଳ, କାରଖାନା, ଖଣି ଖାଦାନ ଆଦିରେ ଏପରିକି ଶିକ୍ଷା, ସ୍ୱାସ୍ଥ୍ୟସେବା, ସଫେଇ ପରି ଅତ୍ୟାବଶ୍ୟକ ସେବାରେ ମଧ୍ୟ ସ୍ଥାୟୀ ବା ନିୟମିତ ନିଯୁକ୍ତି ବଦଳରେ ଅସ୍ଥାୟୀ, ଠିକା ଓ ଆଉଟସୋର୍ସିଂରେ ନିଯୁକ୍ତି ଦିଆଯାଉଛି। ନିୟମିତ ଶ୍ରମିକ ଓ କର୍ମଚାରୀଙ୍କ ପରି ଚାକିରୀର ନିରାପତ୍ତା, ଦରମା, ପେନସନ୍ ଓ ଅନ୍ୟାନ୍ୟ ସୁବିଧାରୁ ବଂଚିତ ଏହି ଶ୍ରମିକ ଓ କର୍ମଚାରୀଙ୍କ ସ୍ଥିତି ଗୋତି ଶ୍ରମିକଙ୍କ ଠାରୁ ବି ଖରାପ ରହିଛି। କମ୍ ଦରମାରେ ଲୋକଙ୍କୁ ଶୋଷଣ କରି ଗଧ ପରି ଖଟାଇବାକୁ ଏଭଳି ବ୍ୟବସ୍ଥା ସବୁ ତିଆରି କରାଯାଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସମାନ ନୀତିକୁ ଅନୁସରଣ କରୁଛନ୍ତି।

ଦେଶରେ ବିଭିନ୍ନ ସରକାରୀ ଯୋଜନାରେ ନିୟୋଜିତ ଲକ୍ଷ ଲକ୍ଷ ଅଙ୍ଗନୱାଡ଼ି, ଆଶାକର୍ମୀ, ସ୍ୱଚ୍ଛସାଥୀ ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ପାଚିକା , ସହାୟିକାଙ୍କ ପରି ସ୍କିମ୍ ୱାର୍କରମାନେ ବର୍ଷ ବର୍ଷ ଧରି କାମ କଲେ ବି ସରକାର ସେମାନଙ୍କୁ ଆନୁଷ୍ଠାନିକ କର୍ମଚାରୀର ମାନ୍ୟତା କିମ୍ବା ସୁବିଧା ଦେଉନାହାଁନ୍ତି। ବାରମ୍ବାର ଦାବି କଲେ ବି ନା ସେମାନଙ୍କ ଦରମା ବଢ଼ୁଛି ନା ଚାକିରୀ ନିୟମିତ ହେଉଛି। ସେମାନଙ୍କ ବ୍ୟତିତ ବ୍ୟାଙ୍କ୍ ମିତ୍ର, ପଶୁ ମିତ୍ର, କୃଷକ ସାଥି, ଟସର ସାଥି, ଗାଁ ସାଥି, ସ୍ୱାସ୍ଥ୍ୟମିତ୍ରଙ୍କ ଠାରୁ ଆରମ୍ଭ କରି ନିର୍ମାଣ, ମନ୍‌ରେଗା, କେନ୍ଦୁପତ୍ର, ବାଉଁଶ, ବିଡ଼ି, ଇଟାଭାଟି ଶ୍ରମିକ ଭଳି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଦେଶର ଅଧିକାଂଶ ଶ୍ରମିକ ଭଲ ମଜୁରୀ ତ ଦୂରର କଥା, ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ଏବଂ ସାମାଜିକ ସୁରକ୍ଷା ପାଇବାରୁ ମଧ୍ୟ ବଂଚିତ ଅଟନ୍ତି। ଦେଶର ବିଶାଳ ଅସଂଗଠିତ କ୍ଷେତ୍ରରେ ବିଶେଷ କରି ନିର୍ମାଣ କ୍ଷେତ୍ରରେ ଆଜି ବି ଲିଙ୍ଗ ଭିତ୍ତିରେ ମହିଳା ଶ୍ରମିକଙ୍କୁ ପୁରୁଷ ଶ୍ରମିକଙ୍କ ଠାରୁ କମ୍‌୍ ମଜୁରୀ ଦେଇ ଶୋଷଣ କରାଯାଉଛି। ଏପରିକି ଆଇନଗତ ଭାବେ ୮ ଘଂଟିଆ ଶ୍ରମ ଦିବସକୁ ସ୍ୱୀକୃତି ଦିଆଯାଇଥିବା ସତ୍ତ୍ୱେ ଅଧିକାଂଶ କଳ କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଘରୋଇ ସିକ୍ୟୁରିଟି ପରି ଅନେକ କ୍ଷେତ୍ରରେ ଅତ୍ୟନ୍ତ କମ୍ ଦରମାରେ ଦୈନିକ ୧୨ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ବି ଖଟାଯାଉଛି।

ଆଜି ଦେଶର ସରକାର ଶ୍ରମିକ ଶ୍ରେଣୀ, କୃଷକ ଏବଂ ଅନ୍ୟାନ୍ୟ ନିପୀଡ଼ିତ ବର୍ଗଙ୍କ ପାଇଁ ଅଭିଶାପ ପାଲଟିଛି। ଦେଶଭକ୍ତି, ସ୍ୱଦେଶୀ, ଜାତୀୟତାବାଦ, ମେକ୍ ଇନ୍ ଇଣ୍ଡିଆ, ଆଚ୍ଛା ଦିନ, ବିକଶୀତ ଭାରତ ଭଳି ସ୍ଲୋଗାନର ଆଢ଼ୁଆଳରେ ସରକାର ସରକାରୀ କ୍ଷେତ୍ରର ଶିଳ୍ପ, ପ୍ରାକୃତିକ ସମ୍ପଦ ଏବଂ ଜାତୀୟ ସମ୍ପତିକୁ ସ୍ୱଦେଶୀ ଏବଂ ମୁଖ୍ୟତଃ ସାମ୍ରାଜ୍ୟବାଦୀମାନଙ୍କୁ ନାମକୁ ମାତ୍ର ମୂଲ୍ୟରେ ବିକ୍ରୟ କରିବାରେ ଲାଗିଛନ୍ତି। କର୍ପୋରେଟ କମ୍ପାନୀମାନଙ୍କର ପୁଞ୍ଜି ନିବେଶର ସ୍ୱାର୍ଥର ସୁରକ୍ଷା ଦେବା ଏବଂ ସେମାନଙ୍କର ଲାଭକୁ ସର୍ବାଧିକ କରିବା ପାଇଁ, ମୋଦି ସରକାର ଉପରୋକ୍ତ କର୍ପୋରେଟ ସଂସ୍ଥାଗୁଡ଼ିକର ମୁଖିଆଙ୍କ ପରି କାର୍ଯ୍ୟ କରୁଛନ୍ତି।

ଚାରିବର୍ଷ ତଳେ, କରୋନା ମହାମାରୀର ଆଢ଼ୁଆଳରେ ସରକାର ୪ଟି ‘ଶ୍ରମ ସଂହିତା’ ଆଣିଥିଲେ। ଯଦି ଏହା କାର୍ଯ୍ୟକାରୀ ହୁଏ, ତାହେଲେ ଶ୍ରମିକମାନଙ୍କ ଆଇନଗତ ଅଧିକାର ଯେଉଁଥିରେ ସେମାନଙ୍କ ୟୁନିଅନ୍ ଗଠନ କରିବାର କ୍ଷମତା, ଧର୍ମଘଟ କରିବାର ଅଧିକାର ତଥା କଲ୍ୟାଣକାରୀ ସୁବିଧାଗୁଡ଼ିକୁ ଉଚ୍ଛେଦ କରିବ ଏବଂ ଶ୍ରମିକମାନଙ୍କୁ ପୁଣି ଥରେ ଗୋତି ଶ୍ରମିକ କରିଦେବ। ଚାରୋଟି ଶ୍ରମ ସଂହିତାକୁ ପ୍ରଣୟନ କରିବା ପୂର୍ବରୁ ହିଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (ଏସ୍‌ଇଜେଡ଼), ଷ୍ଟାର୍ଟଅପ୍ ଏବଂ ବଡ଼ ବଡ଼ ସପିଙ୍ଗ୍ ମଲ୍ ଗୁଡିକରେ ଶ୍ରମ ଆଇନ ସିଧାସଳଖ ଉଲଂଘନ କରି କାର୍ଯ୍ୟ କରିବାକୁ ଅନୁମତି ଦେଇଆସିଛନ୍ତି। ବର୍ତ୍ତମାନ ୭୦ ରୁ ୯୦ ଘଂଟାର କାର୍ଯ୍ୟ ସପ୍ତାହ ପାଇଁ ଇନଫୋସିସ୍‌, ଏଲ ଆଣ୍ଡ ଟି, ଜିନ୍ଦଲ, ଆଦାନୀ ଏବଂ ଅମ୍ବାନୀ ଆଦି ବଡ଼ କମ୍ପାନୀମାନେ ସେମାନଙ୍କର ଅଧ୍ୟକ୍ଷ ଏବଂ ସିଇଓମାନଙ୍କ ମାଧ୍ୟମରେ ଏକ ମନସ୍ତାତ୍ତ୍ୱିକ ଯୁଦ୍ଧ ଆରମ୍ଭ କରି ଦେଇଛନ୍ତି। ଯେହେତୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ପ୍ରଯୁକ୍ତି ବିଦ୍ୟାର ବିକାଶ ଫଳରେ ମାନବ ଶ୍ରମ ହ୍ରାସ ପାଇଛି, ସେହି କାରଣରୁ କାର୍ଯ୍ୟ ନିର୍ଘଣ୍ଟର ଅବଧି ହ୍ରାସ କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି ସେମାନେ ଯୁକ୍ତି କରିଛନ୍ତି। ଯଦି ଏକ ନିର୍ଦ୍ଦିଷ୍ଟ ସମାଜରେ ଯେଉଁଠାରେ କୋଟି କୋଟି ଶ୍ରମିକ ଉପଲବ୍ଧ, ସେଠାରେ ପ୍ରତିଦିନ ପାଂଚ କୋଟି କାର୍ଯ୍ୟ ଘଂଟା ଆବଶ୍ୟକ ହୁଏ, ସେଠାରେ ସମସ୍ତଙ୍କୁ କାମ ଯୋଗାଇବା ପାଇଁ ପାଂଚ ଘଣ୍ଟା କିମ୍ବା ତା’ଠାରୁ କମ୍ ଘଣ୍ଟ।।ର କାର୍ଯ୍ୟ ଦିବସ କାର୍ଯ୍ୟକାରୀ କରାଯିବା ନିହାତି ଆବଶ୍ୟକ ଅଛି। କିନ୍ତୁ ପୁଞ୍ଜିବାଦ କାର୍ଯ୍ୟ ଘଂଟାକୁ କମାଇବା ବଦଳରେ ବୃଦ୍ଧି କରି ପରୋକ୍ଷରେ ସମାଜରେ ବେକାରୀ ସଂଖ୍ୟା ବୃଦ୍ଧି କରିଥାଏ ।

କେନ୍ଦ୍ର ସରକାରଙ୍କ ଚାରୋଟି ଶ୍ରମ ସଂହିତାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକ ଉପରେ ଚାପ ପକାଇବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ଜନମତର ଚାପରେ ଏବଂ ଶ୍ରମିକ ଶ୍ରେଣୀର ରୋଷର ଶୀକାର ହେବା ଭୟରେ ଏହାର କାର୍ଯ୍ୟକାରିତାକୁ ୨୦୨୪ ନିର୍ବାଚନ ପୂର୍ବରୁ ସ୍ଥଗିତ ରଖାଯାଇଥିଲା। ତା’ପରେ ସେମାନେ କ୍ଷମତାକୁ ଫେରିବାର ପ୍ରଥମ ୧୦୦ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବ ବୋଲି କହିଥିଲେ। ତା’ପରେ ୨୦୨୫ ଏପ୍ରିଲ ୧ ତାରିଖକୁ ସମୟ ସୀମା ଭାବରେ ଧାର୍ଯ୍ୟ କରିଥିଲେ। ଇତିମଧ୍ୟରେ ସେହି ଅବଧି ମଧ୍ୟ ଶେଷ ହୋଇଯାଇଛି। କିନ୍ତୁ ଲାଗୁ କରି ପାରିଲା ନାହିଁ। କିଛି ବିଜେପି ଶାସିତ ରାଜ୍ୟ ତା’କୁ କାର୍ଯ୍ୟକାରୀ କରିବା ପାଇଁ ଇତିମଧ୍ୟରେ ନିୟମାବଳୀ ପ୍ରସ୍ତୁତ କରି ସାରିଛନ୍ତି। ଏପରିକି କିଛି ଅଣ-ବିଜେପି ସରକାର ମଧ୍ୟ ନିୟମ ଗୁଡିକୁ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ ରାଜ୍ୟମାନେ ଏହାକୁ ସର୍ତ୍ତାବଳୀ ସହିତ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି। କିନ୍ତୁ ଆମେ ଏଠାରେ ଭୁଲିବାକୁ ହେବନି ଯେ ଦେଶର ସମସ୍ତ ଶାସକ ଶ୍ରେଣୀର ଦଳ ଶ୍ରମିକ ଶ୍ରେଣୀର ଅଧିକାର ଉପରେ ଆକ୍ରମଣ କରିବା ପାଇଁ କର୍ପୋରେଟମାନଙ୍କ କାର୍ଯ୍ୟକୁ ସହଜ କରିବା ସପକ୍ଷରେ ରହିଛନ୍ତି।

ମୋଦୀ ସରକାର ଶ୍ରମିକ ଶ୍ରେଣୀ ଏବଂ ସମାଜର ବିଭିନ୍ନ ସମ୍ପ୍ରଦାୟକୁ ଦେଇଥିବା ପ୍ରତିଶ୍ରୁତି ଗୁଡିକୁ ଏଯାଏଁ କାର୍ଯ୍ୟକାରୀ କରିନାହାଁନ୍ତି। ଅନ୍ୟପକ୍ଷରେ, ଯେଉଁମାନେ ସେମାନଙ୍କର ନ୍ୟାୟପୂର୍ଣ୍ଣ ସମସ୍ୟା ପାଇଁ ଲଢ଼ୁଛନ୍ତି ସେମାନଙ୍କୁ ଦମନ କରାଯାଉଛି। ଭିନ୍ନମତକୁ ଅପରାଧର ପର୍ଯ୍ୟାୟବାଚୀ କରାଯାଉଛି। ସଂଖ୍ୟାଲଘୁ, ସାମାଜିକ କର୍ମୀ, ଆମ୍ବେଦକରବାଦୀ, ବିପ୍ଳବୀ କମ୍ୟୁନିଷ୍ଟ ଏବଂ ବିଭିନ୍ନ ଅଧିକାର ପାଇଁ ସକ୍ରୀୟ କର୍ମୀମାନଙ୍କୁ ସହରୀ ନକ୍ସଲ ବୋଲି ଚିହ୍ନିତ କରି ସେମାନଙ୍କ ଉପରେ ୟୁଏପିଏ ଓ ଏନ୍‌ଆଇଏ ମାମଲାକୁ ଲଦି ଦିଆଯାଉଛି। ୱାକଫ୍ ଆଇନ ନାମରେ, ସଂଖ୍ୟାଲଘୁଙ୍କ ସମ୍ପତ୍ତି ଉପରେ ଆକ୍ରମଣକୁ ଆରମ୍ଭ ହୋଇଛି । ଅପରେସନ୍ କାଗର ନାମରେ ସେମାନେ ଖଣିଜ ସମ୍ପଦ ସମୃଦ୍ଧ ଜଙ୍ଗଲ ଜମି ଏବଂ ସମ୍ପଦକୁ କର୍ପୋରେଟ୍ ହାତକୁ ହସ୍ତାନ୍ତର କରିବା ପାଇଁ ଆଦିବାସୀଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ଜାତିବାଦୀ ଏବଂ ସାମ୍ପ୍ରଦାୟିକ ଷଡ଼ଯନ୍ତ୍ର ଆନ୍ଦୋଳନ କରୁଥିବା ଲୋକଙ୍କୁ ବିଭାଜିତ କରି ଚାଲିଛି।

