Advertisment

ଗାଭାସ୍କରଙ୍କର ସେହି ୧୭୪ ବଲ୍‌ରେ ଅପରାଜିତ ୩୬ ରନ୍‌ର ନିନ୍ଦିତ ରେକର୍ଡ

୧୯୭୫ ମସିହା ବିଶ୍ୱକପର ପ୍ରଥମ ମ୍ୟାଚ୍ ଯାହାକି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିଲା, ସେଥିରେ ଭାରତୀୟ ଓପନର ଗାଭାସ୍କରଙ୍କ ପ୍ରଦର୍ଶନକୁ ନେଇ ଆଲୋଚନା କରିବାକୁ ଯାଉଛୁ। ଗାଭାସ୍କରଙ୍କ ଧିମା ବ୍ୟାଟିଂ କିପରି ଭାରତୀୟ ଦଳକୁ ପରାଜୟ ଆଡ଼କୁ ଠେଲିଦେବା ସହ ଏହା ଯୋଗୁଁ ଭାରତୀୟ ଦଳ ଲଜ୍ଜିତ ହୋଇଥିଲା ସେ ନେଇ ଆଲୋଚନା କରିବାକୁ ଯାଉଛୁ।

Sunil Gavaskar

Sunil Gavaskar

Advertisment

କ୍ରିକେଟରେ ଅନେକ ସମୟରେ ବିଶ୍ୱ ରେକର୍ଡମାନ ଘଟେ। କେତେବେଳେ ଏହି ବିଶ୍ୱ ରେକର୍ଡ ପାଇଁ ଖେଳାଳୀଙ୍କୁ ପରିଶ୍ରମ, ଚେଷ୍ଟା ଏବଂ ଅନବରତ ସାଧନା କରିବାକୁ ପଡ଼ିଥାଏ ତ ଆଉ କେତେବେଳେ ଏହା ଆପଣା ଛାଏଁ ଅଲୋଡ଼ା ଭାବେ ଘଟିଥାଏ। ତେବେ ଆପଣ ଚିନ୍ତା କରନ୍ତୁ ତ ଜଣେ ଖେଳାଳି ଜାଣୁଥିବ ଯେ ସେ ଖରାପ ଖେଳି ବିଶ୍ୱ ରେକର୍ଡ କରିବାକୁ ଯାଉଛି ଆଉ ତାହାର ଏହି ଖେଳ ଯୋଗୁଁ ତା’ ଦଳ ମଧ୍ୟ ହାରିବାକୁ ଯାଉଛି ତଥାପି ସେ ବିଶେଷ କିଛି କରି ପାରୁନଥିବ। ଭାବନ୍ତୁ ତ ଏପରି ସ୍ଥିତିରେ ତା’ର ମାନସିକ ଅବସ୍ଥା କଣ ହେଉଥିବ?

Advertisment

୧୯୭୫ ମସିହା ବିଶ୍ୱକପର ପ୍ରଥମ ମ୍ୟାଚ୍ ଯାହାକି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିଲା, ସେଥିରେ ଭାରତୀୟ ଓପନର ଗାଭାସ୍କରଙ୍କ ପ୍ରଦର୍ଶନକୁ ନେଇ ଆଲୋଚନା କରିବାକୁ ଯାଉଛୁ। ଗାଭାସ୍କରଙ୍କ ଧିମା ବ୍ୟାଟିଂ କିପରି ଭାରତୀୟ ଦଳକୁ ପରାଜୟ ଆଡ଼କୁ ଠେଲିଦେବା ସହ ଏହା ଯୋଗୁଁ ଭାରତୀୟ ଦଳ ଲଜ୍ଜିତ ହୋଇଥିଲା ସେ ନେଇ ଆଲୋଚନା କରିବାକୁ ଯାଉଛୁ।

୧୯୭୧ରେ ଦିନିକିଆ କ୍ରିକେଟ୍‌ର ପ୍ରଚଳନ ଆରମ୍ଭ ହେଲା। ଏହାର ଠିକ୍ ଚାରି ବର୍ଷ ପରେ ୧୯୭୫ରେ ଇଂଲଣ୍ଡରେ ଆରମ୍ଭ ହେଲା ପ୍ରଥମ ବିଶ୍ୱକପ। ସେତେବେଳକୁ ଟେଷ୍ଟ କ୍ରିକେଟ୍ ବେଶ୍ ଲୋକପ୍ରିୟ ଥିଲା ଏବଂ ବିଶ୍ୱକପ ଖେଳୁଥିବା ଦଳର ଅନେକ ଖେଳାଳି ଟେଷ୍ଟ ଦଳରୁ ହିଁ ଆସିଥିଲେ। ସେତେବେଳେ ବର୍ତ୍ତମାନ ପରି ଏକ ଦିବସୀୟ ବିଶେଷଜ୍ଞ ନଥିଲେ। ୧୯୭୫ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଖେଳାଗଲା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ, ଜୁନ୍ ମାସ ୭ ତାରିଖରେ। ସେସତେବେଳେ ଏକଦିବସୀୟ ମ୍ୟାଚ୍ ସବୁ ୬୦ ଓଭର ବିଶିଷ୍ଟ ହୋଇଥାଏ। ଟେଷ୍ଟ କିକେଟ୍‌କୁ ପ୍ରକୃତ କ୍ରିକେଟ୍ କୁହାଯାଉଥିବା ବେଳେ ଏକ ଦିବସୀୟ କ୍ରିକେଟ୍ ତଥାପି ଶୈଶବରେ ଥିଲା। ଏକଦିବସୀୟ କ୍ରିକେଟ୍ ନୂଆ କରି ଆରମ୍ଭ ହୋଇଥିବାରୁ ଏହା ଏବେ ବି ଟେଷ୍ଟର ଛତ୍ରଛାୟାରୁ ବାହାରି ପାରିନଥିଲା।

Advertisment

ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କଲା। ଡେନିସ୍ ଆମିଶ୍‌ଙ୍କ ୧୪୭ ବଲ୍‌ରେ ୧୩୭ ରନ୍ ଏବଂ ଅନ୍ୟ ଦୁଇ ଖେଳାଳି ଯଥାକ୍ରମେ କିଥ୍ ଫ୍ଲେଚରଙ୍କ ୧୦୭ ବଲରେ ୬୮ ଏବଂ କ୍ରୀସ ଓଲ୍ଡଙ୍କର ଦ୍ରୁତ ୩୯ ବଲରେ ୫୧ ରନର ଇଂନିସ୍ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୬୦ ଓଭରରେ ୪ ୱିକେଟ୍ ବିନିମୟରେ ହାସଲ କଲା ୩୩୪ ରନ।

ସେତେବେଳେ ୬୦ ଓଭରରେ ୩୩୪ ରନ ସ୍କୋର କରିବା ବେଶ୍ କାଠିକର ପାଠ ହୋଇଥାଏ। ପୁଣି ଏହା ଭାରତର ପ୍ରଥମ ବିଶ୍ୱ କପ ମ୍ୟାଚ୍‌ ହୋଇଥିବାରୁ ଏହା ସୁନିଶ୍ଚିତ ଭାବେ ଏକ କଷ୍ଟକର ଆହ୍ୱାନ ଥିଲା। କିନ୍ତୁ ଲୋକ ଭାବନ୍ତି ଯେହେତୁ କ୍ରିକେଟ୍‌ରେ ମିରାକ୍‌ଲ ଘଟିବାର ଅନେକ ଉଦାହରଣ ଅଛି ଆଉ ଭାରତ ପାଖରେ ବିକଳ୍ପ ମହଜୁଦ ଅଛି ତେଣୁ ସେଥିପାଇଁ ଭାରତ ମ୍ୟାଚ୍ ବେଳକୁ ଭଲ ବ୍ୟାଟିଂ କରିପାରେ ଏବଂ ଏହି କାରଣରୁ ହୁଏତ ଭାରତ ଏହି ମ୍ୟାଚ୍ ଜିତିଯାଇପାରେ।

କିନ୍ତୁ ଏପରି କିଛି ବି ହେଲାନାହିଁ। ଭାରତ ହାରିଗଲା ତାହ ବି ଏକ ବଡ଼ ବ୍ୟବଧାନରେ। ଭାରତର ଏହି ପରାଜୟ ପଛରେ ଭାରତର ବିଖ୍ୟାତ ଓପନର ତଥା ଲିଜେଣ୍ଡ କ୍ରିକେଟର ସୁନୀଲ ମନୋହର ଗାଭାସ୍କାରଙ୍କ ଦ୍ୱାରା ଖେଳା ଯାଇଥିବା ସେହି ଅତ୍ୟଧିକ ଧିମା ଇନିଂସ ବୋଲି ବଡ଼ ବଡ଼ କ୍ରିକେଟ୍ ପଣ୍ଡିତମାନେ ମତ ଦିଅନ୍ତି।

