/odisha-reporter/media/media_files/2026/01/09/supreme-court-2026-01-09-13-28-46.jpg)
Supreme Court Of India Photograph: (Internet)
ରବି ଦାସ
ଭାରତୀୟ ଗଣତନ୍ତ୍ରକୁ ମଜବୁତ୍ କରି ରଖିବା ପାଇଁ ଯେଉଁସବୁ ଅନୁଷ୍ଠାନଗୁଡ଼ିକ ପ୍ରମୁଖ ସ୍ତମ୍ଭ ଭାବରେ କାମ କରିବେ ବୋଲି ବିଶ୍ୱାସ କରାଯାଇଥିଲା, ସେଗୁଡ଼ିକ ଧୀରେ ଧୀରେ ଲୋକମାନଙ୍କ ଆସ୍ଥା ହରାଇବା ପ୍ରକ୍ରିୟା ଗଣତନ୍ତ୍ର ପ୍ରେମୀ ସବୁ ସଚେତନ ଲୋକମାନଙ୍କୁ ବିବ୍ରତ କରୁଛି।
ଭାରତୀୟ ଗଣତନ୍ତ୍ରର ପ୍ରମୁଖ ସ୍ତମ୍ଭ ଭାବରେ ସଂସଦ, କାର୍ଯ୍ୟପାଳିକା ଓ ନ୍ୟାୟାଳୟକୁ ପ୍ରଥମେ ବିଚାର କରାଯାଏ। ସାଂସଦ ବା ବିଧାନସଭାଗୁଡ଼ିକରେ ଯେଉଁଭଳି ଢଙ୍ଗରେ ଲୋକମାନଙ୍କ ସମସ୍ୟା ସହିତ ଆଇନ୍ ବିଷୟରେ ତର୍ଜମା ଓ କଥା ତାହା ହେଉନାହିଁ। ପାର୍ଲାମେଂଟରେ ଏପରି ଅନେକ ଆଇନ୍ ପାସ୍ ହେଉଛି ଯେଉଁଗୁଡ଼ିକ ଉପରେ ଆଦୌ ଆଲୋଚନା ବା ବିତର୍କ ହୋଇନାହିଁ। ବିରୋଧୀ ପକ୍ଷଙ୍କ ଅନୁପସ୍ଥିତିରେ ସରକାରୀ ଦଳ କେବଳ ସଂଖ୍ୟାଗରିଷ୍ଠ ବଳରେ ବିଲ୍ ପାସ୍ କରାଇନେଉଛନ୍ତି।
ଲୋକମାନଙ୍କ ପାଇଁ ହେଉଥିବା ଯେକୌଣସି ଆଇନ୍ ଗ୍ରହଣ ପୂର୍ବରୁ ପ୍ରଥମେ ଚିଠା ପ୍ରସ୍ତାବ ଉପରେ ଲୋକମତ ନିଆଯିବା ଓ ଚିଠା ପ୍ରସ୍ତାବର ଭଲଭାବରେ ତର୍ଜମା କରିବା ପାଇଁ ସଂସଦର ଷ୍ଟାଣ୍ଡିଂ କମିଟିରେ ବିଚାର ଆଲୋଚନା ପରେ ଯାଇ ବିଲ୍ ଉପସ୍ଥାପିତ ହେବା କଥା। କିନ୍ତୁ କ୍ରମାନ୍ୱୟରେ ଦେଖାଯାଉଛି ପାର୍ଲାମେଂଟର ଷ୍ଟାଣ୍ଡିଂ କମିଟିରେ ଆଲୋଚନା ତ’ ଦୂରର କଥା ସଂସଦରେ ଏହା ଉପରେ ଆଲୋଚନା ନିମନ୍ତେ ସଂସଦ ସଦସ୍ୟମାନଙ୍କୁ ସମୟ ବି ଦିଆଯାଉନି। ବିଲ୍ ଆଗତ ହେବାର ମାତ୍ର କେତେ ଘଂଟା ଭିତରେ ତାହା ଉପରେ ଆଲୋଚନା ହୋଇ ସରକାରୀ ଦଳର ସଂଖ୍ୟାଗରିଷ୍ଠତା ଭିତ୍ତିରେ ତାହା ଗୃହୀତ ହେଉଛି।
ଯେଉଁ ବ୍ୟବସ୍ଥାଗୁଡ଼ିକ ସମ୍ବିଧାନର ବିରୋଦ୍ଧାଚରଣ କରୁଛି ବୋଲି କୁହାଯାଉଛି ଆଇନ୍ ପ୍ରଣୟନ ପରେ ଉଚ୍ଚତମ ନ୍ୟାୟାଳୟରେ ତାହାର ଚ୍ୟାଲେଞ୍ଜ କରାଯିବା ପରେ ପ୍ରକୃତ ବିଚାର ଆଲୋଚନା ସେହି ସ୍ଥାନରେ ହେଉଛି। କିନ୍ତୁ ଯାହା ସମ୍ବିଧାନର ବିରୋଦ୍ଧାଚରଣ କରୁନାହିଁ, କିନ୍ତୁ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ପ୍ରକୃତ ଆଲୋଚନା ନହେବା ଫଳରେ ସେହିସବୁ ଆଇନ୍ଗୁଡ଼ିକ ପ୍ରକୃତରେ ଲୋକମାନଙ୍କର ସ୍ୱାର୍ଥସାଧନ କରୁନାହିଁ।
ପାର୍ଲାମେଂଟରେ କେବଳ ଦଳୀୟ ଦୃଷ୍ଟିଭଙ୍ଗୀରୁ ଆଲୋଚନା କରାଯାଉଛି। ଦେଖାଯାଉଛି ଏହିସବୁ ଆଲୋଚନା ସମୟରେ ଅନେକ ଯୁକ୍ତିତର୍କ ସଂସଦୀୟ ଭାଷାକୁ ଅତିକ୍ରମ କରି ବ୍ୟକ୍ତିଗତ ଆକ୍ରମଣ ସ୍ତରକୁ ଆସୁଛି। ତାହା ଉପରେ ଅଧିକ ବିତର୍କ ହେଲେ ଅସଂସଦୀୟ ଓ ବ୍ୟକ୍ତିଗତ କୁତ୍ସାମୂଳକ ଶବ୍ଦଗୁଡ଼ିକୁ ବାଚସ୍ପତି ବାଦ୍ ଦେଉଛନ୍ତି। କିନ୍ତୁ ଗଣତନ୍ତ୍ରରେ ସଂସଦ ଭିତରେ ପ୍ରତ୍ୟେକ ବିଷୟରେ ଆଲୋଚନା ସଂସଦୀୟ ପରମ୍ପରା ଅନୁସାରେ ସରକାରୀ ଓ ବିରୋଧ ଉଭୟ ପକ୍ଷ ଭିତରେ ସମ୍ମାନପୂର୍ଣ୍ଣ ଢଙ୍ଗରେ ହେବାକଥା। କାରଣ ଗଣତନ୍ତ୍ରରେ ସରକାରୀ ଦଳ ଓ ବିରୋଧୀ ଦଳ ଉଭୟ ଲୋକମାନଙ୍କ ଦ୍ୱାରା ନିର୍ବାଚିତ। ବିରୋଧୀ ପକ୍ଷ ବିଲ୍ରେ କୌଣସି ଭଲ ପ୍ରସ୍ତାବ ଦେଲେ ତାହାକୁ ସରକାରୀ ଦଳ ସେମାନଙ୍କ ପ୍ରତି ଅନାସ୍ଥା ଭାବରେ ବିଚାର ନକରି ଗ୍ରହଣ କରିବାକୁ ଆଗଭର ହେବା କଥା। ବାସ୍ତବିକ ଭାରତୀୟ ଗଣତନ୍ତ୍ରରେ ବହୁ ବର୍ଷ ପର୍ଯ୍ୟନ୍ତ ଏହି ଧାରା ରହିଥିଲା। କିନ୍ତୁ ଗତ ଦୁଇ ଦଶନ୍ଧି ଭିତରେ ଏହାର ବ୍ୟତିକ୍ରମ ଘଟିଛି। ବିରୋଧୀ ପକ୍ଷର କୌଣସି ପ୍ରସ୍ତାବ ବା ମତକୁ ସରକାରୀ ଦଳ ସମ୍ମାନ ଦେବା ପରମ୍ପରା ଲୋପ ହୋଇଗଲାଣି।
ସଂସଦକୁ ସାଂସଦମାନେ ନିର୍ବାଚନ ମାଧ୍ୟମରେ ଆସୁଛନ୍ତି। କିନ୍ତୁ ଦେଶର ନିର୍ବାଚନ ବ୍ୟବସ୍ଥା ଧୀରେ ଧୀରେ ଅଧିକ ମାତ୍ରାରେ ଅର୍ଥସର୍ବସ୍ୱ ହୋଇଚାଲିଥିବାରୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପ୍ରାର୍ଥୀମାନେ ଆର୍ଥିକ ସବଳ ଥିବା ଦଳ ବା