ଆମେରିକା ଏବଂ ୟୁରୋପର ଦେଶଗୁଡ଼ିକରେ ପ୍ରବାସୀ ଶ୍ରମିକମାନଙ୍କୁ ଟାର୍ଗେଟ କରି ଜାତିଭେଦ ବୃଦ୍ଧି ପାଇଛି ଏବଂ ଆଜି ସାତଟି ଦେଶରେ ଉଗ୍ର ଦକ୍ଷିଣପନ୍ଥୀ ସରକାର କ୍ଷମତା ଦଖଲ କରିଛନ୍ତି। ଯେଉଁ ପ୍ରବାସୀମାନେ ନିଜର ଦେଶ ସୀମା କ୍ଟଙ୍ଗଦ୍ଭ ଗ୍ଦଷକ୍ଟକ୍ସରଗ୍ଦ ଖୋଜାଖୋଜି କିମ୍ବା କାମ ପାଇଁ ବାହାରକୁ ଯାଇଛନ୍ତି ସେମାନେ ଆମେରିକା ଏବଂ ୟୁରୋପ ରେ ବିପଦରେ ଅଛନ୍ତି। ଟ୍ରମ୍ପ ସରକାର ଭାରତୀୟମାନଙ୍କୁ ନିର୍ବାସିତ କରୁଥିବା ବେଳେ, ମୋଦି ସରକାର ଟ୍ରମ୍ପ ପ୍ରଶାସନ ଆଗରେ ଦାସତ୍ୱ ପ୍ରଦର୍ଶନ କରୁଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ଶୃଙ୍ଖଳିତ ଭାବରେ ଭାରତକୁ ଫେରାଇ ଦିଆଯାଇଥିବା କିନ୍ତୁ ଜାଣି ରଖିବା ଉଚିତ ୯୦% ଭାରତୀୟ ଶ୍ରମିକ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ହିଁ ଥିଲେ।
ନିଜର ଗତ ଦଶ ବର୍ଷର ଶାସନ କାଳରେ କେନ୍ଦ୍ରର ଭାଜପା ସରକାରୀ କ୍ଷେତ୍ରର ବିଭିନ୍ନ ଅନୁଷ୍ଠାନ ଏବଂ ସମ୍ପତିକୁ ଘରୋଇକରଣ କରି ଘରୋଇ କମ୍ପାନୀମାନଙ୍କୁ ଶାଗମାଛ ଦରରେ ବିକ୍ରୀ କରିଛନ୍ତି। ପ୍ରତିରକ୍ଷା, ପରିବହନ, ଶକ୍ତି, ନୌସେନା, ବିମାନ ଚଳାଚଳ, ଆଣବିକ କ୍ଷେତ୍ର, କୋଇଲା, ଭାରତୀୟ ଇସ୍ପାତ ନିଗମ, ଗେଲ (ଏଇଓଖ), ବିମାନ ଚଳାଚଳ ସଂସ୍ଥା, ରେଳବାଇ, ବୀମା, ବିଏସ୍‌ଏନ୍‌ଏଲ୍‌, ଗ୍ୟାସ୍‌, ତୈଳ ବିଶୋଧନ ଆଦି କ୍ଷେତ୍ରରେ ସରକାରୀ ମାଲିକାନାରେ ଥିବା ଦେଶର ପବ୍ଲିକ୍ ସେକ୍ଟର ସଂସ୍ଥାଗୁଡ଼ିକ ୨୪% ରୁ ୧୦୦% ଅଂଶଧନକୁ ଘରୋଇ କର୍ପୋରେଟ୍‌ମାନଙ୍କ ହାତକୁ ଟେକି ଦେଇଛନ୍ତି। ଏସବୁର ଘରୋଇକରଣ ଫଳରେ ସେ ସବୁରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ଶ୍ରମ ଅଧିକାର ଓ ସାମାଜିକ ସୁରକ୍ଷା ଏବଂ ଅନେକେ ଚାକିରୀ ମଧ୍ୟ ହରାଇବାକୁ ଯାଉଛନ୍ତି। ସରକାର ଶ୍ରମିକ ଓ କର୍ମଚାରୀମାନଙ୍କ ଜୀବନ ଧାରଣର ମାନକୁ ବଢାଇବା ଦିଗରେ କାର୍ଯ୍ୟ କରିବା ବଦଳରେ ସ୍ଥାୟୀ ଚାକିରୀଗୁଡିକୁ ପ୍ରାୟତଃ ସମାପ୍ତ କରି ଚାଲିଛନ୍ତି। ଇପିଏଫ୍‌, ଇଏସଆଇ, ପେନସେନ୍‌, ସର୍ବନିମ୍ନ ମଜୁରୀ, ଶିକ୍ଷା-ଚିକିତ୍ସା ସୁବିଧା, ସଂରକ୍ଷଣ ଆଦିକୁ ବନ୍ଦ କରାଯାଉଥିବା ବେଳେ ଅତ୍ୟାବଶ୍ୟକ ସେବା ଗୁଡିକ ମଧ୍ୟ କର୍ପୋରେଟ୍‌ମାନଙ୍କୁ ହସ୍ତାନ୍ତର କରାଯାଇଛି। ଯାହାରି ଫଳସ୍ୱରୂପ ଦେଶରେ ଆର୍ôଥକ ଅସମାନତା ଭୟଙ୍କର ଭାବେ ବୃଦ୍ଧି ପାଇଛି। ମାତ୍ର ୧% ଧନୀ ବ୍ୟକ୍ତିଙ୍କ ହାତରେ ଦେଶର ମୋଟ ୫୩% ସମ୍ପତ୍ତି ଠୁଳ ହୋଇଛି ବୋଲି ଇତି ମଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି।

ଆଜି ବିଶ୍ୱ ଶ୍ରମିକ ଦିବସ ଏପରି ଏକ ସମୟରେ ହେଉଛି, ଯେତେବେଳେ ବିଶ୍ୱବ୍ୟାପୀ ବେକାରୀ, ମଜୁରୀ ହ୍ରାସ ଏବଂ ଶ୍ରମ ଅଧିକାର ଉପରେ ଆକ୍ରମଣ ବଢ଼ିବା ସହିତ ରାଜନୀତିରେ ଦକ୍ଷିଣପନ୍ଥୀ ଶକ୍ତିଙ୍କ ପ୍ରଭାବ ମଧ୍ୟ ବଢ଼ିବାରେ ଲାଗିଛି। ଆମ ଦେଶରେ ବି ଦକ୍ଷିଣପନ୍ଥୀ ବିଜେପି ସରକାରଙ୍‌କ ଶାସନରେ ଶ୍ରମିକ ଶ୍ରେଣୀର ଅଧିକାର ଉପରେ ଆକ୍ରମଣ ଜୋରଦାର ହୋଇଛି। ଦେଶରେ ଶ୍ରମିକଙ୍କ ସ୍ୱାର୍ଥରେ ରହିଥିବା ଶ୍ରମ ଆଇନଗୁଡ଼ିକୁ ଜାଣିଶୁଣି କାର୍ଯ୍ୟକାରୀ କରାଯାଉନି। ଏବେ ଶ୍ରମ ଆଇନ ସଂସ୍କାର ନାଁରେ ସେସବୁ କଷ୍ଟଲବ୍ଧ ଶ୍ରମ ଅଧିକାରଗୁଡ଼ିକୁ ମଧ୍ୟ ଛଡ଼େଇ ନେବାକୁ ଉଦ୍ୟମ ଆରମ୍ଭ ହୋଇଛି । ଧର୍ମ, ଦେଶପ୍ରେମ ଏବଂ ଜାତୀୟତାବାଦ ନାମରେ ରାଜନୀତି କରୁଥିବା ସରକାରଙ୍କ ଏହିଭଳି ପଦକ୍ଷେପ ଦେଶର ୪୫ କୋଟି ସଂଗଠିତ ତଥା ଅସଂଗଠିତ ଶ୍ରମିକମାନଙ୍କ ଜୀବନକୁ ବିପଦରେ ପକାଇ ଦେଇଛନ୍ତି।

ଅନ୍ୟପଟେ ସରକାର ଓ୍‌କଫ୍ ଆଇନ ପରି ବିଗିନ୍ନ ପଦକ୍ଷେପ ଜରିଆରେ ଦେଶରେ ଧାର୍ମିକ ବିଭାଜନ ଓ ସାମ୍ପ୍ରଦାୟକ ଘୃଣା ସୃଷ୍ଟି କରିଚାଲିଛନ୍ତି। ନିକଟରେ କାଶ୍ମୀରର ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା କ୍ଷେତ୍ରରେ ମଧ୍ୟ ସରକାର ଓ ତାଙ୍କ ସମର୍ଥିତ ମିଡ଼ିଆ ସାମ୍ପ୍ରଦାୟିକ ବିଭାଜନ ଓ ଧାର୍ମିକ ଧୃବୀକରଣ କରିବାକୁ ଭରପୂର ଚେଷ୍ଟା କରିଛନ୍ତି। ଏଭଳି କରି ସେମାନେ ହଜାର ହଜାର ବର୍ଷ ଧରି ଏକାଠି ରହିଆସୁଥିବା ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ଏକତାକୁ ଭାଙ୍ଗିବା ସହ ଶ୍ରମଜୀବି ମଣିଷଙ୍କ ଏକତା ଉପରେ ଆକ୍ରମଣ କରୁଛନ୍ତି। ଶ୍ରମିକ ଶ୍ରେଣୀ ଏଭଳି ବିଭାଜନକାରୀ ନୀତିର ମୁକାବିଲା କରିବା ସହିତ ସରକାରର ଶ୍ରମିକ ବିରୋଧୀ ନୀତି ବିରୋଧରେ ମିଳିତ ଭାବେ ଲଢେଇ କରିବାକୁ ହେବ। ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଶ୍ରମିକ ଶ୍ରେଣୀ ସେମାନଙ୍କର ଏକତାକୁ ଆହୁରି ବ୍ୟାପକ କରିବା ଏବଂ ସରକାରର ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଦୃଢ଼ ସଂଘର୍ଷ ଗଢ଼ି ତୋଳିବା। ଶ୍ରମିକ ଶ୍ରେଣୀ ପୁଞ୍ଜିପତ୍ତି ଶ୍ରେଣୀର ଷଡ଼ଯନ୍ତ୍ରକୁ ବୁଝି ନିଜର ଏକତାକୁ ବଢ଼ାଇବା ସହ ଅଧିକାରର ସୁରକ୍ଷା ପାଇଁ ଆଗେଇ ଆସିବା ଜରୁରୀ। ମଇ ଦିବସ କେବଳ ଆଠ ଘଂଟିଆ ଶ୍ରମ ଦିବସର କଥା କହୁନାହିଁ ବରଂ ପୁଞ୍ଜି ଦ୍ୱାରା ଶ୍ରମର ଶୋଷଣ ବିରୁଦ୍ଧରେ ଅବିରାମ ସଂଘର୍ଷର ଶିକ୍ଷା ବି ଦେଇ ଆସିଛି। ଅତଏବ ଶ୍ରମିକ ଶ୍ରେଣୀ ନିଜର ଅର୍ଥନୈତିକ ଦାବୀ ସହିତ ସମାଜରୁ ମଣିଷ ଦ୍ୱାରା ମଣିଷର ଶୋଷଣକୁ ହଟାଇ ଏକ ଶୋଷଣମୁକ୍ତ ତଥା ନ୍ୟାୟପୂର୍ଣ୍ଣ ବିକଳ୍ପ ବ୍ୟବସ୍ଥାର ନିର୍ମାଣ ପାଇଁ ଲଢ଼େଇରେ ସାମିଲ ହେବାକୁ ପଡ଼ିବ, ଏହା ହିଁ ଆର୍ନ୍ତଜାତୀୟ ଶ୍ରମିକ ଦିବସର ଆହ୍ୱାନ ହେବା ଉଚିତ।

ଫୋ- ୯୪୩୭୧୬୬୩୯୧

Karl Marx Fredrick Engels 1st May Labour Day