୩୩୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ପକ୍ଷରୁ ସୁନୀଲ ମନୋହର ଗାଭାସ୍କାର ଏବଂ ଏକନାଥ ସୋଲକାର ପଡ଼ିଆକୁ ଓହ୍ଲାଇଲେ। ଏକନାଥ ସୋଲକାର ଦଳୀୟ ସ୍କୋର ୩୧ ଥିବାବେଳେ ୮ ରନ୍ କରି ଆଉଟ୍ ହୋଇଗଲେ। ତାହା ପରେ ବ୍ୟାଟିଂ କରିବାକୁ ଆସିଥିବା ଅଂଶୁମାନ ଗାଏକ୍ୱାଡ୍ ୪୬ ବଲରେ ୨୨ ଏବଂ ଗୁଣ୍ଡାପ୍ପା ବିଶ୍ୱନାଥ ୫୯ ବଲରେ ୩୭ ରନ୍ କରି ଆଉଟ୍ ହେଲେ। ଗାଭାସ୍କର ପୂରା ୬୦ ଓଭର ଖେଳି ଅପରାଜିତ ରହି ୧୭୪ଟି ବଲରେ ୩୬ ରନ୍ କଲେ। ବୋଧହୁଏ ଗାଭାସ୍କର ଜାଣିଥିଲେ ଯେ ଷାଠିଏ ଓଭର ଭିତରେ ୩୩୪ ରନ୍ ଲକ୍ଷ୍ୟକୁ ଅନୁଧାବନ କରିବା ସଂପୂର୍ଣ୍ଣ ଅସମ୍ଭବ। ତେଣୁ ସେ ଜିତିବାର ଆଶା ପରିତ୍ୟାଗ କରି କେବଳ ବ୍ୟାଟିଂ ଜାରି ରଖିଲେ। ତାଙ୍କର ଏହି ୩୬ ରନ୍‌ ମଧ୍ୟରେ ମାତ୍ର ଗୋଟିଏ ଚୌକା ସାମିଲ ଥିଲା। ଏହା ବିଶ୍ୱ କ୍ରିକେଟ୍‌ର ଏକଦିବସୀୟ ଫର୍ମାଟରେ ସବୁଠାରୁ ଧିମା ଇନିଂସ ନାମରେ ଖ୍ୟାତ। ଏହା ଏକ ବିଶ୍ୱ ରେକର୍ଡ ମଧ୍ୟ। ଏପରି ଏକ ରେକର୍ଡ ଯାହା ନିଜେ ଭାଙ୍ଗିଯାଉ ବୋଲି ଗାଭାସ୍କର ଚାହୁଁଥିବେ, ଅଥଚ ଏ ରେକର୍ଡ ଆଉ ଭାଙ୍ଗିବାର ସୁଯୋଗ ବି ନଥିବ। ଏହା ଏମିତି ରେକର୍ଡ ଯାହା ଆଉ କେବେ ଭାଙ୍ଗିବାର ନାହିଁ। ଏଯାଏ ଏ ରେକର୍ଡ ଅତୁଟ ରହିଛି। ଏକ ଦିବସୀୟ କ୍ରିକେଟ୍‌ରେ ଏବେ ଦ୍ରୁତ ରନ୍ ସଂଗ୍ରହ ହେଉଥିବାରୁ ଏ ରେକର୍ଡ ଯେ ଭାଙ୍ଗିଯିବ ତାହା କଳ୍ପନା କରିବା ବୃଥା।

ଖୋଦ୍ ଗାଭାସ୍କର ନିଜେ ଏହି ରେକର୍ଡ ନେଇ ବିରକ୍ତ ହୋଇଥିଲେ। ସେ ନିଜେ ଚାହୁଁଥିଲେ ଯେ ସେ ବେଳେ ବେଳେ ଷ୍ଟମ୍ପରୁ ହଟିଯାଆନ୍ତୁ ଏବଂ ବଲ ଆସି ସିଧାସଳଖ ତାଙ୍କ ୱିକେଟ୍‌ରେ ବାଜୁ ଏବଂ ସେ ଆଉଟ୍ ହୋଇ ପାଭିଲିୟନ ଫେରିଯିବେ, ହେଲେ ଏହା ବି ସମ୍ଭବ ହେଉନଥିଲା। ମାନସିକ ରୂପେ କ୍ଲନ୍ତ ହୋଇ ପଡ଼ିଆ ବାହାରେ ଚିଡ଼ାଉଥିବା ସମର୍ଥକମାନଙ୍କ ସହ ଯୁଝି ଯୁଝି ସେ ପଡ଼ିଆରୁ ବାହାରକୁ ଫେରିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଗାଭାସ୍କରଙ୍କର ଏପରି ପ୍ରଦର୍ଶନରେ ବିରକ୍ତ ହୋଇ ଏବଂ ତାଙ୍କୁ ବିରୋଧ କରିବା ପାଇଁ ଖେଳ ସରିଲାବେଳକୁ ଶହ ଶହ ସଂଖ୍ୟାରେ ଦର୍ଶକ ଖେଳାଯାଉଥିବ ପଡ଼ିଆରେ ପଶି ଗାଭାସ୍କରଙ୍କୁ ଖରାପ ବ୍ୟବହାର କଲେ। ଭାରତର ପାଳି ୬୦ ଓଭରରେ ୩ ୱିକେଟ୍ ବିନିମୟରେ ୧୩୨ ରନ୍‌ରେ ସିମୀତ ରହିଲା। ଭାରତ ୨୦୨ ରନର ବଡ଼ ବ୍ୟବଧାନରେ ପରାଜୟ ବରଣ କଲା।

