/odisha-reporter/media/media_files/2025/10/03/mahatma-gandhi-2025-10-03-12-59-23.jpg)
Mahatma Gandhi Photograph: (Internet)
ଡ. ରିନା ରାଉତରାୟ
ଭାରତ ସ୍ୱାଧୀନ ହେଲା ଦିନ ମହାତ୍ମା ଗାନ୍ଧୀ ଦଙ୍ଗାଗ୍ରସ୍ତ କଲିକତାର ଏକ ଅନ୍ଧାରୁଆ କୋଠରୀରେ ଉପବାସର ସହିତ ମୌନ ବ୍ରତରେ ରହିଥିଲେ। ପରଦିନ ତାଙ୍କ ମନର କ୍ଷୋଭ ପ୍ରକାଶ କରି କହିଥିଲେ ମୁଁ ଯେଉଁ ସ୍ୱପ୍ନର ଭାରତର ପରିକଳ୍ପନା କରିଥିଲି ତାହା ଏହା ନୁହେଁ।
ବାଲ୍ୟ କାଳର ଜିଜ୍ଞାସାବଶତଃ ବାପାଙ୍କୁ ପଚାରିଥିଲି, ‘ଗାନ୍ଧୀଜୀ ତ ଦେଶକୁ ସ୍ୱାଧୀନ କରିଦେଲେ ତଥାପି ତାଙ୍କ ମନ କାହିଁକି ଦୁଃଖ ଥିଲା?
ହୁଏତ ଇତିହାସକୁ ତର୍ଜମା କରିବାର ବା ଗାନ୍ଧୀ ଚେତନାର ବୌଦ୍ଧିକ ଦୃଷ୍ଟିକୋଣକୁ ବୁଝିପାରିବା ବୟସ ମୋର ହୋଇ ନ ଥିଲା ବୋଲି ବାପା କେବଳ ମୋ ମୁଣ୍ଡକୁ ଆଉଁସି ଦେଇ କହିଥିଲେ, ମାଆରେ! ଗାନ୍ଧୀଜୀ ସିନା ଆମ ଦେଶକୁ ବ୍ରିଟିଶ ସରକାରଙ୍କ କବଳରୁ ସ୍ୱାଧୀନ କରିଦେଲେ, କିନ୍ତୁ ଆମେ ଏବେ ବି ଆମ ଅନ୍ଧବିଶ୍ୱାସ, କୁସଂସ୍କାର ଏବଂ ଆମର ଅପରିପକ୍ୱ ମାନସିକତା କବଳରେ ପରାଧୀନ ରହିଛୁ। ସେଥିପାଇଁ ତୁମ୍ଭମାନକୁ ଅନେକ କାମ କରିବାକୁ ଅଛି।
ସେଇ ସ୍ୱାଧୀନ ଭାରତର ସନ୍ଧାନରେ ଆରମ୍ଭ ହୋଇଥିଲା ସେଇ ଛୋଟ ଝିଅଟିର ଯାତ୍ରା...
ଦେଖୁଥିଲି ..
ଆଲବର୍ଟ ଆଇନଷ୍ଟାଇନ ହୁଅନ୍ତୁ ବା ଜର୍ମାନୀର ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ସୁମାଚେର ବା ବିଶ୍ୱଗୁରୁ ରବୀନ୍ଦ୍ର ନାଥ ଟାଗୋର, ଏତେ ବଡ଼ ବଡ଼ ବିଜ୍ଞ ବ୍ୟକ୍ତତ୍ୱ ଗାନ୍ଧୀ ଦର୍ଶନରେ ପ୍ରଭାବିତ ହୋଇ ସାରା ବିଶ୍ୱକୁ ଆଲୋକର ମାର୍ଗ ଦେଖାଇଥିଲା ବେଳେ ଆଜିର ଯୁବ ପିଢ଼ି କାହିଁକି ଗାନ୍ଧୀ ବିଚାରଧାରା ପ୍ରତି ବିମୁଖ?
ଆମର କିଛି ଭୁଲ ରହିଯାଉନାହିଁ ତ? ଗାନ୍ଧୀ ବିଚାରଧାରାକୁ ରାଷ୍ଟ୍ରର ଭବିଷ୍ୟତ ବଂଶଧର ଉତ୍ତରପିଢ଼ି ନିକଟରେ ସଠିକ ଭାବରେ ପହଞ୍ଚାଇବାର ଯୋଗସୁତ୍ରରେ ଆମମାନଙ୍କର (ପୂର୍ବ ପିଢ଼ି) କିଛି ଭୁଲ ରହିଯାଉ ନାହିଁ ତ?
ଯୁବବର୍ଗ କେବେ ବି ବିଶୃଙ୍ଖଳିତ ନୁହନ୍ତି, ବ୍ୟକ୍ତିଗତ ଓ ରାଜନୈତିକ ଅଭିସନ୍ଧି ନେଇ ତାଙ୍କୁ ଉଦଭ୍ରାନ୍ତ କରି ନିଜ ସ୍ୱାର୍ଥ ପାଇଁ ଆମେ ତାଙ୍କୁ ବ୍ୟବହାର କରୁଛୁ। ଦିବାଲୋକରେ ନିଶାସକ୍ତ ହୋଇ ତନ୍ଦ୍ରାଗ୍ରସ୍ତ ଯୁବଗୋଷ୍ଠୀ। କାରଣ ସେମାନଙ୍କ ସମ୍ମୁଖରେ କେହି ନାହାନ୍ତି ଯାହାଙ୍କୁ ଆଦର୍ଶ ରୂପେ ଅନୁସରଣ କରି ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିବା ପାଇଁ।
ଯେକୌଣସି ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ଯୁବବର୍ଗଙ୍କ ବ୍ୟଗ୍ରତା ଆଜି ସମଗ୍ର ଅର୍ଥନୈତିକ ବଜାରକୁ ଅସ୍ଥିର କରିଛି। ସାମାଜିକ ଓ ପାରିବାରିକ ମୂଲ୍ୟବୋଧର ଅବକ୍ଷୟ ଆଜି ନୈତିକ ଅଧଃପତନର କାରଣ ହୋଇଛି।
ଗାନ୍ଧୀଜୀଙ୍କ ନିଧନର ୭୭ ବର୍ଷ ପରେ ମଧ୍ୟ ତାଙ୍କର ସ୍ୱପ୍ନର ଭାରତ କାହିଁ? କାହିଁ ତାଙ୍କର ସ୍ୱପ୍ନର ରାମରାଜ୍ୟ? କାହାନ୍ତି ଜନତାର ସେବକ ଜନପ୍ରତିନିଧି? କାହିଁ ସେ ଗ୍ରାମ ସ୍ୱରାଜ? କାହିଁ ସେହି ସହଭାଗିତା? କାହିଁ ସେହି ପୂର୍ଣକ୍ଷମତା? କେଉଁଠି ତାଙ୍କର ସ୍ୱପ୍ନର ଵିସ୍ତାରିତ ଛବି: ଯେଉଁଦିନ ମଧ୍ୟରାତ୍ରିରେ ମହିଳାଟିଏ ଏକାକି ରାସ୍ତାରେ ସୁରକ୍ଷିତ ଭାବରେ ଯାଇପାରିବ ସେହିଦିନ ବାସ୍ତବିକ ଭାରତ ସ୍ୱାଧୀନ ହେବ।
ଆଜି ଆଉ ବ୍ରିଟିଶମାନଙ୍କ ଦ୍ୱାରା ନୁହେଁ ନିଜ ଜାତିର, ନିଜ ପରିବାରର, ନିଜ ପଡ଼ିଶା ଦ୍ୱାରା ୬୦ ବର୍ଷର ମହିଳା ଓ ୩ ବର୍ଷର ଶିଶୁଟିଏ ମଧ୍ୟ ଦିନ ଦ୍ଵିପ୍ରହରରେ ରାଜରାସ୍ତାରେ ବଳାତ୍କାରର ଶିକାର ହେଉଛି। ଏଠି ନିଜେ ରକ୍ଷକ ହିଁ ଭକ୍ଷକ ହେଇଛି।
ମନୁଷ୍ୟ ସହର ଅପେକ୍ଷା ଜଙ୍ଗଲକୁ ଅଧିକ ସୁରକ୍ଷିତ ମଣୁଛି।
ଆଜି ବି ରାଜସ୍ଥାନର ଅପହଞ୍ଚ ଗ୍ରାମରେ କନ୍ୟା ଶିଶୁକୁ କ୍ଷୀରରେ ବୁଡ଼ାଇ ହତ୍ୟା କରାଯାଉଛି। ଆଜି ବି ଭାରତ ବାଲ୍ୟ ବିବାହରେ ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି। ଏବେ ବି ମଣିଷ ମୁକ୍ତ ହୋଇପାରିନି ଛୁଆଁଅଛୁଆଁର ଭେଦଭାବରୁ, ସରିନାହିଁ ଧନୀ ଓ ଗରିବର ପ୍ରଭେଦ। ବରଂ ଧନୀ ଆହୁରି ଧନୀ ଓ ଗରିବ ଆହୁରି ଗରିବ ହୋଇଚାଲିଛି। ସମାନତା ନାଁରେ ଅସମାନତା। ସେବା ନାଁରେ ଶୋଷଣ। ପାଶବିକତା ଆଜି ମନୁଷ୍ୟର ଧର୍ମ ପାଲଟିଛି। ଜୀବଜନ୍ତୁ ତ ଦୂର କଥା ମନୁଷ୍ୟ ସାଜିଛି ମନୁଷ୍ୟର ଶତ୍ରୁ। ଭାରତମାତା ତାର ଧର୍ଷିତା ଝିଅର ଶବକୁ କୋଳରେ ଧରି ନ୍ୟାୟ ପାଇଁ ଦୁଆର ଦୁଆର ବୁଲୁଛି।
କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଅବଳା ଦୁର୍ବଳାର କ୍ରନ୍ଦନ ଧ୍ୱନି। ଚତୁର୍ଦିଗରେ ଅବିଶ୍ୱାସ, ସନ୍ଦେହ, ହିଂସା, ଦ୍ଵେଷ, ଛଳନା। କଷ୍ଟସାଧ୍ୟ ସ୍ୱାଧୀନତାର ମୂଲ୍ୟବୋଧ ରାଜରାସ୍ତାରେ ନିଲାମ ହେଉଛି। ସର୍ଵଧର୍ମ ପ୍ରିୟ ଭାରତ ଆଜି ରାମ, ରହିମ, ଯୀଶୁ ଓ ଆଲ୍ଲାଙ୍କ ନାମରେ ଭାଗଭାଗ।
ଆଜି ବି ସାମ୍ପ୍ରଦାୟିକତା ରାଜନୀତିର ଏକ କୌଶଳ ହୋଇ ରହିଛି। ସମାଜ ସୁଧାରକମାନଙ୍କ ବିବଶତା, ବୁଦ୍ଧିଜୀବୀଙ୍କ ପଳାୟନପନ୍ଥୀ ନୀରବତା, ଗାନ୍ଧୀ ବିଚାରଧାରାର ବ୍ୟକ୍ତିଙ୍କ ଅସହାୟତା ଦାନ୍ତ ନିକୁଟି ହସୁଛି।
ପରିବର୍ତ୍ତନ ତ ଦୂରର କଥା ବରଂ ଗାନ୍ଧୀ ଚେତନା ଓ ବିଚାରଧାରାକୁ ନେଇ କୁତ୍ସିତ ରାଜନୀତି ଚାଲିଛି। ରାଷ୍ଟ୍ରପିତାର ଆସନରେ ବସାଇ ଗାନ୍ଧିଜୀଙ୍କ ଫୋଟୋ, ଗାନ୍ଧୀଜୀଙ୍କ ବାଡ଼ି, ଗାନ୍ଧିଜୀଙ୍କ ମୁଣ୍ଡ, ଗାନ୍ଧୀଜୀଙ୍କ ଚଷମା, ଚରଖା ଏ ସବୁକୁ ଟ୍ରେଡ଼ମାର୍କ କରି ଗାନ୍ଧୀ ତତ୍ତ୍ୱ, ଆଦର୍ଶ ଓ ବିଚାରଧାର ଉପରେ ଅସଭ୍ୟ ଓ ଅଗଣତାନ୍ତ୍ରିକ ଆକ୍ରମଣ କରି ଚାଲିଛୁ।
ଏ କଥା ମଧ୍ୟ ଠିକ, ଆଜି ସମଗ୍ର ବିଶ୍ୱ ପୁଣିଥରେ ଗାନ୍ଧୀବାଦକୁ ଫେରିବାକୁ ଚାହୁଁଛି।
ଏଇ ଦିନକ ତଳେ ଆମେ ଗାନ୍ଧୀଜୀଙ୍କର ୧୫୬ ତମ ଜନ୍ମ ଜୟନ୍ତୀ ପାଳନ କରିଛି।
ଗାନ୍ଧୀ କ’ଣ କେବଳ ଏକ ବ୍ୟକ୍ତି ବିଶେଷ? ନା ସେ ଏକ ବିଚାରଧାରା, ଏକ ଚେତନା?
ପ୍ରତି ମୁହୂର୍ତ୍ତରେ ତାଙ୍କ ବିଚାରଧାରକୁ ବିକଳାଙ୍ଗ କରି, ତାଙ୍କ ଚେତନାର ଅନ୍ତର୍ମୁଖୀ ସ୍ରୋତକୁ ଅନୁଭବ ନ କରି, କେବଳ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହା ସମାରୋହରେ ଗାନ୍ଧୀ ଜୟନ୍ତୀ ପାଳନ କରି ଆମେ ନିଜକୁ ଆଉ କେତେଦିନ ଠକିବା?
ଆଜି ତାଙ୍କ ପ୍ରତିମୂର୍ତ୍ତି ବା ସମାଧିରେ ଶ୍ରଦ୍ଧାଞ୍ଜଳି ଦେବା ଠିକ ଯେମିତି ତାଙ୍କର ଆଖିର ଲୁହ ଆଉ ଉତ୍ତପ୍ତ ଦୀର୍ଘ ନିଃଶ୍ୱାସରେ ଲାଲ କିଲ୍ଲା ଫରଫର ଉଡୁଥିଲା ଆମ ଜାତୀୟ ପତାକା ....
ସେଦିନର ସେ ଛୋଟ ଝିଅଟି ପାଖରେ ଆଜି ତାର ବାପା ନାହାନ୍ତି, କିନ୍ତୁ ବାପୁଙ୍କ ଆଙ୍ଗୁଳି ଧରି ବାଟ ଚାଲୁ ଚାଲୁ ଥକି ଯାଇ ପଚାରୁଛି ତୁମ ସ୍ୱପ୍ନର ଭାରତ ଆଉ କେତେ ଦୂର ବାପୁ?
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