ପ୍ରାର୍ଥୀମାନଙ୍କର ମୁକାବିଲା କରିପାରୁନାହାନ୍ତି। ଭାରତରେ ନିର୍ବାଚନ ଯେପରି ସମ୍ପୂର୍ଣ୍ଣ ନିରପେକ୍ଷ ଓ ସାଧୁତା ସହକାରେ ହୋଇପାରିବ ସେଥିପାଇଁ ନିର୍ବାଚନ କମିସନ୍କୁ ଦାୟିତ୍ୱ ଓ କ୍ଷମତା ଦିଆଯାଇଛି। ଅର୍ଥାତ୍ ନିର୍ବାଚନ କମିସନ୍ ଏକ ସ୍ୱାଧୀନ ଓ ନିରପେକ୍ଷ ସଂସ୍ଥା ଭାବରେ ସମସ୍ତେ ବିଚାର କରି କାମ କରିବା କଥା। ବାସ୍ତବିକ ଭାରତର ଗତ ୭୫ ବର୍ଷର ନିର୍ବାଚନ ଭିତ୍ତିକ ଗଣତନ୍ତ୍ରରେ ନିର୍ବାଚନ କମିସନ୍ଙ୍କ ସାଧୁତା ଓ ନିରପେକ୍ଷତା ନେଇ କେହି ଆଲୋଚନା ବା ସମାଲୋଚନା କରିନଥିଲେ। ସେଥିପାଇଁ ଭାରତରେ ବା ରାଜ୍ୟରେ ଯିଏବି ଥାଆନ୍ତୁ ନା କାହିଁକି ନିର୍ବାଚନ କମିସନ୍ଙ୍କ ସାଧୁତା ଓ ନିରପେକ୍ଷତା ଯୋଗୁ ନିର୍ବାଚନ ଫଳାଫଳକୁ ନେଇ କେହି ପ୍ରଶ୍ନ ଉଠାନ୍ତି ନାହିଁ। ଇନ୍ଦିରା ଗାନ୍ଧୀ, ଯାହାଙ୍କୁ ଏକଦା ଏକଛତ୍ରବାଦୀ କୁହାଯାଉଥିଲା ତାଙ୍କରି ଶାସନକାଳରେ ହୋଇଥିବା ୧୯୭୭ ନିର୍ବାଚନରେ ତାଙ୍କ ଦଳ ପରାଜିତ ହେବା ସହିତ ସେ ନିଜେ ମଧ୍ୟ ନିର୍ବାଚନ ହାରିଯାଇଥିଲେ। ଏହି ଘଟଣା ସାରା ବିଶ୍ୱରେ ନିର୍ବାଚନ କମିସନର୍ଙ୍କର ସାଧୁତାକୁ ପ୍ରମାଣିତ କରିଥିଲା।
ହେଲେ ଏବେ ସିଧାସଳଖ ଭାବରେ ବିରୋଧୀ ପକ୍ଷମାନେ ନିର୍ବାଚନ କମିସନ୍କୁ ସରକାରଙ୍କ ଏଜେଂଟ ଭାବରେ ଆଖ୍ୟାୟିତ କରୁଛନ୍ତି। ଭୋଟ୍ ଚୋରୀର ସ୍ଳୋଗାନ ଓ ଅଭିଯୋଗ ଖୋଲାଖୋଲି କରାଯାଉଛି। ନିର୍ବାଚନ କମିସନ୍ ସରକାରୀ ଦଳର ସହାୟକ ଭାବରେ ଭୋଟର୍ ତାଲିକାଠାରୁ ଆରମ୍ଭ କରି ନିର୍ବାଚନ ଫଳାଫଳରେ କାମ କରୁଥିବା କୁହାଯାଉଛି। ପ୍ରାୟ ସବୁ ବିରୋଧୀ ଦଳ ଏହିପରି ଅଭିଯୋଗ କରିବା ଏକ ନୂଆ କଥା ହୋଇଛି। ଏଥିରେ ନିର୍ବାଚନ କମିସନ୍ର ବିଶ୍ୱାସନୀୟତା ଓ ନିରପେକ୍ଷତା ନେଇ ସିଧାସଳଖ ପ୍ରଶ୍ନ କରାଯାଉଛି। ଏବେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର୍ ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଜରିଆରେ ଯେପରି ଭାବରେ ବହୁ ଭୋଟର୍ଙ୍କୁ ବାଦ୍ ଦିଆଯାଉଛି ତାହା ସରକାରୀ ଦଳର ଇଙ୍ଗିତରେ କରାଯାଉଛି ବୋଲି ଅଭିଯୋଗ ହୋଇଛି। ବିହାରରେ ଆରମ୍ଭ ହେଉଥିବା ପ୍ରକ୍ରିୟା ଏବେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଚାଲିବା ସମୟରେ ପଶ୍ଚିମବଙ୍ଗର ମୁଖ୍ରମନ୍ତ୍ରୀ ସିଧାସଳଖ ଅଭିଯୋଗ କଲେଣି ଯେ, ଯେଉଁ କପଟାଚାର ମାଧ୍ୟମରେ ଏହି ଭୋଟର୍ ତାଲିକା କାର୍ଯ୍ୟ କରାଯାଉଛି ସେହି ଟେକ୍ନୋଲୋଜି ଭିତ୍ତିକ ଆପ୍ଟି ବିଜେପିର ଆଇଟି ସେଲ୍ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହି ଅଭିଯୋଗ ସତ୍ୟ କି ମିଥ୍ୟା କହିବା ମୁସ୍କିଲ୍।
ବିହାରରେ ଏସ୍ଆଇଆର୍ ସମୟରେ ବିଭିନ୍ନ ବିଷୟରେ ଅଭିଯୋଗ କରି ସୁପ୍ରିମ୍କୋର୍ଟରେ କରାଯାଇଥିବା ମାମଲାଟିର ଚୂଡ଼ାନ୍ତ ରାୟ ଏଯାଏଁ ଆସିନାହିଁ। ବିହାର ନିର୍ବାଚନ ଶେଷ ହୋଇ ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଏସ୍ଆଇଆର୍ ନେଇ ଯେଉଁ ପ୍ରଶ୍ନଗୁଡ଼ିକ ସେତେବେଳେ ଉଠାଯାଇଥିଲା ସେଗୁଡ଼ିକର ଏବେ ବି ଚୂଡ଼ାନ୍ତ ସମାଧାନ ହୋଇନାହିଁ। ନିର୍ବାଚନ କମିସନ୍ଙ୍କର ଯୁକ୍ତି ହେଲା ଯେ, ସମ୍ବିଧାନରେ ଏହାକୁ ଦିଆଯାଇଥିବା କ୍ଷମତାରେ କେବଳ ଭାରତୀୟ ଭୋଟର୍ ଭୋଟର୍ ହେବାର ବ୍ୟବସ୍ଥା ଅଛି। ଭାରତୀୟ ଭୋଟର ଭାରତର ନାଗରିକ ହେବା କଥା। ତେଣୁ ନିର୍ବାଚନ କମିସନର୍ ସେହି ଲକ୍ଷ୍ୟରେ କାମ କରୁଛନ୍ତି। ଏପରିକି ଭାରତୀୟ ନାଗରିକ ହୋଇନଥିବା ଜଣେ ବି ଭୋଟର୍ ଭାରତୀୟ ଭୋଟର୍ ତାଲିକାରେ ନରହିବା ନିର୍ବାଚନ କମିସନ୍ଙ୍କ ଦାୟିତ୍ୱ ବୋଲି କୁହାଯାଉଛି।
ସେହି ସମ୍ବିଧାନ ଅନୁସାରେ ପ୍ରତ୍ୟେକ ଭାରତୀୟ ନାଗରିକର ଭୋଟ୍ ଦେବାର ଅଧିକାର ଅଛି। ଜଣେ ଅଣଭାରତୀୟକୁ ଭୋଟର୍ ତାଲିକାରୁ ହଟାଇବା ଯେପରି ଭାବରେ କମିସନ୍ଙ୍କ ଦାୟିତ୍ୱ ଠିକ୍ ସେହିଭଳି ଭାବରେ କୌଣସି ଯୋଗ୍ୟ ଭୋଟର୍ ଭୋଟର୍ ତାଲିକାରୁ ବାଦ୍ ପଡ଼ିବା ମଧ୍ୟ ତା’ ଠାରୁ ବଡ଼ ଦାୟିତ୍ୱ। ଏହି ଦାୟିତ୍ୱକୁ ଯଦି କମିସନ୍ ଠିକ୍ ଭାବରେ ପାଳନ ନକରି ଲକ୍ଷ ଲକ୍ଷ ଲୋକଙ୍କୁ ଭୋଟର୍ ତାଲିକାରୁ ବାଦ୍ ଦିଅନ୍ତି ତେବେ କମିସନ୍ ଉପରେ କିଏ ବିଶ୍ୱାସ କରିବ? ନ୍ୟାୟପାଳିକା ମାସ ମାସ ଧରି ଏହି ମାମଲାର ବିଚାର କରି ଏସ୍ଆଇଆର୍ର ସାମ୍ବିଧାନିକ ବୈଧତା ବିଷୟରେ ବା ଏହି କାର୍ଯ୍ୟ କିପରି କରାଯିବ ସେଥିପାଇଁ ମାର୍ଗଦର୍ଶିକା ପ୍ରଦର୍ଶନ ନକରିବା ଦ୍ୱାରା ନ୍ୟାୟପାଳିକା ଉପରେ ଭରଷା କମିଯିବ ନାହିଁ କି?
ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ଭାବରେ ଥିବା ଧାରା ୨୧ ଯେଉଁଥିରେ ଜୀବନ ଓ ମୁକ୍ତି ପାଇଁ ବ୍ୟବସ୍ଥା ରହିଛି ଓ ଧାରା ୧୯ ଯେଉଁଥିରେ ମତପ୍ରକାଶ କରିବାର ବା ସ୍ୱାଧୀନ ବକ୍ତବ୍ୟ ଦେବାର ଅଧିକାର ରହିଛି, ସେଗୁଡ଼ିକ ଭାରତୀୟ ଗଣତାନ୍ତ୍ରିକ ଧାରାକୁ ଜୀବନ୍ତ କରିରଖିଛି। ଏହି ଦୁଇଟି ଧାରା ଉପରେ ନାଗରିକମାନଙ୍କର ସ୍ୱାଧୀନତାରେ ବିପନ୍ନ ହେଲେ ନ୍ୟାୟପାଳିକା ତାହାର ସୁରକ୍ଷା କରିବା ନିହାତି ଆବଶ୍ୟକ। ଏହିକ୍ରମରେ ଯେକୌଣସି ଅପରାଧରେ ଜଣେ ବ୍ୟକ୍ତି ଗିରଫ ହେଲେ ସେ ଜାମିନ୍ ପାଇଁ ଦରଖାସ୍ତ କରିପାରୁଛି। ଆଇନର ପ୍ରାବଧାନ ଯେତେ କଠୋର ଥିଲେ ମଧ୍ୟ ଧାରା ୨୧ ଜୀବନ୍ତ ଥିବାରୁ ଜାମିନ୍ ପାଇବା ଏକ ନିୟମ ଓ ଏହାର ବ୍ୟତିକ୍ରମ ଏକ ଅପବାଦ ଭାବରେ ବିବେଚିତ ହେଉଛି। ସେହିପରି କୌଣସି ମାମଲାରେ ଜେଲ୍ରେ ଥିବା ବ୍ୟକ୍ତି ଶୀଘ୍ର ତାର ମାମଲା ଫଇସଲା କରିବା ପାଇଁ ଏହି ଧାରା ଅନୁସାରେ ଏକ ମୌଳିକ ଅଧିକାର ହାସଲ କରିଛି। ନ୍ୟାୟପାଳିକା ଏହି ଧାରାଗୁଡ଼ିକ ସମ୍ପର୍କରେ ବିଚାର କଲାବେଳେ ଏପରି କିଛି କରିବା ଉଚିତ୍ ନୁହେଁ, ଯେଉଁଠାରେ ଧାରଣା ହେବ ଯେ, ଧାରା ୨୧ ବା ଧାରା ୧୯ ଆଉ ଜୀବନ୍ତ ହୋଇନାହିଁ।
ଏହି ସଂକ୍ରାନ୍ତରେ ୨୦୨୧ରେ କେ.ଏ. ନଜିବ୍ ମାମଲାରେ ଏକ ଯୁଗାନ୍ତକାରୀ ରାୟ ଦେଇ ସ୍ପଷ୍ଟ ଭାବେ କହିଥିଲେ ଯେ, ମାମଲାର ତୁରନ୍ତ ଫଇସଲା ହେବା ଓ ବ୍ୟକ୍ତିଗତ ମୁକ୍ତି ଅନ୍ୟ ଯେକୌଣସି ଆଇନରେ ଜାମିନ୍ ପାଇଥିବା ପ୍ରତିବନ୍ଧକ ଉପରେ ଗୁରୁତ୍ୱ ହାସଲ କରିବ। ତେଣୁ ଜଣେ ବ୍ୟକ୍ତିର ମାମଲାର ବିଚାର ଯଦି ବର୍ଷ ବର୍ଷ ଧରି ବିଳମ୍ବିତ ହୁଏ, ତେବେ ସଂପୃକ୍ତ ବ୍ୟକ୍ତି ଯଦି କୌଣସି ସାକ୍ଷ୍ୟରେ ଅସୁବିଧା ସୃଷ୍ଟି କରୁନଥାନ୍ତି ଓ ସେମାନଙ୍କର ଅତୀତର ରେକର୍ଡ ମଧ୍ୟ ନିର୍ମଳ ଥାଏ ତେବେ ତାଙ୍କୁ ଜାମିନ୍ ଦେବା ଆବଶ୍ୟକ। ହେଲେ ସେହି ସୁପ୍ରିମ୍କୋର୍ଟ ନିକଟରେ ଦିଲ୍ଲୀ ଦଙ୍ଗା ସଂକ୍ରାନ୍ତୀୟ ଏକ ମାମଲାରେ ଦୀର୍ଘ ୫ ମାସରୁ ଉର୍ଦ୍ଧ୍ୱ ହେଲା ୟୁଏପିଏ ଅପରାଧରେ ଜେଲ୍ରେ ଥିବା ୭ ଜଣ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରି ସେମାନଙ୍କ ଭିତରୁ ୫ ଜଣଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିବା ସମୟରେ ଉମର୍ ଖାଲିଦ୍ ଓ ସାର୍ଜିଲ୍ ଇମାମ୍ଙ୍କୁ ଜାମିନ୍ ଦିଆଯାଇ ପାରିବନାହିଁ ବୋଲି ଯୁକ୍ତି କରି ୧୪୭ ପୃଷ୍ଠାର ଏକ ଆଦେଶ ଦେଇଛନ୍ତି। ଯଦିଓ ଉଭୟ ଉମର୍ ଓ ସାର୍ଜିଲ୍ ପିଏଚ୍ଡି ସ୍କଲାର୍ ଓ ସେମାନଙ୍କର ଅତୀତରେ କୌଣସି ହିଂସାକାଣ୍ଡର ଇତିହାସ ନାହିଁ। ଏହି ଦୁଇଜଣଙ୍କ ବିଷୟରେ ଅଦାଲତ ମତ ଦେଇଛନ୍ତି ଯେ, ସେମାନଙ୍କ ବିରୋଧରେ ପୋଲିସ୍ ନିକଟରେ ଥିବା ଅଭିଯୋଗ ପଛରେ ସତ୍ୟତା ରହିଥିବାରୁ ସେମାନଙ୍କୁ ମୁକ୍ତି ଦିଆଯାଇପାରିବ ନାହିଁ। ଏମାନଙ୍କ ବିରୋଧରେ ପୋଲିସ୍କୁ ଯେଉଁମାନେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ସେମାନଙ୍କର ସାକ୍ଷ୍ୟ ଅଦାଲତରେ ଶେଷ ହେଲା ପରେ ସେମାନଙ୍କ ଜାମିନ୍ ବିଷୟ ବିଚାର କରାଯିବ। ଏଥିପାଇଁ ଅଦାଲତ ଦୀର୍ଘ ୧ ବର୍ଷର ସମୟ ଦେଇଛନ୍ତି। ଅର୍ଥାତ୍ ଏହି ୧ବର୍ଷ ଭିତରେ ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ନାହିଁ। ନିୟମ ଅନୁସାରେ ମାମଲା ବିଚାର କରୁଥିବା ଅଦାଲତରେ ଏହି ତଥାକଥିତ ସୁରକ୍ଷିତ ସାକ୍ଷୀମାନେ ସେମାନଙ୍କ ବୟାନ ଦେବା ପରେ ହିଁ ଜାମିନ୍ ଦରଖାସ୍ତ ପୁଣି ସେହି ନିମ୍ନ ଅଦାଲତରୁ ଆରମ୍ଭ ହେବ।
ଅସଲକଥା ହେଉଛି ଯେଉଁ ବ୍ୟକ୍ତି ଦୁଇ ଜଣଙ୍କୁ ବର୍ଷକ ପରେ ଜାମିନ୍ ଦିଆଯାଇପାରିବ ବୋଲି ଅଦାଲତ କହିଲେ, ସେମାନଙ୍କୁ ତତ୍କ୍ଷଣାତ୍ ଜାମିନ୍ ଦେବାରେ କ’ଣ ଅସୁବିଧା ଥିଲା? ସେମାନେ ସୁରକ୍ଷିତ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ନାହିଁ। ସେମାନଙ୍କ ଅତୀତ ରେକର୍ଡ ମଧ୍ୟ କଳଙ୍କିତ ନୁହେଁ। ଯଦିଓ ୟୁଏପିଏରେ ଜାମିନ୍ କ୍ଷେତ୍ରରେ ପ୍ରତିବନ୍ଧକ ହୋଇଛି, ଯେପରିକି ପିଏମ୍ଏଲ୍ ମାମଲାରେ ମଧ୍ୟ ଅଛି ତଥାପି ସମ୍ବିଧାନର ୨୧ ଧାରା ଜୀବନ୍ତ ଥିବାରୁ ସେମାନଙ୍କ ପାଇଁ ଜାମିନ୍ ବିଚାର କଲାବେଳେ ସେହି ଦିଗପ୍ରତି ଦୃଷ୍ଟି ଦିଆଯିବା କଥା। ଅଦାଲତ ଚାହିଁଥିଲେ ସେମାନେ ସଂପୃକ୍ତ ଥିବା ମାମଲାର ବିଚାର ମଧ୍ୟ ୧ ବର୍ଷ ପରେ ଶେଷ କରିବାକୁ କହିପାରିଥାନ୍ତେ। କିନ୍ତୁ ସୁରକ୍ଷିତ ସାକ୍ଷୀମାନେ ଅଦାଲତରେ ବୟାନ ଦେବା ପରେ ବା ବର୍ଷକ ପରେ ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କହିବାର ଅର୍ଥ ହେଉଛି ସେମାନଙ୍କ ପାଇଁ ସମ୍ବିଧାନର ଧାରା ୨୧ ମୃତ ହୋଇଯାଇଛି।
ଉଚ୍ଚତମ ନ୍ୟାୟାଳୟରେ ବାରମ୍ବାର ଦେଖାଯାଉଛି ଯେ, ଅଦାଲତ କେଉଁ ଜଜ୍ମାନଙ୍କୁ ନେଇ ବେଂଚ ଗଠିତ ହେଉଛି, ସେହି ଅନୁସାରେ ଜାମିନ୍ର ଭାଗ୍ୟ ନିର୍ଭର କରୁଛି। ଏହି ଜଜ୍ମାନଙ୍କ ପାଇଁ ସମ୍ବିଧାନର ମୂଲ୍ୟବୋଧ ଅପେକ୍ଷା ଆଇନ୍ରେ ସରକାରୀ ଆଭିମୁଖ୍ୟର ଗୁରୁତ୍ୱ ଅଧିକ ରହୁଛି। ନ୍ୟାୟପାଳିକାର ଏହି ଆଭିମୁଖ୍ୟ ଯୋଗୁ ନ୍ୟାୟପାଳିକା ନାଗରିକର ମୌଳିକ ଅଧିକାର ସୁରକ୍ଷା କରିପାରିବ ବୋଲି ବିଶ୍ୱାସ ବା ଆସ୍ଥା ହରାଇବାରେ ଲାଗିଛି। ଏହି ବ୍ୟବସ୍ଥା ନିଶ୍ଚିତ ଭାବରେ ଭାରତୀୟ ଗଣତନ୍ତ୍ର ପାଇଁ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ।
ଫୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
