Advertisment

କୃଦ୍ଧ, ହି˚ସ୍ର ଏବ˚ ଆକ୍ରମଣାତ୍ମକ ଚାରି ସିଂହ ଏବେ ଅଛନ୍ତି!

ମନେ ପକାଇଦେବାକୁ ଚାହୁଁ ଯେ, ୧୯୫୦ ମସିହା, ଜାନୁଆରି ୨୬ ତାରିଖରେ ବଦ୍ରୁଦ୍ଦିନ ତ୍ୟାବଜୀଙ୍କ ପ୍ରସ୍ତାବକ୍ରମେ ଅଶୋକ ସ୍ତମ୍ଭର ‘ସିଂହ’କୁ ଭାରତୀୟ ସାଧାରଣତନ୍ତ୍ରର ରାଷ୍ଟ୍ରୀୟ ଚିହ୍ନ ଭାବେ ଗ୍ରହଣ କରାଯାଇଥିଲା। ଚାରି ଦିଗକୁ ମୁହଁ କରି ଆସୀନ ‘ଚାରି ସିଂହ’ ଶୌର୍ଯ୍ୟ, ପ୍ରତ୍ୟୟ ଏବ˚ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା।

Ashokan Lions

Ashokan Lions

Advertisment

ଜାନକୀଶ ବଡ଼ପଣ୍ଡା

ଦିଲ୍ଲୀ ପୋଲିସ ୨୦୧୫ ଡିସେମ୍ବର ୧୭ ତାରିଖ ଭୋର ସମୟରେ ମୁସଲିମ ଧର୍ମଗୁରୁ ମୌଲବି ଡକ୍ଟର ଅବଦୁଲ ରେହମାନଙ୍କୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଅଲ-କାଏଦା ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରିଥିବା କଥା ଅନେକେ ଭୁଲି ନଥିବେ। କଟକ ଜଗତପୁର ଥାନାର ପଶ୍ଚିମ-କଚ୍ଛ ଗ୍ରାମନିବାସୀ ରେହମାନ ୨୦୦୬ ମସିହାରେ ତାଲିମ ଗ୍ରହଣ କରିବାକୁ ଯାଇଥିଲେ ପାକିସ୍ତାନ। କଟକୀ ନାମରେ ପରିଚିତ ରେହମାନ ସ୍ଥାନୀୟ ଯୁବକମାନଙ୍କୁ ମହାନଦୀ କୂଳରେ ବନ୍ଧୁକ ଚାଳନା ଶିକ୍ଷା ଦେଇ ସନ୍ତ୍ରାସବାଦୀ ସଙ୍ଗଠନମାନଙ୍କୁ ମାନବ ସମ୍ବଳ ଯୋଗାଉଥିଲେ, ଝାରଖଣ୍ଡ ସମେତ ବିଭିନ୍ନ ରାଜ୍ୟରେ ଜ୍ୱାଳାମୟୀ ଘୃଣାସୃଷ୍ଟିକାରୀ ଭାଷଣ ଦେଉଥିଲେ। ତଥାପି, ସ୍ଥାନୀୟ ଅଧିବାସୀ ଓ ପୋଲିସ୍ ତାଙ୍କର ଗତିବିଧି ଉପରେ ନଜର ରଖି ନଥିଲେ କିମ୍ବା ସାହି ଭାଇ ବିରୋଧ କରି ନଥିଲେ। ଏହା ଥିଲା ଆମ ଓଡ଼ିଶାର ଅଭିଜ୍ଞତା। ଏଥିରୁ କଳ୍ପନା କରନ୍ତୁ, କାଶ୍ମୀର ଉପତ୍ୟକାରେ କିଭଳି ସ୍ଥିତି ଥିବ!

Advertisment

କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ଭାରତୀୟ ପର୍ଯ୍ୟଟକ ଅପ୍ରେଲ୍ ୨୨ ତାରିଖ ମଧ୍ୟାହ୍ନରେ ଟଳିପଡ଼ିବା କିଛି ସାଧାରଣ ଘଟଣା ନଥିଲା। ଦୀର୍ଘ ୭୮ ବର୍ଷ ଧରି ଏଭଳି ଅମାନବୀୟ ନରସଂହାର ଓ ଆତଙ୍କବାଦର ଶିକାର ହୋଇ ଆସିଛି ଶାନ୍ତି ଓ ବସୁଧୈବ କୁଟୁମ୍ବକମ୍ ମନ୍ତ୍ରକୁ ଜପାମାଳି କରି ଆସିଥିବା ସ୍ୱାଧୀନୋତ୍ତର ଭାରତ। ଧର୍ମ ଭିତ୍ତିରେ ଭାରତକୁ ବିଭାଜିତ କରି ଯେଉଁ ପାକିସ୍ତାନର ସୃଷ୍ଟି, ସେହି ଦେଶ ଭାରତର ଅବିଛେଦ୍ୟ ଅଙ୍ଗ କାଶ୍ମୀରର ଗୋଟିଏ ଅଂଶକୁ ମାଡ଼ି ବସିଛି। ଯେଉଁ ଅଂଶଟି ଭାରତରେ ରହି ଯାଇଛି, ସେଠାକାର ମୁଷ୍ଟିମେୟ ଜନତା ଭାରତର ନାଗରିକ ହୋଇଥିଲେ ବି ହୃଦୟରେ ପାକିସ୍ଥାନକୁ ସମର୍ଥନ କରୁଛନ୍ତି ବୋଲି କହିଲେ, ଭୁଲ୍ ହେବନାହିଁ। ଚାଷୀ, ବ୍ୟବସାୟୀ, କ୍ଷୁଦ୍ର ଓ କୁଟୀର ଶିଳ୍ପ ଉଦ୍ୟୋଗୀ ଏବଂ ପର୍ଯ୍ୟଟନ ଶିଳ୍ପରୁ ରୋଜଗାର କରୁଥିବା ସାଧାରଣ ଲୋକମାନେ, ପେଟ ପାଟଣା ଚିନ୍ତାରେ। ୩୭୦ ଧାରା ଉଠିଗଲା ପରେ ଯେଉଁ ପରିବର୍ତ୍ତନ ଓ ବିକାଶର ସମ୍ଭାବନା କାଶ୍ମୀର ଉପତ୍ୟକାରେ ଇନ୍ଦ୍ରଧନୁ ସୃଷ୍ଟି କରିଛି, ତାହା ସ୍ଥିତାବସ୍ଥା ସପକ୍ଷବାଦୀ ‘ବାଞ୍ଛା ସାହୁ’ମାନଙ୍କୁ ଯେ ଆଜିଯାଏଁ ଖୁସି କରି ପାରିନି ଏବଂ ନିରାଶାବାଦୀଙ୍କୁ ଅଧିକ ସନ୍ଦେହୀ କରିଛି, ଏହା ପ୍ରମାଣିତ କରେ ପହଲଗାମ୍ ଗଣହତ୍ୟା। ସ୍ଥାନୀୟ ଅଧିବାସୀ ଓ କାଶ୍ମୀର ପୋଲିସ ସେମାନଙ୍କ ଗତିବିଧି ଉପରେ ସତର୍କ ନଜର ରଖିଥିଲେ ଏବଂ ପରୋକ୍ଷ ସହଯୋଗ କରି ନଥିଲେ, ଧର୍ମାନ୍ଧ ଆତଙ୍କବାଦୀମାନେ କ’ଣ ଏଭଳି ଗଣହତ୍ୟା କରିବାକୁ ସକ୍ଷମ ହୋଇ ଥାଆନ୍ତେ? ସେହି ଭୂସ୍ୱର୍ଗରୁ ଯେତେବେଳେ ହିନ୍ଦୁ ପଣ୍ଡିତମାନଙ୍କୁ ନିକାଲି ଦିଆ ଯାଇଥିଲା, ସେତେବେଳ ଆଉ ଏବର ନାଗରିକ ସମାଜ ମଧ୍ୟରେ ଅନ୍ୟାୟକୁ ସହିଯାଇ ମୁହଁ ନଖୋଲି ଚୁପ୍ ରହିବାର ମାନସିକତାରେ ଯେ ବିଶେଷ କିଛି ପରିବର୍ତ୍ତନ ଘଟିଛି, ତାହା ଦୃଶ୍ୟମାନ ହେଉନାହିଁ। ଯେତେବେଳେ କାଶ୍ମୀରଘାଟିରେ ରେଳ, ରାଜପଥ ଭଳି ଭିତ୍ତିଭୂମି ନିର୍ମାଣ ବଢିଛି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ବିକାଶ ଆକାଶକୁ ଛୁଇଁଛି, ସେତେବେଳେ ପାକିସ୍ତାନ୍ ଅଧିକୃତ କାଶ୍ମୀର ଭୂଖଣ୍ଡ ସମେତ ସମଗ୍ର ପାକିସ୍ତାନରେ ହତାଶା ବଢ଼ିଛି। ଓଡ଼ିଶାର ରେହମାନ୍ ଭଳି, କାଶ୍ମୀରର କିଛି ଉଦ୍ଭ୍ରାନ୍ତ ଯୁବକ ଭାରତ ବିରୋଧୀ ମାନସିକତାରେ ବନ୍ଧୁକ ଧରିବା ଦେଖିବାକୁ ମିଳୁଛି।

ସେଣ୍ଟ୍ରାଲ ଭିଷ୍ଟାରେ ସ୍ଥାପିତ ଅଶୋକ ସ୍ତମ୍ଭର ପ୍ରତୀକ ଓ ତହିଁରେ ଉପବିଷ୍ଟ ‘ଚାରି-ସିଂହ’ଙ୍କ ଏକ ଅବିକଳ ଅଥଚ ଅତିକାୟ ବ୍ରୋଞ୍ଜ ପ୍ରତିକୃତିକୁ ନେଇ ଏକ ବିବାଦର ସୂତ୍ରପାତ ହୋଇଥିଲା, ଯାହାର କେନ୍ଦ୍ରରେ ରହିଥିଲା ୨,୩୦୦ ବର୍ଷର ପ୍ରାଚୀନ ମୂଳ ‘ସିଂହ’ ଏବ˚ ନବନିର୍ମିତ ‘ସିଂହ’ର ଚେହେରାରେ ରହିଥିବା କଥିତ ପାର୍ଥକ୍ୟ। ନୂତନ ପ୍ରତିକୃତିର ସମାଲୋଚକମାନେ କହିଥିଲେ ଯେ ମୂଳ ‘ସିଂହ’ର ଚେହେରାରେ ଏକ ଶାନ୍ତ-ଦର୍ପ ପ୍ରସ୍ଫୁଟିତ ହେଉଥିବା ବେଳେ ନୂତନ ‘ସିଂହ’ ଏକ ଧମକପୂର୍ଣ୍ଣ ମୁଦ୍ରାରେ ଗର୍ଜନ କରି ତୀକ୍ଷ୍ଣ ଦନ୍ତ ପ୍ରଦର୍ଶନ ପୂର୍ବକ ସତେ ଯେମିତି ଆକ୍ରମଣ କରିବା ସକାଶେ ଉଦ୍ୟତ! କହିବା ଅନାବଶ୍ୟକ ଯେ ଏହା ମାଧ୍ୟମରେ ସମାଲୋଚକମାନେ ରାଷ୍ଟ୍ର-ଦର୍ଶନ ଓ ଆଭିମୁଖ୍ୟରେ ଆସିଥିବା ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରିବାକୁ ପ୍ରୟାସ କରିଥିଲେ, ଯାହା ସେମାନଙ୍କ ଧାରଣାରେ କୃଦ୍ଧ, ହି˚ସ୍ର ଏବ˚ ଆକ୍ରମଣାତ୍ମକ।