ବିଶ୍ୱକପ ପରେ ଗାଭାସ୍କରଙ୍କୁ ଏହି ଦାୟିତ୍ୱହୀନ ଧିମା ଇନିଂସ୍ ପାଇଁ ବେଶ୍ ସମାଲୋଚନା ଶୁଣିବାକୁ ପଡ଼ିଲା। ଅନେକ ତ ଗାଭାସ୍କରଙ୍କୁ ଖୋଲା ବିରୋଧ କରି ଭାଭାସ୍କରଙ୍କର ଏହି ଇନିଂସ୍ କ୍ରିକେଟର ଖେଳର ସ୍ୱାର୍ଥ ଏବଂ ଉଦ୍ଦେଶ୍ୟର ଅବମାନନା ବୋଲି କହିଲେ। ଗାଭାସ୍କରଙ୍କ ଏହି ଇନିଂସ୍ ଯୋଗୁଁ ଭାରତ ବିଦେଶରେ ଲୋକହସା ହେଲା ସତ ହେଲେ ଏକଦିବସୀୟ କ୍ରିକେଟ୍ ଖେଳିବାର ଗୋଟିଏ ନୂଆ ଉପାୟ ମିଳିଗଲା। ଅନେକ ଧୀର ହେଉ ପଛେ ଏକଦିବସୀୟ ମ୍ୟାଚରେ ପ୍ରଥମରୁ ଶେଷ ଯାଏ ବ୍ୟାଟିଂ କରିବାରେ ବିଶ୍ୱାସକଲେ। ଏପରି କଲେ ଆପଣ ଗୋଟିଏ ପଟୁ ୱିକେଟ୍ ହରାଇବେ ନାହିଁ ଏବଂ ଅନ୍ୟପଟର ବ୍ୟାଟର ହାତଖୋଲା ସଟ୍ ଖେଳି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିପାରିବ। ଏହି ରଣନୀତି ଅତୀତରେ ଅନେକ ସଫଳ ହୋଇଛି ମଧ୍ୟ। ଖାସ କରି ଦ୍ୱତୀୟ ଇନିଂସରେ ଲକ୍ଷ୍ୟକୁ ପିଛା କରୁଥିବା ଦଳ ସବୁବେଳେ ଚାହେଁ ତା ବ୍ୟାଟିଂ ଅର୍ଡରରେ ପ୍ରଥମ ତିନି ଜଣଙ୍କ ମଧ୍ୟରେ ଏପରି ଜଣେ ବ୍ୟାଟର ରହୁ ଯିଏ ଆରମ୍ଭରୁ ଶେଷ ଯାଏ ଅପରାଜିତ ରହିବ ଏବଂ ଅନ୍ୟମାନେ ବଡ଼ ବଡ଼ ସଟ୍ ଖେଳି ବଢୁଥିବା ରନ୍ ରେଟ୍ ଉପରେ ଅଂକୁଶ ଲଗାଇ ପାରିବେ।

ତେବେ ସେ ଯାହା ହେଉ, ଗାଭାସ୍କାରଙ୍କ ଏହି ଧିମା ଇନିଂସ୍‌ଟି ଏକ ଅଗ୍ରହଣୀୟ ବିଶ୍ୱ ରେକର୍ଡ କଲା ଏବଂ ଦଳ ହାରିଲା ସତ ହେଲେ ବିଶ୍ୱ କ୍ରିକେଟକୁ ଏକ ନୂଆ କୌଶଳ ଦେଇଗଲା।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

Cricket Sunil Gavaskar Indian Cricket Captain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe