Advertisment

ଟ୍ରମ୍ପଙ୍କ ଦାଦାଗିରିର ସୀମା କେଉଁଠି?

ତେଣୁ ଆମେରିକାର ଏହି ପଦକ୍ଷେପ ପରୋକ୍ଷରେ ରୁଷ୍ ଅଂଚଳରେ ରୁଷ୍‌ର ପ୍ରାଧାନ୍ୟ ଓ ଚୀନ୍ ଅଂଚଳରେ ଚୀନ୍‌ର ପ୍ରାଧାନ୍ୟକୁ ସ୍ୱୀକାର କରିବା ଦିଗରେ ରାସ୍ତା ଫିଟାଇବ ବୋଲି ସେମାନେ ବିଶ୍ୱାସ କରିବା ସ୍ୱାଭାବିକ।

maduro

Venezuela President Maduro Under Custody Photograph: (Internet)

Advertisment

ରବି ଦାସ 

ରୁଷ୍ ଯେତେବେଳେ ୟୁକ୍ରେନ୍ ଉପରେ ଆକ୍ରମଣ କଲା ତାହାକୁ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ନିନ୍ଦା କଲେ ଓ ୟୁକ୍ରେନ୍‌କୁ ସବୁପ୍ରକାର ସହାୟତା ଦେବା ପାଇଁ ପଦକ୍ଷେପ ନେଲେ। ବାସ୍ତବରେ ଆମେରିକା ସହିତ ୟୁରୋପୀୟ ରାଷ୍ଟ୍ରମାନଙ୍କର ୟୁକ୍ରେନ୍‌କୁ ସମସ୍ତ ପ୍ରକାର ଆର୍ଥିକ ଓ ସାମରିକ ସାହାଯ୍ୟ ଯୋଗୁ ବ୍ୟାପକ କ୍ଷୟକ୍ଷତି ଓ ଜୀବନହାନୀ ସତ୍ୱେ ଏବେ ଯୁଦ୍ଧ ଚାଲିଛି। ଦୀର୍ଘ ୩ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଗତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ। ରୁଷ୍ ବିରୋଧରେ ଆମେରିକା ସହିତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବିଭିନ୍ନ ପ୍ରକାର ବାସନ୍ଦ ବ୍ୟବସ୍ଥା ଲାଗୁକରି ଏହାର ଅର୍ଥନୀତିକୁ ଦୁର୍ବଳ କରିବାର ଉଦ୍ୟମ କରିଥିଲେ ମଧ୍ୟ ରୁଷ୍ ସେଥିରେ ବିଚଳିତ ହୋଇନି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବାର ୧ ବର୍ଷ ପରେ ମଧ୍ୟ ରୁଷ୍‌-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ହୋଇନି। ଯଦିଓ ଟ୍ରମ୍ପ ଏକ ଶାନ୍ତି ପ୍ରସ୍ତାବ ଦେଇଛନ୍ତି ଯାହାକୁ ଉଭୟ ରୁଷ୍ ଓ ୟୁକ୍ରେନ୍ ପୂରାମାତ୍ରାରେ ଗ୍ରହଣ କରିନାହାନ୍ତି। 

Advertisment

ରୁଷ୍ ବିଶ୍ୱ ସାମରିକ ବଜାରରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ରାଷ୍ଟ୍ର। ୟୁକ୍ରେନ୍ ପରି ଏକ କ୍ଷୁଦ୍ର ରାଷ୍ଟ୍ର କଦାପି ରୁଷ୍‌କୁ ପରାଜିତ କରିପାରିବ ନାହିଁ। ତେଣୁ ସାମରିକ କ୍ଷମତା ମୂଳରେ ଶକ୍ତିଶାଳୀ ରୁଷ୍‌କୁ ବିଶ୍ୱ ଯାହା କହିଲେ ମଧ୍ୟ ମନାଇଦେବା ସହଜ କଥା ନୁହେଁ। ତେଣୁ ଯୁଦ୍ଧ ବନ୍ଦ ପାଇଁ ବିଶ୍ୱର ବିଭିନ୍ନ ଦେଶ ଯାହା କହିଲେ ମଧ୍ୟ ରୁଷ୍‌ର ବା ପୁଟିନ୍‌ଙ୍କର ମନୋଭାବକୁ ସନ୍ତୁଷ୍ଟ କରିବା ପରି ପ୍ରସ୍ତାବ ନହେଲେ ରୁଷ୍ ଯୁଦ୍ଧ ବନ୍ଦ କରିବ ନାହିଁ। ୟୁରୋପୀୟ ରାଷ୍ଟ୍ରମାନଙ୍କର ଏପରି ଶକ୍ତି ନାହିଁ ଯେ, ସେମାନେ ରୁଷ୍‌ର ସାମରିକ ଶକ୍ତିକୁ ମୁକାବିଲା କରିପାରିବେ। କେବଳ ଆମେରିକାର ଏହି ଶକ୍ତି ଅଛି। ହେଲେ ସିଧାସଳଖ ରୁଷ୍ ଉପରେ କୌଣସି ସାମରିକ ଆକ୍ରମଣ କରିବା ଆମେରିକା ପକ୍ଷରେ ମଧ୍ୟ ସମ୍ଭବ ନୁହେଁ। କାରଣ ବିଶ୍ୱ ପରମାଣୁ ଅସ୍ତ୍ରଶସ୍ତ୍ରରେ ରୁଷ୍‌ର ଶକ୍ତି କୌଣସି ଭାବରେ ଆମେରିକା ଠାରୁ ପଛରେ ନାହିଁ। ତେଣୁ ରୁଷ୍ ବା ପୁଟିନ୍ ଯାହା କଲେ ମଧ୍ୟ ତାହାକୁ ସହଜରେ ଅନ୍ୟ ଦେଶମାନେ ଜବତ କରିପାରିବେ ନାହିଁ। ଆମେରିକା ସିଧାସଳଖ ରୁଷ୍ ସହିତ ସାମରିକ ମୁକାବିଲା ଚାହୁଁନଥିବା ବେଶ୍ ସ୍ପଷ୍ଟ। ତେଣୁ ରୁଷ୍‌ର ପ୍ରଭାବ ଥିବା ଅଂଚଳରେ ପୁଟିନ୍‌ଙ୍କ ସହିତ କଥାବାର୍ତ୍ତା ନକରି କେହି ବି ଶାନ୍ତି ପ୍ରସ୍ତାବ କାର୍ଯ୍ୟକାରୀ କରିପାରିବେ ନାହିଁ। 

ପୁଟିନ୍ ଏହା ଜାଣିଥିବାରୁ ପାଶ୍ଚାତ୍ୟ ଦେଶମାନେ କ’ଣ କହୁଛନ୍ତି ବା ବିଶ୍ୱ ଜନମତ କ’ଣ ହେଉଛି ସେଥିପ୍ରତି ସେମାନେ ଖାତିର କରୁନାହାନ୍ତି। ଶୀତଳ ଯୁଦ୍ଧର ଅବସାନ ପରେ ଓ ସୋଭିଏତ୍ ୟୁନିୟନ୍ ଖଣ୍ଡ ବିଖଣ୍ଡିତ ହେଲା ପରେ ବିଶ୍ୱରେ ବହୁ ବର୍ଷ ଆମେରିକା ଏକମାତ୍ର ଶକ୍ତିଶାଳୀ ରାଷ୍ଟ୍ର ଭାବରେ ବିଶ୍ୱକୁ ନିୟନ୍ତ୍ରଣ କରୁଥିଲା। କିନ୍ତୁ ପୁଟିନ୍ ରୁଷ୍‌କୁ ପୁଣି ଶକ୍ତିଶାଳୀ କରିଛନ୍ତି। ପୂର୍ବତନ ସୋଭିଏତ୍ ୟୁନିୟନ୍‌ର ସମସ୍ତ ସାମରିକ ଶକ୍ତି ରୁଷ୍‌ରେ ଗଚ୍ଛିତ ଥିବାରୁ ରୁଷ୍‌କୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ସାରା ବିଶ୍ୱ ସ୍ୱୀକାର କରୁଛି। ରୁଷ୍‌ର ବିପୁଳ ତୈଳ ଭଣ୍ଡାର ଓ ଇନ୍ଧନ ଗ୍ୟାସ୍ ଯୋଗୁ ବିଶ୍ୱ ଶକ୍ତି କ୍ଷେତ୍ରରେ ରୁଷ୍‌ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସମୁଦାୟ ୟୁରୋପ ରୁଷ୍‌ର ଇନ୍ଧନ ଉପରେ ନିର୍ଭର କରୁଛନ୍ତି। 
ରୁଷ୍‌ର ଏହି ସ୍ଥିତି ସହିତ ଗତ ଦୁଇ ଦଶନ୍ଧି ଭିତରେ ଚୀନ୍ ବିଶ୍ୱରେ ଅନ୍ୟ ଏକ ଶକ୍ତିଶାଳୀ ଆର୍ଥିକ କ୍ଷମତାରେ ପରିଣତ ହୋଇଛି। ବିଶ୍ୱ ବଜାରରେ ଆମେରିକାର ବାଣିଜ୍ୟ କ୍ଷେତ୍ରରେ ଯେଉଁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଥିଲା ତାହାକୁ ଅନେକ କ୍ଷେତ୍ରରେ ଚୀନ୍ ଦୁର୍ବଳ କରିଦେଇଛି। ୨୦୦୦ ମସିହା ପର୍ଯ୍ୟନ୍ତ ଆମେରିକା ବିଶ୍ୱ ବାଣିଜ୍ୟ ଉପରେ ରାଜତ୍ୱ କରିଥିଲେ ବି ଏବେ ଚୀନ୍ ପ୍ରାୟ ୧୫୦ରୁ ଅଧିକ ଦେଶ ସହିତ ବାଣିଜ୍ୟ କାରବାର ଚଳାଇଛି। ବାଣିଜ୍ୟ ଯୁଦ୍ଧରେ ଚୀନ୍ ଏତେ ଅଗ୍ରସର ହୋଇଛି ଯେ, ଚୀନ୍‌ର ଟ୍ରେଡ୍ ସର୍‌ପ୍ଲସ୍ (ଆମଦାନୀ ସାମଗ୍ରୀର ମୂଲ୍ୟ ଠାରୁ ରପ୍ତାନୀ ମୂଲ୍ୟ ଅଧିକ ହେଲେ) ବଢ଼ି ପ୍ରାୟ ପ୍ରତିଦିନ ଏହା ତିନି ବିଲିୟନ୍ ଡଲାର୍‌ର ଅଧିକ ସର୍‌ପ୍ଲସ୍ ପାଉଛି। ୨୦୨୫ରେ ଏହାର ଟ୍ରେଡ୍ ସର୍‌ପ୍ଲସ୍ ୧.୧ ଟ୍ରିଲିୟନ୍ ଡଲାର୍ ହୋଇଛି। ବିଶ୍ୱର ପ୍ରାୟ ୭୦ ଭାଗ ବୈଦ୍ୟୁତିକ ଯାନର ବ୍ୟାଟେରୀ ଚାଇନାରେ ନିର୍ମିତ ହେଉଛି। ସେହିପରି ଇସ୍ପାତ୍ ଆଲୁମିନିୟମ୍ ଓ ସିମେଂଟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବିଶ୍ୱର ଅର୍ଦ୍ଧାଧିକ ଉତ୍ପାଦନ ଚୀନ୍‌ରେ ହେଉଛି। ପ୍ରାୟ ତିନି ଚତୁର୍ଥାଂଶ ଡ୍ରୋନ୍ ଚୀନ୍ ଉତ୍ପାଦନ କରୁଛି। ଆର୍ଥିକ ଦୃଷ୍ଟିରୁ ଚୀନ୍ ଆମେରିକା ପଛକୁ ଦ୍ୱିତୀୟ ନୂତନ ଶକ୍ତିରେ ପରିଣତ ହୋଇଛି। 

Advertisment

ଏହାର ବିପୁଳ ଟ୍ରେଡ୍ ସର୍‌ପ୍ଲସ୍ ଯୋଗୁ ଲାଟିନ୍ ଆମେରିକା, ଆଫ୍ରିକା ଓ ଏସିଆର ବହୁଦେଶରେ ଏହା ପୁଞ୍ଜିବିନିଯୋଗ କରୁଛି। ଉନ୍ନତ ସାମରିକ ଜ୍ଞାନ କୌଶଳ ସହିତ ପରମାଣୁ ଭିତ୍ତିକ ଜାହାଜ ନିର୍ମାଣ କୌଶଳ ଚୀନ୍ ଆୟତ୍ତ କରିଥିବା ଦୃଷ୍ଟିରୁ ସାମରିକ ଶକ୍ତିରେ ମଧ୍ୟ ଏହା ଦୁର୍ବଳ ହୋଇନାହିଁ। ଯଦିଓ ଏହା ଆମେରିକାକୁ ମୁକାବିଲା କରିବା ସହଜ ନୁହେଁ, କିନ୍ତୁ ଏହା ଏକ ଶକ୍ତିଶାଳୀ ଆର୍ଥିକ ଶକ୍ତି ଭାବରେ ଲାଟିନ୍ ଆମେରିକାର ଦେଶଗୁଡ଼ିକ ସହିତ ବାଣିଜ୍ୟ କାରବାରକୁ ବହୁ ଭାବରେ ବଢ଼ାଇ ଦେଇଛି। ଭେନେଜୁଏଲା ସହିତ କ୍ୱିବା ପରି ଦେଶଗୁଡ଼ିକର ଶାସନ ମୁଖ୍ୟମାନଙ୍କ ସହିତ ଚୀନ୍‌ର ଘନିଷ୍ଠତା ରହିଛି। ଆମେରିକାର ପ୍ରଭାବଶାଳୀ ବଳ ଭିତରେ ଥିବା ଦେଶଗୁଡ଼ିକରେ ଚୀନ୍‌ର ପ୍ରଭାବ ଓ ବାଣିଜ୍ୟ କାରବାର ବୃଦ୍ଧି ସହିତ ବିଶ୍ୱର ସବୁଠୁ ଅଧିକ ତୈଳ ଭଣ୍ଡାର ଥିବା ଭେନେଜୁଏଲା ଉପରେ ଏହାର କର୍ତ୍ତୃତ୍ୱ ଯୋଗୁ ଆମେରିକା ରାଷ୍ଟ୍ରପତି ଏହାକୁ ରୋକିବା ପାଇଁ ଏକ ବଡ଼ ଧରଣର ପଦକ୍ଷେପ ନେଇଛନ୍ତି।

ବାସ୍ତବିକ ଭେନେଜୁଏଲା ଉପରେ ହଠାତ୍ ଆକ୍ରମଣ କରି ଆମେରିକା ସେହି ଦେଶର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ବନ୍ଧକ କରି ନେଇଯାଇଛନ୍ତି। ଆନ୍ତର୍ଜାତିକ ଆଇନ୍ ଅନୁସାରେ ଗୋଟିଏ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଉପରେ ଏ ଧରଣର ଆକ୍ରମଣ ଓ ସେ ଦେଶର ରାଷ୍ଟ୍ରପତିଙ୍କୁ ଉଠାଇ ନେଇଯିବା ଘଟଣା ସାରାବିଶ୍ୱରେ ଏହା ପ୍ରଥମ ଘଟଣା। ଆନ୍ତର୍ଜାତିକ ଆଇନ୍ ବା ବିଶ୍ୱ ପରିଚାଳନାରେ ଏପରି ଘଟଣା ସମ୍ପୂର୍ଣ୍ଣ ଅନନ୍ୟ। ଏହା ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିବା ବେଶ୍ ସ୍ପଷ୍ଟ। ପ୍ରଥମଟି ହେଉଛି ଯେ, ସେ ଯେଉଁ ପ୍ରତିଶ୍ରୁତି ଦେଇ ଆମେରିକାକୁ ପୁଣି ବିଶ୍ୱରେ ବଡ଼ କରିବା ସ୍ଳୋଗାନ ଦେଇଥିଲେ, ସେହି ଅନୁସାରେ ଦକ୍ଷିଣ ଗୋଲାର୍ଦ୍ଧରେ ଆମେରିକାର ପ୍ରଭୁତ୍ୱ ପ୍ରତିଷ୍ଠା କରିବା ଦ୍ୱାରା ସେହି ଲକ୍ଷ୍ୟ ହାସଲ ହେବ ବୋଲି ସେ ଭାବିଛନ୍ତି। ତା’ ଛଡ଼ା ତାଙ୍କର କେତେଗୁଡ଼ିଏ ଦେଶ ଭିତରେ ଓ ବାହାର ନୀତି ଯୋଗୁ ସେ ଆମେରିକାରେ ଲୋକମତ ହରାଉଥିବାର ସୂଚନା ମିଳି ସାରିଥିବାରୁ ତାଙ୍କର ବ୍ୟକ୍ତିଗତ ଲୋକପ୍ରିୟତାକୁ ପୁନଃ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ସେ ଭେନେଜୁଏଲା ଉପରେ ଏପରି ଆକ୍ରମଣ କରିଛନ୍ତି। 

ଦ୍ୱିତୀୟରେ ଏହି ଆକ୍ରମଣ ଜରିଆରେ ଚୀନ୍‌ରେ ବାଣିଜ୍ୟ କାରବାର ଲାଟିନ୍ ଆମେରିକାରେ ରୋକାଯିବା ସହିତ ଆମେରିକା ପସନ୍ଦ କରୁଥିବା ଶକ୍ତି ଓ ଦଳମାନେ ଏହି ଦେଶଗୁଡ଼ିକରେ ଶାସନ କରିବେ। ଏହି ତତ୍ତ୍ୱ ଉନ୍ନବିଂଶ ଶତାବ୍ଦୀରେ ଆମେରିକା ଘୋଷଣା କରିଥିଲା। ସେତେବେଳେ ଆମେରିକା ରାଷ୍ଟ୍ରପତି ଥିବା ଜେମ୍‌ସ୍ ମନୋରୋ ଘୋଷଣା କରିଥିଲେ ଯେ, ଏହି ଭୂଖଣ୍ଡରେ ଅନ୍ୟ କୌଣସି ରାଷ୍ଟ୍ରର କଲୋନୀ ପ୍ରତିଷ୍ଠା ହେବନାହିଁ। ଭେନେଜୁଏଲା ହେଉଛି ଏପରି ଏକ ଦେଶ ଯେଉଁଠାରେ ପ୍ରଚୁର ତୈଳସମ୍ପଦ ରହିଛି। ଏହି ତୈଳ ସମ୍ପଦ ଉପରେ ପୂର୍ବରୁ ଆମେରିକୀୟ କମ୍ପାନୀମାନେ କାମ କରୁଥିଲେ ମଧ୍ୟ ବର୍ତ୍ତମାନର ଶାସନ ତୈଳ କମ୍ପାନୀଗୁଡ଼ିକର ଜାତୀୟକରଣ କରି ଆମେରିକୀୟ କମ୍ପାନୀମାନଙ୍କୁ ବିଦାୟ କରିଦେଇଛନ୍ତି। ଏହି ତୈଳ ସମ୍ପଦର ଅଧିକାଂଶ ଭାଗ ଚୀନ୍‌କୁ ରପ୍ତାନୀ କରାଯାଉଛି। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋ ଯାହାଙ୍କୁ ଏବେ ଆମେରିକା ବନ୍ଦୀ କରି ନେଇଯାଇଛି ସେ ବସ୍ତୁତଃ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରେ ଆମେରିକା ବିରୋଧୀ ବାତାବରଣକୁ ଉତ୍ସାହିତ କରିଆସୁଥିଲେ ବୋଲି ଟ୍ରମ୍ପ ବିଶ୍ୱାସ କରୁଥିବାରୁ ସେ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଥିବା ସମୟରେ ନିକୋଲସ୍‌ଙ୍କୁ ହଟାଇବା ପାଇଁ ଉଦ୍ୟମ କରିଥିଲେ। 

ଅବଶ୍ୟ ମାଦୁରୋ ଜଣେ ଭଲ ଗଣତାନ୍ତ୍ରିକ ଶାସକ ନୁହଁନ୍ତି। ଏକଛତ୍ରବାଦୀ କାର୍ଯ୍ୟକଳାପ ଜରିଆରେ ଦେଶରେ ବିରୋଧୀମାନଙ୍କୁ ବିଭିନ୍ନ ଭାବରେ ଦମନ କରିଛନ୍ତି। ଏପରିକି ଗତ ୨୦୨୪ ନିର୍ବାଚନରେ ସେ ଅଳ୍ପକେ ବିଭିନ୍ନ କୌଶଳ କରି ନିର୍ବାଚନ ଜିତିଥିଲେ। ଏପରି ଅବସ୍ଥାରେ ଟ୍ରମ୍ପ ଏଥର ଶାସନରେ ନିକୋଲସ୍‌ଙ୍କୁ ବିଦା କରିବା ସହିତ ନିଜେ ଚାହୁଁଥିବା ଶାସକ ସେଠାରେ ଆଣିବାକୁ ଉଦ୍ୟମ କରିଛନ୍ତି। ସେ ଏକଥା ମଧ୍ୟ ଜାଣନ୍ତି ଯେ, ବିଶ୍ୱରେ ଏବେ ଯେଉଁ ଅବସ୍ଥା ରହିଛି ସେଥିରେ କୌଣସି ରାଷ୍ଟ୍ର ସିଧାସଳଖ ଆମେରିକାର ମୁକାବିଲା କରିବା ପାଇଁ ବାହାରିବେ ନାହିଁ। ଅପରପକ୍ଷରେ ଏହି ଗୋଟିଏ ପଦକ୍ଷେପ ଫଳରେ ଲାଟିନ୍ ଆମେରିକାର କ୍ୟୁବା ସମେତ ଅନ୍ୟ ଦେଶମାନଙ୍କୁ ବାର୍ତ୍ତା ଚାଲିଯିବ। ଟ୍ରମ୍ପ ଶାସନ ଭାର ଗ୍ରହଣ କଲା ପରେ ଟାରିଫ୍ ବିଶ୍ୱଯୁଦ୍ଧ ଆରମ୍ଭ କରିଥିଲେ। ସେ ସମୟରେ କୌଣସି ଦେଶ ତାଙ୍କୁ ସିଧାସଳଖ ମୁକାବିଲା କରିପାରି ନଥିଲା, କେବଳ ଚୀନ୍ କିଛି ପାଲଟା ପଦକ୍ଷେପ ନେଇଥିଲେ ମଧ୍ୟ ପରେ ଆମେରିକା ସହିତ ଆଲୋଚନା କରି ବୁଝାମଣାରେ ପହଂଚିଲା। 

ଆମେରିକାର ଭେନେଜୁଏଲା ଉପରେ ଏହି ଦାଦାଗିରିକୁ ଯଦି ବିଶ୍ୱ ଗ୍ରହଣ କରିନେଲା ତେବେ ବିଶ୍ୱରେ ଅଧିକାଂଶ ଦେଶ ଏଥିରେ ଭୟଭୀତ ହେବେ। ସେଥିପାଇଁ ଭାରତ ପରି ଏକ ଗଣତାନ୍ତ୍ରିକ ଦେଶ ଯିଏ ସବୁବେଳେ ବିଶ୍ୱରେ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ଚାହେଁ, ସେ ଦେଶ ମଧ୍ୟ ସିଧାସଳଖ ଆମେରିକାର ଏହି ପଦକ୍ଷେପକୁ ନିନ୍ଦା କରିନାହିଁ। ରୁଷ୍ ଓ ଚୀନ୍ ବିଶ୍ୱର ଦୁଇଟି ରାଷ୍ଟ୍ର ଯେଉଁମାନେ କି ସାମରିକ ଦୃଷ୍ଟିରୁ ଆମେରିକାକୁ ପ୍ରଶ୍ନ କରିପାରିବେ। କିନ୍ତୁ ରୁଷ୍ ଏବେ ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିରୁ ମୁକ୍ତ ହୋଇନାହିଁ ଓ ଅପରପକ୍ଷରେ ଚୀନ୍ କିପରି ତାଇୱାନ୍‌କୁ ଦେଶରେ ସାମିଲ୍ କରିବ ସେହି ଉଦ୍ୟମରେ ଅଛି। ତେଣୁ ଆମେରିକାର ଏହି ପଦକ୍ଷେପ ପରୋକ୍ଷରେ ରୁଷ୍ ଅଂଚଳରେ ରୁଷ୍‌ର ପ୍ରାଧାନ୍ୟ ଓ ଚୀନ୍ ଅଂଚଳରେ ଚୀନ୍‌ର ପ୍ରାଧାନ୍ୟକୁ ସ୍ୱୀକାର କରିବା ଦିଗରେ ରାସ୍ତା ଫିଟାଇବ ବୋଲି ସେମାନେ ବିଶ୍ୱାସ କରିବା ସ୍ୱାଭାବିକ। 

କିନ୍ତୁ ବିଶ୍ୱ ରାଜନୀତିରେ ଏପରି ଦାଦାଗିରି ସାରା ବିଶ୍ୱରେ ଦେଶମାନଙ୍କ ଭିତରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରି ଶାସକମାନେ ଓ ଆର୍ଥିକ ଦୃଷ୍ଟିରୁ କ୍ଷମତାଶାଳୀ ଲୋକମାନେ ସେମାନଙ୍କ ଚାହିଦା ଅନୁସାରେ ବ୍ୟବସ୍ଥାକୁ ବଦଳାଇ ପାରିବେ ବୋଲି ବିଶ୍ୱାସ କରିବେ। ବାସ୍ତବିକ ଆମେରିକାର ଏହି ପଦକ୍ଷେପ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଗଣତାନ୍ତ୍ରିକ ଭାବନା ଓ ଗଣତାନ୍ତ୍ରିକ ବିଶ୍ୱ ବ୍ୟବସ୍ଥା ପ୍ରତି ଏକ ବଡ଼ ଧକ୍କା।

ଫୋ- ୯୪୩୭୪୦୪୪୫୫

America Donald Trump Venezuela oil news US attack on Venezuela US intervention Venezuela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe