ପଞ୍ଚାନନ କାନୁନଗୋ
ଏବେ ବି ମନେ ଅଛି। ପିଲାବେଳର କଥା। ଷାଠିଏ, ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ, ସମସ୍ତଙ୍କର ମନେଥିବ। ଗାଁ’ର ସେହି ମାଟିକାନ୍ଥ ଚାଳ ଛପର ଘର ଚଳଚଞ୍ଚଳ ହୋଇ ଉଠୁଥିଲା। ବାବୁ ଆସିବେ। ଶୁଣିବା ମାତ୍ରକେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ କେବଳ ନୁହନ୍ତି ଅଭିଭାବକମାନେ ମଧ୍ୟ ଚଳଚଞ୍ଚଳ ହୋଇ ଉଠନ୍ତି। ବିଦ୍ୟାଳୟ ଗୃହ, ବଗିଚା ସଜଡ଼ାଯାଏ। କାନ୍ଥରେ ସୁନ୍ଦର ହସ୍ତାକ୍ଷରରେ ନୀତିବାଣୀ ସଫାସଫି ହୋଇ ଝୁଲାଯାଏ। ଏହି ନୀତିବାଣିର ପ୍ରଭାବ ପିଲାଙ୍କ ଉପରେ ପଡ଼ୁ ନଥିଲେ ଲେଖକଙ୍କର ମନଭିତରେ ସେହି ସବୁ ପଂକ୍ତି ଏବେ ମନେ ରହିଛି କିପରି? ସେଥିମଧ୍ୟରୁ ଦୁଇଟି ପଂକ୍ତି ହେଲା- ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ।’ ‘ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େ ନାହିଁ ଟାଣେ ପଇସା।’
ବାବୁ ପିଲାଙ୍କୁ ପାଠ ପଚାରନ୍ତି, ଶିକ୍ଷକଙ୍କୁ ପରଖନ୍ତି, ବିଦ୍ୟାଳୟ ଆଉ ପିଲାଙ୍କର ପରିଷ୍କାର ପରିଛନ୍ନତା ଉପରେ ଟିପ୍ପଣୀ ଦିଅନ୍ତି। ଖୁସିଥିଲେ ବାବୁ ଦିନେ ଛୁଟି ବି ଘୋଷଣା କରନ୍ତି। ନିଜର ମର୍ଯ୍ୟାଦା ଆଉ ବାବୁପଣିଆ ସାବ୍ୟସ୍ତ କରନ୍ତି।
ସେ ସମୟର ବାବୁଙ୍କୁ ଏବେକାର ପିଲାଏ ଦେଖିଲେ ହସିବେ ଥଟ୍ଟା କରିବେ, ଜୋକର ବୋଲି ଭାବିବେ। ପାଦରେ ଯୋତା, ହାପ୍ପ୍ୟାଣ୍ଟ୍ ଇନ୍ କରି ପିନ୍ଧିଥିବା, ଧଳା ହାପ୍ସାର୍ଟ ମୁଣ୍ଡରେ ଗୋଟାଏ ଗୋଲେଇ ଟୋପି ଶୋଲରେ ତିଆରି ହୋଇଥାଏ। ଭାରୀ ହାଲୁକା। ବାବୁ ପ୍ରାୟତଃ ସାଇକେଲ ଚଢ଼ି ଆସନ୍ତି ଅବା କାହା ପଛରେ ବସିଆସନ୍ତି। ଗ୍ରୀନ୍ ବା କଳା ରଙ୍ଗର ରାଲେ ସାଇକେଲରେ ଆସି ଗାଁ ସ୍କୁଲରେ ଓହ୍ଲାଇ ପଡ଼ନ୍ତି। ବଡ଼ ପ୍ରଭାବ ବାବୁଙ୍କର ପିଲାଏ ସେଦିନ ପରିସ୍କାର ପରିଛନ୍ନ ଥା’ନ୍ତି ଓ ପେଡ଼ିରେ ଥିବା ଜାମା ପ୍ୟାଣ୍ଟ ପିନ୍ଧି ଆସନ୍ତି। ଘରେ ମା’ମାନେ ପିଲାଙ୍କ ମୁଣ୍ଡ କୁଣ୍ଡେଇ ସଜେଇ ଦେଇଥାନ୍ତି। ନଖ, ଦାନ୍ତ ଯେପରି ସଫା ଥାଏ ଦେଖନ୍ତି। ହେଉ ପଛେ ବର୍ଷକରେ ଗୋଟାଏ ବା ଦିଟା ଦିନ। ପିଲାଏ ସଫା ହୁଅନ୍ତି। ବଡ଼ ମାଷ୍ଟ୍ରେଙ୍କଠାରୁ ଆରମ୍ଭ କରି ସାନ ମାଷ୍ଟ୍ରେଙ୍କ ପର୍ଯ୍ୟନ୍ତ ସବୁ ପାଠପଢ଼ା ଆଉ ଖାତାଦେଖା ତିନି ଚାରି ଦିନ ଧରି ପରଖି ନେଇଥାନ୍ତି। ଏମିତି ଅନେକ କଥା। ବାବୁଙ୍କ ପ୍ରଭାବରେ ସବୁକିଛି ଚଳଚଞ୍ଚଳ ହୋଇ ଯାଇଥାଏ। ବାବୁ ଥିଲେ ସରକାରଙ୍କ ଦ୍ୱାରା ନିଯୁକ୍ତ ପରିଦର୍ଶକ। ପାଠ, ପିଲା, ବିଦ୍ୟାଳୟ ଓ ମାଷ୍ଟ୍ରକୁ ପରଖିବା ପାଇଁ ଆସନ୍ତି।
ସେମାନେ ଆଉ ଦେଖାଯାଉ ନାହାଁନ୍ତି। ଏବେ ଯେଉଁମାନେ ଆସନ୍ତି ସେମାନେ ସି.ଇ.ଓ. ବା ସର୍କଲ ଏଜୁକେସନ ଅଫିସର, ବି.ଇ.ଓ. ବା ବ୍ଲକ ଏଜୁକେସନ ଅଫିସର, ଡି.ଇ.ଓ. ବା ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସର ଆଦି। ଏହି ଢାଞ୍ଚାଗତ ପରିବର୍ତ୍ତନ ଏସ୍.ଆଇ., ଡି.ଆଇ., ସି. ଆଇଙ୍କ ପଦବୀ ବଦଳାଯାଇ କରାଯାଇଛି। ଏମାନେ ମୁଖ୍ୟତଃ ପ୍ରଶାସନିକ କାର୍ଯ୍ୟ ଯଥା ଶିକ୍ଷକ ବଦଳି, ସରକାରୀ ଅନୁଦାନର ବିନିଯୋଗ, ଶିକ୍ଷକଙ୍କ ଦରମା ଉପରେ ଗୁରୁତ୍ୱ ଦେଇଥାନ୍ତି। ଶିକ୍ଷାର ଗୁଣାତ୍ମକ ମାନ ବା ଛାତ୍ରଛାତ୍ରୀଙ୍କ ମାନ ପରୀକ୍ଷା ଉପରେ ଆଦୌ ଗୁରୁତ୍ୱ ଦେଇ ନଥାନ୍ତି। ନାଁ ବଦଳରେ ପୋଷାକରେ ପରିବର୍ତ୍ତନ ହୋଇଛି। ସ୍ଥାନ, କାଳ, ଅନୁସାରେ ଶିକ୍ଷୟିତ୍ରୀମାନେ ଏହିସବୁ ପଦରେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ପୁରୁଷ ହୁଅନ୍ତୁ ଅବା ନାରୀ ହୁଅନ୍ତୁ, ଗୋଟେ ଗୋଟେ ମଟର ସାଇକେଲ ନହେଲେ ସ୍କୁଟିରେ ବା ଗାଡ଼ିରେ ଆସିଥାନ୍ତି।
ଏମାନେ ସରକାରଙ୍କ ଇଚ୍ଛାନୁସାରେ ଯାହା ତାହା କାର୍ଯ୍ୟ ପ୍ରଶାସନ ନାମରେ କରୁଥାନ୍ତୁ ପଛେ କାହାରି କିଛି ଆପତ୍ତି ନାହିଁ। ଅଧିକ ଭାବେ ଶିକ୍ଷକ ଶିକ୍ଷାର୍ଥୀଙ୍କର ସ୍ୱାସ୍ଥ୍ୟବୀମା ଅବା ଦୁର୍ଘଟଣା ଜନିତ ବୀମାର ଦାୟିତ୍ୱ ଏମାନଙ୍କ ଉପରେ ନ୍ୟସ୍ତ କରାଯାଇପାରେ। ପିଲାଏ ପରିସ୍କାର ପରିଚ୍ଛନ୍ନ ରହିବେ, ସୁସ୍ଥ ରହିବେ, ରକ୍ତଶୂନ୍ୟତା ବା ପୁଷ୍ଟି ହୀନତା ରୋଗରେ ଶିକାର ହେବେନାହିଁ - ଏସବୁ ମଧ୍ୟ ସବୁ ସମୟରେ ପରଖିବା ଏମାନଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ। ପିଲାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ଯୋଗାଣ, ପିଲାଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସମୟାନୁସାରେ ପାଠ୍ୟପୁସ୍ତକ ଯୋଗାଣ, ୟୁନିଫର୍ମ ଯୋଗାଣ ସାଙ୍ଗକୁ ‘ଖାଦ୍ୟ’ର ମାନ ପରଖିବା ଆଦି ଏହି ଅଧିକାରୀମାନେ କଲେ ଅନ୍ତତଃ ଉତ୍ତରଦାୟୀ ପ୍ରଶାସକ ଶ୍ରେଣୀଟିଏ ରହିବ। ହେଲେ ବାବୁଙ୍କର ପ୍ରମୁଖ ଭୂମିକା ଯଥା ଶିକ୍ଷା, ଶିକ୍ଷାନୁଷ୍ଠାନ, ଶିକ୍ଷକ, ଛାତ୍ରଛାତ୍ରୀଙ୍କମାନ ବା ଶିକ୍ଷାରମାନ ନିର୍ଣ୍ଣୟ ପାଇଁ ଗୋଟିଏ ପରିଦର୍ଶକ ମଣ୍ଡଳିର ଆବଶ୍ୟକତା ଅଛି। ଏହି ପରିଦର୍ଶକ ମଣ୍ଡଳୀ ପ୍ରତି ମାସରେ ପ୍ରତି ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟକୁ ଅଘୋଷିତ ଭାବେ ପରିଦର୍ଶନରେ ଯିବା ଦରକାର।
ପରିଦର୍ଶକ ମଣ୍ଡଳି ଅଭିଜ୍ଞ ଓ ଚରିତ୍ରବାନ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ଦରକାର। କୌଣସି କୁ-ଅଭ୍ୟାସ ମଦ, ସିଗାରେଟ, ପାନ ଆଦି ବ୍ୟବହାର ନ କରିବା ବିଷୟଟି ଅତ୍ୟନ୍ତ ଆବଶ୍ୟକ। ଯାହାକୁ ଦେଖିଲେ ପିଲା ଓ ଶିକ୍ଷକ ଅନେକ ଭାବରେ ପ୍ରଭାବିତ ହୋଇଥାନ୍ତି। ଏହି ପରିଦର୍ଶକ ମଣ୍ଡଳୀର ଦୁଇଜଣ ପାଠ ଶିକ୍ଷକ, ଜଣେ ଯୋଗ ବା ଖେଳ ଶିକ୍ଷକ, କଳା ସ୍ଥପତିର ଜଣେ ଶିକ୍ଷକ ଜଣେ ସୁସାହିତ୍ୟିକ(ଶିଶୁ ସାହିତ୍ୟିକ) ରହିବା ଉଚିତ। ଏମାନେ ବିଭିନ୍ନ ଦିଗରୁ ଶିକ୍ଷକ, ଶିକ୍ଷାର୍ଥୀ, ଶିକ୍ଷାୟାତନ, ଶିକ୍ଷା କାର୍ଯ୍ୟକ୍ରମର ତଦାରଖ କରି ମୂଲ୍ୟାୟନ କରିପାରିବେ। ବର୍ଷ ଶେଷରେ ବିଦ୍ୟାଳୟଗୁଡ଼ିକୁ ‘ଏ’ ଗ୍ରେଡ଼, ‘ବି’ ଗ୍ରେଡ଼୍ ଓ ‘ସି’ ଗ୍ରେଡ଼ରେ ବର୍ଗୀକରଣ କରାଯାଇ ପୁରସ୍କୃତ କରାଯିବା ଦରକାର, ଯାହାକୁ ଭିତ୍ତିକରି ଶିକ୍ଷକ ଶିକ୍ଷୟିତ୍ରୀଙ୍କର ରାଷ୍ଟ୍ରପତି ପୁରସ୍କାର ବା ରାଜ୍ୟପାଳ ପୁରସ୍କାର ତାଲିକା ପ୍ରସ୍ତୁତ ହୋଇପାରିବ ଏବଂ ସେମାନଙ୍କର ପଦୋନ୍ନତି ନିମନ୍ତେ ଏହି ମୂଲ୍ୟାୟନ ଚରିତ୍ର ପଞ୍ଜିକା ଭଳି କାର୍ଯ୍ୟ କରିବ। ଏପରି ଏକ ପରିଦର୍ଶକ ମଣ୍ଡଳି ପ୍ରତି ମାସରେ ଅନ୍ତତଃ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ରଖିବେ।
ପ୍ରଶାସନ ଓ ପରିଦର୍ଶନ ଦୁଇଗୋଟି ପୃଥକ୍ ବ୍ୟବସ୍ଥା। ପ୍ରଶାସକଗଣ ସରକାରଙ୍କ ଦ୍ୱାରା ନିଯୁକ୍ତ ପଦାଧିକାରୀ। ଏଣୁ ଏହାକୁ ପୂର୍ଣ୍ଣ ଭାବେ ଓଡ଼ିଶା ଶିକ୍ଷା ସେବା ଜରିଆରେ ନିର୍ଦ୍ଧାରଣ ଓ ନିୟନ୍ତ୍ରଣ କରାଯାଉ। ହେଲେ ପରିଦର୍ଶକ ମଣ୍ଡଳି ଏକ ଶିକ୍ଷା କାଉନ୍ସିଲ ଦ୍ୱାରା ବଛାଯାଇ ସରକାରୀ ନିୟନ୍ତୟଣରୁ ମୁକ୍ତ ଓ ସ୍ୱାଧୀନ ସଂସ୍ଥା ମାନ୍ୟତା ସହ କାର୍ଯ୍ୟ କରିବା ଦରକାର। ଏହିପରି ଏକ ବ୍ୟବସ୍ଥା ଭିତରେ ଶିକ୍ଷକମାନଙ୍କର ଅବସର ବୟସ ୬୫ ବର୍ଷ ରଖାଯାଉ ଓ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ଅନ୍ତିମ ସୋପାନ ଭାବେ ୬୦ ବର୍ଷରୁ ୬୫ ବର୍ଷ ମଧ୍ୟରେ ରଖାଯାଉ। ଯେଉଁମାନେ ଶିକ୍ଷା ପ୍ରଶାସନରେ ରହିବେ ସେମାନେ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷାରେ ଓଡ଼ିଆ ଶିକ୍ଷା ସେବା ମାଧ୍ୟମରେ ଆସି ବି.ଇ. ଭାବରେ ପ୍ରାଥମିକ ନିଯୁକ୍ତି ହୋଇ ପରେ ଜିଲ୍ଲା ଶିକ୍ଷାଧିକାରୀ ଓ ଶେଷରେ ରାଜ୍ୟସ୍ତରୀୟ ଶିକ୍ଷା ଟ୍ରିବ୍ୟୁନାଲର ସଦସ୍ୟଭାବେ କାର୍ଯ୍ୟକରି ପ୍ରଶାସନରେ ପିରାମିଡ଼୍ ଢାଞ୍ଚାକୁ ଅଧିକ ସୁଦୃଢ଼ କରିବ। ରାଜ୍ୟ ସ୍ତରରେ ଶିକ୍ଷା ଡାଇରେକ୍ଟରିଏଟ୍ ବ୍ୟବସ୍ଥା ଉଚ୍ଛେଦ ହୋଇ ଶିକ୍ଷା ଟ୍ରିବ୍ୟୁନାଲ ରହୁ। ରାଜ୍ୟ ସାରା ଶିକ୍ଷକମାନଙ୍କର ଦରମା ଅସଙ୍ଗତି, ପଦୋନ୍ନତି ଅସଂଗତି ବା ଅନ୍ୟାନ୍ୟ ଦାୟିତ୍ୱହୀନତା ଚାକିରି ସର୍ତ୍ତାବଳୀ ଭଙ୍ଗ ଆଦିର ବିଚାର ଏହି ଟ୍ରିବ୍ୟୁନାଲ କରିବେ। ଫଳରେ ବର୍ତ୍ତମାନ କୋର୍ଟ କଚେରୀରେ ହେଉଥିବା ମାଲି ମକଦ୍ଦମା ପାଇଁ ଅନେକ ଅର୍ଥ ଅପବ୍ୟୟ ଓ ସମୟ ଅପଚୟ ବନ୍ଦ ହେବ। କେହି ଅଯଥା ସମସ୍ୟାରେ ଉବୁଟୁବୁ ହେବେନାହିଁ। ଏମାନଙ୍କ ମଧ୍ୟରୁ ଅନେକ ପରୀକ୍ଷା ଖାତା ମୂଲ୍ୟାୟନରେ ନିୟୋଜିତ ହେବେ। ଏହି ଟ୍ରିବ୍ୟୁନାଲରେ ମଧ୍ୟ ପରୀକ୍ଷା ଖାତା ମୂଲ୍ୟାୟନ ସଂପର୍କିତ ଅଭିଯୋଗ ଗ୍ରହଣ କରିବେ। ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ହେଉଥିବା ତ୍ରୈମାସିକ ପରୀକ୍ଷାର ଖାତା ଦେଖିବା ବା ବର୍ଷ ଶେଷର ଖାତା ଦେଖିବାରେ ଏମାନଙ୍କର (ଏଥିରେ ଥିବା ଶିକ୍ଷକଙ୍କର) ସହଯୋଗ ନିଆଯାଇପାରିବ। ପ୍ରଶାସନ ସେବା ସରକାରଙ୍କର ଅନ୍ୟ ସେବା ପରି ନିର୍ଦ୍ଦିଷ୍ଟ ବୟସ ସୀମା (ବର୍ତ୍ତମାନ ୬୦ ବର୍ଷ) ପର୍ଯ୍ୟନ୍ତ କାର୍ଯ୍ୟକରି ପ୍ରଶାସନ ବା ଉଚ୍ଚତର ପଦବୀକୁ ଉତ୍ତୀର୍ଣ୍ଣ ହେବାର ବ୍ୟବସ୍ଥା ରହିଲେ ଉତ୍ତମ।
ଶିକ୍ଷକ ହିଁ ଶିକ୍ଷକ। ବୟସାଧିକ୍ୟ ବା ବରିଷ୍ଠତା ଭିତ୍ତିରେ ଜଣେ ଶିକ୍ଷକ ପ୍ରଧାନ ଶିକ୍ଷକ ନିଯୁକ୍ତ ହେବା ଦରକାର। କିନ୍ତୁ ଦକ୍ଷତା ଭିତ୍ତିରେ ଅନ୍ତତଃ ତିନି ଗୋଟି ପ୍ରମୋସନାଲ ବେନିଫିଟ୍ ପାଇବା ଦରକାର। ରାଜ୍ୟ ସ୍ତରୀୟ ଶିକ୍ଷା କାଉନ୍ସିଲ ଏଥିପାଇଁ ପଦ୍ଧତି ନିର୍ଣ୍ଣୟ କରି ଶିକ୍ଷକଙ୍କର ଗ୍ରେଡ଼େସନ୍ କରାଇବେ। ସେହିମାନଙ୍କୁ ପରିଦର୍ଶକ ମଣ୍ଡଳିରେ ନେବେ। ଏମାନେ ପରିଦର୍ଶକ ମଣ୍ଡଳିରେ ଥିବା (୬୫ ବର୍ଷ) ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକଙ୍କ ଦରମା ପାଇବେ। ସେଦିନର ବାବୁ ଆଜି ପରିଦର୍ଶକଙ୍କୁ ନେଇ ପ୍ରାଥମିକ ସ୍ତରରେ ଓ ମାଧ୍ୟମିକ ସ୍ତର ପାଇଁ ଦୁଇ ଗୋଟି ଜିଲ୍ଲା ସ୍ତରୀୟ ପରିଷଦ ଗଠନ ହେବ, ଯାହାକି ଜିଲ୍ଲା ପରିଷଦ ଅଧୀନରେ କାର୍ଯ୍ୟ କରିବ।
ଶିକ୍ଷାନୁଷ୍ଠାନର (ପ୍ରାଥମିକ ସ୍ତରର) ଭିତ୍ତିଭୂମି ପ୍ରସ୍ତୁତ ଓ ପରିଚାଳନା ପୂର୍ଣ୍ଣମାତ୍ରାରେ ଗ୍ରାମ ପଞ୍ଚାୟତ ଓ ମାଧ୍ୟମିକ ସ୍ତର ପାଇଁ ପଞ୍ଚାୟତ ସମିତି ଉପରେ ନ୍ୟସ୍ତ ରହି ପରିଚାଳିତ ହେବା ଦରକାର। ପିଲାଙ୍କୁ ପାଠ୍ୟପୁସ୍ତକ ଯୋଗାଣ, ୟୁନିଫର୍ମ ଯୋଗାଣଠାରୁ ଆରମ୍ଭ କରି ବିଦ୍ୟାଳୟ ଗୃହ ନିର୍ମାଣ, ବଗିଚା, ଖେଳ ପଡ଼ିଆ ପ୍ରସ୍ତୁତି ଆଦି ଗ୍ରାମ ପଞ୍ଚାୟତମାନଙ୍କର ଦାୟିତ୍ୱ। ସେଥିପାଇଁ ସେମାନଙ୍କୁ ପୁର୍ଣ୍ଣମାତ୍ରାରେ ଫଣ୍ଡ, ଫଙ୍କସନ୍ ଓ ଫଙ୍କ୍ସନାରୀ ସମର୍ପିତ ହେବା ଦରକାର। ଏଥିରେ ତ୍ରୁଟି ରହିଲେ ସେହିମାନେ ହିଁ ଉତ୍ତରଦାୟୀ ରହିବେ। ମାତ୍ର ଶିକ୍ଷା ଓ ପାଠ୍ୟକ୍ରମ, ଶିକ୍ଷକ ନିଯୁକ୍ତି, ଶିକ୍ଷକ ବଦଳି ସବୁରେ ଏହି ସଂସ୍ଥାମାନେ ହସ୍ତକ୍ଷେପ କରିବା ଆଦୌ ଉଚିତ୍ ନୁହେଁ। ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କର ବଦଳି ଆଦୌ ନ ହେଲେ ଭଲ। କେବଳ ପରସ୍ପର ସମ୍ମତି ଭିତ୍ତିରେ ହୋଇପାରେ। ଶିକ୍ଷକ ନିଯୁକ୍ତି ସମୟରେ ବ୍ଲକ ବା ମ୍ୟୁନିସ୍ପାଲଟିର ଲୋକସଂଖ୍ୟା ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ହେଲେ ସବୁ ବର୍ଗର ପିଲା ନିଯୁକ୍ତି ସୁଯୋଗ ପାଇବେ ଓ ନିଜ ଅଞ୍ଚଳରେ ଶିକ୍ଷା ପ୍ରଦାନର ସୁଯୋଗ ଲାଭ କରିବେ। ଯେଉଁ ଜିଲ୍ଲାରେ ଯେଉଁ ବର୍ଗ ଅଧିକ ଥିବେ ସେହି ଅନୁପାତରେ ନିଯୁକ୍ତି ମିଳିଲେ ସ୍ଥାନୀୟ ଯୁବକ ଯୁବତୀ ଉପକୃତ ହେବା ସହିତ ସ୍ଥାନୀୟ ଭାଷାରେ ଭାବର ଆଦାନ ପ୍ରଦାନ ପିଲା ଓ ଶିକ୍ଷକଙ୍କ ମଧ୍ୟରେ ହୋଇ ପାରିବ। କେବଳ ପରିଦର୍ଶକ ମଣ୍ଡଳିରେ ଅନ୍ୟ ଜିଲ୍ଲାରୁ ନିଆ ଯାଇପାରେ। ଏହାଦ୍ୱାରା ଅନୁସୃତ ସଂରକ୍ଷଣ ନୀତିରେ ବ୍ୟତିକ୍ରମ ହେବନାହିଁ ଓ ଶିକ୍ଷକ ପଦବୀ ଅଯଥା ଖାଲି ରହିବ ନାହିଁ।
ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଦେବା ପାଇଁ ସି.ଟି ଓ ବି.ଇଡ଼ି ସ୍ତରୀୟ ତାଲିମ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉ, କିନ୍ତୁ ଏମାନେ କେବଳ ପ୍ରାଥମିକ ସ୍ତରରେ ରହିବେ ଓ ଯେଉଁଠାରେ ତାଲିମପ୍ରାପ୍ତ ଶିକ୍ଷକ ମିଳିବେ ନାହିଁ ସେଠାରେ ସ୍ନାତକ ସ୍ତରୀୟ ପିଲାଙ୍କୁ ନିଯୁକ୍ତି ଦିଆଯାଇ ଦୁଇବର୍ଷ ମଧ୍ୟରେ ତାଲିମ ଦେବାର ବ୍ୟବସ୍ଥା ହେଲେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଅଭାବ ରହିବନାହିଁ।
ମାଧ୍ୟମିକ ସ୍ତରରେ ସ୍ନାତକୋତ୍ତର ଶିକ୍ଷା ଥାଇ ନିଯୁକ୍ତିର ବ୍ୟବସ୍ଥା ହେବା ଦରକାର। ବର୍ତ୍ତମାନ ହାଇସ୍କୁଲରେ ଥିବା ସ୍ନାତକୋତ୍ତର ଧାରୀ ଶିକ୍ଷକମାନଙ୍କୁ ଏହିସବୁ ବିଦ୍ୟାଳୟରେ ସ୍ଥାପିତ କରାଯାଉ। ମାଧ୍ୟମିକ ସ୍ତରର ପରିଦର୍ଶକ ମଣ୍ଡଳୀରେ ଅଭିଜ୍ଞ ଅବସରପ୍ରାପ୍ତ ଶିକ୍ଷକଙ୍କ ସହିତ ଅଭିଜ୍ଞ ଅବସରପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ନିଆଯିବା ଉଚିତ। ପରିଦର୍ଶକ ମଣ୍ଡଳିରେ ବିଜ୍ଞାନ, କଳା, ବାଣିଜ୍ୟର ପୃଥକ୍ ପୃଥକ୍ ପ୍ରତିନିଧିତ୍ୱ ରହିଲେ ଖୁବ୍ ଭଲ। ପରିଦର୍ଶନକାରୀ ଦଳ ସୁସଂଗଠିତ ଓ ସ୍ୱୟଂ ସଂପନ୍ନ ବୋଲି ବିଚାରିବାକୁ ହେବ। ଏହି ପରିଦର୍ଶକ ମଣ୍ଡଳି ମଧ୍ୟ ସ୍କୁଲରେ ହେଉଥିବା ଅନ୍ତରୀଣ (ତ୍ରୈମାସିକ ପରୀକ୍ଷା) ଖାତା ସବୁର ଚିଫ୍ ଏକଜାମିନର ବା ଶେଷ ପରୀକ୍ଷାର ପରୀକ୍ଷକ ଭାବେ ନିଯୁକ୍ତ ହେବାରେ କୌଣସି ଅସୁବିଧା ନାହିଁ।
ଶିକ୍ଷାରେ ଗୁଣାତ୍ମକ ବିକାଶ କେବଳ ପାଠ୍ୟକ୍ରମ ସଜାଡ଼ିଦେଇ ‘ଇ-ନଲେଜ’, ସି.ବି.ଏସ୍.ଇ. ଢାଞ୍ଚା ଆଦି କହିଦେଲେ ହୁଏ ନାହିଁ। ଏହିସବୁ ନଥିବାବେଳେ ଆମ ରାଜ୍ୟ ବୋର୍ଡ଼ର ସ୍ୱତନ୍ତ୍ର ପରିଚାଳନାରେ ଥାଇ ବହୁ ପିଲା ସର୍ବଭାରତୀୟ ପରୀକ୍ଷାରେ ଅବତୀର୍ଣ୍ଣ ହେଉଥିଲେ ଓ ବହୁ ସଂଖ୍ୟାରେ କୃତକାର୍ଯ୍ୟ ହେଉଥିଲେ। ଏବେ ତାହା ହେଉ ନାହିଁ କାହିଁକି? ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବୋର୍ଡ଼ ବୋର୍ଡ଼ ମଧ୍ୟରେ ପ୍ରତିଯୋଗିତାମୂଳକ ବ୍ୟବସ୍ଥା ରହି ଯେଉଁ ରାଜ୍ୟ ଶିକ୍ଷା ପ୍ରତି ଯେତେ ତତ୍ପର ସେହି ରାଜ୍ୟ ଅଗ୍ରଣୀ ହେବାର ସଂକଳ୍ପ ପ୍ରତିପାଦିତ ହେବ। ଭାରତୀୟ ପରମ୍ପରା, ବିଭିନ୍ନତା ଭିତରେ ଏକତାକୁ କ୍ଷୁର୍ଣ୍ଣ କରିବାର ପ୍ରୟାସ ନ କରାଯାଉ। ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ରାଜ୍ୟର ସ୍ୱତନ୍ତ୍ର ସଂସ୍କୃତି ଆଧାରରେ ପାଠବ୍ୟବସ୍ଥା ରହିବା ଦରକାର। ବାବୁମାନଙ୍କୁ (ପରିଦର୍ଶକ) ମର୍ଯ୍ୟଦା ଦେବା ଦରକାର। ଗୋଟିଏ ଦଳ ପ୍ରାଥମିକ ଶିକ୍ଷା ନିମନ୍ତେ ଓ ଅନ୍ୟଟି ମାଧ୍ୟମିକ ଶିକ୍ଷା ନିମନ୍ତେ ପରିଦର୍ଶକ ମଣ୍ଡଳି ଗଠନ ହେବା ସହିତ ଉପଯୁକ୍ତ ଗସ୍ତ ଖର୍ଚ୍ଚ, ଦୈନିକ ଖର୍ଚ୍ଚ ସହ ଏକ ସମ୍ମାନଜନକ ଦୈନିକ ଭତ୍ତା ଦେବା ଜରୁରୀ। ନୂଆ ଶିକ୍ଷାନୀତିରେ ଏହି ସବୁ ଅବସ୍ଥା ଉପରେ ଗୁରୁତ୍ୱ ଦିଆଯାଇନାହିଁ। କେବଳ ଆଞ୍ଚଳିକ ଭାଷା ଅବା ମାତୃଭାଷାରେ ଶିକ୍ଷାଦେବା ଗୁରୁତ୍ୱ ରହିଛି। ହେଲେ ବିଦ୍ୟାଳୟମାନଙ୍କରେ କେନ୍ଦ୍ର ଶିକ୍ଷା ବୋର୍ଡ଼ (ସି.ବି.ଏସ୍.ଇ) ଢାଞ୍ଚା ରଖିଥିବାରୁ ପିଲାଏ ମାତୃଭାଷା ବଦଳରେ ଅନ୍ୟ ଭାଷାରେ ଅଧ୍ୟୟନ ପାଇଁ ଗୁରୁତ୍ୱ ଦେଇଥାନ୍ତି।
ଏହି ପରିଦର୍ଶକ ମଣ୍ଡଳି ନିଶ୍ଚୟ ଦେଖିବେ କେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଘରୋଇଭାବେ ଟ୍ୟୁସନ୍ କରୁଛନ୍ତି। ଟ୍ୟୁସନ୍ କରୁଥିବା ଏହି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲରୁ ବହିଷ୍କାର ନିମନ୍ତେ ପ୍ରଶାସନକୁ ପରାମର୍ଶ ଦେବେ ଏବଂ ଆବଶ୍ୟକ ସ୍ଥଳେ ଶିକ୍ଷାରେ ପଛୁଆ ବା ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ସେହି ବିଦ୍ୟାଳୟରେ ସ୍ୱତନ୍ତ୍ର କୋଚିଂର ବ୍ୟବସ୍ଥା ସଜାଡ଼ିବାକୁ ପରାମର୍ଶ ଦେବେ। ଶିକ୍ଷକତା କରୁଥିବା ସମସ୍ତ ବ୍ୟକ୍ତି ଶିକ୍ଷା ଭିନ୍ନ ଅନ୍ୟ କୌଣସି କାର୍ଯ୍ୟରେ ଯେପରି ନିୟୋଜିତ ନ ହୁଅନ୍ତି ଏପରିକି ନିର୍ବାଚନ ଓ ଭୋଟଗଣା କାର୍ଯ୍ୟରେ ବି ନୁହେଁ। ପରିଦର୍ଶକ ମଣ୍ଡଳି ତାଙ୍କର ବିବରଣୀ ପ୍ରତି ଦୁଇ ମାସରେ ରାଜ୍ୟ ପରିଷଦ ପାଖରେ ରଖିବେ, ଯାହାକି ଯାଞ୍ଚ ପରେ ଆବଶ୍ୟକ ହେଲେ ସରକାରଙ୍କ ନିକଟରେ ଉପସ୍ଥାପିତ ହେବ। ପିଲାଙ୍କୁ ଯଥା ସମ୍ଭବ ଦଳୀୟ ରାଜନୀତିରେ ପ୍ରଭାବିତ ନ କରାଯାଉ। ଏ ସଂପର୍କରେ ରାଜ୍ୟ ସରକାର ୨୦୦୩ ମସିହାରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ଏବେ ତାହା କାର୍ଯ୍ୟକାରୀ ହେଉ ନଥିବା ଦେଖାଯାଉଛି। ଫାଇବ୍-ଟି ସଚୀବଙ୍କ ଅର୍ଥଦାନ ଶିବିରକୁ ଏମାନଙ୍କୁ ଅଣାଯାଉଛି। ଏହା ଶିକ୍ଷା, ଶିକ୍ଷାର୍ଥୀ, ଶିକ୍ଷାୟତନରେ କୁପ୍ରଭାବ ପକାଇପାରେ।
ଶିକ୍ଷାକୁ ସଜାଡ଼ିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ଭୂମିକାରେ ଥିବା ଏହି ପରିଦର୍ଶକ ଶ୍ରେଣୀ ଯେଉଁମାନେ କି ଏକ ସମୟରେ ବାବୁ ଭାବରେ ପରିଚିତ ଥିଲେ ଆଜି ଦିନରେ ସେମାନଙ୍କର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି। ଶିକ୍ଷା, ଶିକ୍ଷକ, ଶିକ୍ଷାର୍ଥୀ, ଶିକ୍ଷାୟତନର ମାନ ନିର୍ଦ୍ଧାରଣରେ ଏମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ମୋ- ୯୪୩୮୩୬୦୮୪୯