Advertisment

ମନେ ପକାଇଦେବାକୁ ଚାହୁଁ ଯେ, ୧୯୫୦ ମସିହା, ଜାନୁଆରି ୨୬ ତାରିଖରେ ବଦ୍ରୁଦ୍ଦିନ ତ୍ୟାବଜୀଙ୍କ ପ୍ରସ୍ତାବକ୍ରମେ ଅଶୋକ ସ୍ତମ୍ଭର ‘ସିଂହ’କୁ ଭାରତୀୟ ସାଧାରଣତନ୍ତ୍ରର ରାଷ୍ଟ୍ରୀୟ ଚିହ୍ନ ଭାବେ ଗ୍ରହଣ କରାଯାଇଥିଲା। ଚାରି ଦିଗକୁ ମୁହଁ କରି ଆସୀନ ‘ଚାରି ସିଂହ’ ଶୌର୍ଯ୍ୟ, ପ୍ରତ୍ୟୟ ଏବ˚ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା। କୌଣସି ବ୍ୟକ୍ତିଙ୍କ ମନରେ ଥିବା ଧାରଣା ବା ପୂର୍ବାଗ୍ରହ ଅନେକ ସମୟରେ ତାଙ୍କ ଇନ୍ଦ୍ରିୟାନୁଭୂତିକୁ ପ୍ରଭାବିତ କରିଥାଏ। ଧାରଣା ବଦ୍ଧମୂଳ ହେଲେ ତାହା ଚେତନାରେ ପରିବର୍ତ୍ତନ ସୃଷ୍ଟି କରିଥାଏ। ଏଭଳି ସ୍ଥଳେ ଆମେ ଯାହା ଦେଖୁ, ସେସବୁ ଯେ ଯଥାର୍ଥ, ତାହା ଠିକ ହୋଇ ନପାରେ। ରାଷ୍ଟ୍ରୀୟ ଚିହ୍ନକୁ ନେଇ ସୃଷ୍ଟ ବିବାଦରେ ପ୍ରତିକୃତି ଦ୍ୱୟ ମଧ୍ୟରେ ତଥାକଥିତ ତାରତମ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜନୈତିକ ବାତାବରଣରେ ଦୁଇଟି ପରସ୍ପର ବିରୋଧୀ ଧାରଣା। ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ କିଛି ବର୍ଷ ତଳୁ ଆରମ୍ଭ ହୋଇଥିବା ବିବାଦର ଦ୍ୱିତୀୟ ଭାଗ ଥିଲା ଏହି ବିବାଦ। ମୋଦି ବିରୋଧୀଙ୍କ ଧାରଣା ଯେ, ବର୍ତ୍ତମାନର କେନ୍ଦ୍ରସରକାର ଇତିହାସଠାରୁ ପ୍ରାରମ୍ଭ କରି ଜାତୀୟ ଅସ୍ତିତ୍ୱର ପ୍ରତୀକାତ୍ମକ ଚିହ୍ନ ଗୁଡିକୁ ପରିବର୍ତ୍ତନ ଘଟାଇବା ଲାଗି ଉଦ୍‌ଗ୍ରୀବ। ସେଥିପାଇଁ ରାଷ୍ଟ୍ରୀୟ ଚିହ୍ନରେ ସୂକ୍ଷ୍ମ ପ୍ରଭେଦ ଥିବାର ଅବବୋଧ ସେମାନଙ୍କୁ ଉଦ୍‌ବିଗ୍ନ କରିଥିଲା ଏବଂ ଆଜି ବି କରୁଛି। କିନ୍ତୁ ଏକ ବିଡ଼ମ୍ବିତ ସତ୍ୟ ହେଲା ଯେ, କୌଣସି ବଦ୍ଧମୂଳ ଧାରଣା ବା ପୂର୍ବାଗ୍ରହ କାରଣରୁ କିଛି ଦେଖିଲେ ବିଚାର ବିଭ୍ରମ ଘଟିବାର ଆଶଙ୍କା ରହିଥାଏ। ଏଣୁ ନିରପେକ୍ଷ ଦୃଷ୍ଟିକୋଣ ସହିତ ବିଚାରବନ୍ତ ଭାବେ ଘଟଣା ପ୍ରବାହକୁ ସଭିଏଁ ପୁନଃଅବଲୋକନ କରିବା ଆବଶ୍ୟକ। ତିନିଥର ପ୍ରତ୍ୟକ୍ଷ ଯୁଦ୍ଧକରି ପରାଜୟ ବରଣ କରି ଆସିଥିବା ଆମର ଶତ୍ରୁଦେଶ ପାକିସ୍ତାନ ନିଜର ବଦ୍ଧମୂଳ ଧାରଣା ବା ପୂର୍ବାଗ୍ରହ ଅନୁସାରେ ଭାରତରେ ଆତଙ୍କ ସୃଷ୍ଟି କରି ପରୋକ୍ଷ ଯୁଦ୍ଧ ଚଳାଇ ରଖିବା ଏବଂ ଧର୍ମାନ୍ଧ ଯୁବକଙ୍କୁ ଏଥିରେ ନିୟୋଜିତ କରିବା ଅସ୍ୱାଭାବିକ ନୁହେଁ।

ସେପ୍ଟେମ୍ବର ୨୦୧୬ରେ ‘ଉରି’ ସେନା ଛାଉଣୀ ଉପରେ ଅତର୍କିତ ଆକ୍ରମଣ ପରେ, ଆମେ ପାକିସ୍ତାନ ଅଧିକୃତ କାଶ୍ମୀରରେ ସର୍ଜିକାଲ୍ ଷ୍ଟ୍ରାଇକ କରିଥିଲେ। ଏଥିରେ ଧ୍ୱଂସ ପାଇଥିଲା ଆତଙ୍କବାଦୀଙ୍କର କେତେଟା ତାଲିମ କେନ୍ଦ୍ର। ଭାରତୀୟ ସେନାର ଏଭଳି ପରାକ୍ରମ, ସଫଳତା ଓ ରାଜନୈତିକ ଇଛାଶକ୍ତି ଉପରେ ବିରୋଧିମାନେ ପ୍ରଶ୍ନ କରିଥିଲେ, ପ୍ରମାଣ ମାଗିଥିଲେ। ପହଲଗାମ୍ ଗଣହତ୍ୟା ପରେ, କ୍ଷୁବ୍ଧ ଏବଂ କ୍ରୋଧିତ ଭାରତୀୟ ନାଗରିକମାନେ, ସ୍ୱାଭାବିକ ଭାବେ ଆଶା କରୁଥିଲେ ଯେ, ଭାରତ ନିଶ୍ଚିତ ଭାବେ ଉରି ପ୍ରତିଶୋଧଠାରୁ ଅଧିକ କଠୋର ତଥା ଶାଣିତ ସାମରିକ କାର୍ଯ୍ୟାନୁଷ୍ଠାନ ନେବ। କିନ୍ତୁ ପ୍ରାୟ ଦୁଇ ସପ୍ତାହ ବିତି ଗଲେ ବି ସେପରି କିଛି ନଘଟିବା ଅନେକଙ୍କୁ ବିସ୍ମିତ କରିଛି। ଏଥିରେ ବିରୋଧୀମାନେ ଆନନ୍ଦିତ ଯେ, ସେମାନଙ୍କୁ ରାଜନୈତିକ ଗୋଟିଚାଳନା ପାଇଁ ପ୍ରସଙ୍ଗ ମିଳିଗଲା। ମୋଦି-ସମର୍ଥକ ଦୁଃଖୀ ଯେ, ଆମ ଆଣବିକ ବୋମା କେଉଁ କାମକୁ!

ଭାରତ ସରକାର ଯେ ଅପ୍ରେଲ୍ ୨୨ ତାରିଖ ଗଣହତ୍ୟା ପରେ କିଛି କରି ନାହାନ୍ତି, ତାହା ନୁହେଁ। ରୁଷ ଭଳି ମହାଶକ୍ତି ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରି ଚାଲିଛି, ଯାହା ତିନି ବର୍ଷରୁ ଅଧିକ ଚାଲିଲାଣି। ପନ୍ଦର ଦିନରେ ଯୁଦ୍ଧ ସରିଯିବ ବୋଲି କହିଥିବା ସାମରିକ ବିଶେଷଜ୍ଞମାନଙ୍କ ଭବିଷ୍ୟବାଣୀକୁ ଭୁଲ ପ୍ରମାଣିତ କରି ୟୁକ୍ରେନ୍ ଆଜି ବି ଲଢୁଛି। ୟୁକ୍ରେନବାସୀ ଚରମ ଦୁର୍ଦ୍ଦିନରେ ଥିବା ସତ୍ତ୍ୱେ ରୁଷ ଆଗରେ ମଥାନତ କରୁନାହିଁ। ସେଭଳି ପାକିସ୍ତାନ ଯେ ୟୁକ୍ରେନର ପଦାନୁସରଣ ନକରିବ, ତାହା କହିହେବ ନାହିଁ। ପାକିସ୍ତାନକୁ ସାହାଯ୍ୟ କରିବାକୁ, ଚୀନ୍ ଓ ତୁର୍କୀ ସମେତ କିଛି ରାଷ୍ଟ୍ର ଆଗେଇ ଆସିବେ, ଭାରତ ତାହା ଜାଣେ। ଉଭୟ ଦେଶ ଆଣବିକ ଶକ୍ତି ସମ୍ପନ୍ନ ହୋଇଥିଲେ ହେଁ, ପାକ୍-ବୋମା ନିୟନ୍ତ୍ରଣ ଭାର ହାତକୁ ନେଇଯାଇପାରନ୍ତି ଧର୍ମାନ୍ଧ ସେନା ଓ ଆତଙ୍କୀ ସଙ୍ଗଠନ, ଯାହା ଭାରତ ଉପରେ ପ୍ରୟୋଗ ହୋଇପାରେ। ଏହି ସମସ୍ତ ବିଷୟରେ ଭାରତ ସରକାର ଅବଗତ ଅଛନ୍ତି। ଏପରିକି ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ବାତିଲ୍ କରି ପାକିସ୍ତାନକୁ ଜଳପ୍ରବାହ ହଠାତ୍ ବନ୍ଦ କରିବା ଅସମ୍ଭବ ବୋଲି ଜାଣେ। ତଥାପି, ଏହା ପରୋକ୍ଷ ଯୁଦ୍ଧ। ଯେଭଳି ପାକିସ୍ତାନ ସହ ବାଣିଜ୍ୟ ଓ ଯୋଗାଯୋଗ ବନ୍ଦ କରି ଭାରତ ଚାପ ପ୍ରୟୋଗ ରିବାରେ ସଫଳ ହୋଇଛି, ସେହିପରି ପାକ୍-ଅର୍ଥନୀତିକୁ ତଳି ତଳାନ୍ତ କରିବାରେ ଆମେ ସଫଳ ହେବା। ଜଳ ବନ୍ଦ ଧମକ ପରେ ସେଠାରେ ଚାଷୀମାନେ ସେନା ପ୍ରାୟୋଜିତ ଆତଙ୍କୀ ସଙ୍ଗଠନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଲାଗିଲେଣି। ଭାରତୀୟ ସାମରିକ ବାହିନୀ ପକ୍ଷରୁ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକର ପ୍ରମାଣ ମାଗୁଥିବା ସମାଲୋଚନା ମଧ୍ୟରେ ରହି ପର୍ଯ୍ୟଟକଙ୍କ ହତ୍ୟାର ପ୍ରତିଶୋଧ ଯୋଜନା, ଆତଙ୍କବିରୋଧୀ ବିଶ୍ୱ ସମୁଦାୟକୁ ନିଜ ସପକ୍ଷରେ ନେବାକୁ କୂଟନୈତିକ ଅଭିଯାନ ଚଳାଇ ରଖିଛି ଭାରତ। ଦାୟିତ୍ୱବାନ୍ ସରକାର ଯେ, ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ସହିତ ଚମତ୍କାର କରିବାକୁ ବଦ୍ଧ ପରିକର, ଏହି ବିଶ୍ୱାସ ରହିଛି ସମସ୍ତଙ୍କର।

ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ସଙ୍ଗଠନ କାଶ୍ମୀର ଘାଟିରେ ପହଲଗାମ୍ ନରସଂହାର କରି ଭାରତ ବିରୋଧରେ ବିଷ ଉଗାଳି ନିଜର ଉପସ୍ଥିତି ଜାହିର କରିଛନ୍ତି। ଭାରତ ମାଟିରେ ଲୁଚିଥିବା ହତ୍ୟାକାରୀ ଏବଂ ସେମାନଙ୍କ ଆଶ୍ରୟଦାତାମାନଙ୍କୁ ଧରିବା ଏବେ ଅଧିକ ଗୁରୁତ୍ୱ ପୂର୍ଣ୍ଣ। ଅଧିକ ତଥ୍ୟ ଓ ପ୍ରମାଣ ସଂଗ୍ରହକରି ପାକିସ୍ତାନରେ ଲୁଚିଥିବା ଆତଙ୍କୀ ଏବଂ ପାକ୍-ସେନା ପକ୍ଷରୁ ସେମାନଙ୍କୁ ମିଳୁଥିବା ଯୋଗାଣ-ଶୃଙ୍ଖଳାରେ ଯବନିକା ପକାଇବାକୁ ଭାରତ ବଦ୍ଧପରିକର। ବିଶ୍ୱର ହିନ୍ଦୁବହୁଳ ଧର୍ମନିରପେକ୍ଷ ରାଷ୍ଟ୍ର ଭାରତରେ ହିନ୍ଦୁ-ମୁସଲମାନ ଦଙ୍ଗା କରିବାକୁ ପାକିସ୍ତାନୀ ଯୋଜନା ଅସଫଳ ହେବ ବୋଲି ମୁସଲମାନ ନେତା ଅସାଦୁଦ୍ଦୀନ ଓବୈସୀ କହିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।

ପାକିସ୍ତାନର ଏଭଳି ଆଚରଣକୁ ଜବାବ ଦେବା ଲାଗି କଟକ-ଜଗତପୁର ଠାରୁ କାଶ୍ମୀର ଯାଏଁ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା, ଲୋକଙ୍କ ସକ୍ରିୟ ସହଯୋଗକୁ ପ୍ରୋତ୍ସାହିତ କରାଯିବା ସହିତ ଦେଶପ୍ରୀତି ବାତାବରଣ ସୃଷ୍ଟି ଆବଶ୍ୟକ। ଯେଉଁଭଳି ଭାବେ ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା, ତାହାକୁ ଆଉ କିଛିବର୍ଷ ବଢାଇବାକୁ ହେବ। ସେଠାର ଲୋକଙ୍କ ମନରେ ଲୋକତନ୍ତ୍ର ପ୍ରତି ଆସ୍ଥା ବୃଦ୍ଧି କରିବାକୁ ତଥା ବିକାଶର ହିତାଧିକାରୀ କରିବାକୁ ହେବ। ଏସବୁରେ କେନ୍ଦ୍ର ସରକାର ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ କରୁଛନ୍ତି। ପହଲଗାମ୍ ଆକ୍ରମଣର ପ୍ରତିଶାଧ ସହିତ ଏହାର ଚେର ଉପାଡିବାକୁ ସରକାର କିଭଳି ରଣନୀତି ଗ୍ରହଣ କରୁଛନ୍ତି ତାହାକୁ ଆଗ୍ରହର ସହିତ ଆମକୁ ଲକ୍ଷ ରଖିଲାକୁ ପଡିଲା ବେଳେ, କିଭଳି ସାମ୍ପ୍ରଦାୟିକ ସୌହାର୍ଦ୍ୟ ବଳିଷ୍ଠ ରହିବ ଏବଂ ବିଭେଦକାରୀ ଶକ୍ତି ଭାରତୀୟ ସେନାର ମନୋବଳ ଭାଙ୍ଗିବାର ଦୁଃସାହସ କରିବେନି, ସେଥିପାଇଁ ମଧ୍ୟ ସଜାଗ ରହିବାକୁ ପଡ଼ିବ। ଅଶୋକ ସ୍ତମ୍ଭରେ ଶୋଭାପାଉଥିବା ଚାରି-ସିଂହ ମୂର୍ତ୍ତୀ ପାକିସ୍ତାନୀଙ୍କ ମନରେ ଭୀତିସଞ୍ଚାର କରିବା ଆବଶ୍ୟକ।

ଫୋ- ୯୪୩୮୨୯୯୦୩୭

Terror Attack Narendra Modi Jammu Kashmir Pulwama Attack Kashmiri Pandit Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe